Unknown

 

 

 

 

 

 

 

 

 

 

 

ଜୀବନ ପଥେ

ଶ୍ରୀ ପୂର୍ଣ୍ଣଚନ୍ଦ୍ର ମିଶ୍ର

 

ଜୀବନପଥେ

 

ମୂଳରଚନା : ଅସମୀୟା ‘‘ଜୀବନର୍‌ ବାଟତ୍‌’’

ଲେଖକ : ବୀଣା ବରୁଆ

 

ଓଡ଼ିଆ ଅନୁବାଦ : ଅଧ୍ୟାପକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଏମ୍‍. ଇଡ଼ି., ଡିପ୍‍-ଇନ୍‍-ଆସାମିକ୍‍

 

ଅନୁବାଦକ ପକ୍ଷରୁ ପଦେଅଧେ

 

ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ ଥିବା ସମୟରେ ପୂର୍ବାଞ୍ଚଳ ଭାଷାକେନ୍ଦ୍ର ଜରିଆରେ ଅସମୀୟା ଭାଷା ସହିତ ମୋର ପରିଚୟ । ଉକ୍ତ ଭାଷା ପ୍ରଶିକ୍ଷଣର ପାଠଯୋଜନାରେ ଅଧ୍ୟାପକ ଶ୍ରୀଯୁକ୍ତ ଦତ୍ତବରୁଆ ‘ଜୀବନର ବାଟତ୍‌’ ଉପନ୍ୟାସରୁ କିଛି କିଛି ସନ୍ନିହିତ କରିଥିଲେ । ସେହି ଅଂଶ ଗୁଡ଼ିକ ପଢ଼ାଉଥିବାବେଳେ ଉକ୍ତ ଉପନ୍ୟାସଟିକୁ ପଢ଼ି ଶେଷ କରିବାକୁ ଇଚ୍ଛାହୁଏ । ଉପନ୍ୟାସଟି ପଢ଼ୁଥିବାବେଳେ ହିଁ ମନେମନେ କଳ୍ପନା କରେଁ ଏହାର ଓଡ଼ିଆ ରୂପ ଦେବାକୁ । ଶେଷରେ ବାସ୍ତବ ରୂପ ନିଏ ସେହି କଳ୍ପନା । ଏହାର ପଛରେ ରହିଥିବା ଶ୍ରୀଯୁକ୍ତ ଦତ୍ତବରୁଆଙ୍କ ଅନାବିଳ, ଅବିଶ୍ରାନ୍ତ ପ୍ରୋତ୍ସାହ ମୋ ପକ୍ଷରେ ଅବିସ୍ମରଣୀୟ ।

 

ଭାଷା ଦୃଷ୍ଟିକୋଣରୁ, ଓଡ଼ିଆ ଓ ଅସମୀୟା ମଧ୍ୟରେ ଏତେ ସାମଞ୍ଜସ୍ୟ ଅଛି ଯେ, ଯେ କେହି ଓଡ଼ିଆ ଅସମୀୟା ଭାଷାଟିକୁ କାମଚଳା ଭାବେ ଶିଖିନେଲେ ଲିଖିତ ଅସମୀୟା ଭାଷା ସାହିତ୍ୟ ବୁଝିବାରେ ହୁଏତ ଅସୁବିଧାର ସମ୍ମୁଖୀନ ହେବନାହିଁ; କିନ୍ତୁ ଅନୁବାଦ ଦୃଷ୍ଟିକୋଣରୁ ଦେଖିଲେ ଏତେଟା ସହଜ ବୋଲି ମୋର ମନେ ହୁଏନା । କାରଣ ଅସମୀୟାର ବାକ୍ୟଗଠନ ରୀତି ଅନେକ ପରିମାଣରେ ଓଡ଼ିଆଠାରୁ ଭିନ୍ନ । ମୋର ଏଇ ଅନୁବାଦରେ ତାର ପ୍ରଭାବ ଅନେକ ସ୍ଥାନରେ ସୁସ୍ପଷ୍ଟ ।

 

କେତେକ ସ୍ଥାନରେ ଇଚ୍ଛାକୃତ ଭାବେ ଅସମୀୟା ଶବ୍ଦ ବ୍ୟବହାର କରାଯାଇଛି ଏବଂ କେତେକ ସ୍ଥାନରେ ଭୁଲ୍‌ କ୍ରମେ ସେଥିରୁ କିଛି ରହିଯାଇଛି । ସେଗୁଡ଼ିକର ସ୍ପଷ୍ଟୀକରଣ ଦିଆଯାଇଛି-। ତେବେ ଆଶା କରାଯାଏ ସେ ପାଠକେ ଉପନ୍ୟାସଟିକୁ ହୃଦୟଙ୍ଗମ କରିବାରେ ଅସୁବିଧାର ସମ୍ମୁଖୀନ ହେବେନାହିଁ । କେତେକ ଅନିବାର୍ଯ୍ୟ କାରଣରୁ ମୁଦ୍ରଣ ପୂର୍ବରୁ ମୁଁ ନିଜେ ପାଣ୍ଡୁଲିପିଟିର ପୁନରାବୃତ୍ତି କରିବାର ସୁଯୋଗ ପାଇନଥିବାରୁ କେତେକ ସ୍ଥାନରେ ତ୍ରୁଟି ରହିଯାଇଛି-। ଆଶା କରେ ସୁଧିବୃନ୍ଦ ଏ ତ୍ରୁଟି ପାଇଁ କ୍ଷମା କରିବେ ।

 

ବହୁ ବନ୍ଧୁ ଏ ଅନୁବାଦ କାର୍ଯ୍ୟ ପାଇଁ ମୋତେ ବହୁଭାବେ ଉତ୍ସାହିତ କରିଛନ୍ତି । ସେ ସମସ୍ତଙ୍କୁ ମୁଁ ମୋର ଆନ୍ତରିକ ଧନ୍ୟବାଦ ଜଣାଉଛି । ବିଶେଷତଃ, ଏକାଧାରରେ କବି, ପ୍ରାବନ୍ଧିକ, ଚିତ୍ରକର, ମନୋବିଜ୍ଞାନ-ଅଧ୍ୟାପକ ମୋର ବନ୍ଧୁ ଶ୍ରୀଯୁକ୍ତ ପ୍ରମୋଦକୁମାର ମହାନ୍ତି ଅନୁଦିତ ପାଣ୍ଡୁଲିପିଟି ପଢ଼ି ତାଙ୍କର ସୁଚିନ୍ତିତ ଅନୁକୂଳ ମତାମତ ମୋ ନିକଟରେ ପ୍ରକାଶ କରିଥିବାରୁ ତାଙ୍କୁ ଏଠାରେ ବିଶେଷ ଧନ୍ୟବାଦ ଅର୍ପଣ କରୁଛି ।

 

ମୋର ସଙ୍ଗିନୀ ଶ୍ରୀମତୀ ସରୋଜିନୀ ମହାପାତ୍ର, ଯିଏକି ନିଜେ ଅସମୀୟା ଭାଷା ପ୍ରଶିକ୍ଷଣ ଡିଷ୍ଟିଙ୍କସନ୍‌ ସହ ପାଶ୍‌ କରିଛନ୍ତି; ମୋର ଏ ଅନୁବାଦ କାର୍ଯ୍ୟରେ ଉତ୍ସାହ ତଥା ସହାୟତା ପ୍ରଦାନ କରିଥିବାରୁ ଯଦି ଏ ଅନୁବାଦ ବାବଦରେ କିଛି ପ୍ରଶଂସା ମିଳେ ସେଥିରୁ ଅଧେ ତାଙ୍କର । ନିନ୍ଦାତକ ମୁଁ ମୋ ପାଇଁ ଏକାନ୍ତ ଭାବେ ନେଇନେବି ।

 

୨୫ । ୧୯ । ୭୭

 

ଭୁବନେଶ୍ଵର

ଅନୁବାଦକ

Image

 

ମୁଖବନ୍ଧ

 

ଅସମୀୟା ଉପନ୍ୟାସ ସାହିତ୍ୟରେ ‘ଜୀବନର୍‌ ବାଟତ୍‌’ ଏକ ମାଇଲ୍‌ ଖୁଣ୍ଟି । ଦ୍ଵିତୀୟ ମହାସମରର ରାଜନୈତିକ ଅସ୍ଥିରତାରେ ସାରା ଦେଶ ଛାଇହେବାର କିଛିଦିନ ପୂର୍ବରୁ ଏହି ଉପନ୍ୟାସଟିର ଲେଖା ଶେଷ ହୁଏ ଏବଂ ୧୯୪୩ ସାଲରେ ଏହାର ପ୍ରଥମ ପ୍ରକାଶନ ହୁଏ । ତଥାପି ଏ ଉପନ୍ୟାସରେ ରାଜନୈତିକ ଅସ୍ଥିରତାର ସାମାନ୍ୟତମ ଆଭାସ ବି ପ୍ରତିଫଳିତ ହୋଇନି; ବରଂ ଅସମୀୟା ସମାଜର ସାମାଜିକ ତଥା ସାଂସ୍କୃତିକ ଦିଗଟିର ସ୍ପଷ୍ଟ ପ୍ରତିଫଳନ ଏଥିରେ ମିଳିଥାଏ । କେହି ଯଦି ଅସମୀୟା ସମାଜକୁ ଭଲଭାବେ ଜାଣିବାକୁ ଚାହେଁ, ଅସମୀୟାର ରୀତିନୀତି, ଚାଲିଚଳନ, ଖିଆପିଆର ବିଚିତ୍ର ରୀତି କଥା ଜାଣିବାକୁ ଚାହେଁ, ଅସମୀୟା ଉତ୍ସବ ଅନୁଷ୍ଠାନର ସାମ୍ୟକ୍‌ ପରିଚୟ ପାଇବାକୁ ଚାହେଁ, ଅଥବା ବ୍ରିଟିଶ୍‌-ଅଧ୍ୟୁସିତ ଅସମୀୟା ମନୋବୃତ୍ତିକୁ ବୁଝିବାକୁ ଚାହେଁ, ତେବେ ‘ଜୀବନର ବାଟତ୍‌’ ନିଃସନ୍ଦେହରେ ସେସବୁର ଏକ ସ୍ଵଚ୍ଛଦର୍ପଣ ।

 

କୃଷ୍ଣଦତ୍ତର ଭଉଣୀ ‘ଆଇଦେଉ’ର ବିବାହର ପ୍ରସ୍ତୁତିରୁ ଆରମ୍ଭ କରାଯାଇଥିବା ଏଇ ଉପନ୍ୟାସରେ ପାଠକେ ପ୍ରଥମରୁ ହିଁ ଅସମୀୟା-ବିବାହ-ଉତ୍ସବ ସହିତ ଜଡ଼ିତ ଆଚାରରୀତିର ପରିଚୟ ପାଇପାରିବେ । ବିବାହ-ଉତ୍ସବ ଅବସରରେ ଗ୍ରାମ୍ୟ ମହିଳାମାନଙ୍କର ଗହଳ ଚହଳ, ସାଙ୍ଗର ଭଉଣୀ ବାହାଘରକୁ ଆସିଥିବା କମଳାକାନ୍ତ ପ୍ରତି ସାଙ୍ଗର ପରିବାରବର୍ଗଙ୍କ ହାର୍ଦ୍ଦିକତା, ବିବାହ-ମାଙ୍ଗଳିକ-କର୍ମ ମଝିରେ ପୁରୋହିତଙ୍କର ତର୍କବିତର୍କ ଏବଂ ଅତିଥି ସତ୍‌କାର ଦାୟିତ୍ଵରେ ଥାଇ ବ୍ୟସ୍ତବିବ୍ରତ କମଳାକାନ୍ତ ହାତର ପାନବଟା ଗାଉଁଲି ଝିଅ ଟଗରକୁ ଅଭାବନୀୟ ଭାବେ ଆଘାତ କରିବାର ବର୍ଣ୍ଣନା ଗୁଡ଼ିକ ସତରେ ଏକାନ୍ତ ବାସ୍ତବ ରୂପ ନେଇଛି । ଏହି ସାଧାରଣ ଘଟଣାଟି ଯୁବକ କମଳାକାନ୍ତର ମନରେ ରୋମାଞ୍ଚ ସୃଷ୍ଟି କରିବା ମଧ୍ୟ ଖୁବ୍‌ ସ୍ଵାଭାବିକ । ବାହାବାସି ଦିନ କମଳାକାନ୍ତର ଅତିଥି-ସତ୍‌କାରର ଦାୟିତ୍ଵକୁ ହସି ହସି ବହନ କରିଥିବା ଟଗରର ଅଙ୍ଗୁଳିରେ ଆବେଗପ୍ରବଣ କମଳାକାନ୍ତ ନିଜ ଆଙ୍ଗୁଳିର ମୁଦି କାଢ଼ି ପିନ୍ଧାଇଦେବା ସଙ୍ଗେ ସଙ୍ଗେ ଉପନ୍ୟାସର ସଂଘାତ ଆରମ୍ଭ ହୁଏ । ଏଇ ଅଭାବନୀୟ ଘଟଣାଟି କିଭଳି ସାମାଜିକ ପ୍ରତିକ୍ରିୟା ସୃଷ୍ଟି କରିବ ସେଇକଥା ଭାବି କାନ୍ଦି ପକାଇଥିବା ଟଗରକୁ ଯୁବକ କମଳାକାନ୍ତ ଦିଏ ହଜାର ପ୍ରତିଶ୍ରୁତି । ଏହା ପରେ ଅତି ସ୍ଵାଭାବିକ ଭାବେ ଟଗରର ବାପା ପଠାଇଥିବା ‘ଟଗର-କମଳାକାନ୍ତ’ର ବିବାହ ପ୍ରସ୍ତାବକୁ କମଳାକାନ୍ତର ବାପା ମହୀକାନ୍ତ ସମ୍ମତି ଜଣାଇବାରେ ପାଠକର ଉତ୍କଣ୍ଠା ସ୍ୱାଭବିକ ଭାବେ କିଛି ପରିମାଣରେ ପ୍ରଶମିତ ହୁଏ ।

 

କିନ୍ତୁ ନିୟତିର କି କ୍ରୁର ପରିହାସ । ଏ ଘଟଣାର କିଛି ଦିନ ପରେ ‘ଦର୍ଶନଶାସ୍ତ୍ର’ରେ ‘ଅନର୍ସ’ ସହ ବି. ଏ. ପାଶ୍‌ କରିଥିବା କମଳାକାନ୍ତ ବ୍ରିଟିଶ୍‌ ଅମଳର ପ୍ରଥା ଅନୁଯାୟୀ ସିଭିଲ ସର୍ଭିସ୍‌ ପାଇବା ସକାଶେ ସେତେବେଳକାର ପ୍ରତିପତ୍ତିଶାଳୀ ଖ୍ୟାତିସମ୍ପନ୍ନ ରାୟବାହାଦୁର ମାଣିକ ହାଜାରିକାଙ୍କଠାରୁ ସାର୍ଟିଫିକେଟ୍‌ ଆଣିବାକୁ ଯାଏ । ମାଣିକ ହାଜାରିକା କମଳାକାନ୍ତକୁ ଦେଖୁ ଦେଖୁ ନିଜ ଝିଅ ସୁପ୍ରଭାକୁ ତା’ ହାତରେ ଦେବାକଥା ମନେ ମନେ ଠିକ୍‌ କରିପକାନ୍ତି ଏବଂ ପରେ ପରେ ରାୟବାହାଦୁରଙ୍କର ମଟରଗାଡ଼ିଟି ଘନ ଘନ ମହୀକାନ୍ତଙ୍କ ଘରକୁ ଯା’ଆସ କରିବା ଆରମ୍ଭ କରେ । ଇତି ମଧ୍ୟରେ ଦିନେ ରାୟବାହାଦୁର କମଳାକାନ୍ତର ପରିବାରବର୍ଗକୁ ଚାହା ଖାଇବାକୁ ନିମନ୍ତ୍ରଣ କରନ୍ତି । ସିଭିଲ୍‌ ସର୍ଭିସ ପାଇବାର ସ୍ଵପ୍ନରେ ବିଭୋର କମଳାକାନ୍ତ କାଳେ ରାୟବାହାଦୁରଙ୍କ ଆଭିଜାତ୍ୟ ସହିତ ତାର ମା ଓ ସାନ ସାନ ଭାଇ ଭଉଣୀମାନେ ତାଳ ଦେଇପାରିବେ ନାହିଁ ଏହି ଭୟରେ ମନେମନେ ରାଗି ନିଆଁବାଣ ହୁଏ । ଏ ପରିସ୍ଥିତିରେ କମଳାକାନ୍ତର ମନରେ ଟଗର ବା ଆସନ୍ତା କୁଆଡ଼ୁ ? ମହୀକାନ୍ତ ରାୟବାହାଦୁରଙ୍କ ପରିବାର ସହିତ ପୁଅର ବୈବାହିକ ସମ୍ବନ୍ଧ ସ୍ଥାପନର ନୂତନ ପ୍ରସ୍ତାବରେ ଗୃହିଣୀଙ୍କ ଆପତ୍ତି ସତ୍ତ୍ୱେ ସମ୍ମତି ଜଣାଇବା ସଙ୍ଗେ ସଙ୍ଗେ ଟଗରର ବାପା ବାପୁରାମ ବରାଙ୍କ ନିକଟକୁ ଚିଠି ଲେଖି ତାଙ୍କ ଝିଅ ପାଇଁ ଅନ୍ୟ ପାଞ୍ଚ ଦେଖିବାକୁ ଅନୁରୋଧ ଜଣାନ୍ତି । ନିରପରାଧ ଟଗରର ଆଶା-ଉତ୍‌ଫୁଲ୍ଲ ଜୀବନରେ ଦୁଃଖର ପ୍ରଥମ ଯବନିକା ନଇଁଆସେ ।

 

ମାତୃହୀନା ଟଗର ନିଜର ବିବାହ ନିମନ୍ତେ ଉଇଭିଂ ମାଷ୍ଟର ଧରଣୀର ସହାୟତାରେ ରଙ୍ଗବେରଙ୍ଗର ଲୁଗା ବୁଣି ବସେ । ବିବାହ ପ୍ରସ୍ତାବ ନାକଚ କରିଥିବା ଚିଠି ଖଣ୍ଡିକ ହାତରେ ଧରି ଅତି ଦୁଃଖ ମନରେ ଘରକୁ ଫେରି ଆସିଥିବା ବାପୁରାମ ବରା ଝିଅ ଟଗରର ଦେହରେ ନିଜ ଦେହକୁ ଲଗେଇ ଲୁଗାବୁଣା ଶିଖାଉଥିବା ଧରଣୀକୁ ଦେଖି ଟଗର ଧରଣୀ ସମ୍ପର୍କରେ ଉଠିଥିବା ଗୁଜବକୁ ସତମଣି, ସେଥିପାଇଁ ଧରଣୀକୁ ଦୋଷ ଦେଇ ଟଗରକୁ ବାହାହେବାକୁ ତାକୁ ବାଧ୍ୟକରନ୍ତି-। ଧରଣୀ ଯେତେବେଳେ ମା’ ଆହିନୀ ନିକଟକୁ ଏକଥା ଚିଠି ଲେଖି ଜଣାଏ, ଏ ସମ୍ବାଦଟି ଅଳ୍ପ ସମୟ ମଧ୍ୟରେ ରହା ଅଞ୍ଚଳରେ ଗୁଜବ ସୃଷ୍ଟି କରେ ଯେ, ଉଚ୍ଚବଂଶ ଜାତ ଧରଣୀ ଜାତି କୂଳ ନଷ୍ଟକରି ‘ଆହୋମ’ ଜାତିର ମାଇକିନିଆଟାଏ ଆଣି ଆସିବ । ଧରଣୀର ବଡ଼ବାପା ସୁନନ୍ଦର ପ୍ରରୋଚନାରେ ଏଇ ବାହାଘରଟି ଭାଙ୍ଗବାର ଆୟୋଜନ ଚାଲେ । ଶେଷରେ ସୁନନ୍ଦର ପୁଅ ମନୋହରକୁ ପଠାହୁଏ ଝିଅଘର ଜାତିଗୋତ୍ର ଜାଣିବା ପାଇଁ ଗୋଲଘାଟ—ମରଙ୍ଗିକୁ । ମନୋହର ବାହାଘର ଭାଙ୍ଗିବା ଦୂରେ ଥାଉ ବାହାଘର ଶୀଘ୍ର ସମ୍ପନ୍ନ ହେବାରେ ସାହାଯ୍ୟ କରେ । ଶୁଭରେ ଶୁଭରେ ବିବାହ ସମ୍ପନ୍ନ ହୁଏ ଏବଂ ବୋହୂକୁ ରହାକୁ ନିଆଯିବାର ‘ତାରବାର୍ତ୍ତା’ ସୁନନ୍ଦ ନିକଟକୁ ପଠାହୁଏ । ସ୍ଵାର୍ଥପର ସୁନନ୍ଦ ବୋହୂ ଆଣିବାର କୌଣସି ବ୍ୟବସ୍ଥା ନ କରନ୍ତେ, ନିଜେ ମା’ ଆହିନୀ ଶଗଡ଼ ଗାଡ଼ି ଖଣ୍ଡିଏ ଯୋଗାଡ଼ କରି ପଠାଏ ଷ୍ଟେସନକୁ ।

 

ଶାଶୁଘରେ ପହଞ୍ଚୁ ପହଞ୍ଚୁ ଟଗର ଜୀବନର ଦୁଃଖର ଦ୍ଵିତୀୟ ଯବନିକା ପଡ଼େ । ଧରଣୀଘର ତୁଳନାରେ ଟଗରଘର ନୀଚବଂଶୀୟ ବୋଲି ରହା ଅଞ୍ଚଳରେ ଜନରବ ବ୍ୟାପେ । ଲୋକେ ଟଗରକୁ ହୀନଦୃଷ୍ଟିରେ ଦେଖିବାକୁ ଆରମ୍ଭ କରନ୍ତି । ଶେଷରେ ଶାଶୁ ଆହିନୀ ମଧ୍ୟ ହେଲା ନହେଲାରେ ଟଗରକୁ ଲାଞ୍ଛନା, ଗଞ୍ଜଣା ଦେବାକୁ ଆରମ୍ଭ କରେ । ଔପନ୍ୟାସିକ ଡକ୍ଟର ବିରଞ୍ଚି କୁମାର ବରୁଆ ଟଗର ଜୀବନର ଏଇ କରୁଣ ଅଧ୍ୟାୟ ବଡ଼ ମର୍ମାନ୍ତକ ଅଥଚ ବାସ୍ତବ ଭଙ୍ଗିରେ ଚିତ୍ରଣ କରିବାକୁ ସମର୍ଥ ହୋଇଛନ୍ତି । ଦିନ ଗଡ଼ିବା ସଙ୍ଗେ ସଙ୍ଗେ ଟଗର ଉପରେ ଶାଶୁର ଉତ୍‌ପୀଡ଼ନ ବଢ଼ି ଚାଲେ । ଶେଷରେ ଏପରି ହୁଏ ଯେ ଧରଣୀ ମଧ୍ୟ ଟଗରର ପକ୍ଷ ନେଇ ମା’ର ବିରୋଧୀ ହୁଏ; କିନ୍ତୁ ବଚାରୀ ଟଗର ମା-ବସୁଧା ଭଳି ଧୈର୍ଯ୍ୟଶୀଳା ଓ ସହନଶୀଳା—କୌଣସି କଥାରେ ବି ସେ ଶାଶୁଙ୍କୁ ଅସୁଖ ପାଏନା, ବରଂ ମା’ଙ୍କ ପ୍ରତି କଠୋର ହେଉଥିବା ହେତୁ ଧରଣୀ ଉପରେ ରାଗକରେ ।

 

କାଳକ୍ରମେ ଟଗର ଯେତେବେଳେ ଗର୍ଭଧାରଣ କରେ ସେତେବେଳେ ଶାଶୁର ବ୍ୟବହାରରେ ପରିବର୍ତ୍ତନ ଦେଖାଦିଏ । ଶାଶୁ ଟଗରକୁ ସ୍ନେହ କରିବାକୁ ଆରମ୍ଭ କରେ । କମଳୀର ଜନ୍ମ ପରଠାରୁ ନାତୁଣୀକୁ ନେଇ ବ୍ୟସ୍ତ ରହେ ଶାଶୁ । କିଛିଦିନ ପରେ ଟଗର ଶାଶୁଙ୍କୁ ହରାଏ । ପରେ ପରେ ଧରଣୀ ରାଜନୈତିକ ଆନ୍ଦୋଳନରେ ଝାସ ଦେଇ ଟଗର ଏବଂ କମଳୀଙ୍କଠାରୁ ବିଚ୍ଛିନ୍ନ ହୁଏ । ଏହିଠାରେ ଟଗର ଜୀବନର ଦୁଃଖର ତୃତୀୟ ଯବନିକା ପଡ଼େ ।

 

ଶାଶୁ ତଥା ସ୍ଵାମୀହରା ଟଗରକୁ ଆଖି ଲୁହରେ ବାଟ ଦିଶେନା । ପରଘରେ ସୂତା କାଟି, ଲୁଗା ବୁଣି ସେ ଦିନ ବିତାଏ ! ଟଗରର ଅସହାୟ ଅବସ୍ଥାର ସୁଯୋଗ ନେବାକୁ ଖୋଜନ୍ତି ବହୁଲୋକ । ବ୍ୟର୍ଥ ହୋଇ ଟଗର ନାମରେ ରଟାନ୍ତି ନାନା ଗୁଜବ । ଶେଷରେ ଏପରି ହୁଏ ଯେ କମଳୀ ମଧ୍ୟ ସ୍କୁଲରେ ମା ଓ ମା ସହିତ ଜଡ଼ିତ ବୁଣାଳୀ-ସଂଘର ସଭାପତି ଗୋଲାପ ଡାକ୍ତର ନାମରେ ଅପଯଶ ଶୁଣିବାକୁ ପାଏ । ଠିକ୍ ସେହି ସମୟକୁ ରହା ଅଞ୍ଚଳକୁ ବଦଳି ହୋଇ ଆସିଥୁବା ‘ମାଟି-ହାକିମ’ (ସେଟଲ୍‌ମେଣ୍ଟ ଅଫିସର)ଙ୍କ ସ୍ତ୍ରୀକୁ ତନ୍ତବୁଣା ଶିଖାଇଦେବାକୁ ଟଗରକୁ ନିମନ୍ତ୍ରଣ ମିଳେ । ହାକିମଙ୍କ ଘରେ ବସି ହାକିମାଣୀଙ୍କ ସହିତ କଥାବାର୍ତ୍ତା ହେଉଥିବାବେଳେ ଆବିର୍ଭାବ ହୁଏ କମଳାକାନ୍ତର । କମଳାକାନ୍ତକୁ ଦେଖି ମୁଣ୍ଡ ଘୂରିଯାଏ ଟଗରର । ପରେପରେ କମଳାକାନ୍ତଙ୍କ ଘରୁ ଚୋରି ହୁଏ ଏବଂ ପୋଲିସ୍‌ କେତେକ ଘର ସହିତ ଟଗରର ଘର ମଧ୍ୟ ଖାନ୍‌ତଲାସ୍‌ କରନ୍ତି । ଟଗରଘରୁ କମଳାକାନ୍ତର ନାମାଙ୍କିତ ମୁଦିଟି ପାଇ ଟଗର ଉପରେ ପୋଲିସ୍‌ରେ ସନ୍ଦେହ ହୁଏ ଘନୀଭୂତ । ସେହି ମୁଦିର ଚିହ୍ନଟ ସକାଶେ ପୋଲିସ୍‌ କମଳାକାନ୍ତଙ୍କ ନିକଟକୁ ଆସନ୍ତି । ମୁଦିଟି ଦେଖି କମଳାକାନ୍ତର ମନରେ ଉଙ୍କିମାରେ ପୁରୁଣା ସ୍ମୃତି—ତାକୁ ତାର ଚତୁର୍ଦ୍ଦିଗ ଦେଖାଯାଏ ଧୂମାୟିତ ।

 

ଉପନ୍ୟାସଟିର ଘଟଣା ବିନ୍ୟାସ ବେଶ୍‌ ସ୍ଵାଭାବିକ, ସାବଲୀଳ । ଉପସ୍ଥାପନାରେ କେଉଁଠି ହେଲେ ଟିକିଏ ବି କୃତ୍ରିମତା ନାହିଁ । ଲେଖନୀର ଛତ୍ରେ ଛତ୍ରେ ଅସମୀୟ । ସମାଜର ଚିତ୍ର, ଅସମୀୟା ରୂଢ଼ି ପ୍ରୟୋଗର ବ୍ୟଞ୍ଜନା, ସାଧାରଣ ଲୋକର ମୁହଁରେ କଥାକଥାକେ ଉପମା ପ୍ରୟୋଗ ବେଶ୍ ସୁସ୍ପଷ୍ଟ । ସମାଜର ଭଲ ଦିଗଟିକୁ ପ୍ରକାଶ କରିବାରେ ଲେଖକ ଯେପରି ଉତ୍ସାହୀ, ସେପରି ବି ମନ୍ଦ କଥାଗୁଡ଼ିକୁ ପ୍ରକାଶ କରିବାରେ କେଉଁଠି ଦ୍ଵିଧା ବୋଧ କରିନାହାନ୍ତି । ଗ୍ରାମ୍ୟ ଜୀବନର ଲଘୁ କୌତୁକ, ନିନ୍ଦା, ପରିହାସ, କୂଟକପଟତା ପ୍ରଭୃତି ସହିତ ସ୍ଵାମୀହରା ସ୍ତ୍ରୀ ଏବଂ ବିପତ୍ନୀକ ପୁରୁଷକୁ ନେଇ ରଟନା ହୋଇଥିବା କଳଙ୍କର ଚିତ୍ରଣ ବେଶ୍ ପ୍ରାଞ୍ଜଳ ଏବଂ ଯଥାଯଥ ମନେହୁଏ । ଆଭିଜାତ୍ୟର ଗର୍ବରେ ଗର୍ବତା ସୁପ୍ରଭାକୁ ନେଇ ସୁଖରେ ଘରସଂସାର କରିବାକୁ ସ୍ଵପ୍ନ ଭଙ୍ଗର ବେଦନା ଏବଂ ରକ୍ତତା ପାଠକକୁ ସହଜରେ ସମ୍ବେଦନଶୀଳ କରି ତୋଳେ । ବରୁଆଙ୍କର ଶବ୍ଦଚୟନ ମଧ୍ୟ ବଡ଼ ଚମତ୍କାର । ଚରିତ୍ର ଚିତ୍ରଣରେ ଲେଖକ ସିଦ୍ଧହସ୍ତ । ଟଗରର ଚରିତ୍ର ସୁନା ଭଳି ଉଜ୍ଜ୍ୱଳ । ସୁନା ଯେପରି ପୋଡ଼ିଲେ ବି ଉଜ୍ଜ୍ୱଳ ହୁଏ, ସେହିପରି ଜୀବନର ଗତାନୁଗତିକ ଘାତପ୍ରତିଘାତ ଭିତରେ ଟଗରର ଚରିତ୍ର ପୋଡ଼ି ଜଳି ଉଜ୍ଜ୍ୱଳ ଓ ମହିମା ମଣ୍ଡିତ ହୋଇଉଠିଛି । ଟଗର ଅଶେଷ ଯନ୍ତ୍ରଣା ଭୋଗ କରିଛି, କିନ୍ତୁ କେଉଁଠି ହେଲେ ଟଗରର ସାମାନ୍ୟ ମର୍ଯ୍ୟାଦା ହାନି ହୋଇନି । ଟଗର ଅଶେଷ ଦୁଃଖ ଯନ୍ତ୍ରଣା ଭୋଗିଛି, ଅଥଚ କୌଣସି ଦୋଷ ନାହିଁ ଟଗରର । ହଜାର ତାଡ଼ନା ଭିତରେ ଥାଇ ବି ଟଗର ମୁଖରେ ହସ ।

 

ଆଶା କରାଯାଏ ‘ଜୀବନ-ପଥେ’ ଓଡ଼ିଆ ପାଠକଙ୍କର ହୃଦୟକୁ ଜୟ କରିପାରିବ । ଅସମୀୟା ସାମାଜିକ ଜୀବନର ଏକ ବିହଳ ନିଖୁଣ ପ୍ରତିଚ୍ଛବି ସେମାନଙ୍କ ମନରେ ତୋଳି ଧରିବ । ଯଦି କେଉଁଠି ପାଠକର ଅସୁବିଧା ହୁଏ ଅଥବା ସାହିତ୍ୟ ରସ ଗ୍ରହଣରେ ବାଧା ଉପୁଜେ, ସେଥିପାଇଁ ଅନୁବାଦ ସିନା ଦାୟୀ ହେବ, ମୂଳରଚନା କିନ୍ତୁ ନୁହେଁ ।

 

ପୁସ୍ତକଟିର ଅନୁବାଦକ ଅସମୀୟା ଭାଷାରେ ଡିପ୍ଲୋମା କରିଥିବା ଶ୍ରୀ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଏମ୍. ଏ., ଏମ୍. ଇଡ଼ି, ଅଧ୍ୟାପକ, ରାଜ୍ୟ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ଵର, ଯଥାର୍ଥରେ ଜଣେ ଏକନିଷ୍ଠ ସାଧକ । ଅସଂଖ୍ୟ ଘରୁଆ ଶବ୍ଦ, ଢଗଢ଼ମାଳିରେ ପରିପୂର୍ଣ୍ଣ ସୁବୃହତ୍‌ ଏଇ ପୁସ୍ତକଟିର ଅନୁବାଦ ହିଁ ତାର ପ୍ରମାଣ । ପ୍ରକାଶନ ତଥା ପ୍ରଚାରର ନିଶ୍ଚିତତା ନଥିବା ସତ୍ତ୍ୱେ ଶ୍ରୀ ମିଶ୍ର ଏଇ ବୃହତ୍ ମୂଲ୍ୟବାନ୍ ପୁସ୍ତକର ଅନୁବାଦ ଶେଷକରି ସେ ତାଙ୍କର ଅସମୀୟା ଭାଷା ପ୍ରତି ଗଭୀର ଅନୁରାଗ ପ୍ରକାଶ କରିଛନ୍ତି । ସେ ଇତି ମଧ୍ୟରେ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସୟଦ୍ ଅବଦୁଲ ମାଲିକଙ୍କର ଅସମୀୟା ଉପନ୍ୟାସ ‘ଅଘରୀ ଆତ୍ମାର କାହାଣୀ’ର ଓଡ଼ିଆ ଅନୁବାଦ ଶେଷକରି ପ୍ରକାଶକଙ୍କର ଆର୍ଶୀର୍ବାଦକୁ ବାଟ ଚାହିଁ ବସିଛନ୍ତି । ଶ୍ରୀ ମିଶ୍ର ମଧ୍ୟ ଓଡ଼ିଆ ଭାଷାରୁ କେତୋଟି ଗଳ୍ପ ଅସମୀୟା ଭାଷାରେ ଅନୁବାଦ କରିଛନ୍ତି । ତନ୍ମଧ୍ୟରୁ କେତୋଟି ‘ପ୍ରତିନିଧି’ ନାମକ ଏକ ଯନ୍ତ୍ରସ୍ଥ ସଂକଳନରେ ସନ୍ନିବିଷ୍ଟ କରିବାକୁ ପାଇଥିବାରୁ ମୁଁ ଆନନ୍ଦ ଅନୁଭବ କରୁଛି । ପୂର୍ବାଞ୍ଚଳ ଭାଷାକେନ୍ଦ୍ରରୁ ପ୍ରଶିକ୍ଷଣ ପାଇ ଅସମୀୟା ଓ ଓଡ଼ିଆ ଭାଷାର ସାହିତ୍ୟିକ ସମ୍ପଦର ବିନିମୟ ନିମନ୍ତେ ଆପ୍ରାଣ ଚେଷ୍ଟା ଚଳାଇଥବା ଶ୍ରୀ ମିଶ୍ର ନିଃସନ୍ଦେହରେ ସମସ୍ତଙ୍କର ପ୍ରଶଂସାର ପାତ୍ର ହେବେ ।

 

 

ଶ୍ରୀ ଫଣୀନ୍ଦ୍ର ନାରୟଣ ଦତ୍ତବରୁଆ

ତା ୨୫ । ୧୧ । ୭୭

ଅଧ୍ୟାପକ, ଅସମୀୟା ବିଭାଗ,

 

ପୂର୍ବାଞ୍ଚଳ ଭାଷାକେନ୍ଦ୍ର,

 

ଭୁବନେଶ୍ଵର

Image

 

ପାଦଟୀକାରେ ନଥିବା କେତେକ ଅସମୀୟା ଶବ୍ଦର ସ୍ପଷ୍ଟୀକରଣ

 

ଅସମୀୟା ଶବ୍ଦ

ସ୍ପଷ୍ଟୀକରଣ

କାଞ୍ଚୁଲି

‘କାଞ୍ଚଲା’ । ସ୍ତ୍ରୀ ଲୋକମାନଙ୍କର ଅଣ୍ଟାରୁ ମୁଣ୍ଡପର୍ଯ୍ୟନ୍ତ ଆବୃତ କରିପାରୁଥିବା ଚାଦର ବିଶେଷ । (ଓଢ଼ଣୀ) ।

ସରେଇ

ଡେଙ୍ଗା ବଇଠି ଲାଗିଥିବା ଥାଳିଆ ବିଶେଷ । ଏହା ଉପରେ ଗମ୍ବୁଜାକୃତିର ଏକ ଢାଙ୍କୁଣୀ ଥାଏ । ଏହା ପାନ, ଗୁଆ ଏବଂ ଉପହାର ସାମଗ୍ରୀ ଦେବାବେଳେ ବ୍ୟବହୃତ ହୁଏ । ଅସମୀୟା ସଂସ୍କୃତିର ଏକ ସ୍ଵତନ୍ତ୍ର ପ୍ରତୀକ ।

ମେଖଳା

ଅସମୀୟା ସ୍ତ୍ରୀଲୋକଙ୍କ ପୋଷାକର ଏକ ଅଂଶ । ଲୁଙ୍ଗିପରି ଏହାକୁ ପିନ୍ଧାଯାଏ । ଚାଦର ଦ୍ଵାରା ଦେହର ଉପର ଅଂଶ ଆବୃତ କରାଯାଏ ।

ଗରିଆ ଗୋସେଇଁ

ଏଠାରେ ଅପାରଗତା କଥା ବର୍ଣ୍ଣନା କରାଯାଇଛି ।

ଆକ୍ରୋହୀ

ଲୋଭାତୁର ।

ଫୁଲମ୍‌ ଗାମୁଛା

ଫୁଲପକା ଗାମୁଛା । ଏହି ଗାମୁଛା ଅସମୀୟା ସଂସ୍କତିର ଏକ ଚିହ୍ନ । ଝିଅ ବୋହୂମାନେ ନିଜ ହାତରେ ତନ୍ତଦ୍ଵାରା ଏପରି ଗାମୁଛା ବୁଣି ପର୍ବପର୍ବାଣୀରେ ବନ୍ଧୁ ବାନ୍ଧବ ତଥା ପ୍ରେମିକଙ୍କୁ ଉପହାର ଦିଅନ୍ତି ।

ଖୁଡ଼ିଆ

ଏକ କର୍ଣ୍ଣ ଅଳଙ୍କାର ।

ବରିଆ

ହାରର ଏକ ପ୍ରକାର ପଦକ ।

ପୋଷାକ କେଇ ସାଜ

କେତେ ସାଜ (ହଳ) ପୋଷାକ ।

ଡେରାଜ୍‌

ଡ୍ରୟାର୍‌ (Drawer)

ଅସିଲ ମେଖଳା

ସିଲେଇ ହୋଇନଥିବା ମେଖଳା ।

ବର୍‌ଗୀତ

ଶଙ୍କରଦେବ ଓ ମାଧବଦେବଙ୍କ ରଚିତ ଭଜନାବଳୀ ।

ଉଜାଣୀ

ବ୍ରହ୍ମପୁତ୍ର ନଈର ଉପର ଅଞ୍ଚଳ । (UpperAssam)

ଢାକୱାଲା

ଢାକାର ଲୋକ (ବ୍ୟବସାୟୀ) ।

ଶିଲଟିଆ

ଶିଲହଟରୁ ଆସିଥିବା ବ୍ୟବସାୟୀ ।

(ବଡ଼) ମେଧି

ମଠ ପରିଚାଳକ ।

ଲେଖାଲେଖ

(ଆଲେଖ୍‌ ଲେଖ୍‌) ଗତିବିଧି ।

ବୁଢ଼ା ତାମେଳ୍‌

ପାଚିଲା ଗୁଆଗୁଡ଼ିକୁ ମାଟିତଳେ ୨।୩ ମାସ ପୋତି ରଖନ୍ତି, ଠିକ୍‌ ଧାନ ଖଣି ପକାଇଲା ପରି । ସେଇ ଗୁଆକୁ କାଢ଼ି ଖାଆନ୍ତି ।

ପୁଡ଼ାଏ ଧାନ

ପ୍ରାୟ ଅଧମହଣେ ଓଜନର ଧାନ ।

ଧମଣୀ

ରକ୍ଷିତା ସ୍ତ୍ରୀ ।

ବିହୁନାମ

ବହୁପର୍ବ ଉପଲକ୍ଷେ ବୋଲାଯାଉଥିବା ଗୀତ ।

ଆୟତୀ

ସଧବା-ରମଣୀ ।

ମାନଧରା ବଟା

‘ଗୁରୁ’, ଗୁରୁଜନ ଅଥବା ସମ୍ମାନୀୟ ଅତିଥିଙ୍କୁ ଯେଉଁ ବଟା (ଢାଙ୍କୁଣୀ ନଥାଇ ସରାଇ) ରେ ପାନ, ଗୁଆ, ଫୁଲାମ ଗାମୁଛା ଆଦି ଅର୍ପଣ କରାଯାଏ ।

ଗୋଆଁର ଗୋବିନ୍ଦ

ଅବାଧ୍ୟ ।

ବାତି

ଲୁଗା ବୁଣିବା ପାଇଁ ତନ୍ତରେ ସେଟ୍‌ କରିବା ପୂର୍ବରୁ ସୂତାଗୁଚ୍ଛର ବିସ୍ତରଣ । ଝିଅ ଧରିବା ।

କରଦୈ

କରମଙ୍ଗା ।

ଚାରିଛତ୍ର

ଆଉନିଆଟି, କମଳାବାଡ଼ି ଆଦି ଚାରି ମଠ ।

ପ୍ରମାଣୀ ଔଷଧ

ପେଟେଣ୍ଟ ମେଡିସିନ୍ ।

ଭେଦାଇଲତା

ପସାରୁଣୀ ଜାତୀୟ ଲତା

କେରେଲା

କଲରା

କୋରଲା ଲତା

ଲୁଣି ଶାଗ । ଖଟାଲାଗେ ।

ଶାଳିକା

ଶାରୀ ।

ବତିଗଛେ

କେରାଏ ସଳିତା ।

Image

 

ଏକ

 

ଆହୋମ ରାଜାଙ୍କ ଅମଳର ଏକ ପ୍ରସିଦ୍ଧ ଅଞ୍ଚଳ, ମରଙ୍ଗି । ନାଗା, କଛାରୀମାନଙ୍କ ଉତ୍ପାତରୁ ଆହୋମ ରାଜ୍ୟକୁ ରକ୍ଷା କରିବା ସକାଶେ ସୁହୁଂମୁଂ ରାଜାଙ୍କ ସମୟରେ ମରଙ୍ଗିଠାରେ ଗଡ଼ଖାଇ ନିର୍ମାଣ କରଯାଇଥିଲା । ସୈନ୍ୟ-ସାମନ୍ତ, ବିଷୟାଧିକାରୀମାନଙ୍କ ଆଡ୍‌ଡ଼ାର ହୋ-ହଲ୍ଲା ଧ୍ୱନିରେ ମରଙ୍ଗିର ଆକାଶ ଦିନେ ଫାଟିପଡ଼ୁଥିଲା । କିନ୍ତୁ ‘‘କି ଥିଲା ଏ ରାଜ୍ୟ, କି ହୋଇଛି ଆଜି !’’ ମରଙ୍ଗିରେ ଆଜି କେବଳ ଠାଏ ଠାଏ ଛିଟିକିପଡ଼ି ରହିଯାଇଛି ହଂସ ଅଣ୍ଡାର କେଶରରେ ଯୋଡ଼ା ଚେପ୍‌ଟା ଚେପ୍‍ଟା ଓସାରିଆ ଇଟା ଆଉ କାରୁକାର୍ଯ୍ୟ ଖଚିତ ପଥରର କେଇଖଣ୍ଡ ବିଚିତ୍ର ଦୁଆରବନ୍ଧ । ‘ଶୋକତଳି’, ‘ଜୋକତଳି’ ମୌଜାରେ ରହିଯାଇଛନ୍ତି ଘରେ ଦୁଇଘର ଲୁପ୍ତପ୍ରାୟ ଗୋହାଁଇ ବଂଶଧର । ମରଙ୍ଗି ମୌଜାର ମରଙ୍ଗି ଗାଁ ଥିଲା ସେଇ ଦିନର ଗୋହାଁଇଫୁକନ୍‌, ବରାବରୁଆ, ଶୈକୀହାଜାରିକା ମାନଙ୍କର ବିଳାସବାସର । ଅତୀତ ଆଭିଜାତ୍ୟର ପରିଚୟ ପ୍ରଦାନ ସକାଶେ ଏବେ ବି ଜଣେ ଦୁଇଜଣ ପୁରୁଣାକାଳିଆ ମଣିଷ ମରଙ୍ଗିରେ ଅଛନ୍ତି । ଆହୋମର ଶେଷ ରାଜା ପୁରନ୍ଦର ସିଂହଙ୍କ ସମୟରେ ମରଙ୍ଗିର ଶୈକୀୟାବଂଶର ପୂର୍ବପୁରୁଷ ଘିଣଇ ଶୈକୀୟା ହିଁ ଏଇ ଅଞ୍ଚଳରୁ ରାଜସ୍ଵ ଆଦାୟ କରିବା ନିମନ୍ତେ ଅଦେଶନାମା ପାଇଥିଲେ । ସେଇ ସୂତ୍ରରେ ବ୍ରିଟିଶ୍‌ ଅମଳରେ ମରଙ୍ଗି ମୌଜାର ଭୋଗଦଖଲ କରିବା ପାଇଁ ସୌଭାଗ୍ୟ ଘଟିଥିଲା ଶୈକୀୟାବଂଶର ।

 

ମରଙ୍ଗିର ପଧାନ ଶୈକୀୟାବଂଶ ସମଗ୍ର ଗୋଲାଘାଟ ମହକୁମାର ପ୍ରସିଦ୍ଧ ପଧାନଙ୍କ ଅନୁଗ୍ରହ ଲାଭ କରିନଥିବା ଜଣେ ହେଲେ ମଣିଷ ସେଇ ଅଞ୍ଚଳରେ ପ୍ରାୟ ବାହାରିବେ ନାହିଁ । ଖଜଣା ଆଦାୟ ସାଙ୍ଗକୁ ରୟତ ଉପରେ ମିଛରେ ଜୋରଜୁଲୁମ୍‌ କରିବା, ଖଜଣା ଆଦାୟ କରି ଅସୁଲ ନ ପକାଇ ବାକୀ ଜାରି କରିବା ପ୍ରଭୃତି ପ୍ରଜା-ଶୋଷକ ନୀତିନିୟମ ସହିତ ଶୈକୀୟା ଘରର ପରିଚୟ ନାହିଁ । ବିହୁ-ସଂକ୍ରାନ୍ତି, ଦୋଳଉତ୍ସବ, ପର୍ବ ପର୍ବାଣୀଗୁଡ଼ିକ ପଧାନଙ୍କ ଘରେ ସଦାସର୍ବଦା ସର୍ବସାଧାରଣଭାବରେ ପାଳିତ ହୋଇଥାଏ । ଗାଁର ଛୋଟବଡ଼, ଧନୀଦରିଦ୍ର ସବୁ ପ୍ରଜାଙ୍କର ସେଠି ସମାନ ଭାଗ ।

 

୧.

ଆହୋମ—ଆସାମର ପ୍ରଥମ ରାଜବଂଶ, ଆହମଜାତି । କାଳକ୍ରମେ ‘ଆହୋମ’ ରୂପେ ପରିଚିତ ।

 

 

୨.

କଛାରୀ—କଛାର ଏବଂ ଜୟନ୍ତାରୁ ଆସି ଆସାମରେ ବସବାସ କରୁଥିବା ଆଦିବାସୀ ।

 

 

୩.

ବିହୁ—ଆସାମର ଜାତୀୟ ପର୍ବ । ଚୈତ୍ର, ଆଶ୍ଵିନ ଏବଂ ପୌଷର ଶେଷଦିନ ଗୁଡ଼ିକ ଅର୍ଥାତ୍ ଏଇ ସଂକ୍ରାନ୍ତି ଦିନଗୁଡ଼ିକରେ ଯେଉଁ ପର୍ବ ପାଳନ କରନ୍ତି ତାକୁ ବିହୁପର୍ବ କହନ୍ତି । ବର୍ଷର ତିନୋଟିଯାକ ବିହୁପର୍ବ ଆସାମର ଘରେ ଘରେ ବଡ଼ ସମାରୋହରେ ପାଳିତ ହୁଏ ।

 

ବର୍ତ୍ତମାନର ପଧାନ, ଭୋଗଦତ୍ତ ମଧ୍ୟ ପୂର୍ବପୁରୁଷଙ୍କ ପନ୍ଥାନୁସରଣ କରନ୍ତି । ଭୋଗଦତ୍ତ ଜନପ୍ରିୟ, ସରଳ ହୃଦୟ—ଦେଶର ଦଶଜଣଙ୍କ ସଙ୍ଗେ ଜଣେ ହୋଇ ଚଳିବା ମଣିଷ । ତାଙ୍କର ବଡ଼ଝିଅ ଜେମାଦେଈର ବାହାଘର ଆଉ ମାତ୍ର ସାତଦିନ ବାକୀ । ଆଜିଠାରୁ ପଧାନଘର ଝଞ୍ଜା ହୁଲସ୍ତୁଲ । ସାମନା, ଭିତର ଉଭୟ ଅଗଣାରେ ଛାମୁଣ୍ଡିଆ ବାନ୍ଧିବାରେ ଲୋକେ ଲାଗିପଡ଼ିଛନ୍ତି । ଯୋଗାଣିଆମାନେ ଜିନିଷପାତି ଯୋଗାଉଛନ୍ତି । ଭଣ୍ଡାରଘରିଆ ଭଣ୍ଡାର ସାଇତି ରଖୁଛି । କଦଳୀପତ୍ର ଯୋଗାଇବା, ପତରଠୋଲା ସିଇଁବାଠାରୁ ଆରମ୍ଭ କରି ଦହି, କୋମଳ-ଚାଉଳ1 ସଂଗ୍ରହ ପର୍ଯ୍ୟନ୍ତ ସବୁ କାମ ଗାଁ ଭାଇମାନେ ନିଜ ନିଜ ଭିତରେ ବାଣ୍ଟି କୁଣ୍ଟି ନେଇଛନ୍ତି ।

 

ଗାଁରେ ବାହାଘର କହିଲେ ଏକ ସର୍ବସାଧାରଣ ଉତ୍ସବ । ସେଥିରେ ପୁଣି ପଧାନଙ୍କ ଘରେ ବହୁଦିନ ପରେ ଏଇ ବାହାଘରଟି । ଗାଁର ପୁଅ, ଝିଅ ବୋହୂ-ଭୁଆସୁଣୀମାନଙ୍କ ରଙ୍ଗରହସ୍ୟ ତଥା ଆନନ୍ଦର ସୀମା ପାର ହୋଇଯାଇଛି । ମଙ୍ଗନଦିନ ରାତିଠାରୁ ବାହାଘର ଦିନ ଯାଏଁ କି କି ନାଟକ ଅଭିନୟ କରିବେ, କିଶୋର ଗହଣରେ ମସୁଧା ଚାଲିଛି । ସେମାନଙ୍କର ଇଚ୍ଛା ‘ଅଭିମନ୍ୟୁବଧ’ ନାଇଁ ତ ‘ରାବଣବଧ’ ଅଭିନୟ କରିବେ । ଗଦା ଧନୁରେ ଯୁଦ୍ଧ ଲଢ଼େଇ କରିବା ପାଇଁ ଏଇ ଦୁଇଟି ନାଟକରେ ? ସୁବିଧା ଅଛି । ମାତ୍ର ବୟସ୍କମାନଙ୍କର ଘୋର ଆପତ୍ତି । ବିବାହର ଆନନ୍ଦ ଉତ୍ସବ ଉପଲକ୍ଷ୍ୟେ ଯୁଦ୍ଧ ଲଢ଼େଇ ହାଣ-ମାର-କାଟର ଅଭିନୟ ପୁଣି କରନ୍ତି ନା ? ‘ସୀତାସ୍ଵୟମ୍ବର’ ନତୁବା ‘ରୁକ୍ମିଣୀହରଣ’ ନାଟକ ହିଁ ଅଭିନୟ କରିବା ବିଧେୟ । ଏଇ ଦୁଇଟି ନାଟକର ପାର୍ଟଗୁଡ଼ିକ ଲେଖିବା ସକାଶେ ମଦନ ବାୟନର ପୁଅ ଉପରେ ଭାର ଦିଆଯାଇଛି । ଗଦା ବାପୁର ସାନପୁଅକୁ ନେଇ ବାୟୁନ ଦି’ପହରେ ଭାଗବତଘରେ କୃଷ୍ଣନାଚର ଆଖଡ଼ା ଆରମ୍ଭ କରିଦେଲାଣି ।

 

ଗୁଆ, ପାନ ଓ ଗୁଆ-କଟୁରିଟି ଧରି, ବଡ଼ ଖଞ୍ଜାର ଗୋଟିଏ କୋଠରିରେ ଜେମାଦେଈର ସାଙ୍ଗସରିସା ଝିଅ କେତେଜଣ, ଠୁଳ ହୋଇଛନ୍ତି ।

 

୧.

କୋମଳ-ଚାଉଳ—ଅସାମରେ ଏକପ୍ରକାର ଚାଉଳ ମିଳେ, ତାକୁ ଗରମ ପାଣିରେ ବତୁରେଇ ଦେଲେ ତାହା ଭାତ ଭଳି ଫୁଲିଯାଏ । ତାହା ଜଳଖିଆରୂପେ ଖିଆଯାଏ ।

 

 

୨.

ଗୁଆ-କଟୁରି—ଆସାମର ସର୍ବତ୍ର କଞ୍ଚାଗୁଆ ଖାଇବାର ପ୍ରଚଳନ ଅଛି । ଗଛରୁ ଗୁଆ ତୋଳି ତାର ଚୋପା ଛଡ଼ାଇବା ଏବଂ କାଟିବା ପାଇଁ ଏକପ୍ରକାର କଟୁରି ବ୍ୟବହାର କରିନ୍ତି । ଭାରତର ଅନ୍ୟାନ୍ୟ ପ୍ରଦେଶରେ ଶୁଖିଲା ଗୁଆକୁ କାଟିବା ପାଇଁ ଗୁଆକାତି ବା ଖିଲିକାତିର ବ୍ୟବହାର ହୁଏ । ମାତ୍ର ଆସାମରେ ତାହା ନ ଥିବାରୁ ଅନୁବାଦର ‘ଗୁଆକଟୁରି’ ବୋଲି ଲେଖାହୋଇଛି ।

 

ସେମାନଙ୍କର ହସକଉତୁକ, ଗୀତଗଳ୍ପ କୋଠରିଟିକୁ ମୁଖରିତ ତଥା ସଜୀବ କରିତୋଳିଛି । ସତେ କି ସୃଷ୍ଟିର ସମସ୍ତ ଆନନ୍ଦ, ସମସ୍ତ ହସ ଏଇ ନବୋଢ଼ାଙ୍କ ଗହଣରେ ଠୁଳିଭୂତ-। ପଧାନଙ୍କ ପଡ଼ୋଶୀ ବାପୁରାମ ବରାଙ୍କ ଝିଅ, ‘ଟଗର’, ଖଡ଼ିକାରେ ପାନପତ୍ର ଗୁନ୍ଥି ଗୁନ୍ଥି ଗୁଣୁ ଗୁଣୁ ହୋଇ ଗାଉଛି—

 

‘‘ପରମ ପୁରୁଷ ପ୍ରିୟ ଅଟନ୍ତି ମୁରାରି

ଜନମ ସଫଳ ସଖୀ ହବ ଗୋ ଆମରି

ନାହାଁନ୍ତି ତ ମୋହ ସମ ସୌଭାଗିନୀ ନାରୀ....’’

 

ଟଗରର ଗୀତ ଅଧାଅଧି ହୋଇଛି କି ନାହିଁ ବାକୀ କେତେଜଣଙ୍କ ଆଡ଼େ ଚାହିଁ ନୁମୁଳୀ ହସି ହସି କହିଲା—“ଶୁଣୁଚଟି, ଜେମାର ତ ବାହାଘର—ସେଥିରେ ଟଗର କେମିତି ସୌଭାଗିନୀ ହେଲା ମ ?’’

 

ସମସ୍ତେ ଖିଲିଖିଲି ହସରେ ନୁମୁଳୀର କଥାକୁ ସମର୍ଥନ କଲେ । ଜେମା ଆସ୍ତେକିନା କହିଲା—“ତୋ ବା’ଘର କେବେ ହବ, ସେନେଇ ଟଗର ପରା ଅଙ୍ଗୁଳି ପବରେ ଦିନ ଗଣୁଚି ।”

 

ଟଗର ତରତରରେ କହି ପକେଇଲା—“ହଉ, ମୁଁ ସିନା ଦିନ ଗୁଣୁଚି, ତୋ’ର କେମିତି ଅବସ୍ଥା ହେଲାଣି କି ? ଘନ ଘନ ମୂର୍ଚ୍ଛା ଯାଆନ୍ତି ସୁନ୍ଦରୀ, ଘନ ଘନ ଶ୍ଵାସ, ନୟନୁ ଝରେ ବାରି....-।’’ ଆଉ କହିପାରିଲା ନାହିଁ । ଜେମା ବସିବାଠାରୁ ଉଠିଆସି ଟଗର ମୁଣ୍ଡରେ ବିଧାଏ କଷିଦେଲା-। ଗୁଆ କଟୁରିକୁ ତଳେ ପକାଇ ସମସ୍ତେ ହସି ହସି ଚଡ଼ିଗଲେ । ହସର ଏଇ କଳରୋଳ ମରିନଯାଉଣୁ ରଙ୍ଗିଲୀ ବାଈ ସେଇ କୋଠରିକୁ ପଶି ଆସିଲା ।

 

—“ଆଲୋ, ତମେମାନେ ତ ବେଶ୍‌ ହସିପାର ! ତମେ ସବୁ ଏକଜୁଟ ହେଲେ ବା’ଘରେ ଆଉ ଢୋଲ-ନାଗରା ବଜାଇବା କି ଗରଜ ?”

 

ମୁକୁଳା ଖୋସାକୁ ବାନ୍ଧି, ଛାତିର କାଞ୍ଚୁଲିଖଣ୍ଡକ ଟାଣି, ମୁହଁରେ ମୁହେଁ ହସ ଭରି ଫୁଲେଶ୍ୱରୀ କହିଲା—‘‘ଆମକୁ ତୁ ଦେଖିପାରୁନୁ କାହିଁକି ମ ବାଈ ? ଝିଅ ହୋଇ ରହିବା ଦିନ କେଇଟା ପାଇଁ ସିନା ଆମ ମୁହଁରେ ହସ ! ଜେମାକୁ ଦେଖୁଛୁନା, କେମିତି ବା’ଘର ଯୋଗାଡ଼ ଦିନରୁ କାନ୍ଦିକାଟି କି ହୀନସ୍ତା !”

 

ମୁଣ୍ଡକୁ ହଲେଇ ରଙ୍ଗିଲୀ ବାଈ ପଚାରିଲା—‘‘କାହିଁକି ବା, କାନ୍ଦିବାକୁ ତା’ର କଣଟାଏ ହେଉଚି କି ?’’

 

ଜେମା ଆଡ଼କୁ ବାଙ୍କଚାହାଣି ହାଣି, ଦୁଷ୍ଟାମୀ ହସ ହସି ଫୁଲେଶ୍ଵରୀ କହିଲା—‘‘ଜେମା ଏଇ ଘରୁ ଯିବ ନାହିଁ କହୁଛି । ଘର ସଂସାରରେ ପଶିବାକୁ ମୋଟେ ତା’ର ମନ ନାହିଁ ।’’

 

କଥା ଶୁଣି ରଙ୍ଗଲୀ ବାଈ ମୁହଁ, ଆଖି ଭ୍ରୂକୁଟି କରି ଚାହିଁଲା । ବୁଢ଼ୀର ମୁହଁର କୁଞ୍ଚିତ ରେଖା ମଧ୍ୟରୁ ବେଶ୍ ଉକୁଟି ଉଠୁଥିଲା ବିଦ୍ରୂପ ଆଉ ଘୃଣାର ଭାବ । ମୁହଁଝଣ୍ଡିକୁ ତିନି ନାଚ ନଚେଇ ରଙ୍ଗିଲୀ ବାଈ କହିଲା—‘‘ରଖ ରଖ ବା ତମ ଧାଙ୍ଗୁଡ଼ି ଝିଅଙ୍କ ବାପ-ମା-ସୁଆଗକୁ ! ତମେ ସବୁ ‘ବିଶ୍ରାମ-କରା-ମହୁମାଛି’ । ବାହା ବାସିଦିନ ଘରୁ ବିଦା ହେଲାବେଳେ ନଖରେ ମାଟି ଖୋଳି, ଦୁଆରବନ୍ଧ ଜାବୁଡ଼ି ଧରି କାନ୍ଦୁଥିବ—ପେଲିଲେ ବି ଗେରସ୍ତଘରକୁ ଗୋଡ଼ ଚଳୁନଥିବ—ତଡ଼ିଦେଉଚନ୍ତି ବୋଲି ମନେ ମନେ ବାପ-ମା’ଙ୍କୁ ଗାଳିଦେଉଥିବ । ଯେମିତି ଗେରସ୍ତଘରେ ପାଦ ଦେବ, ଆଉ ବାପ ନା ମା ।’’

 

କଥାରେ ନୁହେଁ, ରଙ୍ଗିଲୀ ବାଈର କଥାକୁହା ମୁହଁର ବିକୃତଭଙ୍ଗୀ ଯୋଗୁଁ ସମସ୍ତେ ହେଁ-ହେଁ କରି ହସିଉଠିଲେ । ବାଈକୁ ରଗେଇ ତାମସା ଦେଖିବା ନ୍ୟାୟରେ ନୁମୁଳୀ କହିଲା—“ବାଈ ମ, ଆମ ଟଗର ଖାଲି ବା’ହବ ବା’ହବ ଲଗେଇଚି ।’’

 

—‘‘ଇ-ହି ହି, ଖାଲି ବା’ହବ କହି ଦଉ ଦଉ ଚଅଟକିନି ବରଟାଏ ମିଳିଯିବ ! ମା’ ବାପେ ଖୋଜି ନପାରନ୍ତି ବର, ମୁଁ ଏବେ ଆଣିବି କୋଉଠୁ ରାଜଯୋଡ଼ !’’

 

—“କାହିଁକି ବାଈ, ଜେମାର ଭାଇଙ୍କ ସାଥୀରେ ତାଙ୍କର କଲେଜ ସାଙ୍ଗ ଆସିବାର ନାହିଁ ନା ? ଆମେ ତାଙ୍କ ସହିତ ଏକା ବେଦୀରେ..... “କଥା ଶେଷ ନହଉଣୁ ଟଗର ନୁମୁଳୀର ବାଳଗୋଛାକ ଧରି ଟଣାଓଟରା କଲା ।

 

‘‘ପୋଡ଼ା ଅଙ୍ଗାର ମୁହଁକୁ ଦୁଧରେ ଧୋଏ,

ହାଡ଼ଭଙ୍ଗା ବିରାଡ଼ିକୁ ମଣି ମୁକୁଟ ଶୋହେ,

ବୋଲେ ମା’ଲୋ ! ଚାନ୍ଦକୁ ନକାଢ଼ ପାଦ

ଗୋଡ଼ ତ ଭାଙ୍ଗିବ, ଆଉ ନମିଳିବ ଚାନ୍ଦ ।’’

 

ରଙ୍ଗିଲୀ ବାଈର ଥଟ୍ଟା ଶୁଣି ଲାଜରେ ଲାଲ୍ ପଡ଼ି ଟଗର କାନ୍ଦୁଣୁ-ମାନ୍ଦୁଣୁ ହେଲା । କଥାର ସୁଅ କୋଉ ଆଡ଼କୁ ଗତି ଦେଖି ଫୁଲେଶ୍ୱରୀ କହିଲା—‘‘ବାଈ ! ନିମତ ଦବାକୁ ତୁ ଅଇଛିକା ଯିବୁ ନା ?’’

 

ପାଛିଆରୁ ଗୁଆଟାଏ ଆଣି ଚୋପା ଛଡ଼େଇ ହାତ ମୁଣ୍ଡ ହଲେଇ ବାଈ ଉତ୍ତର ଦେଲା–‘‘ହଁ, ଅଇଛିକା ଯିବି ତ ! ଆଜିରୁ ନ ଡାକିଲେ ବାହା ଦିନକୁ ବି ଡକା ଶେଷ ହେଇନଥିବ-। ଦେଖୁଛ ତ ଜ୍ଞାତକୁଟୁମ୍ବରେ ଗାଁ ଗୋଟାକ ଭର୍ତ୍ତି ।’’

 

—‘‘ତାହେଲେ ବାଈ, ଯେତିକି କଟା ହେଇଚି ଅଇଛିକା ତାକୁଇ ନେଇ ଯାଆ । ଆମେସବୁ ଦି’ପହରେ ଖିଆପିଆ ସାରି ବାକି ସବୁ କାଟି ଥୋଇଦବୁ ।’’

 

ଅଗମୂଳ କଟା ଗୁଆ-ପାନ ଆଡ଼କୁ ଚାହିଁ ରଙ୍ଗିଲୀ ବାଈ କହିଲା—‘‘ଏଇ କେଇଟା ନେଲେ କେତେଘର ଡାକିବାକୁ କୁଳେଇବ ଲୋ ? ମାଈ, ଅଣ୍ଡିରା ଦି’ ଭାଗ କରି ଡାକିବାକୁ ପଡ଼ିବଟି ? ମା’ଲୋ, ହାଜରିକାର ଝିଅ ବାଘରକୁ ଏଇ କଥା ନେଇ କେତେ ହୁଲ୍‍ସ୍ତୁଲ ନହେଲା ?’’

 

ଗୁଆ ଖାଇବାକୁ ପାନବିଡ଼ାଏ ଆଣିବା ପାଇଁ ପାଛିଆରେ ହାତ ଦେଇ ରଙ୍ଗିଲୀ ବାଈ ଖଡ଼ିକାଗୁନ୍ଥା ପାନକୁ ଦେଖି ଆଶ୍ଚର୍ଯ୍ୟ ହୋଇ ପାଟିକଲା—‘‘ଆଁ, ଅନା ଲୋ ଅନା, ଚାରିପତ୍ରିଆ ପାନ କିଏ ତମକୁ ଗୁନ୍ଥିବାକୁ କହିଲା ? କି ସତ୍ୟାନାଶୀଗୁଡ଼ାକ ଲୋ ତମେସବୁ ! ଯୋଡ଼ କରି କିଏ ପାନ ଦିଏ ? ହବ ତ ପାଞ୍ଚପତ୍ର, ନହବ ତ ତିନିପତ୍ର କରି ଗୁନ୍ଥ ।’’

 

ଝିଅପଞ୍ଝାକ ଇଏ ତା ଆଡ଼କୁ ସିଏ ୟା ଆଡ଼କୁ ଅନାଅନି ହେଇ, ପାଛିଆର ଗୁନ୍ଥା ପାନପତ୍ରଯାକ ତଳେ ଅଜାଡ଼ି ପକାଇ ତିନିପତ୍ରିଆ କରି ଗୁନ୍ଥିବାକୁ ଲାଗିଲେ ।

 

—‘‘ଲୋ ଟଗର ! ଗଲୁ ମାଉସୀଠୁ ସରେଇ ଢାକୁଣୀଟା ମାଗିଆଣିବୁ । ମୁଁ ବି ଯାଏଁ କାଳିଆକୁ ଡାକେ, ଭାର ନବ ।’’ ପାଟିରେ ପାଟିଏ ଗୁଆ ଜାକି ରଙ୍ଗିଲୀ ବାଈ ବାହାରିଗଲା ।

 

ଦୁଇ

 

ପଧାନଙ୍କ ବଡ଼ପୁଅ କୃଷ୍ଣଦତ୍ତ ଗୌହାଟୀ କଲେଜରେ ବି. ଏ. ପଢ଼େ । କୃଷ୍ଣର ଅନ୍ତରଙ୍ଗ ବନ୍ଧୁ କମଳାକାନ୍ତ । ଉଭୟେ ଚତୁର୍ଥ-ବାର୍ଷିକ ଛାତ୍ର । ଏକା ହଷ୍ଟେଲରେ ଗୋଟିଏ କୋଠରିରେ ଦୁହେଁ ରହନ୍ତି । ଫଳରେ ବନ୍ଧୁତା ବି ପ୍ରଗାଢ଼ । କୃଷ୍ଣର ଭଉଣୀ ବାହାଘରେ ଯୋଗଦେବାକୁ କମଳାକାନ୍ତ ବି ବାହାରିଲା । ପରୀକ୍ଷା ଏବଂ ବହିପତ୍ର ଭିତରେ ପଡ଼ି ପଡ଼ି କଲେଜ-ଜୀବନଟା ମଝିରେ ମଝିରେ ଦୁର୍ବିସହ ହୋଇଉଠେ । ନିଃଶ୍ଵାସ ନେବା ପାଇଁ, ମାଛ ପାଣି ଭିତରରୁ ନାକ ବାହାର କଲା ପରି, ମୁକ୍ତବାୟୁ ସେବନାର୍ଥେ କଲେଜଛାତ୍ରଙ୍କ ବନ୍ଧୁ ଗୃହ ଆଗମନ ।

 

ଗୌହାଟୀ ଆଡ଼ୁ ଯେଉଁ ଟ୍ରେନ୍‌ଟି ଆଜି ରାତି ଫର୍କାଟିଂ ଷ୍ଟେସନରେ ପହଞ୍ଚିବ, ସେଇଥିରେ ଦୁଇବନ୍ଧୁ ଆସିବାର କଥା ଅଛି । ସେମାନଙ୍କୁ ଆଣିବା ପାଇଁ ପଧାନେ ଯଥା ସମୟରେ ଶଗଡ଼ଗାଡ଼ି ପଠାଇଲେ । ପଧାନିଆଣୀ ସେ ଦୁଇଜଣଙ୍କ ରାତିଖିଆ ସକାଶେ ଜଳଖିଆପାତି ପଠାଇଲେ ।

 

ଫର୍କାଟିଂ ଷ୍ଟେସନରେ ଓହ୍ଲାଇ ଦୁଇବନ୍ଧୁ ଘରୁ ଆସିଥିବା ଜଳଖିଆତକ ସଦ୍‌ବ୍ୟବହାର ପୂର୍ବକ ଶଗଡ଼ଗାଡ଼ିରେ ବିଛଣା ବିଛେଇ ଲମ୍ବ ଲମ୍ବ ହେଇ ପଡ଼ିଗଲେ । ମାଘ ମାସ ଜାଡ଼ରେ ଦଣ୍ଡା ଉପରେ ପଡ଼ିଥିବା ପାଳ ଉପରେ ବିଛଣା ବିଛେଇ, ଗୋଡ଼ରୁ ମୁଣ୍ଡଯାଏଁ ରେଜେଇ କମ୍ବଳ ଘୋଡ଼େଇ ହୋଇ ଶୋଇବାକୁ ବେଶ୍‌ ଆରାମ । ଯୋଚିବାମାତ୍ରେ, ମଣିପୁରୀ-ଘରମୁହାଁ-ବଳଦ ଯୋଡ଼ି ବେଗି ବେଗି ଗାଡ଼ି ଟାଣିଲେ । ଗାଡ଼ିଟିର ସମ୍ପୂର୍ଣ୍ଣ ଭାର ବାଟଚିହ୍ନା-ବଳଦଙ୍କ ଉପରେ ଛାଡ଼ିଦେଇ ଶଗଡ଼ିଆ ମଧ୍ୟ ଆଡ଼୍‌ଡ଼ାରେ ଶୋଇବାକୁ ଲାଗିଲା । ମଝିରେ ମଝିରେ ସେଇ ନିଦରେ ଥାଇ ବି ଅଭ୍ୟାସବଶତଃ ଅନୁଶାସନୀୟ ଶବ୍ଦ କରି ଚାଳକର ଦୃଷ୍ଟି ଯେ ଅଜ୍ଞ ବଳଦଙ୍କ ଉପରେ ଅଛି, ତାର ପ୍ରମାଣ ଦେଉଥିଲା ।

 

ରାତି ପ୍ରାୟ ପାହିବ ପାହିବ । ଦୁଇବନ୍ଧୁ, ‘ଇସ୍’ ‘ଆସ’ କରି ଉଠିଲେ । ଗାଁବାଟ ପଡ଼ିଲେ ଗାଡ଼ିରୁ ଓହ୍ଲେଇ ଚାଲି ଚାଲି ଯିବେ ବୋଲି ଠିକ୍ କଲେ । କୃଷ୍ଣଦତ୍ତ ରେଜେଇ ଭିତରୁ ମୁଣ୍ଡ କାଢ଼ି ଗାଡ଼ିର ସାମନା ପରଦାଟିକୁ ଅଲଗା କରି ବାହାରକୁ ଉହୁଁକି ଚାହିଁଲା । ମେଘରଙ୍ଗର କୁହୁଡ଼ି ଚାରିଆଡ଼ ଢାଙ୍କି ରଖିଛି । ଗଛପତ୍ର, ବଣଜଙ୍ଗଲ, ଜମିବାଡ଼ି ସବୁ ଏକାକାର । ହାତରେ ହଲେଇ ଦିଆହେଲାଣି ପଛକେ, ଶଗଡ଼ିଆର ନିଦ ଭାଙ୍ଗୁ ନାହିଁ । କୃଷ୍ଣଦତ୍ତ ପୁଣି ଉଷୁମ ଟାଣିବାକୁ ରେଜେଇ ଭିତରେ ମୁଣ୍ଡ ଭରିଲା ।

 

ଉଲଗ୍ନ ପିପ୍‌ପଳ ଗଛ ଉପରେ କାଉଟିଏ କୋଳାହଳ ସୃଷ୍ଟି କରୁଛି । ବାଟକଡ଼ର ବରକୋଳି ଗଛଗୁଡ଼ିକରେ ଚଢ଼େଇ ଚିରୁଗୁଣୀମାନେ ଚିଁ-ଚିଁ, କିଚିରି ମିଚିରି କରୁଛନ୍ତି । କମଳାକାନ୍ତ ମୁଣ୍ଡ କାଢ଼ି ଚାହିଁଲା । ଧୂଆଁ ଭଳି ଘେରିଥିବା କୁହୁଡ଼ି କ୍ରମେ କ୍ରମେ ଅପସରି ଯାଉଛି । ସରୁ ସରୁ ଡେଙ୍ଗା ଡେଙ୍ଗା ଗୁଆଗଛ, କଣ୍ଟା ବାଉଁଶ ବୁଦାର ଧାଡ଼ି ଗାଁର ‘ଚିହ୍ନ ପତାକା’ ସଦୃଶ ଦୂରରେ ଦେଖାଯାଉଛି । ଗାଁ ଆସି ପାଇଗଲେଣି ବୋଲି ଆନନ୍ଦରେ ଦୁଇବନ୍ଧୁ ଧଡ଼ପଡ଼ ହୋଇ ଉଠି, ଗୋଡ଼ରେ ଜୋତା ପୂରେଇ ଗାଡ଼ିରୁ ଓହ୍ଲେଇ ପଡ଼ିଲେ ।

 

ଦୁଇ ପାଖ ବିଲର ସୀମା ଅସ୍ପଷ୍ଟ ବାଷ୍ପରେଖାରେ ବିଲୀନ ହୋଇଯାଇଛି । ବିଲରେ ଧାନ ନାହିଁ—କଟା ଶେଷ ହୋଇଛି । ଅବଶିଷ୍ଟ ନଡ଼ାଗୁଡ଼ିକ ମୃତ୍ୟୁମୁଖୀ କ୍ଷେତ୍ରର ମଳିନ ମୁକୁଳା ବୁକୁକୁ ଢାଙ୍କି ରଖିଛନ୍ତି । ନଡ଼ା ଦେହକୁ ଲାଗି ଲାଗି ବିରିଗଛଗୁଡ଼ିକ ଠିଆ ଠିଆ ହେବାକୁ ଯତ୍ନ କରୁଛନ୍ତି । ଦୂରରେ, ଜଳେଇବା ପାଇଁ ବାକି ରହିଥିବା ଦି’ଟା ଗୋଟେ ‘ହାରଲି’ ଘର । ଆଖୁ କିଆରିର କଡ଼େ କଡ଼େ ଶୁଖିଲା ଝୋଟିର ଗଦା । ଗାଁଆଡୁ ଭାସି ଆସୁଥିବା ରନ୍ଧାଗୁଡ଼ର ମହମହ ଗନ୍ଧ ନିହାରସିକ୍ତ ବାୟୁମଣ୍ଡଳକୁ ମତୁଆଲା କରି ତୋଳିଛି । ବାଟକଡ଼ର ନିରାଭରଣ ଶିମୁଳୀ ଗଛରେ ଧପ୍ କରି ଶାଗୁଣାଟାଏ ବସିପଡ଼ି ସକାଳର ବିନୟୀ ନିର୍ଜନତାକୁ କ୍ଷଣକ ପାଇଁ ନିର୍ଦ୍ଦୟଭାବେ ଭାଙ୍ଗି ପକେଇଲା । ଚାରିଆଡ଼େ ପରିସମାପ୍ତିର ପରିତୃପ୍ତି—ମାଘମାସିଆ ଆଳସ୍ୟ ।

 

୧.‘ହାର୍‌ଲି’—‘କାଠ’ ଅଥବା ‘ନଡ଼ା’ର ଗଦା । ମାଘ ବିହୁର ସକାଳେ ନିଆଁ ଲଗାଯାଏ । ଏହାକୁ ‘ମେଜି’ ବୋଲି ମଧ୍ୟ କହନ୍ତି । ମାଘବିହୁର ସକାଳେ ପ୍ରାତଃସ୍ନାନ ଶେଷକରି ନିଆଁ ପୋଇଁବା ଉଦ୍ଦେଶ୍ୟରେ ଗଦା କରାଯାଇଥାଏ ।

 

ବିଲ ପାର ହୋଇ ଗାଁକୁ ପଶିବା ବାଟମୁହଁରେ ନବଦୀପ ମୋଚିର ଘର । ନବଦୀପର ବାପ-ଅଜାଏ ବି ଏଇ ଡିହିରେ ମରିଛନ୍ତି । ସମାଜରେ ନହେଲେ ବି ଗାଁର ଏକ ଅପରିହାର୍ଯ୍ୟ ଅଙ୍ଗ ଏଇ ନବଦୀପ । ମୃଦଙ୍ଗଖୋଳରେ ଚମଡ଼ା ଛଆଣିଠାରୁ ଆରମ୍ଭ କରି ଗାଁର ମଲା ଗୋରୁଗାଈ ଟାଣିବାଯାଏଁ ସମସ୍ତ ଭଲମନ୍ଦ କାମରେ ନବଦୀପର ପ୍ରୟୋଜନ । ସକାଳୁ ଉଠି ନବଦୀପ ଆଗ ଅଗଣାରେ ଝିଅ ସାଙ୍ଗରେ ପାଳକୁଟାର ନିଆଁ ପୋଉଁଛି । ସ୍ତ୍ରୀ ପାଉଁଶରେ ବାସନକୁସନ ମାଜୁଛି । ଏଡ଼େ ସକାକୁ ସକାଳୁ ମଣିଷର ପାଟି ଶୁଣି ବାଟ ଆଡ଼କୁ କଡ଼େଇ ଚାହିଁ ପଧାନପୁଅଙ୍କୁ ଦେଖି ଦୁଇହାତ ଉପରକୁ ଟେକି 'ସଲାମ ହଜୁର' ବୋଲି କହି ନବଦୀପ ଅଭିବାଦନ ଜଣାଇଲା । ପାଉଁଶରେ ଲୋଟି ଶୋଇଥିବା କୁକୁରଟି ଅପରିଚିତ ଆଗନ୍ତୁକର ଅସ୍ପଷ୍ଟ ପାଟି ଶୁଣି ଦେହଝାଡ଼ି ଠିଆ ହୋଇ, ବାଟକୁ ଚାହିଁ 'ଭୋ ଭୋ’ କରି ଭୁକିଲା । ‘ହୋଇ’ ବୋଲି ନବଦୀପ ଫାଉଡ଼ାଟାଏ ଫୋପାଡ଼ିବାରୁ ‘କୁଁ କାଁ’ କରି ଲାଞ୍ଜ ପଛ ଦି’ଗୋଡ଼ ଭିତରେ ଉର୍ତ୍ତିକରି ପୁଣି ପୂର୍ବସ୍ଥାନକୁ ଦଖଲ କଲା-

 

ଗାଁଦାଣ୍ଡର ଦୁଇ କଡ଼ରେ ଛୋଟ ଛୋଟ କୁଟାଛାଆଣି ଘର । କଦବା କ୍ଵଚିତ୍‌ ଦୁଇଟା ଗୋଟେ ଟିଣଘର ଅଛି । ପ୍ରାୟ ସବୁ ଘରର ଆଗ ସାମନାରେ ରୋପିତ, ଅରୋପିତ ସମସ୍ତ ପ୍ରକାର ଗଛଲତାର ବାଡ଼ ଘରକୁ ଘେରି ରହିଛି । କାହାର ଘର ବାଟର ଅତି ନିକଟରେ, କାହାର ବା ଘରକୁ ଯିବାପାଇଁ ବାଉଁଶବୁଦା ତଳର ସରୁବାଟ ଦେଇ ଯିବାକୁ ପଡ଼ିଥାଏ । ଗାଁଲୋକେ ନିଦରୁ ଉଠି ନିଜ ନିଜର କାମରେ ଲାଗିଗଲେଣି । କିଏ ଗୁହାଳୁ ଗୋରୁ ମେଲିଦେଇ ରାସ୍ତାକଡ଼ର ଖୁଣ୍ଟିରେ ବାନ୍ଧିଛି ଏବଂ ସକାଳର ଜଲଖିଆ ସ୍ଵରୂପ ସେମାନଙ୍କ ସମ୍ମୁଖରେ ପୁଳାଏ ପୁଳାଏ ପାଳ ଥୋଇଦଉଚି । ଜଣେ ଦି’ଜଣ ମାଇପି ବାଟକଡ଼ର ଗୋବର ଗଦାରେ ଗୋବର ପକାଇବାକୁ ଆସି କୃଷ୍ଣଦତ୍ତ ସହିତ ଅଚିହ୍ନା ମଣିଷ ଜଣଙ୍କୁ ଦେଖି ଓଢ଼ଣାକୁ ଲମ୍ବେଇ, ମୁହଁକୁ ଏକପାଖିଆ କରି ରାସ୍ତାକଡ଼ରେ ବାଟ ଛାଡ଼ି ଛିଡ଼ା ହୋଇଛନ୍ତି ।

 

ଭାଗବତଘର ନିକଟରେ ଲୋକାଲ୍‌ବୋର୍ଡ ର ନଳକୂଅ ପାଖରେ, ଗରା ମାଠିଆ ନେଇ ଝିଅ-ବୋହୂମାନେ ରୁଣ୍ଡହେଇଛନ୍ତି । ପ୍ରୌଢ଼ାଜଣେ ମାଠିଆରୁ ଗବ୍‌ଗବ୍‌ କରି ମୁଣ୍ଡରେ ପାଣି ଢାଳି ଦେହର ମେଖଳାଖଣ୍ଡକୁ ତିନ୍ତେଇ ଦେଇଛି । ହଠାତ୍ ରାସ୍ତାରେ ଭେଣ୍ଡି ଆଟୋକା ଦୁଇଟାଙ୍କୁ ଦେଖି ଲାଜରେ ବିବ୍ରତ ହୋଇ ବହୁତ ବେଳଯାଏଁ ମୁଣ୍ଡକୁ ତଳକୁ କରି ରହିଲା । ପାଣିନବାକୁ ଆସିଥିବା ବାକୀ ମାଇପେ ସକୌତୁକେ ମୁଣ୍ଡଟେକି ଚାହିଁଲେ । ଇଏ ତା ଆଡ଼କୁ ସିଏ ୟାଆଡ଼କୁ ଚାହାଁଚାହିଁ ହେଇ ନିଜର ଅନୁମାନ ଉପରେ କୃଷ୍ଣଦତ୍ତର ବନ୍ଧୁ କମଳାକାନ୍ତର ପରିଚୟ ମୁହୂର୍ତ୍ତକ ଭିତରେ ନିର୍ଣ୍ଣୟ କରିନେଲେ ।

ହରି ବାପୁ ନିଜର ତେଜରାତି ଦୋକାନର ତାଟି ଖୋଲିଛି । ଲୁଣ, ତେଲ, ମସୁରିଡାଲିର ଦୋକାନ ଗାଁରେ । ଏଇ ଖଣ୍ଡିକ ମାତ୍ର । କୃଷ୍ଣଦତ୍ତ ପିଲାଟିଦିନରୁ ହରି ବାପୁର ଦୋକାନ ଦେଖିଆସୁଛି । କେଉଁ ଖୋପରେ ମସୁରଡାଲି, କେଉଁଥିରେ ଚାହାପତ୍ର, କେଉଁ କୋଣରେ ଲୁଣବସ୍ତା, କୋଉଠି କିରୋସିନୀ ଟିଣ ଦୁଇଟା ଅଛି ଏବେ ବି କୃଷ୍ଣଦତ୍ତ ଆଖିବନ୍ଦ କରି ନିର୍ଭୁଲଭାବରେ କହିଦେଇପାରିବ । ଗାଁର ପ୍ରତ୍ୟେକ ବସ୍ତୁରେ ପୁରୁଣା ଦାଗ ଲାଗିଥିବା ପରି ଆଜି ଏତେ ବର୍ଷ ପରେ ବି ବାପୁ ଦୋକାନର କୌଣସି ବସ୍ତୁ ନୂତନ ରୂପ ନେଇପାରିନାହଁ—ସେଇ ଏକପ୍ରକାର ବସ୍ତୁ । ଏକା ଘର । ଏକଦାମ୍ । ପଇସାରେ ତିନିଟାକରି ଦେଉଥିବା ଶୁଖିଲା ସେମଟା ଶଙ୍କରା କଦଳୀ କେଇ କାନ୍ଧି, ଶୁଖିଲା ନଡ଼ିଆ-ପୂର୍ବପରି ଏବେ ବି ସେଇ ଦୁଆରବନ୍ଧର ଖାଲି ସ୍ଥାନରେ ଓହଳିଥିବା ଦଉଡ଼ିରେ ଝୁଲୁଛି । ଏବେ ବି ଦୋକାନ ଅଗଣାରେ ତିଆରି ବାଉଁଶ ବେଞ୍ଚରେ ବସି ଗାଁଲୋକେ ସକାଳେ ସନ୍ଧ୍ୟାରେ ପିକା ଟାଣନ୍ତି ।

ଏଣ୍ଡିଚାଦରରେ କାନମୁଣ୍ଡ ଢାଙ୍କି ହରି ବାପୁର ଦୋକାନ ଆଗରେ ବେଞ୍ଚରେ ବସି ପିକାଟଣା ମଣିଷ କେତେଜଣଙ୍କୁ କୃଷ୍ଣଦତ୍ତ ଚିହ୍ନି ପାରିଥିଲା । ସେମାନଙ୍କ ଭିତରେ ମହେନ୍ଦ୍ର, ତା’ ପିଲାବେଳର ସାଙ୍ଗ । ସେତେବେଳର ମହେନ୍ଦ୍ର, ଥିଲା ମସ୍ତବଡ଼ କୋକିଶିଆଳି-ଶିକାରୀ । ଏଇ ମହେନ୍ଦ୍ର ସହିତ ପିଲାବେଳେ କୃଷ୍ଣଦତ୍ତ ବିଲବାଡ଼ିରେ କୋକିଶିଆଳି ଗୀତ ଖୋଜିବୁଲୁଥିଲା । ପୂର୍ଣ୍ଣିମା ରାତିରେ ଗାଁ ମୁଣ୍ଡରେ ଡିମିରି ଗଛରୁ ମହୁଫେଣା ଭାଙ୍ଗିବାକୁ ଯାଇ ଦୁହିଁଙ୍କର ସତେ କି ମାଡ଼ଗୋଳ ଲାଗି ନ ଥିଲା !

ମହେନ୍ଦ୍ର କୃଷ୍ଣଦତ୍ତ ଆଡ଼କୁ ଉତ୍ସୁକ ହୋଇ ଅନେଇ, କଲେଜ-ପଢ଼ୁଆ ବନ୍ଧୁକୁ ‘ତୁ’ କି ‘ତୁମେ’ କଣ ବୋଲ ସମ୍ବୋଧନ କରିବ, ଠିକ୍ କରି ନପାରି ବିବ୍ରତଭାବେ ପଚାରିଲା—‘‘କ’ଣ ବାହାଘରକୁ ?’’ ‘‘ହଁ’’ବୋଲି ମୁଣ୍ଡ ଟୁଙ୍ଗାରି ଅଭିବାଦନ ଜଣାଇ କୃଷ୍ଣଦତ୍ତ ନିଜ ବାଟରେ ଆଗେଇଲା-। ହସ-କଉତୁକ, ଦୁଷ୍ଟାମି-ମାଙ୍କଡ଼ାମି କରି ଜୀବନର ସୁନେଲି-ଶୈଶବ ଯାହା ସହିତ କଟିଯାଇଛି, ଆଜି ତା ସହିତ ସଙ୍କୁଚିତ ଭାବରେ କଥା କହିବାକୁ ପଡ଼ୁଥିବାରୁ କୃଷ୍ଣଦତ୍ତର ନିଜ ଶିକ୍ଷା ପ୍ରତି ଧିକ୍‌କାର ଏବଂ ବିରକ୍ତି ଜନ୍ମିଲା ।

 

କୃଷ୍ଣଦତ୍ତ ପ୍ରଭୃତି ଆସି ଦାଣ୍ଡଦୁଆର ନ ମାଡ଼ୁଣୁ ଘରସାରା ହୈଚୈ ପଡ଼ିଗଲା । ଭାଇ ଭଉଣୀମାନେ ‘ଭାଇ ଆସିଗଲେ’, ‘ଭାଇ ଆସିଲେ’ ବୋଲି ଚିତ୍କାର କରି କରି ଦାଣ୍ଡ ଅଗଣାରେ ଆସି ରୁଣ୍ଡହେଲେ । ଭିତରେ ଗୁଆର ଅଗ-ମୂଳ କଟାରେ ବ୍ୟସ୍ତଥିବା ଟଗର, ନୁମୁଳୀ, ସୋଣପାହୀ ପ୍ରଭୃତି ବଡ଼ଭାଇଙ୍କୁ ପାଛୋଟି ଆଣିବାକୁ ଦୁଆରମୁହଁରେ ଆସି ହାଜର ହେଲେ । ଭାଇ ଆସିବା ଶୁଣି ଜେମା ମନେ ମନେ ନାଚିଉଠିଲା । କିନ୍ତୁ ଅନ୍ୟ ଥର ପରି ବାହାରକୁ ଆସି ହସଖୁସିରେ ଭାଇଙ୍କୁ ପାଛୋଟି ନିବାକୁ ତାକୁ ଲାଜ ମାଡ଼ିଲା । ସେ ଦୁଆରମୁହଁକୁ ବି ଆସିଲା ନାହିଁ । ଭିତର ଅଗଣାରେ ଛାମୁଣ୍ଡିଆ ବନ୍ଧା କାମ କରୁଥିବା ଲୋକମାନେ ହାତରେ ଦା କଟୁରି ଧରି ‘ବଡ଼ବାବୁ’ଙ୍କୁ ଦେଖିବାକୁ ସାମନା ଅଗଣାରେ ରୁଣ୍ଡହେଲେ ।

 

ପୁଅର ଅପେକ୍ଷାରେ ପଧାନେ ଅର୍ଗଳି ନିକଟରେ ଠିଆ ଠିଆ ଟହଲ ମାରୁଥିଲେ । ପୁଅଠାରୁ ପରିଚୟ ନ ଲୋଡ଼ି ଚିରପରିଚିତ ଭାବରେ କମଳାକାନ୍ତ ସହିତ ଆଳାପ ଆରମ୍ଭ କରିଦେଲେ । ଶଗଡ଼ ଠିକ ସମୟରେ ଷ୍ଟେସନରେ ପହଞ୍ଚିଥିଲା ନା ନାହିଁ, ଗାଡ଼କୁ କେଉଁଠି ଛାଡ଼ିଆସିଛନ୍ତି—ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପଚାରି କମଳାକାନ୍ତ ମନରୁ କ୍ଷଣକ ଭିତରେ ସଙ୍କୋଚର ଭାବ ଦୂରକଲେ ।

 

ପଧାନୀ ରୋଷେଇଶାଳରେ ପଶିଥିଲେ । ପୁଅମାନେ ଭିତରକୁ ଯାଇ ଖବର ଦେବାମାତ୍ରେ ଦେହର ମୁଗା-କାଞ୍ଚୁଲିର କାନିଏ ମୁଣ୍ଡରେ ଦେଇ ବାହାରକୁ ବାହାରି ଆସିଲେ । ସ୍ଵାମୀଙ୍କୁ କମଳାକାନ୍ତ ସହିତ ଆଳାପ କରୁଥିବା ଦେଖି ରାଗକରି କହିଲେ—“ତମେ ତ ଭଲ ମଣିଷ ଦେଖୁଛି ! ହାଲିଆ ମାଲିଆ ହେଇ ପିଲାଟା ଆଇଚି, ଭିତରକୁ ଡାକିନବା ଛାଡ଼ି ଠିଆ ଠିଆ ଗପିବାରେ ଲାଗିଗଲା !’’

 

— ‘‘ଓହୋ, ଦେଖୁଛନା—ମୋ ଉପରେ ଦୋଷ ଲଦିଦେଲେ ! ପୁଅ ଭିତରକୁ ଯିବ କଣ, ଲାଜରେ ତ ମୋ ଆଗରେ ମୁଣ୍ଡ ଉଠେଇ ପାରୁନି ।’’

 

—‘‘ଆ ବାପା, ଆ । ବଡ଼ବୁଢ଼ା ମୋ ପୁଅ, ତୁ ବି ମୋପୁଅ । ମା’ ପାଖରେ ଲାଜ କଣ-?’’

 

କୃଷ୍ଣଦତ୍ତର ମା’ଙ୍କର ସହଜ ସରଳ ସମ୍ଭାଷଣରେ ସନ୍ତାନପ୍ରୀତିର ଦାବୀ ଏବଂ ମାତୃତ୍ଵର ଗୌରବ ପ୍ରକାଶ ପାଇଲା । ମାତୃସ୍ନେହରେ ଭରପୂର ସମ୍ଭାଷଣରେ ମୁଗ୍‌ଧ ହୋଇ କମଳାକାନ୍ତ ଚଟ୍‌କିନା ଆଣ୍ଠୁମାଡ଼ି ପ୍ରଣାମ କଲା ।

 

—‘‘ହେଲା ବାପା, ହେଲା, ଥାଉ ଥାଉ ।’’ ବୋଲି କହି ବାଧାଦେଇ ପଧାନୀ କମଳାକାନ୍ତକୁ ଭିତରକୁ ଆସିବାକୁ ନିର୍ଦ୍ଦେଶ ଦେଲେ । ମନ୍ତ୍ରମୁଗଧ ସର୍ପ ସଦୃଶ କମଳାକାନ୍ତ ତାଙ୍କ ପଛେ ପଛେ ଭିତରକୁ ଗଲା ।

 

ତିନି

 

ବାହାଘର ଦିନ କିଏ କି କାମ କରିବ, ମୌଜାଦାର ଆଗରୁ ଠିକ୍ କରି ଦେଇଛନ୍ତି । କିଏ କେଉଁମାନଙ୍କର ଖିଆପିଆ କଥା ବୁଝିବ, କିଏ ଭଣ୍ଡାରଘରୁ ଜିନିଷପାତି ବାହାର କରିବ—ପ୍ରତ୍ୟେକ କାମ ଜଣ-ଜଣକୁ ଦିଆଯାଇଛି । ସହରରୁ ଆଗନ୍ତୁକ ଭଦ୍ରବ୍ୟକ୍ତି ତଥା ରାତିରେ ବରଯାତ୍ରୀମାନଙ୍କୁ ପାନ-ଗୁଆ-ସିଗାରେଟ୍‌ ଯୋଗାଇବା ଭାର କମଳାକାନ୍ତ ଉପରେ । ଗାଁକୁ ନିମିତ୍ତ ଖାଇଆସିଥିବା ସହରିଆ ଭଦ୍ରବ୍ୟକ୍ତି ଏବଂ ବରଯାତ୍ରୀମାନଙ୍କର ସତ୍‌କାର କରିବାଟା ସବୁଠୁ କଷ୍ଟ କାମ । ନିଜର ଉପସ୍ଥିତିରେ ବିଭାଘରର ମର୍ଯ୍ୟାଦା ବଢ଼େ ବୋଲି ଏଇ ଦୁଇଦଳର ବଡ଼ ଅଭିମାନ । ବରଯାତ୍ରୀମାନେ କଥା-କଥାକେ ଦୋଷ ଦେଖାଇ କନ୍ୟା ଘରର ସତ୍କାରକୁ ଥଟ୍ଟା କରିବା ସେମାନଙ୍କର ଦସ୍ତୁର । ନୂଆ-ଭୁଆସୁଣୀମାନେ ଭୟରେ ଭୟରେ ଶାଶୁଘରେ ଚଳପ୍ରଚଳ କରିବା ପରି ବାହାଘର ରାତିରେ ବରଯାତ୍ରୀମାନଙ୍କ ସହ କନ୍ୟାପକ୍ଷ ସଂଯମ-ସଂକୋଚରେ ଚଳିବା ଦରକାର ।

 

ଲଗ୍ନର ସମୟ ରାତି ବାର । ବର ଆସିବାର ସମୟ ହେଲାଣି । ଦୂରରୁ ଢୋଲ ବାଦ୍ୟ, ନାଗରୀର ଶବ୍ଦ ଶୁଣାଗଲାଣି । ଭିତର ଛାମୁଣ୍ଡିଆ ତଳେ ମାଇପେ ଘୋ-ଘୋ କଲେଣି । ଝିଅକୁ ଶେଷଥର ପାଇଁ ତେଲ ହଳଦୀ ଆଦି ଲଗେଇ, ବାଢ଼ୁଅପାଣି ଗାଧୋଇ ତା’ର ସାଙ୍ଗସରିସା ଝିଏ ଲୁଗାପଟା, ଅଳଙ୍କାରପାତି ପିନ୍ଧାଇବାର ଯତ୍ନ କରୁଛନ୍ତି । ଉଦ୍‌ଗ୍ରୀବ ହୋଇ ବାଟ ଚାହାଁନ୍ତେ ବରର ପାଲିଙ୍କି ଆସି ଅର୍ଗଳି ନିକଟରେ ରହିଲା । ସଧବା-ସ୍ତ୍ରୀମାନେ ଗୀତ ଗାଇ ଗାଇ ତରବରରେ କନ୍ୟାମାତାଙ୍କ ସକାଶେ ‘ଶୁଭ-କଳସ’ । ତୋଳିବା ପାଇଁ ବାହାରିଲେ ।

 

ବରର ପାଦ ଧୋଇ ଆଦର କରି ବେଦୀ ନିକଟକୁ ନିଆହେଲା । ବରଯାତ୍ରୀଙ୍କୁ ନିମନ୍ତ୍ରଣ ତଥା ଅଭ୍ୟର୍ଥନା ସହକାରେ ଛାମୁଣ୍ଡିଆ ତଳକୁ ପାଛୋଟି ଅଣାହେଲା । କମଳାକାନ୍ତ ବେଶ୍ ତତ୍‌ପରତା ସହିତ ସମସ୍ତଙ୍କ ସମ୍ମୁଖରେ ଗୁଆ-ପାନବଟାସିଗାରେଟ୍ କେସ୍ ଆଦି ଦେଖାଇ ଯାଚିଯାଉଛି । ବରଯାତ୍ରୀଙ୍କ ଭିତରୁ ଯୁବକମାନେ କମଳାକାନ୍ତର କଲେଜୀୟା ପୋଷାକ-ପରିଚ୍ଛଦ, ମୁଣ୍ଡର ବାଳକଟା ଫେସନକୁ ଲକ୍ଷ୍ୟ କରି ଫୁସ୍‌ଫାସ୍‌ ସମାଲୋଚନା ଆରମ୍ଭ କରିଦେଲେଣି । ଏକସମୟରେ ଚାରି ପାଖରୁ ପାନ-ଗୁଆ-ସିଗାରେଟ୍‌ ପାଇଁ ହାତ ପତେଇ ବିଚରାକୁ ଅକାରଣରେ ବ୍ୟତିବ୍ୟସ୍ତ କରି ପକାଉଛନ୍ତି । ଏକ ସୀମାନ୍ତରୁ କେହି ଜଣେ ମୁଣ୍ଡକୁ ଆଗକୁ ଟୁଙ୍ଗାରି ଚିତ୍କାର କରୁଛି–‘‘କଣ ହୋ, କଲେଜରେ ପଢ଼ୁନା ବୋଲି ମୁହଁରେ ସିଗାରେଟ୍‌ ଖଣ୍ଡେ ଧରିବାକୁ ମନା କି-?’’ ଲାଜରେ ବିଚରା ଲାଲ ହୋଇ ତାଙ୍କ ଆଡ଼କୁ ବଟାଟା ବଢ଼ାଇଦେବାକୁ ଗଲାବେଳେ ନିକଟରେ ଜଣେ କେହି ପାଟି କରୁଛି—‘‘ଏଠି ଖଣ୍ଡେ ଦେଇଯାଆନ୍ତୁ । ପଧାନଘରୁ ଜିନିଷ ଶେଷ ହେବାର ଭୟ କରିବାର କିଛି ନାହିଁ ।’’ କମଳାକାନ୍ତ ପାଖଦେଇ ଚାଲିଯିବା ବେଳେ ଦୁଇ ତିନି ଜଣ ତାକୁ ଶୁଣେଇ ଶୁଣେଇ କହୁଛନ୍ତି—‘‘ଆରେ, ମୌଜାଦାରଙ୍କ ସାନଟା ପାଇଁ ଇଏ ଠିକ୍‌ ହୋଇଛି ନା କଣ-?’’

 

—‘‘ନହେଲେ କଣ ନାଗା ପରି ଏମିତି ବେଠି ଖଟିବାକୁ ଆସନ୍ତା ନା ?’’ ବୋଲି ଜଣେ କଥାପଦକ କହି କମଳାକାନ୍ତ ଆଡ଼କୁ କଣେଇ କଣେଇ ଚାହୁଁଛି । ଲାଜରେ କମଳାକାନ୍ତ ନଶୁଣିବାର ଅଭିନୟ କରି ଅନ୍ୟଆଡ଼େ ବାହାରିଗଲା ।

 

୧.

ଶୁଭକଳସ-ତୋଳା—ବିବାହ ପୂର୍ବରୁ କନ୍ୟାକୁ ବାଡ଼ୁଅ-ପାଣି ଗାଧୋଇବା ପ୍ରଥା ଆମର ଅଛି । ଆସାମରେ ମଧ୍ୟ ସେହି ପ୍ରଥା ପ୍ରଚଳିତ । ତେବେ ଏହି ପାଣି ‘କଳସ’ରେ ଅଣାଯାଏ-। ଏହି ପାଣି ଆନୁଷ୍ଠାନିକଭାବେ ଅଣାଯାଏ । କନ୍ୟା-ମାତା ଅନ୍ୟାନ୍ୟ ସଧବା ସ୍ତ୍ରୀମାନଙ୍କ ସହର ଶୁଭ-ବିବାହ ଗୀତ ଗାଇ ଗାଇ କଳସରେ ପାଣି ତୋଳିବାକୁ ଯାଆନ୍ତି ।

 

 

୨.

‘ପାନବଟା’—ଆସାମ ସଂସ୍କୃତିରେ ଏକ ନିଛକ ପ୍ରତୀକ । ଧନୀ ଗରିବ ପ୍ରାୟ ପ୍ରତ୍ୟେକ ଘରେ ପାନବଟାରେ ଅତିଥି ଚର୍ଚ୍ଚା କରାଯାଏ । କଂସା ଅଥବା ପିତଳରେ ତିଆରି ବଇଠି ଥିବା ଏକ ପାତ୍ର ।

 

ଅଭ୍ୟାସ କରିନଥିବା ଲୋକ ବି ବାହାଘରେ ମାଗଣା ପାଇଲେ ପାନ ସିଗାରେଟ୍‌ ଶ୍ରାଦ୍ଧ ନକରି ଛାଡ଼ନ୍ତି ନାହିଁ । ମୁହୂର୍ତ୍ତ ମଧ୍ୟରେ ବଟା ଶୂନ୍ୟ ହେଇଗଲା । ବଟାଟି ଭର୍ତ୍ତି କରିବା ସକାଶେ କମଳାକାନ୍ତ ଭିତର ଖଞ୍ଜାକୁ ଧାଉଡ଼ିଦେଲା । ସର୍ବସାଧାରଣ ବିପଦ ଭଳି ସାମାଜିକ ଉତ୍ସବ ମଧ୍ୟ ଲୋକଙ୍କୁ ସାର୍ବଜନୀନ ଶ୍ରେଣୀଭୁକ୍ତ କରାଏ । ଅପରିଚିତିର କାନ୍ଥଟି ହସଖୁସି, ଆନନ୍ଦ-ଆଳାପ ମାଧ୍ୟମରେ, ମଡ଼ ମଡ଼ କରି ଭାଙ୍ଗିପଡ଼େ । ଦୁଇଦିନ ଭିତରେ କମଳାକାନ୍ତ ପଧାନଙ୍କ ଘରେ ଅତି ଆପଣାର ହୋଇଉଠିଛି; ବାହାର ଭିତରର ‘ସଂକୋଚ-ସେତୁ’ ତୁଟିଯାଇଛି ।

 

ବଡ଼ ଖଞ୍ଜାର ଯେଉଁ କୋଠରିରୁ ଗୁଆ-ପାନ ଆଣିବା ପାଇଁ କମଳାକାନ୍ତ ଯାଇଛି, ସେଠି ପଞ୍ଝାଏ ଯୁବତୀ ଝିଅ ହସ-ତାମସା ମାଧ୍ୟମରେ ଗୁଆକଟାରେ ବ୍ୟସ୍ତ । କମଳାକାନ୍ତ ଦୁଇହାତରେ ଦୁଇଟି ବଟା ଧରି ତରବର ହୋଇ କୋଠରିର ଦୁଆର ମୁହଁରେ ପହଞ୍ଚିଛି, ଠିକ୍ ଏତିକିବେଳେ ଭିତରୁ କେହି ଜଣେ ଝିଅ ବାହାରକୁ ବାହାରି ଆସିବାବେଳେ କମଳାକାନ୍ତର ହାତର ବଟାରେ ଧକ୍‌କା ଖାଇ କଚାଡ଼ି ହୋଇ ମୁହଁମାଡ଼ି ଚଟାଣରେ ପଡ଼ିଗଲା । ଦୁଇଟାଯାକ ବଟା ହାତରୁ ଖସିଯାଇ ପକ୍‌କା ଚଟାଣରେ ‘ଠନ୍‌-ଠନ୍‌-ଠଣ୍ଟ-ଠ’ ରୀତିରେ ଶବ୍ଦାୟମାନ ହେଲେ । କେହି ଜଣେ ପଡ଼ିବାର ଶବ୍ଦ ସଙ୍ଗେ ସଙ୍ଗେ କଂସାର ଠନ୍‌ ଠନ୍‌ ଶବ୍ଦ ଶୁଣି ହାତରେ ଲ୍ୟାମ୍ପ ନେଇ ଭିତରୁ କେତେଜଣ ଝିଅ ପଡ଼ି ଉଠି ଧାଇଁ ଆସିଲେ । ଦେଖିଲେ ଟଗର ଦୁଆରବନ୍ଧ ନିକଟରେ ପଡ଼ି କପାଳରେ ହାତମାରି ‘ଉଃ’-‘ଆହା’ କରୁଛି । କଲେଜ ଯୁବକ କମଳାକାନ୍ତ ଲାଜ ସଂକୋଚରେ ପାଖରେ ଠିଆହୋଇଛି କେଁଚୁଆଟିଏ ପରି । ମୁହୂର୍ତ୍ତକ ମଧ୍ୟରେ ଘଟଣାକୁ କଳ୍ପନା କରି, କମଳାକାନ୍ତ ମୁହଁକୁ ଅନେଇ ଝିଅଯାକ ହେଁ-ହେଁ କରି ହସିଉଠିଲେ । ଏଇ କେଇ ଦିନ ହେଲା କମଳାକାନ୍ତ ସହିତ ଟଗରକୁ ଯୋଡ଼ି ଝିଅଗୁଡ଼ାକ ଟଗରକୁ ବେଶ୍ ଥଟ୍ଟା-ତାମସା ଆରମ୍ଭ କରିଛନ୍ତି । ଟଗର ଏବଂ କମଳାକାନ୍ତକୁ ମୁହାଁମୁହିଁ ଦେଖି ସେମାନଙ୍କ ମୁହଁରେ ହସ ରହନ୍ତା କିପରି ? ପାଖକୁ ଘୁଞ୍ଚିଆସି, ମୁଣ୍ଡ ତଳକୁ ନଇଁ ମାଳତୀ ପଚାରିଲେ—‘‘ଭାରି କଷ୍ଟ ହେଉଛି, ନା ଲୋ ଟଗର ?’’

 

କପାଳରୁ ହାତ କାଢ଼ିନେଇ ମାଳତୀକୁ ଠେଲିଦେଇ ରାଗର କହିଲା—‘‘ଯାଆ ଯାଆ; ତମେ ସବୁ ସୁଆଗ ଦେଖାଇବା ଦରକାର ନାହିଁ ।’’

 

—‘‘ଚାଲ ଲୋ, ଆମେସବୁ ପଳେଇବା । ମିଛେରେ ଭ୍ରୂକୁଟି କରୁଛି ବା’ । ସମସ୍ତେ ତ ବସିଥିଲେ, ସେ ଏବେ କଣ ସୁରାକ ପାଇ ଉଠିଆସିଲା ।’’ ନୁମୁଳୀର କଥାକୁ ଶୁଣି ସଭିଏଁ ପୁଣି ଖିଲ୍‌ଖିଲ୍‌ କରି ଦୁଷ୍ଟାମିର ହସ ହସିଲେ । କମଳାକାନ୍ତର ମୁହଁ ରାଉରାଉ ନିଆଁ ରଡ଼ ପରି ଲାଲ ହୋଇଗଲା । ଟିକିଏ ହଲଚଲ ହୋଇ ନିଜର ଜାଗ୍ରତ ଅବସ୍ଥାର ପ୍ରମାଣ ଦେବାକୁ ମଧ୍ୟ ସଂକୋଚ ବୋଧକଲା । ଲାଜ ଜୁଡ଼ୁ ବୁଡ଼ୁ ହୋଇ କମଳାକାନ୍ତ ସେଇଠି ହିଁ ଠିଆ ହୋଇ ରହିଲା ।

 

ମାଳତୀ ପୁଣି ଟଗର ପାଖକୁ ଲାଗିଆସି ତାକୁ ଧରି କହିଲା—‘‘ଉଠ୍‌, ଉଠ୍‌ବା କନ୍ୟାକୁ ବେଦୀକୁ ନବାର ବେଳ ହେଲାଣି—ଏଇଠି ପଡ଼ିରଡ଼ିଲେ ହବନା ?’’

 

ଟଗର ଆଖି ବନ୍ଦକରି କାନ୍ଦୁଣୁ ମାନ୍ଦୁଣୁ ସ୍ଵରରେ କହିଲା—‘‘ତମେ ସବୁ ଯାଉନା, ମୁଁ ତମମାନଙ୍କ ସାଙ୍ଗରେ ଯିବିନାହିଁ—ଯା ।’’

 

ନୁମୁଳୀ ମାଳତୀର ହାତ ଧରି ଦୁଆରବନ୍ଧ ନିକଟକୁ ଟାଣିଆଣି କହିଲା—‘‘ତୁ ବି ଭଲକଥା କହୁଛୁ ଲୋ ! ଏବେ ତମେ ଟଗରର ସାଙ୍ଗ ଖୋଜୁଛ ! ସେ ପୁଣି ଆମ ସାଙ୍ଗରେ ଯିବନା-?’’ —କହ ସାଙ୍ଗ ଝିଅମାନଙ୍କ ମୁହଁକୁ ଅନେଇଲା । ଟଗର ଉଠିବାକୁ ଅଳ୍ପ ଚେଷ୍ଟା କରନ୍ତେ, ସମସ୍ତେ କଥାଟାର ଗୁପ୍ତ ରହସ୍ୟ ବୁଝି ହସି ହସି ତରଳ-ତରଙ୍ଗ ଗତିରେ ଅପସରିଗଲେ ।

 

ମୁହୂର୍ତ୍ତକ ଭିତରେ ଏତେଗୁଡ଼ିଏ ଘଟଣା ଘଟିଗଲା ଯେ କମଳାକାନ୍ତ ତାର ବିନ୍ଦୁବିସର୍ଗ ବି ଜାଣିପାରିଲା ନାହିଁ । ଝିଅପଞ୍ଝାକ ଚାଲିଯିବାରୁ ବିଚରା ମହା ସମସ୍ୟାର ସମ୍ମୁଖୀନ ହେଲା । ଯୁବତୀ ଜଣଙ୍କ ଆଗରେ ଏକା ସେଇଭଳି ଠିଆହୋଇ ରହିବା ଦୃଶ୍ୟଟା ନିଜ ମନକୁ କେମିତି କେମିତି ଲାଗିଲା । ତେଣେ ପୁଣି ଗୁଆ ପାନ ପାଇଁ ବାହାରେ ମଣିଷ ଅପେକ୍ଷା କରିଛନ୍ତି । ଝିଅଜଣଙ୍କୁ ଡେଇଁ ଦୁଆରବନ୍ଧ ପାରହେବାକୁ ମଧ୍ୟ ସାହସ ନାହିଁ । କଣ କରିବ ନକରିବ ଚିନ୍ତାରେ ‘ଗରିଆ ଗୋସେଇଁ’ ଭଳି ମୁହୁର୍ମୁହୁଃ କମଳାକାନ୍ତର ମୁହଁର ରଙ୍ଗ ବଦଳିବାକୁ ଲାଗିଲା । ପଛକୁ କଣେଇ ଚାହିଁ ଚାହିଁ ଅପସୃତ ଝିଅଦଳ ଚକ୍ଷୁରୁ ସମ୍ପୂର୍ଣ୍ଣ ଅନ୍ତରାଳକୁ ଚାଲିଯିବା ସଙ୍ଗେ ସଙ୍ଗେ, ପାଦେ ଦୁଇପାଦ ଆଗେଇ, ଦେହଟାକୁ ମୋଡ଼ି ଭିଡ଼ି, ଓଠରେ ସମସ୍ତ ଶକ୍ତି ଠୁଳକରି କମଳାକାନ୍ତ ପଚାରିଲା—‘‘ରକ୍ତ ବାହାରିଲା ବୋଧେ ?’’

 

—‘‘ହିଁ, କପାଳରୁ ବାହାରୁଛି, ଆଖିପତା ବି ପୀଡ଼ା କରୁଛି ।’’

 

ମୁହୂର୍ତ୍ତକ ପାଇଁ କମଳାକାନ୍ତ ନିଜ ଅବସ୍ଥା ଭୁଲି, ପକେଟରୁ ରୁମାଲ କାଢ଼ି ଟଗରର କପାଳରେ ଧରି କହିଲା—‘‘ଆଖିରେ ଅଳ୍ପ ଥଣ୍ଡା ପାଣି ଦେଲେ ଭଲଲାଗିବ ।’’

 

ଟଗର ଠିଆହେବା ପାଇଁ କମଳାକାନ୍ତର ବାହୁ ସହାୟ ହେଲା । ଏତେଟା ପରିଚର୍ଯ୍ୟାର ପ୍ରୟୋଜନ ଅବଶ୍ୟ ନଥିଲା; କିନ୍ତୁ ଅପ୍ରତ୍ୟାଶିତ ଭାବେ ପ୍ରାପ୍ତ ପ୍ରୟୋଜନର ଅତିରକ୍ତତାରେ ମଣିଷର ଆନନ୍ଦ । ପ୍ରାପ୍ୟ ତଥା ନ୍ୟାୟର ଧରାବନ୍ଧା ଅଧିକାରଠାରୁ ଉପୁରି ଭାବେ ପ୍ରାପ୍ତି ଟିକର୍କରେ ମଣିଷର ସୁଖ ଅଧିକ । ପ୍ରଥମ ଅବସ୍ଥାରେ କମଳାକାନ୍ତର ହାତର ପରଶରୁ ବାହୁ ଦୁଇଟାକୁ ଖସେଇନେବା ପାଇଁ ଟଗର କୌଣସି ଯତ୍ନ କରିନଥିଲା । ଯୁବତୀ ଅବସ୍ଥାରେ ପୁରୁଷର ପରଶ ପାଇବାକୁ ସବୁ ଝିଅଙ୍କ ଉଦ୍ଦାମ ବାସନା ଜନ୍ମିଥାଏ; ସମାଜର ତୀକ୍ଷଣ ଶାସନ ତାର ପ୍ରତିବନ୍ଧକ । ଟଗର ଠିଆହେବା ପରେ ବି କମଳାକାନ୍ତର ହାତ ଅଙ୍ଗୁଳିର ଅଗ୍ରଭାଗ ବାପଘରୁ ବିଦାହେଉଥିବା ଝିଅ ଯିବ ନଯିବ ହେଇ ପାଦକୁ ଆଗପଛ କଲା ଭଳି ଟଗର ପିଠିରେ ଅଛି । ପ୍ରେମର ଅବିଚାର ହେବ ବୋଲିଭାବି ଟଗର ମଧ୍ୟ ଆଡ଼େଇଦବାକୁ କଷ୍ଟବୋଧ କରୁଛି ।

 

କ୍ଷଣକରେ ସ୍ତ୍ରୀର ସ୍ଵଭାବସୁଲଭ ବୁଦ୍ଧି ଟଗରକୁ ସଜାଗ କରିଦେଲା । ଚଟାଣରେ ପଡ଼ିଥିବା ବଟା ତରବରରେ ଗୋଟାଇ ନେଇ ଟଗର କୋଠରି ଭିତରେ ପଶିଲା ।

 

ଅପରିଚିତ ଝିଅଜଣଙ୍କ ସହିତ ନିର୍ଜନ ଅନ୍ଧକାର କୋଠରି ଭିତରେ ପଶିବା ପାଇଁ ସଙ୍କୋଚ ବୋଧ କରି ଦୁଆରବନ୍ଧରେ ରହି ଲ୍ୟାମ୍ପଟା ଦେଖାଇ କମଳାକାନ୍ତ କହିଳା—“ଖଟତଳ ବାକ୍‌ସରେ ସିଗାରେଟ୍‌ ଅଛି.... ।’’

 

ସମସ୍ତ ମାଦକ ବସ୍ତୁ ଭିତରେ ଯୁବତୀର କୋମଳ ଅଙ୍ଗ-ସ୍ପର୍ଶ-ସୁଖର ମାଦକତା ଯୁବକକୁ ଏକ ନୂତନ ଉନ୍ମାଦନା ଦେଇଥାଏ । ଟଗର ଦେହର କ୍ଷଣିକ ସ୍ପର୍ଶରେ କମଳାକାନ୍ତର ଦେହ ପୁଲକିତ ହୋଇଉଠିଲା; ଅନ୍ତରରେ ତା’ର ଜଳିଉଠିଲା ଯୌବନର ବିଜୁଳିବତି । ଆତ୍ମ-ଗୌରବର ଉତ୍‌ଫୁଲ୍ଲ ହସରେ ହାତରେ ଟ୍ରେ ନେଇ କମଳାକାନ୍ତ ବାହାରର ଛାମୁଣ୍ଡିଆ ତଳକୁ ବାହାରିଗଲା ।

 

ଚାରି

 

ବେଦୀରେ ବରକୁ ଘେରି ବରଯାତ୍ରୀଏ ଠୁଳ ହୋଇଛନ୍ତି । ବରର ସଖୀ ଏବଂ ସାଙ୍ଗସାଥୀ କେଇଜଣ ଯୁବକ ଘନିଷ୍ଠ ଆତ୍ମୀୟତା ପ୍ରକାଶ କରିବା ସକାଶେ ଦେହରେ ଦେହ ଘଷି ବସିଛନ୍ତି । ସଭା-ସମିତରେ ସଭାପତିଙ୍କ ସହିତ ଗୋଟିଏ ଧାଡ଼ିରେ ବସି, ହେଲା ନହେଲା ତାଙ୍କ ସହିତ ପଦେ ଦୁଇପଦ କଥାବାର୍ତ୍ତା ହୋଇ ନିଜର ପ୍ରତିପତ୍ତି ପ୍ରକାଶ କରିବାର ଅପଚେଷ୍ଟା ଅନେକ ଲୋକଙ୍କର ଥାଏ । ପରିଷଦର ମନ୍ତ୍ରୀ ଅଥବା ଉଚ୍ଚପାହ୍ୟାର ସରକାରୀ କର୍ମଚାରୀଙ୍କ ସହିତ ଜାଣି ଜାଣି ଦେହଲଗା ହୋଇପାରିବାଟା ସୌଭାଗ୍ୟ ବୋଲି ହିଁ ଅନେକେ ଭାବନ୍ତି ।

 

ଉଭୟ ପକ୍ଷର ପୁରୋହିତେ ବେଦୀରେ ଆବଶ୍ୟକୀୟ ଜିନିଷପାତି ସଜେଇ ଥୋଉଛନ୍ତି-। ବରଘରର ପୁରୋହିତ ନିଜ ଜିନିଷପତ୍ର ଭିତରେ ଘିଅ-ପାତ୍ରଟି ଖୋଜି ପାଇଲେ ନାହିଁ; କେଜାଣି ବା ଭୁଲ୍‌ରେ ଛାଡ଼ି ଆସିଛନ୍ତି । ବର ନିକଟରେ ବରଣ ଲୁଗାପଟା ବାକ୍‌ସ ନେଇ ବସିଥିବା ବରର ବଡ଼ବାପା କହିଲେ—‘‘ପୁରୋହିତେ ! ମୁଁ ଆପଣଙ୍କୁ ବାରମ୍ବାର ତାଗିଦା କରିଥିଲି ନା, ମନେପକେଇ ଖୋଜିଲୋଡ଼ି ସବୁ ଜିନିଷପାତି ଆଣିବାକୁ ?’’

 

କନ୍ୟାଘରର ଯୁବକ ପୁରୋହିତଟା ଆଗରେ ବରକର୍ତ୍ତା ରାଗି ନିଜ ପୁରୋହିତଙ୍କୁ ଲଘୁ କରିବାରୁ ବରଘରିଆ ପୁରୋହିତେ ଉଚ୍ଚସ୍ଵରରେ ଉତ୍ତର ଦେଲେ—‘‘ମୁଁ କଣ ସେସବୁ ନିଜେ କାନ୍ଧେଇ ଆଣିଥାନ୍ତି ?’’

 

ବରର ବଡ଼ବାପାଙ୍କ ପ୍ରତି ଆତ୍ମୀୟତା ଦେଖାଇବା ପାଇଁ, ତଥା ଅପରପକ୍ଷର ପୁରୋହିତଙ୍କୁ ଖୁଣ୍ଟାଦେବା ନ୍ୟାୟରେ କନ୍ୟାପକ୍ଷର ପୁରୋହିତେ ଧୀରେ କହିଲେ—‘‘ମହାଶୟ ! ଭଲ କଥାଏ କହିଲେ ଏକା ! କର୍ତ୍ତା କଣ ନିଜେ ମାଙ୍ଗଳିକ ଉପଚାରଗୁଡ଼ିକ ତଦାରଖ କରି ଆଣିବା ଥିଲା ନା କଣ ? ବରଘର ସାଙ୍ଗରେ ପୁରୋହିତ କରିବାକୁ ଗଲେ ମୁଁ ନିଜେ ସମସ୍ତ ଜିନିଷ ଯୋଗାଡ଼ କରି ନେଇଥାଏ ।’’

 

କୁଶବଟୁ ଗୋଟାଏ ବାନ୍ଧୁ ବାନ୍ଧୁ ମୁହଁକୁ ଭ୍ରୂକୁଟି କରି ବୁଢ଼ା ପୁରୋହିତେ ଉତ୍ତର ଦେଲେ–‘‘ରଖ ରଖ ହେ, କେତେଦିନ ହେଲା ତମ ବଂଶରେ ପୁରୋହିତ କରୁଛ ? —ସେଥିରେ ପୁଣି ଉପଦେଶ ଦେବାକୁ ବାହାରୁଛ ? ମୁନୀନାଞ୍ଚ ମତିଭ୍ରମ ହୋଇଥାଏ ।’’

 

ଘିଅପାତ୍ର ପାଇଁ କନ୍ଦଳ ସୃଷ୍ଟି ହେବାକୁ ଦେବା ଉଚିତ ହେବ ନାହିଁ ଭାବି ଦର ନିକଟରେ ଉପସ୍ଥିତ ପଧାନେ ପାଟି ଫିଟାଇଲେ—‘‘ଗୋସେଇଁମାନେ, ଘିଅପାତ୍ର ପାଇଁ ଏବେ ତର୍କ କରି କି ଲାଭ ? ଗତସ୍ୟ ଶୋଚନା ନାସ୍ତି ।’’ ଟିକିଏ ରହି ତର୍କର ସମ୍ପୂର୍ଣ୍ଣ, ଅନ୍ତ କରିବା ସକାଶେ ପୁଣି କହିଲେ—‘‘ଆମ ଘରେ ଅଲଗା କରି ଗୁଆଘିଅ ରଖାଯାଇଛି, ସେଥିରେ କଣ କାମ ଚଳିବ ନାହିଁ-? ଆମର ଝିଅକୁ ଯେତେବେଳେ ଗ୍ରହଣ କରୁଛନ୍ତି ଘିଅ ଟିକିଏ ପୋଡ଼ିଲେ ଭଲ ହବ । ପାଣିଗ୍ରହଣ ଲଗ୍ନ ଯେପରି ଗଡ଼ିନଯାଏ ସେଥିପାଇଁ ଟିକିଏ ତତ୍ପର ହୁଅନ୍ତୁ ।’’

 

ଆସନ୍ନ ବିପଦରୁ ରକ୍ଷାପାଇଯାଇ ବରଘରିଆ ପୁରୋହିତ ଫୁଙ୍ଗୁଳା ଦାନ୍ତ କେଇଟା ବାହାର କରି ଖିଲିଖିଲି ହସି କହିଲେ—‘‘ଏ ହେ.....ହେ.....ଆପଣ ଭଲ କଥା ପଦେ କହୁଛନ୍ତି ମହାଶୟ ! ଘୃତ, ମଧୁ, ଦୁଗ୍‌ଧରେ କିଏ କଣ ଦୋଷ ଧରିଥାଏ ? ସେଇଥିରୁ କିଛି ଅଣାଇବା ହୁଅନ୍ତୁ । ଆକ୍ରୋହୀ ଘରର ଭଟ୍ଟାଚାର୍ଯ୍ୟ ପଣ୍ଡିତ ଯୋଉଠି ଅଛନ୍ତି, ସେଠି କଣ ଶୁଭଲଗ୍ନ ସମ୍ପାଦନ ନହୋଇ ରହିବ ? ଆପଣ କଣ ଜାଣନ୍ତି ନାହିଁ କାଳିଆବରର ଆକ୍ରୋହୀ ପଣ୍ଡିତ ଘରକୁ ?’’

 

ପଧାନେ ମୁଣ୍ଡ ହଲେଇ ସମ୍ମତି ଜଣାଇଲେ । ପୁରୋହିତେ ଆତ୍ମଗୌରବରେ ଉତ୍‌ଫୁଲ୍ଲ ହୋଇ ପୁଣି କହି ଲାଗିଲେ—‘‘ଏ ହେ....ହେ, ନଜାଣନ୍ତେ କେମିତି ? ଆମେ କଣ ଓଳିଆରୁ ଗଜା ହେଇଛୁ କି ? ନଗାଁରେ ଆମ ବଂଶ ରାଜାଙ୍କ ଅମଳରୁ ଦେବୋତ୍ତର-ବ୍ରହ୍ମୋତ୍ତର ସମ୍ପତ୍ତି ଭୋଗଦଖଲ କରିଆସୁଛନ୍ତି ।’’ କନ୍ୟାଘରର ପୁରୋହିତଙ୍କ ଆଡ଼କୁ ଚାହିଁ କହିଲେ—“ଆପଣ ବି ଖାଲି ଚାହିଁରହିଲେ ଚଳିବ ନାହିଁ, ଆପଣଙ୍କର ଯୋଗାଡ଼ଯନ୍ତ୍ର କରିନିଅନ୍ତୁ ।’’

 

କନ୍ୟାଘରିଆ ପୁରୋହିତ ତାତ୍ସଲ୍ୟଭାବେ ଉତ୍ତର ଦେଲେ—‘‘ଆମର ସବୁ ଠିକ୍ ଅଛି । ଆମ ପାଇଁ ଆପଣଙ୍କ ମୁଣ୍ଡବ୍ୟଥାର ଆବଶ୍ୟକତା ନାହିଁ ।’’ ଏତକ କହିଦେଇ ପୁରୋହିତ ଦର୍ପଣର ପୃଷ୍ଠା ଖୋଲି ପଧାନଙ୍କ ଉଦ୍ଦେଶ୍ୟରେ ହାତର ମୁଦ୍ରା ଦେଖେଇ କହିଲେ—‘‘ଆପଣ ଏପରି ଉଚ୍ଚାରଣ କରନ୍ତୁ—ଇହାଗଚ୍ଛ, ଇହ ତିଷ୍ଠ, ଅତ୍ର ସନ୍ନିହିତୋଭବ ।’’

 

ଝିଅକୁ ବେଦୀକୁ ଆଣିବା ପାଇଁ ନିର୍ଦ୍ଦେଶ ପଠାଗଲା । ଭିତରେ ଶେଷ ଥର ପାଇଁ ହୈଚୈ ଆରମ୍ଭ ହେଲା । ଝିଅ କାନ୍ଦିକାଟି ଅସ୍ଥିର । ତଳମୁଣ୍ଡ ଉପରକୁ ଉଠିବା ମିଛ । ସେଥିରେ ପୁଣି ଏଇ ତିନିଦିନ ବ୍ରତ, ଦୁଃଖ, ଉପବାସରେ ଲୋସଡ଼ିଯାଇଛି । କନ୍ୟା ଅପେକ୍ଷା କନ୍ୟା-ମାତାଙ୍କ ଅବସ୍ଥା ଅଧିକା ଗୁରୁତର । କାମକାର୍ଯ୍ୟରେ ବ୍ୟସ୍ତ ରହି ବାହାଘରର ହୁଲୁସ୍ତୁଲ ଭିତରେ ସାରାଦିନଟା ନିଜକୁ ଭୁଲିଯାଇଥିଲେ । ଶୁଭ-କଳସ-ତୋଳା ପରଠାରୁ ମା’ର ଆଖିପାଣି ଅନବରତ ବୋହୁଛି ।

 

ଦି’ପହରେ ମଧ୍ୟ ମୁଣ୍ଡବୁଲେଇବାରୁ ସେ କେତେ ଥର ପଡ଼ିଯାଇଥିଲେ । ପଡୋଶୀ ମାଧବର ବିଧବା ଜେଜେମା’ ସାରାଦିନ ପଧାନୀଙ୍କ ପଛେ ପଛେ ରହିଛନ୍ତି । ମଝିରେ ମଝିରେ ମୁଣରେ ତେଲପାଣି ଟିକିଏ ଘଷିଦେଉଛନ୍ତି । କେତେବେଳେ ଗୁଆ-ଦହି-ପାଣି ଟୋପେ ପିଇବାକୁ ଯାଚୁଛନ୍ତି ମାଧବର ବିଧବା ଜେଜେମା, ସ୍ନେହରେ ପଡ଼ୋଶୀ ସମସ୍ତଙ୍କୁ ବାନ୍ଧିରଖିଛନ୍ତି । ଯାହା ଘରେ ବିପଦ-ଆପଦ ଦେଖାଦିଏ ସେଇଠି ହିଁ ସହାନୁଭୂତି ତଥା ସାନ୍ତ୍ୱନାର ପରିପୂର୍ଣ୍ଣ-ବିଗ୍ରହରୂପେ ଏଇ ବିଧବାଜଣକ ଆବିର୍ଭୂତା ହୁଅନ୍ତି । ତାଙ୍କର ସଂଯମ, ଶୁଚିତା ସମ୍ମୁଖରେ ଗୃହସ୍ଥର ବିପଦ-ଆପଦ ସବୁ ଦୂର ହୋଇଯାଏ । ଆତ୍ମୀୟର ମୃତ୍ୟୁଶୋକରେ ମର୍ମାହତ ହୋଇଥିବା ମଣିଷ ମଧ୍ୟ ତାଙ୍କର ନିଃସ୍ଵାର୍ଥ ସ୍ନେହର ପରଶରେ ନୂତନ ପ୍ରାଣ ପାଇଥାଏ । ମାଧବର ଜେଜେମା’ଙ୍କ ବୈଧବ୍ୟ ଶୋକ ଆଗରେ ନିଜ ଶୋକ ମ୍ଳାନତର ଦେଖି ଗୃହସ୍ଥ ନିଜେ ନିଜେ ସାନ୍ତ୍ୱନା ପାଆନ୍ତି ।

 

ପଧାନଙ୍କ ଘରର ବାହାଘରେ ସେ ଯେ କେବଳ ଝିଅ-ମା’ର ପରିଚର୍ଯ୍ୟାରେ ଥିଲେ ତା’ନୁହେଁ, ପଧାନଙ୍କ ଘରର ପିଲାଝିଲାଙ୍କ ଖିଆପିଆ ହେଲା ନା ନାହିଁ, ସମୟେ ସମୟେ ସେଇ ଖବର ବି ରଖୁଛନ୍ତି । ପଧାନଙ୍କୁ ବାହାରୁ ଡକାଇଆଣି କେତେବେଳେ ଚାହା କପେ, କେତେବେଳେ ଦହି ଟୋପାଏ ଖାଇବାକୁ ଦଉଛନ୍ତି । ବାହାଘରର ଘୋ-ଘା ଭିତରେ ଯେଉଁ ସମସ୍ତ ଅତି ଆତ୍ମୀୟମାନଙ୍କର ଖିଆପିଆର ଖବର ନବାଟା ମନେପଡ଼େନା, ସେମାନଙ୍କର ଖବର ବୁଝିବା ଦାୟିତ୍ଵ ମାଧବ-ଜେଜେମା’ ସ୍ଵଇଚ୍ଛାରେ ଗ୍ରହଣ କରିଛନ୍ତି ।

 

ମାଧବ-ଜେଜେମା’କୁ ଛାଡ଼ି ଆଉ ଦୁଇଚାରି ଜଣ ବୟସ୍କା ମଧ୍ୟ ପଧାନୀଙ୍କ ପାଖରେ ବସି ବୁଝେଇବାରେ ଲାଗିପଡ଼ିଛନ୍ତି । ମୁଣ୍ଡରେ ଧୀରେ ଧୀରେ ହାତ ବୁଲେଇ ଜଣେ କହୁଛନ୍ତି–‘‘ଆଲୋ ମା ! କନ୍ଦାକଟା କରି, ଦୁଃଖ କରି କି ଲାଭ ? ତୁ କ’ଣ ଏକା ଝିଅ ଜନମ କରି ଘରୁ ବାହାର କରିଦଉଛୁ ? ଏଇଟା ସଂସାରର ଧର୍ମ ।’’

 

ଆଉ ଜଣେ ସେଥିରେ ଯୋଗ ଦେଇ କହୁଛନ୍ତି—‘‘ଝିଅକୁ ପାଳି-ପୋଷି ବଡ଼ କରି ଉପଯୁକ୍ତ ପାତ୍ରରେ ଦବା ମା-ବାପାଙ୍କର କରତବ୍ୟ । ଦିହରେ ଟିପଟିଏ ନଦେଇ ଏତେ ଦିନ ଝିଅକୁ ବଢ଼େଇଲୁ—ଅଇଛା ଖୁସି ମନରେ ବିଦାକରିବାକୁ ପଡ଼ିବ ।’’

 

—‘‘ଉଠ୍ ମା, ଉଠ୍; କାନ୍ଦିକାଟି ଅମଙ୍ଗଳ କରନା । ତୋର କାନ୍ଦ ଦେଖି ଝିଅର ବୁକୁ ଫାଟିଯିବ ନାହିଁ ?’’ ଏହା କହି ତୃତୀୟ ଜଣକ ପଧାନୀଙ୍କ ଦେହମୁହରେ ସରାଗରେ ହାତ ବୁଲେଇ ଆଣିଲେ ।

 

ମାଧବର ଜେଜେମା ବୁଝଉଛନ୍ତି—‘‘ବଡ଼ ଜୁଆଁଇ ବଡ଼ପୁଅ ସମାନ । ଝିଅ ଦେଇ ପୁଅ ପାଉଛି । ତମମାନଙ୍କର ପରିବାର ଏବେ ବଢ଼ିଲା । ସେ ତ ମହା ଆନନ୍ଦର କଥା । ଆପଦ-ବିପଦରେ ସାହା ହେବାକୁ ନୂଆ ବନ୍ଧୁ ପାଇଲ । ଦୈବକୀ ଗୋସାଣି ଶଶିପ୍ରଭା ମାଦୈକୁ କଣ କହଛନ୍ତି ଜାଣିନୁକି—

 

‘‘ତୁମର ତ ଝିଅ ଜ୍ଵାଇଁ, ତୁମରତ ଘର

ତୁମେ ସିନା ଆପଣାର, ଆମେ ସବୁ ପର ।

କୃଷ୍ଣଙ୍କୁ ପାଇଲ ଜ୍ଵାଇଁ କେଡ଼େ ତୁମ ଭାଗ୍ୟ,

ଆନନ୍ଦ ଉତ୍ସବେ ମାତି ସୁଖୀ ହେବ । ଯୋଗ୍ୟ ।’’

 

ପ୍ରଶାନ୍ତ ସ୍ନିଗ୍‌ଧ ହସରେ ଏଇ ବୋଧ-ବାଣୀ ବିତରଣ କରିବା ସଙ୍ଗେ ସଙ୍ଗେ ମା’ର ମୁଣ୍ଡକୁ ଉଠେଇ ବସେଇ ଲୁଗାପଟା ସମ୍ଭଳାଇଲେ । ବିଧବାଙ୍କର ଆପ୍ତବାକ୍ୟ ଫଳ ଧରିବା ଦେଖି ଦ୍ଵିତୀୟ ବୟସ୍କାଜଣକ କହିଲେ— ‘‘ସତେ ତ, ବା’ଘର ଦିନ ଜୁଆଁଇ ସାକ୍ଷାତ୍‌ ଦାମୋଦର । ଝିଅ-ଜ୍ଵାଇଁଙ୍କର କେମେତେ ମଙ୍ଗଳ ହେବ ସେଇଆ ଚିନ୍ତିବା କଥା ।’’

 

ନୁମୁଳୀ ଆସି ଖବର ଦେଲା ଯେ ଝିଅକୁ ଏବେ ବେଦୀକୁ ନବାକୁ ହେବ—ଲଗ୍ନ-ବେଳ ଗଡ଼ିଯାଉଛି । ସମ୍ବାଦ ପାଇ ସମସ୍ତେ କନ୍ୟା-ମାତାକୁ ଧରାଧରି କରି ଝିଅ ପାଖକୁ ନେଲେ । ଝିଅକୁ ଛାମୁଣ୍ଡିଆ ତଳକୁ ନବା ଆଗରୁ ମାନ-ଧରିବା ଅର୍ଥରେ ବରଘରର ଜଣେ ପାନ-ଗୁଆର ବଟା ଆଣି ମହିଳା-ମହଲରେ ପହଞ୍ଚିଲେ ।

 

ପାଞ୍ଚ

 

ବର ଘର ଶିବସାଗର । ବିଭା ବାସି ଦିନ ଝିଅକୁ ବିଦା କରିଦିଆହେଲା । ଝିଅକୁ ଶାଶୁଘରେ ଛାଡ଼ିବା ପାଇଁ ଭାଇ ଯାଇଛନ୍ତି । କୃଷ୍ଣଦତ୍ତ ନ ଫେରିବାଯାଏଁ କମଳାକାନ୍ତକୁ ଅଗତ୍ୟା ଅଟକିବାକୁ ପଡ଼ିଲା । ଏଇ ପ୍ରସ୍ତାବରେ କମଳାକାନ୍ତର ଆପତ୍ତି କରିବାର କିଛି ନଥିଲା । ଆତ୍ମୀୟତାର ସ୍ନେହ-ସରାଗ ଭିତରେ ଏଇ କେଇଟା ଦିନ ପ୍ରଧାନଙ୍କ ଘରେ କମଳାକାନ୍ତ ବେଶ୍ ବଢ଼ିଆ ଭାବରେ କଟାଇଛ । ଚାରିଆଡ଼ୁ ‘ଭାଇ’, ‘ମାମୁଁ’ ଆଦି ଚିରପରିଚିତ ମଧୁର ସମ୍ବୋଧନ ଶୁଣି ଆନନ୍ଦ ତଥା କୃତଜ୍ଞତାରେ ତାର ଅନ୍ତର ଫୁଲି ଉଠିଥିଲା । ଏହା ହିଁ ଆମ ଚିରସ୍ନେହୀ ଗରିବ ଆସାମ ଦେଶ, ଯେଉଁଠି ଘରେ ଘରେ ମା-ମାଉସୀ, ଭାଇ-ଭଉଣୀର ଅକୃତ୍ରିମ ସ୍ନେହ ଭରିରହିଛି ।

 

ପ୍ରଧାନ ଘରର ସାଇ ପଡ଼ିଶାର ଝିଏ କମଳାକାନ୍ତ ପାଖକୁ ଆସି ନିର୍ଭୟ ନିଃସଙ୍କୋଚରେ ଆଳାପ କରନ୍ତି; ଥଟ୍ଟା–ପରିହାସ ମଧ୍ୟ କରନ୍ତି । କିଛି ଗୋଟାଏ ଦରକାର ହେବାକ୍ଷଣି ଟଗର ଆସି କମଳାକାନ୍ତକୁ ଏଟା-ସେଟା ଯୋଗାଇଦିଏ । ଟଗରହେରିକାଙ୍କ ଘର ପଧାନଙ୍କ ଡିହକୁ ଲାଗିଛି । ଟଗରର ବାପ ବାପୁରାମ ବରା, ଚାଷବାସ କରି ଜୀବିକା ନିର୍ବାହ କରୁଥିବା ଗାଁର ଜଣେ ସୁଖୀ ତଥା ପ୍ରତିପତ୍ତିଶାଳୀ ବ୍ୟକ୍ତି । ପଧାନୀ, ଝିଅର ଅଭାବକୁ କିଛି ପରିମାଣରେ କୋହଳ କରାଇବାକୁ ଏଇ କେଇଟା ଦିନ ଟଗରକୁ ଆଣି ପାଖରେ ରଖିଛନ୍ତି ।

 

ଦାଣ୍ଡ ପାଖରେ ଗୋଟିଏ କୋଠରିରେ କମଳାକାନ୍ତ ଖାଇପିଇ ଦି’ପହରିଆ ଶୋଇଯାଇଛି । ନିଦ ଭଲଭାବେ ହୋଇନି; କେବଳ ଆଖିବୁଜି ବିଛଣାରେ ପଡ଼ିଛି । ଏପରି ଅବସ୍ଥାରେ ନିଜ କୋଠରିର କବାଟ ଖୋଲିବା ଏବଂ ସଙ୍ଗେ ସଙ୍ଗେ ବନ୍ଦ ହେବାର ଶବ୍ଦ ଶୁଣିପାରି ଆଖି ଆସ୍ତେ ଖୋଲି ଦେଖିଲା ଯେ ଟଗର ଗୋଡ଼ ଚିପି ଚିପି କୋଠରି ଭିତରେ ପଶୁଛି । କମଳାକାନ୍ତ ପୁଣି ଶୋଇବାର ଅଭିନୟ କଲା । ବିଛଣା ଆଡ଼କୁ ଚାହିଁ, କମଳାକାନ୍ତ ଏଣ୍ଡି ଚାଦର ଘୋଡ଼େଇ ହୋଇ ଶୋଇଥିବାର ଦେଖି ଟଗର ମୁଣ୍ଡ ଆଡ଼ର ଟେବୁଲ ପାଖକୁ ଗଲା । ଟେବୁଲ ଉପରେ ଗିଲାସେ ପାଣି ଓ କେତେଖଣ୍ଡ ଇଂରାଜୀ ବହି ଥିଲା । ଟଗର ନିକଟରେ ଥିବା ଚଉକିରେ ଜିନିଷ କେଇଟା ଥୋଇ ଟେବୁଲ୍-କ୍ଳଥ୍‌ଟିକୁ ଝାଡ଼ି ବିଛେଇଲା । ପୁଣି ଟେବୁଲ ଉପରେ ଜିନିଷଗୁଡ଼ିକୁ ସଜାଇ ଥୋଇ, ପାଦେ ଦୁଇପାଦ କରି ଧୀରେ ଧୀରେ ଦୁଆରବନ୍ଧ ଆଡ଼କୁ ଆଗେଇଲା । ଠିକ୍ କବାଟ ଖୋଲିବାକୁ ଉପକ୍ରମ କରିବା ସମୟରେ, କମଳାକାନ୍ତ ପାଟି ଖୋଲିଲା, —‘‘ରୁହ, ରୁହ, ଯାଉଚ ବାହାରି ଯେ..... ?’’

 

ପଛରୁ ହଠାତ୍ ଡାକ ଶୁଣି ଟଗର ଚମକିପଡ଼ି ପଛକୁ ଘୁରି ଚାହିଁଲା । ଇତିମଧ୍ୟରେ କମଳାକାନ୍ତ ବିଛଣାରୁ ଉଠିବସିଲା । କମଳାକାନ୍ତ ଆଖିରେ ଆଖି ମିଶିବାରୁ ଲାଜରେ ବିବ୍ରତ ହେବା ବ୍ୟତୀତ ଟଗରର ଆଉ ଗତ୍ୟନ୍ତର ନଥିଲା ।

 

—‘‘ଆସି ପୁଣି ବାହାରିଯାଉଥିଲ କାହିଁକି ?’’

 

—‘‘ମାଉସୀ ଆମ ଘରଆଡ଼େ ଯାଇଛନ୍ତି । ମତେ କହିଯାଇଛନ୍ତି ଆପଣ ଉଠିଲେ ଚାହା ଜଳଖିଆ ଦେବାକୁ । ଆପଣ ଶୋଇଛନ୍ତି ଦେଖି...’’ ଲାଜରେ ଆଉ କିଛି କହି ନପାରି ଗୋଟାଏ ହାତରେ ଦେହର ଚାଦର କାନିକୁ ମୋଡ଼ିବାକୁ ଲାଗିଲା ।

 

—‘‘ମାଉସୀ ବୋଧେ ଟେବୁଲଟାକୁ ସଜାଇବାକୁ ତୁମକୁ କହିଥିଲେ ?’’ କହି ସେ ହସ ହସ ମୁହଁରେ ଟଗର ଆଡ଼କୁ ଅନେଇ ରହିଲା । ଟଗରର ମୁହଁ ଆଗ ଅପେକ୍ଷା ଦୁଇଗୁଣ ପରିମାଣରେ ରଙ୍ଗାପଡ଼ିଗଲା । ‘‘ଆପଣଙ୍କ ପାଇଁ ଚାହା ଆଣେ ।’’ ବୋଲି କହିଦେଇ ମୁହୂର୍ତ୍ତକ ମଧ୍ୟରେ ବିଜୁଳିବେଗରେ କୋଠରିରୁ ନିଷ୍କ୍ରାନ୍ତ ହେଲା ଟଗର ।

 

ଆତ୍ମତୃପ୍ତିରେ କମଳାକାନ୍ତ ପୁଣି ମାଣ୍ଡିରେ ମୁଣ୍ଡ ଥୋଇ ବିଛଣାରେ ଶୋଇଗଲା । ପ୍ରତ୍ୟକ୍ଷ ଭାବରେ ଯାହା ଦେଖିଲା କଳ୍ପନା ମାଧ୍ୟମରେ ସେୟାକୁ ଆହୁରି ମନୋରମ କରି ତୋଳିଲା-। ‘କଣା-ବିଧାତା’ଙ୍କ ଭଳି ‘କଳ୍ପନା’ ତ ଆଉ କୃପଣ ନୁହେଁ !

 

କଂସାଥାଳିଆ ଖଣ୍ଡକରେ କେଇଟା କଦଳୀ ଆଉ ବାଟିଏ ଦୁଧ ନେଇ ଅଳ୍ପ ସମୟ ମଧ୍ୟରେ ଟଗର ପୁଣି କମଳାକାନ୍ତର କୋଠରିରେ ପ୍ରବେଶ କଲା । ଟେବୁଲ ଉପରେ ସେସବୁ ଥୋଇ ଓଠରେ ସଲଜ୍ଜ ହସ ଖେଳେଇ ପଚାରିଲା—“ପୁଣି ଶୋଇଲେ । ଯେ ? ତେବେ କଣ ପରେ ଆଣିବ ?’’

 

ଏଣ୍ଡି ଚାଦରଟି ଦେହରୁ ଅଲଗା କରି କମଳାକାନ୍ତ ବିଛଣାରୁ ଉଠିଲା । ଟେବୁଲଉପରୁ ପାଣିଗ୍ଲାସଟି ନେଇ କହିଲା—“ବାହାଘର ରାତିରେ ବଟା ବଜାଇ ରକ୍ତାକ୍ତ କରାଇ କଷ୍ଟ ଦେଲି; ଆଜି ପୁଣି ଦୁଇଥର ଚାହା କରାଇବା କଷ୍ଟ ଦବାକୁ ମୋର ମନ ବଳୁନାହିଁ ।’’

 

—‘‘ଇସ୍......ସେଇ ସେଇ କଥାକୁ ସବୁବେଳେ କହିଲେ....’’ ଟଗର ବିଚାରି ଲାଜରେ ଜୁଡ଼ୁବୁଡ଼ୁ ହୋଇ କଥା ପଦାକୁ ଅଧାକୁହା ରଖିଲା ।

 

ଝରକା ଦେଇ କୁଳୁକୁଞ୍ଚା ପାଣି ପକାଇ, ଗାମୁଛାରେ ମୁହଁ ପୋଛି ପୋଛି କମଳାକାନ୍ତ କହିଲା—‘‘ଯେଉଁ ଘଟଣା ଉଲ୍ଲେଖ କରିବାକୁ ବାରଣ କରୁଛ, ହୁଏତ ସେଇ ଘଟଣାକୁ ନେଇ ମୁଁ ତୁମ ମନରେ ରହିଯିବ । ନୁହେଁ, ନା ?’’ ଚଉକିରେ ବସିବାର ଉପକ୍ରମ କରି କଥା ଶେଷ କରିବା ସଙ୍ଗେ ସଙ୍ଗେ କମଳାକାନ୍ତ ଟଗର ଆଡ଼କୁ ଚାହିଁ ହସିଲା ।

 

ଟଗର ଥାଳିଆଟିକୁ କମଳାକାନ୍ତ ଆଡ଼କୁ ବଢ଼ାଇ ଦିଅନ୍ତେ ଟେବୁଲ ଉପରର ବହିରେ ହାତ ବାଜି ବହି ଖଣ୍ଡେ ତଳେ ପଡ଼ିଗଲା । ବହିଟିକୁ ତରବରରେ ଗୋଟେଇ ଆଣି ମୁଣ୍ଡରେ ଲଗେଇ ଟଗର ଟେବୁଲରେ ଥୋଇଲା ।

 

ଟଗରର ଶ୍ରଦ୍ଧାଜନିତ ବିଶ୍ଵାସକୁ ଲକ୍ଷ୍ୟ କରି କମଳାକାନ୍ତ କହିଲା—‘‘ସେଇଟା ଇଂରାଜୀ ବହି ଯେ ।’’

 

—‘‘ଇଂରାଜୀ ବହିରେ ବୋଧେ ସରସ୍ଵତୀ ନଥାନ୍ତି ?’’

 

—‘‘ଉହୁଁ ।’’

 

—‘‘ଇସ୍, ଇଂରାଜୀ ବହି ବୋଧେ ଶାସ୍ତ୍ର ନୁହେଁ ?’’

 

—‘‘କାହିଁକି ହବ ?’’

 

—‘‘ଯାଆଁ ମ, ଆପଣ ପରିହାସ କରୁଛନ୍ତି ।’’ ଅନୁଯୋଗର ସ୍ଵରରେ କଥା ପଦକ କହି ଟଗର ତଳକୁ ମୁହଁ ପୋତିଲା ।

ଅଧାଛଡ଼ା କରି କଦଳୀରୁ ପୁଳାଏ ପାଟିରେ ଧରି କମଳାକାନ୍ତ ପଚାରିଲା—‘‘ତମେ କଣ ଶାସ୍ତ୍ର ମାନ ?’’

 

—‘‘ଓ ମା’, ଶାସ୍ତ୍ରକୁ ପୁଣି ନମାନେ କିଏ ?” ନିଜ ପ୍ରଶ୍ନରେ ଟଗର ନିଜେ ଚମକି ପଡ଼ିଲା-

 

କମଳାକାନ୍ତର କୋଠରିକୁ ପଶି ଆସୁ ଆସୁ ଟଗରର କଥାପଦକ ପଧାନୀଙ୍କ କାନରେ ପଡ଼ିଲା । ଦୁଆରବନ୍ଧରେ ପାଦ ଥୋଇ ସେ କହିଲେ—‘‘ୟେ ବୋଧେ ତମ ସହିତ ଶାସ୍ତ୍ର ବିଷୟରେ ତର୍କ କରିବାକୁ ହାଜର ?’’

 

କମଳାକାନ୍ତ ଅପ୍ରସ୍ତୁତ ହୋଇ ଚଉକିରୁ ଉଠି ଠିଆହେଲା । ଲାଜରେ ଟଗରର ମୁହଁ ତଳକୁ ହେଲା ।

 

—‘‘ବସ, ବାପା ବସ । ତମକୁ ଚାହା ଜଳଖିଆ ଦେଲା ନା ନାହିଁ ଦେଖିବାକୁ ଚାଲିଆସିଲି । ତର୍କ କରିବସିଲେ ସେ ସବୁକିଛି ପାଶୋରେ ।’’ କଥା ସଙ୍ଗେ ସଙ୍ଗେ ହସି ହସି ପଧାନୀ ଟଗର ଆଡ଼କୁ ଚାହିଁଲେ । ଗୁଣାନୁକୀର୍ତ୍ତନ ଆହୁରି ହଉ ଉଦ୍ଦେଶ୍ୟରେ ପଧାନୀଙ୍କ ପାଖଦେଇ ଟଗର ଧୀରେ ଧୀରେ କୋଠରିରୁ ନିଷ୍କ୍ରାନ୍ତ ହେଲା ।

 

—‘‘ସବୁ କାମରେ ଝିଅଟି ବେଶ୍ ପଟୁ । ବହିପତ୍ର ବି ଭଲ ପଢ଼ିପାରେ । ପାଠଶାଳାରୁ ପାଶ୍ କରି ବୃତ୍ତି ମଧ୍ୟ ପାଇଥିଲା । କିନ୍ତୁ ମୁହଁଖଣ୍ଡକ ତ ଶାଣଦିଆ ।’’

 

କମଳାକାନ୍ତର ମୁହଁରେ ହସର ରେଖା ସୃଷ୍ଟି ହେଲା ।

 

—‘‘ବାପ ତା’ର ଆହୁରି ଇଂରାଜୀ ପଢ଼ାଇବାକୁ ବାହାରିଥିଲେ, ମୁଁ କିନ୍ତୁ ମନାକଲି ।’’

 

ଦୁଧଗିନାଟି ମୁହଁରେ ଦେଇ କମଳାକାନ୍ତ କହିଲା—‘‘କଣ ଜାତି ଯିବ ବୋଲି ?’’

 

—‘‘ନାଇଁବା, ବିଦ୍ୟା-ଅର୍ଜନରେ କଣ ଜାତି ଯାଏ ? ହେଲେ ମଫସଲି ଝିଅଟାଏ, ଇଂରାଜୀ ପଢ଼ି କି ବା ବିଦ୍ୟା ଶିଖିବ ? ଶିଖିବାକୁ, ଜାଣିବାକୁ କଣ ଆମ ଶାସ୍ତ୍ରରେ ଆଉ କଥା ନାହିଁ-?’’

 

ଆଖିରେ, ମୁହଁରେ ପ୍ରତିବାଦର ଚିହ୍ନ ଫୁଟିଉଠୁଥିଲେ ବି କମଳାକାନ୍ତର ସାହସ କୁଳେଇଲା ନାହିଁ; ନିଶ୍ଚଳ ହୋଇ ବସି କେବଳ ଦୁଧଗିନାଟାକୁ ନିଃଶେଷ କରିବାକୁ ଲାଗିଲା ।

 

ପଧାନୀ ପୁଣି କହିଲେ—‘‘ଝିଅକୁ ବେଶିଗୁଡ଼ାଏ ପଢ଼ାଇ-ଶୁଣାଇ କି ଲାଭ ? ଘରକରଣା କାମକୁ ନିଖୁଣ କରି ଶିଖିଲେ, ବୁଝିଲେ ହେଲା । କ’ଣ କହୁଚ, ନୁହେଁ ନା ?’’

 

ପଧାନୀଙ୍କ କଥାକୁ ବାଧ୍ୟରେ ସମର୍ଥନ ପୂର୍ବକ ‘ହଁ’ ବୋଲି ସମ୍ମତି ଜଣାଇଲା ।

 

—‘‘ଜେମାକୁ ବାହା କରିଦେବାରୁ ଟଗର-ମା’ ବି ଚିନ୍ତା କଲାଣି । ହୁଅନ୍ତା ଯଦି କାଆଲି ଝିଅକୁ ବିଦା କରିଦିଅନ୍ତା । ହେଲେ ଜେମାଠାରୁ ଟଗର ଦେଢ଼ବରଷର ସାନ ।’’

 

ଅନ୍ୟର ପୁଅଝିଅଙ୍କ ଅପେକ୍ଷା ନିଜର ପୁଅଝିଅଙ୍କ ବୟସ କମେଇ କରି କହିବା ମା’-ବାପଙ୍କର ଅଭ୍ୟାସ । କୃଷ୍ଣଦତ୍ତ ମାଙ୍କର ସେ ବିଷୟରେ ବ୍ୟତିକ୍ରମ ଦେଖି କମଳାକାନ୍ତ ବିସ୍ମିତ ହେଲା । ଏକଦମ୍ ନୀରବ ରହିବା ସମୀଚୀନ ହେବ ନାହିଁ ଭାବି କମଳାକାନ୍ତ କହିଲା—‘‘ଏବେଠୁ କାହିଁକି ମା’ ତାଙ୍କର ବାହାକଥା ଭାବୁଚନ୍ତି ?’’

 

—‘‘ସେକଥା କୁହନା ବାପା, ଘରଯୋଗ୍ୟ ଝିଅ ଘରେ ରହିଲେ ମା’-ବାପଙ୍କର ଚିନ୍ତା, ଭାବନାର ଅନ୍ତ ରହେନା । ବଢ଼ିଲାଝିଅ ବଢ଼ିବାକୁ ଲାଗେ ବରଷାର ବଢ଼ିପାଣିଭଳି । ଯେତେ ଚଞ୍ଚଳ ହୁଏ ଏଇ ଆପଦକୁ ବିଦା କରିବାଟା ଭଲ ।’’

 

କମଳାକାନ୍ତ ହସିଲା ।

 

—‘‘ଟଗର ପାଇଁ ପାତ୍ରଟିଏ ଦେଖିବାକୁ ମା’ ତାର ତମକୁ ଧରିବାକୁ କହିଛି । କୃଷ୍ଣ ଆଉ ତୁମେ ଦୁହେଁ ମିଶି ପାତ୍ରଟିଏ ଦେଖିବ ବାପ ! ଏ ପାଖେ ଆମର ଅବଶ୍ୟ ପାତ୍ର ଅଛନ୍ତି; ହେଲେ, ତା’ ମା’ର ଇଚ୍ଛା କୋଉଁଠୁ କେମିତି ପଢ଼ାଶୁଣା କରିଥିବା ପାତ୍ରଟିଏ ମିଳନ୍ତା ଭଲା !’’

 

Unknown

—‘‘ହେଉ ।’’ବୋଲି କମଳାକାନ୍ତ ସଂକ୍ଷିପ୍ତ ଉତ୍ତର ଦେଲା ।

 

—‘‘ଝିଅର କପାଳରେ ଥିଲେ ହବ । ଶେଷରେ କୋଉଠି ଯାଇ ପଡ଼ିବ କିଏ ଜାଣେ ! ତଥାପି ମା’-ବାପାଙ୍କର ମନ ତ !’’

 

—‘‘କୃଷ୍ଣ ଚେଷ୍ଟାକଲେ ପଢ଼ାଶୁଣା ପାତ୍ରଟିଏ ମିଳିବାକୁ କଷ୍ଟ ହେବ ନାହିଁ ।’’

 

—‘‘ତମକୁ କହିରଖିଲି ବାପ, ମନେରଖିବ । ବସ ବାପା, ମୁଁ ଆସେ । ଟଗର ଯିବାକୁ ବାହାରିଲାଣି ନା କଣ—ତା ହାତରେ ତା ମା’ ପାଇଁ ପାନ ଦୁଇପତ୍ର ପଠେଇବାକୁ ହବ ।’’ କଥା କହିବା ସଙ୍ଗେ ସଙ୍ଗେ ଥାଳିଆ ଗିନା ଉଠେଇ ନେଇ ପ୍ରଧାନୀ ବାହାରିଗଲେ ।

 

ଛଅ

 

କୃଷ୍ଣଦତ୍ତ ହେରିକା କାଲି ସକାଳୁ ଗୌହାଟୀ ଫେରିବା ପାଇଁ ଠିକ୍ ହେଇଛି । ଉପରବେଳା ଚାହାଜଳଖିଆ ଖାଇ ଦୁଇବନ୍ଧୁ ବୁଲି ବାହାରିଥିଲେ । ସନ୍ଧ୍ୟା ଆଗରୁ କମଳାକାନ୍ତ ଏକା ଫେରିଆସିଲା, କୃଷ୍ଣଦତ୍ତ ତେଣେ ପିଉସାଙ୍କ ଘରଆଡ଼େ ମୁହଁମାରି ଆସିବାକୁ ଚାଲିଗଲା । କମଳାକାନ୍ତ ଦେହରୁ କାମିଚ୍ଚ ଖୋଲି ଆଲ୍‌ନାରେ ଥୋଇ ବିଛଣା ପଛପାଖରେ ଥିବା ସୁଟ୍‌କେଶ ଖୋଲି ଲୁଗାପଟା ଗୁଡ଼ିକ ସଜେଇବାର ଯତ୍ନ କରୁଛି । ସୁଟ୍‌କେଶ ପାଖରେ ଆଣ୍ଠୁମାଡ଼ି ଭିତରୁ ଖଣ୍ଡେ ଦୁଇଖଣ୍ଡ ପୋଷାକ କାଢ଼ି ଏକାନ୍ତ ମନରେ ଚାହୁଁଛି । ସେଥିରୁ ଦୁଇଖଣ୍ଡ ଜେମାର ବାହାଘରୁ ମିଳିଛି । ବାହାଘରେ ଲୁଗାପଟା ଆତ୍ମୀୟ ସ୍ଵଜନଙ୍କ ପ୍ରାପ୍ୟ । ଜେମା ଯିବାବେଳେ ନଳେ ବୁଣିଥିବା ପାଟରେ କନାଖଣ୍ଡେ ଏବଂ ‘ଫୁଲାମ-ଗାମୁଛା’ ଖଣ୍ଡିଏ କମଳାକାନ୍ତକୁ ଉପହାର ଦେଇଛି । ଗାମୁଛାରେ ମନୋଯୋଗ ସହକାରେ ଚାହିଁ ସେଥିରେ ନିହିତ ଭାଇ-ଭଉଣୀର ମଧୁର ସମ୍ପର୍କ କଥା ଭାବି କମଳାକାନ୍ତର ଅନ୍ତର ଆନନ୍ଦରେ ଆପ୍ଳୁତ ହୋଇପଡ଼ିଛି ।

 

ଏପରି ସମୟରେ ଟଗର ସେଇ କୋଠରିରେ ପ୍ରବେଶ କଲା । ହାତରେ ତାର କାଗଜଗୁଡ଼ିଆ ଏକ ପୁଡ଼ିଆ । ସେ ଘରେ ସେତେବେଳେ କେହି ନାହାଁନ୍ତି ବୋଲି ଟଗରର ଧାରଣା ଥିଲା । ଟେବୁଲ୍‌ରେ ପୁଡ଼ିଆଟି ଥୋଇ ଫେରିଆସିବା ବେଳକୁ ପାଖ ଚଉକିରେ ତାର ହାତ ବାଜି ଏକ ଶବ୍ଦ ହେଲା । ଧଡ଼କରି ସୁଟକେଶଟାକୁ ବନ୍ଦ କରି କମଳାକାନ୍ତ ସେଇ ଆଡ଼କୁ ଫେରି ଅନେଇଲା । ସେଇ ମୁହୂର୍ତ୍ତରେ ହିଁ ଫେରନ୍ତା-ଟଗରର ଆଖି ମଧ୍ୟ ଘରକୋଣରେ ଥିବା କମଳାକାନ୍ତ ଉପରେ ପଡ଼ିଲା । କମଳାକାନ୍ତକୁ ଦେଖି ବିଚାର ଯେଉଁଠି ଥିଲା ସେଇଠି ଠିଆ ହୋଇରହିଲା । ଗାମୁଛା ଖଣ୍ଡିକ ସୁଟକେଶ ଉପରେ ପକାଇ, ତଳୁ ଉଠି କମଳାକାନ୍ତ ଆଗେଇଲା । ଟେବୁଲ ଉପରର ପୁଡ଼ିଆ ଆଡ଼କୁ ଚାହିଁ ସହାସ୍ୟବଦନରେ ପଚାରିଲା—‘‘ଏଇଟା କଣ ମୋ ପାଇଁ ଉପହାର-?’’

 

ଲାଜରେ ମୁହଁ ତଳକୁ କରି ଟଗର ନୀରବରେ ଠିଆହୋଇ ରହିଲା । କମଳାକାନ୍ତ ପୁଡ଼ିଆଟିକୁ ଖୋଲି ଧରିଲା । ଚାରିକଡ଼ରେ ସୁତାକାମ କରା ଖଣ୍ଡେ ସୁନ୍ଦର ଟେବୁଲ୍‌କ୍ଲଥ୍‌ । ଭଲକରି ଖୋଲି ଦେଖିବାକୁ ପାଇଲା ଏକ ପଦ୍ମପତ୍ର ସହିତ ଫୁଲ ଏବଂ ଦୁଇଟି କଢ଼ । ପତ୍ର, ଫୁଲ ଆଉ କଢ଼–ତିନିଟାଯାକ ଭିନ୍ନ ଭିନ୍ନ ରଙ୍ଗର ସୂତାରେ ସିଲେଇ ହୋଇଛି । ଯିଏ ଏ ସିଲେଇ କରିଛି ତା’ର ଯେ କେବଳ ଯଥାରୀତି ଅବସ୍ଥାନ ସମ୍ପର୍କରେ ଜ୍ଞାନ ଅଛି ତା ନୁହେଁ, ଏପରିକି ସାମଞ୍ଜସ୍ୟ-ଜ୍ଞାନର ପରିଚୟ ମଧ୍ୟ ସେଥିରୁ ପ୍ରକାଶିତ । ଚାରିକଡ଼ର ଲତାପତ୍ର-ଚିତ୍ର ମାଧ୍ୟମରେ ଶିଳ୍ପୀ ଅନ୍ତରର ଭାବ ବେଶ୍ ସୁନ୍ଦରରୂପେ ଉକ୍ତଟି ଉଠୁଛି ।

 

ଧୀରେ ଧୀରେ ଟେବୁଲ୍‌ କ୍ଳଥ୍‌ଟିକୁ ଭାଙ୍ଗି ରଖି କମଳାକାନ୍ତ ପଚାରିଲା—‘‘ଏ ଖଣ୍ଡକ ମୋତେ ଦେଖାଇବାକୁ ଆଣିଚ ବୋଧେ ?’’

 

—‘‘ଦେଖେଇବା ପାଇଁ କାହିଁକି ଆଣନ୍ତି !’’

 

—‘‘ଏତେ ସୁନ୍ଦର ଫୁଲତୋଳା ଟେବୁଲ୍‌କ୍ଳଥ୍‌ ଅନ୍ୟକୁ ଦାନ କରିବାକୁ ମନରେ କଷ୍ଟ ହୁଏନା ?’’

 

—‘‘କଷ୍ଟ ଲାଗୁଥିଲେ ଦେଇ ନଥାନ୍ତି । କନାଖଣ୍ଡକରେ ଫୁଲ ପକାଇଲାବେଳୁ ଭାବିଥିଲି କାହାକୁ ଦେବି ବୋଲି । ନିଜ ପାଇଁ ଏତେ କଷ୍ଟ କରି ଫୁଲତୋଳାର କି ପ୍ରୟୋଜନ ?’’

 

—‘‘ମୁଁ ସେଇ ‘କିଏ’ ନିଶ୍ଚୟ ନୁହେଁ ?’’

 

—‘‘କିଏ’ ଅନିଶ୍ଚୟ ବାଚକ ସର୍ବନାମ । ସେଥିପାଇଁ ଆପଣ ହୋଇପାରନ୍ତି, ନହୋଇ ବି ପାରନ୍ତି । ଏବେ ଆପଣ ଯେହେତୁ ଜିନିଷଟି ପାଇଲେ, ଧରିନିଅନ୍ତୁ ଆପଣଙ୍କ ପାଇଁ ହୁଏତ ଫୁଲ ତୋଳିଥିଲି ।’’ କଥାତକ କହିସାରି ଟଗର ତାର ଅର୍ଥ ଭାବି ଲାଜସଙ୍କୋଚରେ ଥତମତ ହେଲା ।

 

ବୋଧ୍ୟ, ଅବୋଧ୍ୟ ଏକ ଦୁର୍ଦ୍ଦାନ୍ତ ଭାବନା କମଳାକାନ୍ତର ଅନ୍ତରକୁ ଚହଲେଇ ଦେଲା । ବାତାହତ କୀଚକ-ବେଣୁ ନିଜେ ନିଜେ ବାଜି ଉଠିଲା ଭଳି କମଳାକାନ୍ତର ଅନ୍ତର ବି ଅଜଣା ଆନନ୍ଦରେ ନାଚିଉଠିଲା । ପୁଲକର ଆତିଶଯ୍ୟରେ ବିଭୋର ହୋଇ ସମସ୍ତ ଦ୍ଵିଧା ଶଙ୍କା, ବାଧାବିଘ୍ନକୁ ମୁହୂର୍ତ୍ତକ ପାଇଁ ଭୁଲିଯାଇ ଟଗରର ହାତକୁ ନିଜର ହାତମୁଠାକୁ ଆଣି ନିଜର ଅଙ୍ଗୁରୀୟ ଖୋଲି ଟଗରର ଆଙ୍ଗୁଳିରେ ପିନ୍ଧାଇଦେଲା । ଘଟଣାଟି ଏତେ ତଡ଼ିତ୍‌ବେଗରେ ଘଟିଗଲା ଯେ ଟଗର ପ୍ରଥମ ଅବସ୍ଥାରେ ଅନୁମାନ ମଧ୍ୟ କରିପାରିଲା ନାହିଁ । ଅଙ୍ଗୁରୀୟଟି ଯେତେବେଳେ ପିନ୍ଧାହେଲା ହାତଟି ଟାଣିନବାକୁ ମଧ୍ୟ ଇଚ୍ଛା ହେଲା ନାହିଁ । ସମଗ୍ର ଘଟଣା ଉପରେ ଆନନ୍ଦର ଫଲ୍‌ଗୁ ବୋଳିବା ନ୍ୟାୟରେ କ୍ଷୀଣ ହସି ହସି କମଳାକାନ୍ତ କହିଲା—‘‘ଇଏ ମୋର ପ୍ରତି-ଉପହାର ।’’

 

ଚାଦର ଅଞ୍ଚଳରେ ଆଖିର ଲାଜ ଢାଙ୍କି ସୁଁ-ସୁଁ ହୋଇ ଟଗର କହିଲା—‘‘ଆପଣ ମୋର ସର୍ବନାଶ କଲେ କାହିଁକି ?’’

 

କମଳାକାନ୍ତ ଅପ୍ରସ୍ତୁତ ହେଲା । ଭୟ ତଥା ଆଶଙ୍କାରେ ଶରୀର ତାର ରୋମାଞ୍ଚିତ ହେଲା । ବ୍ୟଗ୍ର ହୋଇ ପଚାରିଲା—‘‘ତୁମର ସର୍ବନାଶ ! ?’’

 

—‘‘ହଁ, ମୁଁ ଲୋକଙ୍କ ଆଗରେ କେମିତି ମୁହଁ ଦେଖେଇବି ?’’ ବୋଲି କହି କାନ୍ଦୁଣୁ-ମାନ୍ଦୁଣୁ ହୋଇଗଲା । କମଳାକାନ୍ତ ଆସ୍ତେ ଆସ୍ତେ କହିଲା—‘‘ସେ ବ୍ୟବସ୍ଥା ମୁଁ କରିବି । ତୁମର ଯଦି ଇଚ୍ଛା ହେଉଛି ତେବେ ଫେରେଇ ଦେଇପାର ।’’

 

—‘‘ଅଙ୍ଗୁରୀୟ ଫେରସ୍ତ ଦିଆଯାଏନା । ଆଚ୍ଛା, କହନ୍ତୁ ଦେଖି; ଆପଣ ମୋତେ ଏପରି ଅପମାନିତ କଲେ କାହିଁକି...?’’ ସେ ଆଉ କହିପାରିଲା ନାହିଁ । କ୍ଷୋଭ ତଥା ଅପମାନରେ ଟଗରର ହୃତ୍‌ପିଣ୍ଡକ୍ରିୟା ସତେକି କ୍ଷଣକ ପାଇଁ ବନ୍ଦ ହୋଇଗଲା ।

 

ଦୀର୍ଘନିଶ୍ଵାସ ଟାଣି କମଳାକାନ୍ତ ଉତ୍ତର ଦେଲା—‘‘ଭଲପାଇବା ମାନ-ଅପମାନର ବିଚାର କରେ ନାହିଁ, ବିଧି-ଅନୁଷ୍ଠାନ ପାଇଁ ଅନେଇ ବସେନାହିଁ; ତାର ପ୍ରଭାତ, ଗୋଧୂଳି ନାହିଁ । ଭଲପାଇବାର ଦୁର୍ଦ୍ଦାମ ଜୁଆର ଆଜି ମୋର ଅନ୍ତର-ସାଗରକୁ ଯେପରି ଉଛୁଳେଇ ପକାଇଛି, ସେଥିରେ ମୁଁ ଝାସ ଦେଇନଥିଲେ ହୁଏତ ମୋତେ କୂଳର ବାଲୁକା-ଶଯ୍ୟାରେ ବସି ଚିରଦିନ ସକାଶେ ତା’ ପାଇଁ ସେ ବୃଥା ପ୍ରତୀକ୍ଷା କରିବାକୁ ପଡ଼ି ନଥାଆନ୍ତା—ସେ କଥା କିଏ ଜାଣେ ?’’

 

—‘‘ବାପାଙ୍କୁ ନପଚାରି ଆପଣ ମନେ ମନେ ଏପରି କାଣ୍ଡଟି କରିପକେଇଲେ ?’’ ଟଗରର ଦୁଃଖର ଦୀର୍ଘଶ୍ଵାସ କମଳାକାନ୍ତର ଅନ୍ତରକୁ ପ୍ରକମ୍ପିତ କରିଦେଲା ।

 

ଟଗରର ଆତ୍ମସମ୍ମାନର କେଉଁ ପର୍ଯ୍ୟାରେ ସେ ନିର୍ମମ ଆଘାତ କଲା, କମଳାକାନ୍ତ ବେଶ୍ ଭଲଭାବେ ଉପଲବ୍‌ଧ କରିପାରିଲା । ସାମାନ୍ୟ ଝିଅଜଣକର ଆତ୍ମସମ୍ମାନର ଏତେଟା ଉଗ୍ରପ୍ରୀତି ଦେଖି କମଳାକାନ୍ତର ଅନ୍ତରରେ ଟଗର ପ୍ରତି ଗଭୀର ଶ୍ରଦ୍ଧା ପ୍ଳାବିତ ହେଲା । ସମ୍ମୁଖପଥରେ ଚାହିଁ ଯାହା ସସମ୍ମାନେ ଲାଭକରିପାରନ୍ତା, ସେଥି ସକାଶେ ପଶ୍ଚାତ୍‌ପଥରେ ସିନ୍ଧି ଖୋଳି ଅପଯଶର ବୋଝଟା ମୁଣ୍ଡେଇବାକୁ ସେ ଗଲା କାହିଁକି ? ଟଗରର ହାତକୁ ପୁଣି ନିଜର ହାତକୁ ଆଣି ମିନତିଭରା ସ୍ଵରରେ କହିଲା—‘‘ଯାହା ହେଇଗଲାଣି ସେପାଇଁ ଦୁଃଖ କରି ଆଉ ଲାଭ କଣ ? ମଣିଷଜୀବନରେ ଦୁର୍ବଳ ମୁହୂର୍ତ୍ତଗୁଡ଼ିଏ ଅଛି ବୋଲି ଆଜି ମଣିଷ ରକ୍ତମାଂସର ମଣିଷ ହୋଇ ରହିଛି-ଅଶରୀର ଦେବତାରୂପରେ ରୂପାନ୍ତରିତ ହୋଇପାରିନାହିଁ । ଭୁଲ୍‍ କରିବା ମଣିଷର ଯେମିତ ଦୋଷ, ଭାର ସଂଶୋଧନ କରିବା ସେମିତି ଶ୍ରେଷ୍ଠ ଗୁଣ । ଭୁଲ୍‍ର ସ୍ଵୀକାରରେ ଶାସ୍ତି ଅଛି; ନାହିଁ କିନ୍ତୁ ଅପଯଶ ।’’

 

କ୍ଷଣକ ପାଇଁ ଅଟକି ଯାଇ ପୁଣି ଗଭୀର ଭାବାବେଶ ସହିତ ସେ କହିଚାଲିଲା–‘‘ଗୋପନରେ ଯେଉଁ ଭୁଲ୍‍ ମୁଁ ଆଜି କଲି, ପ୍ରକାଶ୍ୟରେ ତାର ପ୍ରାୟଶ୍ଚିତ୍ତ ଅବଶ୍ୟ ଅଚିରେ କରିବି-। ଆଜିର ଏଇ ଘଟଣା ମୋ ଉନ୍ମତ୍ତ ଯୌବନର ପାଗଳାମୀ ନୁହେଁ; ମୋତେ ତୁମେ ବିଶ୍ୱାସ କର ଟଗର !’’ ସେ ଆସ୍ତେ ଆସ୍ତେ ଟଗରର ହାତକୁ ଖସେଇଦେଲା ।

 

ନିଜର ଅଜ୍ଞାତସାରରେ ଟଗର କମଳାକାନ୍ତର ପାଦ ଛୁଇଁ ପ୍ରଣାମ ଜଣାଇ ବିଜୁଳି ବେଗରେ କୋଠରିରୁ ନିଷ୍କ୍ରାନ୍ତ ହେଲା । ଚପଳା-ଚଞ୍ଚଳା ଟଗର ମୁହଁରେ ନିମିଷକ ମଧ୍ୟରେ ବୟସର ଗାମ୍ଭୀର୍ଯ୍ୟ ଏକ ଶକ୍ତ ଓଢ଼ଣୀ ଟାଣିଦେଲା । ଝରକାଦେଇ କମଳାକାନ୍ତ ବାହାରର ଅନ୍ଧକାରକୁ ସ୍ତବ୍‌ଧଭାବେ ଚାହିଁରହିଲା । ମୁହଁରେ ତାର ମୁଖରିତ ହୋଇଉଠିଲା ସନ୍ଧ୍ୟାର ନିସ୍ତବ୍‌ଧତା ।

 

ସାତ

 

କମଳାକାନ୍ତର ପିତା, ମହୀକାନ୍ତ, ଦିବୃଗଡ଼ କଚେରିରେ କିରାନୀ । ଇଂରେଜ ଅମଳରେ ଆସାମ ଦେଶର ରୂପ ତଥା ରାଜଧାନୀର ପରିବର୍ତ୍ତନ ହେବା ସଙ୍ଗେ ସଙ୍ଗେ ମହୀକାନ୍ତଙ୍କର ପୂର୍ବପୁରୁଷଙ୍କର ପଦବୀ ତଥା ବାସସ୍ଥାନର ପରିବର୍ତ୍ତନ ଘଟିଲା । ପୂଜକ ନଥିବା ପୁରୁଣା ଦେବାଳୟର ଇଟା-ପଥର ଭଣ୍ଡାରର ଗମ୍ଭୀରିତଳେ ସ୍ଥାନ ପାଇଲା ଭଳି ଅରାଜକ ଆହୋମ-ପଦବୀ ସମୂହ ଯାହାକୁ ଯେଉଁଠୁ ପାଇଲେ ସେଇ ନାମରେ ସଂଯୁକ୍ତ ହୋଇ ପଦବୀର ସମ୍ମାନ ନ ବଢ଼େଇଲେ ମଧ୍ୟ ନାମର ସମ୍ମାନ ବଢ଼ାଇଲେ । ସେହି ଭିତରୁ ସାର୍ବଜନୀନ ‘ବରୁଆ’ ପଦବୀଟି କ୍ଷୟପ୍ରାପ୍ତ ନ ହେବାରୁ ବ୍ରାହ୍ମଣେତର ସମସ୍ତେ ସତେ କି ତାକୁ ଆଶ୍ରୟ ଦେଲେ । କମଳାକାନ୍ତର ଜେଜେବାପା, ପଦ୍ମକାନ୍ତ, ନିରାଶ୍ରୟ ବରୁଆ-ପଦବୀଟିକୁ ନିଜର ନାମରେ ସଂଯୁକ୍ତ କରି ଭବିଷ୍ୟତ ବଂଶଧରମାନଙ୍କ ସକାଶେ ଖ୍ୟାତି ରଖିଗଲେ ।

 

ପଦ୍ମକାନ୍ତ ଥିଲେ ପାଠଶାଳାର ପଣ୍ଡିତ । ସେ କାଳରେ ଛ’ଟଙ୍କିଆ ଦରମାରେ ସସମ୍ମାନେ ଗାଆଁରେ ଦିନ ଚଳିଯାଉଥିଲା । ସଭ୍ୟତାର ମାପକାଠି, ଅଭାବର ତାଲିକାକୁ ନିଜେ ନିଜେ ଦୀର୍ଘ କରି ତୋଳି ତା’ର ସମାଧାନ ନିମନ୍ତେ ଜୀବନବ୍ୟାପୀ ତୁମୁଳ ସଂଗ୍ରାମର ପ୍ରୟୋଜନ ନଥିଲା । ପଦ୍ମକାନ୍ତଙ୍କର ପୁଅ ମହୀକାନ୍ତ ଜିଲ୍ଲା ହାଇସ୍କୁଲରେ ଅଷ୍ଟମଶ୍ରେଣୀ ଯାଏଁ ପଢ଼ି କଚେରିରେ ପ୍ରଥମତଃ ନକଲ-ନବିସ୍ କାମରେ ପଶିଲେ । କିଛି ଦିନ ଅନ୍ତ ହୁଅନ୍ତେ ସିରସ୍ତାଦାରଙ୍କୁ ଦୁଧ-ଗୁଡ଼ର ଭାରରେ ସନ୍ତୁଷ୍ଟ କରି କିରାନି କାମରେ ସ୍ଥାୟୀ ଭାବରେ ମୁକରିର ହେଲେ । କାମରେ ଭର୍ତ୍ତି ହେବା ଦିନଠାରୁ ଅନ୍ୟର ବାଡ଼ିରେ କୁଡ଼ିଆଖଣ୍ଡେ ମାରି ମହୀକାନ୍ତଙ୍କୁ ସହରରେ ରହିବାକୁ ପଡ଼ିଥିଲେ ବି ମାସକୁ ମାସ ଚାଉଳ ଗୌଣିଏ, କାଠ ଗାଡ଼ିଏ ସକାଶେ ଗାଁ-ଘରକୁ ଯିବା ଆସିବା କରି ଭାଇ, ବନ୍ଧୁ ଆତ୍ମୀୟ-ସ୍ଵଜନଙ୍କ ସହିତ ସମ୍ବନ୍ଧଟା ରଖିବାକୁ ପଡ଼ିଥିଲା । କିନ୍ତୁ କିରାନି କାମରେ ସ୍ଥାୟୀ ହୋଇ ଗାଁର ଅସ୍ଥାବର ବିଷୟ-ସମ୍ପତ୍ତିର ମାୟାଜାଲ କାଟି ଅମଲାପଡ଼ାରେ ନିଜର ଇଟା-ଚୂନର ଘରଖଣ୍ଡେ, କରି ଏବେ ଆନ୍ତରିକତାର ସହିତ ରାଜସେବାରେ ମନୋନିବେଶ କରିଛନ୍ତି । ଗାଁଉଲି ଝିଅ ହୋଇଥିବା ଯୋଗୁଁ ଘରଣୀଙ୍କର ସହରିଆ ଅପ୍ରୟୋଜନୀୟ ବ୍ୟୟ ସହିତ ତାଙ୍କର ପରିଚୟ ନଥିଲା । ଦଶଜଣ ଅମଲାଙ୍କ ପରି ଯେଉଁ ଦୁଇଚାରି ପଇସା ପକେଟଗୁଞ୍ଜା ମିଳେ, ମହୀକାନ୍ତ ସେଇଥିରେ ସଂସାର ଚଳାନ୍ତି । ‘ଅର୍ଥ ଅନର୍ଥର ମୂଳ’ ବୋଲି ବିବେଚନା କରି, ମାସ ଶେଷରେ ମିଳୁଥିବା ଦରମା ଅଢ଼େଇକୋଡ଼ି ଟଙ୍କା ଅନ୍ୟ ହାତରେ ଚକ୍ରବୃଦ୍ଧି ସୂତ୍ରରେ ଛାଡ଼ିଦେଇଥାନ୍ତି ।

 

କମଳାକାନ୍ତ ବି ବାପଅଜାଙ୍କର ଛାଞ୍ଚରେ ଗଢ଼ା । ଯୋଗ ଏବଂ ଗୁଣନନିୟମ ପରିଷ୍କାର ଭାବରେ ଆୟତ୍ତ କରିପାରିଥିଲେ ବି ବିଯୋଗ ତଥା ହରଣରେ ଅଙ୍କ ଭଲଭାବରେ ସେ ଶିଖିପାରିନଥିଲା । ମାଟ୍ରିକ୍ୟୁଲେସନ ପରୀକ୍ଷାରେ ବୃତ୍ତି ପାଇ ସେ ଗୌହାଟୀ କଲେଜରେ ପଢ଼ିବା ପାଇଁ ଗଲା । ଦେଖୁଁ ଦେଖୁଁ ବି.ଏ. ପରୀକ୍ଷା ଦେଇ କଲେଜ ଶିକ୍ଷା ଏକରକମ ଶେଷ କଲା । ପୁଅ ବି.ଏ. ପାଶ୍ କଲେ କେମିତି ମାଷ୍ଟରୀ କାମରେ ଭର୍ତ୍ତି ହୋଇପାରିବ, ମହୀକାନ୍ତ ସେଇ କଥା ହିଁ ମନେ ମନେ ଚିନ୍ତା କରୁଥିଲେ ।

 

ବି.ଏ. ପରୀକ୍ଷାର ଫଳ ପ୍ରକାଶ ପାଇଲା । କମଳାକାନ୍ତ ‘ଦର୍ଶନଶାସ୍ତ୍ର’ରେ ପ୍ରଥମ ଶ୍ରେଣୀର ଅନର୍ସ ପାଇଛି । କଚେରିରେ ଖବରଟି ରାଷ୍ଟ୍ରହେବା ପାଇଁ ବେଶି ସମୟ ଲାଗିନଥିଲା । ବଡ଼ଠାରୁ ଛୋଟ ସମସ୍ତ ଅମଲା ମହୀକାନ୍ତଙ୍କୁ ଅଭିନନ୍ଦନ ଜଣାଇଲେ । ଚନ୍ଦ୍ର ଓକିଲ ଗୋଟିଏ ମକଦ୍ଦମାର ନମ୍ବର ଟିପିବା ପାଇଁ ମହୀକାନ୍ତଙ୍କ ନିକଟକୁ ଆସିଲେ । ବିନା ଦକ୍ଷିଣାରେ ମହୀକାନ୍ତଙ୍କଠାରୁ ଦଲିଲଟିଏର ନମ୍ବର ପାଇବା କଷ୍ଟ । ଚତୁର ଚନ୍ଦ୍ର, ଓକିଲ ଏଇ ସୁଯୋଗରେ ମୁହଁରେ ମୁହେଁ ହସ ଧରି ମହୀକାନ୍ତଙ୍କର ଦେହକୁ ଲାଗି କହିଲେ—‘‘ବୁଝିଲ ବରୁଆ, ଏବେ ଆଉ ହାତ ବନ୍ଦ କରି ବସିଲେ ଚଳିବ ନାହିଁ । କମଳାକାନ୍ତକୁ ସିଭିଲ୍‌ ସର୍ଭିସ୍‌ ସକାଶେ ଯତ୍ନ କରିବାକୁ କୁହ-। ଆମ ଜିଲ୍ଲାରୁ କେତେ ବର୍ଷ ହେଲା ହିନ୍ଦୁମାନେ ଚାନ୍‌ସ ପାଇନାହାନ୍ତି । ମୁଁ ଅଛି—ଏଥର ଭଲ କରି ମୁଭ୍‌ଟାଏ କରାଯିବ ।’’

 

ଚନ୍ଦ୍ର ଓକିଲ ନୂତନ-ସ୍ଥାପିତ ସନାତନ ଧର୍ମସଭାର ଲୋକାଲ୍‌ ସେକ୍ରେଟାରୀ । ଭବିଷ୍ୟତ ସହାୟତାର ଆଶାରେ ନାନା ନଥିପତ୍ର ଘଣ୍ଟାଘଣ୍ଟି କରି ମହୀକାନ୍ତ କିରାନି ସେଇ ମୁହୂର୍ତ୍ତରେ କାଗଜ ଖଣ୍ଡିକରେ ନଥି ନମ୍ବରଟି ଟିପି ଓକିଲଙ୍କୁ ଦେଲେ ।

 

ପରାଶ କଟକୀ ଗ୍ରେଜିଂ ଫାଇଲଟି ଆଗରେ ମେଲେଇ ଢିଲା ହୋଇଯାଇଥିବା ଚଷମାକୁ କପାଳକୁ ଉଠେଇ ସମ୍ମୁଖ ଧାଡ଼ିରେ ବସିଥିବା ଗଜେନ୍‌ ତାମୁଳୀ ଆଡ଼କୁ ଚାହିଁ ପଚାରିଲେ–‘‘ହଇହୋ ଗଜେନ୍‌, ବି. ଏ. ପରୀକ୍ଷାରେ ପୁଣି ଅନର୍ସ କଣ କି ?’’

 

ଗଜେନ୍‌ ତାମୁଳୀ କାମରେ ଭର୍ତ୍ତିହେବା ବେଶି ଦିନର ନୁହେଁ । କଲେଜରେ ଆଇ.ଏ. ଯାଏଁ ପଢ଼ିଥିଲେ । କଲେଜଶିକ୍ଷା ସମ୍ବନ୍ଧରେ ଯଥାର୍ଥଭାବେ କଥା ପଦେଅଧେ କହିପାରିବା ଲୋକ ହିସାବରେ ଅଫିସରେ କେବଳ ଗଜେନ୍‌ ତାମୁଳୀ ଗଣାହୁଅନ୍ତି । ସେଇ ଗୌରବରେ ଉତ୍‌ଫୁଲ୍ଲିତ ହୋଇ ଲେଖୁଥିବା ଡ୍ରାଫଟ୍‌ଟିକୁ ବ୍ଲଟିଂରେ ଚପାଇ ଧରି ଗଜେନ୍ ତାମୁଳୀ କହିଲେ—‘‘ଅନର୍ସରେ ଗୋଟିଏ ବିଷୟ ଅଧିକା ପଢ଼ିବାକୁ ପଡ଼ିଥାଏ; ମାଟ୍ରିକ୍ୟୁଲେସନ୍‌ରେ ଆଡ଼ିସନାଲ୍‌ ବିଷୟ ନେବା ପରି ।’’

 

ପରାଶ କଟକୀ ଚାଦର କାନିରେ ଆଖିକୋଣର ଲେଞ୍ଜେରା ଛଡ଼େଇ ମୁଣ୍ଡ ହଲେଇଲେ-। ଜୀବନ ଭୂୟାଁ ଦଲିଲଖଣ୍ଡେ ନକଲ କରୁଥିଲେ, ଧୀରେ ମୁଣ୍ଡଟି ଉଠାଇ ଉତ୍ସୁକ ଭାବେ ଗଜେନ୍ ତାମୁଳୀଙ୍କୁ ପଚାରିଲେ—‘‘ଅନର୍ସରେ ଫାଷ୍ଟକ୍ଳାସ୍‍ କଅଣ ତାମୂଳୀ ?’’

 

—‘‘ଫାଷ୍ଟ ଡିଭିଜନ ।’’ ପରାଶ କଟକୀ କଥାପଦକ ବେଶ୍ ଗମ୍ଭୀର ଭାବରେ କହି ସମ୍ମତି ପାଇବା ଆଶାରେ ଗଜେନ୍ ତାମୁଳୀ ମୁହଁକୁ ଚାହିଁଲେ ।

 

‘‘ଫାଷ୍ଟ ଡିଭିଜନ୍ କୁହାଯାଇପାରେ । ଚାରିଟି ପେପର । ପ୍ରତ୍ୟେକ ପେପର୍‌ରେ ଏଇଟ୍ଟୀ ପରସେଣ୍ଟ୍‌ ରଖିବାକୁ ପଡ଼ିବ ।’’

 

—‘‘ଏଇଟ୍ଟୀ ପରସେଣ୍ଟ୍‌ ରଖିବାଟା ତ କମ୍ ସହଜ କଥା ନୁହେଁ । ବରୁଆର ପୁଅ ତ ତେବେ ବେଶ୍ ନାମ କରି ପାଶ୍ କରିଛି ?’’ଜୀବନ ଭୂୟାଁ କହିଲେ ।

 

ମଣ୍ଡଳ ବିଭାଗର କିରାନି ପୀତାମ୍ବର ଦୂରରେ ରହି କାନ କୁଣ୍ଡେଇ କଥା ଶୁଣୁଥିଲେ । କଲମନାଡ଼ରେ ବାହାରିଥିବା କାନ-ଗୁହାକୁ ଟେବୁଲ ଉପରେ ବ୍ଲଟିଂରେ ପୋଛି କହିଲେ–‘‘ଦେଖୁଥିବ ବରୁଆର ପୁଅ ଆମ ଆଗରେ ହାକିମଙ୍କ ଚଉକିରେ ନିଶ୍ଚୟ ବସିବ ।’’

 

ଏପାଖ ସେପାଖ ଅନେଇ ଗଜେନ୍ ତାମୁଳୀ କହିଲେ—‘‘ହେବା ଦରକାର । ଏପରି ପିଲା ହାକିମ ଲାଏକ୍ । ଏବେ ଆମେ ଯେଉଁ କେତେଜଣଙ୍କୁ ପାଇଛେଁ ଡ୍ରାଫ୍‌ଟ ଖଣ୍ଡେ କଟାକଟି ନହେଲେ ଲେଖିପାରନ୍ତି ନାହିଁ । ଜଜ୍‌ମେଣ୍ଟ୍‌ ତ ଘରୁ ଲେଖି ଆଣିବା ଦରକାର ପଡ଼େ ।’’ ଭଲ ଡ୍ରାଫ୍‌ଟ କରେ ବୋଲି ତାମୁଳୀର ନାଁ ଅଛି ।

 

ଫାଇଲ୍‌ବିଡ଼ାରେ ଆଖି ବୁଲେଇ ପରାଶ କଟକୀ କହିଲେ—‘‘ସତରେ, ଆଜିକାଲି କେବଳ ଗ୍ରାଜୁଏଟ୍‌ । କିନ୍ତୁ ଆଗକାଳ ପରି ଇଂରାଜୀ ଲେଖିପାରୁଥିବା ଟୋକାଙ୍କ ଦେଖାନାହିଁ । ଆମର ବିଦ୍ୟା ଓକିଲ ଯେମିତି ଚର୍‌ଚର୍‌ ଇଂରେଜୀ ଲେଖି ପାରିବ ଆଜିକାଲିର ଗ୍ରାଜୁଏଟ୍‌ ତାଙ୍କ ସଙ୍ଗେ ତାଳ ଦେଇପାରିବେ ନା ? ବିଦ୍ୟା ଓକିଲ ମୋଟେ ମାଟ୍ରିକ୍‌ ପାଶ୍‌ କରିଛି ନା କଣ ?’’

 

ସମସ୍ତେ କଥାଟାକୁ ସମର୍ଥନ କଲେ । ଅନ୍ୟ ବସ୍ତୁ ପରି ବିଦ୍ୟା ପୁରୁଣା ହେଲେ ମଧ୍ୟ ଦାମ୍‌ ବଢ଼େ—ଏଇଟା ସତକଥା ।

 

ସିରସ୍ତାଦାର ଧରଣୀ ଫୁକନ୍‌ଙ୍କର ଆସିବାର ଶବ୍ଦ ଶୁଭିଲା । ପ୍ରତ୍ୟେକେ ନିଜ ନିଜ କାମରେ ମନୋନିବେଶ କଲେ । ପରାଶ କଟକୀ ଟେବୁଲ୍‌ର ପାଦରଖା କାଠରେ ପାଦ ରଖି ନିର୍ବୋଧ ଭଳି ଅନେଇ କଥା ପିଇଯାଉଥିବା ମିଠାରାମ ପିଆଦାକୁ ଫାଇଲ୍‌ଟା ସ୍ତିରସ୍ତାଦାରଙ୍କ ଟେବୁଲ୍‌ରେ ଥୋଇବାକୁ ଆଦେଶ ଦେଲେ । ବଡ଼ସାହେବଙ୍କ ନିକଟିକୁ ଯିବାର ଫାଇଲ୍ ସେଇଟା ।

 

ଧରଣୀ ଫୁକନ୍‌ ନିର୍ଦ୍ଦିଷ୍ଟ ଚଉକିରେ ବସି ଦୁର୍ଗା ଦୁର୍ଗା ସ୍ମରଣ କରି ମୁଣ୍ଡର କଳା କ୍ୟାପ୍‌ ଟେବୁଲ୍‌ରେ ଥୋଇଲେ । ଏ ଫାଇଲ୍‌ ସେ ଫାଇଲ୍‌ ଘଣ୍ଟାଘଣ୍ଟି କରି ଦେଖୁଥିଲା ବେଳେ ମିଠାରାମ୍‌ ପିଆଦାକୁ ଦେଖି ମହୀକାନ୍ତ ଆସିଛନ୍ତି ନା ନାହିଁ ପଚାରିଲେ । ଗଳାଚିପା କୋଟର ଗଳାବଟନ୍ ଖୋଲି ସିରସ୍ତାଦାର ଠିଆହେଲେ ।

 

ଦୁଇ ପାଖର କିରାନୀଧାଡ଼ିକୁ ଲକ୍ଷ୍ୟ କର ସିରସ୍ତାଦାର ସିଧାସଳଖ ମହୀକାନ୍ତଙ୍କ ଟେବୁଲ ନିକଟରେ ପହଞ୍ଚିଲେ । ଜମିଜମାର ସେଟେଲେମେଣ୍ଟ ବିଷୟରେ ଗୋଟିଏ ଡ୍ରାଫଟ ଲେଖିବାକୁ କାଲି ମହୀକାନ୍ତବାବୁଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପୁଅର ପାଶ୍ ସନ୍ଦେଶ ନେଇ ଆସିଥିବା ଟେଲିଗ୍ରାମ୍ ଆସିବାରୁ କାଲି ଚାରି ବାଜିବା ପୂର୍ବରୁ ମହୀକାନ୍ତ ଅଫିସ ଛାଡ଼ିଥିଲେ । ଆଜି ଆସି ତରବରରେ ସେୟାକୁ ଧରିଛନ୍ତି; କିନ୍ତୁ ଆଗଭଳି ଚର୍‌ଚର୍‌ କରି ଇଂରାଜୀ ଡ୍ରାଫ୍‌ଟର ଗତିଟି ପଇଟୁନାହିଁ । ଏଣେ ପୁଣି ଇଏ-ସିଏ ପୁଅ ବିଷୟରେ ନାନା କଥା ପଚରା-ଓଚରା କରିବାରେ ଡ୍ରାଫ୍‌ଟ ପାଇଁ ମନୋନିବେଶ କରିପାରିନାହାନ୍ତି । ସିରସ୍ତାଦାର ସେଇପାଇଁ ଆସି ଠିଆହୋଇଗଲେଣି ବୋଲି ଭାବ ମହୀକାନ୍ତ ଭୟ କରୁଛନ୍ତି । ଆଜି କିନ୍ତୁ ବିଧି ସୁପ୍ରସନ୍ନ ! ସିରସ୍ତାଦାର ମହୀକାନ୍ତଙ୍କୁ କଂଗ୍ରାଚୁଲେସନ୍ ଜଣାଇବା ଉଦ୍ଦେଶ୍ୟରେ ଆସି ପହଞ୍ଚିଛନ୍ତି । କମଳାକାନ୍ତ ଫାଷ୍ଟକ୍ଳାସ୍‍ ଅନର୍ସ ପାଇବାରେ ସେ ଯେ କେତେ ଦୂର ଆନନ୍ଦିତ-ନିଜ ପୁଅ ବି ଏତେ ବ୍ରିଲିଏଣ୍ଟ ରେଜଲ୍‌ଟ କରିଥିଲେ । ସିରସ୍ତାଦାର ସେପରି ଆନନ୍ଦିତ ହୋଇପାରିନଥାନ୍ତେ । ଯଦିଓ ଚାରିଥର ପରେ ପୁଅ ତାଙ୍କର ଆଇ. ଏ. ପାଶ୍‌ କରି ନପାରି ଏବେ ଏକ ବ୍ୟବସାୟରେ ପଶିଛି ।

 

—‘‘ତମ ପୁଅର ରେଜଲ୍‌ଟ ଯେ ଭଲହେବ, ମୁଁ ଏକଥା ଆଗରୁ କହୁନଥିଲି ? ବାପଙ୍କୁ ଚାହିଁ ପୁଅ । କିରାନି ହେଲ ବୋଲି ଯେ ତମମାନଙ୍କର ବୁଦ୍ଧି ସୁଦ୍ଧି ନାହିଁ, ଏକଥା କଣ କୁହାଯାଇପାରେ ? ଓକିଲମାନେ ଦେଖନ୍ତୁ, କିରାନି ଘରେ ବି କେମିତି ବ୍ରିଲିଏଣ୍ଟ ପିଲା ବାହାରନ୍ତି । ଏବେ ଗୋଟାଏ କାମ କର ବରୁଆ ପୁଅ ହାତରେ ସିଭିଲ ସର୍ଭି ପାଇଁ ଦରଖାସ୍ତ ଖଣ୍ଡେ ଦିଆଅ । ଆମର ଏଇ ଜିମସ୍‌ ସାହେବ ଥିବା ଭିତରେ ଭଲକରି ରେକମେଣ୍ଡେସନ୍‌ କରାଇନେବା । ୟେ ଏବେ ଛୁଟିରେ ଯିବା କଥା ଶୁଣାଯାଉଛି; ତା ଆଗରୁ କରାଇବାକୁ ହେବ । ସେଇଟା ମୁଁ କରାଇନେଇପାରିବି ।’’

 

ବଡ଼ସାହେବଙ୍କର ଅଫିସିଏଲ୍ ତଥା ଘରୋଇ ସିକ୍ରେଟ ସବୁ ସିରସ୍ତାଦାର ଜାଣନ୍ତି ବୋଲି ଲୋକେ କହନ୍ତି । ବଡ଼ସାହେବଙ୍କୁ ସିରସ୍ତାଦାର ହାତମୁଠାରେ ରଖିଛନ୍ତି—ଏଇ କଥା ବି କିରାନିମହଲର ଗଳ୍ପ, ଗୁଜବ । ଯେଉଁ ସିରସ୍ତାଦାର ମହୀକାନ୍ତଙ୍କୁ ‘‘ତୁମେ ଅଣ୍ଡର୍‌ମାଟ୍ରିକ୍‌, ଅଫିସ୍‌ କାମରେ ସାବଧାନ ହେବ—ଆଜିକାଲି ଅଣ୍ଡର୍‌ମାଟ୍ରିକ୍‌ଙ୍କୁ କାମରେ ନରଖିବାକୁ ସରକାର ସାର୍କୁଲାର୍ ଦେଇଛନ୍ତି.....ବୋଲି ସଦାସର୍ବଦା ଚେତେଇ କହୁଥାନ୍ତି, ସେ ପୁଣି ଉପରେ ପଡ଼ି କମଳାକାନ୍ତ ପାଇଁ ବଡ଼ସାହେବଙ୍କର ରେକମଣ୍ଡସନ୍ ଅଣାଇଦେବେ ବୋଲି ଆଶ୍ଵାସ ଦେବାରୁ ମହୀକାନ୍ତ, ପୁଅ ହାକିମ ହେବାର ଦିବାସ୍ଵପ୍ନ ଦେଖିଲେ । ପୁଅ ପ୍ରତି ଯେ ଅନ୍ୟମାନେ ଏତେ ଉଚ୍ଚ ମତ ପୋଷଣ କରିଥିଲେ, ସମସ୍ତେ ଯେ କମଳାକାନ୍ତକୁ ହାକିମ ସ୍ଵରୂପେ ପାଇବାକୁ ଉଦ୍‌ଗ୍ରୀବ ହୋଇଅଛନ୍ତି, ଏଇ କଥା ମହୀକାନ୍ତ ସ୍ଵପ୍ନରେ ସୁଦ୍ଧା ଭାବି ନଥିଲେ—ବଡ଼ ବେଶି ହେଲେ ବି. ଏ. ପାଶ୍‌ କରି ପୁଅ ଯଦି କୌଣସିମତେ ସ୍କୁଲରେ ଭର୍ତ୍ତି ହୋଇପାରେ ! ସୁବିଧା କମଳାକାନ୍ତକୁ ସ୍କୁଲରେ ଚାନ୍‌ସଟାଏ ଦେବାକୁ ସେଦିନ ଜର୍ଜ ଇନ୍‌ଷ୍ଟି ଟ୍ୟୁସନ୍‌ର ହେଡମାଷ୍ଟର ଶ୍ରୀଯୁକ୍ତ ଫୁକନଙ୍କୁ ଅନୁରୋଧ କରିଥିଲେ । ବାପ ହୋଇ ପୁଅର ଉଜ୍ଜ୍ୱଳ ଭବିଷ୍ୟତକୁ ଏପରି ଭାବରେ ନଷ୍ଟ କରିବା ପାଇଁ ଅଭିସନ୍ଧି କରିବାଟା—ମହୀକାନ୍ତ ନିଜ ବୁଦ୍ଧିରେ ନିଜେ ହିଁ ଲଜ୍ଜା ପାଇଲେ ।

 

ଆଠ

 

ନିଜର ଇଚ୍ଛା ନଥିଲେ ବି ହିତାକାଂକ୍ଷୀମାନଙ୍କର ଉତ୍ସାହରେ କମଳାକାନ୍ତ ସିଭିଲ୍‌ ସର୍ଭିସ ଫର୍ମ ଫିଲ୍‌ଅଫ୍‌ କଲା । ଦରଖାସ୍ତ ସଙ୍ଗରେ ଦୁଇ ଚାରିଜଣ ଗଣ୍ୟମାନ୍ୟ ବ୍ୟକ୍ତିଙ୍କର ସାର୍ଟିଫିକେଟ୍ ଗୁନ୍ଥି ବା ଆବଶ୍ୟକ । ଦିବୃଗଡ଼ର ପ୍ରାର୍ଥୀ ନିମନ୍ତେ ରାୟବାହାଦୁର ମାଣିକ ହାଜରିକାଙ୍କର ସାର୍ଟିଫିକେଟ ଅତ୍ୟନ୍ତ ମୂଲ୍ୟବାନ୍‌ । ଚାକିରିପ୍ରାପ୍ତିର ଅଧିକାଂଶ ଭାଗ ରାୟବାହାଦୁରଙ୍କ ସାର୍ଟିଫିକେଟ ଉପରେ ନିର୍ଭର କରେ । ବଡ଼ସାହେବ, କମିସନରଙ୍କଠାରୁ ଆରମ୍ଭ କରି ଲାଟ୍‌ ସାହେବଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସହିତ ତାଙ୍କର ପର୍ଶନାଲ ପରିଚୟ ଅଛି ।

 

ରାୟବାହାଦୂର ମାଣିକ ହାଜରିକା ନିଜର ଅଧ୍ୟବସାୟରେ ଧନିକ ହୋଇଛନ୍ତି । ମଣିଷ ମୁହଁରୁ ଶୁଣାକଥା—ପ୍ରଥମ ଅବସ୍ଥାରେ ମାଣିକ ମହରୀ ହିନ୍ଦୁସ୍ଥାନୀ ଅବକାରୀ ଠିକାଦାରଙ୍କ ଗୁମସ୍ତା ଥିଲେ । ଠିକାଦାର ଦେଶକୁ ଫେରିଯିବାରୁ ସେଇ ଠିକାଦାରଙ୍କ ଅର୍ଥ ସାହାଯ୍ୟରେ ମାଣିକ ମହରୀ ପରେ ନିଜ ନାମରେ ଅଫିମ ଠିକା ନେଲେ । ସେକାଳର ଅସମୀୟା ବ୍ୟକ୍ତି ଅବକାରୀ ଠିକା ନେବାଟାକୁ ଅପମାନବୋଧ କରି ତା’ ପାଖ ପଶୁନଥିଲେ; କିନ୍ତୁ ଚୋରାରେ ଅଫିମ ବିକ୍ରି କରି ଧନୀ ବନିବାର ସହଜ ଉପାୟ ଥିଲା । ଧନ ଯୋଗାଡ଼ର ସହଜ ଉପାୟଟିଏ ଯେତେବେଳେ ମାଣିକ ମହରୀ ଆୟୁତ୍ତାଧୀନ କଲେ, ଘୋଡ଼ା-ଦୌଡ଼ରେ ଦ୍ରୁତଗାମୀ ଘୋଡ଼ା ସଦୃଶ ଟଙ୍କା ବି ଦୌଡ଼ିଆସି ତାଙ୍କର ସିନ୍ଧୁକ ପୂରଣ କରିବାକୁ ବେଶି ଦିନ ଲାଗିନଥିଲା । ଯିଏ ବ୍ୟବସାୟରୁ ଧନ ଘଟାଏ, ସିଏ ହିଁ ବ୍ୟବସାୟରେ ଧନ ଖଟାଇବାକୁ ସାହସ କରେ । ନିଜେ କେନ୍ଦ୍ରରେ ରହି ମାକଡ଼ସା ଯେପରି ନିଜର ଚାରିଆଡ଼େ ଜାଲ ବିସ୍ତାର କରିଥାଏ, ସେପରି ହାଜରିକା ମଧ୍ୟ ଅବକାରୀ ଭିତରେ ରହି ବିଭିନ୍ନ ବ୍ୟବସାୟର ଜାଲ ବିଛେଇଲେ । ଭାଗ୍ୟ ମାଣିକ ମହରୀକୁ ସର୍ବଦା ଅଯାଚିତ ଅନୁଗ୍ରହ କରି ଆସିଛି । ଦେଖୁ ଦେଖୁ ଅବକାରୀ ଠିକାଦାର ମାଣିକ ମହରୀ ‘ଟି-ପ୍ଳାଣ୍ଟର’ ମାଣିକ ହାଜରିକାରେ ରୂପାନ୍ତରିତ ହେଲେ । ମଣିଷ ପାଖକୁ ଯେତେବେଳେ ଧନର ସୌଭାଗ୍ୟ ସଖ୍ୟ ଯୋଗାଏ, ସେତେବେଳେ ମା’ ସହିତ ଶିଶୁ ସଦୃଶ ମାନ, ଯଶ, ପଦର ଗୌରବ ଆପେ ଆପେ ପାଖକୁ ଚାଲିଆସନ୍ତି । ମ୍ୟୁନିସିପାଲଟି, ଲୋକାଲ୍‌ବୋର୍ଡ, କାଉନ୍‌ସିଲ୍‌ ଆଦିର ନମିନେଟେଡ଼ ମେମ୍ବର ହୋଇ ରାଜ୍ୟ ତଥା ରାଜା, ଉଭୟ ଗୃହରେ ରାୟବାହାଦୂର ମାଣିକ ହାଜରିକାଙ୍କ ପ୍ରତିପତ୍ତି ବଢ଼ିବାକୁ ଲାଗିଲା । ଢେଉ ଉପରେ ପାଲଟଣା ନୌକା ସଦୃଶ ମାଣିକ ମହରୀ ଜୀବନ-ସମୁଦ୍ରରେ ନାଚି ନାଚି ଭାସିଚାଲିଲେ ।

 

ରାୟବାହାଦୂର ମାଣିକ ହାଜରିକାଙ୍କ ଯଶ-ଗୌରବ, ପ୍ରତିପତ୍ତି, ଚାଲିଚଳନ ବିଷୟରେ କମଳାକାନ୍ତ ସତ୍ୟ ତଥା ଅତିରଞ୍ଜିତ ବହୁତ କଥା ଶୁଣିଛି । କିନ୍ତୁ କିରାନିପୁଅ କମଳାକାନ୍ତ ସେସବୁର କଣ୍ଟାକ୍‌ଟରେ ଆସିବାର ସୌଭାଗ୍ୟ ଘଟିନଥିଲା । ସ୍କୁଲରେ ପଢୁଥିବା ସମୟରେ କମଳାକାନ୍ତ ରାୟବାହାଦୁରଙ୍କ କୋଠି ସମ୍ମୁଖ ଦେଇ ନାନା ସମୟରେ ଯା-ଆସ କରିଛି; କିନ୍ତୁ ସେଇ ବୃହତ୍ ବଙ୍ଗଳାର ସମ୍ମୁଖ ଦେଇ ଯିବାକୁ ପଡ଼ିଲେ ନିଜର ଅଜ୍ଞାତସାରରେ ନିଃଶବ୍ଦରେ ତଥା ଅତି ସଙ୍କୋଚରେ ତଳମୁହାଁ ହୋଇଯାଏ । କମଳାକାନ୍ତ ଭାଗବତଘରେ ଗାଦି ଉପରେ ରଖା ପୋଥିକୁ ଦେଖିନାହିଁ-ଦେଖିଛି କେବଳ ତାକୁ ଢାଙ୍କିଥିବା ଫୁଲାମ-ଗାମୁଛା ଖଣ୍ଡିକୁ । ସେଇଭଳି ରାୟବାହାଦୁରଙ୍କ କୋଠିର ବାହାରର ପକ୍‌କା ୱାଲ୍‌ କେଇଟା କେବଳ ଦେଖିଛି-ତା’ ଭିତରେ କଣ ଅଛି ଜାଣିନଥିଲା କିମ୍ବା ଜାଣିବାକୁ ଆଗ୍ରହ ମଧ୍ୟ ପ୍ରକାଶ କରିନଥିଲା ।

 

ୟା’ଠୁ ୟା’ଠୁ କମଳାକାନ୍ତ ଜାଣିବାକୁ ପାଇଲା ସେ ରାୟବାହାଦୁରଙ୍କୁ ସକାଳେ ସାକ୍ଷାତ କରିପାରିଲେ ଭଲ । ‘ଟି-ମାର୍କେଟି’ର ଉଠ-ପଡ଼ ଅଥବା କିରାନି ମୋହରିରମାନଙ୍କ ଦୋଷ ତ୍ରୁଟିର ସମ୍ବାଦ ରାୟବାହାଦୂରଙ୍କୁ ସକାଳେ ସ୍ପର୍ଶ କରିନଥାଏ; ଫଳତଃ ମେଜାଜ୍‌ଟି ସେଇ ସମୟରେ ‘ବରଦ-ମୁଦ୍ରା’ରେ ଥାଏ ।

 

ସୋମବାର, ଦ୍ଵାଦଶୀ ତିଥି; ୫ । ୨୯ । ୪୭ ଗତେ ନକ୍ଷତ୍ରାମୃତ ଯୋଗଯାତ୍ରା ଶୁଭ । ଅନ୍ୟ ଦିନ ଅପେକ୍ଷା ସେଦିନ ସକାଳେ କମଳାକାନ୍ତ ଅପେକ୍ଷାକୃତ ସଅଳ ଶଯ୍ୟାତ୍ୟାଗ କଲା । କମଳାକାନ୍ତର ସଂକଳ୍ପ ଯେ ସେ ସକାଳ ସାତଟାରେ ଘରୁ ବାହାରିବ । ଚାହା ଜଳଖିଆ ଖାଇ ଉଠିଲାବେଳାକୁ ସାଢ଼େ ଛଅ । କ’ଣ ପିନ୍ଧି ଯିବ, ଗତ ରାତିରୁ ପ୍ରାୟ ଠିକ୍‌ଠାକ୍‌ ହୋଇ ରଖାହୋଇଥିଲା । ବାସୀ ଧୋତି-କାମିଜ ପିନ୍ଧି ପାଦରେ ନୂଆ ଜୋତାକୁ ପୂରାଇନେଲା । ଖାଲି କାମିଜଟା ପିନ୍ଧି ଗଲେ ପିଲାଟିଏ ବୋଲି ଭାବିପାରନ୍ତି । ଖଟତଳୁ ସୁଟ୍‌କେଶ୍‌ଟା ଟାଣିଆଣି କପଡ଼ାଲତାର ସବା ତଳେ ପଡ଼ିଥିବା କୋଟ୍‌ଟି ବାହାର କରି ପିନ୍ଧିଲା । ଦୁଇବର୍ଷ ପୂର୍ବେ ତିଆରି କୋଟଟି ଚାରି ଆଙ୍ଗୁଳ ଛୋଟ । କାମିଜର ବହୁତ ଉପରକୁ ଉଠିଥାଏ । ଦୁଇ ହାତରେ ଧରି ତଳକୁ ଟାଣିଲା, ଖାଲି ଟାଣିଲା । ହିମାଳୟ ସଦୃଶ କୋଟ ଅଚଳ-ଅଥର୍ବ । ବୟସ ଯେତେ ବଢ଼େ-ମଣିଷ ହୁଏ ବଡ଼, କାମିଜ ହୁଏ ଛୋଟ; ଏଇ ତଥ୍ୟ କମଳାକାନ୍ତ ଆଜି ହିଁ ଆବିଷ୍କାର କଲା ।

 

ହାତଘଡ଼ିକୁ କମଳାକାନ୍ତ ଘନ ଘନ ଅନଉଛି । ଦଶ ମିନିଟ ପାରହେଲା; କୋଟ ପିନ୍ଧା ହେଲାନାହିଁ । କୋଟଟି ବିଛଣା ଉପରେ ଲମ୍ବେ ଲମ୍ବେ ଥୋଇ ଦେଇ, ଭଉଣୀ ମାକଣିକୁ ଡାକି ଚାଦରଖଣ୍ଡେ ଅଣାଇଲା । କେବେ ଦେହରେ ଚାଦର ପକାଇବାର ପୂର୍ବାଭ୍ୟାସ ନାହିଁ । ଭାଇଙ୍କର ନୂତନ ବେଶ ଦେଖି ମାକଣି ମୁଚୁକି ମୁଚୁକି ହସିଲା । ପ୍ରତ୍ୟେକ ମଣିଷର ଚାଲିଚଳନ ପରି ପୋଷାକ-ପରିଚ୍ଛଦର ମଧ୍ୟ ଏକ ନିଜସ୍ଵ ଧରଣ ଅଛି । ସେଥିରୁ ସାମାନ୍ୟ ବ୍ୟତିକ୍ରମ ଘଟିବା ଅର୍ଥ, ଅଭିନୟ । ଚାଦରକୁ ଦେହରେ ପକାଇ କମଳାକାନ୍ତ ନିଜେ ବି ହସିପକେଇଲା । ମିନିଟ୍‌କଣ୍ଟା ଚାରିଅଙ୍କକୁ ଛୁଇଁବ ଛୁଇଁବ ହେଉଛି । ଚାଦର ଦରକାର ନାହିଁ.....କେବଳ କାମିଜଟି ପିନ୍ଧି କମଳାକାନ୍ତ ନୂଆ ଜୋତାରେ ମଚ୍‌ମଚ୍‌ ଶବ୍ଦ କରି ବାହାରିଗଲା । କମଳାକାନ୍ତ ଭାବିଲା, ରାୟବାହାଦୂରଙ୍କ କୋଠିରେ ପହଞ୍ଚିବାକୁ ବେଶି ନ ହେଲେ ବି ଅଧଘଣ୍ଟାଏ ଲାଗିବ । କିନ୍ତୁ ମନର ଉତ୍ସାହରେ ଚରଣର ଗତି ଏତେ ଖରତର ହେଲା ଯେ ସେ କେଉଁ ବାଟରେ କେତେ ବେଗରେ ଆସିଲା, ନିଜେ ଅନୁମାନ କରିପାରିଲା ନାହିଁ । ରାୟବାହାଦୂରଙ୍କ କୋଠିର ଓସାରିଆ ଗେଟ୍ ନିକଟରେ ଅଟକିରହି ଦେଖିଲା ଯେ ଆଠ ବାଜିବାକୁ ତେବେ ବି କୋଡ଼ିଏ ମିନିଟି ବାକି । ଆଠଟା ପୂର୍ବରୁ ରାୟବାହାଦୁରଙ୍କ ବ୍ରେକ୍‌ଫାଷ୍ଟ ସରିନଥାଏ । ଫଳତଃ ତା’ ଆଗରୁ ଭିତରେ ପ୍ରବେଶ କରି ଲାଭ ନାହିଁ । ଏପାଖ ସେପାଖ ଅନେଇବାରୁ ଆଖିରେ ପଡ଼ିନଥିବା ଶାଳ-କାଠର ଗେଟ୍‌ଟି କମଳାକାନ୍ତକୁ ନୂଆ ରୂପରେ ଦେଖାଦେଲା । ବନ୍ଦ ଥିବା ଗେଟ୍‌ରେ ରେଲିଂଫାଙ୍କରେ ଆଖି ଦି’ଟା ତା’ର ଭିତରକୁ ବୋଲି ଚାଲିଗଲା । ଗେଟ୍‌ଠାରୁ ବଙ୍ଗଳାର ଦୂରତ୍ଵ ବେଶ୍ କିଛି; ସେଥିରେ ପୁଣି ସାମନାଟି ଗଛଲତାରେ ଭରା । ବାରଣ୍ଡାରେ ମଣିଷ ଅଛନ୍ତି ନା ନାହିଁ, ଜାଣିବାର ଉପାୟ ନାହିଁ । ହାତରେ ଥିବା ବାକି କେଇ ମିନିଟ୍‌ ରାସ୍ତାରେ ଟହଲି ଟହଲି କଟାଇବାକୁ ମନସ୍ଥ କଲା ।

 

ପ୍ରୟୋଜନ ନଥିଲେ ହଡ଼ାଗୋରୁକୁ ଠେଲିଲେ, ପେଲିଲେ ମଧ୍ୟ ଯେପରି ଆଗକୁ ଯାଏନା, କମଳାକାନ୍ତର ସମୟ ସେଭଳି ହେଇଛି । ପରୀକ୍ଷା ହଲ୍‌ରେ କିନ୍ତୁ ଏଇ ସମୟ ଚାହଁ ନଚାହଁ ଏରୋପ୍ଲେନ୍‌ର ଗତିରେ ଘର୍‌ ଘର୍‌ କରି ଉଡ଼ିଯାଏ । ବାରମ୍ବାର ଘଡ଼ିକୁ ଚାହିଁ କମଳାକାନ୍ତର ବିରକ୍ତି ଆସିଗଲାଣି । ଦେଖୁଛି, ଯେମିତି ମିନଟ୍‌ କଣ୍ଟାଟି ଘୂରୁନାହିଁ । ସକାଳୁ ଉଠି ଦମ୍‌ ଦେବାକୁ ଭୁଲିଯାଇନି ତ ! ହାତକୁ ଝାଡ଼ ଘଡ଼ିଟିକୁ କାନପାଖରେ ରଖିଲା-ଟିକ୍‌-ଟିକ୍‌-ଟିକ୍‌ । ଠିକ୍‌ ତ ଚାଲୁଛି । ‘ନାଇଁ, ପାଞ୍ଚମିନଟ୍‌ ନ ହେବାଯାଏଁ ଘଡ଼ିକୁ ଚାହିଁବି ନାହିଁ । ସେଇ ବକୁଳମୂଳରୁ ଘୂରି ଆସେଁ । ’ ବକୁଳମୂଳକୁ କିନ୍ତୁ ଯିବା ନହେଲା । ବିଳମ୍ବ ହୋଇଯିବ ଭାବି ଅଳ୍ପ ଆଗେଇଯାଇ ଫେରିଲା । ପାଞ୍ଚମିନିଟ୍‌ ପାଇଁ ଘଡ଼ିକୁ ଚାହିଁବନି ବୋଲି ସଂକଳ୍ପ କରିଥିଲେ ବି ନିଜର ଅଜ୍ଞାତସାରରେ ଘଡ଼ିକୁ ଚାହିଁଲା । ପରୀକ୍ଷା ପରବର୍ତ୍ତୀ ଦିନଗୁଡ଼ିକ ନଯିବା, ନସରିବା ପରି ମିନିଟ୍ କଣ୍ଟା ଅତି ମନ୍ଥର ଗତିରେ ଚାଲିଛି । ଓଃ......ଏତେ ସମୟ ପରେ ବି ମାତ୍ର ତିନି ମିନିଟ୍‌ ଆଗେଇଛି !!! ଏମିତି ଆଉ କେତେ ଟହଲିବ ? ଆଠ ବାଜିବାକୁ ପାଞ୍ଚମିନିଟ୍‌ ବାକି । କମଳାକାନ୍ତ ଅତି ସନ୍ତର୍ପଣରେ ଚକଲଗା ଗେଟ୍‌କୁ ଠେଲି ଭିତରେ ପ୍ରବେଶ କଲା ।

 

ଗେଟ୍‌ଠାରୁ ବଙ୍ଗଳାଯାଏ ରାସ୍ତାର ଦୁଇକଡ଼ରେ ଦେବଦାରୁ ଏବଂ ପାମ୍ ଗଛର ଧାଡ଼ି । ସମ୍ମୁଖରେ ବିବିଧ ରଙ୍ଗର ଜାତିଜାତିକା ବିଲାତି ଫୁଲର ବଗିଚା । ହରିଣଶିଙ୍ଗର ସୌନ୍ଦର୍ଯ୍ୟ ପରି ଶାଖାପ୍ରଶାଖା ପ୍ରଯୁକ୍ତ ରକମ ରକମର ଗଛଲତା ଚାରିଆଡ଼କୁ ମାଡ଼ି ବଙ୍ଗଳାର ସୌନ୍ଦର୍ଯ୍ୟ ତଥା ଗାମ୍ଭୀର୍ଯ୍ୟକୁ ବଢ଼େଇଦଉଛି । କମଳାକାନ୍ତ ସଭୟେ ପାହାଚରେ ଉଠି ବିସ୍ତୃତ ବାରଣ୍ଡାରେ ପାଦଦେଲା । ବାରଣ୍ଡା ଗୋଟାକଯାକ ବିଭିନ୍ନ ଉପାଦାନରେ ନିର୍ମିତ ଚଉକି ଟେବୁଲରେ ସଜ୍ଜିତ । ବସିବ ନା ଠିଆହୋଇ ରହିବ, ଠିକ୍ କରି ନ ପାରି କମଳାକାନ୍ତ ଅଗତ୍ୟା କିଛି ସମୟ ଠିଆ ହୋଇ ରହିଲା । କିନ୍ତୁ ଆତ୍ମସମ୍ମାନ ଲାଘବ ହେବ ବୋଲି ପର ମୁହୂର୍ତ୍ତରେ ନିକଟସ୍ଥ ଚଉକି ଖଣ୍ଡିକରେ ସନ୍ତର୍ପଣରେ ବସି ଭିତରୁ କେହି ଆସିବା ବାଟକୁ ଉତ୍କଣ୍ଠିତ ହୋଇ ଅପେକ୍ଷା କରି ରହିଲା ।

 

ଧ୍ୟାନମଗ୍ନ ବୁଦ୍ଧମୂର୍ତ୍ତି ସଦୃଶ ନିଶ୍ଚଳ ହୋଇ କେତେ ସମୟ ବସିରହିଲା, କମଳାକାନ୍ତ ନିଜେ ବି ଜାଣିପାରିଲା ନାହିଁ । ହାତଟେକି ଘଡ଼ିକୁ ଚାହିଁବାକୁ ବି ସଙ୍କୋଚବୋଧ ହେଉଛି । ହଠାତ୍ ସେଇ ବିରକ୍ତିକର ନିଃଶବ୍ଦତା ଭିତରେ ସ୍ୟାଣ୍ଡେଲର ଫଟ୍‌ଫଟ୍‌ ମୃଦୁ-ମଧୁ-ଧ୍ୱନି କାନରେ ପଡ଼ିଲା । ଦୂରର ବଂଶୀସ୍ଵନ ଶୁଣି ହରଣୀ କାନ ଠିଆକରି ଶୁଣିଲା ଭଳି ପଦଧ୍ୱନିର ଆଗମନକୁ ଉତ୍କଣ୍ଠିତ ହୋଇ ପ୍ରତୀକ୍ଷା କଲା କମଳାକାନ୍ତ । ଦେଖୁଁ ଦେଖୁଁ କାଞ୍ଚନଫୁଲ ରଙ୍ଗର ଚାଦରରେ ଢେଉ ତୋଳି ଉଚ୍ଛ୍ଵସିତ ହସ-ମୁଖର ଲବଣୀ-ପିତୁଳା ଝିଅଟିଏ ବାରଣ୍ଡାରେ ଉପସ୍ଥିତ ହେଲା । ଆକସ୍ମିକ ଦର୍ଶନ ସକାଶେ ପ୍ରସ୍ତୁତ ନଥିବାରୁ ଅଭ୍ୟର୍ଥନା ତଥା ଅଭିବାଦନର ପ୍ରଚଳିତ ନିୟମ ନଜାଣି କମଳାକାନ୍ତ, ନିର୍ବାକ୍‌ ବିସ୍ମୟରେ ଚଉକିରୁ ଉଠି ଠିଆହେଲା ।

 

କମଳାକାନ୍ତକୁ ବାରଣ୍ଡାରେ ଦେଖିବାକୁ ପାଇ ରାୟବାହାଦୁରଙ୍କ କନିଷ୍ଠାକନ୍ୟା ସୁପ୍ରଭା ଥମକି ଠିଆହେଲା । ନିଜକୁ ସଂଯତ କରି ପରମୁହୂର୍ତ୍ତରେ କହିଲା—‘‘ଆପଣ ବାପାଙ୍କୁ ଅପେକ୍ଷା କରିଛନ୍ତି ? ଆଚ୍ଛା, ରହନ୍ତୁ, ମୁଁ ଖବର ଦଉଛି । ସେ ଏବେ ବାହାରକୁ ବାହାରିବେ ।’’

 

ବିଲାତୀ ସେଣ୍ଟର ସୌରଭର ଅବଶେଷକୁ ବିଚ୍ଛୁରିତ କରି, ଲାସ୍ୟମୟୀ ଅଙ୍ଗଭଙ୍ଗମାରି ମାଧ୍ୟମରେ ସୁପ୍ରଭା ଅନ୍ତର୍ହିତ ହେଲା । ଦୁଆରର ପରଦାତଳ ଦେଇ କମଳାକାନ୍ତର ନିରୀହ ଆଖି ଦି’ଟା ହେମେଲିନ୍‌ର ମୂଷା ସଦୃଶ କୁମାରୀର ପଦଯୁଗଳକୁ ଅନୁସରଣ କଲା । ଆଙ୍ଗୁଳିଟିପରେ ଭରାଦେଇ, ଝୁଲା-ଦୋହଲା ଚରଣପାତରେ ଚମ୍ପାରଙ୍ଗର ମେଖଳାଟି ଉପରକୁ ଫର୍‌ଫର୍‌ ହେଉଥିବାରୁ ପାଦର ଗୋରାରଙ୍ଗ ଉଲଗ୍ନ ହୋଇପଡ଼ୁଥିଲା । ଚିକ୍‌କଣ, ଗୋରା-ତକତକ ଅପୂର୍ବ ପଦ-ସୌନ୍ଦର୍ଯ୍ୟକୁ କମଳାକାନ୍ତ ଲୋଲୁପ ଦୃଷ୍ଟିରେ ଅନେଇରହିଲା ।

 

ଭଲ ଛାତ୍ର ହିସାବରେ କମଳାକାନ୍ତର ନାଁ ଦିବୃଗଡ଼ର ଛାତ୍ରଛାତ୍ରୀ ଉଭୟ ମହଲରେ ଜଣାଶୁଣା । ସାହିତ୍ୟ ତଥା ସଭା-ସମିତି ପ୍ରତି ମଧ୍ୟ କମଳାକାନ୍ତର ଅନୁରାଗ ଥାଏ । ମଝିରେ ମଝିରେ ଅମଲାପଡ଼ାର ଥିଏଟର ଘରେ ବସୁଥିବା ଏ. ଏସ. ଏଲ. କ୍ଲବର ଅଧିବେଶନରେ ଦର୍ଶନର ପ୍ରବନ୍ଧ ତଥା ଦେଶାତ୍ମବୋଧକ କବିତା ବି କମଳାକାନ୍ତ ପାଠ କରିଛି । ନାମ, ଯଶ ପ୍ରଚାର କରିବା ପାଇଁ ସହଜ ପନ୍ଥା ରୂପେ ଆମ ଦେଶରେ ସାହିତ୍ୟ-ସାଧନା ସଦୃଶ ଅନ୍ୟ କିଛି ନାହିଁ । ଫଳରେ ନିଜେ ନଜାଣିଲେ ବି କମଳାକାନ୍ତକୁ ଚିହ୍ନିବା ତଥା ତା’ ଉଦ୍ଦେଶ୍ୟରେ ନିଭୃତରେ ଅର୍ଘ୍ୟଦାନ କରୁଥିବା ଝିଅ ଊଣା ଅଧିକ ଦୁଇ ଦେଢ଼କୋଡ଼ି ବାହାରିବେ । ରାୟବାହାଦୂରଙ୍କ କନିଷ୍ଠା କନ୍ୟା ସୁପ୍ରଭା ଗାର୍ଲସ୍‌ ସ୍କୁଲର ଦଶମ ଶ୍ରେଣୀରେ ପଢ଼େ । କମଳାକାନ୍ତକୁ ପୂର୍ବେ ବହୁବାର ଦେଖିଥିବା ସୁପ୍ରଭାର ମନରେ ଅଛି । ଫିଲୋସଫିରେ ଫାଷ୍ଟକ୍ଳାସ ପାଇବା ସମ୍ବାଦ ମଧ୍ୟ ସେ ପାଇଛି । ବି.ଏ. ପାଶ୍ କରିଥିବା ପିଲା ବାପାଙ୍କ ପାଖକୁ ସାର୍ଟିଫିକେଟ ପାଇଁ ଆସନ୍ତି । କମଳାକାନ୍ତର ଆସିବାର ଉଦ୍ଦେଶ୍ୟ ସେଇଆ—ଛବିବହିର ଛବିଯୁକ୍ତ ଅକ୍ଷର ଭଳି ସୁପ୍ରଭା ମନରେ ସହଜ ଭାବରେ ଦେଖାଦେଲା ।

 

ରାୟବାହାଦୂର ବ୍ରେକ୍‌ଫାଷ୍ଟ ସାରି ଚା’ବଗିଚା ପରିଦର୍ଶନାର୍ଥେ ବାହାରୁଥିଲେ । ଗେରେଜ୍‌ରୁ ଡ୍ରାଇଭର ମଟରଗାଡ଼ି ବାହାର କରି ଆଣି ଗେଟ୍‌ରେ ‘ଖାଡ଼ା’ କରିଛି ନା ନାହିଁ, ସେଇଆ ଦେଖିବାକୁ ସୁପ୍ରଭା ବାହାରକୁ ଆସିଥିଲା । ମହୀକାନ୍ତର ପୁଅ ଆସିଛି ଶୁଣି ଝିଅକୁ ଚାହା କପେ ବାହାରକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇ ରାୟବାହାଦୂର ବାହାରକୁ ଆସିଲେ ।

 

ମହୀକାନ୍ତ କିରାନିକୁ ରାୟବାହାଦୂର ଚିହ୍ନନ୍ତି । ତାଙ୍କ ପୁଅକୁ ଦେଖିନାହାନ୍ତି ଯଦିଓ, ଗତ ସପ୍ତାହର ‘ଟାଇମସ୍‌ ଅଫ୍‌ ଆସାମ’ପତ୍ରିକାରୁ ତା’ର ପରିଚୟ ପାଇସାରିଛନ୍ତି । ବି.ଏ. ପରୀକ୍ଷାରେ ଫାଷ୍ଟକ୍ଳାସ ପାଇଥିବା କୃତୀ ଛାତ୍ର ଜଣେ ବିଶ୍ଵବିଦ୍ୟାଳୟର କୌଣସି ଡିଗ୍ରୀ ହାସଲ କରିନଥିବା ରାୟବାହାଦୂରଙ୍କ ସାହାଯ୍ୟ ଲୋଡ଼ି ଆସିଥିବା ଯୋଗୁଁ ଆତ୍ମପ୍ରସାଦରେ ମନ ତାଙ୍କର ପରିପୂର୍ଣ୍ଣ ହୋଇଗଲା । ଯାହାର ଯେଉଁଟା ଅଭାବ, ସେଇଟା ପାଇଁ ତାର ଶ୍ରଦ୍ଧା ତଥା ଆକାଂକ୍ଷା ବହୁତ ବେଶି-। ସାକ୍ଷାତ ପାଇଁ ଆସିବା ବି. ଏ. ପାଶ୍‌ କରିଥିବା ଯୁବକଙ୍କୁ ‘ଆଜିକାଲି ଡିଗ୍ରୀର କି ମୂଲ୍ୟ-? ବ୍ୟବସାୟରେ ଲାଗ, ଧନ ଘଟାଅ । ’ ବୋଲି କହି ରାୟବାହାଦୁର ଆଧୁନିକ ଶିକ୍ଷାର ନିନ୍ଦାବାଦ କରୁଥିଲେ ବି ଅନ୍ତରରେ ତାହାର ଗୁଣାନୁକୀର୍ତ୍ତିନ ନକରି ରହିପାରନ୍ତି ନାହିଁ ।

 

ଜୋତାଶବ୍ଦରୁ ରାୟବାହାଦୁରଙ୍କ ଆଗମନର ସଙ୍କେତ ପାଇ ଦ୍ଵିତୀୟବାର ଭୁଲ୍‍ ନକରିବା ପାଇଁ ଚଉକିରୁ ଉଠି ଠିଆ ହୋଇ କମଳାକାନ୍ତ ନିଜକୁ ପ୍ରସ୍ତୁତ କରିନେଲା । ରାୟବାହାଦୁର ପର୍ଦ୍ଦା ଠେଲି ଦୁଆରବନ୍ଧ ନିକଟ ବାରଣ୍ଡାରେ ବାହାରୁ ନବାହାରୁଣୁ କମଳାକାନ୍ତ ‘ଗୁଡମର୍ଣ୍ଣିଂ ସାର୍‌’ ବୋଲି କହି ମୁଣ୍ଡ ନୋଇଁଲା । ରାୟବାହାଦୁର ‘କଂଗ୍ରାଚୁଲେସନ୍ ୟଂଗ ମ୍ୟାନ୍’’ବୋଲି କହି ଆଗକୁ ହାତ ବଢ଼ାଇ କରମର୍ଦ୍ଦନ କଲେ; ସଙ୍ଗେ ସଙ୍ଗେ ‘କମ୍‌ଇନ୍’ ବୋଲି କହି ସେଇଠୁ ଭିତରକୁ ପଶିଗଲେ । କମଳାକାନ୍ତ ଅନୁସରଣ କଲା ।

 

ରାୟବାହାଦୁର ଯାହା ଉପରେ ପ୍ରସନ୍ନ ତାର ହିଁ ଭାଗ୍ୟରେ ଘଟେ ଡ୍ରଇଂରୁମ୍ ରେ ବସିବାକୁ । ଡ୍ରଇଂରୁମ୍‌ର ଚତୁର୍ଦ୍ଦିଗର ଦୁଆର ଝରକାରେ ଇନ୍ଦ୍ରଧନୁ ରଙ୍ଗର ପର୍ଦ୍ଦା ଚିକ୍‌ମିକ୍‌ କରୁଛି । ଚଟାଣରେ ଲୋମଶ କାର୍ପେଟ—ପାଦ ଥୋଇଲେ ଆରାମରେ ଧରିରଖେ । ରାଜ-ସିଂହାସନ ସଦୃଶ ବହୁ ଆସନ—ଚଉକି, ସୋଫା, ପାପୋଛମାନ ସାରା କୋଠରିରେ ସୁନ୍ଦରଭାବେ ସଜ୍ଜିତ । ମଝିରେ ମଝିରେ କାଚ ଫିଟ୍‌କରା ଟିପୟ । ସେଗୁଡିକରେ କେଉଁଥିରେ ରୁପେଲୀ ଫ୍ରେମ୍‌ବନ୍ଧା ଫଟୋଗ୍ରାଫ୍, କେଉଁଥିରେ ହାତୀଦାନ୍ତ ଓ ପିତଳର ପଶୁପକ୍ଷୀର ପ୍ରତିକୃତି । କାନ୍ଥରେ ଟଙ୍ଗା ହୋଇଛି ଲ୍ୟାଣ୍ଡସ୍କେପ୍‌, ଅଏଲ୍‌ପେଣ୍ଟିଂ; ବାରଣ୍ଡାପଟର କାନ୍ଥରେ ପ୍ରତିକୃତି ଟଙ୍ଗା ହୋଇଛି ପୁରାତନର ନିଦର୍ଶନ ସ୍ଵରୂପ ଦୁଇଟି ନାଗା-ଯଷ୍ଠୀ-ମଝିରେ ରଙ୍ଗଟିପା ଲଗା ଫୁଲପକା ଝାମ୍ପିଟିଏ । ତା’ ଉପରେ ଉଲ୍‌ ଏବଂ ସୂତାରେ ତିଆରି ଫ୍ରେମବନ୍ଧା ଏମ୍ବ୍ରୟଡରୀର ଚିତ୍ତାକର୍ଷକ କାରୁକାର୍ଯ୍ୟ; କାନ୍ଥରେ ‘ଓଲମି-ଶିଳ୍ପ’, ସୌନ୍ଦର୍ଯ୍ୟ-ପ୍ରିୟତାର ପରିଚୟ ଘୋଷଣା କରୁଛି ।

 

ନିଜେ ଦପ୍‌କରି ଲମ୍ବା କାଉଚ୍‌ ଗୋଟିକରେ ବସିପଡ଼ି ରାୟବାହାଦୁର କମଳାକାନ୍ତକୁ ବସିବାକୁ ନିର୍ଦ୍ଦେଶ ଦେଲେ । କମଳାକାନ୍ତ ଦୁଆରବନ୍ଧ ନିକଟରେ ସୋଫା ଖଣ୍ଡିକରେ ବସିଲା । ବହଳ-ଗଭୀର ସୋଫାଟିରେ ସାରା ଦେହଟା ବିଛେଇଦେଇ, ହୁମାୟୁନଙ୍କର ଅନୁଗ୍ରହରେ ପାନୀୱାଲା ରାଜସିଂହାସନରେ ଉଠିବା ଆଖ୍ୟାନକୁ ମନେପକାଇ ଲାଜସଙ୍କୋଚମିଶ୍ରିତ ହସ କମଳାକାନ୍ତର ମୁହଁରେ ଉଙ୍କିମାରିଲା ।

 

ଦୁଇ ଚାରି ପଦ ଆଳାପରେ ପରେ ପ୍ରଥମ ପରିଚୟର ଅସ୍ଵାଭାବିକତା ଅନେକଟା ସହଜ ହୋଇ ପଡ଼ିଲା । କମଳାକାନ୍ତ ରାୟବାହାଦୁରଙ୍କୁ ତାର ଆଗମନର ଉଦ୍ଦେଶ୍ୟ ଜଣାଇଲା । ସାର୍ଟିଫିକେଟ୍, ବ୍ୟତୀତ ଅନ୍ୟପ୍ରକାରରେ ମଧ୍ୟ ଯେପରି ତାକୁ ସହାୟ ହେବେ, ସେଥିପାଇଁ ଅନୁନୟ କଲା । ସହାୟ ହେବା ପାଇଁ ରାୟବାହାଦୁର ସ୍ଵୀକୃତି ଦେଲେ । ନିଜ ଅଞ୍ଚଳର ମଣିଷଙ୍କୁ ସାହାଯ୍ୟ କରିବାଟା ଯେ ଅନୁଗ୍ରହ ନୁହେଁ, କର୍ତ୍ତବ୍ୟମାତ୍ର; ସେଇକଥା ମଧ୍ୟ କହିଲେ ।

 

—‘‘ଆଚ୍ଛା, ତମର ଅନର୍ସ ଫିଲୋସଫିରେ, ନା ?’’

 

—‘‘ଆଜ୍ଞା !’’

 

—‘‘ଫିଲୋସଫି ଏବଂ ସଂସ୍କୃତ ଛାତ୍ରୀଙ୍କୁ ବେଣ୍ଟିକ୍ ସାହେବ ଦେଖିପାରେନା । ସେ ଖୋଜନ୍ତି ଇଂଲିଶ୍‌ ଏବଂ ଇକନମିକ୍‌ସ ।’’

 

—‘‘ଗତଥର ଆମ valleyର ଦୁଇଜଣ ଫିଲୋସଫିର ଥିଲେ ।’’

 

କ୍ଷୀଣ ହସଟାଏ ହସି ରାୟବାହାଦୁର କହିଲେ—‘‘ଶର୍ମା ଆଉ ଡେକାଙ୍କ କଥା କହୁଚ ? ସେମାନଙ୍କର ନାଁ ପଠାଇବାକୁ ଯାହା ଫାଇଟ୍ କରିବାକୁ ପଡ଼ିଥିଲା ନା ! ଅନ୍ୟ ଭେଲିର ଦୁଇଜଣ ମେମ୍ବରଙ୍କ ସହିତ କୌଣସି ପ୍ରକାରେ ପ୍ୟାକ୍‌ଟକରି ହିଁ ସେମାନଙ୍କର ନାଁ ପଠାଇପାରିଥିଲି । କମିସନରଙ୍କ ସହିତ ଓପନ୍‌ ମିଟିଂରେ ମୋର ବେଶ୍ ଲାଗିଯାଇଥିଲା; ଶେଷରେ ସିଧାସଳଖ ‘ହିଜ୍‌-ଏକ୍‌ସଲେନ୍‌ସି’ଙ୍କ ନିକଟରେ ପହଞ୍ଚିବାକୁ ପଡ଼ିଥିଲା ।’’

 

ରାୟବାହାଦୁର ଭଲକରି ଜାଣନ୍ତି ଯେ ଫାଷ୍ଟକ୍ଳାସ ପାଇଛି ଯେହେତୁ, କମଳାକାନ୍ତ ଅନ୍ୟର ବିନା ସାହାଯ୍ୟରେ କିଛି ନହେଲେ ବି. ଏସ୍. ଡି. ସି. ଟିଏ ହୋଇପାରିବ । ଗତ ଦୁଇବର୍ଷ ହେଲା ୟୁନିଭରସିଟି ପରୀକ୍ଷାର ଫଳାଫଳ ଦେଖି ହିଁ ନମିନେସନ ଦିଆ ହୋଇଥିଲା; କିନ୍ତୁ କମଳାକାନ୍ତକୁ ସେଇ କଥା କହିଲେ ବୋର୍ଡର ମେମ୍ବରଙ୍କର ମର୍ଯ୍ୟାଦା ତଥା ପ୍ରଭାବ ରକ୍ଷାକରାଯାଇପାରିବ କିପରି ? ପରୋପକାରୀ ରାୟବାହାଦୁରଙ୍କର ସୁନାମ ରକ୍ଷା କିପରି ବା ହେବ । କମଳାକାନ୍ତର ଶୁଖିଲା ମୁହଁକୁ ଲକ୍ଷ୍ୟ କରି ରାୟବାହାଦୁର ବୁଝିପାରିଲେ ଯେ ଔଷଧ ଗୁଣ ଦେଇଛି । ନିଜର ଅସହାୟ ଅବସ୍ଥା ବିଷୟ ଅବଗତ ହୋଇ କମଳାକାନ୍ତ ମିନତିପୂର୍ଣ୍ଣ ଦୃଷ୍ଟିରେ ରାୟବାହାଦୂରଙ୍କୁ ଅନେଇଛି । କିଭଳି କଥା କେଉଁ ମୁହୂର୍ତ୍ତରେ କେଉଁ ମଣିଷର ଅନ୍ତରରେ ପ୍ରଭାବ ବିସ୍ତାର କରିପାରେ, ସେ ବିଷୟରେ ମାଣିକ ହାଜରିକାଙ୍କର ସ୍ଵଭାବ-ପ୍ରସୂତ-ଜ୍ଞାନ ଅଛି । ବର୍ଷାରେ ଗଜା ବିହନ ପରି ତାଙ୍କର ପ୍ରତ୍ୟେକଟି କଥା ଫଳଧରେ ।

 

ଅଳ୍ପ ସମୟପରେ, ଚିନ୍ତାଗ୍ରସ୍ତ ଥିବା ଭଳି ରାୟବାହାଦୂର କହିଲେ—‘‘ତୁମର ଅବଶ୍ୟ ଭଲ କ୍ଳେମ୍‌ଟାଏ ଅଛି । ଆମର ‘ଦିବୃ’ ଆଜିକୁ କେତେବର୍ଷ ହେଲା ଅନ୍-ରିପ୍ରେଜେଣ୍ଟେଡ଼ ହୋଇ ରହିଛି । ବୋର୍ଡ଼ରେ ଏଇ କଥାଟାକୁ ଏଥର ଧରିବାକୁ ହେବ । ଇତିମଧ୍ୟରେ ଯଦି କମିସନରଙ୍କର ସାକ୍ଷାତ ପାଏ, ତାଙ୍କ କାନରେ ବି କଥାଟା ପକେଇଦେଇଥିବି । ଜାଣିଛନା, କମିସନର ବଡ଼ ମିଜାଜି-। ତାଙ୍କୁ ପର୍ଶୁଏଡ଼୍‌ କରିବାଟା ହିଁ ବଡ଼ କଷ୍ଟକର ବ୍ୟାପାର ।’’

 

ରୁପେଲୀ ଟ୍ରେରେ ଦୁଇକପ୍ ଚାହା ନେଇ ସୁପ୍ରଭା ଆସିଲା । ବାପାଙ୍କ ପାଖରେ ଟି-ପୟଟିରେ ଟ୍ରେଟି ଥୋଇ ଭିତରକୁ ଚାଲିଯିବାକୁ ବାହାରିଛି, ଏପରି ସମୟରେ ବାପା କହିଲେ–‘‘ଆରେ ମା, ଏଙ୍କୁ ଚିହ୍ନିଛୁନା ? ଏଥର ଖୁବ୍ ଭଲଭାବରେ ବି. ଏ. ପାଶ୍ କରଛନ୍ତି-।’’

 

ସୁପ୍ରଭା ବୁଲିପଡ଼ି କମଳାକାନ୍ତକୁ ଚାହିଁ ଅପାର୍ଥିବ ଅଧର ଭଙ୍ଗିମାରେ ଅଭ୍ୟର୍ଥନା ଜଣାଇଲା । ଟି-ପୟରୁ ଚାହା କପ୍‌ଟି ଉଠାଇନେଇ କମଳାକାନ୍ତ ଆଡ଼କୁ ବଢ଼େଇଦେଲା । ନିଜକୁ ସୋଫାର ଆଗକୁ ଘୁଞ୍ଚାଇ ଆଣି କପ୍‌ଟି ନବାକୁ କମଳାକାନ୍ତ ହାତ ବଢ଼ାଇଲା ।

 

—‘‘ଆପଣ ଫାଷ୍ଟ ହେଇଛନ୍ତି, ନା ?’’

 

—‘‘ଗେଜେଟ୍‌ ବାହାରିଲେ ପୋଜିସନ୍‌ କଥା ଜାଣିବ । ଫାଷ୍ଟ ହେବି ବୋଲି ମୁଁ ନିଜେ ଆଶା ରଖିନାହିଁ ।’’

 

ନିଜର ବିନୟରେ ନିଜେ ଲାଜ ପାଇ କମଳାକାନ୍ତ ଚାହାକପ୍‌ରେ ଚୁମକ ଦେଇ ତଳକୁ ମୁହଁ ପୋତିଲା ।

 

—‘‘ନିଜକୁ ଅଣ୍ଡର ଏଷ୍ଟିମେଟ୍‌ କରିବାଟା ଭଲପିଲାର ଲକ୍ଷଣ ।’’ କଥା ପଦକ କହିଦେଇ, ଚଉକି ଖଣ୍ଡିକରେ ବସିପଡ଼ି ଟେବୁଲ ଉପରୁ ଛବି ଥିବା ବହିଖଣ୍ଡେ ହାତକୁ ନେଇ ସୁପ୍ରଭା କମଳାକାନ୍ତର ଉପସ୍ଥିତିକୁ ଉପେକ୍ଷା କରି ଅନ୍ୟମନସ୍କ ଭାବରେ ପୃଷ୍ଠା ଓଲଟେଇବାକୁ ଲାଗିଲା । ଝିଅର ମନ୍ତବ୍ୟପ୍ରକାଶରେ ରାୟବାହାଦୁର ଗୌରବର ହସ ହସିଲେ । ସେଇ ଅବଜ୍ଞାର ଚାହାଣିରେ ଫାଷ୍ଟକ୍ଳାସ ଫାଷ୍ଟ୍‌ର ସବୁକିଛି ଗର୍ବ ଜଳିପୋଡ଼ି ପାଉଁଶ ହୋଇଗଲା । ଲାଜରେ କମଳାକାନ୍ତର କାନତଳ ଉଷ୍ଣ ହୋଇପଡ଼ିଲା । ଝିଅ ଆଗରେ ରାୟବାହାଦୁରଙ୍କ ସହିତ କଥାବାର୍ତ୍ତା କରିବା ପାଇଁ କମଳାକାନ୍ତ ସଙ୍କୋଚ ବୋଧକଲା । ସାର୍ଟିଫିକେଟ୍‌ ପାଇଁ କେବେ ଆସିବ ସେଇକଥା ପଚାରିବାକୁ ମଧ୍ୟ କମଳାକାନ୍ତ ଲଜ୍ଜା ଅନୁଭବ କଲା । ଯେତେଟା ନଗଣ୍ୟ ହେଲେ ବି, ନାରୀ ସମ୍ମୁଖରେ ନିଜର ଦୀନତା ପ୍ରକାଶ କରିବା ପାଇଁ ପୁରୁଷ ସର୍ବଦା କୁଣ୍ଠିତ । ନାରୀ ଆଗରେ ପୁରୁଷର ଆତ୍ମଶକ୍ତି, ଆତ୍ମସମ୍ମାନ ପ୍ରବଳଭାବେ ସଜାଗ ହୋଇଉଠେ ।

 

ଚାହାକପରୁ ମୁହଁ ଉଠାଇଲାମାତ୍ରେ କମଳାକାନ୍ତର ଆଖି ସୁପ୍ରଭାର ମୁହଁଆଡ଼େ ଧାଏଁ । ଅପ୍ରତିଭ ହୋଇ ଅସ୍ଵସ୍ତିରେ କମଳାକାନ୍ତର ଗାଲ, ମୁହଁ ଝାଳେଇଗଲାଣି । ଡ୍ରଇଂରୁମ୍‌ରୁ ସୁପ୍ରଭା ବାହାରି ନଯିବାରୁ କମଳାକାନ୍ତ ମନେ ମନେ ନାରୀ-ପ୍ରଗତିକୁ ଧିକ୍‌କାର କରୁଥିଲା ।

 

ଚାହାର ଶେଷ ଢୋକ ନିଃଶେଷ କରି କପ୍‌ଟି ଟି-ପୟରେ ରଖି ରୁମାଲ୍‌ରେ ଆସ୍ତେ ଆସ୍ତେ ଓଠ ପୋଛି, ରାୟବାହାଦୁର ପଚାରିଲେ—‘‘ତୁମେ ଏବେ ଏମ୍. ଏ. ପଢ଼ିବାକୁ ଯିବ ନାହିଁ ବୋଧେ ?’’

 

—‘‘ପ୍ରଫେସର୍‌ ଟମାସ୍‌ଙ୍କ ଠାରୁ ଚିଠିଖଣ୍ଡେ ମିଳିଛି । ଏମ୍‌. ଏ. ପଢ଼ିବା ପାଇଁ ସେ ଲେଖିଛନ୍ତି । ପୋଷ୍ଟ-ଗ୍ରାଜୁଏଟ ସ୍କଲାରସିପ୍‌ ମଧ୍ୟ ମିଳିବାର ସମ୍ଭାବନା ଅଛି ।’’

 

ନିଜର ଗୌରବ ପ୍ରକାଶ କରିବାର ପ୍ରଶ୍ନଟାଏ ପାଇଁ କମଳାକାନ୍ତ ଅପେକ୍ଷା କରୁଥିଲା । ଉତ୍ତରଦେବା ସଙ୍ଗେ ସଙ୍ଗେ ହୃତ ଆତ୍ମବିଶ୍ଵାସ ପୁଣି ମନଭିତରକୁ ଫେରିଆସିଲା ।

 

—‘‘ହଁ, ଅବଶ୍ୟ ଏମ୍. ଏ. ପଢ଼ିବାକୁ ଯିବାଟା ଭଲ । ୟୁନିଭରସିଟିର ନାଁ ଉଜ୍ଜ୍ୱଳ କରୁଥିବା ପ୍ରଫେସରମାନଙ୍କ ସହିତ ପରିଚୟ ହେବ । କଲିକତାରେ କିଛି ଦିନ ରହିବାଟା ହଁ ଏକ ମହତ୍ ଶିକ୍ଷା ।’’

 

ପକେଟରୁ ସିଲ୍‌ଭର କେଶ୍‌ଟି ବାହାର କରି ସିଗାରେଟ ଖଣ୍ଡିଏରେ ନିଆଁ ଧରାଇ କାଉଚରୁ ଉଠି ରାୟବାହାଦୁର କହିଲେ—‘‘ତୁମେ ଏବେ ଘରକୁ ଫେରିବ ତ ? ଆସ ମୋ ସାଙ୍ଗରେ । ମୁଁ ତୁମର ଘରପାଖ ଦେଇ ଯିବି । ତୁମକୁ ସେଠି ଛାଡ଼ିଦେବି !’’ କଥା କହୁ କହୁ ରାୟବାହାଦୁର ବରଣ୍ଡାରେ ପହଞ୍ଚିଲେଣି ।

 

ନଅ

 

ଜାତିଗୋତ୍ରରେ ଖୁଣ ନାହିଁ । ବାପ ଅବସ୍ଥାପନ୍ନ ଲୋକ । ଗୋଟିଏ ବୋଲି ଝିଅ । ଝିଅଟି ପଢ଼ାଶୁଣା, କାମକାର୍ଯ୍ୟ, ବୁଣାବୁଣିରେ ମନ୍ଦ ନୁହଁ । ପୁଅର ଅନ୍ତରଙ୍ଗ ବନ୍ଧୁର ଆତ୍ମୀୟ । ପୁଅର ବି ସମ୍ମତି ଅଛି । ରାଶି ନକ୍ଷତ୍ର ଦେଖାହୋଇଛି । ରାଜଯୋଟକ ପଡ଼ିଛି । ତଦୁପରି ଯାଚିଲା କନ୍ୟା । କଣ ବୋଲି ପ୍ରସ୍ତାବଟିକୁ ନାସ୍ତି କରିଯାଆନ୍ତା ? ଝିଅଘର ଅବଶ୍ୟ ଦୂରରେ—ବାହାଘର ରାସ୍ତାଖର୍ଚ୍ଚ କିଛି ପଡ଼ିଯିବ । ତା’ ବି କନ୍ୟାପିତାଙ୍କଠୁ ଦାବି କରାଯାଇପାରେ । ହେଲେ ଧନ ପାଇଁ କଣ ପୁଅ ବିକ୍ରି କରାଯାଇପାରେ ? ବଂଶର କଲ୍ୟାଣ ସକାଶେ ସାତପାଞ୍ଚ ଭାବି ମହୀକାନ୍ତ ବରୁଆ ବାହାଘର ପ୍ରସ୍ତାବରେ ସମ୍ମତି ଜଣାଇ ବାପୁରାମ ବରାଙ୍କ ନିକଟିକୁ ପତ୍ର ଲେଖିଲେ । ପୁଅର ପରୀକ୍ଷାଫଳ ବାହାରିବା ପରେ ଦିନ ବାର ଠିକ୍ କରାଯିବ ବୋଲି ମଧ୍ୟ ଜଣାଇଲେ ।

 

ଉପଯୁକ୍ତ ପାତ୍ରରେ ଝିଅକୁ ଦେଇପାରିଲେ ବାପା-ମା’ଙ୍କର ଭାଗ୍ୟ । ଝିଅକୁ ବିଦାକରି ଦେଇ ପାରିଲେ ଯେ କେବଳ ସାମାଜିକ ଦାୟରୁ ମୁକ୍ତିଲାଭ, ତା ନୁହେଁ; ପରିବାରର ପରିସର ବଢ଼େ-। କଥାରେ ଅଛି, ଜ୍ଵାଇଁ ପୁଅ ତୁଲ୍ୟ । ବିବାହ ଏକ ସାମାଜିକ ପୁଣ୍ୟାନୁଷ୍ଠାନ । ଅବଶ୍ୟ ଅନେକଟା ଦୈବୀ-ନିର୍ଭରଯୋଗ୍ୟ ।

 

‘ଦିବୃ’ରୁ ସମ୍ମତିସୂଚକ ପତ୍ର ଖଣ୍ଡିକ ଆସି ପହଞ୍ଚିବା ସଙ୍ଗେ ସଙ୍ଗେ ବାପୁରାମଙ୍କ ଘରଣୀଙ୍କର ଆଉ ତର ସହିଲା ନାହିଁ । ଆଗକୁ ନାହିଁ କି ପଛକୁ ନାହିଁ—ଗୋଟିଏ ବୋଲି ଝିଅ । ପୂର୍ବଜନ୍ମ ଭାଗ୍ୟବଳରୁ କମଳାକାନ୍ତ ଭଳି ଶିକ୍ଷିତ ପାତ୍ରଟିଏ ମିଳିଛି । ଚିଠି ପାଇବା ମାତ୍ରେ ଟଗରର ମା’ ଗୁରୁ-ଗୋସାଇଁଙ୍କୁ ରୁପାଟଙ୍କାଟିଏ ଭେଟି ଦେଲେ; ଗାଦି ପାଇଁ ସୁନା-ଫୁଲଟିଏ ମାନସିକ କଲେ-। ଗନ୍ଧିଆବାପୁକୁ ଡକେଇ ଶନିବାର ସନ୍ଧ୍ୟାରେ ସତ୍ୟନାରାୟଣ ପୂଜାଟାଏ କରାଇଲେ ।

 

ଗାଁରେ ପରଶ୍ରୀକାତର ଲୋକ ଅଭାବ ନାହାନ୍ତି । ଝିଅ ନାଁରେ ସତ-ମିଛ ଅନେକ ଫାନ୍ଦି ବରଘରକୁ ବେନାମୀ ଚିଠି ଲେଖି, ହବାକୁଥିବା ବହୁ ବାହାଘର ଭଙ୍ଗା କଥା ବାପୁରାମ ଶୁଣିଛନ୍ତି । ତେଣୁ ଦିନ-ବାର ପକ୍‌କା ନହେଲାଯାଏଁ କଥାଟାକୁ ଗୋପନରେ ରଖିବାକୁ ଘରଣୀଙ୍କୁ ନିର୍ଦ୍ଦେଶ ଦେଲେ । ପଧାନଙ୍କ ଘରୁ କଥାଟା ରାଷ୍ଟ୍ର ହେବାର ଭୟ ନାହିଁ—କାରଣ କୃଷ୍ଣଦତ୍ତ ହିଁ ଲାଗିପଡ଼ି ଏଇ ବନ୍ଦୋବସ୍ତ କରିଛି ।

 

କେତେ ଦିନ ହେବ ପଡ଼ା ପଡ଼ୋଶୀ ବାପୁରାମ ଘରଣୀଙ୍କ କଥାବାର୍ତ୍ତା, ଚାଲିଚଳନରେ ପରିବର୍ତ୍ତନ ଲକ୍ଷ୍ୟ କଲେ । ଯିଏ ଘରକୁ ଆସନ୍ତି, ତାଙ୍କୁ ଆଦର ଅଭ୍ୟର୍ଥନା କରି ବସାନ୍ତି । ଗୁଆ-ପାନ-ମସଲା ଆଦି ଯାଚି ଉଦାର ଆତ୍ମୀୟତାର ସହିତ ଆଳାପ କରନ୍ତି । ରଙ୍ଗିଲୀ ବାଈକୁ ଗୁଆ ଖଣ୍ଡେ ଦେଇ ବିଦାୟ ଦେବାକୁ ଯାଇ କହିଲେ— “ଆମର ଆପଣାର କହିଲେ ବାଈ ତମେମାନେ । ମତେ ଯେମିତି ନଛାଡ଼ ।”

 

ପାଟିରେ ଗୁଆ ପୁରେଇ ରଙ୍ଗିଲୀ ବାଈ କହିଲା—“ଓଁ ମା’ ! ସେକଥା କଣ କହିବାଯାଏ ଯିବ ? ମାଛର ସହାୟ ପାଣି, ପାଣିର ସହାୟ ମାଛ । ତମମାନଙ୍କୁ ଛାଡ଼ି ଆମେ ଆଉ କାହା ପାଖରେ ହାତ ପାତିବୁଁ ? ପାରିବା କାମରେ କେତେବେଳେ କରଛଡ଼ା ଦେବା ଦେଖିଛ ନା ?”

 

“ନାଁ’ ମ, ସେକଥା କହିବାକୁ କାହା ଜିଭରେ ହାଡ଼ ଅଛି । ମରିଲେ ବି ତମ ମାନଙ୍କର ଉପକାର ଅପସୋରା ରହିବ ।”

 

—“ଆଚ୍ଛା, ଦିନ-ବାର କିଛି ଠିକ୍‌ ହେଲା କି ?”

 

— “ସେମିତି କିଛି ଠିକ୍‌ ହେଇନି । ପିଲା ପରୀକ୍ଷା ଦେଇଛି । ପାଶ୍‌ ଫେଲ୍‌ କିଛି ଗୋଟାଏ ନିଷ୍ପତ୍ତି ହେଲେ ଦିନ-ବାର ଠିକ୍‌ କରିବାକୁ ପଡ଼ିବ ।’’

 

—“ହଉ ଲୋ ମା ! ଚଞ୍ଚଳ ବିଦା କରିପାରିଲେ ଭଲ । ମୁଁ ଆଗରୁ କହିଛି ନା—ତୋ ଝିଅ ସାକ୍ଷାତ୍‌ ଲକ୍ଷ୍ମୀ । ତା ଭାଗ୍ୟଜୋର୍‌ ରୁ ଏମିତି ପାତ୍ରଟିଏ ମିଳିଛି ।’’

 

—‘‘ସେ ତମରିମାନଙ୍କର ଆର୍ଶୀବାଦ, ବାଈ ।’’

 

ରଙ୍ଗିଲୀ ବାଈ ପାଟିରୁ ପିକ ପକାଇ ବାହାରିଗଲା ।

 

ବରଦ୍‌ଲୈଙ୍କ ଦ୍ଵାରା ମୁଦ୍ରିତ ଅସମୀୟା-ରାମାୟଣ ପୋଥିଖଣ୍ଡିଏ ବାପୁରାମ ଘରେ ଅଛି-। ପୋଥିର ପତ୍ର ଖୋଲିଯାଇଛି । ମଝିରୁ ମଝିରୁ ପତ୍ରେ ଦୁଇପତ୍ର ହଜି ଯାଇଥିବାରୁ ହାତଲେଖା ପତ୍ରରେ ପୂରଣ କରାଯାଇଛି । ପତ୍ରଗୁଡ଼ିକ ବର୍ଣ୍ଣ ହରେଇ ମାଟିଆ ଦେଖାଗଲାଣି । ଅନ୍ୟ କେହି ନେଲେ ଚିରିଚାରି ପୋଥିଖଣ୍ଡିକ ନଷ୍ଟ ହେବା ଭୟରେ ବରା ଅନ୍ୟ କାହାକୁ ପୋଥିଖଣ୍ଡକ ନବାକୁ ଦିଅନ୍ତି ନାହିଁ । ଅକ୍ଷର ଚିହ୍ନି ପାରୁଥିବା ଜଣେ ଦୁଇଜଣ ମାଇପିଲୋକ କେତେବେଳେ ମନହେଲେ ଦି’ପହରିଆ ବରା ଘରକୁ ଆସି ପଢ଼ିବସନ୍ତି । ମହେଶ୍ୱର ବାପୁଙ୍କ ଘରଣୀ ପୋଥି ପଢ଼ିସାରି ବରାଣୀଙ୍କ ସହିତ ଶାସ୍ତ୍ରାଳାପ କରି ଗୁଆ ଖଣ୍ଡିଏ ଖାଇଁବାର ଯତ୍ନ କରୁଛନ୍ତି । ପାଖରେ ରାମାୟଣ ଶୁଣିବାକୁ ବସିଥିବା ଟଗରକୁ ଦେଖି ବାପୁଆଣୀ ପଚାରିଲେ—

 

—‘‘ଝିଅ ପାଇଁ କୋଉଠି କିଛି ଠିକ୍‌ ଠାକ୍‌ କଲଣି ନା, ବରାଣୀ ? ଆମ ବ୍ରାହ୍ମଣକୁଳ ଝିଅ ହେଇଥିଲେ । ଏତିକି ବେଳକୁ ନାତି, ନାତୁଣୀଙ୍କ ମୁହଁ ଦେଖାନ୍ତାଣି । ଏଇ ଆପଦଗୁଡ଼ିକୁ ଯେତେ ଚଞ୍ଚଳ ପାର ବିଦାକରିବା ମଙ୍ଗଳ ।’’

 

ଟଗର ଆତର୍କିତ ଭାବରେ ଉଠି ଚାଲିଗଲା ।

 

ବାପୁଆଣୀ ଏପରି ଏକ ପ୍ରଶ୍ନ କେତେବେଳେ ପଚାରିବେ, ସେଇ କଥା ବରାଣୀ ମନେ ମନେ ଚିନ୍ତୁଥିଲେ । କଥାଟି ପକେଇବାର ସୁଯୋଗ ପାଇ ଗୋପନୀୟତା ରକ୍ଷା କରିବା ସକାଶେ ବାପୁଆଣୀଙ୍କ ପାଖକୁ ଲାଗିଆସି କହିଲେ—‘‘ପାତ୍ରଟିଏ ଠିକ୍ ହେଇଛି ।’’

 

—‘‘ହଉ, ହଉ, ଆନନ୍ଦର କଥା । ପିଲାଟା କୋଉଠିକାର ?’’

 

—‘‘ଦିବୁରୁର୍‌ ।’’

 

—‘‘ଦିବୁରୁର ? ସଦିଆର ଦିବୁରୁ ନା ? ବହୁତ ଦୂରରେ ଝିଅକୁ ଦବାକୁ ବିଚାରିଲା । ପାଖରେ ଆଖରେ ପିଲା ମିଳିଲେ ନାହିଁ ? ଏତେ ଦୂରରେ ଝିଅକୁ ଦେଇ କେମିତି ରହିବ ଭଲା ? ବିହୁରେ, ସଂକ୍ରାନ୍ତିରେ ଝିଅଜୁଆଁଇଙ୍କ ମୁହଁ ଦେଖିବାକୁ ମିଳିବ ନାହିଁ । କଣ ଦେଖି ଏତେ ଦୂରରେ ଝିଅ ଦବାକୁ ମନ କଲ ମ ?’’

 

—‘‘କଲେଜପଢ଼ା ପିଲା । ବଂଶ ଭଲ ।’’

 

—‘‘ଅବିଶ୍ଵାସ-ଚାହାଣି ବରାଣୀଙ୍କ ଆଡ଼କୁ ଚାହିଁ ବାପୁଆଣୀ ପଚାରିଲେ—‘‘ପଧାନ ଘର ଜୁଆଁଇର ସମାନ ପଢ଼ିଛ, ନା ? ତାଙ୍କ ଜୁଆଁଇ ପରା ଆଇ. ଏ. ପାଶ୍ ।’’

 

—‘‘ପଧାନଙ୍କ ଜୁଆଁଇଙ୍କଠାରୁ ଦୁଇବର୍ଷ ବେଶି ପଢ଼ିଛି । କଣ କହନ୍ତି ଟି. ବି.ଏ. ପଢ଼ିଛି-।’’

 

ପଧାନଙ୍କ ଝିଅ ବାହାଘରେ ବାପୁଆଣୀଙ୍କୁ ଭଲ ଭାବରେ ପଚରାଉଚରା କରାଯାଇନଥିଲା । ବସିବାକୁ ଦେଲେ ଯେ ସେ ପୁଣି ଶୂଦ୍ରାଣୀମାନଙ୍କ ସହ ଏକାଠି । ସେଥିପାଇଁ ପଧାନ ଘର ଉପରେ ବାପୁଆଣୀଙ୍କ ରାଗ ଏବେ ବି ମରିନି । ତାଙ୍କ ଜ୍ଵାଇଁଠୁ ବାପୁରାମଙ୍କ ହବାକୁ ଥିବା ଜ୍ଵାଇଁ ବେଶି ପଢ଼ିଛି ଶୁଣି ବାପୁଆଣୀ ମନେ ମନେ ଖୁସିଟାଏ ହୋଇ ପଚାରିଲେ—‘‘ତେବେ ବରା ଆମର ଜଗନ୍ନାଥଙ୍କ ସମାନ ପିଲାଟିଏ ପାଇଲେ । ପଢ଼ାଶୁଣାକୁ ଚାହିଁ କାମ ବି ସେମିତି ବଡ଼ ମିଳିବ ନାହିଁ କି ? ପଧାନଙ୍କ ଜ୍ଵାଇଁ ତ କମ୍ ପଢ଼ି ମାଷ୍ଟରୀ କରୁଛ !’’

 

ହବାକୁ ଥିବା ଜ୍ୱାଇଁ, କମଳାକାନ୍ତ ହାକିମ, ସବ୍‌ଡେପୁଟି ହବାର ସମ୍ଭାବନା ଅଛି ବୋଲି ସ୍ଵାମୀଙ୍କ ମୁହଁରୁ କଥା ପ୍ରସଙ୍ଗରେ ଶୁଣିଛନ୍ତି ଯଦିଓ, ଅନ୍ୟ ଆଗରେ କଥାଟା ଫିଟାଇବାକୁ ବରାଣୀଙ୍କ ସାହସ ହେଉନି । ଜ୍ଵାଇଁ ହାକିମ, ସବ୍‌ଡେପୁଟି ହେବ ବୋଲି କହିଲେ ବି ଗାଁରେ ଏକଥା କେଇଜଣ ବା ବିଶ୍ୱାସ ଯିବେ ? ବାପୁଆଣୀଙ୍କୁ ଭଲଲାଗିବା ଭଳି ବରାଣୀ କହିଲେ—‘‘ଭଗବାନଙ୍କ ଆର୍ଶୀବାଦ ହିଁ ଆମର ଲୋଡ଼ା, ଆମଦେଇ ବା କଣ କରାଯାଇ ପାରିବ ?’’

 

—‘‘ସତ ଗୋ ସତ । ସବୁ ସେଇ ପ୍ରଭୁଙ୍କ କୃପା । ଯା’ର ଯୋଉଠି ବରାଦ । ହେଲେ ଜାଣିଥାଅ, ସ୍ତ୍ରୀର ଭାଗ୍ୟ ହିଁ ପୁରୁଷର ଭାଗ୍ୟ ।

 

* ଦିବୁରୁ—ଦିବ ଗଡ଼ ।

 

ଝିଅର ଭାଗ୍ୟ ଭଲ, ଠିକଣା ଜାଗାରେ ପାତ୍ରସ୍ଥ ହେବ । ବାପ ଯେମିତି ଝିଅକୁ ଶିକ୍ଷା ଦେଇଛନ୍ତି, ମହାପ୍ରଭୁ ସେମିତି ଉପଯୁକ୍ତ ପାତ୍ରରେ ପକାଉଛନ୍ତି । ପିଲା ଯେତେବେଳେ ଏତେ ପଢ଼ିଛି; ଓକିଲ, ମୁକ୍ତିଆର ଯାହା ହେଲେ ନିଶ୍ଚୟହବ । ସେଥିପାଇଁ ଚିନ୍ତା କରିବାର ନାହିଁ ।’’

 

ଅନ୍ତରଙ୍ଗ ଭାବରେ ବରାଣୀ ଭିତିରିଆ କଥାଟି କହିଥିବାରୁ ବାପୁଆଣୀ ଆତ୍ମତୃପ୍ତିରେ ବିଭୋର ହୋଇ ବାହାରିଗଲେ ।

 

କଲେଜପାଠୁଆ ପାତ୍ର ହସ୍ତରେ ଝିଅକୁ ଦବାର ସୌଭାଗ୍ୟ ଯେତେବେଳେ ଘଟିଛ, ସେ ସ୍ଥଳରେ ଯୌତୁକ-ପୋଷାକ କେଇ ଯୋଡ଼ାରେ କୃପଣତା ଦେଖାଇଲେ ଚଳିବ ନାହିଁ । ଗହଣାଗଣ୍ଠି, ଅଳଙ୍କାରପାତି, ପେଡ଼ିପେଟେରା ଭର୍ତ୍ତି କରି ଦେଇ ନପାରନ୍ତି; କିନ୍ତୁ ନିଜ ବୁଣା କପଡ଼ାଲତାର କଣ ମହର୍ଗ ହେଇଛି । ସେଥିରେ ପୁଣି ଦୂରକୁ ଦବାକଥା । ଦୁଇତିନି ବର୍ଷ ପାଇଁ ପିନ୍ଧାସଜ ନଦେଲେ କଣ ଶାଶୁ ଶ୍ଵଶୁରଙ୍କୁ ମାଗି ପିନ୍ଧିବାଟା ଭଲ ହେବ ? ଘରେ ଦୁଇଟି ତନ୍ତଶାଳ ଥାଇ ବି ସେଥିରେ ସନ୍ତୁଷ୍ଟ ନହୋଇ, ବରାଣୀ ଯାହାକୁ ଯୋଉଠି ପାଇଲେ ତା’ ହାତରେ ଭିନ୍ନ ଭିନ୍ନ କପଡ଼ାଲତା ବୁଣାଇବାର ଯତ୍ନ କଲେ । ବରାଣୀ ନିଜେ ପ୍ରଥମେ ଫୁଲପକା ମେଖଳା ଚାଦର ସାଜଟିଏ ଲଗାଇଲେ ।

 

କିଛି ଦିନ ହେଲା ଜଣେ ସରକାରୀ ମାଷ୍ଟର ଗାଁ-ଝିଅଙ୍କୁ ବଙ୍ଗାଳୀ ତନ୍ତରେ ନୂଆ ନୂଆ ଫୁଲପକା କାମ ଶିଖଉଛନ୍ତି । ପ୍ରଧାନଙ୍କ * ‘ସରା ଘରେ’ ସରକାରୀ ଲୁହା-ତନ୍ତଟିଏ ବସା ଯାଇଛି । ଗାଁର ବୁଢ଼ୀ, ଧାଙ୍ଗୁଡ଼ୀ କେହି କେହି ଦି’ପହରିଆ ଯାଇ ମୁଡ଼େ, ଦି’ମୁଡ଼ା ବୁଣା ଶିଖୁଛନ୍ତି । ତନ୍ତଶାଳରେ କପଡ଼ା ତରେଇ, ବାପୁରାମଙ୍କ ଘରଣୀ ସରକାରୀ ଉଇଭିଂମାଷ୍ଟରଙ୍କ ଖବର ନେଲେ-

 

ଧରଣୀ ମାଷ୍ଟରଙ୍କ ଘର ନଅଗାଁ ଜିଲାରେ । ବୟସ ବେଶି ହୋଇନି—ପିଲଟାଏ । ଡେଙ୍ଗା ନୁହେଁ ଯଦିଓ, ସେମିତି ଗେଡ଼ା ବି ନୁହେଁ । ସୁଶ୍ରୀ, ସୁଗଠିତ, ସୁଠାମ କଅଁଳ ଦେହରେ ଯୌବନର କମନୀୟତା ଭରିରହିଛି । ସରଳ, ଉଜ୍ଜ୍ୱଳ ଆଖି ଦୁଇଟାରେ ଲାଜ ଲାଜ ଭାବ । କଅଁଳ ବୟସିଆ ଧରଣୀ ମାଷ୍ଟରଙ୍କୁ ଦେଖୁ ଦେଖୁ ବାପୁରାମ ବରାଙ୍କ ଘରଣୀ କହିପକେଇଲେ—‘‘ୟାଙ୍କୁ ମାଷ୍ଟର, ମାଷ୍ଟର କହନ୍ତି ? ମୁଁ ଭାବୁଥିଲି ବଅସିଆ ମଣିଷ ବୋଲି । କିନ୍ତୁ କାହିଁ ? ପିଲାଟିଏ ତ !’’

 

ଆଖିରେ ହସ ଧରି ଧରଣୀ ତଳକୁ ମୁହଁ ପୋତିଲେ । ଭିନ୍ନ ଭିନ୍ନ ସାମ୍ପଲ୍ ଥିବା ବହିର ପୃଷ୍ଠା ଓଲଟାଇ ଓଲଟାଇ ଗୋଟିଏ ଗୋଟିଏ କରି ଆଗ୍ରହସହକାରେ, ଧରଣୀ, ବାପୁରାମ ଘରଣୀଙ୍କୁ ଦେଖାଇଲେ । ଚାଦରର କୋଣରେ କେଉଁଟି ସାମ୍ପଲ ଭଲ ମାନିବ, ମେଖେଳାର କୁଞ୍ଚରେ କି ଫୁଲ ତୋଳା ହେବ, ମଝିରେ କେଉଁଠି କେଉଁଠି ପ୍ରଜାପତି, ଭ୍ରମର ରହିବେ ଇତ୍ୟାଦି, ଇତ୍ୟାଦି ବିଷୟରେ ସ୍ପଷ୍ଟ ନିର୍ଦ୍ଦେଶ ଦେଇ ଧରଣୀ ମାଷ୍ଟର ନିଜର ନିପୁଣତା ତଥା ରୁଚିର ପରିଚୟ ଦେଲେ । ବୁଣାବୁଣି ବିଷୟରେ ଯୁବକ ଜଣଙ୍କର ଏତେ ବିଦ୍ୟାବୁଦ୍ଧି ଦେଖି ବରାଣୀ ସ୍ତବ୍‌ଧ ହେଲେ-। ଜୀବନସାରା ନିଜେ ତନ୍ତରେ ବୁଣିଲେ, କେତେ ଫୁଲ ପକାଇଲେ; କିନ୍ତୁ ଧରଣୀ ମାଷ୍ଟରଙ୍କର ସାମ୍ପଲ୍‌ ସହିତ ତୁଳନା ବି କରାଯାଇନପାରେ ।

 

ବିନୟୀ ତଥା ଲାଜକୁଳିଆ ସ୍ଵଭାବ ଯୋଗୁଁ ଧରଣୀ ମାଷ୍ଟରଙ୍କ ପ୍ରତି ପ୍ରଥମ ପରିଚୟରେ ହିଁ ବରଣୀଙ୍କର ସ୍ନେହ ଉପୁଜିଲା । ଦୁଇ ଚାରିଦିନ ଯିବା-ଆସିବା, କଥାବାର୍ତ୍ତା ଜରିଆରେ ବାପୁରାମ ବରାଙ୍କ ଘର ସହିତ ଧରଣୀ ମାଷ୍ଟରଙ୍କର ଘନିଷ୍ଠତା ବଢ଼ିଲା । ଅଳ୍ପ ସମୟ ଭିତରେ, ବରାଣୀ, ଧରଣୀ ମାଷ୍ଟରକୁ ମାତୃତ୍ଵର ସ୍ନେହରେ ଅତି ଆପଣାର କରିନେଲେ ।

 

ଘରଣୀଙ୍କର ଗେଜ୍‌-ଗେଜ୍‌ରେ ବାପୁରାମ ଖର୍ଗେଶ୍ଵର ବଣିଆକୁ ଡକାଇ ପଠାଇବାକୁ ବାଧ୍ୟ ହେଲେ । ବରାଘର ଭିତରେ ଅଗଣାରେ, ଖର୍ଗେଶ୍ଵର ଶାଳ ବସାଇଲେ । ପୈତୃକ ଦିନର ଯେଉଁ ସୁନା ଥିଲା, ଝିଅ ପାଇଁ ଗହଣାଗଣ୍ଠି ତିଆରି ସକାଶେ ସେ ସବୁକୁ କାଢ଼ିଲେ ବାପୁରାମ । ଘରଣୀ କିନ୍ତୁ ସେତିକିରେ ସନ୍ତୁଷ୍ଟ ହେଲେ ନାହିଁ । ପେଡ଼ିରେ ପଡ଼ିରହିଥିବା ନିଜର ବଡ଼ ‘ଖୁଡ଼ିଆ’ ଯୋଡ଼ିକ ଏବଂ ବହୁଦିନ ହେଲା ନପିନ୍ଧି ସାଇତିଥିବା ‘ବିରିୟା’ଟି ବି ଭାଙ୍ଗିବାକୁ ବଣିଆ ଆଗରେ ଥୋଇଲେ । ପଧାନଙ୍କ ଘରୁ କଲିକତାର ‘ଗିନି-ହାଉସ’ର ପୁରୁଣା କ୍ୟାଟେଲରା ଖଣ୍ଡିକ ଲୋଡ଼ିଆଣି ସେଇ ନକ୍‌ସାରେ ଖଣ୍ଡେ ଦି’ଖଣ୍ଡ, ବଙ୍ଗାଳୀ ଗହଣା ମଧ୍ୟ ଗଢ଼ାଇଲେ ।

 

ସୌଭାଗ୍ୟ ମଣିଷର ପ୍ରଧାନ ବିଶ୍ଵାସଘାତକ । ବାହାଘରର ଦିନ ଠିକ୍ ନ ହଉଣୁ ବାୟୁବେଗରେ ମୃତ୍ୟୁ ଆସି ଚିଲ ପରି ହେଁ ମାରି ବରାଣୀଙ୍କୁ ଘେନିଗଲା । ମୁହୂର୍ତ୍ତକ ଭିତରେ ଆନନ୍ଦର ଅଭିଷେକ କ୍ରନ୍ଦନରୋଳରେ ପରିଣତ ହେଲା । ସ୍ଵାମୀ ଆଗରେ ପତିବ୍ରତାର ମୃତ୍ୟୁ—ଏୟା ହିଁ ପରିବାର ପାଇଁ ସାନ୍ତ୍ୱନା ।

 

‘ଟଗର-କମଳାକାନ୍ତ’ର ହବାକୁ ଥିବା ବାହାଘରଟି ଅଳ୍ପଦିନ ସକାଶେ ଆଗକୁ ଘୁଞ୍ଚିଗଲା-

 

* ‘ସରାଘର’—ଆସାମରେ ଘରଗୁଡ଼ିକ ଭିତର ଅଗଣାକୁ କେନ୍ଦ୍ର କରି ଚତୁଃପାର୍ଶ୍ଵରେ ତିଆରି ହୋଇଥାଏ । ବାସଗୃହର ସାମନାପଟ ଘରଟିରେ ଅତିଥି ଅଭ୍ୟାଗତ ବସାଉଠା କରିବାର ବ୍ୟବସ୍ଥା ଥାଏ । ଏହାକୁ ‘ସରାଘର’ କୁହାଯାଏ ।

 

ଦଶ

 

ରାୟବାହାଦୁର ମାଣିକ ହାଜରିକାଙ୍କର ମେଘରଙ୍ଗର ଚେପ୍‌ଟା-ନାକିଆ, ଡିସନ୍‌ ବଡ଼ିର ପଣ୍ଟିୟାକ କାର୍‌ ଖଣ୍ଡିକ ବଜାର ବାଟ ଛାଡ଼ି ତାଳ-ତମାଳ-ବନରାଜିଶୋଭିତ ଅମଲା-ପଡ଼ାର ଆବଡ଼ା ଖାବଡ଼ା ବାଟଦେଇ ଘନ ଘନ ଯିବା ଆସିବା କରିବାରୁ ସାଇପଡ଼ିଶାଙ୍କର କଳ୍ପନାର ଆଦି ଅନ୍ତ ରହିଲା ନାହିଁ ।

 

କିଏ କହିଲା—‘‘କମଳାକାନ୍ତ ପ୍ରତି ବିଧି ସୁପ୍ରସନ୍ନ । ରାୟବାହାଦୁର ମାଣିକ ହାଜରିକା ନିଜେ ଯେତେବେଳେ ଲାଗିଛନ୍ତି, କମଳାକାନ୍ତ ହାକିମୀ-ଘୋଡ଼ାର ଆଗରେ ଦୌଡ଼ିବା କଥା । ରାୟବାହାଦୁର ‘ବାଘର-ବେଟା’—ଧରିଲେ ନଛୋଡ଼ବନ୍ଦା ।’’

 

ଆଉ କିଏ କହିଲା—‘‘ଫାଷ୍ଟକ୍ଳାସ ଅନର୍ସ ନେଇ ପାଶ୍‌ କରିବା ପିଲା । ଗଭର୍ଣ୍ଣମେଣ୍ଟର ବେକରେ ଗାମୁଛା ପକେଇ ହାକିମୀ ଆଦାୟ କରିବ । ରାୟବାହାଦୁରଙ୍କ ପୁଣି କି ‘ବେଙ୍କି’ଟାଏ କରିବା ଦରକାର ପଡ଼ୁଛି ?’’ଅବଶ୍ୟ ଏହା ରାୟବାହାଦୁରଙ୍କ ଶକ୍ତିରେ ବିଶ୍ଵାସ ନଥିବା ଲୋକେ କହିଲେ ।

 

ପୁଣି କିଏ କହେ—‘‘ରାୟବାହାଦୁର ହାକିମୀ ଦବ ନା ଝିଅ ଦବ ? ମହୀକାନ୍ତ କିରାନିର ପୁଅକୁ ସିଭିଲ୍‌ ସର୍ଭିସ୍‌ରେ ଭର୍ତ୍ତି କରିବାକୁ ରାୟବାହାଦୁରଙ୍କର ଏତେ ଦଉଡ଼ା ଧପଡ଼ାର କି ଗରଜ ଅଛି ? ମାଣିକ ମହରୀକୁ କଣ ଚିହ୍ନିନା ? ଦୁଇଥର ଚୋରା-ଅଫିମ କାରବାର କେଶ୍‌ରେ ପଡ଼ିଥିଲାଟି ! ଭାଗ୍ୟକୁ ଜାଣି ‘ହେଇଲ୍‌’ ସାହେବ ଥିଲେ— ସେତିକି ରକ୍ଷା । ଓକିଲକୁ ବେଶ୍ ଭଲକରି ଟଙ୍କା ଥୋଡ଼େ ଦେଲା ।’’

 

—‘‘ପ୍ଳାଣ୍ଟର’ର ଝିଅ କିରାନିର ଘର ସମ୍ଭାଳିବ ? କଣ କହୁଛ ହେ ? ରାୟ ବାହାଦୁରଙ୍କୁ କଣ ପାତ୍ର ଅଭାବ ? ଜୋର୍‌ ହାଟ୍‌ରେ କଣ ପ୍ଳାଣ୍ଟର ନାହାଁନ୍ତି କି ? କମଳାକାନ୍ତ ବି ଧଳାହାତୀ ଆଣି ରଖିବ କୋଉଠି ? ପୋଷିବ କେମିତି ?’’

 

—‘‘ଆହେ, ସେଥିକୁ ଭାବନା ଅଛି ନା ? ସେ’ତ ରାୟବାହାଦୁରଙ୍କ ଖଣ୍ଡେ ‘ଚେକ୍‌’ର କାମ ।’’

 

—‘‘ଆଚ୍ଛା, କହିଲ ଭାଇନା, କମଳାକାନ୍ତର କଅଣ ଦେଖି ରାୟବାହାଦୁର ଝିଅ ଦବ ହେ !’’

 

—‘‘ବିଦ୍ୟା..... ବିଦ୍ୟା.....ଫାଷ୍ଟାକ୍ଳାସ୍‌ ଅନର୍ସ । ଧନ ଯେନତେନ ପ୍ରକାରେଣ ଘଟାଯାଇପାରେ; କିନ୍ତୁ କଲିକତା ବିଶ୍ୱବିଦ୍ୟାଳୟର ବି. ଏ.ଏମ୍‌. ଏ. ପରୀକ୍ଷାରେ ଫାଷ୍ଟକ୍ଲାସ କେଇ ଜଣ ପାଆନ୍ତି ? ରାୟବାହାଦୁର ଜରୁର୍‌, ଭାବିଚିନ୍ତି ହିଁ ପୁଅ ଉପରେ ଆଖିପକେଇଛି । ଭୁଲ୍‌ କରିବା ରାୟବାହାଦୁରର ଜାତକରେ ନାହିଁ, ବୁଝିଲଟି ?’’

 

ସହକର୍ମୀ-କିରାନି ମହୀକାନ୍ତର ଭାଗ୍ୟର ଏପରି ପରିବର୍ତ୍ତନର ସମ୍ଭାବନା ପଡ଼ାପଡ଼ୋଶୀ ସମସ୍ତଙ୍କ ଘରେ ଝଗଡ଼ାଝାଟି ସୃଷ୍ଟି କଲା ।

 

କ୍ଳାସ ଟେନ୍‌ରେ ପଢ଼ୁଥିବା ବଡ଼ପୁଅ ଫୁଟବଲ ଖେଳିବାକୁ ଯାଇ ସନ୍ଧ୍ୟାରେ ବିଳମ୍ବ ଗୃହାଗମନ ସକାଶେ ରାଗରେ କଣ ନାହିଁ କଣ ହୋଇଯାଇଛନ୍ତି, ରାଜଖୋଆ ।

 

—‘‘ସବୁବେଳେ ଖେଳ, ଆଉ ଖେଳ; ପଢ଼ାଶୁଣାର ନାଁ-ଗନ୍ଧ ନାହିଁ । ମିଛ, ମିଛ, —ତୋ’ଦେଇ ଶାଗ ବି ସିଝିବ ନାହିଁ । ଲୋକମାନଙ୍କର ପୁଅ ଖପାଖପ୍‌ ଫାଷ୍ଟ ହେଇ ପାଶ କରିଯାଉଛନ୍ତି—ଆମ ପୁଅର ପଢ଼ାଶୁଣାର ଖବର ବି ନାହିଁ ।’’

 

ପରୀକ୍ଷା ଅନେକ ଦିନ ବାକି । ହଠାତ ପଢ଼ା ଆଉ ପରୀକ୍ଷା କଥା ଭାବି ବାପା ଏମିତି ଚିତ୍କାର କରୁଛନ୍ତି କାହିଁକି ! ବୁଢ଼ା ଆଜି କୋଉଠୁ ଟେଳାଏ ପକାଇ ଆସିଛନ୍ତି କି ? —ପୁଅ ଭାବିଲା-

 

—‘‘ବଜାରଆଡ଼େ ଯିବ ଯଦି ‘ସାନ’ ପାଇଁ କାମିଜ ଖଣ୍ଡେ ଆଣିବ, ପିନ୍ଧିବାକୁ ତାର ଖଣ୍ଡେ ବି ନାହିଁ ।’’ ସାନ୍ଧ୍ୟ ଭ୍ରମଣରେ ବାହାରିଥିବା ଧରଣୀ ଫୁକନଙ୍କୁ ସିରସ୍ତା-ଦାରିଣୀ କହିଲେ ।

 

ଧରଣୀ ଫୁକନ ଘରଣୀଙ୍କ କଥାରେ ଚଳିବା ମଣିଷ । ନିଜର ଭାଗ୍ୟ ଘରଣୀଙ୍କଠାରୁ ମୁକୁଳିତ ବୋଲି ତାଙ୍କର ଦୃଢ଼ବିଶ୍ୱାସ । କିନ୍ତୁ ସେଇ ଭାଗ୍ୟବତୀ ଘରଣୀଙ୍କର ସାଧାରଣ ଅନୁରୋଧରେ ଆଜି ସେ ବିରକ୍ତ ହୋଇଉଠିଲେ—

 

—“ଖାଇଲ, ଖାଇଲ, ତମେଇ ପିଲା କେଇଟାଙ୍କ ମୁଣ୍ଡକୁ ଖାଇଲ । ବଡ଼ ଦି’ଟାଙ୍କୁ ଯାହା କଲ, କଲ— ଏବେ ଏଇଟାର ବି ମୁଣ୍ଡକୁ ଖାଇବାକୁ ବସିଛ ? ସବୁବେଳେ ପେଣ୍ଟ, ସାର୍ଟ, ଚୁଡ଼ିଦାର କାମିଜ—ପିଲାଙ୍କର ପଢ଼ାଶୁଣା କଥା କେବେ ଭଲା କହିଛ ?’’

 

ଗମ୍ଭୀର ହୋଇ ଧରଣୀ ଫୁକନ ବାହାରିଗଲେ । କେବେଠାରୁ ଆଇ. ଏ. ପାଶ୍‌ କର ନପାରି କଲେଜ-ଛଡ଼ା ପୁଅ ଦି’ଟାର କଥା ଭାବି ଭାବି କୂଳ-କିନାରା ପାଇଲେ ନାହିଁ ଫୁକନଙ୍କ ଘରଣୀ ।

 

ଅମଲା-ପଡ଼ାର ଗରିବ କିରାନିର ଶାନ୍ତିମୟ ଜୀବନରେ ଅଶାନ୍ତି ସୃଷ୍ଟିର ସଙ୍କେତ ଧ୍ୱନି ଦେଇ ରାୟବାହାଦୁରଙ୍କ କାର୍‌ ଖଣ୍ଡିକ ପ୍ରାୟୁ ମହୀକାନ୍ତର ଦୁଆରମୁହଁରେ କ୍ଷଣକ ପାଇଁ ବିଶ୍ରାମ ନିଏ-। ସନ୍ଧ୍ୟା ସମୟ । ରାୟବାହାଦୂର କାର୍‌ରୁ ଓହ୍ଲାଇ ମହୀକାନ୍ତ ଘରର ସମ୍ମୁଖ ଅଗଣାରେ ପ୍ରବେଶ କରିବାକୁ ବାହାରିଛନ୍ତି । ମଟର ଶବ୍ଦ ଶୁଣି, ଚତୁର୍ଦ୍ଦିଗରୁ ନଗ୍ନ, ଅର୍ଦ୍ଧ ନଗ୍ନ-କିରାନିଙ୍କର ଭବିଷ୍ୟତ ବଂଶଧରଗଣ ଚିତ୍କାର କରି, ‘ଲିଲିପୁଟ’ ମାନେ ‘ଗଲିଭର’କୁ ବେଢ଼ିଗଲା ପରି ମଟର-ଦୈତ୍ୟକୁ ଘେରିଗଲେ । କିଏ ଗାଡ଼ିର ଚିକିମିକିଆ ଚିକ୍‌କଣ ବଡ଼ି ଉପରେ ସନ୍ତର୍ପଣରେ ହାତ ବୁଲେଇ ସ୍ପର୍ଶସୁଖ ଅନୁଭବ କରୁଛି; କିଏ ଆଣ୍ଠୋଇ ପଡ଼ି ମୁଣ୍ଡକୁ ମାଟିରେ ଥୋଇ ତଳପଟର ଯନ୍ତ୍ରପାତିର ରହସ୍ୟ ଅନୁସନ୍ଧାନରେ ବ୍ୟସ୍ତ, କିଏ ପୁଣି ଭୟ ତଥା ସତର୍କତା ସହିତ ଦୁଆରରେ ହାତଦେଇ ଫୁଟବୋର୍ଡ଼ ରେ ଚଢ଼ିବାକୁ ଯାଇ ଡ୍ରାଇଭର୍‌ର କଟମଟ ଚାହାଣିରେ ଭୟ ପାଇ ଟକ୍‌କରି ପଛଘୁଞ୍ଚା ମାରୁଛି ।

 

ମହୀକାନ୍ତଙ୍କ ପୁଅ ଫେଁସୁ ଏବଂ ମିଲିକା, ମଟରଟି ଦୁଆରମୁହଁରେ ଅଟକିବା ଦେଖି ପଡ଼ିଉଠି ବାପାଙ୍କୁ ଖବର ଦବାକୁ ଦୌଡ଼ିଲେ । ଟାଣୁଥିବା ‘ହୁକ୍‌କା’ଟିକୁ ଘରକୋଣକୁ ଫୋପାଡ଼ି ଝଅଟ୍‌କରି ଝାଳମଖା କାମିଜଟାକୁ ଦେହରେ ଗଳେଇ ମହୀକାନ୍ତ ବାହାରି ପଡ଼ିଲେ । ରାୟବାହାଦୂର ଠିଏ ଠିଏ ଦୁଇଚାରି ପଦ କଥା କହିଦେଇ ଯାଇ ମଟରରେ ଉଠିଲେ । ଦୁଆରଟିକୁ ଫଟ୍‌କରି ଜୋର୍‌ରେ ବନ୍ଦ କରି ଡ୍ରାଇଭର ମଟର ନେଇ ବାହାରିଗଲା । ପାଖରେ ଛିଡ଼ାହୋଇଥିବା ଜଣେ ଦୁଇଜଣ ପିଲା ମଟରରେ ଉଠି ନପାରି ଫୋପଡ଼ ମାରି ମନକୁ ଶାନ୍ତ କଲେ ।

 

ଫେଁସୁ ଓ ମଲିକା ଇତିମଧ୍ୟରେ ରାସ୍ତାକୁ ଆସିଯାଇଥିଲେ । ରାୟବାହାଦୂର ଏବଂ ରାୟବାହାଦୂରଙ୍କ ମଟର ତାଙ୍କ ଘରକୁ ଆସିବାଟା ସେ ଗୌରବର କଥା, ଛୋଟ ଫେଁସୁ ଏବଂ ମଲିକା ମଧ୍ୟ ବୁଝିଥିଲେ । ରାୟବାହାଦୂରଙ୍କ ଘର ସହିତ ସେମାନଙ୍କର କିଛି ନା କିଛି ସମ୍ପର୍କ ଅଛି–ଅସ୍ପଷ୍ଟଭାବେ ଉପଲବଧି କରି, ସାଙ୍ଗସାଥୀଙ୍କ ଆଗରେ ଦୁହେଁ ଛାତିଫୁଲେଇ ବୁଲୁଥିଲେ-। ରାୟବାହାଦୂରଙ୍କ ମଟରକୁ ଫୋପଡ଼ମରା ଦେଖି ଫେଁସୁ କେତେଜଣଙ୍କ ସହିତ ହାତାହାତି ଆରମ୍ଭ କରିଦେଲା ।

 

ଭିତରେ, ମହୀକାନ୍ତଙ୍କ ଘରଣୀ, ରାୟବାହାଦୂର ଏ ଅସମୟରେ ପୁଣି କାହିଁକି ଆସିଥିଲେ, ପୁଅର କାମର କିଛି ସମ୍ବାଦ ପାଇଛନ୍ତି କି—ଜାଣିବା ସକାଶେ ଉତ୍ସୁକ ହୋଇ ମୁହୂର୍ତ୍ତ ଗଣି ଅପେକ୍ଷା କରିଥିଲେ । ଗୃହସ୍ଥ ଭିତରକୁ ପ୍ରବେଶ କରିବାମାତ୍ରେ ଚିଲମଟି ସଜେଇ ଆଣି ଗେରସ୍ତଙ୍କ ହାତରେ ଧରାଇଦେଇ ‘ରାୟବାହାଦୂର ଆସୁ ଆସୁ ନ ବସି ତରବରରେ କାହିଁକି ଚାଲିଗଲେ’ ବୋଲି ପଚାରିଲେ ।

 

ହୁକ୍‌କାରେ ମୁହଁ ଲଗେଇ ମହୀକାନ୍ତ କହିଲେ—‘‘କାମରୂପର ଜୀବେଶ୍ଵର ଅଧ୍ୟାପକ ଆସିଛନ୍ତି; ନାଁ-କରା ଜ୍ୟୋତିଷ, କାଶୀରେ ବାରବର୍ଷ ଥିଲେ । ରାୟବାହାଦୂରଙ୍କ ଘରେ ଆସି ରହିଛନ୍ତି । କାଲି କିମ୍ବା ପହରିଦିନ ଚାଲିଯିବେ । ବଡ଼ବୁଢ଼ାର ଜାତକ ଖଣ୍ଡିକ ଥରେ ଦେଖେଇବା ପାଇଁ କହୁଛନ୍ତି । ତାଙ୍କ ଘରକୁ ପଠାଇଲେ ଗଣନା କରାଇଦେବେ ।’’

 

—‘‘ରାୟବାହାଦୁରଙ୍କ ଘରଠିକି ପଠାଇବା କି ଦରକାର ? ତା ଛଡ଼ା ଯା’ ତା’ ଆଗରେ ଜାତକ ଦେଖାଇବା ଭଲ ନୁହେଁ । ଅଧ୍ୟାପକଙ୍କୁ ଥରେ ଆମ ଘରକୁ ଡକାଇ ଆଣିଲେ ହୁଅନ୍ତା ନାହିଁ-?’’

 

—‘‘ଭଲକଥା କହୁଚ, ଡାକିବି କେମିତି ? କୋଡ଼ିଏ ଟଙ୍କାରୁ କମ୍‌ରେ ସେ ଗଣନା କରନ୍ତି ନାହିଁ ।’’

 

—‘‘ନଗଣେଇଲେ ନାହିଁ । ୟା ବୋଲି ଯା, ତା’ ହାତରେ ପିଲାଟାର ଜାତକ ଖଣ୍ଡିକ ମୁଁ ଦେଇ ପାରିବି ନାହିଁ ।’’

 

ଦୀର୍ଘ ଟଣାଟାଏ ଖାଣି, ହୁକ୍‌କାରୁ ମୁହଁ କାଢ଼ି ଦାନ୍ତ କେଇଟା ଦେଖେଇ, ହସି ହସି ମହୀକାନ୍ତ କହିଲେ— ‘‘ସେଇଥିପାଇଁ ଈଶ୍ଵର ତୁମମାନଙ୍କୁ ସ୍ତ୍ରୀଭାବେ ସର୍ଜନା କଲେ । ରାୟବାହାଦୂର ବଡ଼ବୁଢ଼ାର ଜାତକ କାହିଁକି ଅଧ୍ୟାପକଙ୍କ ହାତରେ ଗଣନା କରିବାକୁ କହୁଛନ୍ତି—ବୁଝିନ ବୋଧେ ?’’

 

—‘‘କାହିଁକି ?’’

 

—‘‘ତମ ପୁଅ ସହିତ ତାଙ୍କ ଝିଅର ରାଶି ପଡ଼ିବ ନା ନାହିଁ ସେଇକଥା ଦେଖିବାକୁ’’..... ମହୀକାନ୍ତ ହୋ-ହୋ କରି ହସିଉଠିଲେ ।

 

ଘରଣୀ ତାଙ୍କର ମୁହଁକୁ ଗମ୍ଭୀର କରି କହିଲେ—‘‘ତମକୁ ସେଇ କଥା କହିଛନ୍ତି ବୋଧେ ?’’

 

—‘‘ସେଇଟା କଣ ପୁଣି କହିବା ଦରକାର ? କିରାନିଗିରି କରି କରି ବୁଦ୍ଧିସୁଦ୍ଧି ଏକବାରେ ଲୋପ ପାଇଲାଣି ବୋଲି ଭାବୁଛ ନା କଣ ? ସେଇଟା ଯଦି ଅସଲ କାରଣ ନୁହେଁ, ରାୟବାହାଦୂର କୋଡ଼ିଏ ଟଙ୍କା ଗଣି ତମ ପୁଅର ଭାଗ୍ୟ ଗଣନା କରିବାକୁ କେଉଁ ଗରଜ ପଡ଼ିଛି-?’’

 

—‘‘ତାଙ୍କ ଝିଅ ସହିତ ପୁଣି ରାଶି-ନକ୍ଷତ୍ର ଗଣନା କରିବା ଦରକାର କଣ ?’’

 

—‘‘ରୁହ, ରୁହ—ରାଗିଯାଅନା । ହୁଏତ ତମ ପୁଅ ପାଇଁ ରାୟବାହାଦୁର ଝିଅ ଯାଚିପାରନ୍ତି ।’’ —ମହୀକାନ୍ତ ପୁଣି ହସିଲେ ।

 

—‘‘ଯାଚିଲେ କଣ ହେଲା—ପୁଅ ପାଇଁ ଆମର ଝିଅ ଠିକ୍‌ କରାଯାଇନାହିଁ କି ? ରାୟବାହାଦୂରଙ୍କ ଝିଅକୁ ଆମେ ଆଣିବା କାହିଁକି ?’’ସ୍ଵାମୀଙ୍କ ହସର ଅର୍ଥ ନବୁଝି ଆଚମ୍ବିତ ହୋଇ ପଚାରିଲେ ।

 

—‘‘ଯାଚିବେ ଯଦି ନ ନବା କାହିଁକି ?’’ ବିସ୍ତାରିତ ଚକ୍ଷୁରେ ଘରଣୀଙ୍କ ଆଡ଼କୁ ଚାହିଁଲେ-

 

—‘‘ହେଲେ..... ?’’

 

—‘‘ହେଲେ ଆଉ ପୁଣି କଣ ? ବାପୁରାମଙ୍କ ଝିଅ ବର୍ଷେକାଳ ବାହା ହୋଇପାରିଲାନି-। ସେଥିପାଇଁ ଆମ ପୁଅ କଣ ଅଭିଆଡ଼ ହେଇ ରହିବ ?’’

 

—‘‘ମା’–ମଲା-ଝିଅକୁ ଆଣିବା ବୋଲି କଥା ଦେଇ, ଏତେଦିନ ଅଟକାଇ ରଖାଇ ଏବେ ମଝିରେ ସମ୍ବନ୍ଧ ଭାଙ୍ଗିଲେ କଥାଟା କଣ ଭଲହେବ ? ଝିଅଟିଏ ବିଦା କରିବା ଯେମିତି କଷ୍ଟକର, ସେଥିରେ ଥରେ ସମ୍ବନ୍ଧ ପଡ଼ି ଭାଙ୍ଗିଲେ ଝିଅଟାକୁ ସମସ୍ତେ ନାକ ଟେକିବେ । ଶତ୍ରୁ ହେଲେ ବି ଏପରି କାମ କରିବ ନାହିଁ ।’’

 

—‘‘ଆମର କି ଦାୟ ହୋ ! ଲୋକଙ୍କ ଝିଅ ଉଦ୍ଧାର କରିବାକୁ ଯାଇ ନିଜ ପୁଅର ମୁଣ୍ଡ ଖିଆଯାଇପାରିବ ନାହିଁ ।’’

 

—‘‘ରାୟବାହାଦୂରର ଝିଅ ଆସି ଏବେ ଆମକୁ ସ୍ଵର୍ଗକୁ ନବ କି ? ଥାଉ, ଥାଉ, ସେମିତି କଥା କୁହନା ।’’

 

—‘‘ଆଃ, ତମେ ଟିକିଏ ବି ବୁଝନା । ପୁଅ ଯଦି ହାକିମ ହେବ, ଦେଖିବ ସେଇ ରାୟବାହାଦୂରଙ୍କ ସହାୟତାରେ ।’’

 

—‘‘ରଖମ ତମ କଥା ! ପହଁରିବ ତ ପହଁରିବ ନିଜ ବାହୁରେ, ପହଁରି ନପାରିଲେ ରସାତଳକୁ । ପିଲା ଭଲକରି ପାଶ୍‌ କରିଥିବାରୁ ସରକାର ଦୁଇକୋଡ଼ି ଟଙ୍କାର ବୃତ୍ତି ଦେଇଛି; ସେମିତି ସରକାର ବି ଚାକିରି ଦବ ।’’

 

ତାତ୍ସଲ୍ୟ ହସ ହସି ମହୀକାନ୍ତ କହିଲେ—‘‘ମିଛରେ କଣ ତୁମମାନଙ୍କୁ ଅବୁଝା-ନାରୀ ବୋଲି କହନ୍ତି ! ଖାତିର ନଥିଲେ, ‘ବେକିଙ୍ଗ୍‌’ ନଥିଲେ, ଆଜିକାଲି ଲୋକେ ଚାକିରି ନପାଆନ୍ତି । ଯେତେ ଯାହାହେଉ, ତମ ପୁଅ ଯେତେ ବି. ଏ., ଏମ୍‌. ଏ. ପାଶ୍‌ କରୁନା କାହିଁକି, ରାୟବାହାଦୂର ଭଳି ଲୋକର ବିନା ସହାୟତାରେ ହାକିମ, ସବ୍‌ଡେପୁଟି ହେବା ବଡ଼ କଷ୍ଟ କିନ୍ତୁ ।’’

 

—‘‘ପୁଅକୁ ହାକିମ କରିବା ଆଶାରେ ଚାହାବଗିଚାବାଲାର ଝିଅ ଆଣିଲେ ପୁଅ ବି ଗଲା, ବୋହୂ, ବି ଗଲା । ମୋ ପୁଅ ହାକିମ ହବା ଦରକାର ନାହିଁ କି ସ୍କୁଲପଢ଼ା ନାଟୁଆଣୀ-ଝିଅକୁ ବୋହୂ, କରିବାକୁ ମୁଁ ଯିବିନାହିଁ ।’’

 

ମୁହଁରୁ ଗମ୍ଭୀର ଭାବ ଅନ୍ତର କରି ମହୀକାନ୍ତ କହିଲେ—‘‘ଦେଖୁଛି, ରାୟବାହାଦୂରଙ୍କ ଘର ଉପରେ ତମର ବଡ଼୍‌ଡ଼ ରାଗ । ଯଦିଓ ବଗିଚାବାଲା, ଅସଲରେ ତାଙ୍କର ଦୋଷ କିଛି ନାହିଁ । ଘରେ ବି ନୀତି ନିୟମ, ଛୁଆଁ-ଛୁତି ପୂରାମାତ୍ରାରେ ରଖିଛନ୍ତି ।’’

 

କଥାଟିର ମୀମାଂସା ଏବେ ନ କରି ମହୀକାନ୍ତି କହିଲେ—‘‘ବ୍ୟସ୍ତ ହୁଅନା; ରାୟବାହାଦୂର ଝିଅ ନ ଯାଚି ବି ପାରନ୍ତି । ପୁଅ ପୁଣି କଣ କହିବ ନ କହିବ ।’’

 

—‘‘ଯାଚନ୍ତୁ ନ ଯାଚନ୍ତୁ, କିଏ ତାଙ୍କ ଝିଅକୁ ଆଣିବାକୁ ଯାଉଚି ମ ? ନିଜେ ଦେଖି ଚାହିଁ କଥାଦିଆ ଝିଅର ବାହାଘରକୁ ପୁଅ ଏବେ କେଉଁ ଗରଜରେ ଭାଙ୍ଗିବ ? କାହାର କପାଳକୁ କିଏ କଣ କାଢ଼ି ନେଇପାରେ ?’’

 

—‘‘ହଉ, ହେଲା ଏବେ । ଦେଖିଲ, ଚିଲମରେ ନିଆଁ ଲିଭିଗଲା କି କଣ ।’’

 

ହୁକ୍‌କା, ଚିଲମ ଯୋଡ଼ାକୁ ଧରି କମଳାକାନ୍ତର ମା’ ରୋଷେଇଶାଳକୁ ଗଲେ ।

 

ଏଗାର

 

କମଳାକାନ୍ତର ପୂଜାଛୁଟି ଶେଷ ହୋଇଛି । ଦୁଇଦିନପରେ କଲିକତାକୁ ଯିବା କଥା ଠିକ୍‌ ହୋଇଛି । ତା ପୂର୍ବରୁ ଏକ ସଙ୍ଗେ ମିଳିମିଶି ଚାହା ଟୋପେ ଖାଇବାକୁ ରାୟବାହାଦୂର ମହୀକାନ୍ତ ବରୁଆଙ୍କୁ ସପରିବାରେ ନିମନ୍ତ୍ରଣ କଲେ । ଛୋଟ ଭାଇ ଭଉଣୀ କେଇଟା ରାୟବାହାଦୂରଙ୍କ ଘରେ ଯାଇ ନଟଖଟ ଲଗେଇବେ ଆଶଙ୍କା କରି ସେମାନଙ୍କୁ କୌଣସି ପ୍ରକାରେ ଘରେ ଛାଡ଼ିଯିବା ପାଇଁ କମଳାକାନ୍ତ ମା’ଙ୍କୁ କହିଲା । ପୁଅର କଥା ଶୁଣି ଗରମ ତେଲରେ ଫୁଟଣ ପଡ଼ିବାପରି ମା’ ପଞ୍ଚମରେ ଉଠି କହିଲେ—‘‘ଆରେ..... ରେ.... ରାୟବାହାଦୂର ଝିଅ ନଆଣୁଣୁ ତ ଦେଖୁଛି ପୁଅ ଆମର ଭାଇ ଭଉଣୀମାନଙ୍କୁ ଛାଡ଼ିବାକୁ ବସିଲାଣି ! ଦରକାର ନାହିଁ ବାପ, ଆମର ଛୋଟଲୋକଙ୍କ ପୁଅ-ଝିଏ ମୁହଁ ଦେଖେଇ ବଡ଼ଲୋକଙ୍କ ଘରେ ତତେ ଲଜ୍ଜା ଦବା ଦରକାର ନାହିଁ । ସେମାନଙ୍କୁ ନବା ଦରକାର ନାହିଁ । ମୁଁ ବି ନଯାଏଁ । ତୁ ଯାଇ ପେଟ ପୁରେଇ ଖାଇଆ ।’’

 

ୟା ପରେ ମା’କୁ ଯିବାପାଇଁ ମନେଇବାକୁ କମଳାକାନ୍ତକୁ କେତେ ସାଧ୍ୟ-ସାଧନା କରିବାକୁ ପଡ଼ିନଥିଲା ? ପୂଜାରେ କିଣା ପୋଷାକ କେଇ ସାଜ ନିଜେ ଖୋଜି-ଲୋଡି ଆଣି ଭାଇ ଭଉଣୀମାନଙ୍କୁ ପିନ୍ଧେଇଲା; ମୁଣ୍ଡ କୁଣ୍ଡେଇ ଦେଇ ଦେହମାନଙ୍କରେ ଲେଭେଣ୍ଡର ଛିଞ୍ଚେଇଲା । ନିଜ ବାକ୍‌ସରୁ ରୁମାଲ୍‌ ଦୁଇଖଣ୍ଡ କାଢ଼ି ଫେଁସୁ ଏବଂ ମିଲିକାଙ୍କର ହାପପେଣ୍ଟ ପକେଟରେ ଭାଙ୍ଗି ଭର୍ତ୍ତି କଲା । ଛୋଟିଆ ପକେଟମାନଙ୍କରୁ ରୁମାଲ ଫୁଟି ଦିଶିଲା । ଆନନ୍ଦରେ ଅଦିନିଆ ସୁଆଗ ଉଜାଣି ଉଠିବା ଦେଖି ଅସଲ ଅର୍ଥ ବୁଝିପାରି ମାକଣୀ ଭାଇଙ୍କୁ ଚାହିଁ ମୁଚୁକି ମୁଚକି ଦୁଷ୍ଟାମୀର ହସ ହସିଲା-I

 

କଚେରି ବନ୍ଦ । ମହୀକାନ୍ତ ବରୁଆ ସାରା ଦିନ ଘରେ । ଦି’ପହରେ, ଘରେ ଧୁଆ କାମିଜଟାରେ ବଟନ୍‌ କେଇଟା ଝିଅ ହାତରେ ଲଗାଇନେଲେ । ସୋଲ୍‌ଛିଣ୍ଡା ଯୋତା ଯୋଡ଼ିକ ଚାରିଅଣା ଖର୍ଚ୍ଚରେ ସକାଳେ ମୋଚି ହାତରେ ମରାମତି ତଥା ରଙ୍ଗ କରାଇ ଥୋଇଛନ୍ତି । ଆଗରୁ ଠିକ୍‌ ହୋଇଥିବା ଅନୁଯାୟୀ, ମହୀକାନ୍ତଙ୍କ ପରିବାରବର୍ଗଙ୍କୁ ନେବାପାଇଁ ରାୟବାହାଦୂରଙ୍କ ମଟର ଉପରବେଳା ଚାରିଟାବେଳେ ଦୁଆରମୁହଁରେ ଆସି ଲାଗିଲା । ହର୍ଣ୍ଣଶବ୍ଦ ଶୁଣି, ପିନ୍ଧି-ଉଡ଼ି ପ୍ରସ୍ତୁତ ଥିବା ଫେଁସୁ ଆଉ ମିଲିକା ଚଟାପଟ୍‌ ମଟର ପାଖରେ ପହଞ୍ଚିଗଲେ । ଟିକି ରେଣୁକୁ କାଖରେ ଧରି ମାକଣୀ ମଧ୍ୟ ବାହାରିଲା । ତା’ ପଛରେ କମଳାକାନ୍ତ ଏବଂ ମହୀକାନ୍ତ । ଜରିର ଫୁଲପକା ଚାଦରରେ ଲମ୍ବା ଓଢ଼ଣୀ ଟାଣି ସର୍ବଶେଷରେ କମଳାକାନ୍ତର ମା’ ।

 

ସାମାନ୍ୟ କିରାନି ପରିବାର ସକାଶେ ଅଭ୍ୟର୍ଥନାର ବିଶେଷ ପ୍ରୟୋଜନ ନଥିଲା ଯଦିଓ, ମଟର ଗେଟ୍‌ରେ ପହଞ୍ଚିବାକ୍ଷଣି ରାୟବାହାଦୂରାଣୀ ନିଜେ ବାହାରି ଆସି ସମସ୍ତଙ୍କୁ ପାଛୋଟି ନେଲେ; ଦୁଇ ନାକରୁ ଦୁଇଧାର ଭଟ୍‌ ଭଟ୍‌ ଶିଙ୍ଘାଣି ବାହାରୁଥିବା ଟିକି ରେଣୁର ଦୁଇଗାଲରେ ଚୁମା ଖାଇ କୋଳକୁ ତୋଳିନେଲେ । ରାୟବାହାଦୂର ମଧ୍ୟ ବାରଣ୍ଡାରେ ଟହଲି ଟହଲି ବାଟ ଚାହିଁଥିଲେ । ଅନ୍ୟ କିଛି କଥା ଖୋଜି ନପାଇ, ମହୀକାନ୍ତଙ୍କ ଆଡ଼କୁ ଚାହିଁ ପଚାରିଲେ—‘‘କାର୍‌ ଠିକ୍‌ ଚାରିଟାରେ ପହଞ୍ଚିଲାନା ? ଡ୍ରାଇଭର ଜାତିଟାକୁ ବିଶ୍ଵାସ କରାଯାଇପାରେନା ।’’

 

—‘‘ମଟରେ ଠିକ୍‌ ସମୟରେ ଯାଇ ପହଞ୍ଚିଥିଲା । ପିଲାମାନଙ୍କୁ ନେଇ ଆମର ବାହାରୁ ବାହାରୁ ଡେରି ହେଲେ ।’’ ପଛ ପଦକ ଯଦିଓ ଡାହା ମିଛ, ମହୀକାନ୍ତ କିନ୍ତୁ ଯୋଡ଼ିଦେଲେ ।

 

—‘‘ସେ କଥା କୁହନ୍ତୁନି । ବେଶୀ ନହେଲେ ବି ଘଣ୍ଟାଏ ନହେଲେ ମାଇକିନିଆଙ୍କ ବେଶଭୂଷା ହେଇ ବାହାରିବାଟା ହୁଏନା ।’’

 

କଥା ପଦକ କହି ରାୟବାହାଦୂର ହସି ହସି ମହୀକାନ୍ତଙ୍କ ଘରଣୀଙ୍କ ଆଡ଼େ ଚାହିଁଲେ । ବରୁଆଣୀ ଓଢ଼ଣା ତଳେ ହସି, ମୁହଁକୁ ଏକପାଖିଆ କରି, ଓଢ଼ଣାକୁ ଆହୁରି ଲମ୍ବେଇ ଦେଇ ପାହାଚରେ ଚଢ଼ିଲେ । ପିଲାମାନଙ୍କୁ ନେଇ ରାୟବାହାଦୂରାଣୀ ଏବଂ କମଳାକାନ୍ତର ମା’ ଭିତରକୁ ଗଲେ । ରାୟବାହାଦୂର ବାପ ପୁଅଙ୍କୁ ନେଇ ଡ୍ରଇଁରୁମ୍‌ରେ ପଶିଲେ ।

 

ରାୟବାହାଦୂର ଶ୍ରେଣୀୟ ଲୋକଙ୍କ ଘରେ କମଳାକାନ୍ତର ମା’ଙ୍କର ଆଜି ପ୍ରଥମ ପଦାର୍ପଣ । କୋଠରିମାନଙ୍କରେ ଚିକିମିକି ଚଉକି ଟେବୁଲ, କାନ୍ଥମାନଙ୍କରେ ଓହଳିଥିବା ଛବି ଦେଖି ବରୁଆଣୀ କାବା ହେଲେ । କୃଷ୍ଣଙ୍କ ଦୟାରୁ ଗଢ଼ିଉଠିଥିବା ବିପ୍ର-ଦାମୋଦରର ପ୍ରାସାଦ ତୁଲ୍ୟ—

 

‘‘ଦୁଗ୍‌ଧ ଫେନନିଭ ଶଯ୍ୟା ସବୁ ନେଇ

ସ୍ଵର୍ଣ୍ଣ ପଲଙ୍କେ ବିଛେଇ

ସୁବର୍ଣ୍ଣ ଆସନ ଯେତେକ ଭାଜନ

ତାର ସୀମା, ସଂଖ୍ୟା ନାହିଁ ।’’

 

ବରୁଆଣୀଙ୍କୁ ବସାଇବା ପାଇଁ ନିର୍ଦ୍ଦିଷ୍ଟ କୋଠରିଟି ବିଚିତ୍ର କାରୁକାର୍ଯ୍ୟଖଚିତ ଚଉକି ଟେବୁଲ୍‌ରେ ଚହଟ-ଚିକ୍‌କଣ ଭାବେ ସଜ୍ଜିତ । ଲମ୍ବା, ଓସାର ‘କାଉଚ୍‍’ କେଇଖଣ୍ଡ ଦେଖି, ବସିବା ଆସନ ନା ଶୋଇବା ବିଛଣା, କିଛି ଠଉରେଇ ନପାରି ବରୁଆଣୀଏ କାବା କାବା ହେଇ ଚାହିଁଛନ୍ତି । ରାୟବାହାଦୂରାଣୀଏ ଅନୁନୟ ବିନୟ କରି ହାତଧରି ବସେଇବାରୁ ରକ୍ଷା ପାଇଗଲେ । ମା’ ସହିତ ବସିବାକୁ ଫେଁସୁ ଆଉ ମିଲିକା—‘‘ମା’ ମୁଁ ବସିବି’’ ‘‘ମୁଁ ବସିବି’’ କହି ଅଳି କରି ଯୋତା ଗୋଡ଼ରେ ଉଠିଲେ । କଲିକତାରୁ ଅଣାଯାଇଥିବା ନୂଆ କଭର୍‌ କାଉଚରେ ଲଗାଇବାର ମାସେ ବି ହେଇନି; ତା’ର ଆଜିର ଏ ଦୁରବସ୍ଥା ଦେଖି ରାୟବାହାଦୂରାଣୀଙ୍କ ଅନ୍ତର ବିଦୀର୍ଣ୍ଣ ହୋଇଗଲା ।

 

ଅଳ୍ପ ପରେ ସୁପ୍ରଭା ସେଇ କୋଠରିରେ ପ୍ରବେଶ କଲା । ମୁହଁରୁ ଓଢ଼ଣା କାଢ଼ି ବରୁଆଣୀ ପଚାରିଲେ–‘‘ଏଇଟି ବଡ଼ଝିଅ ନା ?’’ମା’ ସୁପ୍ରଭା ଆଡ଼କୁ ଚାହିଁ କହିଲେ–‘‘ସେଠାରେ ରହିଲ କଣ, ପାଖକୁ ଆସ ।’’

 

ଝିଅକୁ ସାଧାରଣତଃ ‘ମା’ ‘ତୁ’ ବୋଲି ହିଁ ସମ୍ବୋଧନ କରନ୍ତି । କିନ୍ତୁ ଅତିଥିମାନଙ୍କ ଆଗରେ ମର୍ଯ୍ୟାଦାସୂଚକ ‘ତୁମେ’ର ବ୍ୟବହାର ହୋଇଥାଏ । ସୁପ୍ରଭା ପାଖକୁ ଲାଗି ଆସିବାରୁ ବରୁଆଣୀଏ ନିଜେ ଉଠିପଡ଼ି ସୁପ୍ରଭାର ଥୋଡ଼କୁ ଧରି ମୁଣ୍ଡରେ, କପାଳରେ ହାତ ବୁଲେଇ ଚୁମାଖାଇଲେ । ଗୁଆ-ଖିଆ ପାଟିର ଅସହ୍ୟ ଗନ୍ଧରେ ସୁପ୍ରଭା ମୁହଁକୁ ବୁଲେଇନେଲା । ବରୁଆଣୀ ପୁନରାୟ କାଉଚ୍‌ରେ ବସିବା ସଙ୍ଗେ ସଙ୍ଗେ ତାଙ୍କୁ ଆଡ଼କରି, ସୁପ୍ରଭା ବ୍ଲାଉଜ ଭିତରେ ହାତ ପୂରେଇ ଚାରିଆଙ୍ଗୁଳିଆ ସେଣ୍ଟମଖା ରୁମାଲ କାଢ଼ି କପାଳରେ ଲାଗିଯାଇଥିବା ପାନଛେପ ପୋଛିପକାଇଲା ।

 

ବରୁଆଣୀ ପଚାରିଲେ—‘‘ମା’ ଆମର କେଉଁ ଶ୍ରେଣୀରେ ପଢ଼ୁଛନ୍ତି ?’’

 

—‘‘ଆସନ୍ତା ବର୍ଷ ମେଟ୍ରିକ ପରୀକ୍ଷା ଦବ ନା କଣ । ପରୀକ୍ଷାଟା ଦେଇସାରିଲେ ଆଉ ପଢ଼ାଇବିନି ବୋଲି ଭାବିଛି । ତାଙ୍କ ବାପା’ଙ୍କର କିନ୍ତୁ ମନ, କଲେଜରେ ପଢ଼ାଇବାକୁ । କି ଧନ ଅର୍ଜନ କରିବାକୁ ଝିଅ ଆମର କଲେଜରେ ପଢ଼ିବା ଦରକାର ? ଘରକରଣା କାମଗୁଡ଼ିକ ଶିଖି ବୁଝି ନେଲେ ହେଲା, ନା କଣ କହୁଛନ୍ତି ?’’

 

—‘‘ହଁ, ସେୟା ନୁହଁ କଣ । ଝିଅ କଣ ମାଷ୍ଟ୍ରାଣୀ ବା ଡାକ୍ତରାଣୀ ହବାକୁ ଯିବ ? ବୁଣାବୁଣି ଶିଖିଛନ୍ତି ନା ?” କଥାଟା ପଚାରିବା ଠିକ୍‌ ହେଲାନାହିଁ ଭାବି ବରୁଆଣୀ ତରତର ହେଇ ନିଜ ପ୍ରଶ୍ନର ଉତ୍ତର ନିଜେ ଦେଇପକାଇ କହିଲେ—“ଅବଶ୍ୟ ଆପଣମାନଙ୍କର ଝିଅର ବୁଣାବୁଣି କରିବା ଦରକାର ନାହିଁ । ତଥାପି ହାତରେ ବିଦ୍ୟାଟା ଥିବା ଭଲ ।”

 

ବରୁଆଣୀଙ୍କ କଥା ଶୁଣିବା ସଙ୍ଗେ ସଙ୍ଗେ ଝିଅ ଆଡ଼କୁ ଚାହିଁ କହିଲେ–“ଗଲ ମା’ ଡେରାଜ୍‌ ଉପରେ ମେଖେଳା ଯୋଡ଼ାକ ଅଛି, ଆଣି ଆସିବ ।”

 

ଝିଅ ଚାଲିଯିବାରୁ ବରୁଆଣୀଙ୍କ ଆଡ଼କୁ ଚାହିଁ ହସି ହସି କହିଲେ—“ତନ୍ତ ବୁଣିବା ପାଇଁ ଲଜ୍ଜା କରୁଥିବା ଅନ୍ୟ ସ୍କୁଲପଢ଼ୁଆ ଝିଅଙ୍କ ପରି ଆମର ଇଏ ନୁହେଁ । ମାଖୌ-ମା’ ହାତରେ ମେଖେଳା ଯୋଡ଼ାକ ଲଗେଇ ପୂଜାଛୁଟିରେ ନିଜେ ବୁଣି ବାହାର କରିଛି । ମୋର ତ ଦିନକ ପାଇଁ ବି ତନ୍ତଶାଳରେ ବସି ମୁଡ଼ାଏ ବୁଣିବାକୁ ସମୟ ହେଲା ନାହିଁ ।”

 

—“ଏଡ଼େ ବଡ଼ ଘର ସମ୍ଭାଳି, ତନ୍ତ-ସୂତାରେ ଲାଗିବାକୁ ବା ଆପଣଙ୍କର ସମସ୍ତ କାହିଁ-?”

 

ସୁପ୍ରଭାଠୁ ମେଖେଳା ଯୋଡ଼ାକ ହାତକୁ ନେଇ ବରୁଆଣୀ କହିଲେ—“ଦେଖି ମା’ !”

 

ଅସିଲା–ମେଖେଳାର ଧଡ଼ିରେ ଜରିଫୁଲକୁ ନିରେଖି ଚାହିଁ ବରୁଆଣୀ ପଚାରିଲେ–“ଏଇ ନମୁନାଟି କୋଉଠୁ ପାଇଲେ ? ଆମର ଏଇ ଅଞ୍ଚଳରେ ତ କାହିଁ ନାହିଁ । କୋଉ ବଙ୍ଗଳା ବହିପତ୍ରରୁ ପାଇଲେ ବୋଧେ । ଆଜିକାଲି ଆମ ବେଳର ପୁରୁଣା ନମୁନା ଉଠିଲା ବୋଲ ଛପା ବଙ୍ଗଳା ‘ପେଟର୍ଣ୍ଣ ବୁକ୍‌’ ହିଁ ଏବେ ସବୁ ।”

 

କିଛିଦିନ ପୂର୍ବେ ପିଜୌବାଇଠୁ କୋଡ଼ିଏ ଟଙ୍କା ଦେଇ ରାୟବାହାଦୂରାଣୀ ମେଖେଳ ଯୋଡ଼ାକ କିଣିଥିଲେ । ତାହା ଆଜି ସୁପ୍ରଭାର ପ୍ରଶଂସାପତ୍ରରେ ପରିଣତ ହୋଇଛି । ଝିଅ ଆଗରେ ମିଛର ପୁଡ଼ି ମାରିବାକୁ ଲାଜ ପାଇ କହିଲେ—“ମା’, ବାହାର ଖଞ୍ଜାରେ ଚାହା ଜଳଖିଆ ଦେଲା ନା ନାହିଁ, ଗଲ ଦେଖିବ, ପିଲାମାନଙ୍କ ପାଇଁ ଏଠିକୁ ପଠାଇବ ।”

 

ବାହାରି ଯାଉଥିବା ଝିଅ ଆଡ଼କୁ ଚାହିଁ ମା’ କହିଲେ—“ଇଏ ମୋ ଡାହାଣ ହାତ । ସ୍କୁଲ ବନ୍ଦଥିବା ଦିନତକ ରନ୍ଧାବଢ଼ାର ଯତ୍ନଠାରୁ ଆରମ୍ଭ କରି ଘରକରଣା ସମସ୍ତ କାମ ତା’ରି ଉପରେ । ଝିଅ କରିନଦେଲେ ବାପଙ୍କର ଚାହାଖିଆ ହୁଏନା ।”

 

—“କହିବାକୁ ଅଛିନା; କେମିତି ଘର-ଉଜ୍ଜଳକରା ଝିଅ ।”

 

—ପୂଝାରୀ ଚାହା-ଜଳଖିଆର ଟ୍ରେଟି ଧରି ଲଡ଼ବଡ଼ ହୋଇ ଆଣି ଟେବୁଲରେ ଥୋଇଲା ।

 

—“ପୂଝାରୀ, ଏଙ୍କ ପାଇଁ ରନ୍ଧାଘରେ ବାଢ଼ିବାକୁ ଯୋଗାଡ଼ କରିଛ ତ ?”

 

—“ହଁ, ମା !” ବୋଲି ସମ୍ମତି ଜଣାଇ ପୂଝାରୀ ବାହାରିଗଲା ।

 

—“ପୁଅକୁ ମୁଁ ଭିତରକୁ ଡାକିଆଣେ । ଯୋଉ ଲାଜକୁଳିଆ ପିଲାନା, ବାପା ପାଖରେ ବସିଲେ କିଛି ବି ଖାଇବ ନାହିଁ ।” କମଳାକାନ୍ତକୁ ଡାକିବାକୁ ରାୟବାହାଦୂରାଣୀ ବାହାରକୁ ଗଲେ ।

 

ପାଖରେ କେହି ନ ଥିବାର ଦେଖି ବରୁଆଣୀ ମାକଣୀକୁ ଚାହିଁ କହିଲେ—“ଦେଖୁଛୁନା, ଏଡ଼େ ବଡ଼ଘର ଝିଅ ହେଇ ବି କେତେ କାମଦାମ କରୁଛି ! ତୋତେ କିଛି ଗୋଟାଏ କାମ କରିବାକୁ କହିଲେ ମୁହଁକୁ କେତେ ମୋଡ଼ୁଥାଉ ଲୋ ।”

 

ମା’ ଝିଅକୁ ଚାହିଁ କଥାବାର୍ତ୍ତା କରୁଥିଲାବେଳେ ଫେଁସୁ ଆଉ ମିଲିକା ବସିବାଠାରୁ ଉଠି ଚାହା ଜଳଖିଆ ଥିବା ଟେବୁଲ ପାଖରେ ପହଞ୍ଚିଗଲେ । କେଉଁ ପ୍ଲେଟରେ ବେଶୀ ଦିଆଯାଇଛି, ଦୁହେଁ ଖାଲି ଚାହିଁ ଚାହିଁ କଳନା କରୁଛନ୍ତି; କିନ୍ତୁ ପ୍ଲେଟରେ ହାତ ଦବାକୁ କାହାରି ସାହସ କୁଳାଉନାହିଁ । ଏପରି ସମୟରେ ସୁପ୍ରଭାର ମା’ ଆଉ କମଳାକାନ୍ତ କୋଠରିରେ ପ୍ରବେଶ କଲେ । କମଳାକାନ୍ତକୁ ବସିବାରୁ ନିର୍ଦ୍ଦେଶ ଦେଇ ତା’ ପାଇଁ ଚାହା-ଜଳଖିଆର ପ୍ଳେଟଟିଏ ବଢ଼େଇ ଦେଇ କହିଲେ—“କଲେଜପାଠୁଆ ପିଲାର ପୁଣି ଏତେ ଲାଜ ନା ? ଆଜି ଛାଡ଼ି କାଲିକି ହାକିମହୁକୁମା ହେବ—ଏମିତି ଲାଜ କଲେ ଚଳିବ କିମିତି ?” କଥା ପଦକ ଶେଷ ନ ହଉଣୁ ବରୁଆଣୀଙ୍କ ଆଡ଼କୁ ଅନେଇଲେ; ତାଙ୍କ ମୁହଁରେ ବି ଆନନ୍ଦର ହସ । ଫେଁସୁ ଆଉ ମିଲିକା ଆଡ଼କୁ ପ୍ଳେଟ ଦୁଇଟା ବଢ଼େଇ ଦେଇ ମାକଣୀକୁ ଚାହିଁ କହିଲେ—“ଆସିଲ ମା, ଭାଇ ଭଉଣୀମାନଙ୍କୁ ଖୁଆଇଦବ ।”

 

ଆଖିଠାରରେ ମା’ଙ୍କଠାରୁ ଅନୁମତି ପାଇ ଟିକି-ରେଣୁକୁ ନେଇ ମାକଣୀ ଟେବୁଲ ପାଖରେ ପହଞ୍ଚିଲା । ମାକଣୀ ନ ଆସୁଣୁ, ଆଗରୁ ଆଖେଇଥିବା ଫେଁସୁ ନିଜର ପ୍ଲେଟରୁ ରସଗୋଲାଟିକୁ ଟପ୍‌କରି ଗିଳି ପକେଇ ମିଲିକାର ପ୍ଳେଟରୁ ମଧ୍ୟ ସେଇଟାକୁ ଚିଲଭଳି ଝାମ୍ପି ନେଇ ପାଟିରେ ଭତ୍ତି କରଦେଲା । ଉପାୟହୀନ ହୋଇ ମିଲିକା ‘ଭେଁ....ଏଁ.....’ କିନା କାନ୍ଦି ଚଟାଣରେ ବସିପଡ଼ିଲା । କିଛିନା କିଛି ଦୁର୍ଘଟଣା ଆଶଙ୍କା କରି ପୂର୍ବରୁ କମଳାକାନ୍ତ ଦୁଇଭାଇଙ୍କର କାଣ୍ଡକାରଖାନାକୁ ବଲ୍‌ ବଲ୍‌ କରି ଅନେଇଥିଲା । ମିଲିକାର କାନ୍ଦରେ ପାଟିକି ନୂଆ ଚାହା ଢୋକକ ତଣ୍ଟିରେ ପାରହେବା ନ ହେଲା । ରାୟବାହାଦୂରାଣୀ ତତ୍‌କ୍ଷଣାତ କଥାଟି ବୁଝିପାରି—“କାନ୍ଦନା, ମୁଁ ତୁମକୁ ଆଉ ଗୋଟିଏ ଦେବି ।” ବୋଲି ସାନ୍ତ୍ୱନା ଦେଇ ତାର ବାହୁ ଦୁଇଟା ଧରି ତଳୁ ଉଠାଇ ଠିଆକରାଇଲେ । ଖାଇବାକୁ ପାଇଲେ ବୋବା ପାଟିରୁ ବି କଥା ବାହାରେ । ରସଗୋଲା ପାଇବା ଆଶାରେ କାନ୍ଦ ବନ୍ଦ କରି ମିଲିକା ଏକାନଃଶ୍ଵାସରେ କହିଲା—“ଉଁ...... ଉଁ....ମତେ ଦିଟା ଦବ ଯେ-।”

 

—“ସୁନାଟା ପରା, ଖାଇପକା । ଦୁଇଟା କାହିଁକି, ଚାରିଟା ଦେବି ।” କହି କହି ରାୟବାହାଦୂରାଣୀ ମିଲିକା ମୁଣ୍ଡରେ ଧୀରେ ଧୀରେ ହାତ ବୁଲେଇ ଆଣିଲେ ।

 

ଫେଁସୁ ଭାବିଲା, ସେ ସତେ କି ବୁଡ଼୍‍ବକ୍‌ କାମଟାଏ ନ କଲା ! ମିଲିକା ଏବେ ଗୋଟାଏ ରସଗୋଲା ହରେଇ ଚାରିଟା ପାଇବ । ପାଟି ଭିତରର ମିଠାଟିକୁ ନଚୋବେଇ ତରବରରେ ଗିଳି ପକାଇ ସେ ବି ରାୟବାହାଦୂରଣୀଙ୍କୁ ଅନେଇ କହିଲା—“ମତେ ବି ଦବ ଯେ...... ?”

 

—“ଦେବି ବାପା, ଦେବି ।” ବୋଲି କହି ହସି ହସି ରାୟବାହାଦୂରାଣୀ ଘର ଭିତରକୁ ଗଲେ ।

 

ଏଇ କାର୍ତ୍ତିକ ମାସର ସନ୍ଧ୍ୟାରେ ବି ଲାଜ-ସଙ୍କୋଚରେ କମଳାକାନ୍ତର ଦେହଟା ସାରା ଝାଳରେ ଭିଜିଗଲା । ସୁପ୍ରଭାର ମା’ ଘରୁ ବାହାରିଯିବା ସଙ୍ଗେ ସଙ୍ଗେ ହିଁ କମଳାକାନ୍ତ ମା’ଙ୍କ ଆଡ଼କୁ କଣେଇ ଚାହିଁଲା । ଫେଁସୁ, ମିଲିକାଙ୍କୁ ସାଙ୍ଗରେ ଆଣି ମା’ ଯେ କି ଭୁଲ୍‍ କାମ କରିଛନ୍ତି, ସେଇ ଭାବ ଭାର କଟାକ୍ଷରୁ ପ୍ରକାଶ ପାଇଲା । ପୁଅର ବିଦ୍ରୂପ ଚାହାଣିରେ ମୁହଁ ଫୁଲେଇ ବରୁଆଣୀ କହିଲେ—“ଏମିତି ଚାହୁଁଛୁ କଣ ବା ? ପିଲାଝିଲା ହେଲେ ବୁଝିବୁ । ସେଥିରେ କଣ ତୋ’ର ଲମ୍ବା ନାକଟା ଛୋଟ ହେଇଗଲା ?’’ ଅନିଚ୍ଛା ସତ୍ତ୍ୱେ କମଳାକାନ୍ତ ମୁହଁକୁ ତଳକୁ କରି ଚାହା କପ୍‌ରେ ଓଠଦେଇ ନ ଶୁଣିବାର ଅଭିନୟ କଲା ।

 

ରାୟବାହାଦୁରଙ୍କ ଶୁଚିମନ୍ତ ରୋଷଶାଳର ଚଟାଣରେ ସାତ୍ତ୍ୱିକ ଜଳଯୋଗର ସଦ୍‌ବ୍ୟବହାରପୂର୍ବକ ଖଡ଼ିକାକାଠିରେ ଦାନ୍ତ ଖୁଣ୍ଟି ବରୁଆଣୀ ପୁଣି ଡ୍ରଇଁରୁମ୍‌କୁ ଆସି ବସିଲେ । ଗୁଆ, ମସଲା ଖାଇ ଖାଇ ମା’ ସୁପ୍ରଭାକୁ କହିଲେ—“ଆରେ ମା, ମାଉସୀଙ୍କୁ ବର ଗୀତଟାଏ ଶୁଣେଇବ ନାହିଁ ନା କଣ ?”

 

ମାଉସୀ ସମ୍ବୋଧନରେ ବରୁଆଣୀଙ୍କ ଛାତି କୁଣ୍ଡେମୋଟ ହୋଇଗଲା ।

 

—“କେଉଁଟା ଗାଇବି ମା ?” ଉତ୍ତରକୁ ଅପେକ୍ଷା ନ କରି ସୁପ୍ରଭା ଆସ୍ତେ ଆସ୍ତେ କୋଣରେ ଥିବା ପିଆନୋର ନିକଟବର୍ତ୍ତୀ ହେଲା । ଘରଟା ଅନ୍ଧାରିଆ ଦିଶୁଛି । ସୁପ୍ରଭା ପିଆନୋ ପଟ କାନ୍ଥରେ ଥିବା ସୁଇଚ୍‌ଟା ଅନ୍‌ କଲା । ତତ୍‌କ୍ଷଣାତ୍‌ ସାରା ଘରଟା ସୁନେଲୀ ଆଲୋକରେ ପରିପୂର୍ଣ୍ଣ ହେଲା । ମିଲିକା, ଟିକି-ରେଣୁ, ବିସ୍ମୟ ଆନନ୍ଦରେ ହାତତାଳି ଦେଇ ହିଁ ହିଁ କରି ହସିବାକୁ ଲାଗିଲେ ।

 

ଝିଅ ଯାଇ ପିଆନୋ ଟୁଲ୍‌ରେ ବସିବାରୁ, ମା’ କହିଲେ—“ସେଇ ‘ସୁନ୍ଦର କାନୁଟୋ’ ଗାଆ ।”

 

ଦେହର ଚାଦରଟିକୁ ସଂଯତ କରି, ଗଣ୍ଡରେ ଚୁମାଖାଉଥିବା କୁନ୍ତଳକେରାକ ଏକପାଖିଆ କରି, ପିଆନୋର ରିଡ଼୍‍ ଉପରେ ନରମ ଅଙ୍ଗୁଳି କେଇଟା ସଂଚାଳନ ପୂର୍ବକ ପରିହାସ ଛଳରେ କହିଲା—“ଓ, ସେଇଟାତ ସବୁବେଳେ ଗାଏଁ ।”

 

ଧୀରେ ଟୀରେ ପିଆନୋ ‘ରିଡ଼୍‍’ର ମଧୁର ତରଙ୍ଗ ଭାସିଉଠିଲା । ସେଇ ତରଙ୍ଗର ତାଳେ ତାଳେ ଧ୍ଵନିତ ହେଲା—

Unknown

 

“ଅନ୍ତର ମମ ବିକଶିତ କର

ଅନ୍ତରତର ହେ

ନିର୍ମଳ କର, ଉଜ୍ଜ୍ୱଳ କର

ସୁନ୍ଦର କର ହେ

ଜାଗ୍ରତ କର, ଉଦ୍ୟତ କର,

ନିର୍ଭୟ କର ହେ—”

 

କମଳାକାନ୍ତର ମା’ ବିମୁଗ୍‌ଧ ନେତ୍ରରେ ଏଇ ଅପରୂପ ଝିଅଟି ଆଡ଼କୁ ଚାହିଁ ପଚାରିଲେ–“ଏଇଟି କାହାର ବରଗୀତ ? ମହାପୁରୁଷଙ୍କର ନୁହେଁ ନା ?”

 

ଝିଅର କୀର୍ତ୍ତିରେ ରାୟବାହାଦୁରାଣୀଙ୍କ ଆଖିରେ ମୁହଁରେ ହସ ଫୁଟିଉଠିଲା । ବରୁଆଣୀଙ୍କ ଅଜ୍ଞତା ପ୍ରତି ଦୟା ପ୍ରଦର୍ଶନପୂର୍ବକ ଧୀରେ ଧୀରେ ଉତ୍ତର ଦେଲେ—“ଏଇଟା ବରଗୀତ ନୁହେଁ; ରବୀନ୍ଦ୍ର ସଙ୍ଗୀତ ।”

 

ଦର୍ଶନ-ଛାତ୍ର ମାତ୍ରେଇ ଗୀତ-ନାଟି ତଥା ଖେଳ କଉତୁକ ପ୍ରତି ବିମୁଖ । କାନ୍ତ ପୁଣି କଲେଜର କୀର୍ତ୍ତିମାନ ଛାତ୍ର । ଏଇ କେଇଟା ଦୁର୍ଜନଙ୍କ ସଙ୍ଗ ସେ ପରୋକ୍ଷ ଭାବରେ ସର୍ବଦା ଏଡ଼ିଚାଲିଛି । କିନ୍ତୁ ସୁପ୍ରଭାର ସୁଲଳିତ କଣ୍ଠର ସଙ୍ଗୀତ-ତରଙ୍ଗ-ଭଙ୍ଗିମା କମଳାକାନ୍ତର କୋମଳ ଅନ୍ତରରେ ପୁଲକର ଢେଉ ତୋଳିଲା ।

 

ବାର

 

ଶନିବାର ମରଙ୍ଗିରେ ହାଟ । ହାଟରୁ ଫେରି ଖାଇପିଇ ବାପୁରାମ ବରା ବାହାରଘରେ କାନ୍‌ଭାସ୍‌ ଫୋଲଡ଼ିଂ ଚଉକି ଖଣ୍ଡିକ ଖୋଲି ବିଶ୍ରାମ ନଉଛନ୍ତି । କାର୍ତ୍ତିକ ମାସ । ଦିନବେଳେ ବିଛଣାରେ ପଡ଼ିବା ନିୟମବିରୁଦ୍ଧ । ଚଉକିରେ ପଡ଼ି ଆଖିଯୋଡ଼ିକ ମୁଦିବାକୁ ଚେଷ୍ଟା କରୁଛନ୍ତି; ଜୋର୍‌ରେ ନିଦଟାଏ ମାଡ଼ିଆସୁଛି । ଏପରିବେଳରେ ଦୁଆରମୁହଁରେ କେହି ଜଣେ ଅର୍ଗଳି ଖୋଲିବାର ଶବ୍ଦ ହେଲା । ମୁଦ୍ରିତ ନେତ୍ରଯୁଗଳକୁ ଅନିଚ୍ଛାସତ୍ତ୍ୱେ ଖୋଲିବାକୁ ପଡ଼ିଲା—ଧର୍ମେଶ୍ଵର ପିଅନ । ଆଜି ହାଟବାରି; ଚିଠି ବଣ୍ଟନର ଦିନ । ଚିଠି ଆଶାରେ ବାପୁରାମଙ୍କର ତନ୍ଦ୍ରାଭାବ ଅନ୍ତର ହେଲା । ମୁଣ୍ଡ, ପିଠିକୁ ସିଧାକରି ଧର୍ମେଶ୍ଵରଠୁ ଚିଠି ଆଣିବାକୁ ଉଦ୍‌ଗ୍ରୀବ ହୋଇ ହାତ ବଢ଼ାଇଲେ । ପୋଷ୍ଟଅଫିସର-ଷ୍ଟାମ୍ପମରା ଚିଠିର ପ୍ରାପ୍ତିରେ ପିଲା ବୁଢ଼ା ସମସ୍ତଙ୍କର ସମାନ ଆନନ୍ଦ—ହଉନା କାହିଁକି ତାହା ‘ଢାକା ଔଷଧାଳୟ’ର ପୁସ୍ତିକା ଅଥବା ‘ଗୁପ୍ତପ୍ରେସ’ର ପୁସ୍ତକ ତାଲିକା । ସସଂଭ୍ରମେ ଲଫାଫାଟିକୁ ହାତକୁ ନେଇ ବାପୁରାମ ଠିକଣାକୁ ଲକ୍ଷ୍ୟ କାଲେ । ନିର୍ଭୁଲ—ତାଙ୍କ ନାମର ହିଁ ଚିଠି ।

 

ଅକ୍ଷର କେଇଟା ଅଳ୍ପ ଚିହ୍ନା ଚିହ୍ନା ପରି ଲାଗିଲ—ବହୁଦିନୁ ଦେଖା-ସାକ୍ଷାତ ନଥିବା ପୁରୁଣା ବନ୍ଧୁଙ୍କ ପରି, କିନ୍ତୁ ଠିକ୍‌ ଧରିପାରିନାହାନ୍ତି । ଚକ୍ଷୁକୁ ଆହୁରି ବିସ୍ଫାରିତ କରି ନାମଟି ପଢ଼ିଲେ-। ବିଜୁଳିର ଚମକ ପରି ଚାଇଁକରି ବୁକୁରେ ଅସ୍ପଷ୍ଟ ଭାବ-ପ୍ରବାହ ବହିଗଲା । ସନ୍ତର୍ପଣରେ ଲଫାଫାଟିର ଗୋଟିଏ ପାଖ ଚିରି, ମା’ ପେଟରୁ ଛୁଆ ବାହାର କଲା ପରି ଚିଠିଖଣ୍ଡିକ ବାହାର କଲେ । ଭାଙ୍ଗ ଖୋଲିବା ସଙ୍ଗେ ସଙ୍ଗେ ବୁଭୁକ୍ଷୁ ଚକ୍ଷୁଯୋଡ଼ିକ ମୂଳରୁ ଶେଷଯାଏଁ ଚିଠିଟିକୁ ପଢ଼ି ଶେଷକଲେ ।

 

ଶ୍ରୀହରି ସହାୟ

ଦିବୃଗଡ଼

୨୧କାର୍ତ୍ତିକ

 

ପ୍ରିୟ ଶୀଯୁକ୍ତ ବରାଦେବ ସମୀପେଷୁ,

 

ଆପଣଙ୍କର ସବୁ ଚିଠି ଯଥାସମୟରେ ମିଳିଛି । ପ୍ରସ୍ତାବଟିର କିଛି ଗୋଟାଏ ମୀମାଂସା କରିପାରୁ ନ ଥିବାରୁ ଉତ୍ତର ଦେବାରେ ବିଳମ୍ବ ହେଲା । ପୁଅର ଚାକିରି-ବାକିରିର ଆଜି ପର୍ଯ୍ୟନ୍ତ କିଛି ହେଲେ ସୁବିଧା ହୋଇନାହିଁ; ଶୀଘ୍ର ସେ ହେବ ସେପରି ମଧ୍ୟ ଆଶା ନାହିଁ । ଏ ପରିସ୍ଥିତିରେ ଏବେ ବାହାଘର ପ୍ରସ୍ତାବରେ ସମ୍ମତ ବା ହେବ କିପରି ? ଏଇ ସବୁ ଭାବି-ଚିନ୍ତି ଅନ୍ୟ ପାତ୍ରରେ ଝିଅକୁ ଦେବା ପାଇଁ ଆପଣଙ୍କୁ ଅନୁରୋଧ କରେ । ୰ଭଗବନ୍ତ ସହାୟ, ତାଙ୍କ କୃପାରେ ଆପଣଙ୍କର ଝିଅ ନିଶ୍ଚୟ ଉପଯୁକ୍ତ ପାତ୍ରରେ ପଡ଼ିବ ।

 

କୁଶଳ, ମଙ୍ଗଳ ଜଣାଇ ସୁଖୀ କରାଇବେ । ମୋର ନମସ୍କାର ଜାଣିବେ । ଇତି ।

 

ଆପଣଙ୍କର ଶୁଭାକାଂକ୍ଷୀ

ଶ୍ରୀ ମହୀକାନ୍ତ ବରୁଆ

 

ଚିଠି ଖଣ୍ଡିକ ପଢ଼ୁ ପଢ଼ୁ ବାପୁରାମଙ୍କ ଆଖିରେ, ମୁହଁରେ ଅଶାନ୍ତ ଉଦ୍‌ବେଗ ତଥା ଗ୍ଳାନିକର ବିରକ୍ତି ଫୁଟିଉଠିଲା । ଚଉକିର ହାତକୁ ଧରି, ଓଠକୁ ଦାନ୍ତରେ ଚିପି ଲଡ଼ବଡ଼ ହୋଇ କମ୍ପିବାକୁ ଲାଗିଲେ । ଲାଞ୍ଛନା, ଅପମାନ ତଥା କ୍ରୋଧରେ ଉତୁରା ଭାତ ପରି ମଗଜ ତାଙ୍କର ଡଗ୍‌ଡ଼ଗ୍‌ ଫୁଟିବାକୁ ଲାଗିଲା । କଣ କରିବେ, କଣ ନ କରିବେ—ବିବେକ-ହୀନ ଭାବରେ ହାତରେ ଚିଠି ଖଣ୍ଡିକ ଧରି ପଡ଼ିଉଠି ପଧାନଙ୍କ ଘରକୁ ଗଲେ । ପଧାନଘରର ମଧ୍ୟସ୍ଥତାରେ ବାହାଘର ଠିକ୍ ହୋଇଥିଲା; କେଜାଣି ବା ଏବେ ବାପ ପୁଅ ମିଳି କଣ ହେଲେ କିନାରା କରି ଦେଇପାରିବେ ।

 

ହୁକକା ଟାଣି ମୌଜାଦାର ବାହାରଘରେ ବସିଥିଲେ । ହାତରେ ଚିଠି ଖଣ୍ଡିଏ ଧରି ବାପୁରାମ ବରା ଅସ୍ତବ୍ୟସ୍ତ ହୋଇ ଆସି ପହଞ୍ଚିବା ଦେଖି ମୌଜାଦାର ଘଟଣାଟିକୁ ଅନୁମାନ କରି କହିଲେ—‘‘ଆସ, ଆସ ବସ । କଣ ହେଇଚି ?’’

 

ଚିଠିଟିକୁ ପଧାନଙ୍କ ହାତକୁ ବଢ଼ାଇ ଦେଇ ବାପୁରାମ୍‌ ଲଥକିନା ଚଉକି ଖଣ୍ଡିକରେ ବସିପଡ଼ିଲେ । ଚିଠିଟି ପଢ଼ି, ହୁକ୍‌କା ନଳୀରେ ସୁଡ଼ୁସୁଡ଼ୁ କରି ଦି’ଟାଣ ଟାଣି, ପଧାନେ ଗମ୍ଭୀର ଭାବେ କହିଲେ—‘‘ଏତିକି କଥାରେ ଏତେ ବିଚଳିତ ହେବାର କଣ ଅଛି ?’’

 

—‘‘ଝିଅର ମୋର ଏବେ କି ଗତି ହେବ ?’’ ସହାନୁଭୂତିପ୍ରାର୍ଥୀ ହୋଇ ପଧାନଙ୍କ ମୁହଁକୁ ଅନେଇଲେ ବାପୁରାମ ।

 

—‘‘ଅନ୍ୟ ଜାଗାରେ ସମ୍ବନ୍ଧ ଖୋଜିବାକୁ ପଡ଼ିବ । ଝିଅ ଥିଲେ ମା’ ବାପାଏ ଉପଯୁକ୍ତ ପାତ୍ରରେ ଦେବାକୁ ଚାହାଁନ୍ତି—ସେଇଟା ଦେଶ-ଦସ୍ତୁର । କିଏ କଥା ଦେଇ କଥା ରଖେ, କିଏ ରଖେ ନାହିଁ—ସେଥିରେ ଦୁଃଖ କରିବାର କଣ ଅଛି ? ଏଇଟା କଣ କେବଳ ତୁମ କ୍ଷେତ୍ରରେ ହେଇଛି ? କେମିତି ବା କହିବା—କିଏ ଜାଣେ ଝିଅର ମଙ୍ଗଳ ପାଇଁ ହିଁ ସମ୍ବନ୍ଧଟା ଭାଙ୍ଗିଗଲା ।’’

 

ବାପୁରାମ ନିରାଶର ଦୀର୍ଘନିଃଶ୍ୱାସ ଛାଡ଼ିଲେ । ପଧାନେ ପୁଣି କହିଚାଲିଲେ—‘‘ଜାଣିଛ, ସମାଜରେ ବିବାହିତ ଜୀବନ ବଡ଼ ଦାୟିତ୍ଵର ଜୀବନ । ମା’-ବାପ, ଜ୍ଞାତି କୁଟମ୍ବ ସମସ୍ତଙ୍କ ସହିତ ମିଳିମିଶି ରହିଲେ ବିବାହିତ ଜୀବନ ସୁଖକର ହୋଇଥାଏ । ପୁଅ ନିଜ ଇଚ୍ଛାରେ ବାହାହେଲେ ଅନେକ ସମୟରେ ଘରଲୋକଙ୍କ ସହିତ ମନୋମାଳିନ୍ୟ ହୋଇ ଝିଅର ଜୀବନ ଅସୁଖୀ ହୋଇଥାଏ । ସେଥିରେ ପୁଣି ନୀଚ ଲୋକ ଉଚ୍ଚପଦବୀ ପାଇ ତେଢ଼ାରେ ପାଗ ଭିଡ଼ି ବୁଲି ବୁଲି ଚାହେଁ । ସାମାନ୍ୟ କିରାନିର ପୁଅ ହାକିମ ହେବ—ତାଙ୍କ ସହିତ ତମ ଆମ ଭଳି ଲୋକ ତାଳ ଦେବା କିମିତି ? ତୁମ ଝିଅ ପାଇଁ ହୁଏତ ମହାପ୍ରଭୁ କମଳାକାନ୍ତ ଅପେକ୍ଷା ଭଲ ପାତ୍ରଟିଏ ରଖିଛନ୍ତି-। ଯାହାର କନ୍ୟା, ତା’ର ବିବାହ; ମିଛରେ ଦୁଃଖ କରି ଲାଭ କିଛି ନାହିଁ । ‘କର୍ମଣ୍ୟେ ବାଧିକାରସ୍ତୁ ମା ଫଳେସୁ କଦାଚନ’—କର୍ମରେ ହିଁ ତୁମର ଅଧିକାର, ଫଳକୁ ଆଶା କରନା ।’’

 

ଯେତେବେଳେ ବାପୁରାମ ମୃଗରୋଗୀ ଭଳି ଆସି ଚଉକିରେ ବସନ୍ତି, ପଧାନଙ୍କ ହଳିଆ ଗେଲେରା ସେଠି କାମ କରୁଥିଲା । ସ୍ତ୍ରୀ ମରିବା ଦିନରୁ ବାପୁରାମଙ୍କ ଚାଲିଚଳନରେ ପରିବର୍ତ୍ତନ ଲୋକେ ଲକ୍ଷ୍ୟ କରୁଛନ୍ତି । ବରାଙ୍କର କଣ କିଛି ରୋଗବାଗ ଅନୁମାନ କରି ଗେରେଲା ଦୌଡ଼ିଯାଇ ପଧାନୀଙ୍କୁ ଖବର ଦେଲା । ବାଛୁଥିବା ଖଇତକ ଚାଲୁଣୀରେ ଢାଙ୍କି ଥୋଇ ପଧାନୀ ବାହାରକୁ ଆସିଲେ । ପଧାନେ ଯେତେବେଳେ ବାପୁରାମଙ୍କୁ ସାନ୍ତ୍ୱନା ଦିଅନ୍ତି ସେତେବେଳେ ଶାସ୍ତ୍ରବଚନ ଉଲ୍ଲେଖ କରୁଥିଲେ । ସ୍ତ୍ରୀଙ୍କୁ ଦେଖି ପଧାନେ କଥାଟାର ଆଦ୍ୟପ୍ରାନ୍ତ ବଖାଣିବସିଲେ । ଆଶାୟୀ ହୋଇ ବାପୁରାମ ପଧାନୀଙ୍କ ମୁହଁକୁ ମିନତିଭରା ଆଖିରେ ଅନେଇ ପଚାରିଲେ—

 

—‘‘ତୁମେ କୁହ, ମୁଁ ଏବେ ଝିଅକୁ ନେଇ କୋଉଠି ଛନ୍ଦିବି ?’’

 

ସତରେ ବାପୁରାମଙ୍କର କିଛି ଗୋଟାଏ ବଡ଼ଧରଣର ବେରାମ ହୋଇଛି ଭାବି ହାତର କାମକୁ ପକେଇ ପଧାନୀ ପଡ଼ିଉଠି ଧାଇଁଆସିଥିଲେ । କିନ୍ତୁ ଟଗରର ସମ୍ବନ୍ଧଭଙ୍ଗା ସମ୍ବାଦଟି ପାଇଁ ବାପୁରାମଙ୍କୁ ମୂର୍ଚ୍ଛାଗତ ପ୍ରାୟ ଦେଖି ତାଙ୍କ ରାଗ ଚଢ଼ିଲା । ନିଜ ଝିଅର ହାତକୁ ମାଷ୍ଟ୍ରଟିଏର ହାତରେ ଛନ୍ଦି ବାପୁରାମଙ୍କ ଭାବି-ଜ୍ଵାଇଁ ହାକିମ ହେବା କଥାଟି ପ୍ରଧାନୀ ମନେ ବେଶୀ ଭଲ ପାଉ ନଥିଲେ । ସେ ତେଣୁ ଗମ୍ଭୀର ହୋଇ କହିଲେ—‘‘ସତରେ ହାକିମ ମୁନସଫ୍‌ କଥା ଭାବିବସିଲେ ଝିଅକୁ ଛନ୍ଦିବା ବଡ଼ କଷ୍ଟ । ସମସ୍ତେ ଏବେ ହାକିମ ମୁକ୍ତିଆର ପାଇବେ କୋଉଠୁ ? କିନ୍ତୁ ଗରିବଗୁରୁବା ଚାହିଁଲେ, କାହାର ବା ଝିଅ ମା’-ବୁଢ଼ୀ ହୋଇ ପଡ଼ିରହିଛି ?’’

 

—‘‘ତା’ ତ ସତକଥା, ହେଲେ ସେଇଠି ପଡ଼ିବ ବୋଲି ଝିଅ ସେ ଏତେଦିନ ହେଲା ଭାବି ଲାଗିଥିଲା..... ।’’ କାନମୁଣ୍ଡ ଆଉଁସି ବାପୁରାମ ଏତକ କହିଲେ ।

 

—‘‘ଭାବୁଥିଲା ତ ଭାବୁଥିଲା—ତା ବୋଲି ସେଇଟା କଣ ଠିକ୍ ? ଗୋଟିଏ ଜାଗାରେ ସମ୍ବନ୍ଧ ପଡ଼ି କେତେଟା ଝିଅଙ୍କର ବାହାଘର ହୁଏ ? ସେ’ କଣ ପାର୍ବତୀ ଯେ ମହାଦେବଙ୍କୁ ଆରାଧନା କଲା ପରି ଆରାଧନା କରୁଛି ?” .....ନିଶ୍ଵାସ ନେଇ ପୁଣି କହିଲେ—‘‘ମାଏ ବାପେ ଯୋଉଠି ଭଲ ବିଚାରି ବାହା ଦିଅନ୍ତି ସେଥିରେ ହିଁ ଝିଅର ସନ୍ତୋଷ । ଆପଣ ଏପରି ମୁଣ୍ଡକୋଡ଼ିବାରେ କି ଦରକାର ? ହାତରେ କଣ ବେଶ୍‌ ଭଲ ପାତ୍ରଟିଏ ନାହିଁ କି ?’’

 

ବାପୁରାମ ମୁଣ୍ଡ ଉଠେଇ ଉତ୍ସୁକ ଭାବରେ ନାଁଟି ଶୁଣିବା ପାଇଁ ଅପେକ୍ଷା କରି ରହିଲେ ।

 

—‘‘କାହିଁକି, ଧରଣୀ ମାଷ୍ଟର !’’ ସମର୍ଥନ ପାଇବା ଆଶାରେ ପଧାନୀ ସ୍ଵାମୀଙ୍କ ମୁହଁକୁ ଅନେଇଲେ । ପଧାନେ ମୁଣ୍ଡ ଟୁଙ୍ଗାରି କହିଲେ,—‘‘ହଁ ତ, ଧରଣୀ ପିଲାଟାକୁ ମୁଁ ମନ୍ଦ ଦେଖୁନାହିଁ । ଦେଖିବାରେ, ଶୁଣିବାରେ, ଜାତିରେ, କୁଳରେ ମନ୍ଦ ବୋଲି ପିଲାଟାର କିଛି ନାହିଁ । ଆପଣଙ୍କର ଆଗକୁ ନାହିଁ କି ପଛକୁ ନାହିଁ । ଝିଅ ଜ୍ଵାଇଁ ଘରଟିକୁ ସମ୍ଭାଳି ନେଇପାରନ୍ତେ ।’’

 

—‘‘ଝିଅ ପୁଣି କଣ.....’’ କ୍ଷୀଣ ସ୍ଵରରେ ବାପୁରାମଙ୍କ ମୁହଁରୁ ହଠାତ୍‌ କଥାଟି ବାହାରିଗଲା ।

 

କଥା ଶୁଣି ଅସହିଷ୍ଣୁ ହୋଇ ପଧାନୀ କହିଲେ—‘‘ମୁଁ ବି ଝିଅ ବାହା କଲି; ହେଲେ ଝିଅକୁ ପଚାରି ବୁଝି ବାହାଘର କରିନାହିଁ । ଝିଅକୁ ପାଠ ପଢ଼େଇ ଆପଣ ଯେ କଣ କରିଛନ୍ତି, ଆଉ ଦଶଜଣ ଦେଖୁଛନ୍ତି । ଆପଣ ବୋଲି ମୁଁ ଦେଖି ବି ନଦେଖିଲା ପରି ରହିଛି—ଦିନକ ପାଇଁ ବି ଆପଣଙ୍କ ଝିଅ କଥା ନେଇ ଫୁଟ୍‌ଫାଟ୍‌ କରିନି । ଯୁବତୀ ଝିଅ ଥିବା ଘରକୁ ଧରଣୀ ମାଷ୍ଟର ଏମିତି ବାରମ୍ବାର ଯିବାଆସିବା କରେ କାହିଁକି ? ଟଗର ବି କଣ ଭେଣ୍ଡା ଟୋକାଟାଠୁ ଫୁଲପକା ଶିଖିଲେ ଯାଇ ଚଳେ ? ଏଇ କଥାଗୁଡ଼ାକ କହିବି ବୋଲି ଭାବୁଥିଲି । ଏପରି କିଛି ଦିନ ଚାଲିଲେ ବାଦ-ଅପବାଦାର ଭୟ ଅଛି । ସେଥିପାଇଁ କହୁଛି, ଲୋକେ ଫୁସ୍‌ଫାସ୍‌ ନହଉଣୁ ଭଲରେ ଭଲରେ ଝିଅକୁ ବିଦା କରିଦିଆ ।’’

 

ସ୍ତ୍ରୀଙ୍କ କଥାରେ ପୂର୍ଣ୍ଣଚ୍ଛେଦ ଟାଣିବା ପାଇଁ ପଧାନେ ସୁଡ଼୍‌ସୁଡ଼ୁ କରି ହୁକ୍‌କାରେ ଦୀର୍ଘ ସୁଡ଼ୁକା ଟାଣିଲେ । କଥା ଶୁଣି ବାପୁରାମ ଶବ ସଦୃଶ ପଡ଼ି ନିଶ୍ଚଳ ହୋଇରହିଲେ । ଏତେଗୁଡ଼ାଏ ଚମକପ୍ରଦ କଥା ଏକସମୟରେ ତାଙ୍କ ଜୀବନରେ କେବେ ବି ଠୁଳ ହୋଇନଥିଲା । ବିସ୍ମୟ ବିମୂଢ଼ ଭାବରେ ଚଉକିରେ ହାତ ଧରି ବାପୁରାମ ହାତ ଧରି ବାପୁରମ ସ୍ତବ୍‌ଧ ହେଲେ । ସିନେମା-ପର୍ଦ୍ଦାରେ ଗୋଟିଏ ପଛରେ ଆଉ ଗୋଟିଏ ଚିତ୍ର ପ୍ରକାଶିତ ହେବା ଭଳି ଧରଣୀଟଗର ଜଡ଼ିତ ନାନା ଘଟଣା ନୂତନ ଅର୍ଥରେ ତାଙ୍କ ମନରେ ଦେଖାଦେଲା । ସ୍ତ୍ରୀଙ୍କ ମୃତ୍ୟୁ ସମୟରେ ଧରଣୀ ମାଷ୍ଟର ନଖାଇ ନପିଇ ରାତିଦିନ ଶୁଶ୍ରୂଷା କରିଥିଲା । ସେଇଦିନୁ ବାପୁରାମ ଧରଣୀକୁ ନିଜର ପୁଅ ଭଳି ସ୍ନେହ କରନ୍ତି; ଝିଅ ସହିତ ଧରଣୀର ଅବାଧ ମିଳାମିଶାକୁ ସେ ନିଃସନ୍ଦେହରେ ପ୍ରଶୟ ଦେଇଆସିଛନ୍ତି । ଟଗର-ଧରଣୀ ସଂକ୍ରାନ୍ତୀୟ ଘଟଣାଗୁଡ଼ିକ ମନ ଭିତରେ ଏଇଟା ପଛରେ ସେଇଟା...ଓଉର ଫଡ଼ା ପରେ ଫଡ଼ା ଛଡ଼ୋଉ ଛଡ଼ୋଉ ପିଚ୍ଛିଳ ମଞ୍ଜିରେ ପାଇ ହାତ ବାଜିଲା ବାପୁରାମଙ୍କର ।

 

ତେର

 

ଦୁଃଖ ଅପମାନରେ ଜର୍ଜରିତ ହୋଇ ବାପୁରାମ ଯେତେବେଳେ ଘରେ ପହଞ୍ଚିଲେ କାର୍ତ୍ତିକମାସିଆ ବେଳ ସେତେବେଳକୁ ବୁଡ଼ୁ ବୁଡ଼ । ସ୍ତ୍ରୀଙ୍କ ମୃତ୍ୟୁ ପରଠାରୁ କୁଆଡ଼ୁ କିଛି ସମ୍ପର୍କ ନଥିବା ପିଉସୀ ଜଣେ ବାପୁରାମଙ୍କ ଘରେ ପଡ଼ି ରହିଛନ୍ତି । ସବୁଗୁଡ଼ିକ କଥା ଗରମ-ଗରମରେ କହିବାକୁ ବାପୁରାମ ଭିତର ଅଗଣାରେ ପହଞ୍ଚିଲେ । ଏପାଖ ସେପାଖ ଅନେଇ ତନ୍ତଶାଳରେ ଆଖି ତାଙ୍କର ସ୍ଥିର ହୋଇଗଲା । ଯେଉଁଠି ଅଟଳ ବିଶ୍ୱାସ ସେଇଠି ନିର୍ମମ ଆଘାତ । ଟଗର ତଳକୁ ମୁହଁପୋତି ଫୁଲ ପକାଉଛି; ଫୁଲଟାକୁ ଚାହିଁ ପାଖରେ ଠିଆ ହୋଇଛି ଧରଣୀ । ମଝିର ବ୍ୟବଧାନ ଥାଇ ନଥିଲା ପରି—ଦେହମୁଣ୍ଡ ଲଗାଲଗି ପ୍ରାୟ—ଅର୍ଦ୍ଧନାରୀଶ୍ଵର ରୂପ ନେବାର ଉପକ୍ରମ । ହସମିଶ୍ରିତ କୁହାକଥାର ଦୁଇ ଚାରିପଦ ବାପୁରାମଙ୍କ କାନରେ ଠକ୍‌ ଠକ୍‌ ବାଜୁଛି । ଯାହାଟା ଅଳ୍ପଆଗରୁ ପଡ଼ାପଡ଼ୋଶୀଙ୍କ ବିଦ୍ଵେଷମୂଳକ ପ୍ରଚାର ବୋଲି ଭାବୁଥିଲେ, ଯାହା ଉପରେ ସନ୍ଦେହ, ଅବିଶ୍ଵାସ ଆକାରରେ ମନରେ ଉଙ୍କି ମାରୁଥିଲା—ହଠାତ୍ ଏଇ ଦୃଶ୍ୟାଲୋକରେ ସେସବୁ ସ୍ପଷ୍ଟ ପ୍ରକାଶିତ ହୋଇଉଠିଲା । କଳ୍ପନା-ବିଳାସୀ-ତତ୍ତ୍ଵ ଅନୁସନ୍ଧିତ୍ସୁ ଗଣ ପୁରୁଣା ଲିପିର ଗୋଟିଏ ଶବ୍ଦ ଉପରେ ଅତୀତ ଇତିହାସର ପ୍ରାମାଣିକ ଚିତ୍ର ଗଢ଼ିବା ପରି, ଏଇ ଗୋଟିଏ ଦୃଶ୍ୟର ସହାୟତାରେ, ବାପୁରାମ ଧରଣୀ-ଟଗରର ବୀଭତ୍ସ ପ୍ରେମାଖ୍ୟାନର କଳ୍ପନା କରିପାରିଲେ । କମଳାକାନ୍ତ ସହିତ ଝିଅର ବିଚ୍ଛେଦ ନିଶ୍ଚୟ ମଙ୍ଗଳମୟ ବିଧିର ବିଧାନ । ସବ୍‌ଜାନ୍‌ତା-ମଣିଷର ବୃଦ୍ଧି-କଳ୍ପନାର ତାରିଫ୍‌ କରି ବିଧାତା କିନ୍ତୁ ଅଦୃଶ୍ୟରେ କ୍ରୁର ହସ ହସିଲେ । ମୁଣ୍ଡକୁ ତଳକୁ କରି ନେଉ ନେଉ ନିଜର ଅଜ୍ଞାତସାରରେ ଧରଣୀର ମୁଣ୍ଡ ଟଗରର ଚିବୁକ ସ୍ପର୍ଶକଲା । ଲାଜ ସଙ୍କୋଚରେ ଟଗରର ଗାଲ ମୁହଁ ଅବିରମୟ ହୋଇଗଲା । ତ୍ରସ୍ତ-ଚକିତ ହୋଇ ଟଗର ମୁଣ୍ଡ ତୋଳି ଦେଖିଲା ଯେ ବାପା ନିର୍ଣ୍ଣିମେଷ ନୟନରେ ଅନେଇଛନ୍ତି । ପ୍ରାଣହୀନ-ପଥର-ମୂର୍ତ୍ତି ସଦୃଶ ବିଚାର ଯେମିତି ଥିଲା ସେମିତି ରହିଗଲା । ଅଜଣା ଭୟରେ ଦୁଇ ଆଖିରେ ତାର ମୂର୍ତ୍ତି ହେଲା କରୁଣ ଆର୍ତ୍ତନାଦ । ପର ମୁହୂର୍ତ୍ତରେ ଧରଣୀ ମାଷ୍ଟର ମଧ୍ୟ ପ୍ରକୃତ ଅବସ୍ଥାର ସୁରାକ ପାଇଲା । ସନ୍ତ୍ରସ୍ତ ତଥା ଅସ୍ପଷ୍ଟକଣ୍ଠରେ ଟଗରକୁ କହି ତନ୍ତଶାଳରୁ ଅନ୍ତର ହେବାକୁ ଉପକ୍ରମ କଲା । ଶିକାର ପାଇଥିବା ବାଘ ପରି ବାପୁରାମ ମଧ୍ୟ ଧରଣୀର ଅନୁଗମନ କରି ବାହାରକୁ ଗଲେ । ଧରଣୀ ବେଗି ବେଗି ସାମନା ପାହାଚ ପାରହେବାକୁ ଚେଷ୍ଟା କରୁଥିବା ଦେଖି ବାପୁରାମ ଆଦେଶ ସ୍ଵରରେ କହିଲେ—

 

—‘‘ରୁହ, କୁଆଡ଼େ ଯିବାକୁ ବାହାରିଛି, କଥା ଅଛି ।’’

 

ତଳ ପାହାଚରେ ଥୋଇବାକୁ ଯାଉଥିବା ପାଦକୁ ଟାଣିଆଣି, ତଳକୁ ମୁହଁ ପୋତି ଧରଣୀ ବାପୁରାମଙ୍କ ସମ୍ମୁଖରେ ହତଭମ୍ବ ହୋଇ ଠିଆହେଲା । ଅକସ୍ମାତ ମାନ ସମ୍ଭ୍ରମର ଅଗ୍ନି ପରୀକ୍ଷା ପାଇଁ ଛିଡ଼ାହେବାକୁ ପଡ଼ୁଥିବାରୁ ଦେହରେ ତାର କମ୍ପନ ସୃଷ୍ଟି ହେଲା । ନିଃଶ୍ଵାସ ଛାଡ଼ିବାକୁ ବି ଭୟ ଲାଗିଲା । ନିଃଶ୍ଵାସର ବାୟୁ ଠୁଳ ହୋଇ ବୁକୁରେ ଝଡ଼ ସୃଷ୍ଟି ହେଲା । ଅନିଶ୍ଚିନ୍ତ ସଂଶୟ, ବିସ୍ମୟ, ଭୟ ମୂର୍ତ୍ତିମାନ ହୋଇଉଠିଲେ ଦୁଇ ଆଖିରେ ।

 

—‘‘ତୁମେ ଏମିତିଭାବେ ମୋର ସର୍ବନାଶ କରିବ ବୋଲି ଭାବିନଥିଲି ।’’ କଠୋର କଣ୍ଠସ୍ଵରକୁ କଠୋରତର କରି ସେ କହିଲାଗିଲେ—‘‘ନିଜର ପୁଅ ଭଳି ମୁଁ ତୁମକୁ ସ୍ନେହ କରିଥିଲି । ତାର ବେଶ୍‌ ପ୍ରତିଦାନ ଦେଲ, ନୁହେଁ ?’’

 

ଲାଜରେ, ଅପମାନରେ ଧରଣୀର ଇଚ୍ଛା ହେଲା ମାଟିତଳେ ମିଶିଯିବାକୁ । କପାଳରେ ରୂପ ନେଲେ ବିନ୍ଦୁ ବିନ୍ଦୁ ଝାଳ । ମିଥ୍ୟା ଅପବାଦର ପ୍ରତିବାଦ କରିବାକୁ ମଧ୍ୟ ଶକ୍ତି ପାଇଲା ନାହିଁ ଧରଣୀ । ଥରିଲା ଜିଭକୁ ଅଗତ୍ୟା ଜୋର୍‌କରି ଥରାଇ କହିଲା—‘‘ଆପଣ ମିଛରେ ସନ୍ଦେହ କରୁଛନ୍ତି ।’’

 

—‘‘ମୋ ଆଖି ଆଗରେ ଆଜି ଯେଉଁ ଦୃଶ୍ୟ ଦେଖିଲି, ତା’ପରେ ମିଥ୍ୟା ସନ୍ଦେହ ବୋଲି କହିପାରୁଚ ?’’ ବିଦ୍ରୂପ ଭଙ୍ଗିରେ ଧରଣୀକୁ ଅନେଇଲେ ଏବଂ ପୁଣି କହିଲେ—‘‘କି କୁକ୍ଷଣରେ ତମ ସହିତ ଆମର ପରିଚୟ, ଘନିଷ୍ଠତା ହୋଇଥିଲା ସତେ !’’

 

କାନ୍ଦୁଣୁ-ମାନ୍ଦୁଣୁ ହୋଇ ଧରଣୀ ପୁଣି କହିଲା—‘‘ଆପଣ ମତେ ଭୁଲ୍‍ ବୁଝୁଛନ୍ତି; ମୋ ପ୍ରତି ଅନ୍ୟାୟ ବିଚାର କରୁଛନ୍ତି । ଟଗର ସହିତ ମୋର ସମ୍ବନ୍ଧ ନିଷ୍ପାପ.... ।’’ ତୁଣ୍ଡର କଥା ତୁଣ୍ଡରେ ହିଁ ଅସ୍ପଷ୍ଟ ହୋଇ ରହିଲା । ଦୁଇ ଆଖିରୁ ବହିବାକୁ ଲାଗିଲା ବରଷାର ବଢ଼ିପାଣି ।

 

ଧରଣୀର ଅସହାୟ କରୁଣ ଚାହାଣିରେ ଦୟାପରବଶ ହୋଇ ବାପୁରାମ ପୂର୍ବ ସ୍ଵରକୁ ବଦଳାଇ କୋମଳଭାବେ କହିଲେ—‘‘ଭୁଲ୍ ବା କାହାର ହୁଏନା ? ମଣିଷ ମାତ୍ରେଇ ଭୁଲ୍‌ କରେ । କିନ୍ତୁ ଭୁଲ୍‌କୁ ଅସ୍ଵୀକାର କରି ତା’ଠାରୁ ଦୂରେଇ ଯାଇ ହୁଏନା । ଭୁଲ୍‌କୁ ସଂଶୋଧନ କରିବାରେ ହିଁ ପୁରୁଷର ପୌରୁଷ ।’’

 

ହାତରେ ଲୁହ ପୋଛି ଧରଣୀ ବାପୁରାମଙ୍କ ଆଡ଼କୁ ଅନେଇଲା ।

 

—‘‘ଏତେ ଦିନ ଯାହା କଲ, କଲ,ଏବେ ତୁମକୁ ଟଗରକୁ ବାହା ହବାକୁ ପଡ଼ିବ । ଟଗର ପରି ଝିଅ ପାଇବାଟା ତୁମର ସୌଭାଗ୍ୟ ବୋଲି ଧରିନିଅ ।’’

 

ବିଚାରକଙ୍କ ମୁହଁରୁ‘ଖଲାସ’ ଶବ୍ଦ ଶୁଣା ମୃତ୍ୟୁଦଣ୍ଡ-ନିଶ୍ଚିତ-ଅପରାଧୀ ସଦୃଶ ବିସ୍ମୟ ପୁଲକରେ ଧରଣୀ ସ୍ତବ୍‌ଧ ହେଲା । ବିନା ଚେଷ୍ଟାରେ ଭିକାରି ସତେ କି ପରାର୍ଜିତ ସମ୍ପତ୍ତି ଲାଭକଲା-। ଅକସ୍ମାତ୍‌ ରାଜଐଶ୍ଵର୍ଯ୍ୟ ଲାଭ କରି ଧରଣୀ ନେତ୍ରଯୁଗଳରୁ ଆନନ୍ଦାଶ୍ରୁ ଝରିଲା । ନିଥର, ଶଙ୍କାକୁଳ ଦୃଷ୍ଟି ଅନନ୍ତ କୃତଜ୍ଞତା, ଅଫୁରନ୍ତ ଶ୍ରଦ୍ଧା ନିବେଦନ କଲା । ଟଗରର ଯୌବନର ଅପରିମିତ ଐଶ୍ଵର୍ଯ୍ୟ ପ୍ରତି ଧରଣୀ ମାଷ୍ଟରର ମୋହ ଜନ୍ମିବା ଅସ୍ଵାଭାବିକ ନୁହେଁ । ଟଗରର ଲାଭକରିବାର କାମନା, କଳ୍ପନା ତଥା ସ୍ଵପ୍ନ ବେଳେ ବେଳେ ତା’ମଧ୍ୟରେ ଉଙ୍କି ମାରୁଥିଲା । କିନ୍ତୁ ବାକ୍‌ଦତ୍ତା କନ୍ୟାର ପ୍ରେମାକାଂକ୍ଷୀ ହେବାକୁ ଧରଣୀର ଅର୍ଥ ତଥା ମର୍ଯ୍ୟାଦା କାହିଁ ?”

 

—‘‘କିନ୍ତୁ ଟଗରକୁ ନ ପଚାରି..... ।’’ ନିଜ ଅଜ୍ଞାତରେ ଧରଣୀର ପାଟିରୁ ଏତକ ବାହାରିପଡ଼ିଲା ।

 

—‘‘ଝିଅର ମତ ନେଇ ବାହାଦବା ପ୍ରଥା ଏବେ ବି ଆମ ସମାଜରେ ପ୍ରଚଳିତ ହୋଇନି-। ଟଗରର ଆପତ୍ତି କରିବାର କୌଣସି କାରଣ ମଧ୍ୟ ମୁଁ ଦେଖୁନାହିଁ ।’’

 

—‘‘କିନ୍ତୁ, କମଳାକାନ୍ତ..... ।’’

 

ଧରଣୀର ଅସଲ ଭୟ କେଉଁଠି ବାପୁରାମ ଉପଲବ୍‌ଧି କରିପାରି ଉତ୍ସାହର ସହିତ କହିଲେ—‘‘ସେଥିପାଇଁ ତୁମେ ନଶ୍ଚିନ୍ତ ରୁହ । ମନର ମିଳନ ଯେତେବେଳେ ହୋଇଛି, ମୁଁ ଟଗରକୁ ତୁମ ହାତରେ ଦେବି । ମାଘ ଭିତରେ ବାହାଘର ନିଶ୍ଚୟ କରିବି । କମଳାକାନ୍ତକୁ ଝିଅ ଦେବିନି ବୋଲି ଆଜି ରାତିରେ ହିଁ ଚିଠି ଲେଖିବି । ଦରକାର ନାହିଁ ମୋ ଝିଅ ହାକିମାଣୀ ହେବ ।’’

 

କାଳେ କୌଣସି ପ୍ରକାରେ ମହୀକାନ୍ତର ଚିଠି ପକେଟ ଫାଡ଼ି ମାଟିରେ ପଡ଼ିବ, ଏଇ ଭୟରେ କାମିଜର ପକେଟରେ ହାତ ପୂରେଇ ବାପୁରାମ ଲଫାଫଟିକୁ ଜାବୁଡ଼ି ଧରିଲେ ।

 

ଅସହାୟ ମଣିଷର ଅକଳୁଷ ଚରିତ୍ର ଅବସ୍ଥାର କଠିନ କ୍ଷେତ୍ରରେ ହଠାତ୍‍ ମାଡ଼ ଖାଇ ଏଇମିତି ଚୁର୍‌ମାର ହୁଏ ।

Image

 

 

 

 

 

 

 

 

 

 

 

ଦ୍ଵିତୀୟ ଭାଗ

‘‘ବୋହୂ ହବାକୁ ଲାଗେ ବା କେତେ ବେଳ ?’’

 

ଏକ

 

ଗାଁର ଆଉ ଆଉ ଦଶ ଜଣ ଅଭାବ ଅନଟନକୁ ଅବହେଳା କରି ହସଖୁସିରେ ଯେମିତି ଜୀବନ କଟାନ୍ତି, ଧରଣୀର ବାପା ମୋହନ ବାୟନ ମଧ୍ୟ ସେମିତି ଦୁଃଖେ ସୁଖେ ବଞ୍ଚି ରହିଥିଲା । ଭାଇବିରାଦରଙ୍କ ସହିତ ଭାଗବଣ୍ଟାରୁ ଯେଉଁ ଦୁଇ ଚାରି ଗୁଣ୍ଠ ପୈତୃକ ଭୂଇଁ ପାଇଥିଲା, ତାକୁଇ ଭାଙ୍ଗି ଚଷି ଦୁଇବେଳା ଦୁଇମୁଠା ଖାଉଥିଲା । ପ୍ରଚରୁ ସନ୍ତୋଷ, ଗାଉଁଲିଆ ମଣିଷର ମୋହକୁ ଚିରଦିନ ଚାପିରଖିଥାଏ । ପଡ଼ିଆ ଭୂଇଁକୁ ଉଠିଆ କରିବାକୁ ଅସମୀୟ ଚାଷୀର ଦେହରେ ଶକ୍ତି ବି ନାହିଁ; ରକ୍ତର ମଧ୍ୟ ଅଭାବ ।

 

କଳା-ଜ୍ଵର ନଅଗାଁକୁ ଉଚ୍ଛନ୍ନ କରି ଦେଇଯାଇଛି । ଗାଁରେ ଏପରି ଘର ନାହିଁ ଯେଉଁଠି କଳାଜ୍ଵର ଚିହ୍ନ ରଖିଯାଇନି । ଧରଣୀକୁ ପାଞ୍ଚବର୍ଷ ବୟସରେ ମୋହନ ବାୟନ କଳାଜ୍ଵରରେ ମରେ-। ସେଇ ଦିନରୁ ଗାଁବାଲାଙ୍କର ସାହାଯ୍ୟ ସହାନୁଭୂତି ଉପରେ ଭରସା କରି ମୋହନର ବିଧବା ସ୍ତ୍ରୀ ଆହିନୀ ଚଳିଆସୁଛି । ଅନ୍ୟ କିଛି ନହେଲେ ବି ଘରଡ଼ିହ ଖଣ୍ଡିକୁ ଧରି ରଖି ଚଳିବାର ବୁଦ୍ଧି ଆହିନୀର ଥିଲା । ମା’ର ସ୍ନେହବାତ୍ସଲ୍ୟ ଧରଣୀକୁ ବାପର ଅଭାବଠାରୁ ଦୂରେଇ ରଖିଥିଲା-। ସରକାରୀ ଚାକିରି ଖଣ୍ଡେ ନହେଲେ ଟଙ୍କା ପଇସା ଅର୍ଜନ ନଦାରଦ । ମଣ୍ଡଲଠାରୁ ଆରମ୍ଭ କରି ମୁନସଫ ପର୍ଯ୍ୟନ୍ତ, ଏ ସବୁ ଧନ ଉପାର୍ଜନର ପନ୍ଥା । ଅନ୍ୟ କିଛ ନ ହେଲେ ବି ପୁଅକୁ ମଣ୍ଡଳକାମ ଖଣ୍ଡେ ଯୁଟିବା ପାଇଁ ଆହିନୀ ମନେ ମନେ ଆଶା କରିଥିଲା । ପଢ଼ାଶୁଣାରେ ପିଲାଦିନରୁ ଧରଣୀ ଥିଲା ତୀକ୍ଷ୍‌ଣ । ପାଠଶାଳାରୁ ବୃତ୍ତି ପାଇ ମାଇନର୍‌ରେ ଯାଇ ଉଠିଥିଲା । ମାଇନର ବୃତ୍ତି ପାଇଥିଲେ ହାଇସ୍କୁଲରେ ପଢ଼ାକଥା ଉଠିଥାଆନ୍ତା । କିନ୍ତୁ ତା ନହବାରୁ, ମାଇନର ପାଶ୍‌ କରି ଧରଣୀ ଦୁଇଟି ବର୍ଷ ଖେଳ କଉତୁକ କରି ଘରେ ବସିରହିଲା । ସେଇ ସମୟରେ ଗୌହାଟୀରେ ଗଭର୍ଣ୍ଣମେଣ୍ଟ ନୂଆକରି ଗୋଟିଏ ଉଇଭିଂ ସ୍କୁଲ ଖୋଲିଲେ । ସେଠାକୁ ପଢ଼ିବାକୁ ଯାଉଥିବା ପିଲାଏ ମାସିକ ବାରଟଙ୍କା କରି ବୃତ୍ତି ପାଇବାର ବିଜ୍ଞାପନ ସାପ୍ତାହିକ ‘ଅସମୀୟା’ରେ ପ୍ରକାଶିତ ହୋଇଥିଲା-। ଚାଷୀର ପୁଅ ଚାଷୀ ହବାକୁ ନଯାଇ, ଧରଣୀ ସେଠାକୁ ଖଣ୍ଡେ ଦରଖାସ୍ତ ପଠାଇଲା-। କପାଳରେ ଥିଲେ ଆପେ ଆପେ ଘଟଣାଗୁଡ଼ିକ ଘଟିଯାଏ । ବୃତ୍ତି ପାଇ ଧରଣୀ ଗୌହାଟୀକୁ ଉଇଭିଂ ପଢ଼ିବାକୁ ଗଲା । ଆହିନୀ ପୁଅକୁ ଗୌହାଟୀରେ ପଢ଼ିବା ପାଇଁ ପଠାଇବା କଥାଟା ସାଇପଡ଼ିଶାଏ ଭଲ ବୋଲି କହିଲେ ନାହିଁ । ଖାଇବାକୁ ପାଉନଥିବା ରାଣ୍ଡି ପୁଅର ଏଡ଼େ ବଡ଼ ଦିମାକ୍‌-! ବହୁତଙ୍କର ଅସହ୍ୟ ହେଲା । ବାରଟଙ୍କାରେ ଖାଇପିଇ ଗୌହାଟୀରେ ଚଳିବା ଅସମ୍ଭବ-। ମଝିରେ ମଝିରେ ଲୁଗାପଟା ବୁଣି ପୁଅର ଖର୍ଚ୍ଚ ଯୋଗାଇବାରେ ସାହାଯ୍ୟ କରିବାକୁ ମା’ ବାଧ୍ୟ ହେଲା । ଦୁଇ ବର୍ଷ ପରେ ଉଇଭିଂ ପାଶ୍‌ କରି ଧରଣୀ ଏବେ ଗୋଲାଘାଟରେ ଲୋକାଲ୍‌ ବୋର୍ଡ଼ ଅଧୀନରେ ଡେମନଷ୍ଟ୍ରେଷ୍ଟର କାମରେ ଭର୍ତ୍ତି ହୋଇଛି ।

 

ଆହିନୀ, ସ୍ଵାମୀର ତଥା ପିତୃପୁରୁଷର ସମ୍ପତ୍ତି କହିଲେ ପୂଜାରୀର ବିଗ୍ରହ ପରି, ପୁରୁଣା ଡିହଖଣ୍ଡିକ ନଛୋଡ଼ବନ୍ଦା ଭାବରେ ସାଉଁଟି ଧରି ବଂଶର ଅକ୍ଷୟ ସଳିତା ଜଳେଇ ରଖିଛି । ପୁରାତନ ଘର ଦୁଇଟାକୁ ନୂତନଭାବେ ସଂସ୍କାର କରିପାରିନାହିଁ । ବାଡ଼ିରେ ବାଉଁଶ ଗଛ ଥିବାରୁ ଘରର ଖୁଣ୍ଟ କେଇଟା ବୋଧେ ଠିଆ ହୋଇ ପାରିଛନ୍ତି, ଶେଣିଟା ମଧ୍ୟ କାନ୍ଥରେ ରହିପାରିଛି । ଚାରି ପାଖରେ ଆମ୍ବ, ପଣସ, ଗୁଆ, ପାନଗଛ, ଘରର ରୂପକୁ ଅନେକଟା ଲୁଚେଇ ରଖିଛନ୍ତି । ପ୍ରକୃତି ସଙ୍ଗେ ଗ୍ରାମର ପରମ ପ୍ରୀତି । ଈଶ୍ଵରଙ୍କ ଅଂଶ ଭାବି ଉଦ୍ଭିଦର ଅଙ୍ଗଛେଦନରେ ହାତ ନ ଦେବାରୁ ନାତି-ନାତୁଣୀ ସହିତ ଉଦ୍ଭିଦଗଣ ଗାଁରେ ପ୍ରଣସ୍ତ ସଂସାରଟିଏ ଭିଆଇ ବସିଛନ୍ତି ।

 

ଧରଣୀ ଯଥାସମୟରେ ମା’ ପାଖକୁ ବାହାଘରର ସମ୍ବାଦ ପଠାଇଲା । ଝିଅଘରର ଜାତି, କୁଳ, ବିଷୟ-ଅବସ୍ଥା ସମ୍ପର୍କରେ ବିଶଦଭାବରେ ଜଣାଇଲା । ପୁଅ ସେ ଘର-ସଂସାର କରିବାକୁ ଯତ୍ନ କରୁଛି, ଆହିନୀ ସେଥିପାଇଁ ଖରାପ ଭାବିନାହିଁ; ଉପଯୁକ୍ତ ବୟସ ହେଇଛି ଯେତେବେଳେ ବାହା ହବାକୁ ହବ—ସଂସାରର ଧର୍ମ । କିନ୍ତୁ, ଆତ୍ମୀୟ-ସ୍ଵଜନ କାହାର କେମିତି ଆଦେଶ ଉପଦେଶ ନନେଇ ଏତେ ଦୂରରେ ବାହାହବାକୁ ଯାଉଥିବାରୁ ହିଁ ମା’ର ଦୁଃଖ । ଯଦି କୌଣସି ପ୍ରକାରେ ଜାତି କୁଳ ବୁଡ଼େଇ ଝିଅ ଆଣିବାକୁ ପଡ଼ିଲା, ତେବେ ସବୁଦିନକୁ କୁଳରେ କୁଖ୍ୟାତ ରହିଯିବ—ସମାଜରେ ଏକଘରକିଆ ହେବାକୁ ପଡ଼ିବ । ଏତେ ଦୁଃଖକଷ୍ଟ ଭିତରେ ଥାଇ ବି, ଆହିନୀ, ବାୟନଘରର ଏଇ ଦୁଇ ସମ୍ପଦକୁ ଆଶ୍ରୟ କରିଛି । ଗାଁ ଭିତରେ ବହୁ ପୂର୍ବରୁ ବାୟନଘରର ବଂଶ-ଗୌରବର ନାମ-ଡାକ ଅଛି । କାମରୂପଠାରୁ ଉଠିଆସିଥିବା ପ୍ରାଚୀନ ତିନି ଚାରି ଘର କଳିତା ପରିବାର ଭିତରୁ ବାୟନ ପରିବାର ଗୋଟିଏ । ଏବେଯାଏଁ ନଗାଁର କଳିତା ସମାଜ ସହିତ ସେମାନଙ୍କର ବାହା-ବ୍ରତ, ଝିଅ-ପୁଆଣୀ, ନିଆ-ଅଣା ସମ୍ବନ୍ଧ ଘଟିନାହିଁ । ସେଇ କଳିତା ଘରର ପୁଅ ‘ଉଜାଣ’ରୁ ଯା’ ତା’ ଘରୁ ଝିଅ ଆଣିଲେ କଳଙ୍କର ସୀମା ରହିବ ନାହିଁ । ଏଇ କଥାକୁ ଭାବି-ଚିନ୍ତି ଆହିନୀର ପେଟରୁ ଭୋକ, ଆଖିରୁ ନିଦ ହଜିଗଲା ।

 

ଏ କାନରୁ ସେ କାନ, ସହସ୍ର କାନ ହୋଇ ଖବରଟି ସାରା ଗାଁରେ ବ୍ୟାପିଗଲା । ଆହିନୀ ଉପରେ ପ୍ରତିଶୋଧ ନବାକୁ ସୁବିଧା ମିଳିଛି ଦେଖି କାହା କାହା ମୁହଁରେ ହସ ଦେଖାଦେଲା । ସମାଜର ବଡ଼ମୁଣ୍ଡିଆମାନେ କଥାଟା ଶୁଣି ହିଁ ପ୍ରତିକାର ପ୍ରାୟଶ୍ଚିତ ବିଧାନର କଥା ଉଠେଇ ସମାଜ-ଶାସନ-ପଦ୍ଧତିରେ ଅବାଧ୍ୟ-ଉତ୍ସୃଙ୍ଖଳ ଯୁବକକୁ ଯଥାବିଧି ଶାସ୍ତିବିଧାନ କରିବାକୁ ଉଦ୍‌ଗ୍ରୀବ ହୋଇ ରହିଲେ । ଦୂର-ସମ୍ପର୍କୀୟ ବଡ଼ବାପା, ସୁନନ୍ଦ, ସହିତ ଜମିର ସୀମା ନେଇ ବାପା ଥିଲାବେଳରୁ ଧରଣୀ ଘରର କଜିଆ । ମୋହନ ମରିବା ପରେ ରାଣ୍ଡ ମାଇପିଟା ସହିତ ଚାଲାକି କରି ମିତ୍ରତା ସ୍ଥାପନ କରି ନିଜର ସୁବିଧାମତେ ସୀମା ଠେଲି ଜମି ପ୍ରଶସ୍ତ କରିପାରିନାହିଁ । ଖବରଟା ଶୁଣି ସୁନନ୍ଦର ଦୁଇ ଆଖିରେ ପ୍ରତିଶୋଧର ଅଗ୍ନିସ୍ଫୁଲିଙ୍ଗ ରାଉ ରାଉ ହେଲା । କଥାଟାର ସତ୍ୟାସତ୍ୟ ବୁଝିବା ପାଇଁ, କାନ୍ଧରେ ଗାମୁଛା ଖଣ୍ଡିକ ପକାଇ ସକାଳୁ ସକାଳୁ ଧରଣୀ-ଘର-ଅଗଣାରେ ଠିଆ ହୋଇ ଗମ୍ଭୀର ଭାବରେ ପଚାରିଲା—‘‘ହଇ ହୋ ଧରଣୀ-ମା’, କଥାଟା ଯାହା ଶୁଣୁଛି ସତ ନା ମିଛ !’’

 

ମୁଣ୍ଡରେ ଲୁଗା ଦେଇ, ବାହାରକୁ ଆସି ଆହିନୀ ବୁଝି ବି ନବୁଝିବାର ଅଭିନୟ କରି ଉତ୍ତର ଦେଲା—‘‘କ’ଣ ଶୁଣିଛ କି ?’’

 

ତୀକ୍ଷ୍‌ଣ ଦୃଷ୍ଟିରେ ଧରଣୀର ମା’ ଆଡ଼କୁ ଚାହିଁ ସୁନନ୍ଦ କହିଲା—‘‘ତୁ ଯେ ଏବେ କହି ବି ପାରୁନୁ ? ପୁଅ ପରା ଅହୋମଣୀ ଜଣକୁ ଆଣିବାକୁ ଠିକ କରିଛି ?’’

 

—‘‘ଅହୋମଣୀ ଆଣିବା କଥା କୋଉଠୁ ବାହାରିଲା ?’’ ଆହିନୀର ବୁକୁ ଧାନକୁଟା ପରି କୁଟି ହେବାକୁ ଲାଗିଲା—‘‘ସେସବୁ କେହି ଶତ୍ରୁ ବାହାର କରିଛି । ଝିଅ ଭଲ ଘରର ।’’

 

ହୋ...ହୋ...ହୋ...କରି ବିଦ୍ରୁପର ହସ ହସିଲା ସୁନନ୍ଦ, ଆଉ କହିଲା—‘‘ଓ, ତୁ କହିଲେ ହେଲେ ମୁଁ କରେଇଦେବି ଭାବୁଛୁ ? ଉଜାଣୀରେ କଳିତା କାୟସ୍ଥ କେଇଜଣ ଅଛନ୍ତି ତା’ ମୋ ଅଙ୍ଗୁଳିପବରେ ।’’ ଗଳା ଖଙ୍କାରି, ରୂଢ଼ ସ୍ଵରରେ ପୁଣି ଯୋଗକଲା—‘‘ଆଜହୁଁ କହିଦଉଛି ଏକା...., ପୁଅ କିଛି ଭଲ କାମଟାଏ କରୁନାହଁ । ପୁଅ ସହିତ ତୁ ବି ସମାଜର ଦାୟ-ଦଣ୍ଡ ଭୋଗକରିବୁ ।’’

 

ଭବିଷ୍ୟତ ଭୟର ଆଶଙ୍କାରେ ଧରଣୀ-ମା’ର ରୁକୁ ଧଡ଼୍‌ଧଡ଼୍‌ କଲା । କୂଟବୁଦ୍ଧ ସୁନନ୍ଦକୁ ଆହିନୀ ଭଲଭାବରେ ଚିହ୍ନିଛି । ଗାଁର ମାଇପିଲୋକଙ୍କ ବାଦ-ଅପବାଦ ରଟନା କରି ବୁଲିବାରେ ସୁନନ୍ଦ ଅଗ୍ରଗଣ୍ୟ । ପୁଅର ବାହାଘର ନେଇ ସମାଜରେ ହୁଲୁସ୍ତୁଲ କରି ସୁନନ୍ଦ ଯେ ଧରଣୀ ଘରକୁ ଘନ ଘନ ପାଣି ପିଆଇବ, ବିଚାରି ସେଇ କଥା ଭଲଭାବରେ ବୁଝିପାରିଲା । ନିଆଁକୁ ବେଶୀ ଜଳିବାକୁ ଦେବା ସମୀଚୀନ ନୁହେଁ ଭାବି ଆହିନୀ କାଞ୍ଚୁଲି କାନିରେ ଆଖିର ଲୁହ ପୋଛି ଆତ୍ମସମର୍ପଣ ସ୍ଵରରେ କହିଲା–‘‘ଆପଣମାନଙ୍କର ହିଁ ପୁଅ; ଆପଣମ । ନେ ବୁଝେଇ ସୁଝେଇ ଫେରେଇ ଆଣିଲେ ଯାଇ ହେବ ।’’

 

ଯିବାକୁ ଗୋଡ଼ କାଢ଼ିଥିବା ସୁନନ୍ଦ, ଆହିନୀର କଥା ଶୁଣି କ୍ଷଣେ ରହିଯାଇ କହିଲା–‘‘ହିଁ, ଏତିକି ବେଳକୁ ଆମର ପୁଅ । ଦିନକ ପାଇଁ ତମେମାନେ ଆମର ବୁଦ୍ଧି, ପରାମର୍ଶ ଲୋଡିଥିଲା ନା-? କଣ କହନ୍ତିନା, ନିଜ ବିଷରେ ବଇଦ ମରେ । ପୁଅକୁ ଯେତେବେଳେ ତନ୍ତବୁଣା ଶିଖିବାକୁ ପଠେଇଥିଲୁ, ଆମକୁ ସେତେବେଳେ ପଦେହେଲେ ପଚାରିଥିଲୁ କି ? ପୁରୁଷପିଲା ହେଇ ମେଖେଳା ଚାଦର ବୁଣିବାକୁ ଗଲା ! ବଂଶରେ ନ ଥିବା କାମଟାଏ କରିବାକୁ ଗଲା କାହିଁକି ? ଏତେ ଦିନ ହେଲା ପୁଅ ଅର୍ଜିଲା ଟଙ୍କା-ପଇସାର ମୁହଁ ଦେଖି ଆମ ଆଡ଼େ ଆଡ଼ଆଖିରେ ବି ଚାହିଁଲୁ ନାହିଁ । ଏବେ ସମୂଳେ ବାଛନ୍ଦ ହେବା ସାର ।’’

 

—‘‘ପୁଅ ଯଦି ମୋ କଥା ଶୁଣୁଥାଆନ୍ତା, ଏତେ କଥା ହବାଯାଏ ଥାଆନ୍ତି କି ? ସେ ତ ମତେ କୁଟାଖିଏ ବୋଲି ବି ଗଣେ ନାହିଁ । ହେଲେ ଏବେ ସେ ସବୁ ଆଲୋଚନା କଲେ କଣ ହବ-? ଆପଣମାନେ ହିଁ ମୋର ଆପଣାର; ବୁଦ୍ଧି, ଭରସାର ପ୍ରଭୁ । ଆପଣମାନେ ଭଲ ମନ୍ଦ ବିବେଚନା କରି କଣ କିଛି ନ କଲେ କେମିତି ହେବ ? ଦୋଷ କଲେ ବି କଣ ନିଜ ପୁଅକୁ ଛାଡ଼ି ପାରିବ-? ମୋ ହାତରେ ଟଙ୍କା କୋଡ଼ିଏ ହବ ଅଛି, କାହାକୁ ପଠେଇ ବେଳ ଥାଉଣୁ ପିଲାଟାକୁ ଫେରେଇ ଆଣିବାକୁ ଯତ୍ନ କରନ୍ତୁ ।’’

 

ଟଙ୍କା-ମୋହରେ କରି ନ ପାରିବାର କାମ ନାହିଁ । ମୁହୂର୍ତ୍ତକ ମଧ୍ୟରେ ପୁତୁରାର ଭବିଷ୍ୟତ ଚିନ୍ତା କରି ସୁନନ୍ଦ ବ୍ୟାକୁଳ ହୋଇପଡ଼ିଲା । କାନ୍ଧରେ ଗାମୁଛା ଖଣ୍ଡିକରେ ମୁହଁର ମାଛିକୁ ଘଉଡ଼ି ଚିନ୍ତିତ ଭାବେ କହିଲା—‘‘ହଁ, କଣ ଗୋଟାଏ କରିବାକୁ ହେବ । ସେଇଥିପାଇଁ କଥାଟାର ସୂଚନା ପାଇବାମାତ୍ରେ ଦୌଡ଼ିଆସିଲି । ଆମେ ଥାଉଁ ଥାଉଁ ମୋହନର ପୁଅକୁ କୁଳ ବୁଡ଼େଇବାକୁ ଦେଲେ, ତାର ଅଭିଶାପ ବଂଶଗୋଟାକୁ ଲାଗିବ । ଆଚ୍ଛା, ହେଲା, ଦି’ପହରେ ଖାଇପିଇ ଆମ ଆଡ଼େ ଟିକିଏ ଯିବୁ । ଭାବିଚିନ୍ତି କିଛି ଗୋଟାଏ ଉପାୟ କାଢ଼ିବା । ଦରକାର ହେଲେ ମାୟଙ୍ଗର ବୈଦ୍ୟ ନିକଟକୁ ଲୋକ ପଠାଇବା । ଓଷଦମଷଦି ନକରିଥିଲେ ପିଲାଟା ବାହା ହବାକୁ ବାହାରନ୍ତା କାହିଁକି ?’’ ଧରଣୀକୁ କେମିତି ଭାବରେ ଉଜାଣିରୁ ରକ୍ଷା କରାଯାଇପାରେ ସେଇଆ ଭାବି ଭାବି ସୁନନ୍ଦ ରାସ୍ତାରେ ପାଦ ଦେଲା ।

 

ସୁନନ୍ଦର ମନ ପାଇ, ଆହିନୀ ତରତରରେ ଭାତପାଣି ଟୋପେ ନାକରେ କାନରେ ପୂରାଇଲା ଭଳି ଖାଇ ସୁନନ୍ଦ ଘରେ ଯାଇ ପହଞ୍ଚିଲା । ଟଙ୍କା କୋଡ଼ିଏଟା ଆଗରେ ଥୋଇ ଦେଇ, ଯେମିତି ହେଉ ପୁଅକୁ ଘରକୁ ଫେରେଇ ଆଣିବାର ଯତ୍ନ କରିବାକୁ ସୁନନ୍ଦକୁ କାକୁତି-ମିନତି କରିବାକୁ ଲାଗିଲା ।

 

—‘‘ହଉ, ଯଦି ଭଲଘରେ ସମ୍ବନ୍ଧ ବାନ୍ଧିବାକୁ ଚାହୁଁଛି, ତେବେ କଥାଇ ନାହିଁ । ଲାଗିପଡ଼ି ବାହାଘରଟାକୁ ଉଠେଇନବା ଦରକାର । ହେଲେ ଉଚ୍ଚାଣି ପଟେ ଯେ ଆମ କୁଳର ଲୋକ ଅଛନ୍ତି–ଉହୁଁ, ସେମିତି ତ କାହିଁ ମନେପଡ଼ୁନି । ଅବଶ୍ୟ ଭାବନିପୁରିଆ ଗୋସାଇଁ ସଦିୟା ଆଡ଼େ ନାମଧର୍ମ ପ୍ରଚାର କରୁଥିବାବେଳେ ତାଙ୍କ ସାଥିରେ ଦୁଇ ଚାରିଜଣ କଳିତା ଲୋକ ଯାଇଥିଲେ । ସେ ସମସ୍ତଙ୍କର ପରିବାର ଏବେ କୋଉଠି କୋଉଠି ଅଛନ୍ତି । ତୋ’ ଘରୁ ଆସି ନାଓରାମ ପଣ୍ଡିତଙ୍କୁ କଥାଟା ପଚାରି ଆସିଲି । ସେ ବି କିଛି ସଠିକ କହିପାରିଲେ ନାହିଁ । ବାହାଦିନ କେବେ ବୋଲି ଲେଖିଛି, ଧରଣୀ ?’’

 

ଧରଣୀର ମା’ ଚାଦରକାନିରୁ ପୁଅର ଚିଠିଖଣ୍ଡିକ ଖୋଲି ସୁନନ୍ଦର ଆଗରେ ଥିବା ପାନବଟା ଉପରେ ଥୋଇଲା । ସୁନନ୍ଦ ଉପରଠାଉରିଆ ଭାବରେ ପଢ଼ି ଦେଖି କହିଲା—“ଇସ୍‌ ଦେଖୁଛୁ, ରାମ ନଥାଇ ରାମାୟଣ । ଭଲ କୁଳର ଝିଅ, ଏଣେ ଶ୍ଵଶୁରଙ୍କ ନାମଗନ୍ଧ ବି ଲେଖିନି । ଆଜିଯାଏଁ ମରଙ୍ଗି ଗାଁର ନାଁ ବି ଶୁଣାନାହିଁ । —ଓ, ଦେଖିଛି ବାହାଘର ତେବେ ମାର୍ଗଶିର ଅଠର ଦିନ ?’’

 

ଆହିନୀ ମୁଣ୍ଡ ହଲେଇ—ହଁ କଲା ।

 

—‘‘ନେଡ଼ିଗୁଡ଼ କହୁଣିକୁ ବୋହିଗଲାଣି । ଆଜି ହେଲା ମାର୍ଗଶିର ଦଶଦିନ । ଆଉ ମାତ୍ର ଆଠଦିନ ବାକି ! ଆଜି କାଲି ଭିତରେ କାହାକୁ ଜଣକୁ ପଠାଇ ନ ପାରିଲେ ତୋ ବୋହୂ ଆସି ଘରେ ପଶିବ ।’’ ହସି ହସି ସୁନନ୍ଦ ଆହିନୀ ଆଡ଼କୁ ଅନେଇଲା ।

 

—‘‘ଆସୁ ତ, ମୁଁ ଯଦି ଛାଞ୍ଚୁଣୀ-ଖୁଣ୍ଟା ରଖି ନ ଥିବି ।’’

 

—‘‘ଦେଖୁଛି, ପିଲା ଖୁବ୍‌ ଚାଲାକ ଅଛି । ବାହାଘରେ କିଛି ବିଘ୍ନ ନ ଆସୁ ସେଥିପାଇଁ ଖବରଟା ଜଣେଇଛି ଡେରିକରି । ଜାଣିଥା, ଝିଅଘରର ବି ଚକ୍ରାନ୍ତ ଅଛି । କଳିତାଘରେ ଝିଅ ଦେଇ ଜାତିକୁ ଉଠାଇବ ଭାବିଛି । ସେଥିରେ ପୁଣି ପିଲା ମାସକୁ ଦୁଇ, ଦେଢ଼କୋଡ଼ି ଦରମା ପାଉନି କି-?’’

 

ପୁଅର ଦରମା କଥା ଉଠିବାରୁ ଆହିନୀ ଉତ୍ସାହ ସହକାରେ କହିଲା,—‘‘ଗଲା ପୂଜାବେଳେ ଆସି କହୁଥିଲା କୋଡ଼ିଏ-ପନ୍ଦର ଟଙ୍କା ପାଏ ବୋଲି ।’’

 

—“ଉପୁରି ଦୁଇ ଚାରି ପଇସା କଣ ମିଳୁ ନ ଥିବ । ଘୂରିବୁଲା କାମରେ ଅସଲ ଦରମା ଅପେକ୍ଷା ଉପୁରିଟା ବେଶୀ । ଝିଅ ଦେଇ ଜ୍ଵାଇଁକରି ନେଇପାରିଲେ ମୁଣ୍ଡ ମୋଡ଼ି ଖାଇବ । ଝିଅ ବିକ୍ରି କରି ଖାଇବା—ଉଜାଣି ଲୋକଙ୍କୁ ମୁଁ କଣ ଚିହ୍ନିନି ? ଇସ୍, କି ସରଳ ପିଲାଟା, ଭଲ ଫନ୍ଦିଫିକର ଲୋକ ହାତରେ ପଡ଼ିଲା ।’’

 

ପୁଅର ଉଦ୍ଧାରଭାର ସୁନନ୍ଦ ହାତରେ ସମର୍ପି ଆହିନୀ ନିଶ୍ଚିନ୍ତ ହେଲା । ବାହାଘର ଭାଙ୍ଗି ନ ପାରିଲେ ବି ଏକଘରକିଆ ହେବାର ଭୟ ଆଉ ନାହିଁ । ସୁନନ୍ଦ ବି ଭାବିଲା ଏଇ ସୁଯୋଗରେ ଟଙ୍କା ପଇସା ସହିତ ମାଟିଖଣ୍ଡକର କିଛି ଗୋଟାଏ ସୁବ୍ୟବସ୍ଥା କରି ପାରିବ । ଧରଣୀକୁ ଘରକୁ ଫେରେଇ ଆଣିବାକୁ, ବଡ଼ପୁଅ ମନୋହରକୁ ମରଙ୍ଗିକୁ ପଠାଇବା ପାଇଁ ଠିକ୍‌ କଲା । ନାଓରାମ ପଣ୍ଡିତଙ୍କ ଜଣାଶୁଣା ମାଷ୍ଟ୍ର ଜଣେ ଗୋଲାଘାଟରେ ଅଛନ୍ତି । ମନୋହର ପ୍ରଥମେ ଯାଇ ସେଇଠି ଉଠିବ; ତାଙ୍କ ସାହାଯ୍ୟରେ ମରଙ୍ଗିକୁ ଯାଇ ବାହାଘର ଭାଙ୍ଗି ଧରଣୀକୁ ଫେରେଇଆଣିବ । ଅନ୍ୟ କିଛି ନହେଲେ ବି ମା’ର ଶକ୍ତବେମାର କଥା କହିଲେ ବାହାଘର ଦିନ ଘୁଞ୍ଚେଇ ଧରଣୀ ନିଶ୍ଚୟ ଘରକୁ ଆସିବ । ମନୋହରର ଯିବା-ଆସିବା ଖର୍ଚ୍ଚ କୋଡ଼ିଏ ଟଙ୍କାରେ ହେଇଯିବ । ତା’ ବାଦ୍‌ ବାକି ଯାହା ଲାଗିବ କୁଳଗୌରବ ରକ୍ଷାର୍ଥ ବର୍ତ୍ତମାନ ପାଇଁ ସୁନନ୍ଦ ଖର୍ଚ୍ଚ କରିବ ବୋଲି ଦାୟିତ୍ଵ ନେଲା—ଧରଣୀ ଆସିଲାଠୁ ପରେ ପଛକେ ତାର ବ୍ୟବସ୍ଥା ହେବ । ସମାଜର ଅପବାଦ ତଥା ଏକଘରକିଆ ହବାର ଆଗାମୀ ବିପଦରୁ ମୁକ୍ତି ପାଇବା ଆଶା ରଖି ଧରଣୀର ମା’ ସ୍ଵସ୍ତିର ନିଃଶ୍ଵାସ ମାଇଲା ।

 

ଦୁଇ

 

ଉଜାଣିକୁ ଯିବାକଥା ଉଠିବା ପରଠାରୁ ମନୋହରର ମନ ନାଚି ନାଚି ଉଡ଼ିବାକୁ ଲାଗିଲା । ସହର ଭିତରେ ସେ କେବଳ ନଅଗାଁ ହିଁ ଦେଖିଛି । ସେ ପୁଣି ଦୁର୍ଗାପୂଜା ସମୟରେ ନାମ ସଂକୀର୍ତ୍ତନ ଦେଖିବାକୁ ଅଥବା କେତେବେଳେ ଢାକାୱାଲା ଗୋଲାରୁ ସୂତା କିଣିବାକୁ ଆସି । ସେ ବି ଦିନିକିଆ ଦେଖା—ସହରରେ ରାତି ରହି ବେଳେ ଖାଇବାର ସୌଭାଗ୍ୟ ଯୁଟିନାହିଁ । ରେଳଗାଡ଼ିରେ ଉଠିଛି ଯେ ନଅଗାଁଠାରୁ ‘ରହା’ ଯାଏଁ । ସାରା ରାତି ରେଳଗାଡ଼ିରେ ଯିବା କଥାଟା ତାର କଳ୍ପନାର ବାହାରେ । ବାହାରିବାର ଦୁଇଦିନ ଆଗରୁ ଲୁଗାପଟା ଭର୍ତ୍ତି କରି ନବ ବୋଲି, ମନୋହର ବେତର ବାକ୍‌ସଟିକୁ ସଜାସଜି କରି ନେଇଛି । ଖାରରେ ସିଝେଇଲେ ଭଲଭାବେ ସଫା ହବନି ବୋଲି କେଞ୍ଜାଗୋଲାରୁ ଲୁଗାଧୁଆ ସାବୁନ୍‌ ଖଣ୍ଡେ ଆଣି ଭଉଣୀ ହାତରେ କାମିଜପତ୍ର, ଗାମୁଛା ଆଦି ସବୁ ସଫା କରାଇ ଭାଙ୍ଗି ଭୁଙ୍ଗି ଭର୍ତ୍ତି କରିଛି । ଶନିବାର-ହାଟରୁ ଛୋଟିଆ ଦର୍ପଣ ପାନିଆ ଯୋଡ଼ାଏ ଆଣିଛି । ଭାଇ-ଭଉଣୀମାନେ ସଜା ବାକ୍‌ସରୁ ଦର୍ପଣ ପାନିଆ କାଢ଼ିଆଣିବା ଦେଖିଲେ ମନୋହର ରାଗ-ତମତମ ହୁଏ । ତରବରରେ ଛଡ଼େଇ ନେଇ ସଫା କରି ବାକ୍‌ସର କପଡ଼ାଲତା ଭାଙ୍ଗ ଭିତରେ ପୂରାଇଦିଏ ।

 

ମନୋହର ବୁଧବାର ଦିନ ଯିବ ବୋଲି ଠିକ୍‍ ହୋଇଛି । ନାଓରାମ ପଣ୍ଡିତେ ପାଞ୍ଜି ପୋଥି ଦେଖି ବୁଧବାର ଅପରାହ୍‌ଣ ୩ଟା ୧୫ ମିନିଟ୍‌ଠାରୁ ଶୁଭଲଗ୍ନ ଅଛି ବୋଲି ଗଣନା କରିଦେଇଛନ୍ତି । ଲଗ୍ନଟି ବେଶ୍‌ ଭଲ ହେଇଛି । ‘ସାପର୍‍ ମୁଖ୍‍’ ରୁ ସନ୍ଧ୍ୟା ଛଅଟାରେ ଉଜାଣି ଆଡ଼କୁ ରେଳ ଛାଡ଼େ; ସେଇ ଗାଡ଼ିଟି ଭର୍କାଟିଂରେ ପହଞ୍ଚେ ପାହାନ୍ତା-ପାହନ୍ତାରେ । ଅପରାହଣରେ ‘ରାହା’ ଷ୍ଟେସନରୁ ‘ସାପର୍‌ ମୁଖ୍‌’ ଆଡ଼କୁ କୌଣସି ରେଳଗାଡ଼ି ନାହିଁ । ସେଇ କାରଣରୁ ମନୋହର ସିଧା ଯାଇ ସାପର୍‌ ମୁଖ୍‌ ଷ୍ଟେସନରେ ଗାଡ଼ି ଧରିବ । ଚଲାବାଟ ଧରିଲେ ଦୁଇଟିଯାକ ଷ୍ଟେସନକୁ ଗାଁ ରୁ ବାଟ ସମାନ ।

 

ନାଓରାମ ପଣ୍ଡିତେ ଗୋଲାଘାଟର ତାଙ୍କ ପରିଚିତ ମାଷ୍ଟ୍ର ରାଧାକାନ୍ତ କାକ୍‌ତିଙ୍କ ନିକଟକୁ ଚିଠି ଖଣ୍ଡେ ଲେଖି ମନୋହର ହାତରେ ଦେଇଛନ୍ତି । ସମସ୍ତ ସୁବିଧା କରି ଯେପରି ମନୋହରକୁ ଧରଣୀ ପାଖକୁ ପଠାଇଦିଅନ୍ତି, ପଣ୍ଡିତେ ସେଇ କଥା ବାରମ୍ବାର ଅନୁରୋଧ କରିଛନ୍ତି । କେମିତି ଯିବ, ଧରଣୀକୁ କିପରି ବୁଝେଇ-ସୁଝେଇ ଫେରେଇଆଣିବ, ସେଇ ବିଷୟରେ ନାନା ଉପଦେଶ ସୁନନ୍ଦ ସାରା ରାତି ବସି ପୁଅକୁ ଦେଇଛି । ଦି’ପହରିଆ ଖିଆପିଆ ସାରି, ବିଶ୍ରାମ ନେଇ, କାନ୍ଧରେ ବାଉଁଶ ବାହୁଙ୍ଗିର ଅଗରେ ବେତର ବାକ୍‌ସଟିକୁ ଧରି, ଭାଇର କଳିତା-କୁଳରକ୍ଷା କରିବା ପାଇଁ ମନୋହର ଉଜାଣିକୁ ଯାତ୍ରା ଆରମ୍ଭ କଲା । ତିନିଛକିଆ ଯାଏଁ ଯାଇ ଭାଇ ଭଉଣୀମାନେ ଭାଇକୁ ବିଦାୟ ଦେଇ ଆସିଲେ ।

 

ଗାଁର ଝିଅବୋହୂଏ ଦାଣ୍ଡ ବାଟମୁହଁକୁ ଆସି ହସି ହସି ପଚାରିଲେ—‘‘କଣ, ବାହାରିଲୁନା ରେ ?’’

 

—“ହଁ, ବାହାରିଲି, ଥାଅ ।’’ ଉଲ୍ଲାସରେ ମୁଣ୍ଡ ହଲାଇ ପ୍ରଶ୍ନକୁ ଅପେକ୍ଷା ନ କରି ମନୋହର ବେଗି ବେଗି ପାଦ ପକେଇଲା ।

 

—“ଭଲରେ ଭଲରେ ଯାଆ, ବାପା ! ପାରୁ ଯଦି କୌଣସିମତେ ପିଲାଟିକୁ ବୁଝେଇ-ସୁଝେଇ ନେଇଆ ।” ମନୋହରକୁ ଅଯାଚିତ ଆର୍ଶୀର୍ବାଦ ଦେଇ ନିଜ ନିଜ କାମ କରିବାକୁ ଫେରିଗଲେ ।

 

ଉଜାଣୀ ଏବଂ ତଳଘାଟିକୁ ଯିବାର ଦୁଇଟି ରେଳଗାଡ଼ି ସନ୍ଧ୍ୟାରେ ସାପର୍‌ମୁଖ ଜଙ୍କସନ୍‌ରେ ପହଞ୍ଚେ । ଷ୍ଟେସନ୍‌ ପ୍ଲାଟଫର୍ମଟି ରେଳଯାତ୍ରୀରେ ଭରପୂର । ପ୍ଳାଟଫର୍ମରେ ଭେଣ୍ଡର୍‌ ଦୋକାନରେ ବହୁତ ଲୋକ ହସଖୁସିରେ ଚାହା ଜଳଖିଆ ଖାଇ ହୋ-ହୋ ଲଗେଇଛନ୍ତି; ଲୁହା-ରେଲିଂର ଫାଙ୍କରେ, ବାହାରେ ଥାଇ ମନୋହର ସେସବୁକୁ ଭେଳକା ହେଇ ଚାହିଁ ମନେ ମନେ ଭାବିଲା—‘ଓହୋ, ସେଠିକି କିଏ ଯିବ ହୋ । ଗଣ୍ଠୁଳି ମୁଠୁଳି ଧରି ଜକାଜକି ହେଇ ବସିଛନ୍ତି ।’ ମନୋହର-ଧୀରେ ଧୀରେ ବାହାର ପାଖର ବାଟକଡ଼ର ଗୋଟିଏ ‘ଶିଲଟିଆ’ ମିଠେଇ-ଦୋକାନ ପାଖରେ ପହଞ୍ଚି, ବାହୁଙ୍ଗି ସହିତ ବାକ୍‌ସଟି ଦୋକାନ ସାମନାର ବାଉଁଶ ବେଞ୍ଚ ଉପରେ ଥୋଇ ନିଜେ ଏକ ପାଖରେ ବସିଲା । ଦୋକାନୀ ଜଣକ ଦୁଇ ଚାରି ଜଣ ଗ୍ରାହକଙ୍କୁ ଏଇଟା ସେଇଟା ବିକ୍ରି କରୁଛି । ସେଗୁଡ଼ିକର ଦରଦାମ୍‌ ବୁଝି ମନୋହରର ଲୋଭିଲା ଆଖି ଦୋକାନରୁ ମିଠେଇ ଜାର୍‌ ଉପରେ ଘୂରିବୁଲୁଛି । ପେଟରେ ଭୋକ ନାହିଁ; ତଥାପି ଗୋଟାଏ ଜାଗାକୁ ଯିବାକୁ ବାହାରିଛି ଯେତେବେଳେ, କିଛି ନା କିଛି ପାଟିରେ ପକେଇବା ଉତ୍ତମ । ଶୋଷ ଲାଗୁଛି; ଅଗତ୍ୟା ମିଠା-ପାଣି ବୋତଲେ ଖାଇବାକୁ ପଡ଼ିଲା । କାଠବାକ୍‌ସଟି ଉପରେ ସଜେଇ ରଖା ନାଲି ନୀଳ ବୋତଲଗୁଡ଼ିକୁ ଅଙ୍ଗୁଳି ନିର୍ଦ୍ଦେଶ କରି ଦାମ ପଚାରିଲା ।

 

—‘‘ଏକ ଅଣା ।’’

 

—‘‘ମିଠା ନା ନୁହେଁ ହୋ ?’’

 

—‘‘ପିଇକରି ଦେଖ, ମିଠା ନଲାଗିଲେ ପଇସା ନଦବ ।’’

 

ମିଠା-ପାଣି ପିଇ, ଦାମ ନ ଦେଇ ଚାଲିଯିବାର ଦମ୍‌ ଯେ ମଫସଲିଆ ଲୋକର ନାହିଁ; ସେଇ କଥା ‘ଶିଲଟିଆ’ ଦୋକାନୀ ଜଣକ ବଢ଼ିଆ ଭାବରେ ଜାଣିଛି । ମନୋହରର ସମ୍ମତି ନପାଉଣୁ, ଦୋକାନୀ ଜଣକ ନାଲି ବୋତଲର ଠିପିଟା ବୁଢ଼ାଆଙ୍ଗୁଠିରେ ଖୋଲି ବୋତଲଟିକୁ ମନୋହର ଆଡ଼କୁ ବଢ଼ାଇଦେଲା । ଚାରିପଇସା ଖର୍ଚ୍ଚ କରି ମିଠାପାଣି ବୋତଲେ ପିଇବ ନପିଇବ ଚିନ୍ତାର ସହଜ ସମାଧାନ ଦୋକାନୀ ନିମିଷକ ମଧ୍ୟରେ କରିଦେଲା ।

 

ମନୋହର ବାଧ୍ୟହୋଇ ବୋତଲଟିକୁ ହାତକୁ ନେଇ ମୁହଁକୁ ଉପରକୁ ଟେକି, ବୋତଲଟି ଓଠରେ ଲଗେଇ ଢକ୍‌ଢକ୍‌ କରି ପିଇବାକୁ ଲାଗିଲା । ଭିତରର ଗୋଳାଟି ଭଟ୍‌ଭଟ୍‌ କରି ମଝିରେ ମଝିରେ ବୋତଲର ମୁହଁରେ ଅଟକିଯାଉଛି । ବୋତଲକୁ ତଳେଇ ଘୂରେଇ ମନୋହର ପୁଣି ପାଟିରେ ଲଗଉଛି ।

 

କିଣା-ହଂସର ଥଣ୍ଟଯାଏ ମାଂସ । ଫେଣ ସହିତ ପାଣିଟୋପାକ ଶେଷ କରି, ବୋତଲଟିକୁ ମାଟିରେ ଥୋଇ, ମନୋହର ଦୋକାନ ଭିତରର ମିଠେଇ ଆଲ୍‌ମିରା ଆଡ଼କୁ ଚାହିଁ ଚାରି ପଇସାର ଜିଲାପି ମାଗିଲା । ଜିଲାପି ଖାଇ ରସଲଗା ଆଙ୍ଗୁଠି କେଇଟାକୁ ଚୋଷୁଛି, ଏଇ ସମୟରେ ଢଂ ଢଂ କରି ଷ୍ଟେସନରେ ଘଣ୍ଟା ବାଜିଲା । ଗାଡ଼ି ଆସିଲା ବୋଲି ଭାବି ମନୋହର ଯିବାକୁ ଭାରି ତରବର ହେଲା । ରେଳରେ ଉଠିବା ପାଇଁ ଯାତ୍ରୀଙ୍କର ଦୌଡ଼ାଦୌଡ଼ି କରିବା ଦୃଶ୍ୟ ଚତୁର ଶିଲଟିଆ ଦୋକାନୀ ସଦାବେଳେ ଦେଖୁଛି । ପଇସା କେଇଟା ଗଣି ରଖି ତାଚ୍ଛଲ୍ୟଭାବେ ଦୋକାନୀ କହିଲା—‘‘ସେଇଟା ଟିକଟକଟା ଘଣ୍ଟି ହୋ; ରେଳ ଆସିବାକୁ ବହୁତ ସମୟ ଅଛି ।’’

 

ଦୋକାନୀ କଥାରେ ଆଶ୍ଵସ୍ତ ହୋଇ ମନୋହର ଅଣ୍ଟାରେ ଖୋସା ମୁଣାରୁ ଆହୁରି ଚାରିଟା ପଇସା ଦୋକାନୀ ହାତରେ ଦେଇ ‘ ସିଗାରେଟ ପ୍ୟାକେଟ୍‌ ମାଗିଲା ।

 

‘‘ଆଉ ଗୋଟାଏ ପଇସା ଦିଅ ।’’ ଦୋକାନୀ ପଇସା ଚାରିଟା ସହ ହାତଟିକୁ ମନୋହର ଆଡ଼କୁ ବଢ଼େଇରଖିଲା ।

 

—“ପାଞ୍ଚ ପଇସା କାହିଁକି ହୋ ? ମତେ କଣ ନୂଆ ଲୋକ ବୋଲି ପାଇଛ କି ? ଚାରି ପଇସାରେ କିଣି ସବୁବେଳେ ଖିଆହଉଚି ।’’

 

ମୁହଁକୁ ଦୋକାନ ଭିତର ଆଡ଼କୁ ବୁଲେଇ ଦୋକାନୀ ଗମ୍ଭୀର ଭାବରେ ଉତ୍ତର ଦେଲା–‘‘ଚାରିପଇସା କାହିଁକି, ପଇସାକରେ ବି ଖାଉଥାଇପାର । ଏଠି କିନ୍ତୁ ପାଞ୍ଚ ପଇସାରୁ କମ୍‌ରେ ମିଳିବ ନାହିଁ ।’’

 

ଶିଲଟିଆ ଦୋକାନୀର ମଗଜ-ଗରମକରା କଥା ଶୁଣି ମନୋହର ଭାବିଲା–‘‘ଏଗୁଡ଼ାକ ଢାକାୱାଲା ଦୋକାନୀ ନୁହଁନ୍ତି । ସେମାନଙ୍କ ସଙ୍ଗେ ଦରଦାମ କରାଯାଇପାରେ; ଚାରିପଇସାର ଜିନିଷକୁ ଦୁଇପଇସାରେ କିଣାଯାଇପାରେ । ସେମାନଙ୍କ ସହିତ ହସ, ପରିହାସ ମଧ୍ୟ କରାଯାଇପାରେ । ଏଗୁଡ଼ାକ କିନ୍ତୁ ଓଥାର-ମୁହାଁ । ନଉ ହୋ, ପଇସାଟାଏ ଠିକି କଣ ଧନୀ ବନିଯିବ ?’’ ଦବ ନଦବ କରି ମୁଣିରୁ ପଇସାଏ ବାହାର କରି ଦୋକାନୀ ହାତରେ ଦେଇ ମନୋହର ଟିକଟ ଝରକା ଆଡ଼କୁ ପାଦ ବଢ଼ାଇଲା ।

 

ଟିକଟ-ବାବୁ ସଙ୍ଗେ ବହୁତ ଦରଦାମ କରି, କମେଇ ନପାରି ଅଗତ୍ୟା ଟ୨୩୬ ପାହୁଲା ଦେଇ ଫର୍କାଟିଂ ଷ୍ଟେସନକୁ ତୃତୀୟ ଶ୍ରେଣୀର ଟିକଟ ଖଣ୍ଡିଏ କିଣି, ମନୋହର ପ୍ଳାଟଫର୍ମରେ ପଶିଲା । ରେଳଲାଇନ୍‌ କଡ଼ରେ ଧାଡ଼ି ବାନ୍ଧିଥିବା ଲୋକଙ୍କ ସହିତ ଧାଡ଼ି ପୂରାଇ ବାହୁଙ୍ଗି ଉପରେ ପିଚା ଥୋଇ ଏକାନ୍ତ ମନରେ ରେଡ଼ଲ୍ୟାମ୍ପ ସିଗାରେଟ୍‌ ଖଣ୍ଡେ ଟାଣିବାକୁ ଲାଗିଲା-। ସିଗ୍‍ନାଲ ପଡ଼ିବାର ନାଲି ନୀଳ ଲ୍ୟାମ୍ପ ଧରି ପଏଣ୍ଟସ୍‍ମ୍ୟାନ ଲାଇନ୍ ଉପରେ ଥିବା ଲୋକମାନଙ୍କୁ ‘ହଟ ଯାଓ’, ‘ହଟ୍‌ ଯାଓ’ କହି ହାତରେ ଠେଲି ଆଡ଼େଇ ଦଉଛି । ଦୌଡ଼ାଦୌଡ଼ି କରି ଉପରମୁହାଁ ହୋଇ ଆସୁଥିବାରୁ ଲୋକଙ୍କ ଗଣ୍ଠିଳିକୁ ଝୁଣ୍ଟି ପଏଣ୍ଟ୍‌ସ୍‌ମ୍ୟାନ ଉଗ୍ରମୂର୍ତ୍ତି ଧରିଲା-। ହିନ୍ଦୁସ୍ଥାନୀ, ବଙ୍ଗଳା, ଯେଉଁ ଭାଷା ମୁହଁରୁ ବାହାରିଲା ସେଇ ଭାଷାରେ ଗଣ୍ଠିଳିବାଲାକୁ ଗାଳିଦବାକୁ ଲାଗିଲା । ଗାଡ଼ି ପାଇଁ ଉତ୍କଣ୍ଠିତ ହୋଇ ବାଟ ଚାହିଁରହିଥିବା ଯାତ୍ରୀଦଳଙ୍କର ଏକାଗ୍ରତା ଅକସ୍ମାତ୍ ଭାଙ୍ଗିଲା—କଣ ହେଲା ବୋଲି ସମସ୍ତେ ସେଇ ଆଡ଼କୁ ଚାହିଁଲେ । ସହସ୍ର ନରନାରୀଙ୍କ ଆଖି ତା ଆଡ଼କୁ ପଡ଼ିବାରୁ ଭବିଷ୍ୟତରରେ ବିପଦର ଆଶଙ୍କାରେ ମନୋହର ତରବରରେ ବାହୁଙ୍ଗି କଥା ବାକ୍‌ସଟି ନେଇ ଘୁଞ୍ଚିଗଲା ।

 

ସନ୍ଧ୍ୟା ହଉ ହଉ ଉଜାଣୀ ଏବଂ ତଳଘାଟି ଆଡ଼କୁ ଯିବା ଦୁଇଖଣ୍ଡଯାକ ରେଲଗାଡ଼ି ପ୍ରାୟ ଏକସମୟରେ ଷ୍ଟେସନରେ ପହଞ୍ଚିଲା । ଟ୍ରେନ୍ ପ୍ଲାଟଫର୍ମରେ ନ ପହଞ୍ଚୁଣୁ ଯାତ୍ରୀମାନଙ୍କ ଭିତରେ ହୈ-ଚୈ, ଦୌଡ଼ାଦୌଡ଼ି, ଠେଲାଠେଲି, ପେଲାପେଲି, ପାଟି-ତୁଣ୍ଡର ତୁମୁଳ କୋଳାହଳ ତଥା ବିଶୃଙ୍ଖଳା ସୃଷ୍ଟି ହେଲା—ସତେ କି ଭୂମିକମ୍ପ ଏବଂ ନଈବଢ଼ି ଉଭୟେ ହାତ ଧରାଧରି ହୋଇ ଆବିର୍ଭାବ ହେଲେ ! ଅନ୍ୟକୁ ପଛରେ ପକାଇ ନିଜେ କିପରି ଆଗ ଗାଡ଼ିରେ ଉଠିପାରିବେ, ଯାତ୍ରୀମାନଙ୍କ ମଧ୍ୟରେ ସେଥିପାଇଁ ଆଡ଼ିଆ-ଆଡ଼ି ଚାଲିଲା । ଉଜାଣୀର ଗାଡ଼ି କେଉଁଟା, ୟାକୁ ତାକୁ ପଚାରି, ନାକେଦମ୍‌ ହୋଇ ମନୋହର ସେ–ସେଁ ଫେଁ-ଫେଁ ହୋଇ, ଅବଶେଷରେ ଅସଲ ଗାଡ଼ି ଖଣ୍ତିକର ସନ୍ଧାନ ପାଇ ପାଖରେ ପହଞ୍ଚିଲା । କିନ୍ତୁ, ଗାଡ଼ିରେ ଏବେ ଉଠୁଛି କେମିତି ? ପ୍ରତ୍ୟେକ କୋଠରି ମଣିଷରେ ଭରପୂର; ଯେଉଁ ଦୁଆରେ ହାତ ଦଉଛି ସେଇଟା ହିଁ ବନ୍ଦ । ଟଣାଟାଣି କରି ଠେଲାଠେଲି କରିବାକୁ ଚେଷ୍ଟା କଲେ ବି ଭିତରେ ଉଠିଥିବା ଯାତ୍ରୀଦଳ—‘ଏଠି ଜାଗା ନାହିଁ, ଆଗରେ ବହୁତ ଖାଲି ଜାଗା ମିଳିବ—ସେଠିକି ଯାଅ ।’ ବୋଲି ପାଟିତୁଣ୍ଡ କରି ଫେରେଇଦଉଛନ୍ତି-

 

ଆଗକୁ ଥରେ ପଛକୁ ଥରେ ଦଉଡ଼ା-ଧାପଡ଼ା କରି ଗୋଟିଏ କୋଠରିରେ କମ୍‌ ମଣିଷ ଥିବାର ଦେଖି ମନୋହର ଦୁଆର ପେଲି କେବଳ ବାହୁଙ୍ଗି ଓ ବାକ୍‌ସକୁ ଭିତରକୁ ଠେଲିଦେଇଛି ମାତ୍ର—ଏତିକିବେଳେ ଭିତର ବେଞ୍ଚରେ ବସିଥିବା ଜଣେ ଲୋକ ହଠାତ୍‌ ଦୁଆରକୁ ଭିତରପଟୁ ଠେଲିଧରିଲା । ବାହୁଙ୍ଗି ସହିତ ବାକସଟି ଭୁସ୍‌କିନା ଫ୍ଲାଟଫର୍ମରେ ପଡ଼ିଲା । ସେସବୁ ସାଉଁଟି ଧରି ମନୋହର କହିଲା—‘‘ୟେ କି କଥା ହୋ ? ଆମକୁ କ’ଣ ଉଠିବାକୁ ଦବନି ?’’

 

ଦୁଆର ଠେଲିଧରିଥିବା ଲୋକଜଣକ ବ୍ୟଙ୍ଗ ହସ ହସି ଉତ୍ତର ଦେଲେ—‘‘ଏଇଟା ତମ ଗାଡ଼ି ନୁହେଁ, ଦେଢ଼ା-ଗାଡ଼ି ।’’ କଥାର ଅର୍ଥ ନ ବୁଝି ମନୋହର ତାଙ୍କ ଆଡ଼କୁ ଚାହିଁରହିବା ଦେଖି ଭଦ୍ରବ୍ୟକ୍ତି ପୁଣି କହିଲେ— ‘‘ଏଇଟା ଇଣ୍ଟର କ୍ଳାସ; ନାଲି ଟିକେଟର ଗାଡ଼ି । ଏଠି ଉଠିଲେ ବେଶୀ ଭଡ଼ା ଲାଗିବ । ଆଗ ଡବାରେ ଉଠ ।’’

 

ଆଗରେ ଇଞ୍ଜିନ୍‌ ଶବ୍ଦ କରୁଛି କଜିଆ କରିବାକୁ ସମୟ ନାହିଁ । —‘ହେ, ଭଗବାନ ! ମୋ କପାଳ । ଏଡ଼େବଡ଼ ଗାଡ଼ିଟାରେ ଜାଗା ନାହିଁ !!’ —ମନ ଦୁଃଖରେ ମନୋହର ଆଉ ଏକ ଡବାର ସନ୍ଧାନରେ ଆଗେଇଗଲା । ଇଣ୍ଟର କ୍ଲାସର ବାକୀ ଯାତ୍ରିଗଣ ବାହାରକୁ ମୁଣ୍ଡ କାଢ଼ି ତୃତୀୟଶ୍ରେଣୀ ଯାତ୍ରୀଟିର ଦୁର୍ଦ୍ଦଶାକୁ ଲକ୍ଷ୍ୟ କରି ବିଦ୍ରୁପାତ୍ମକ ଆଭିଜାତ୍ୟର ହସ ହସିଲେ ।

 

ଗାଡ଼ି ଛାଡ଼ିବା ସମୟ ହେଲା । ତୃତୀୟ ଶ୍ରେଣୀର ଡବା ଗୋଟିକର ରେଲିଂ ଧରି ଫୁଟ୍‌ବୋର୍ଡରେ ଚଢ଼ି ଭିତରର ଯାତ୍ରୀମାନଙ୍କୁ କବାଟଟି ଖୋଲିବା ପାଇଁ ମନୋହର ବ୍ୟାକୁଳ ଭାବରେ କାକୁତି କରୁଛି । କୁକୁର ହିଁ କୁକୁରର ବଡ଼ ଶତ୍ରୁ । ମନୋହରର ଅସହାୟ ଅବସ୍ଥା ଦେଖି ତୃତୀୟ ଶ୍ରେଣୀର ଆରୋହୀଗଣ କିରିକିରି ହସି ଟିଟିକାରି ମାରୁଛନ୍ତି । ଗାର୍ଡ ହୁଇସିଲ୍‌ ଦେଲାରୁ, ଟିକଟ-କଲେକ୍‌ଟର ଜଣେ ଦୌଡ଼ି ଆସି ମନୋହରର ବାହୁ ଧରି ଝିଙ୍କି ଭିତରକୁ ଠେଲିଦେଇ ଦୁଆର ବନ୍ଦ କଲେ । ସଙ୍ଗେ ସଙ୍ଗେ ଘଚ୍‌ ଘଚ୍‌ କରି ଟ୍ରେନ ଛାଡ଼ିଲା । ତଳେ ବସି ମନୋହର କ୍ଲାନ୍ତିର ନିଃଶ୍ଵାସ ନେଲା ।

 

ଦ୍ରୁତଗତିରେ ଗାଡ଼ି ଚାଲିଲା । କାମରୂପ, ଯମୁନାମୁଖ, ହୋଜାଇ ଏମିତି ଗୋଟିକ ପରେ ଗୋଟିଏ ଷ୍ଟେସନ ପାରିହେଲା । ୟା ତା’ ସହିତ କରି କୋଠରିର ଯାତ୍ରୀ-ମାନଙ୍କ ସହିତ ମନୋହର ଆଳାପ ଆରମ୍ଭ କଲା । କିଏ କୋଉଠୁ ଆସିଛି, କୋଉଠିକି ଯିବ, କାହିଁକି ଯାଉଛି—ସବୁ ଖବର ସେ ସଂଗ୍ରହ କଲା । ତା ସାଙ୍ଗକୁ ନିଜର ମଧ୍ୟ ସମସ୍ତ ଆଦି-ଅନ୍ତ କହିଚାଲିଲା । ଏତେ ଦୂରକୁ ରେଳଗାଡ଼ିରେ ଆସିବା ଏଇଟା ତା’ର ପ୍ରଥମ । ଗୋଲାଘାଟ ସହର ବିଷୟରେ ତାର ଟିକିଏ ବି ଧାରଣା ନାହିଁ । ଏଣେ ପୁଣି ନ ଆସିଲେ ନ ଚଳେ । ଭାଇ ଜାତି ବୁଡ଼େଇ ଆହୋମଣୀ ଜଣକୁ ବାହା ହବାକୁ ବାହାରିଛି । ଯେକୌଣସି ପ୍ରତିବନ୍ଧକ ସୃଷ୍ଟିକରି ବାହାଘରକୁ ଭାଙ୍ଗିବାକୁ ହେବ । ନିର୍ଲିପ୍ତ ଭାବରେ ଅପରିଚିତର ସୁଖଦୁଃଖର କାହାଣୀ ଶୁଣିବାଠାରୁ ବଳି ଆନନ୍ଦ ନାହିଁ । ଯେତେଟା ଅପରିଚିତ ସେତେଟା ସ୍ପୁର୍ତ୍ତି, ସେତେଟା ଆନନ୍ଦ । ପାଖରେ ବସିଥିବା ଯାତ୍ରୀମାନେ ମନୋହରର କଥାକୁ ମନଦେଇ ଶୁଣି ଯାତ୍ରାର କ୍ଳାନ୍ତି ବିରକ୍ତି କମେଇବାକୁ ସୁବିଧା ପାଇଲେ । ରେଡ଼ଲ୍ୟାମ୍ପ ସିଗାରେଟ ବିନିମୟରେ କେଇଜଣ ଯାତ୍ରୀଙ୍କ ସହିତ ମନୋହର ବେଶ୍‌ ବଢ଼ି ଆଭାବରେ ବନ୍ଧୁତା ପାତିଲା ।

 

ପଡ଼ୋଶୀ ଯାତ୍ରୀ ଜଣକଠାରୁ ଗୁଆ ଖଣ୍ଡିଏ ପାଇଁ ହାତ ପାତି, ନେଇ ମନୋହର କହିଲା–‘‘ଆପଣଙ୍କ ଘର କୋଉଠି କହିଲେ ଟି... ହୋଜାଇରେ ? ଦେଖିବେ, ଈଶ୍ଵର କଲେ ଏଇ ବର୍ଷ ଆପଣଙ୍କ ଆଡ଼େ ଆସିବି ।’’

 

—‘‘ବେଶ୍‌ ଭଲ ହୁଅନ୍ତା । ଯିବେ, ଯିବେ ।’’ ଡିବାରୁ ମହମହ ଗନ୍ଧର ଦୋକ୍ତା ଟିକିଏ ପାଟିରେ ଦେଇ ସାର୍ଥୀ ଜଣକ ଉତ୍ସାହରେ ସମର୍ଥନ କଲେ ।

 

—‘‘ଆମ ପଟୁ କେଇ ଘର ହୋଜାଇକୁ ଉଠିଆସିଛନ୍ତି । ଆମର ଅବଶ୍ୟ ଗାଁରେ ଯେତେ ଜମିବାଡ଼ି ଅଛି ତାକୁ ଭାଙ୍ଗି ଚଷି ଖାଇପାରିଲେ ବହୁତ । ଖଗେଶ୍ୱର କହୁ ନ ଥିଲା କି, ସେଠି ବହୁତ ମାଟି ଭଙ୍ଗାଇଛି ବୋଲି ।’’

 

—‘‘କେଉଁ ଖଗେଶ୍ୱର କଥା କହୁଛନ୍ତି ?’’

 

—‘‘ଦୀଘଲ୍‌ ଦରିରୁ ଗତ ବର୍ଷ ଉଠିଯାଇଛି । ଆମ ଗାଁରେ ଏତେଦିନ ହେଲା ମଇମନସିଂହିଆ ପାଦଦେଇ ପାରି ନ ଥିଲେ । ଖଗେଶ୍ଵର ହିଁ ନେଇ ସେମାନଙ୍କୁ ଭର୍ତ୍ତି କଲା । ଗାଁର ଜମିବାଡ଼ି ସବୁ ମଇମନସିଂହଆଙ୍କୁ ବିକ୍ରି କରି ଦେଇ ଏବେ କୁଆଡ଼େ ହୋଜାଇରେ କୁଡ଼ିଆ ଠିଆକରିଛି ।’’

 

—‘‘ହଁ, ହଁ, ବୁଝିଲି । କହନ୍ତି ତ ଖଗେଶ୍ୱର କୁଆଡ଼େ ଜଣେ ମଇମନସିଂହିଆ ଲୋକଙ୍କୁ ନେଇ ନୂଆ ଜମି ଭଙ୍ଗାଇଛି । ହେଲେ କାମଟା କିନ୍ତୁ ସେ ଭଲ କଲା ନାହିଁ । ଶାଖା ପ୍ରଶାଖା ମେଲିବ । ମଇମନସିଂହିଆ ଆଉ ଏ ‘ଚିଙ୍ଗୁଡ଼ିଆଦଳ’ ଏକା ଧରଣର—ଅଙ୍ଗୁଳି ପ୍ରବେଶାତ୍‌ ବାହୁ ପ୍ରବେଶଂ—ପରେ ଉଠେଇବା କଷ୍ଟକର ହେବ ।’’

 

—“ଇସ୍‌, କହିବାକୁ ଅଛି ନା ? ଆମ ପଟେ ନିଜ ଆଖିରେ କଣ ଦେଖୁନୁଁ । ‘ଲଓଖୋୱା’, ‘ଲହରୀଘାଟ’ ଦୁଇଟିଯାକ ମୌଜାରେ ଆଉ ମାଟି ଟିକିଏ ବି ରହିଲା ନାହିଁ । ଏବେ ଶୁଣୁଛି, ସରକାର ଗୋଚରଭୂଇଁ କେଇ ଖଣ୍ତ ସେମାନଙ୍କୁ ଛାଡ଼ି ଦେଇ ଦେବାକୁ ବିଚାରିଛନ୍ତି ।’’

 

—“ତା ଯଦି ହୁଏ ଲୋକେ ନିଶ୍ଚେ ମରିଯିବେ । ଗୋରୁଗାଈ ପୋଷିବା କଷ୍ଟକର ହେବ-। ଦଳ-ଘାସ କାଟି କେଇଟା ଗୋରୁଙ୍କୁ ବା ଖୋଇପେଇ ହେବ ?’’

 

—‘‘ଲୋକେ ମରନ୍ତୁ ବା ବଞ୍ଚନ୍ତୁ, ସରକାର ବାହାଦୂର ଖଜଣା ପାଇଲେ ହେଲା । ମଇମନସିଂହିଆ* ଆସିବା ଦିନରୁ ଆମ ଲୋକଙ୍କର ଗୋରୁ-ମଇଁଷିଙ୍କର ଖୁଣ୍ଟ ଉପୁଡ଼ିଲା ବୋଲି ଜାଣ ।’’

 

—“ଇହି....ହି....କହନା, କହନା । ଆଗେ ସେଇଟା ସାଗର ଥିଲା । କିନ୍ତୁ କଣ ଯେ ଈଶ୍ଵରଙ୍କ ଇଚ୍ଛା,—ମଇମନସିଂହିଆ ବସିବା ଦିନୁ ଗତ ଚାରିପାଞ୍ଚ ବର୍ଷ ହବ ପାଣିର ନାଁ-ଗନ୍ଧ ନାହିଁ-। ଆଗେ ଯେଉଁ ଅଞ୍ଚଳରେ ବର୍ଷାର ଦର୍କାର ନ ଥିଲା; ଶୀତଦିନେ ନୌକା ବିନା ଯିବା-ଆସିବା କରିହଉନଥିଲା, ଏବେ ସେଇ ଜାଗା ସବୁ ଶୁଖି ଟାଙ୍ଗରା ।’’

 

—“ହଁ, କଳିକାଳରେ ସତେ କେତେ ଅଘଟଣ ନ ଘଟିବ ?’’ ହୋଜାଇର ଯାତ୍ରୀ ଜଣକ ହତାଶାର ନିଃଶ୍ଵାସ ପକାଇଲେ ।

 

ମନୋହର କହିଲା—‘‘ଦେଖନ୍ତୁ ତ, ସେମାନେ ଆସିବା ଦିନରୁ ଧାନର ଦାମ୍‌ ଟଙ୍କାକ ଉପରକୁ ଉଠିପାରୁଚି ନା ? ୟାଡ଼େ ଦେଖିଲାବେଳକୁ ଝୋଟର ଦାମ୍‌ ଦିନକୁ ଦିନ ବଢ଼ି କୋଡ଼ିଏରେ ପହଞ୍ଚିଲାଣି ।’’

 

*ମଇମନସିଂହିଆ—ମଇମନସିଂହରୁ ଆଗତ ଆସାମରେ ଆପ୍ରବାସୀ ।

 

—“କୋଡ଼ିଏ କଣ କହୁଛନ୍ତି, ଆମ ଆଡ଼େ ତା’ଠୁ ଚଢ଼ାଦର । ଯମୁନାମୁଖ ବଜାରରେ ଜହରମଲ ବାବୁ କୋଡ଼ିଏ ଚାରି ଟଙ୍କା ଦେଇ କିଣିଛି ।’’

 

—“ଦେଖୁନାହାନ୍ତି, ଟଙ୍କା-ପଇସା ବି ତାଙ୍କମାନଙ୍କୁ ସୁହାଉଛି ।’’

 

ଗାଡ଼ି ଆସି ଲାମଡ଼ି ଜଙ୍କସନ୍‌ରେ ରହିଲା । ଯାତ୍ରୀମାନଙ୍କ ଭିତରେ ଓହ୍ଲେଇବା ଚଢ଼ିବାର କୋଳାହଳ ସୃଷ୍ଟି ହେଲା । ପ୍ଲାର୍ଟଫର୍ମରେ ଦିନ ଭଳି ବିଜୁଳିବତିର ଆଲୋକ ଦେଖି ମନୋହର ବିସ୍ମିତ ହେଲା । ଲାମଡ଼ିଂ ସତେ କି ଏକ ରେଳରାଜ୍ୟ । ଷ୍ଟେସନ୍‌ରେ ଏତେ ଗୁଡ଼ାଏ ରେଳଗାଡ଼ି ଉଇ ଭଳି ଲାଇନ୍‌ ଲମ୍ବେଇଛନ୍ତି; ଡବାରୁ ଓହ୍ଳେଇବାକୁ ସାହସ ନ ହେବାରୁ ମନୋହର ଝରକାବାଟେ ମୁଣ୍ଡକାଢ଼ି ବିସ୍ମୟ-ପୁଲକିତ ଭାବେ ଚାହିଁ ରହିଲା ।

 

ଲାମଡ଼ିଂରେ ଯାତ୍ରୀ କେତେଜଣ ଓହ୍ଳେଇଗଲେ । ନୂଆ ଯାତ୍ରୀ ଉଠିବା ପୂର୍ବରୁ କେହି କେହି ନିଜର ବିଛଣା ବିଛେଇଦେଲେ । ମନୋହରର କିନ୍ତୁ ଇଚ୍ଛା ହେଲା ନାହିଁ ଶୋଇବାକୁ । ଝରକାବାଟେ ମୁହଁ କାଢ଼ି ପ୍ରତ୍ୟେକଟି ଷ୍ଟେସନ ଏବଂ ଯାତ୍ରୀମାନଙ୍କର ଓହ୍ଲାଚଢ଼ାର ଦୃଶ୍ୟ ଦେଖି ଦେଖି ଯିବାକୁ ଭାତାର ପ୍ରବଳ ଇଚ୍ଛା । ରେଳଯାତ୍ରୀମାନଙ୍କୁ ଏକ ସ୍ଵତନ୍ତ୍ର ଦେଶର ମଣିଷ ବୋଲି ମନୋହର ବିବେଚନା କରୁଛି । ବ୍ୟସ୍ତତା, ବ୍ୟାକୁଳତା, ଭୟ ଏବଂ ଚିନ୍ତା ରେଳ-ରାଜ୍ୟର ପ୍ରାଣୀମାନଙ୍କର ଦେହକୁ ଆବୋରି ରଖିଛି ।

 

ଅଧଘଣ୍ଟା ପରେ, ଅଚଳ ଅବସ୍ଥାର ଦେହକୁ ଝିଙ୍କି ରେଳଗାଡ଼ି ପୁଣି ଦୌଡ଼ିବାକୁ ଆରମ୍ଭ କଲା । ଷ୍ଟାଡିନସ ସିଗନାଲ୍‌ ପାର ହେବା ପରେ ଜଣେ ବଙ୍ଗାଳୀ କେଇଟା ଛୋଟ ଛୋଟ ଶିଶି ହାତରେ ଧରି କୋଠରି ମଝିରେ ଛିଡ଼ା ହୋଇ ଗୀତସ୍ଵରରେ ବକ୍ତୃତା ଆରମ୍ଭ କରିଦେଲେ । ବକ୍ତୃତା ଶେଷ ହେବା ସଙ୍ଗେ ସଙ୍ଗେ ଶିଶିଟିଏରୁ ନାଳି ନାଲି ବଟିକା ବାହାର କରି ପ୍ରତ୍ୟେକ ଯାତ୍ରୀଙ୍କୁ ଗୋଟିଏ ଦିଟା କରି ବାଣ୍ଟିଲେ । ମନୋହରକୁ ଦେଲାବେଳେ ମନୋହର ନବାକୁ ସଂକୋଚବୋଧ କରୁଛି । କେଜାଣି ବା ପଛରେ ସେଥିପାଇଁ ପଇସାପତ୍ର ଦବାକୁ ପଡ଼ିପାରେ । ଚତୁର ବେପାରି ଭବିଷ୍ୟତ ଗ୍ରାହକର ମନରୁ ଅବିଶ୍ଵାସର ଭାବ ଦୂର କରିବା ପାଇଁ କହିଲା—‘‘ନିଅ, ନିଅ, ପାଟିରେ ଗୋଟାଏ ପକାଅ । ‘ଜିନ୍ତାନ’ ଭଳି ମୁଖରୋଚକ ବସ୍ତୁ ଆଉ ଦ୍ଵିତୀୟ ନାହିଁ । ପାଟିରେ ଦେଲେ ପାଟି ଭଲ ଲାଗେ, ଗୁଆ ସହିତ ଖାଇଲେ ଗୁଆ ପାଗ ଧରେ; ଦାନ୍ତରୁ ପୂଜ ରକ୍ତ ବାହାରିବ ବନ୍ଦ ହୁଏ, ମୁଖର ଦୁର୍ଗନ୍ଧ ନାଶକରେ; ନିଅ, ନିଅ ।’’ ଏକନିଶ୍ଵାସରେ ସବୁଗୁଡ଼ିକ କଥା କହିବା ଶେଷ କରି ଜୋର୍‌ କରି ମନୋହର ହାତରେ ‘ଜିନ୍ତାନ୍’ ବଟିକା କେଇଟା ଗୁଞ୍ଜିଦେଲା । ବଟିକା କେଇଟା କେମିତି ଖାଇବାକୁ ହେବ ଜାଣିବା ପାଇଁ ମନୋହର ଯାତ୍ରୀମାନଙ୍କ ମୁହଁକୁ ଅନେଇଲା । ଜଣେ ଦୁଇଜଣଙ୍କୁ ଅନୁକରଣ କରି ସେ’ ବି ବାଟିକାରୁ ଗୋଟାଏ ପାଟିରେ ପକାଇ ଚୋଷିବାକୁ ଲାଗିଲା । ଜ୍ଵାଳା-ମିଠାର ମିଶ୍ରଣ; ପ୍ରଥମତଃ ମୁହଁଖଣ୍ଡକ ବିକୃତ ହୋଇ ପରେ ଶାନ୍ତ ପଡ଼ିଲା—ସତରେ ‘ମୁଖ-ରୋଚକ’ ।

 

ବଟିକାଗୁଡ଼ିକ ବାଣ୍ଟିଦେବା ପରେ, ହାତରେ ବଡ଼ ସାନ ସାଇଜ୍‌ର ଶିଶି ଧରି ବେପାରିଜଣକ ପୁଣି ଆଗ ଅପେକ୍ଷା ବଡ଼ପାଟିରେ ବକ୍ତୃତା ଆରମ୍ଭ କଲା—“ଜନ୍ତାନ୍‌ ମୁଖରୋଚକ; ମୁଖର ଦୁର୍ଗନ୍ଧନାଶକ । ୨୫ଟି ବଟିକାର ଛୋଟ ଶିଶି ଦୁଇଅଣା, ୫୦ଟା ବଟିକାର ମଝିଲା ଶିଶି ତିନିଅଣା ଛ’ ପାହୁଲା; ୧୦୦ଟା ବଟିକାର ବଡ଼ ଶିଶି ଛ’ ଅଣା ।” ସେଇ କଥାକୁ ଏକାନିଶ୍ଵାସରେ କେତେଥର ଚିତ୍କାର କରି କରି ଯାତ୍ରୀମାନଙ୍କ ସାମନାରେ ଶିଶିଗୁଡ଼ିକ ବଢ଼ାଇଧରିଲା । କିନ୍ତୁ ଶିଶି କଣିବାକୁ କେହି ବି ଆଗଭର ହେବା ଦେଖାଗଲାନି । ଆଗେ ବିନା ପଇସାରେ ବଟିକା ଖାଇ ଏବେ କିଣିବାକୁ ଆଗଭର ନ ହେଉଥିବାରୁ ଲାଜରେ କେହି କେହି ମୁହଁ ବୁଲେଇଲେ, କେହି ଝରକାବାଟେ ମୁହଁ କାଢ଼ି ପିଠିକଲା, କିଏ କିଛି ନ ଜାଣିବାର ଅଭିନୟ କରି ସହଯାତ୍ରୀଜଣଙ୍କର ସଙ୍ଗେ ଆଳାପରତ ହେଲା । ସିଆଣିଆ ବେପାରି ହତାଶ ନ ହୋଇ ପୁଣି ଚିତ୍କାର କଲା–“କିଣିବାର ଦର୍କାର ନାହିଁ, ଗୋଟେ ଦି’ ଟା ଶିଶି ନେଇ ନମୁନା ଦେଖନ୍ତୁ ।” ଜଣେ ଦୁଇଅଣିଆ ଶିଶିଟାଏ ଦେଖିବାକୁ ମାଗିଲା । ସାଥେ ସାଥେ ଆଉ କେଇଜଣ ନମୁନା ଦେଖିବାକୁ ହାତ ପତେଇଲେ ।

 

—“ଦୁଇଅଣିଆ କଣ କରିବେ । ଚଉଦପଇସିଆ, ନାଇଁ ତ ୧୦୦ ବଟିକାବାଲା ଛ’ ଅଣିଆ ଶିଶି ନିଅନ୍ତୁ । ପୁଅ ଝିଅ ଆତ୍ମୀୟମାନଙ୍କୁ ବାଣ୍ଟି ଆନନ୍ଦ ପାଇବେ । ଦୁଇଅଣାରେ କେତେଟା ବା ବଟିକା ପାଇବେ ? ୨୫ଟା ତ ଦୁଇଅଣା ୧୦୦ଟା ଛ’ ଅଣା । କେତେ ଶସ୍ତା ଦେଖନ୍ତୁ ।”

 

କିଣିବ ନାହିଁ ବୋଲି ବହୁତ ବେଳଯାଏଁ ମନକୁ ଦୃଢ଼ କରି ବସିଥିବା ଜଣେ ଯାତ୍ରୀ ଚଉଦପଇସିଆ ଶିଶିଟାଏ କିଣି ମନରେ ଶାନ୍ତି ପାଇଲା । କୁଣ୍ଡିଆ-ବ୍ୟାଧି ସଦୃଶ ‘ଜିନ୍ତାନ୍‌’ ଶିଶି ସମସ୍ତ ଯାତ୍ରୀଙ୍କୁ ଛୁଇଁଲା । ମନକୁ ଦମନ କରି ନପାରି ମନୋହର ମଧ୍ୟ କିଣିବ ନକିଣିବ ହୋଇ ଦୁଇଅଣିଆ ଶିଶିଟାଏ କିଣିଲା ।

 

‘ଜିନ୍ତାନ’ ବ୍ୟବସାୟରେ ଆଶାତୀତ ସଫଳତା ଅର୍ଜନ କରି ବେପାରି ଜଣକ ଛୋଟ ଟିଣ ବାକସରୁ କାଛୁ-କୁଣ୍ଡିଆ, କମର-ବେଦନା, ରକ୍ତ-ପିତ୍ତ-ଆମାଶା, ପାଳିଜ୍ଵର, ମେଲେରିଆ ଜ୍ଵର ଆଦି ବିବିଧ ରୋଗର ପେଟେଣ୍ଟ ତଥା ଅବ୍ୟର୍ଥ ମହୌଷଧିର ବୋତଲ ବାହାର କଲା । ଗୋଟିଏ ଔଷଧ ପରେ ଆଉ ଗୋଟିଏ ଔଷଧର ଗୁଣାଗୁଣ ବିଷୟରେ ତଣ୍ଟି ଫଟେଇ ଚିତ୍କାର କରିବାକୁ ଲାଗିଲା । ଦେଖାଦେଖି ମୋହରେ ପଡ଼ି ଭବିଷ୍ୟତରେ ଦରକାରବେଳେ କର୍ମରେ ଆସିବ ବୋଲି ମନୋହର ମଧ୍ୟ କମର-ବେଦନା ପାଇଁ ଔଷଧ ଡବାଏ କିଣି ରଖିଲା ।

 

ଗଭୀର ଅନ୍ଧକାର ଭେଦକରି ଅତିକାୟ ଦୈତ୍ୟ ସଦୃଶ ଭୟଶୂନ୍ୟ ହୋଇ ଆସାମ-ବେଙ୍ଗଲ-ରେଳଗାଡ଼ି ହିସ୍‌-ହିସ୍‌ କରି ଦୌଡ଼ିଚାଲିଥିଲା । ମନୋହର ସାଙ୍ଗରେ କଥାବାର୍ତ୍ତା ହଉ ହଉ ଯିଏ ଯେଭଳି ଅବସ୍ଥାରେ ଥିଲେ ସେପରି ହିଁ ନିଦେଇଲେ । ପଇସା ଖର୍ଚ୍ଚ କରି ଶୋଇବା ପାଇଁ ଆସିଥିବା ଯାତ୍ରୀମାନଙ୍କର ମୁର୍ଖାମୀରେ ମନୋହର ଦୁଃଖିତ ହେଲା । ସେଇ ମଗୁଶିରିଆ ଜାଡ଼ରେ ଝରକାବାଟେ ମୁଣ୍ଡ କାଢ଼ି ଅନ୍ଧକାରର ନିସ୍ତବ୍‌ଧତା ଭିତରେ ମନୋହର ଦୁଇକଡ଼ର ସମାହିତ ବନଭୂମିର ଶୋଭା ଦେଖି ଦେଖି ଯିବାକୁ ଲାଗିଲା ।

 

ତିନି

 

ଝଟଝଟ ପାହାନ୍ତା । ଗାଡ଼ି ଫର୍କାଟିଂ ଷ୍ଟେସନରେ ପହଞ୍ଚିଲା । ଚାଲି ଚାଲି ଗୋଲାଘାଟକୁ ଯାଇ ରାଧା କାକତି ମାଷ୍ଟରଙ୍କ ଘର ସକାଳଓଳି ଭିତରେ ଖୋଜି ବାହାର କରି ନେଲା ମନୋହର । ମରଙ୍ଗିର ଉଇଭିଂ ଡେମନଷ୍ଟ୍ରେଟର ଧରଣୀ କଳିତାଙ୍କ ସହିତ ରାଧା ମାଷ୍ଟ୍ର ପୂର୍ବରୁ ପରିଚିତ । ତାଙ୍କର ଭାଇ ଜଣକୁ ଅତିଥି-ହିସାବରେ ପାଇ ମାଷ୍ଟ୍ରେ ସସମ୍ମାନେ ସତ୍କାର କଲେ । ମାଷ୍ଟ୍ରଙ୍କଠୁ ବାଟଘାଟର କଥା ବୁଝିସୁଝି ଦି’ପହରିଆ ବିଶ୍ରାମ ନେଇ ମନୋହର ମରଙ୍ଗିକୁ ବାହାରିଲା । ବାଟଯାକ ପଚାରି ପଚାରି ଯାଉ ଯାଉ ମନୋହରକୁ ଅନେକଟା ସମୟ ଲାଗିଲା । ସଂଜ ହଉ ହଉ ମରଙ୍ଗି ଗାଁରେ ପ୍ରବେଶ କଲା । ଗଉଡ଼ମାନେ ଗାଈଗୋରୁ ଖୋଜି-ଲୋଡ଼ି ଆଣି ଗାଁ ଦାଣ୍ଡେ ଦାଣ୍ଡେ କୁହାଟ ମାରୁଥାଆନ୍ତି ।

 

ବାଟରେ ଗୌଡ଼ ଟୋକାକୁ ପଚାରି ମନୋହର ଧରଣୀର ଘର ଆବିଷ୍କାର କଲା । ବଡ଼ବାପାଙ୍କ ପୁଅ ମନୋହର, ଅପ୍ରତ୍ୟାଶିତ ଭାବରେ ଆସି ପହଞ୍ଚିବା ଦେଖି ଧରଣୀର ମୁହଁରେ ଆନନ୍ଦର ହସ ଫୁଟିଉଠିଲା । ଅନ୍ତତଃପକ୍ଷେ ସମ୍ବନ୍ଧର ଭାଇ ଜଣେ ତା’ର ଜୀବନର ଏଇ ଆନନ୍ଦ ଉତ୍ସବରେ ଯୋଗଦେବାକୁ ଆସିଛି । ସାହାଯ୍ୟ ସହାନୁଭୂତି ପାଇଁ ଜ୍ଞାତିଗୋତ୍ରଙ୍କୁ ମଣିଷ କେବଳ ଆପଦ-ବିପଦରେ ଲୋଡ଼େ, ତା ନୁହେଁ—ଆତ୍ମୀୟସ୍ଵଜନ ସଖ୍ୟ ନ ମିଳିଲେ ମଣିଷ ଆନନ୍ଦ ଉତ୍ସବ ମଧ୍ୟ କରିପାରେନା । ଘରୁ ବାହାଘର ସକାଶେ କେହି ଆସିବାର ସମ୍ଭାବନା ନ ଥିବାରୁ ଧରଣୀ ଅନ୍ତରେ ଅନ୍ତରେ ଦୁଃଖ ପାଇଥିଲା । ଭାବି-ଶ୍ଵଶୁରଙ୍କ ଘରେ ଏଇ ପ୍ରସଙ୍ଗରେ ଆଲୋଚନା ପଡ଼ିଲେ ବିଚରା ନୀରବରେ ମୁହଁକୁ ତଳକୁ କରୁଥିଲା । କାରଣ, ସାମାଜିକ ଜୀବନରେ ବ୍ୟକ୍ତିର ମର୍ଯ୍ୟାଦା ବଂଶ-ପରିବାରର ପରିସର ଉପରେ ବିଶେଷ ଭାବରେ ନିର୍ଭର କରେ ।

 

ମନୋହର ପିଲାଟା ସେମିତି ସରଳ । ସୁନନ୍ଦ ପରି ଯୋଡ଼ିଯାଡ଼ି ତୋଳି ଆଣିଲା କଥା ସେ କହିପାରେନା ବା ବୁଝିପାରେନା । ବାପପରି କଥାବାର୍ତ୍ତା କରିବା, ମାମଲା ମକଦ୍ଦମା ପାଇଁ ସହରବୁଲା, ସ୍ଵାର୍ଥସିଦ୍ଧି ସକାଶେ ସତକୁ ମିଛ, ମିଛକୁ ସତ, ହେଲାକୁ ନୋହିଲା, ନୋହିଲାକୁ ହେଲା କରିବାର ବୃଦ୍ଧିବୃତ୍ତି ତାର ନାହିଁ । ବାପ ଶିଖେଇ ପଠାଇବା ମତେ, ମନୋହର ପ୍ରଥମେ ଧରଣୀର ମା’ଙ୍କର ଶକ୍ତ ବେମାର ବୋଲି କହିଲା; ସେଥିପାଇଁ ଭାଇକୁ ଖବର ଦେଇ ନେଇଯିବାକୁ ଆସିଛି ବୋଲି ଜଣାଇଲା । କିନ୍ତୁ ଗାଁର ଭଲମନ୍ଦ ଆଦି ଅନ୍ୟାନ୍ୟ ପ୍ରସଙ୍ଗରେ ପରେ ନିଜର ଅସାବଧାନତା ଯୋଗୁଁ ମନୋହର ମୁହଁରୁ ଅସଲ କଥାଟା ବାହାରିପଡ଼ିଲା । ମନୋହର ପ୍ରକୃତ କଥାଟାକୁ ପୁଣି ଲୁଚେଇବାକୁ ଚେଷ୍ଟା ନକରି ଧରଣୀକୁ ଦୃଢ଼ ଭାବରେ କହିଲା—“ଏଠି ଆଉ ଦିନେ ବି ରହିପାରିବ ନାହିଁ । କାଲି ମୋ ସହିତ ବାହାରିପଡ଼ । ମା’ କାନ୍ଦକାଟି ଭାତପାଣି ଛାଡ଼ିଲେଣି । ରାଣନିୟମ ପକାଇ ଏଇ ବାହାଘରକୁ ଭାଙ୍ଗିବା ପାଇଁ ତୁମକୁ ଖବର ପଠାଇଛନ୍ତି । ଗାଁରେ କ’ଣ ଝିଅ ଅଭାବ ଯେ, ତମେ ଜାତି-କୁଳ ବୁଡ଼େଇ ଏଠି ବାହା ହବାକୁ ବାହାରିଛ ?”

 

ଭାଇର ସମସ୍ତ ଗଞ୍ଜଣାକୁ ମୁଚୁକି ହସରେ ଲଘୁ କରିପକାଇଲା ଧରଣୀ । ବାପୁରାମ ବରାଙ୍କ ଜାତିକୁଳ ସମ୍ବନ୍ଧରେ ଗାଁରେ ଯେ ଅସତ୍ୟ କଥା ରଟନା କରାହୋଇଛି, ସେ କଥା ବୁଝିବାକୁ ଧରଣୀର ବାକି ରହିଲା ନାହିଁ । ଦିନେ ଦୁଇଦିନ ରହି ସବୁକିଛି, ନିଜେ ଦେଖିଚାହିଁ ନେଲେ ମନୋହରର ଭୁଲ୍‍ ଆପେ ଆପେ ଭାଙ୍ଗିଯିବ ଯେ । ଫଳରେ ତରବରରେ ଭାଇ ସହିତ କଥା କଟାକଟି କରିବାର ଆବଶ୍ୟକତା ନାହିଁ ଭାବି, ଧରଣୀ ପ୍ରଥମ ରାତିରେ ବାହାଘର ସମ୍ବନ୍ଧରେ ‘ରାମ’, ‘ବିଷ୍ଣୁ’ କିଛି କହିଲା ନାହିଁ । ମନୋହରକୁ ନିଜ ପାଖରେ ଶୁଆଇ ସାରା ରାତି ଗାଁର ସୁଖ ଦୁଃଖର ଖବର ପଚାରିଲା । ମନୋହର, ଛୋଟ ବଡ଼, ଗାଁର ନାନା ଘଟଣା ଭାଇକୁ ଜଣାଇଲା ।

 

—“ତୁମେ ବୋଧେ ଶୁଣିଛ, ଦୁଃଖୀ ବଙ୍ଗାଳର ଝିଅକୁ ମାହଏରାର ହରିଆ,—ସେଇ ମ ସେ ପିଞ୍ଜଳାର କେଉଟ ପୁଅ—ଧରି ପଳେଇଲା । ବାପାହେରିକାଙ୍କୁ ଡକେଇ ବାପ ତା’ର ସମାଜ ବସାଇଥିଲା । ଝିଅ କିନ୍ତୁ ନିଜ ଇଚ୍ଛାରେ ଯାଇଛି ବୋଲି କହି ବାପ ସଙ୍ଗରେ ଫେରିଲା ନାହିଁ । ବୁଢ଼ା ଏବେ ଗାଁର ଜମିବାଡ଼ି ବିକିଦେଇ ଦେଶକୁ ଫେରି ଯିବାକୁ ବାହାରିଛି ।”

 

କିଛି ସମୟ ରହି ପୁଣି କହିଲା—“ଅଶିଣରେ ଗୁରୁଗୋସେଇଁ ଗାଁକୁ ଆସିଥିଲେ । କଳଙ୍ଗ କୂଳରେ ବୈଠକି କରି ସାତଦିନ ହବ ରହିଥିଲେ । ଗାଁ-ଲୋକ ଗୋସେଇଁଙ୍କ ଲେଖା ‘ଅକ୍ରୁର ଗମନ’ ନାଟକ ଅଭିନୟ କରିଥିଲେ । ମଝିଗାଁର ପୂର୍ଣ୍ଣ ଶୈକୀୟାକୁ ଗୋସେଇଁ ଏଥର ‘ବଡ଼ମେଧି’ କରି ଯାଇଛନ୍ତି । ହେଲେ ଗାଁ ଲୋକେ କଥାଟାକୁ ଭଲ ପାଇ ନାହାନ୍ତି । ଜାଣିଚ ତ, ପୂର୍ଣ୍ଣ ଶୈକୀୟା ମୈମତୀୟା ଲୋକ ।”

 

ଗାଁର ପ୍ରତିଟି ଘଟଣା ସହିତ ଯେମିତି ଧରଣୀର ଜୀବନ ଓତପ୍ରୋତ ଭାବରେ ଜଡ଼ିତ । ଆତ୍ମୀୟ, କୁଟୁମ୍ବ, ବନ୍ଧୁ ବାନ୍ଧବଙ୍କ ବିବାହ ମୃତ୍ୟୁ ସଂକ୍ରାନ୍ତ ସମସ୍ତ କଥା ଧରଣୀ ଉଦ୍‌ଗ୍ରୀବ ହୋଇ ଶୁଣୁଥିଲା ।

 

କଥା କହୁ କହୁ ମନୋହର ଶୋଇଗଲା । ବହୁତ ରାତି ଯାଏଁ ଉଜାଗର ରହି ଧରଣୀ ଭାବି ଲାଗିଲା—ହଠାତ୍‌ ସତେ କି ଘଟଣାଟାଏ ଘଟିଗଲା ? ଖାଇ, ଶୋଇ, ହସ-ଖୁସି ଗଳ୍ପ କରି, ଆଡ଼୍‌ଡ଼ା ମାରି ଜୀବନଟା ବେଶ୍‌ ଫୁର୍ତ୍ତିରେ ଚାଲିଥିଲା । କିଛି ଚିନ୍ତା ନାହିଁ କିନ୍ତୁ ହଠାତ୍‌ ଏଇ ଜାଲରେ ଛନ୍ଦି ହେଲା କାହିଁକି ? ସକାଳ ପାଇବା ପୂର୍ବରୁ ମରଙ୍ଗି ଛାଡ଼ି ପଲେଇଯିବ କି ?

 

ମରଙ୍ଗିରେ କିନ୍ତୁ ସବୁଦିନ ପରି ସକାଳ ପାହିଲା । ଭାଇ ଦେଇଥିବା ବଗପକ୍ଷୀ ଭଳି ଚକ୍‌ ଚକ୍‌ ଧଳା ପୋଷାକ ପିନ୍ଧି ଗାଁ ବୁଲିଯିବା ପାଇଁ ମନୋହର ମନେ ମନେ ଛକ୍‌ପକ୍‌ ହେଲା । ବେଳ ଉଣ୍ଡୁଥିଲା । ତାର ପ୍ରଥମ କାମ ହଉଚି ବାପୁରାମ ବରାଙ୍କ ଘରଆଡ଼େ ଘେରାଏ ମାରି ସମସ୍ତ ଖବର ସଂଗ୍ରହ କରିବ; ବାହାଘରଟା ଯେ ଭାଙ୍ଗିବାକୁ ପଡ଼ିବ ସେଇ ସମ୍ବାଦ ପରିବେଷଣ କରିବ । ଧରଣୀ ଯେମିତି ଟିକିଏ ବାହାରକୁ ଯାଇଛି, ମନୋହର ମଉକା ପାଇ ଚଟ୍‌କିନା ଘରୁ ବାହାରିପଡ଼ିଲା । ୟାକୁ ତାକୁ ପଚାରି ବାପୁରାମଙ୍କ ଘର ଆଗରେ ପହଞ୍ଚିଲା । ବାଟରେ ଥାଇ ବାହାରୁ ବରାଙ୍କ ଘରର ଲେଖାଲେଖ କଳନା କରୁଛି । —ଘରର ପରିସୀମା ବେଶ୍‌ ଲମ୍ବା ଚଉଡ଼ା । ଘରକୁ ଲାଗି ବାଡ଼ିଟିଏ ଅଛି । ଚୂନକାମକରା ଘର—ମୂଳଦୁଆ ପକ୍‍କାର । ସହରର କୌଣସି ଓକିଲ ମୁକ୍ତିଆରଙ୍କ ବଙ୍ଗଳା ଢଙ୍ଗର ଜଣାଯାଉଛି । ପୋଷାକ ପରିଚ୍ଛଦ ଜାତୀୟତାର ପରିଚୟ ଦେବାପରି ଘରଦୁଆରର ରଙ୍ଗଢଙ୍ଗରୁ ଆର୍ଥିକ ସ୍ଵଚ୍ଛଳତାର ପରିଚୟ ମିଳେ । ବାପୁରାମ ବରା ଯେ ସେଇ ଅଞ୍ଚଳର ଜଣେ ଗଣ୍ୟମାନ୍ୟ ତଥା ଟଙ୍କା-ପଇସା ଥିଲା ବ୍ୟକ୍ତି, ସେଇକଥା ମନୋହର ସହଜରେ ଅନୁମାନ କରିପକେଇଲା । ଜାତିକୁଳ ମିଳିଲେ ଏଇ ଘରେ ବାହାହବା ଧରଣୀର ଭାଗ୍ୟ ବୋଲିବାକୁ ହେବ । ଭୟ ତଥା ସତର୍କତା ସହିତ ମନୋହର ଭିତରକୁ ପ୍ରବେଶ କଲା । ସମ୍ମୁଖ କୋଠରିରେ ବସି ବାପୁରାମ ବରା ଗୁଡ଼ୁଗୁଡ଼ୁ, କରି ହୁକ୍‌କା ଟାଣୁଛନ୍ତି; ଅଚିହ୍ନା ଯୁବକ ଜଣେ ପଶିଆସିବାର ଦେଖି କଣେଇ ଚାହିଁଛନ୍ତି । ମନୋହର ଟିକିଏ ଦ୍ରୁତପଦରେ ପାଖକୁ ଯାଇ ବରାଙ୍କ ଉତ୍ସୁକ ଚାହାଣିକୁ ଶାନ୍ତ କରି ପାଟି ଖୋଲିଲା—“ମୁଁ ଧରଣୀର ଭାଇ ।”

 

ପାଟିରୁ ହୁକ୍‍କାଟା ବାହାର କରି—“ଆରେ ଆସ, ଆସ ।” ବୋଲି ମୁଣ୍ଡ ହଲେଇ ପାଖ ଚଉକିରେ ବସିବାକୁ ମନୋହରକୁ ନିର୍ଦ୍ଦେଶ ଦେଲେ । ସଙ୍ଗେ ସଙ୍ଗେ, କେତେବେଳେ ଆସିଲ, ସାଙ୍ଗରେ କିଏ ସବୁ ଆସିଛନ୍ତି, ରାସ୍ତାରେ କିଛି ଅସୁବିଧା ହୋଇ ଥିଲା କି—ଅସଂଖ୍ୟ ପ୍ରଶ୍ନ ପଚାରି କ୍ଷଣକ ଭିତରେ ବାପୁରାମ ମନୋହରକୁ ଚିରପରିଚିତ ଆତ୍ମୀୟତାର ସ୍ନେହରେ ବାନ୍ଧିପକାଇଲେ । ବାପୁରାମଙ୍କ ଆଦର ଆଳାପରେ ଭୋଳହୋଇ ମନୋହର ବାହାଘର ଭାଙ୍ଗିବାକୁ ଆସିଥିବା କଥାର ବିନ୍ଦୁ-ବିସର୍ଗ ବି ଉଲ୍ଲେଖ କରିପାରିଲା ନାହିଁ । ଏକବାରେ କଥାଟା ବାହାର ନକଲେ ଭବିଷ୍ୟତରେ ବିପଦର ସମ୍ଭାବନା ଭାବି, ଅବାନ୍ତର ନାନା କଥାବାର୍ତ୍ତା ପରେ ଧୀରେ କହିଲା—“ଧରଣୀ ସବୁ କଥା ଖୋଲାଖୋଲି ଭାବେ ନ ଜଣାଇ ଭଲ କଲା ନାହିଁ ।”

 

ବାପୁରାମ ଆଶ୍ଚର୍ଯ୍ୟ ହୋଇ ଉଠେଇ ପଚାରିଲେ—“କେମିତି ?”

 

—“ଜାଣନ୍ତି ତ, ଆମ କୁଳରେ ଆଜିଯାଏଁ ଟିକିଏ ବି ଏପାଖ ସେପାଖ ହେଇନାହିଁ । ଏଇ ସମ୍ବନ୍ଧରେ କୁଳଗୌରବ ନଷ୍ଟ ହେବ ବୋଲି ଗାଁରେ ଜ୍ଞାତିଗୋତ୍ରମାନେ ଭୟ କରୁଛନ୍ତି ।”

 

—“ବାପାଙ୍କର ତାହାହେଲେ ଏଇ ବାହାଘରେ ମତ ନାହିଁ ।” ହୁକ୍‌କାରୁ ସଡ଼ ସଡ଼ କରି ଦୁଇଟାଣ ଟାଣି ଚିନ୍ତିତ ହୋଇ କହିଲେ—“ସମ୍ବନ୍ଧ ତେବେ ଭାଙ୍ଗିବାକୁ ପଡ଼ିବ !”

 

ବାପୁରାମ ଆର୍ଥିକ ଅବସ୍ଥାର ଆଭାସ ପାଇ ବାହାଘରଟା କେମିତି ଭଲରେ ଭଲରେ ମନୋହର ସେଇକଥା ମନରେ ପାଞ୍ଚୁଥିଲା । ହେବାକୁ ଥିବା ବାହାଘରତ ନିଜର ମୂର୍ଖାମୀ ତଥା ଅସତର୍କତା ଯୋଗୁଁ ଏବେ କଳେ ଭାଙ୍ଗି ଯିବ ସେଥିପାଇଁ ମନୋହର ଚଟ୍‌କିନା ଉତ୍ତର ଦେଲା–‘‘ହବା ବାହାଘର ପୁଣି ଭାଙ୍ଗିବ କାହିଁକି ? ଆମ ପରିବାରରେ ବାପା ହେଉଛନ୍ତି ମୁଖିଆ । ସେ ଯାହା କହିବେ, ତା ହବ । ବାପାଙ୍କୁ ବୁଝେଇ-ସୁଝେଇ ମନେଇବାକୁ କେତେ ମାତର !’’

 

ଆଗରୁ ଆଗପଛ ଭାବିଚିନ୍ତି ବାପୁରାମ ନିଜେ ହିଁ ବାହାଘରର ବ୍ୟବସ୍ଥା କରିଛନ୍ତି । କୌଣସିମତେ ସେ ବାହାଘର ଭାଙ୍ଗିବେ ନାହିଁ । ତଥାପି ମନୋହରର ମନ ବୁଝିବାକୁ ସେ କହିଲେ–“ଯଦି କୌଣସିମତେ ଏକଘରକିଆ କରନ୍ତି ?”

 

—“ଓ, ସେ କଥା ? ବାପା ଅଛନ୍ତି ମାନେ ଚିନ୍ତା କରିବାର ନାହିଁ ।” ଟିକିଏ ରହିଯାଇ ବାପୁରାମଙ୍କ ଚିନ୍ତାଗ୍ରସ୍ତ ମୁହଁକୁ ଚାହିଁ ମନୋହର ପୁଣି କହିଲା—“ଆପଣଙ୍କ ଝିଅ ବଂଶ-ଗୌରବ ଥିବା ଘରକୁ ଯିବ । ଈଶ୍ୱରଙ୍କ କୃପାରୁ ଧରଣୀର ଅନ୍ନସଂସ୍ଥାନର ଅଭାବ ନାହିଁ । ଝିଅ ଯେ ଦୁଃଖ ପାଇବ, ସେ କଥା ଭାବନ୍ତୁ ନାହିଁ ।”

 

ମନୋହରର କଥାରୁ ବାପୁରାମ ଭଲଭାବରେ ବୁଝିପାରିଲେ ଯେ, ସୁନନ୍ଦକୁ ସନ୍ତୁଷ୍ଟ କରିପାରିଲେ ଝିଅର ଭବିଷ୍ୟତ ମଙ୍ଗଳ । ସୁନନ୍ଦକୁ ମର୍ଯ୍ୟାଦା ରୂପରେ ଝିଅ ହାତରେ ଟଙ୍କା କୋଡ଼ିଏ ଆଉ ଧୋତି ଯୋଡ଼ାଟାଏ ଦବାକୁ ବାପୁରାମ ମନେ ମନେ ଠିକ୍‌ କଲେ ।

 

ବସାକୁ ଫେରିବାକୁ ଉଥିବାରୁ, ମୁହଁ ହାତ ଧୋଇବା ପାଇଁ ମନୋହରକୁ ଭିତରକୁ ଡାକିନେଲେ । ରଙ୍ଗିନ-ଚଟେଇରେ ବସି, ବସା-ଦହି-ଚୂଡ଼ାର ଜଳଖିଆଟେ ଉଦରସ୍ଥ କରି, କଂସାଲୋଟାରେ ମୁହଁ ଧୋଇ, ଫୁଲାମ-ଗାମୁଛାରେ ମୁହଁ ପୋଛି, କଳେ ଗୁଆ ପାଟିରେ ଜାକି ମନୋହର ବାହାରକୁ ବାହାରିଲା । ବର-ଘରର ପ୍ରାପ୍ୟ ସମସ୍ତ ମାନ, ସତ୍କାର ପାଇ ଆନନ୍ଦ ମନରେ ମନୋହର, ବାପୁରାମଙ୍କଠାରୁ ବିଦାୟ ନେଲା ।

 

ବାଟରେ ମନୋହର ଭାବିଲା—‘ଏଡ଼େ ସମ୍ଭ୍ରାନ୍ତ ଘରର ଝିଅକୁ ଯେ ପାଇଛି, ତାହା ଧରଣୀର କପାଳ । ଏଭଳି ସମ୍ବନ୍ଧଟା ପୁଣି ଭଙ୍ଗାଯାଆନ୍ତା କେଉଁ ଗରଜରେ ?”

 

ଚାରି

 

ବାହାଘର ପରେ, ବୋହୂ ଘରକୁ ଯିବା ପାଇଁ ପ୍ରାୟ ସମସ୍ତ ବନ୍ଦୋବସ୍ତ ଧରଣୀ କରିରଖିଥିଲା । ମନୋହରର ସହଯୋଗରେ ତାହା ପକ୍‌କା ହେଲା । ବାହାଘର ପରେ ମରଙ୍ଗି ଗାଁରେ ଝିଅବୋହୂଙ୍କ ଗହଣରେ ତନ୍ତବୁଣା ଶିଖାଇବା କଷ୍ଟ ହବ ଭାବି, ଧରଣୀ ବିନା ବେତନରେ ତିନିମାସ ଛୁଟି ବୋର୍ଡରୁ ମଞ୍ଜୁର କରାଇନେଲା । ବରକନ୍ୟା ବାହା ବାସି ଦିନ ଘରକୁ ଯାତ୍ରା କରିବେ ବୋଲି ଧରଣୀ ମନୋହରର ବାପାଙ୍କ ନିକଟକୁ ଟେଲିଗ୍ରାମ କରି ଜଣାଇଦେଲା ।

 

ଝିଅକୁ ବିଦାକରି ଦେଇ, ଘର ଛାଡ଼ି, ବାପୁରାମ ବରା କିଛିଦିନ ପାଇଁ ଦେଶାନ୍ତରୀ ହେବାକୁ ମନସ୍ଥ କଲେ । ଯେଉଁ ଝିଅକୁ ପିଲାଟିଦିନରୁ ନିଜ ହାତରେ ଲେଖାପଢ଼ା ଶିଖେଇ ଶାସ୍ତ୍ରଜ୍ଞାନ ଦେଲେ, ସେଇ ଝିଅ ଯେତେବେଳେ ଧର୍ମ, ସମାଜ, ଦେଶାଚାର, ସବୁକିଛିକୁ ପଛରେ ପକାଇ ଅଜ୍ଞାତକୁଳଶୀଳ ଯୁବକ ଜଣକ ସହିତ ଗୋପନପ୍ରଣୟରେ ଆବଦ୍ଧ ହେଲା—ସେପରି ସ୍ଥଳେ ବାପୁରାମଙ୍କ ଘର-ସଂସାର ପ୍ରତି ବିତୃଷ୍ଣା ଜନ୍ମିବା ସ୍ଵାଭାବିକ । ବାପୁରାମ ବୁଝିଲେ, ଝିଅର ଅନ୍ତର ଯୁଗଯୁଗାନ୍ତରର ସଂସ୍କାରଗତ ପଙ୍କିଳତାରେ ପରିପୂର୍ଣ୍ଣ; ଯୌନ-ସମ୍ଭୋଗର ଇଚ୍ଛା ହିଁ ସେମାନଙ୍କର ପ୍ରଧାନ କାମ୍ୟ । ଧର୍ମ, ଶିକ୍ଷା, ଶାସ୍ତ୍ରଚର୍ଚ୍ଚା କ୍ଷଣିକ ପାଇଁ ସେଇ ପ୍ରବଳ ଇଚ୍ଛାରେ ବାଧା ସୃଷ୍ଟି କରିଥାଏ । ସଂସାର ତଥା ସନ୍ତାନଠାରୁ ଚିରଦିନ ସକାଶେ ସମ୍ବନ୍ଧ ଛେଦନ ମନସ୍ଥ କରି ଘରର ଯାହାକିଛି ଆସବାବ ଝିଅ ସହିତ ଦିଆଯାଇପାରେ ବୋଲି ମନେ ମନେ ନିଷ୍ପତ୍ତି କଲେ; ନିଜେ ସେଇସବୁ ବାନ୍ଧିଛନ୍ଦି, ବାକ୍‌ସରେ ଭର୍ତ୍ତିକରି ବାହାର ଖଞ୍ଜାରେ ରଖାଇଲେ ।

 

ବାହା ବାସି ଦିନ, ଦି’ପହରିଆ, ନୂଆବୋହୂକୁ ନେଇ ଧରଣୀ ହେରିକା ‘ରହା’ ଷ୍ଟେସନରେ ପହଞ୍ଚିଲେ । ପୁତୁରାଠାରୁ ପାଇଥିବା ତାର-ସମ୍ବାଦରୁ ସୁନନ୍ଦ ଯଥା-ସମୟରେ ଜାଣିଥିଲା ଯେ ବରକନ୍ୟା ଆସୁଛନ୍ତି । କିନ୍ତୁ ଷ୍ଟେସନରୁ ନୂଆବୋହୂକୁ ଆଣିବା ସକାଶେ ଶଗଡ଼ଗାଡ଼ି ଖଣ୍ଡେ ବି ବନ୍ଦୋବସ୍ତ କଲା ନାହିଁ ସୁନନ୍ଦ; ବରଂ ଜାତିଭ୍ରଷ୍ଟ ଲୋକଟା, ସହିତ ପୁଅ ଆସୁଛି ଶୁଣି ମୁଣ୍ଡକୁ ତାର ପିତ୍ତ ଉଠିଲା । ପୁଅ ଆସି ପହଞ୍ଚିଲେ ଭଲକରି ପାନେ ଦବ ବୋଲି ପରିବାର ଆତ୍ମୀୟ-ସ୍ଵଜନମାନଙ୍କ ଆଗରେ ପାଟିତୁଣ୍ଡ କରୁଥିଲା ।

 

ଧରଣୀର ମା’ ଖବର ପାଇ ୟାକୁ ତାକୁ ଖୋସାମଦ୍‍ ବରାମଦ୍‍ କରି ଭେବେଲାର ଶଗଡ଼ ଗାଡ଼ିଟିକୁ ସକାଳୁ ସକାଳୁ ଷ୍ଟେସନକୁ ପଠାଇଲା । ନୂଆବୋହୁକୁ ନେଇ ‘ହୋମଘର’ ପାଇଁ ପୁଅ ଯେ ଘରକୁ ଆସୁଛି—ଏଇ କଥା ହିଁ ମା’ର ଅନ୍ତରର ଦୁଃଖ, କ୍ଷୋଭ ତଥା ଅଭିମାନର ବୋଝଟିକୁ ବେଶ୍‌ ଭଲଭାବେ ଲଘୁ କରିଦେଲା । ସହଜ-ସରଳ-ମାତୃସ୍ନେହ ଧରଣୀ-ମା’ର ଅନ୍ତରକୁ ପଖାଳି ପକେଇଲା । ଧରଣୀର ବାପ ଆଜି ବଞ୍ଚିଥିଲେ କେତେ ଉତ୍ସବ, ଆନନ୍ଦ, ରଙ୍ଗ-ରହସ୍ୟ ହୋଇଥାନ୍ତା—ସେଇ କଥାକୁ ଭାବି ଆହିନୀ ଦୁଃଖ କରୁଛି । ପୁଅ-ବୋହୂ ଆସୁଥିବାର ଖବର ପାଇ ସକାଳପହରୁ ଆହିନୀର ଦେହ ସ୍ଥିର ରହୁ ନାହିଁ । ବେଳେ ବେଳେ ପୁଅ ଉପରେ ରାଗ, ଅଭିମାନ କରି କାନ୍ଦୁଛି; କେତେବେଳେ ଆନନ୍ଦରେ ଘରଟିକୁ ଲିପିପୋଛି ସଫା କରୁଛି । ଶୋଇବାଘରର ତନ୍ତଶାଳଟିକୁ ଉଠେଇ ବାହାରେ ରଖାଇ ପୁଅ-ବୋହୂଙ୍କର ଶୋଇବାଘରର ଯତ୍ନ କରୁଛି । ଘର ସମ୍ମୁଖର ବାଟଟି ଚଞ୍ଚେଇ ବାଟମୁହଁରେ କଦଳୀ-ପୁଆ ଦି’ଟା ରୁଆ କରେଇଛି । ହରିରାମ ହାତରେ ବୁଢ଼ା-ତାମ୍ବୂଳର ଗାତଟି ଖୋଳେଇ ପଣେ ଖଣ୍ଡେ ଗୁଆ ବାହାର କରାଇଛି । “ତୁ ବି ବିଡ଼ା କେତେ ନବୁ” ବୋଲି କହି ପିତିକରି ପୁଅ ହାତରେ ବାଡ଼ିର ପାନ କେଇ ଗଛ ପରାଇଛି । ପୂର୍ବଦିନ, ଭେକୋଲା ହାତରେ ଟଙ୍କାଏ ଦେଇ ହାଟରୁ ପାଚିଲା କଦଳୀ, ଚାହା, ଚିନି, ଲୁଣ, ତେଲ ସାଜେ ଅଣାଇଛି । କିଛିଦିନ ପାଇଁ ଛେଳି ଦୁଧ ପାଏ ଲେଖାଏ ଦେବା ପାଇଁ କେହାମା’କୁ କହିରଖିଛି । ଦୁଧ ବାବଦକୁ ଆଗତୁରା କରି ପୁଡ଼ାଏ ଧାନ ଦେଇଦେଇଛି ।

 

ପୁଅ-ବୋହୂ, ଆସି ପହଞ୍ଚିଲେ ସେମାନଙ୍କୁ ଆଦରି ନେଇ ବାଟବରଣ କରିବାକୁ ସାଇପଡ଼ିଶା, ଆତ୍ମୀୟ ସ୍ଵଜନଙ୍କୁ ଡାକିବ ନଡାକିବ ଭାବି ଠିକ୍‌ କରି ନପାରି, ଆହିନୀ ବିବୁଦ୍ଧି ହୋଇପଡ଼ିଛି । ପୁଅ ଜଣେ ଆହୋମଣୀକୁ ଧରି ପଳାଇଆସିଛି ବୋଲି ପଡ଼ୋଶୀ କେଇଜଣ ଆସି ଆହିନୀକୁ ଥଟ୍ଟା ପରିହାସ କଲେଣି । ହୁଏତ ବୋହୂକୁ ଆଦରି ଆଣିବା କଥା କହିଲେ ଆହୁରି ଦୁଇପଦ ଶୁଣିବାକୁ ପଡ଼ିପାରେ ! ଏପାଖରେ କିନ୍ତୁ ପଦେ ଡାକି ନ ଦେଲେ ଖୁଣ୍ଟାଦେବେ ତ । ସେତେବେଳେ କହିବେ—‘‘ଇସ୍‌, ଦେଖୁଛ ନା ତା କଥା ! ବୋହୂର ଯୌତୁକ ଧନସମ୍ପତ୍ତିରୁ ଭାଗେ ଦବାକୁ ପଡ଼ିବ ଭୟରେ ଆମକୁ ପଦେହେଲେ କହିଲା ନାହିଁ ।”

 

ମାଲପତ୍ର ସହ ନୂଆବୋହୂକୁ ଗାଡ଼ିରେ ଚଢ଼େଇଦେଇ ଭାଇଙ୍କୁ ଗାଡ଼ି ସାଙ୍ଗରେ ଆସିବାକୁ ନିର୍ଦ୍ଦେଶ ଦେଇ ମନୋହର ଆଗତୁରା ଖବରଟା ଦେବାପାଇଁ ବେଗି ବେଗି ଧରିଲା । ମନୋହର ଗାଁରେ ପଶି ବରକନ୍ୟା ଆସିବାର ଖବରଟା ନ ଦଉଣୁ ଗାଁର ବୋହୂ, ଝିଏ ଧରଣୀ ଘରେ ଆସି ରୁଣ୍ଡ ହେଲେଣି । ଆହିନୀର ନିମନ୍ତ୍ରଣକୁ ଅପେକ୍ଷା ନରଖି ସାଇପଡ଼ିଶାଏ ଆସି ବରକନ୍ୟାଙ୍କୁ ଆଦର ଅଭ୍ୟର୍ଥନା କରିବାକୁ ଯୋଗାଡ଼-ଯନ୍ତ୍ର କଲେଣି । ଆନନ୍ଦ-ଉତ୍ସବ ମୁହୂର୍ତ୍ତରେ ଧରଣୀର ଜାତି-ଭ୍ରଷ୍ଟ୍ର, ବଂଶ-ନଷ୍ଟ କଥା ସମସ୍ତେ ପାଶୋରି ପକାଇଲେ । ଦୂରରୁ ଧରଣୀର ଗାଡ଼ି ଦେଖି ଛୋଟ ଛୋଟ ପୁଅଝିଅମାନେ ହଲ୍ଲାଗୁଲ୍ଲା କରି ପାଖକୁ ଦୌଡ଼ିଲେ । ଗାଡ଼ିର ପଛପାଖର କନା ପରଦାର କାନିଏ ଟେକି ନୂଆବୋହୂକୁ ଦେଖିବାକୁ ଠେଲାପେଲା ଲଗାଇଲେ । ଲାଜରେ ମୁଣ୍ଡ ତଳକୁ କରି, ଟଗର ଓଢ଼ଣୀକୁ ଲମ୍ବେଇ ଦେଇ ଦେବ ମୁଣ୍ଡ ସର୍ବାଙ୍ଗ ଢାଙ୍କିପକାଇଲା । ତାହା ଦେଖି ପିଲାଏ ହୈ-ଚୌ ଭାବରେ ହାସ-ପରିହାସ କରି ଚାରିପାଖ ହୁଲସ୍ତୁଲ କରିପକେଇଲେ । ତା ଭିତରୁ ଜଣେ ମୁଣ୍ଡଟାକୁ ଗାଡ଼ିର କନା ପରଦା ଆଡ଼େଇ ଭର୍ତ୍ତି କରି ଚିତ୍କାର କଲା,—‘‘ଆସ, ଆସ, ଦେଖିବ ଆସ, ଧରଣୀ ଜଣେ ଲାଜ-କୁମାରୀକୁ ଆଣିଛି ।’’ କଥା ଶୁଣି ସାଥୀ ପିଲାଏ ଠୋ-ଠୋ କରି ହସିଉଠିଲେ ।

 

ଆଉ ଜଣେ ଆଗପିଲାକୁ ଠେଲିଦେଇ, ଘୁଞ୍ଚାଇ, ନିଜ ମୁଣ୍ଡକୁ ଗାଡ଼ିରେ ଉର୍ତ୍ତିକରି କହିଲା–‘‘ନୁହେଁବେ, ଧମଣୀ ଜଣେ ନା କଣ । ସେଇଥିପାଇଁ ସିନା ଲାଜଟା ବେଶି !’’ କଥା ପଦକ ଶୁଣି ଲାଜରେ ପ୍ରାୟ ମୂର୍ଚ୍ଛାଗଲା ଟଗର ।

 

କେତେପିଲା ଗାଡ଼ିରୁ ମୁଠାଏ ପୁଆଳ ଭିଡ଼ିଆଣି ମୁଣ୍ଡରେ ପାଗ ବାନ୍ଧିଲା ପରି ବାନ୍ଧି ଜଣେ ସାଥୀଛୁଆକୁ ଆଦେଶ ସ୍ଵରରେ କହିଲେ—‘‘ହେ ଛୁଆ, ପରଦାଟାକୁ ଟେକି ଧରିଲୁ—ଆମେ ବିହୁ-ନାଚ ଖଣ୍ଡେ ଦେଖାଉଁ; ମୁଣ୍ଡ ଟେକି ଚାହୁଁଛି ନା ନାହିଁ ପରୀକ୍ଷା କରିବା ।’’

 

ଛୁଆଟି ପରଦାକନାକୁ ଯେତେ ଟେକାଯାଇପାରେ ଟେକିଧରିଲା । ସାଥୀମାନେ ନାଚି ନାଚି ଗୀତ ଯୋଡ଼ିଲେ—

 

ହାତକୁ ଚାହିଁବ କିସ ହାତୀର ତ ଶୁଣ୍ଢଟାଏ

ପାଦକୁ ଚାହିଁ କି ଲାଭ,

ମୁହଁକୁ ଚାହିଁବ କିସ ସତେ କି ଖଣ୍ଡେ ଝୁଲାଦର୍ପଣ

ଅଣ୍ଟାରେ ବୀଣାର ଫାଶ ।

 

ଖାଇ ଫୋପାଡ଼ିଲେ ମହୁଫେଣାକୁ

ମଧୁବନରେ ଲାଗିଲେ ପୋକେ

ଦୂର ବାଟକୁ ଦବନି ବାପା

ବାଟରେ ଧରି ଥଟିବେ ଲୋକେ ।

 

ବହୁ ନାମ ଗାଇ, ଅଣ୍ଟା ହଲେଇ ନାଚି ନାଚି ପିଲାଏ ଗାଡ଼ିର ପିଛା ଧରିଲେ ।

 

ପିଲାଙ୍କ ରଙ୍ଗ ରହସ୍ୟରେ ଟଗରର ଆଖିରୁ ଲୁହଧାର ବାଧା ମାନିଲା ନାହିଁ । ଯେତେଟା ପାରାଯାଏ ସଂଯତ ଭାବରେ ଦେହ ମୁଣ୍ଡ ଢାଙ୍କି ଲୁଗା ପଣତ ଟାଣି ଧରିଥିବାରୁ ନିଶ୍ୱାସ ନେବାରେ ବାଧାହେଲା । ମାର୍ଗଶିର ମାସରେ ବି ଦେହରୁ ଗମ୍‌ ଗମ୍‌ ଝାଳ ବୋହିବାକୁ ଲାଗିଲା । ଅନନ୍ୟୋପାୟ ହୋଇ ଅଗତ୍ୟା ବିଚାରି ମୁଣ୍ଡର ଓଢ଼ଣାକୁ ଖସେଇବାକୁ ହାତ ହଲଚଲ ନକରୁଣ ଛୁଆଟାଏ ପାଟି କଲା—‘‘ହେଇ ହେଇ, ଦେଖ ଦେଖ, କନ୍ୟା ଓଢ଼ଣୀ ଟେକିଛି ।’’ ନାଚ ଛାଡ଼ି କିଳିକିଳା ନାଦରେ ସବୁ ପିଲାଏ ଗାଡ଼ିର ପଛକୁ ଆସି ଘେରିଗଲେ । ଦୁଃଖ, ଅପମାନ ତଥା କାନ୍ଦଣାରେ ଟଗର ଦେହର ଅର୍ଦ୍ଧାଂଶ ଚେତନାଶୂନ୍ୟ ହେଲା ।

 

ଦେଖୁ ଦେଖୁ ଗାଡ଼ି ଆସି ଧରଣୀଘର ବାଟମୁହଁରେ ପହଂଚିଲା । ବାଟମୁହଁରେ କଦଳୀପୁଆ ପୋତାହୋଇ ଆମ୍ବତୋରଣ ଦିଆହୋଇଛି । କଦଳୀପୁଆ ମୂଳରେ ପିଢ଼ା, କଂସାର କଳସରେ କଳସେ ପାଣି ଏବଂ ପିତଳର ସୁରେଇଟାଏ ଥୁଆ ହେଇଚି । ବାଟ ମୁହଁର ଭିତର ପାଖରେ ସ୍ତ୍ରୀଲୋକମାନେ ଠୁଳ ହେଇ ଉତ୍କଣ୍ଠିତ ଭାବରେ ବାଟକୁ ଚାହିଁଛନ୍ତି । ବାଟରେ ପିଲାଏ ଯେଉଁ ରଙ୍ଗରହସ୍ୟ କଲେ ତାହା ଦେଶାଚାର ବୋଲି ଧରଣୀସହ୍ୟ କରିନେଲା । ଭାବିଥିଲା ଘରେ ପହଂଚିଲେ ସେ ସବୁର ଅନ୍ତ ହେବ, କିନ୍ତୁ ଘରେ ବି ସେଇ ଅବସ୍ଥା । ଏଇ ମଙ୍ଗଳ ଅନୁଷ୍ଠାନର ପଛରେ କେତେ ସେ ଅମଙ୍ଗଳ ବାକ୍‌ବିତଣ୍ଡା ସୃଷ୍ଟି ହେବ ସେଇ କଥା ଭାବି ଧରଣୀକୁ ଅଡ଼ୁଆ ଅଡଆ ଲାଗିଲା । କୌଣସିମତେ ଏଇ ଅନୁଷ୍ଠାନର ଯନ୍ତ୍ରଣାରୁ କେମିତି ମୁକୁଳିବ ସେ ପାଇଁ ଧରଣୀ ପିଢ଼ାକୁ କଡ଼େଇ ବାଟମୁହଁ ଭିତରକୁ ଗୋଡ଼ ବଢ଼ାଇଲା । ଠୁଳ ହୋଇଥିବା ସ୍ତ୍ରୀଲୋକଙ୍କ ଭିତରୁ ଧରଣୀର ପିଉସୀ ଜଣେଏହା ଦେଖି ଚିତ୍କାର କରି ବାଧାଦେଇ କହିଲେ—‘‘ଆରେ...ରେ ବାପା, ୟେ କଣ କରୁଛୁ ? ଟିକିଏ ହେଲେ ପିଢ଼ାରେ ଠିଆ ହ । ବାହାଘରଟା ଯେମିତି କଲୁ, କଲୁ ଦେଖୁ ଦେଖୁ ଗାଡ଼ି ଆସି ଧରଣୀଘର ବାଟମୁହଁରେ ପହଂଚିଲା । ବାଟମୁହଁରେ କଦଳୀପୁଆ ପୋତାହୋଇ ଆମ୍ବତୋରଣ ଦିଆହୋଇଛି । କଦଳୀପୁଆ ମୂଳରେ ପିଢ଼ା, କଂସାର କଳସରେ କଳସେ ପାଣି ଏବଂ ପିତଳର ସୁରେଇଟାଏ ଥୁଆ ହେଇଚି । ବାଟ ମୁହଁର ଭିତର ପାଖରେ ସ୍ତ୍ରୀଲୋକମାନେ ଠୁଳ ହେଇ ଉତ୍କଣ୍ଠିତ ଭାବରେ ବାଟକୁ ଚାହିଁଛନ୍ତି । ବାଟରେ ପିଲାଏ ଯେଉଁ ରଙ୍ଗରହସ୍ୟ କଲେ ତାହା ଦେଶାଚାର ବୋଲି ଧରଣୀସହ୍ୟ କରିନେଲା । ଭାବିଥିଲା ଘରେ ପହଂଚିଲେ ସେ ସବୁର ଅନ୍ତ ହେବ, କିନ୍ତୁ ଘରେ ବି ସେଇ ଅବସ୍ଥା । ଏଇ ମଙ୍ଗଳ ଅନୁଷ୍ଠାନର ପଛରେ କେତେ ସେ ଅମଙ୍ଗଳ ବାକ୍‌ବିତଣ୍ଡା ସୃଷ୍ଟି ହେବ ସେଇ କଥା ଭାବି ଧରଣୀକୁ ଅଡ଼ୁଆ ଅଡଆ ଲାଗିଲା । କୌଣସିମତେ ଏଇ ଅନୁଷ୍ଠାନର ଯନ୍ତ୍ରଣାରୁ କେମିତି ମୁକୁଳିବ ସେ ପାଇଁ ଧରଣୀ ପିଢ଼ାକୁ କଡ଼େଇ ବାଟମୁହଁ ଭିତରକୁ ଗୋଡ଼ ବଢ଼ାଇଲା । ଠୁଳ ହୋଇଥିବା ସ୍ତ୍ରୀଲୋକଙ୍କ ଭିତରୁ ଧରଣୀର ପିଉସୀ ଜଣେଏହା ଦେଖି ଚିତ୍କାର କରି ବାଧାଦେଇ କହିଲେ–‘‘ଆରେ...ରେ ବାପା, ୟେ କଣ କରୁଛୁ ? ଟିକିଏ ହେଲେ ପିଢ଼ାରେ ଠିଆ ହ । ବାହାଘରଟା ଯେମିତି କଲୁ, କଲୁବୋହୂଟାକୁ ଘରେ ପୂରେଇବାକୁ ଦେଶାଚାର ଟିକିଏ ମାନ ଭଲା ।’’ ଧରଣୀ ବ୍ୟସ୍ତ ବିବ୍ରତ ହୋଇ ମୁହଁପୋତି ଅଗତ୍ୟା ପିଢ଼ା ଉପରେ ଠିଆହେଲା-। ପିଉସୀ ଜଣକ ଠୁଳିଭୂତ ଆଳାପବ୍ୟସ୍ତା ଯୁବତୀ ଝିଅମାନଙ୍କୁ ଚାହିଁ କହିଲେ–‘‘ଆଲୋ, ଏଗୁଡ଼ାକ କେତେ ଗପୁଛନ୍ତି ଲୋ ! ବୋହୂ, ଆସି ଠିଆହେଲାଣି, ଟିକିଏ ପାଖକୁ ଯାଇପାରୁନ-? ଗଲ ଗଲ, ବୋହୂକୁ ଆଣି କଦଳୀ ଗଛତଳେ ଠିଆକରାଅ ।’’ବୋହୂଟାକୁ ଘରେ ପୂରେଇବାକୁ ଦେଶାଚାର ଟିକିଏ ମାନ ଭଲା ।’’ ଧରଣୀ ବ୍ୟସ୍ତ ବିବ୍ରତ ହୋଇ ମୁହଁପୋତି ଅଗତ୍ୟା ପିଢ଼ା ଉପରେ ଠିଆହେଲା । ପିଉସୀ ଜଣକ ଠୁଳିଭୂତ ଆଳାପବ୍ୟସ୍ତା ଯୁବତୀ ଝିଅମାନଙ୍କୁ ଚାହିଁ କହିଲେ–‘‘ଆଲୋ, ଏଗୁଡ଼ାକ କେତେ ଗପୁଛନ୍ତି ଲୋ ! ବୋହୂ, ଆସି ଠିଆହେଲାଣି, ଟିକିଏ ପାଖକୁ ଯାଇପାରୁନ ? ଗଲ ଗଲ, ବୋହୂକୁ ଆଣି କଦଳୀ ଗଛତଳେ ଠିଆକରାଅ ।’’

 

ପିଉସୀଙ୍କ କଥା ଶେଷ ନ ହେଉଣୁ, ତିନିଜଣ ହବ ଝିଅ ଦଉଡ଼ି-ଧପଡ଼ି ଟଗରକୁ ଗାଡ଼ିରୁ ତଳକୁ ଓହ୍ଲାଇଲେ । ଦେହର ଲୁଗାପଟାକୁ ଟାଣିଟୁଣି ଠିକ୍‌ଠାକ୍‌ କରିଦେଲେ । ଓଢ଼ଣୀକୁ ଲମ୍ବା କରି ଲମ୍ବେଇ ଦେଇ ଝିଅମାନେ ଟଗରକୁ ଧରାଧରି କରି ଆଣି ଧରଣୀର ବାଁପାଖରେ ଠିଆ କରାଇଲେ-। ଆୟତୀମାନେ ‘ନାମ’ ଗାଇ ହୁଳିହୁଳି ପକାଇଲେ । ପିଉସୀ ଜଣକ ପଛକୁ ଚାହିଁ ଚିତ୍କାର କଲେ–‘‘ଆଲୋ ହେ ଭଣ୍ଡାରୁଣୀ, ଦୀପ ସଳିତା ଥାଳିଆ ଖଣ୍ଡ ଆଣୁନୁ କାହିଁକି ବା !’’ ଭଣ୍ଡାରୁଣୀ ଦୀପ-ଡାଲାଟାକୁ ନେଇ ପାଖକୁ ଗଲା । ବରକନ୍ୟାଙ୍କ ଆଗରେ, ପିଉସୀ ଜଣକ ଦୀପକୁ ତିନିଥର ବୁଲେଇଲେ । ଭଣ୍ଡାରୁଣୀ ବରକନ୍ୟାଙ୍କ ପାଦରେ ପାଣି ଢାଳି ଧୋଇଦେଲା । ଧରଣୀ ପକେଟରୁ ଅଣୀଟିଏ କାଢ଼ି ସରେଇରେ ପକେଇବାରୁ ଠନ୍ କଲା । ଆୟତୀମାନେ ହୁଳହୁଳି ଧ୍ୱନିରେ ପରିବେଶକୁ କମ୍ପେଇ କମ୍ପେଇ ବରକନ୍ୟାଙ୍କୁ ଭିତରକୁ ନେଇଗଲେ ।

 

ସାରା ଅନୁଷ୍ଠାନଟିରେ ଧରଣୀ-ମା’କୁ କେହି ହେଲେ କିଛି କରିବାକୁ ଅବସର ଦେଲେନାହିଁ । ମାଉସୀ ପିଉସୀମାନେ ବେଶ୍‌ ତତ୍‌ପରତାର ସହିତ ଆପେ ଆପେ ଲାଗିପଡ଼ି ସବୁକାମ ଉଠେଇନେଲେ । ବରକନ୍ୟା ଏମାନଙ୍କୁ ପ୍ରଣାମ କରିବା ସମୟରେ ମା’ର ଚିନ୍ତା ଆସିଲା-। ପୁଅ-ବୋହୂଙ୍କୁ ଟଙ୍କାଏ ‘ଭେଟି’ ଦେଇ, ଆଖିରୁ ଲୁହ ପୋଛି ଆଶୀର୍ବାଦ କରି କାହାକୁ କିପରି ମାନ୍ୟ କରିବାକୁ ହେବ ସେୟା ଯତ୍ନ କରିବାକୁ ଲାଗିଲା । ବୋହୂର ହାତ ଧରି ଗୋଟିଏ ପାଖକୁ ଟାଣିନେଇ କହିଲା—‘‘ଇଏ ତୋର ପିଉସୀ ।’’ ଓଢ଼ଣୀ ଭିତରେ ମୁହଁ ଆଖି ଢାଙ୍କି ହୋଇଥିବାରୁ ଶାଶୁଙ୍କର ନିର୍ଦ୍ଦେଶର ଅନୁମାନରେ, ଟଗର ଆଣ୍ଠୁମାଡ଼ି ପ୍ରଣାମ କଲା । କେହି ଜଣେ ଆସି ଆଗରେ ମାନ-ଧରା ବଟାଟା ଧଇଲା । ପିଉସୀଙ୍କୁ ପ୍ରଣାମ କରି ଠିଆହୋଇଛି ମାତ୍ର, ପୁଣି ନିର୍ଦ୍ଦେଶ ମିଳିଲା–‘‘ଇଏ ସମ୍ବନ୍ଧରେ ଧରଣୀର ବଡ଼ଖୁଡ଼ୀ ।’’ ସ୍ତ୍ରୀଲୋକ ଜଣକ ଦୂର ସମ୍ପର୍କରେ ଧରଣୀର ଖୁଡ଼ୀ ହୁଅନ୍ତି । ଧରଣୀ ନୂଆବୋହୂଠୁ ସେ ଯେ ମାନ୍ୟ ପାଇପାରେ ଏଇକଥା ତାଙ୍କର ସ୍ଵପ୍ନରେ ସୁଦ୍ଧା ଅଗୋଚର ଥିଲା । ନୂଆବୋହୂ,ଆଣ୍ଠୁମାଡ଼ି ବସୁଣୁନବସୁଣୁ ବଡ଼ଖୁଡ଼ୀ ତା ମୁଣ୍ଡରେ ହାତ ଥୋଇ କହିଲେ—‘‘ଉଠ୍‌ ମା ଉଠ୍‌।ମତେ ଗୋଟାଏମାନ୍ୟକରୁଚୁ ବା ! ତମମାନଙ୍କର ମଙ୍ଗଳହେଉ-।’’

 

ଏପଟେ ସେପଟେ ଚାହିଁ, ଅଳ୍ପଦୂରରେ ଆଉ ଜଣେ ସମ୍ପକୀୟା ଖୁଡ଼ୀଙ୍କୁ ଦେଖି ଧରଣୀ-ମା’ ଅଭିଯୋଗ ସ୍ଵରରେ କହିଲା—‘‘ଆଲୋ ଦୂରେଇ ଦୂରେଇ ରହିଛୁ କ’ଣ ବା, ଆସୁନୁ ବୋହୂଟାକୁ ଆଶୀର୍ବାଦଟାଏ ଦବୁ ।’’ କଥାପଦକ କହି ବୋହୂର ହାତ ଧରି ଖୁଡ଼ୀ ପାଖକୁ ନବାକୁ ଟାଣୁଛି—ଟାଣୁଆ ମୁଗା-ମେଖେଳା ଚାଦର ପାଦରେ ଛନ୍ଦିହୋଇ ଟଗର ପାଦେ ବି ଆଗେଇ ପାରିବା ସମ୍ଭବ ହେଲା ନାହିଁ—ହାତ ବି ବାହାର କରି ଛନ୍ଦ ମୁକୁଳେଇବାକୁ ଉପାୟ ନାହିଁ । ହାତ ଧରି ଟାଣିନେଲେ ବି ବୋହୂ, ଆଗଉ ନଥିବା ଦେଖି ଶାଶୁଙ୍କର ଚଟ୍‌କରି ରାଗ ଚଢ଼ିଗଲା । ଜାତି ଗୋତ୍ର ଠିକ୍‌ ନଥିବା ଉଜାଣୀ-ଝିଅ ଜଣକୁ ବାହାହେଇ ପୁଅ ତ ଜ୍ଞାତି-କୁଟୁମ୍ବଙ୍କ ନାଁ ପକେଇଛି—ସେଥିରେ ଯଦି କେମିତି କରି କେହି ମାନ୍ୟଯୋଗ୍ୟା ମାନ୍ୟ ପାଇବାରେ ବାଦ୍‌ ପଡ଼ିଯାଆନ୍ତି ତାହେଲେ ବୋହୂର ଦୁର୍ନାମ ଗାଁଟାସାରା ପ୍ରଘଟ ହୋଇଯିବ । ଦ୍ଵିତୀୟଥର ପାଇଁ ଜୋର୍‌ରେ ଟାଣିବାସତ୍ତ୍ୱେ ଓ ଯେତେବେଳେ ବୋହୂ, ଆଗକୁ ନ ବଢ଼ିଲା, ଶାଶୁ ରାଗରେ ହାତଟାକୁ ଛିଞ୍ଚାଡ଼ି ଦେଇ ତମତମ ହେଇ କହିଲେ—‘‘ଆରେ, ଇଏତ କମ୍‌ ଗୋଆଁର ଗୋବିନ୍ଦ ନୁହେଁ, କି ଅଲକ୍ଷଣୀଟାଏ ଲୋ ମା; ଗୁରୁଜନ, ବଡ଼ମଣିଷ ଆଗରେ ମୁଣ୍ଡପାତି ଆଶୀର୍ବାଦଟାଏ ନବା ଛାଡ଼ି ୟାର ଦେଖୁଛି ବଡ଼ ଗଉଁ ।’’ ଶାଶୁଙ୍କ କଥା ଶୁଣି ଟଗର ଭୟେ ଭୟେ ପାଦେ ଦୁଇପାଦ କରି ଆଗକୁ ଚାଲିଲା । ବେଶୀ ଦୂରକୁ ଯିବାକୁ ପଡ଼ିଲାନାହିଁ । ଖୁଡ଼ୀ ଜଣକ ନିଜେ ଆଗକୁ ଆସି ବୋହୂର ମୁହଁରେ ହାତ ବୁଲେଇ ଚୁମା ଖାଇଲେ ।

 

ନୂଆବୋହୂଙ୍କ ମାନ୍ୟ-ପର୍ବ ଦି’ପହରିଆ ଗାଈମେଲିବା ସମୟକୁ ଗଡ଼ିଗଲା । ବେଳଉଣ୍ଡି ଜଣ ଜଣ କରି ଆୟତୀମାନେ ଘରକୁ ବାହୁଡ଼ିଲେ । ସମସ୍ତଙ୍କ ଘରେ ଚିରନ୍ତନ ଧରାବନ୍ଧା ଗାଡ଼ି ଗାଡ଼ି କାମ । ବିଧାତା-ପୁରୁଷ ସୃଷ୍ଟିର ଆବହମାନ କାଳରୁ ଅସମୀୟା-ନାରୀ ପାଇଁ ବିଧାନ କରିଦେଇଛନ୍ତି । ଅଗଣା ଖଡ଼କା, ପାଣିଅଣା, ଧାନସିଝା କାମର ଦିନକପାଇଁ ସୂତାଏ ଏପାଖ ସେପାଖ ହୋଇପାରେନା । ନୂଆବୋହୂକୁ ଦେଖିବା ଆଶା ସ୍ତ୍ରୀଲୋକମାନଙ୍କୁ ଘରୁଆ ଜଞ୍ଜାଳ ତଥା ଦୈନନ୍ଦିନ କାମକୁ ଏତେବେଳଯାଏଁ ପାଶୋରେଇ ଦେଇଥିଲା । ମୁହୂର୍ତ୍ତକ ଭିତରେ ନୂଆକୁ ପୁରୁଣା ଧାଡ଼ିକୁ ଟାଣିଆଣି ବାଛୁରୀହରା-ଗାଈ ପରି ସମସ୍ତେ ଛୁଆପିଲାଙ୍କୁ ଖୋଜି ଲୋଡ଼ି ନେଇ ନିଜ ନିଜ ଘରକୁ ବାହୁଡ଼ିଲେ ।

 

ପାଞ୍ଚ

 

ଦି’ପହରିଆ ଖିଆପିଆ ସାରି ନୂଆବୋହୂକୁ ଦେଖିବାକୁ ଯାଇ ଗପ ଯୋଡ଼ିବାରେ କେଟେହୁର ଘରଣୀ ପାଭୈର ବେଶ୍‌ ବିଳମ୍ବ ହୋଇଗଲା । ବେଳ ଗଡ଼ିଲାବେଳକୁ ତରବରରେ ରାତିରନ୍ଧା ପାଇଁ ଚାଉଳ ମାଣେ କୁଟିପକେଇ, କାଖରେ ଗରା ନେଇ ପାଣିକୁ ବାହାରିଲା । ପାଣି ଧାରରେ ପହଞ୍ଚି ନାଦୁକୀ ସହିତ ଦେଖା । ନାଦୁକୀ ଭରା କଳସୀକୁ ଅଣେଇ ଧରି ପାଣି ଟିକିଏ ପକେଇ ଗୋଟିଏ ହାତରେ କଳସୀଟିକୁ କାଖରେ ଉଠେଇ ଧରି ଅନ୍ୟ ହାତରେ ମେଖେଳାକୁ ଉପରକୁ ଟେକି ହିଡ଼ ଉପରକୁ ଉଠିବାକୁ ଲାଗିଛି । ଖୋପ ଖୋପ ଦେଇ ଉଠିବା ସମୟରେ ପାଭୈକୁ ଦେଖି ପଚାରିଲା—‘‘କି ପାଭୈ ! ଆହିନୀର ବୋହୂକୁ ଦେଖିବାକୁ ଯାଇଥିଲୁ ନା ?’’

 

—‘‘ହଁ ଲୋ, ଯାଇଥେଲି ।’’ ସମ୍ମତିସୂଚକ ଉତ୍ତର ଦେଇ ଗରାଟିକୁ ତୁଠ ପଥର ଉପରେ ଥୋଇଲା ।

 

—‘‘କେମେତେ ଦେଖିଲୁ ?’’

 

—‘‘ଦେଖିବାକୁ ଭଲ; ହେଲେ, ଟିକିଏ ବଢ଼ିଆଳ ଗଢ଼ଣର ।’’

 

—‘‘ଆହୋମଣୀ ଗଢ଼ଣ ସେଇମିତି ବୋଲି କହନ୍ତି ।’’

 

—‘‘ତୁ ବୋଧେ ଦେଖିଆସିଛୁ ?’’

 

—‘‘ଦେଖିବା କ’ଣ ଦରକାର, କାନ ଦୁଇଟା କଣ କୁଆଡ଼େ ପଳେଇଲେ କି ?’’

 

ସବୁରି ନିନ୍ଦା ରଟନା କରିବା ନାଦୁକୀର ସ୍ୱଭାବ । ତା’ର ନିଜର ତ କେତେଥର ବଦ୍‌ନାମ ଗାଁରେ ଉଠିଥିଲା । ସେଇଥିରୁ ଯେତେବେଳେ ସୁବିଧା ପାଏଁ ସତମିଛ କରି ବୋହୂ-ଝିଅଙ୍କର ଦୋଷ ରଟନା କରିବୁଲେ । ଅନ୍ୟ ସମୟ ହେଇଥାନ୍ତା କି, ପାଭୈ ତାକୁ ଭଲ କରି ଦୁଇପଦ ଶୁଣେଇଥାଆନ୍ତା; କିନ୍ତୁ ସମୟଟା ଅସମୟ ଥିଲା । ଗୋରୁଗାଈ କେଇଟାକୁ ଖୋଜିଲୋଡ଼ି ଆଣିବାକୁ ଅଛି । ଅଗଣାରେ ବାଡ଼ଣୀ ବଜେଇ ନାହିଁ, ଡିବିରେ ତେଲ ସଳିତା ଭରିବାକୁ ବାକି ଅଛି-। ବେଳ ଥାଉଁ ଥାଉଁ ଯୋଗାଡ଼ କରି ନରଖିଲେ,ସନ୍ଧ୍ୟାରେ ପିଲାଛୁଆଙ୍କ ଜଞ୍ଜାଳ ଲାଗିବ-। ସାତପାଞ୍ଚ ଗୁଣି ନାଦୁକୀର କଥାରେ ପୁଣି ଉତ୍ତର ନ ଦେଇ ପାଭୈ ଗରାଟିର ବାହାର ଭିତରେ ଖଳଖଳେଇବାକୁ ଲାଗିଲା ।

 

—‘‘ଆଲୋ ଘଇତା-ମୁଣ୍ଡ-ଖାଈ, ତୋର ପୁଣି ଏମିତି ଭବିଷ ଉତ୍ତର କାହିଁକି ?’’ ୟା କହି ରାଗ-ଗରଗର ହେଇ ମନକୁମନ ଭଡ଼ଭଡ଼ ହେଇ ନାଦୁକୀ ପୋଖରୀ ହୁଡ଼ାକୁ ଉଠିଲା ।

 

ମିଠାରାମର ସ୍ତ୍ରୀ ପମିଳା ଆଉ ଭୋଳାର ଝିଅ ଥୁପୀ, ନାଦୁକୀକୁ ଭଡ଼ଭଡ଼ ହେଇଯାଉଥିବା ଦେଖି ପଚାରିଲେ—‘‘କଣ ହେଲା କିଲୋ, ନାଦୁକୀ ? ଆଜି ଘଇତା ସଙ୍ଗେପଟେ ଲଗେଇଛୁ ନା କଣ ?’’

 

—‘‘ତମେ ସବୁ ଆମ ଘଇତା ମାଇପଙ୍କ କଳିଗୋଳ କଥାଟା ସବୁବେଳେ ଦେଖ । ଚାଷଘରେ ଗୋରୁ କେଇଟା ରଖିବାକୁ ଯାଇ ମଣିଷର ଦୁଇଦିନ ହେଲା ଘରେ ଦେଖାନାହିଁ ।’’

 

—‘‘ତେବେ କାହା ଉପରେ ଗରଗର ଯେ !’’ ମୁଚୁକି ମୁଚୁକି ହସି ଥୁପୀ ପଚାରିଲା ।

 

ପଛକୁ ମୁହଁ ବୁଲେଇ ପାଣିଧାରରେ ପାଭୈକୁ ଚାହିଁ ନାଦୁକୀ କହିଲା—‘‘ତାକୁ ପଚାରିଲି ଯେ ଧରଣୀ-ମାଇପର ଆହୋମଣୀ ଗଢ଼ଣ ବୋଲି କହୁଛନ୍ତି, କେମିତି ଦେଖିଲୁ—ସତେକି ତାର ନିଜର ଗେରସ୍ତ ପାଖକୁ ସଉତୁଣୀ ଜଣେ ଆଇଚି—ମୁହଁରୁ ପଦେ ବି କଥା ବାହାରୁନି । ଧରଣୀ ଯୋଉ ସୁନାରୂପା ଯୌତୁକ ପାଇଛି ସେଥିରୁ କିଛି ୟାକୁ ଦେବ ନାକଣ ! ସେଇଥିପାଇଁ ଅସଲ କଥାଟାକୁ ଲୁଚାଛପା କରୁଚି । ହେଲେ ନିଆଁକୁ କେଇଦିନ ଢାଙ୍କୁଣୀ ଦେଇ ରଖିବ ବା ?’’

 

ପମିଳା ଏବଂ ଥୁପୀ ନୂଆବୋହୂକୁ ଦେଖିବାକୁ ଯାଇନାହାନ୍ତି । ଦୁହେଁଯାକ ସକାଳ ପହରୁ ତନ୍ତରେ ବାତି କାଢ଼ିଥିଲେ ଯେ ସେଇଥିରେ ଲାଗି ଲାଗି ସନ୍ଧ୍ୟା ହେଲା । ଧରଣୀର ବୋହୂ ନାଁରେ ଆଗରୁ ନାନା କଥା ଗାଁରେ ପ୍ରଚାର ହୋଇଥିଲା । ସେଇ କାରଣରୁ ନୂଆବୋହୂକୁ ଦେଖିବା ପାଇଁ ଗାଁର ବୋହୂଝିଏ ଉତ୍ସୁକ ହୋଇଛନ୍ତି । ପମିଳା କଳସ ଆଉ ଲୋଟାଟିକୁ ତଳେ ଥୋଇ ହିଡ଼ରେ ବସି, ହାତ ମୁଠାରେ ଆଣିଥିବା ଗୁଆକୁ ପାଟିରେ ଭରି ପଚାରିଲା–

 

—‘‘କହୁଛନ୍ତି କଣ ଧରଣୀ ଜାତିକୁଳ ବୁଡ଼େଇ ବୋହୂ, ଆଣିଛି ?’’

 

ନିଜ ମନକଥା କହିବା ବାଲ୍ୟ-ସାଥୀ ଜଣକୁ ପାଇ, ନାଦୁକୀ ମୁଣ୍ଡ ହଲେଇ ଆଗ୍ରହରେ କଥାରେ ଯୋଗଦେଲା—‘‘ନୁହେଁ ତ ଆଉ କଣ ? ଏଇଠି ଆସି କହୁଚି ‘କଳିତା’ ବୋଲି । ଅସଲରେ ଜାତିକୁଳ, ବାଛ-ବିଚାର ନାହିଁ ବୋଲି କହୁଛନ୍ତି ।’’

 

ପାଟିର ଗୁଆଖଣ୍ଡକୁ ଭଲକରି ଚୋବେଇ ପମିଳା କହିଲା—‘‘ସତ ମ, ବାୟନଘର ପୁଅ ହେଇ ସେ ଏମିତି ଜାତିକୁଳ ବୁଡ଼େଇ ବୋହୂ, ଆଣିବାଟା କଣ ଭଲହେଲା ?’’

 

ନୂଆବୋହୂ, ବିଷୟରେ ଚର୍ଚ୍ଚା କରିବାକୁ ସୁବିଧା ପାଇ ନାଦୁକୀ ମଧ୍ୟ ଭରା କଳସୀଟିକୁ କାଖରୁ ଓହ୍ଲେଇ ତଳେ ଥୋଇ, ଠୁଁକା ହେଇ ବସି କହିଲା—‘‘ବାହା ନହବାକୁ ଆଉ ଚାରା ନ ଥିଲା ନା ? ବାହାଘର ଆଗରୁ ଚାରିଆଡ଼େ ଭୁଟ୍‌ଭାଟ୍‌ ଲାଗିଗଲା । ଝିଅର ବାପ ଧରିବାନ୍ଧି ବାହା ଦେଇଚି-।’’

 

ପାଟିର ପିକକୁ ପଚ୍‌ କରି ଦୂରକୁ ପକେଇ ପମିଳା ଧୀରେ ପଚାରିଲା—‘‘ପେଟରେ ଛୁଆପିଲା ଅଛି କି ଗୋ !’’

 

ନାଦୁକୀ ମୁଣ୍ଡକୁ ଠିଆକରି, ଥୁପୀ ପାଣି କୂଳକୁ ଖସିଯିବା ଦେଖି, ମୁହଁକୁ ପମିଳା କାନରେ ଲଗେଇ ଫୁସ୍‌ ଫୁସ୍‌ କରି କହିଲା—‘‘ପେଟକଥା ପଚାରୁଚ ନା ? ଗୋଟେ ତ ଖସେଇ ଦେଇଚି ବୋଲି କହୁଚନ୍ତି । ସେଇଥିପାଇଁ ପରା ତରବରରେ ଝିଅକୁ ବିଦା-କରିବାକୁ ବାପର ତର ସହିଲା ନାହିଁ ।’’

 

କଥା ଶୁଣି ପମିଳା ଘୃଣାରେ ନାକ ଟେକିଲା । କଥା ଶେଷହେବାରୁ ମେଖେଳା ଝାଡି, ଠିଆ ହୋଇ ଲୋଟା କଳସୀକୁ ଉଠେଇ ହିଡ଼ ତଳକୁ ଖସିଲା ପମିଳା । ଆମୋଦଜନକ ଅବସ୍ଥାରେ କଥାକୁ ଶେଷ କରିପାରିଥିବାରୁ ନାଦୁକୀର ମୁହଁରେ, ଆଖିରେ ତୃପ୍ତିର ଆନନ୍ଦ ଭରି ଯାଇଥିଲା । ପମିଳାର ସଙ୍ଗ ପାଇବ ବୋଲି ନାଦୁକୀ ହିଡ଼ରେ କିଛି ସମୟ ଅନେଇ ରହିଲା ।

 

ପ୍ରତି ଜଣ ମଣିଷର ଚରିତ୍ର ଦୁଇପାଖରୁ ବିଚାର କରାଯାଇଥାଏ । ଗୋଟିଏ ସମାଜ ପାଖ । ଏଇ ପାଖଟି ପ୍ରକାଶ୍ୟ ଭାବରେ ସମାଜର ଅଧୀନ । ଅନ୍ୟଟି ଭିତର ପାଖ । ମଣିଷ ଜୀବନର କଦର୍ଯ୍ୟ-କଳୁଷ-ପାଖଟି ୟା ଭିତରେ । ଏହାର ଅନେକଟା କଳ୍ପନା ଏବଂ ଅନୁମାନ ଉପରେ ପ୍ରତିଷ୍ଠିତ । ଏକାନ୍ତରେ ଆଲୋଚିତ ହେଲେ ବି ପ୍ରକାଶ୍ୟ ଭାବରେ ସମାଜ ଆଗରେ ଚରିତ୍ରର ଏଇ ଅଂଶଟି ପ୍ରକାଶ ପାଏନା । କିନ୍ତୁ ମଣିଷ ଚରିତ୍ରର ଏଇ ଭିତିରି ପାଖଟାର ଗୋପନ ଆଲୋଚନାରେ ବିଶେଷ ଆନନ୍ଦ । ଦୁଇ ଚାରିଦିନ ଭିତରେ ନୂଆବୋହୂ ବିଷୟରେ ଏକାନ ସେକାନ ହେଇ ‘କାନବାଟେ କଥା ଚାଲେ’—ନ୍ୟାୟରେ ଗାଁଟା ସାରା ନାନାକଥା ପ୍ରଚାରିତ ହେଲା-। ଟଗରର ଭିତିରି ଚରିତ୍ର ବିଷୟରେ ଗାଁ ଭିତରେ ଚିରିଦିନ ପାଇଁ ଏକ ବଦ୍ଧ ଧାରଣା ରହିଗଲା ।

 

ଛଅ

 

ମାର୍ଗଶିର ପୌଷ ମାସର ଦିନଗୁଡ଼ିକରେ ଲୋକେ ସାରାଦିନ ଘରେ ରହନ୍ତି ନାହିଁ । ପିଲାଠୁ ବୁଢ଼ାଯାଏଁ ସମସ୍ତେ ସକାଳୁ ସକାଳୁ ନାକରେ କାନରେ ଭାତମୁଠାଏ ଗୁଞ୍ଜି ବିଲକୁ ଧାଉଡ଼ ଦିଅନ୍ତି । ଗୁଆ-କଟୁରୀ ସହିତ ପ୍ରତିଜଣ ସ୍ତ୍ରୀଲୋକଙ୍କ ହାତରେ ଗୁଆବନ୍ଧା କରିଆ, ବାତାପୀ, କରଦୈ, ମୁଢ଼ି ଚୂନା-ପିଠା, ଚୂନାର ପାଛିଆ-ପ୍ରତିଜଣ ପୁଅଝିଅଙ୍କ ହାତରେ ଗୋଟାଏ ଲେଖାଏଁ ଲୋଟା ଓ ବାଟି ।

 

ବିଲ ଭିତର ରାସ୍ତାରେ ବାହୁଙ୍ଗି ପୋତି, ତା ଉପରେ ଚାଦର ଟାଣି, କେହି ସ୍ତ୍ରୀଲୋକ ସେଠି ଛୁଆବକଟକୁ ଶୁଆଇଦେଇ ତରବରରେ ବିଲରେ ପଶେ । ଝରଝର ଝରା ଶିଶିର ବିନ୍ଦୁ, ମେଖେଳାର ଘେରକୁ ଜୁଡ଼ୁ ବୁଡ଼ୁ କରି ତିନ୍ତାଇ ପକାଏ । ଭିମୌ-ଗାଁର ଲାଲୁଙ୍ଗ୍‌ ସ୍ତ୍ରୀଲୋକ ଛୁଆକୁ ଗାମୁଛାରେ ବାନ୍ଧି ପିଠିରେ ପକାଇ ଧାନଗଛରେ ଦା’ମାରେ । ବେଳ ଉଠିବା ସଙ୍ଗେ ସଙ୍ଗେ ବିଲସାରା ସ୍ତ୍ରୀ-ପୁରୁଷଙ୍କ କଥାବାର୍ତ୍ତା, ହସ-ପରିହାସରେ ଜୀବନ ମୁଖର ହୋଇଉଠେ । ମୁଠା ମୁଠା ପାଚିଲା ଧାନଗଛରେ ବିଲର ଏମୁଣ୍ଡରୁ ସେମୁଣ୍ଡ ଯାଏଁ ଦା’ମାରି ମାରି ଦାଆଣୀମାନେ ସମତାଳରେ ଆଗେଇବାର ଏକ ଅପୂର୍ବ ଦୃଶ୍ୟ । ଧାନଗଛରେ ହାତମୁଠା ପୂରିଯିବାର ସଙ୍ଗେ ସଙ୍ଗେ କେହି ସ୍ତ୍ରୀଲୋକ କଳେଇ ବାନ୍ଧିବାକୁ ମୁଣ୍ଡ ଉଠେଇ ଅଣ୍ଟା ସିଧଉଛି । ସେଇ ଅବସ୍ଥାରେ ପାଖର ଦାଆଣୀ ଜଣଙ୍କର ଆଖିରେ ଆଖି ପଡ଼ିଯିବାରୁ ପଦିଏ କଥା କହି ବିରକ୍ତିକର ନୀରବତାକୁ କ୍ଷଣକପାଇଁ ଭାଙ୍ଗୁଛି । ପାଖ ବିଲର ଅନ୍ୟ ଦୁଇଜଣ ଦାଆଣୀ ବି ମୁଣ୍ଡ ଟେକି ଚାହିଁ ପଦେଅଧେ କଥା ହୋଇ ପୁଣି ଧାନଗଛରେ ଦା’ ମାରୁଛନ୍ତି । ସାନ ସାନ ପୁଅଝିଏ ଦୌଡ଼ାଦୌଡ଼ି କରି ଏଠି ସେଠି ବିଛାଡ଼ି ପଡ଼ିଥିବା ଧାନକେଣ୍ଡା ଗୋଟେଇବାରେ ବ୍ୟସ୍ତ । କେଇଜଣ ଦଳ ବାନ୍ଧି ନିକଟରେ ଶୁଖିଯାଇଥିବା ଡୋଭରେ ମାଛ ଧରିବାକୁ ଯାଇଛନ୍ତି; କେହି କେହି ପାଣିଧଣ୍ଡଟାଏ ପାଇ ତା’ପାଇଁ ଉଗ୍ର ଦଣ୍ଡର ବ୍ୟବସ୍ଥା କରୁଛନ୍ତି କ୍ରିକେଟ ଖେଳରେ ବଲ୍‌ ଫୋପାଡ଼ିଲା ପରି ଢେଲା ଫୋପାଡ଼ି । ଜଣେ ଦୁଇଜଣ ହାତର ଗୁଆକଟୁରି ରଖିଦେଇ ତମାଳ ଗଛରେ ହାତ ପକେଇଛନ୍ତି । କେହି କେହି ଆଗଦିନର ବନ୍ଧାକଳେଇ କଢ଼ାଇବାରେ ଲାଗିଛନ୍ତି ।

 

ଉଦୁଉଦିଆ ଦିହିପହରେ ସମସ୍ତେ ଆସି ବିଲ ମଝିର ରାସ୍ତାରେ ଠୁଳ ହେଇଛନ୍ତି । କେହି ଜଣେ ତରବରିଆରେ ଲୋଟାକୁ ମୁହଁରେ ଲଗେଇ ଢକ୍‌ଢକ୍‌ ପାଣି ପିଇପକାଉଛି । କରିଆରେ ବନ୍ଧା ଗୁଆ ଆଉ ବାତାପୀକୁ କେହି କେହି ଭାଗବଣ୍ଟା କରୁଛନ୍ତି—କିନ୍ତୁ, ବେଶି ବେଳ ବିଶ୍ରାମ ନେଇ ଆଳାପ କରିବାକୁ କାହାର ବା ସମୟ ଅଛି ?

 

ବେଳ ବୁଡ଼ୁ ବୁଡ଼ୁ ଦାଆଣୀଏ ଲୋଟା ବାଟି ଧରି ଘରକୁ ଫେରିବାକୁ ତରବର ହେଉଛନ୍ତି-। ଚରିବା ପାଇଁ ଛାଡିଥିବା ଏବଂ ଆଢ଼ୁଆଳରେ ଜଗିଥିବା ଗଉଡ଼, ଛେଳିଆ-ଭାଇଏ ଗୋରୁଗାଈ, ଛେଳିମେଣ୍ଢାଙ୍କୁ ଖୋଜିଲୋଡ଼ି ସେଗୁଡ଼ାକୁ ଘରମୁହାଁ ଖେଦିଲେଣି । ପୁରୁଷଲୋକ କେଇଜଣ କାନ୍ଧରେ କଳେଇଭାର ଧରି ଘରକୁ ଗୋଡ଼ ବଢ଼େଇଲେଣି । ସ୍ତ୍ରୀଲୋକ କେଇଜଣ ମୁଣ୍ଡରେ କଳେଇଟାଏ ଲେଖାଏଁ ବୋହି ଘରମୁହାଁ ହେଲେଣି । ଚାଷୀର ଦ୍ରୁତ ପଦପାତର ତାଳେ ତାଳେ ସ୍କନ୍ଧ ଲକ୍ଷ୍ମୀ ଝିରି ଝିରି ମଧୁର ଗୁଞ୍ଜନରେ ନିଜର ଆଗମନୀ ଜଣାଇଛନ୍ତି । ବାଟର ଦୁଇକଡ଼ରେ ଲକ୍ଷ୍ମୀଦେବୀ ମୁଠା ମୁଠା କରି ସୁନାର ମଣି ବିଛାଡ଼ିବାରେ ଲାଗିଛନ୍ତି ।

 

ଧାନ...ଧାନ ଆଉ ଧାନ । ଅଗଣାରେ ଧାନ, କୋଠିରେ ଧାନ, ଦାଣ୍ଡଘରେ ଧାନ । ବିଲରେ, ଘରେ, ବାହାରେ, ଭିତରେ, ସର୍ବତ୍ର ସୁନାଧାନର ମଣିମୁକ୍ତା ବିକ୍ଷିପ୍ତଭାବେ ବିଚ୍ଛୁରିତ । ଆକାଶ, ପୃଥିବୀ ଚତୁର୍ଦ୍ଦିଗରେ ସୁନେଲୀ ରଙ୍ଗ ଚିକିମିକି କରୁଛି । ପାଚିଲା ଧାନର ଗନ୍ଧରେ ଉଦ୍‌ବେଳିତ ପଞ୍ଝା ପଞ୍ଝା ଘରଚଟିଆ କେଚେରମେଚେର କରି ଚିତ୍କାରକରି ଉଡ଼ିବୁଲୁଛନ୍ତି । ପୁରୁଷ-ସ୍ତ୍ରୀ, ପୁଅ-ଝିଅ, କାହାର ବି କ୍ଷଣକ ପାଇଁ ବିଶ୍ରାମ ନେବାକୁ ବେଳ ନାହିଁ । କୁଟା, କଳେଇବନ୍ଧା ଓ କଚଡ଼ା ଗଦାମରାରେ ସମସ୍ତେ ବ୍ୟସ୍ତ । ଯୁବକ-ଯୁବତୀ ସମସ୍ତଙ୍କ ମୁହଁ ଆନନ୍ଦରେ ଉଜ୍ଜ୍ୱଳ, ଆଖିରେ ସଞ୍ଚୟର ସ୍ଵପ୍ନ ।

 

ବିହନପାଇଁ ବୋଲି ବାଛି ବାଛି କେଇଟା କଳେଇ ନେଇ ସୁନନ୍ଦ ଅଗଣାରେ ପକାଉଛି । ସଞ୍ଜରେ ବିଲରୁ ଫେରି, ଚାହା ଜଳଖିଆ ଖାଇ ବିଶ୍ରାମ ନେଇ, ମନୋହର ଛୋଟଭାଇ ସରୁଧାନକୁ ନେଇ କଳେଇ ଗଦାମାରିବାରେ ଲାଗିଛି । ଅଗଣାରେ ନିଆଁ ପୁଆଁଇ ସୁନନ୍ଦ ଚିଲମଟାଣି ଅଣ୍ଟା ସିଧାକରୁଛି । ପଡ଼ୋଶୀ ବିହବର ବି ପିଢ଼ା ଖଣ୍ଡେ ଟାଣିଆଣି ନିଆଁ ପାଖରେ ବସିଲା ।

 

କଳେଇ ଗଦାକୁ ଅନେଇ ବିହବର କହିଲା—‘‘ବେଶ୍‌ ଭଲକରି କଳେଇ ଗଦାଏ ମାରିଲଣି ତ !’’

 

—‘‘ହଁ, ଦଶଟା ଖଣ୍ଡେ ହବ କଳେଇ ବିହନ ପାଇଁ ବୋଲି ଗଦା ମାରିଦଉଛି । ବିହନ ଗୁଣେ ଚାଷ—ନା, କଣ କହୁଚ ?’’

 

କଲିମନ ଏବଂ ମାଘି ଏଣ୍ଡିଚାଦର ଘୋଡ଼େଇ ହୋଇ ଆସି ନିଆଁ ପାଖରେ ବସି ଆଳାପରେ ଯୋଗଦେଲେ ।

 

ଗଦା ମାରୁଥିବା ମନୋହର ଆଡ଼କୁ ଚାହିଁ କଲିମନ ପଚାରିଲା—‘‘କି ଧାନ ସାଇତୁଛୁରେ ମନୋହର ?’’

 

—‘‘ଅଗ୍ନିଶାଳି ।’’ ‘‘କୁଆଡ଼େ ଅନେଇଚୁ ମ, ଗାଈ କେଇଟାଙ୍କୁ ଗଦାରୁ ଅଡ଼େଇ ପାରୁନୁ-?’’

 

ପଛକଥା ପଦକ ମନୋହର ସରୁଧନକୁ କହିଲା । ସରୁଧନ ଡାହାଣ ହାତରେ ଗାଈ ଲାଞ୍ଜଟାକୁ ଟାଣି ହଟ୍‌ହଟ୍‌ କରି ଘଉଡ଼ିଲା ।

 

କଲିମନ ହାତକୁ ଚିଲମଟା ବଢ଼େଇ ଦେଇ ସୁନନ୍ଦ ପଚାରିଲା—‘‘ତମର ଆଉକେତେ ହବ ବାକି ଅଛି ?’’

 

—‘‘ପୁଷଯାକେ ଲାଗିଯିବ ପରି ଲାଗୁଚି । ଆମର ମୋଟେ ତିନିଜଣ ଦା’ଆଣୀ ଲାଗିଚନ୍ତି ।’’

 

ମାଘି ଏଥର ପାଟି ଖୋଲଲା—‘‘ବଢ଼ିଲା ଝିଅ, ବଢ଼ା ଭାତଚିଲା ଧାନକୁ ବେଗି କାଟ । ତମର ତ ହେଲେ ବିଲରୁ କଳେଇ କେଇଟା ଘରେ ପଶିଗଲାଣି—ଆମର ସେଇମିତି ବିଲରେ କଟାହେଇ ପଡ଼ିଚି । ଭୋଦର ଗାଡ଼ିରେ ବାହାଳି ବିଲରୁ କଳେଇତକ କଢ଼େଇବା ପାଇଁ କହିଥିଲି ଯେ, ତାର ବି ଗାଡ଼ିର ଚକାଟାଏ ହୁଗୁଳି ପଡ଼ିଚି ।’’

Unknown

 

—‘‘ଆମର ବି ବାହାଳ ବିଲରୁ ସବୁତକ କଳେଇ ଆସିପାରିନି ।’’ ଦୁଇ ହାତମୁଠାରେ ଧରିଥିବା ଚିଲମରୁ ଟଣାଟାଏ ଟାଣି ନାକରୁ ପାଟିରୁ ଧୂଆଁ କାଢ଼ି କଲିମନ କହିଲା ।

 

—‘‘ବୋକା-ଧାନ* ଏଥର କେତେ ପାଇଲ ?’’ ସୁନନ୍ଦ କଲିମନକୁ ପଚାରିଲା ।

 

—‘‘ଆଗରୁ ରୁଆ ବାହାଳି ଜମିଖଣ୍ଡକ ତ ପାଣିରେ ଗଲା—ପରେ ଚାରି ବିଶ୍ଵା ହବ ରୁଆ କରେଇଥିଲି । ତମେ କେତେ ପାଇଲ ?’’

 

—‘‘ବରଷକ କୁଳେଇବା ଭଳି ମିଳିଚି । ଆହିନୀର ଖଣ୍ଡକରେ ମନ୍ଦ ହେଇନଥିଲା । ଈଶ୍ଵରଙ୍କ ବରାଦ ଥିଲେ ଏଇ ବୈଶାଖରେ ମନୋହରର ବାହାଘରଟା ଉଠେଇବାକୁ ଇଚ୍ଛା ଅଛି । ସେଥିପାଇଁ ଅଣ୍ଟିବ କି ନାହିଁ କହିହେଉନି ।’’ ସୁନନ୍ଦ କହିଲା ।

 

—‘ହଁ, ପିଲାଟାର ବୟସ ହେଲାଣି । ଚଞ୍ଚଳ ହାତକୁ ଦି’ହାତ କରିଦେଇ ପାରିଲେ ଭଲ-।’’ କଲିମନ ସମ୍ମତି ଜଣାଇଲା ।

 

ଆଖିରେ ଧୂଆଁ ଲାଗିବାରୁ ବିହବର ମୁହଁଟାକୁ ପଛକୁ ବୁଲେଇ ହାତଦୁଇଟାକୁ ନିଆଁ ଉପରେ ମେଲେଇ ରଖି କହିଲା—‘‘ଭଲ କଥାଟାଏ ପକେଇଲ । ଧରଣୀର ପୁଣି କ’ଣ ହେଲା ? ସମାଜ ତରଫରୁ କିଛି ଗୋଟାଏ ନକଲେ କଣ କଥାଟା ଭଲ ହେବ ?’’

 

କଲିମନ ଚିଟ୍‌କିନା କହିପକେଇଲ—କେମିତି ଭଲ ହବ ହେ ?’’

 

ବିଲବାଡ଼ି କାମକୁ ଶେଷକରି କିଛି ଗୋଟେ କରିବାକୁ ପଡ଼ିବ । ପୁଣି ସୁନନ୍ଦ ଆଡ଼କୁ ଚାହିଁ କହିଲା—‘‘ନିଜର ପୁତୁରା ବୋଲି ତୁମେ ଏକା କରଛଡ଼ା ଦେଲେ ଚଳିବ ନାହିଁ । ତୁମେ ତ ଗାଁର ମୁଖିଆ । ନିଜର ପୁଅବୋହୂଙ୍କ ମୁହଁକୁ ଅନେଇ ଦେଶାଚାର ଭୁଲିଲେ ଚଳିବ ନାହିଁ ଏକା ।’’

 

ସୁନନ୍ଦର ହେଇ ବିହବର କହିଲା—‘‘ମନୋହରର ବାପକୁ କୋଉ କଥାରେ ସମାଜ କାମରେ ପଛଘୁଞ୍ଚା ଦବା ଦେଖିଛ ? ଲାହୋନ-ସାତୋଳାର ବୋହୂ, ସୁନନ୍ଦର ନିଜ ମାମୁଙ୍କର ନାତୁଣୀ ନଥିଲା କି ?’’

 

ମାଘି ମୁଣ୍ଡ ହଲେଇ ସମ୍ମତି ଜଣେଇ କହିଲା—‘‘ନୁହେଁ ଆଉ କଣ ?’’

 

*‘ବୋକାଧାନ’—ଆସାମ ପ୍ରଦେଶରେ ଉତ୍ପନ୍ନ ଏକ ପ୍ରକାର ଧାନ । ଏହାର ଚାଉଳକୁ ‘ବୋକା-ଚାଉଳ’କୁହାଯାଏ । ଏହାକୁ ଚୂଲିରେ ବସାଇ ରାନ୍ଧିବା ଦରକାର ପଡ଼େନା । ସାମାନ୍ୟ ଗରମ ପାଣିରେ ବତୁରେଇ ଦେଲେ ଭାତ ହୋଇଯାଏ । ଏହି ଭାତ ମଧ୍ୟ ଜଳଖିଆ ରୂପେ ବ୍ୟବହୃତ ହୁଏ । ଏହି ଧାନକୁ ମଧ୍ୟ ‘କୋମଳ-ଧାନ’ଏବଂ ଏହାର ଚାଉଳକୁ ‘କୋମଳ-ଚାଉଳ’ କହନ୍ତି ।

 

—‘‘ତେବେ—ସେଇ କଥାକୁ ମନେ ପକାଉଚୁଟି ? ସୁନନ୍ଦ ସେଇ ବାହାଘରେ ଲୋକଙ୍କର ହେଇ କଣ ଟଣାଓଟରା କରି ନଥିଲେ କି ? ଆପଣାର ବୋଲି କଣ ଛାଡ଼ି ଦେଇଥିଲେ-? ସମାଜର ହକ୍‌ ଦାବି ପାଇଁ ଟଙ୍କା କୋଡ଼ିଏ ବାହାର ନ କରେଇ ଛାଡ଼ିଲେ ନା ?’’

 

ପୋଡ଼ଖୁଣ୍ଟାକୁ ନିଆଁ ଭିତରକୁ ପେଲିଦେଇ ସୁନନ୍ଦ ପାଟି ଫିଟେଇଲା—‘‘ଲୋକଙ୍କ ଘରର ହଉ, ରଜାଘର କଥା ହଉ, ଶାସ୍ତି ଆଗରେ ଆପଣା ପରର ବିଚାର ଅଛି କି ? ଧରଣୀ ତ ପୁତୁରା, ତା’କଥା ଛାଡ଼—ଏମିତିକି ମୋର ମନୋହର ବି ଯଦି ଜଣ ଦୋଷ ଦୁର୍ବଳତାର କାମ କରେ ତାକୁ ବି ସମାଜରେ ଦଣ୍ଡ ଦିଆଇବି । ନିଜର ପୁଅ ବୋଲି କଣ ଛାଡ଼ିଦେବି ଭାବୁଚ ?’’

 

ନିଆଁ ପୁଆଁ ପାଖରେ ସମସ୍ତେ ମୁହଁ ଟେକି ସୁନନ୍ଦ ଆଡ଼କୁ ଅନେଇଲେ । ‘ହୁ’ କରି ଜଳିଉଠିବା ନିଆଁ କୁଢ଼ର ଆଲୋକରେ ସୁନନ୍ଦର ଗର୍ବସ୍ଫୀତ ମୁହଁ ଖଣ୍ଡକ ରାଉରାଉ ନିଆଁହୁଳା ପରି ଲାଲ ହୋଇଗଲା । ମାଘି ତେଣେ ମନୋହରକୁ ଗଦାମରାରେ ସାହାଯ୍ୟ କରିବାକୁ ଉଠିଗଲା । ମାଘି ହାତରେ ଉଖୁଣିଟି ଦେଇ, କୋଲାମରା ହାତକୁ ସେକିବା ପାଇଁ ନିଆଁ ପାଖକୁ ଆସି ବସିଲା ମନୋହର । ସୁଯୋଗ ପାଇ ବିହବର ମନୋହରକୁ ଧରଣୀର ଶ୍ଵଶୁରଘର ବିଷୟରେ ପଚାରିଲା ।

 

ଘରେ ପହଞ୍ଚିବା ପରଠାରୁ ମନୋହର ଧରଣୀର ଶ୍ଵଶୁର ଘରର ଗୁଣକୀର୍ତ୍ତନ କରିବାରେ ପଞ୍ଚମୁଖ । ନ ପଚାରିଲେ ବି ଉପରେ ପଡ଼ି ଦି’ଚାରି ପଦ କହିଦିଏ । ଏବେ ତାକୁବାଧା ଦେବ କିଏ ? ବାପୁରାମ ବରା ଯେ ଜାତିକୁଳରେ ଉଚ୍ଚବଂଶୀୟ କଳିତା ଲୋକ, ମନୋହର ତା’ର ଭୂରି ଭୂରି ପ୍ରମାଣ ପାଇ ଆସିଛି । ତାଙ୍କ ଝିଅ ବାହାଘରେ ବ୍ରାହ୍ମଣ, ସଜ୍ଜନ ହୋଇ ଯେତେ ଲୋକ ଖାଇବାକୁ ଆସିଥିଲେ ତାର ହିସାବ ନଥିଲା । ଗୋଲାଘାଟ ସହରରୁ ବଡ଼ ଗଣ୍ୟମାନ୍ୟ ଓକିଲ, ମୁକ୍ତିଆର ଆସିଥିଲେ । ମରଙ୍ଗି ଅଞ୍ଚଳରେ ମାନସମ୍ମାନରେ, ଜମିବାଡ଼ିରେ, ଟଙ୍କା-ପଇସାରେ ବାପୁରାମ ପ୍ରତିପତ୍ତିଶାଳୀ ବ୍ୟକ୍ତି । ଝିଅକୁ ବାହା ଦେବା ପାଇଁ ବାପୁରାମ ଭଲ ଭଲ ପାତ୍ର ହାତରେ ପାଇଥିଲେ । କିନ୍ତୁ ଜାତିକୁଳ ବୁଡ଼େଇ ଝିଅକୁ ବାହାଦବାକୁ ତାଙ୍କର ଇଚ୍ଛା ନଥିଲା । ସେଇଥିପାଇଁ ବାୟନଘର ପୁଅ ହାତରେ ଝିଅକୁ ଦେଲେ । ଏହାପରି କେତେ କ’ଣ ମନୋହରର ପାଟିରେ ବାପୁରାମଙ୍କ ବଂଶ-ଗୌରବ କଥା ଖଇ ଫୁଟିଲା ଭଳି ଫୁଟି ବାହାରିଲା । ବାପୁରାମଙ୍କର ଟଙ୍କା ପଇସାର ହିସାବ ଦେବାକୁ ଯାଇ ସେ ଯେଉଁ କୋଡ଼ିଏ ଟଙ୍କା ସମାଜ ମର୍ଯ୍ୟଦା ସ୍ୱରୂପ ପଠାଇଥିଲେ ସେକଥା ମଧ୍ୟ ମନୋହର କହିଦେଲା । ପୁଅର ମୂର୍ଖମୀ କୋଡ଼ିଏ ଟଙ୍କା ହରେଇବା ଭୟରେ ସୁନନ୍ଦ ହିଁ ହିଁ କରି କୃତ୍ରିମ ହସ ହସି କଥାଟାକୁ ବାଗେଇ ନେଲା—‘‘ବୋକାଟାକୁ ଦେଖ, ଆରେ, ସେଇ କୋଡ଼ିଏ ଟଙ୍କା ପରା ଗୋସେଇଁ ମହାପ୍ରଭୁଙ୍କ ପାଇଁ ପଠେଇଥିଲେ !’’

 

ସୁନନ୍ଦର କଥା ଶୁଣି କଲିମନ ଓ ବିହବର ଲିଭିଆସୁଥିବା ନିଆଁର ଆଲୁଅରେ ଚାରି ଆଖିରେ ଚାହାଁଚାହିଁ ହେଲେ । ଶିଆଳ ପରି ଚତୁର ସୁନନ୍ଦର ଆଖିରେ ଦୃଶ୍ୟଟା ଧରା ନପଡ଼ି ରହିଲା ନାହିଁ । ପୁଅ ଯଦି ପୁଣି ଧୋତିଯୋଡ଼ା କଥା କହିବ ସେ, ସେଇ ଭୟରେ ପୂର୍ବକଥା ଉପରେ ବିଶ୍ୱାସ ଜନ୍ମେଇବା ପାଇଁ ପୁଣି କହିଲା— ‘‘ଜାଣିଛୁନା, ସେଇ ଯୋଉଁ ଧୋତି ଯୋଡ଼ାଟା ଦେଇଛନ୍ତି, ତା ସାଙ୍ଗରେ ଟଙ୍କା କୋଡ଼ିଏଟା ଗୁରୁଗୋସେଁଇଙ୍କ ଘରକୁ ପଠେଇବାକୁ ପଡ଼ିବ । ବିହୁପରେ, ସେଇ ଭାର ନେଇ ପୁଣି ଗୁରୁଙ୍କ ଘରକୁ ଯିବାକୁ ପଡ଼ୁଛି ।’’

 

କିଛି ସମୟ ରହି, ବିହବର ଆଡ଼କୁ ଚାହିଁ ସୁନନ୍ଦ କହିଲା—‘‘ଲୋକଟାର କିନ୍ତୁ ଗୁରୁଗୋସେଁଇଙ୍କ ପ୍ରତି ବେଶ୍ ଭକ୍ତି ଅଛି ।”

 

ମନର ପ୍ରକୃତ ଭାବକୁ ଲୁଚେଇବା ପାଇଁ ମୁଣ୍ଡ ତଳକୁ କରି, ନିଆଁ ଫୁଙ୍କି ବିହବର ଉତ୍ତର ଦେଲା— ‘‘ଜାଣିବା-ଶୁଣିବା ଲୋକ, ଚାରିଛତ୍ରର ଲୋକ; ସେତିକ ଜ୍ଞାନ ନ ଥାଆନ୍ତା କେମିତି !’’

 

ଟଙ୍କା କଥାଟା ଉଡ଼ିଯିବାରୁ ସୁନନ୍ଦ କହିଲା—‘‘ହଁ, ଉଜାଣୀ ଲୋକଙ୍କ ଭାଗ୍ୟ ଏକା ! ଚାରିଛତ୍ର, ବାର-ବୈଷ୍ଣବ-ମହନ୍ତଙ୍କ ସତ୍‌ସଙ୍ଗ ସର୍ବଦା ଲାଭ କରୁଛନ୍ତି ।’’

 

ଦୁଃଖର ନିଶ୍ଵାସ ପକେଇ ପୁଣି କହିଲା—‘‘ଆମେ କିନ୍ତୁ ଭାଇ, ବଡ଼ ପାପୀଲୋକ; ଯିବା ଯିବା ହେଇ ଏତେ ଦିନ ବିତିଗଲା ପଛକେ ଚାରିଛତ୍ରକୁ ଥରେ ବି ଯାଇ ହେଲା ନାହିଁ । ଯିବାପାଇଁ ବୋଲି ଗତ ରାସ-ଉତ୍ସବବେଳେ ମୁକ୍ତିଆର ଏତେକରି ବାଧ୍ୟ କରୁଥିଲେ, ଯିବାପାଇଁ ବୋଲି ବାହାରି ବି ଥିଲି; ହେଲେ ଶେଷ ମୂହୁର୍ତ୍ତରେ ମନୋହର-ମା’ର ଅଶୌଚ ପଡ଼ିଲା । ବୁଝିଲୁ ବିହବର, ଆମେ ସବୁ ବିଷୟବିଷରେ ଘାରି ହେଉଥାଇଁ—ସେଇ ବିଷରେ ଜରଜର ଅବସ୍ଥା । ଧୀରେ ସୁଛେ ପଦେ ହରିନାମ ନବା—ସେଥିକୁ ବେଳ ଅଣ୍ଟୁ ନାହିଁ । କେବଳ ବିଷୟ ଭୋଗରେ ଭୋଳ ରହିବାକୁ ପଡ଼ୁଚି-।’’

 

ଟଙ୍କା କଥାରୁ ସୁନନ୍ଦ ଯେତେବେଳେ ହରିଭକ୍ତି କଥା ଧାଇଲା, କଲିମନ ବୁଝିଲା ଯେ ଆଉ ଏଇ କଥା ଶୀଘ୍ର ଶେଷ ହବାର ନୁହେଁ । ଏଣେ ରାତିରେ ଡେରିକରି ଘରକୁ ଗଲେ ବଦମାସ୍‌ ମାଇକିନିଆଟା ଭଲରେ ଭଲରେ ଛାଡ଼ିବ ନାହିଁ । ସୁନନ୍ଦ ହରିଭକ୍ତି କଥା ଆରମ୍ଭ କରନ୍ତେ କଲିମନ ଘରକୁ ଯିବ ବୋଲି ଚଟ୍‌କିନା ଉଠିପଡ଼ିଲା ।

 

—‘‘ରାତି ଭଉତ ହେଲାଣି, ଏବେ ଉଠେଁ । ଆରେ ହେ ମନୋହର ! କଳେଇ ଗଦା ମରାହୋଇଗଲାନା ରେ ?’’ ବୋଲି କହି ରାସ୍ତାକୁ ପାଦ ବଢ଼େଇଲା ।

 

କଲିମନ ଯାଉ ଯାଉ ଭାବୁଥିଲା—ସୁନନ୍ଦକୁ ଧରି ଧରଣୀକୁ ଏକଘରକିଆ କରିବାକଥା ଦେଖୁଛି ମିଛ ।

 

ପଙ୍ଗତରୁ ଜଣେ ଉଠିଲେ ମେଣ୍ଢାପଲ ପରି ବାକି ସମସ୍ତେ ସେୟା କରିଥାଆନ୍ତି । ବିହବର ବି ଉଠିବାକୁ ମୋଡ଼ିଭିଡ଼ି ହେଲା । କଲିମନ ବାହାରି ଯିବାର ସଙ୍ଗେ ସଙ୍ଗେ ସୁନନ୍ଦ କହଲା–‘‘ଏଇ କଲିମନଟାର ହରିଭକ୍ତିରେ ଟିକିଏ ହେଲେ ମନ ଥାଆନ୍ତା ଭଲା ! କେମିତି ଯେ ସେ ଉଦ୍ଧାର ହବ ?’’

 

ଏଇ ମନ୍ତବ୍ୟ ଶୁଣି, ଅନିଚ୍ଛା ସତ୍ତ୍ୱେ ସର୍ବଦା ଶୁଣି ଆସୁଥିବା ସୁନନ୍ଦର ଶାସ୍ତ୍ର ବ୍ୟାଖ୍ୟାକୁ ‘ହୁଁ’ ‘ହାଁ’ କରି ସମ୍ମତି ଜଣାଇବା ପାଇଁ ବିହବରକୁ ଅଗତ୍ୟା କିଛି ସମୟ ରହିବାକୁ ପଡ଼ିଲା ।

 

କଳେଇ ଗଦାମରା ସରିଲା । ମାଘି ଏବଂ ମନୋହର ପୁଣି ନିଆଁ ପାଖରେ ଆସି ବସିଲେ । ବିହବର, ‘ଏହ୍‌’ ‘ଆହ୍‌’ କରି ମୋଡ଼ିଭିଡ଼ି ହେଇ କହିଲା—‘‘ଆଜି ପୁଣି ସେଇ ପୁରୁଣା ଅଣ୍ଟା ରୋଗଟା ବାହାରିଲାଣି । କଳେଇ ଦୁଇଭାର କଢ଼େଇଥିଲି—ସେଇଥି-ନାଗି ଆଉ ଏମିତି ହେଲେ ନା କଣ ?’’

 

ବିହବରର ଅଣ୍ଟାଧରା କଥା ଶୁଣି, ମନୋହର ଏକାଥରକେ ନିଆଁ ପାଖରୁ ଉଠି ଠିଆହେଇ କହିଲା— ‘‘ରୁହ ଦାଦା, ମୁଁ ତୁମକୁ ପ୍ରମାଣୀ ଔଷଧଟାଏ ଦେବି । ରାତିରେ ଲଗାଇ ଶୋଇବ, ଦେଖିବ ସକାଳକୁ ଭଲ ହେଇଯାଇଥିବ ।’’

 

ଘର ଭିତରକୁ ଯାଇ ଛୋଟିଆ ଶିଶିଟିଏ ଆଣି ବିହବର ହାତରେ ଦେଇ ମନୋହର କହିଲା—‘‘ଧରଣୀକୁ ଆଣିବାକୁ ଯିବାବେଳେ ରେଳରେ ଡାକ୍ତର କି କବିରାଜ ଜଣେ ବିକୁଥିଲା । ଦରଦାମ୍‌ କରି ଚଉଦ ପଇସାରେ ଆଣି ଆସିଥିଲି । ପ୍ରମାଣୀ-ଔଷଧ—ସମସ୍ତେ ସେଇଠି କିଣି ଶେଷ କରିଦେଲେ ।’’

 

ପ୍ରମାଣୀ-ଔଷଧ ଶିଶିଟି ବିହବର ହାତରେ ଦେବା ଦେଖି ସୁନନ୍ଦ ମୁହଁକୁ ଭ୍ରୂକୁଟି କରି ପୁଅ ମୁହଁକୁ ଅନେଇଲା ।

 

—‘‘ହଉ ଦେ ବାପା, ଦେଖେଁ, ଯଦି ତୋ ଦୟାରୁ ଅଣ୍ଟାରୋଗଟା ଭଲ ହୋଇଯାଏ ।’’ ବେଶି ସମୟ ବସିଲେ କାଳେ ଔଷଧ ଶିଶିଟିକୁ ହରେଇବାକୁ ପଡ଼ିବ ସେଇ ଭୟରେ ମାଘିକୁ ଚାହିଁ କହିଲା—‘‘ତୁ ଥା’ରେ ମାଘିଆଇ, ମୁଁ ଉଠିଲି ।’’

 

—‘‘ରହବା, ମୁଁ ଆଉ କଣ କରିବି କି ? ଚାଲେ, ଯିବା ଚାଲେ ।’’

 

ଦୁହେଁ ଅଣ୍ଡାଳି ଅଣ୍ଡାଳି ଅନ୍ଧାରରେ ବାହାରିଗଲେ ।

 

ସାତ

 

ପୁଅ-ବୋହୂଙ୍କର ଗୃହ ପ୍ରବେଶ ଦିନରୁ ନୂଆବୋହୂକୁ ଦେଖି ଆସୁଥିବା ସାଇପଡ଼ିଶା ଲୋକଙ୍କ ଗହଳିରେ ଧରଣୀର ଘର ଗହଗହ । ଦଳେ ନ ଉଠୁଣୁ ଆଉ ଦଳେ ଆସି ପହଞ୍ଚି ଯାଉଛନ୍ତି । କାହାକୁ କେମିତି ମାନ୍ୟ-ସତ୍କାର କରିବାକୁ ପଡ଼ିବ, ସେସବୁ ବୁଝି ନପାରି ଟଗର ବଡ଼ ଅଡ଼ୁଆରେ ପଡ଼ୁଛି; ମଝିରେ ମଝିରେ ଶାଶୁଙ୍କଠୁ ଗାଳିମନ୍ଦ ଶୁଣୁଛି । କାହା ଆଗରେ ଓଢ଼ଣୀଟାକୁ ଲମ୍ବେଇ ଦେଇଥିବାରୁ ସେଇ ଦୋଷକୁ ଧରି ଶାଶୁ କଟୁ କଥା କହୁଛନ୍ତି—‘‘କୋଉ ଦେଢ଼ଶୂର ଆଗରେ ଓଢ଼ଣୀ ଟାଣୁଛୁ ଲୋ ? ସେ’ କଣ ତୋର ଖୁଡ଼ୀ ନୁହେଁ କି ?’’

ମୁଣ୍ଡରେ ଓଢ଼ଣୀକୁ ଠିକ୍‌ ଠିକ୍‌ ରଖିବା ପାଇଁ ସାରାଦିନଟା ଚାଦର ସହିତ ଭିଡ଼ାଓଟରା କରି ଟଗର ଯୁଦ୍ଧରତା, ତଥାପି ଅତର୍କିତ ଭାବରେ ମୁଣ୍ଡରୁ ଓଢ଼ଣୀ ଖସିଯାଇ କେତେଥର ଟଗରକୁ ଲଘୁ ଲାଞ୍ଛନା ଭିତରକୁ ଟାଣି ନ ନେଇଛି ! କୋଠରି ଭିତରେ ଲମ୍ବା ଓଢ଼ଣୀ ଟାଣିଥିଲା—କିନ୍ତୁ ବାହାରେ ଲୋକଙ୍କ ସାମନାରେ ଠିଆ ହଉଣୁ ଶାଶୁ ଯେତେବେଳେ କଟୁକଥା କହିବାକୁ ଲାଗିଲେ–‘‘ଏଇଟା କେମିତି ଜଣେ ଲୋ ? ଆଲୋ ଲାଜ-ସରମ-ମୁଣ୍ଡ ଖାଈ, ମୁଣ୍ଡରେ ଲୁଗା ବି ରହୁନାହିଁ-?’’ ସେତେବେଳେ ସେ ଦେଖିବାକୁ ପାଇଲା ଯେ ମୁଣ୍ଡରୁ ଲୁଗା ଖସି ଖୋସାରେ ଯାଇ ଅଟକିଛି-

ନାଇଁ ବୋଲି ଟୋପାକୁସି ଗାଁରେ ଧର୍ମେଶ୍ଵର ଗୋସେଇଁଙ୍କର ଦେଢ଼କୋଡ଼ି ଘର ଶିଷ୍ୟ ଅଛନ୍ତି । ଗୋସାଁଣୀଙ୍କୁ ବାହାହେବା ଦିନରୁ ମାହଏରା-ଛତ୍ର ସହିତ ବି ଗୋସେଇଁଙ୍କର ସମ୍ବନ୍ଧ ହେଇଛି । ଏମିତି ସାତପାଞ୍ଚ ମିଳି ଗୋସେଇଁଙ୍କ ବଡ଼ିମା ବଢ଼ିଛି । ଗୋସେଇଁ ଆଜିକାଲି ଉତ୍ସବ-ଅନୁଷ୍ଠାନ, ପୂଜା-ପାର୍ବଣ ଦିନରେ ମଧ୍ୟ ଲୋକଙ୍କ ଘରକୁ ଯା’ଆସ ଛାଡ଼ିଲେଣି । ଉଜାଣୀ ଅଞ୍ଚଳରୁ ଗାଁ-ଝିଅ ଆଣିବା ଏକ ନୂଆ କଥା । ବାୟନଘରର ନୂଆ-ବୋହୂକୁ ଦେଖିବାକୁ ଗୋସାଁଣୀଙ୍କ ମନ ସକସକ ହେଉଥିଲା । ଗୋସେଇଁ ଦୂରଗାଁକୁ ଶିଷ୍ୟ ଧରିବାକୁ ଯିବାରୁ, ସେଦିନ ସନ୍ଧ୍ୟାରେ ସଙ୍ଗିନୀ ଜଣକର ହାତରେ ନାଲିଆ-କମକରା-ଫୁଲଫୁଟା ଝାମ୍ପିଟା ଧରାଇ ଗୋସାଁଣୀ ଧରଣୀ ଘରକୁ ବାହାରିଲେ । କଣ କରିବ, କଣ ନକରିବ, ଗୋସାଁଣୀଙ୍କୁ କୋଉଠି ବସିବାକୁ ଦବ, ଠିକ୍‌ କରି ନ ପାରି, ମାନସିକ ଭାରସାମ୍ୟ ହରାଇ ଆହିନୀ ବୋହୂକୁ ଡାକ ପକାଇଲା—“ଆଲୋ ଭିତରଟାରେ ପଶି କ’ଣ କରୁଚୁବା ? ଗୋସାଁଣୀମା’ଙ୍କୁ ବସିବାକୁ ଦବାକୁ ନୂଆ ମସିଣାଟା ଆଣି ଆସୁନୁ କାହିଁକି-?’’

ତରବର ହେଇ ଟଗର ମସିଣାଟି ଆଣି ଆସି, ଘର ଭିତରେ ନା ଅଗଣାରେ ବିଛେଇବ ସେଇ ନିର୍ଦ୍ଦେଶ ପାଇବା ଆଶାରେ ପାଖରେ ଠିଆହେଲା । ଶାଶୁ ତାକୁ ଦେଖି ଗର୍ଜିଉଠଲେ–‘‘ତୁଟା କଣ ଲୋ ?’’ ଥାନ ଟିକିଏ କରି ମସିଣା ଖଣ୍ଡକ ବିଛେଇ ପାରୁନୁ ?”

ଗୋସାଁଣୀ କଣେଇ କରି ଟଗର ଆଡ଼କୁ ଚାହିଁ, ଅଶୁଚି ମସିଣାରେ ବସିବାକୁ ପଡ଼ିପାରେ, ସେଇ ଆଶଙ୍କାରେ କହିଲେ—‘‘ନା ମ, ଥାଉ—ମସିଣା ବିଛେଇବା ଲୋଡ଼ା ନାହିଁ; ବସିବାକୁ ମୋର ସମୟ ହବନାହିଁ । ପିଲାଟି ଦିନରୁ ତ ଏଇ ବାଟେ ଯିବା ଆସିବା—ବୋହୂଟାକୁ ଟିକିଏ ଅନେଇ ଦେଇ ଯିବି ବୋଲି ପଶିଆସିଲି ।’’

 

ଗୋସାଁଣୀଙ୍କ କଥା ଶେଷ ନ ହଉଣୁ, ତାଙ୍କ ପାଦତଳେ ଲମ୍ବହୋଇ ପଡ଼ି ଆହିନୀ କହିଲା—‘‘ହଁ ଗୋ ମା ! ଆଜି ଆମର କି ଭାଗ୍ୟ ! ଯାଚି ଆର୍ଶୀବାଦ ଦେବାକୁ ମା’ ଆଜି ଆଇଚନ୍ତି-।’’

 

—‘‘ହେଲା, ହେଲା, ଉଠ । ବୋହୂକୁ ନେଇ ଆମ ଆଡ଼େ ବେଳେ ବୁଲେଇ ଆଣିବ ।’’

 

ଟଗର ମସିଣା ବିଛେଇ ଭିତରକୁ ଯାଉଛି ଗୁଆ-ବଟା ଆଣିବାକୁ, ଧରଣୀ-ମା’ ମୁଣ୍ଡ ଟେକି ଏପାଖ ସେପାଖ ଅନେଇ ବୋହୂକୁ ନ ଦେଖି ଡାକିଲା—‘‘ଆଲୋ, ପୁଣି ଭିତରେ ଯାଇ ପଶିଲୁ ? ବଟାଟା ଯାଚି ଗୋସାଁଣୀ-ମା’ଙ୍କୁ ପ୍ରମାଣ କରୁନୁ କାହିଁକି ? ମା’ ବାପ ତୋର ଗୁରୁ-ଗୋସେଇଁଙ୍କୁ ସତ୍କାର କରିବାକୁ ଶିଖେଇ ନାହାନ୍ତି ନା ?’’

 

ଗୋସାଁଣୀ ଗମ୍ଭୀର ହେଇ କହିଲେ—‘‘ପିଲା ବୟସରେ ବାହା । ତୁମର କୁହା ବୋଲା ମାନି ଚଳିବାକୁ ବଡ଼ କଷ୍ଟ ହେବ । ପୁଅକୁ ବି ତା’ ହାତ ମୁଠାରେ ରଖିବାକୁ ଚାହିଁବ । ତୁମର ତ ଗୋଟିଏ ବୋଲି ପୁଅ; ତେଣୁ ବୋହୂକୁ ବୁଝେଇ ସୁଝେଇ କଡ଼ାଶାସନରେ ରଖିବ ଏକା ।’’

 

ଟଗର ଗୁଆ-ପାନ-ବଟାଟି ବଢ଼େଇଦେଇ ଆଣ୍ଠୁମାଡ଼ି ପ୍ରଣାମ କଲା, ଶାଶୁଙ୍କୁ ମଧ୍ୟ ମୁଣ୍ଡିଆ ମାଇଲା । ପାନ କେଇପତ୍ର ଉପରେ ରୂପା-ସୁଉକଟି ଚକ୍‌ଚକ୍‌ କରୁଥିଲା । ଗୋସାଁଣୀ ଦେହକୁ ହଲ୍‌ଚଲ୍‌ କରି ବଟାକୁ ହାତ ବଢ଼େଇ ସୁଉକଟି ଉଠେଇ ଆଣି କହିଲେ—‘‘ଉଠ୍‌, ଉଠ୍‌, ପ୍ରଭୁ ତୁମମାନଙ୍କର ମଙ୍ଗଳ କରନ୍ତୁ !’’

 

ଶାଶୁ, ବୋହୂ ଦୁହେଁ ମୁଣ୍ଡ ଉଠେଇବାରୁ, ଗୋସାଁଣୀ ଟଗର ଆଡ଼କୁ ଚାହିଁ ଉପଦେଶ ଦେଲେ— ‘‘ବାୟନଘରର ବୋହୂ ହେବାଟା ତୋର ଭାଗ୍ୟ, ମା ! ଧରଣୀ ଘରର ଅବସ୍ଥା ଏଇନେ କିଛି ତଳେଇଯାଇଚି । ଆଗେ ଏଇ ଘରଟି ନାମ-ଯଶରେ, ଉଚ୍ଚରେ ଥିଲା । ବାୟନର ଘର ପୁଣି ପୂର୍ବଗୌରବ ଫେରିପାଉ, ସେୟା ମୁଁ ଭଗବାନ୍‌ଙ୍କ ନିକଟରେ ପ୍ରାର୍ଥନା କରୁଚି । ଶାଶୁର କୁହାବୋଲା ମାନି ଘରଟି ଚଳେଇବୁ ମା ! ଏତେ ଦିନ ହେଲା ଶାଶୁ ତୋର ଦୁଃଖ-କଷ୍ଟେ ବଂଶର ବତିକୁ ଜଳେଇ ରଖିଛି । ଏବେ ତମେ ଦୁହେଁ ସେଥିରେ ତେଲ ସଳିତା ଦେଇ ଜଳେଇ ରଖିବାକୁ ହେବ ।’’

 

କିଛି ସମୟ ନୀରବ ରହି, ଧରଣୀ ମା’ ଆଡ଼କୁ ଅନେଇ କହିଲେ—‘‘ମୁଁ ଏବେ ଯାଏଁ ଗୋ । ଠିଆରେ ଠିଆରେ ଗୁଆଖଣ୍ଡକ ନ ଖାଇ ଯିବାକୁ ପଡ଼ିଲା—ଖରାପ ଭାବିବ ନାହିଁ ।’’

 

ଧରଣୀର ମା ଶ୍ରଦ୍ଧାରେ ଗଦ୍‌ଗଦ୍‌ ହେଇ କହିଲା—‘‘ସେକଥା କାହିଁକି କହୁଚ ମା, ପଦରଜ ଯେ ପଡ଼ିଲା ସେ ଆମର କେଡ଼େ ଭାଗ୍ୟ !’’ କହୁ କହୁ ପୁଣି ମୁଣ୍ଡ ନୋଇଁ ପ୍ରଣାମ କଲା ।

 

ଝାମ୍ପିଟି ହାତରେ ଧରି ପଛରେ ଠିଆ ହେଇଥିବା ସଙ୍ଗିନୀ ଜଣକ ଆଡ଼କୁ ବୁଲି ଚାହିଁ ଗୋସାଁଣୀ କହିଲେ—‘‘ବେଗି ବେଗି ଯିବାକୁ ହବ, ତେଣେ ନାମ-ଘରେ ବତି ଲଗେଇବାକୁ ହବ । ଗୋସେଇଁ ଆମକୁ ବାଟ ଚାହିଁ ବସିଥିବେ ।’’

 

—‘‘ଆପଣ ଚାଲନ୍ତୁ ।’’—ବୋଲି କହି, ଗୋସାଁଣୀଙ୍କୁ ଆଗେଇବାକୁ ଦେଇ ସଙ୍ଗିନୀ ଜଣକ ଚଟ୍‌କିନା ବଟାରୁ ଗୁଆ-ପାନ କେଇଟା ରୁଣ୍ଡେଇ ନେଇ ଚାଲିଗଲା ।

 

ଆଠ

 

ନୂଆ-ବୋହୂକୁ ଦେଖିବାକୁ ଆସୁଥିବା ଲୋକଙ୍କ ମୁହଁରୁ ଟଗର ନିଜର ଅସଂଖ୍ୟ ଦୋଷ-ଗୁଣ ଶୁଣିଛି । କେହି କେହି ଠୋକ୍‌କର ଦେବାକୁ ମୁହେଁ ମୁହେଁ ନିନ୍ଦା କରିଛନ୍ତି । କେହି ମଉନ-ମୁହିଁ ଟଗର ଶୁଣିଲା ଭଳି ଶାଶୁ ଆଗରେ ନୂଆବୋହୂର ଶହେ-ଛ’ କୋଡ଼ି ଦୋଷ କଥା ଉସୁକେଇ ଯାଇଛି । କେହି ଆଉ କାହା ଆଗରେ ଯାଇ କହିଛି, ତାହା ପୁଣି ପାଟିରେ ପାଟିରେ ଚାଲି ପଦେ ଦୁଇପଦ ଟଗର କାନରେ ଆସି ପଡ଼ିଛି ।

ହଳଦୀଘାଟରୁ ବିହବରର ବଡ଼ଝିଅ ଜେତୁକୀ ବାପଘରେ ବିହୁ ପାଳିବାକୁ ଆସିଥିଲା । ଶାଶୁର ଅତ୍ୟାଚାରରୁ ଦୂରରେ ଅନ୍ତତଃ ଦିନ କେଇଟା ଗଡ଼େଇଦବାକୁ ଦେହ ଅସୁଖ କାରଣ ଦେଖାଇ ସ୍ଵାମୀଘରୁ ନବାକୁ ଆସିଥିବା ଲୋକକୁ ଦୁଇଥର ଫେରାଇ ଦେଲାଣି । ଦିହିପହରିଆ ଏଘର ସେଘର ପଶି ଆ’ କଥା ତା’ଠି, ତା’ କଥା ଆ’ଠି ଲଗେଇବା ଜେତୁକୀର କାମ ।

ଦିହିପହରିଆ ଅଇଁଠା ବାସନକୁସନ ମଜାମଜି ସାରି, ଅଣ୍ଟାପାଣି କରି ପିନ୍ଧା ତିନ୍ତେଇ, ପିନ୍ଧା ପାଲଟି, ଦେହରେ କାଞ୍ଚୁଲି ଖଣ୍ଡିକ ଖୋସି, ମୁଣ୍ଡ କୁଣ୍ଡେଇବ ବୋଲି ବାଳଗୋଛାକ ମୁକାଳି ଦେଇଛି ଟଗର । ଏପରି ସମୟରେ ଜେତୁକୀ ଆବିର୍ଭାବ ହେଇ ଟଗର ସାଥିରେ ଫୁସ୍‌ଫାସ୍‌ ଆରମ୍ଭ କରିଦେଲା ।

ଟଗର କାନର ଥୋରିଆ ଯୋଡ଼ିକୁ ଧରି ନିର୍ଣ୍ଣିମେଷ ନୟନରେ ଅନେଇ ଜେତୁକୀ କହିଲା—‘‘ପଥରଗୁରା ଏଡ଼େ ଢେଲା ଢେଲା—ବାପଘର ବଡ଼ ଧନୀ ପରା । ଥୋରିଆରେ ଏମିତି ପଥର ଲଗେଇଛନ୍ତି ନା ?’’ ଜେତୁକୀ ହାତରୁ କାନକୁ ମୁକ୍ତ କରି ଟଗର ଆଡ଼େଇ ହେଇଗଲା ।

 

—‘‘ମାଲୋ, କଥା ବି କହିବ ନାଇଁ !

କାଞ୍ଚୁଲି ଦେହରେ ପଦ୍ମକେଶର,

ବାପର ଧନରେ ଦେଉଳ ତୋଳିଲା

କଥା ପଦକୁ ଟଙ୍କା ହଜାର ।’’

 

ମୁହଁ ଛିଞ୍ଚାଡ଼ି ଟଗର କହିଲା—‘‘କାହିଁକି ମ ସବୁବେଳେ ଟାହି-ଟାପରା କର ? କଣ ହେଇଚି କହୁନ ?’’

 

—‘‘ମତେ ଦବାକୁ କହିଥିଲ ନା ମୁଗାର ମେଖେଳା ଖଣ୍ଡେ । କାହିଁ ଦେଲ ନାହିଁ ତ ?’’

 

—‘‘ଦେବି ବୋଲି କେତେବେଳେ କହିଥିଲି ? ଦବାକୁ ମୋର କୋଉଠି ହେଲେ ମୁଗାର-ମେଖେଳା ଅଛି ଯେ ?’’

 

—‘‘କି......ପରଦିନ କଣ କହିଥିଲ ?’’

 

ତରବର କରି ମୁଣ୍ଡକୁ ବାନ୍ଧିପକେଇ, କପାଳରେ ସିନ୍ଦୂର ଟୋପାଏ ଲଗାଇବାକୁ କାଠି ଖଣ୍ଡକରେ ପାରିଜାତ-ସିନ୍ଦୂର-ଫରୁଆରୁ ସିନ୍ଦୂର ଆଣୁ ଆଣୁ ଫେରିଚାହିଁ ପଚାରିଲା—‘‘କଣ କହିଥିଲି ?’’

 

ପୁଣି ଟଗରର ଅତି ପାଖକୁ ଆସି ପରିହାସ କରି ଜେତୁକୀ ଢଗ ମେଲିଲା—

 

‘‘ସିରିସିରିଆ ବରଷାକୁ, ହାଳୁହାଳୁଆ ଜୋକ,

କଥା ଦେଇ କଥା ନରଖେ, ଗଡ଼ଜାତିଆ ଲୋକ ।

ଭାଇକି ପଚାରି ଦେବି ବୋଲି କହି ନଥିଲ ନା ?’’

 

—‘‘ମୁଁ ପଚାରି କରି ଦେବି ବୋଲି କହିଥିଲି ନା ତମକୁ କହିଥିଲି ଭାଇଙ୍କଠୁ ମାଗି ନବାକୁ ? ଭାଇ ତମର ଏବେ ଆସିବେ; ଖଣ୍ଡେ କାହିଁକି, ତିନିଖଣ୍ଡ ମାଗିନବ ।’’

 

ସିନ୍ଦୂର ଲଗାହେଲା । ଜେତୁକୀକୁ କୋଠରିରେ ଛାଡ଼ି, ଶାଶୁଙ୍କ ପାଖରେ ଥିବା ବଟାରୁ ଗୁଆଖଣ୍ଡେ ପାଟିରେ ପକେଇବାକୁ, ଟଗର ଧୀରେ ଧୀରେ ବାହାରିଗଲା ।

 

ଦିହିପହରିଆ ଖାଇପିଇ ବିଛଣାରେ ପଡ଼ିବା ଅଭ୍ୟାସ ଧରଣୀ-ମା’ର ନଥିଲା । ବୋହୂ, ଆସିବା ପରଠୁ ବୁଢ଼ୀ ଏଇ ବିଳାସିତାକୁ ଜାବୁଡ଼ି ଧରିଛି । ଶାଶୁଙ୍କୁ ପାଖରେ ଥିବା ବଟା ପାଖରେ ବସିପଡ଼ି ଟଗର ଗୁଆ ଖଣ୍ଡିଏ ପାଟିରେ ପକେଇ ପାନପତ୍ରରେ ଚୂନ ଲଗାଉଛି, ଜେତୁକୀ ଆସି ପହଞ୍ଚିଗଲା ।

 

—‘‘ଆରେ, ମତେତେଣେ ଛାଡ଼ିଦେଇ ଏଠି ଏକା–ଏକା ପାନଗୁଆ ଖାଇବାକୁ ଚାଲି ଆସିଲ ପରା ?’’

 

ଶାଶୁଙ୍କର ନିଦ ହେଇନଥିଲା । ଆଖି ଦି’ଟାକୁ ମୁଦି ବୋହୂର କାମକାର୍ଯ୍ୟକୁ ଦେଖୁଥିଲା-। ଜେତୁକୀର କଥା ଶୁଣି କହିଲେ—‘‘ସବୁତକ ପାଇଦେଏନା । ଜେତୁକୀକୁ ଖଣ୍ଡେ ଦେ-।’’

 

ଶାଶୁଙ୍କ ନିର୍ଦ୍ଦେଶ ପାଇବା ପୂର୍ବରୁ ଟଗର ଜେତୁକୀ ହାତରେ ଗୁଆଖଣ୍ଡେ ଦେଇଦେଇଥିଲା । ତା’କୁ ପାଟିରେ ଭରି, ଚୂନ ଟିକିଏ ପାଇଁ ହାତ ପାତି, ଅଣ୍ଟା ହଲେଇ, ମୁହଁକୁ ତଳକୁ କଲା ଜେତୁକୀ । ଡବାରୁ ଚୂନ ଖୋଳୁଖୋଳୁ ଜେତୁକୀର ଆଖି ଦି’ଟା ଟଗରର କପାଳ ଆଡ଼କୁ ବଲ୍‌ ବଲ୍‌ କରି ଅନେଇଥିଲେ । ଚୂନ ଟିକକ ଦାନ୍ତରେ ଲଗେଇବା ବେଳେ ମୁହଁକୁ ତିନିବଙ୍କା କରି, ଆଶ୍ଚର୍ଯ୍ୟ ହେଲା ଭଳି ଜେତୁକୀ କହିଲା—“ମାଲୋ, ମୁଣ୍ଡରେ ଏମିତି ମୁଗଟାକର ସିନ୍ଦୂର ନାଆନ୍ତି ନା ? ସିନ୍ଦୂର କଣ ଏଡ଼େ ଅକାଳ ପଡ଼ିଚି ? ଧରଣୀ-ଭାଇକୁ କହିଲେ ଚାନ୍ଦମଲ୍‌ ଦୋକାନରୁ ସିନ୍ଦୂର ପୁଡ଼ାଏ ଆଣିଦିଅନ୍ତା ନି ? ନୂଆବୋହୂ, ହେଇ ଏଇ ଟିକକ ସିନ୍ଦୂର ମୁଣ୍ଡରେ ନାଇବା ଦେଖି ଲୋକେ କଣ କହିବେ ? ଯାହା କହ, ବୋହୂଟା ସେଇ ଉଜାଣୀଆ ନିୟମକୁ ଜାବୁଡ଼ି ଧରିଚି ।’’

 

କଥାଟି କହିଦେଇ ତାର ପ୍ରତିକ୍ରିୟା କଣ ହେଉଚି ସେଇ କଥା ଜାଣିବାକୁ, ବିଛଣାରେ ପଡ଼ିଥିବା ଧରଣୀ-ମା’ ଆଡ଼କୁ ଚାହିଁରହିଲା ଜେତୁକୀ । ଶାଶୁ ବି ବୋହୂର ଛିଦ୍ରକୁ ଉଣ୍ଡି ରହିଥିଲା । ଜେତୁକୀର କଥା ଶୁଣି, ଏକା ଝୁଙ୍କରେ ବିଛଣାରୁ ମୁଣ୍ଡ ଉଠେଇ କହିଲା—‘‘ଖୁନ୍ଦା ଦିଟା ଦେଇ ଶିଖେଇ ଦଉନୁ କାହିଁକି । ପିଲାବେଳୁ ବାହାହେଇଥିଲେ ତିନିଚାରିଟାର ମା’ ହୁଅନ୍ତାଣି—ସେ ପୁଣି ଏବେ ମୁଣ୍ଡରେ ସିନ୍ଦୂର ପିନ୍ଧି ଜାଣିଲା ନାହିଁ ! ମୁଣ୍ଡରେ ସିନ୍ଦୂର ନ ନାଇ ଆଉ ଗୋଟାକରେ ଯିବାକୁ ମନ କଲାଣି ନା କଣ !’’

 

ଜେତୁକୀର ଅତ୍ୟାଚାରରୁ ରକ୍ଷା ପାଇବା ପାଇଁ ଟଗର ଶାଶୁ ପାଖକୁ ପଳେଇ ଆସିଥିଲା । କିନ୍ତୁ ଶାଶୁଙ୍କଠୁ ବି ଅଯଥାରେ ଗାଳି ଖାଇ, ଆଖିରୁ ଲୁହ ପୋଛି ସେଠୁ ବି ପଳେଇବାକୁ ତାର ତର ସହିଲା ନାହିଁ । ବୋହୂ, ସକ୍‌ସକ୍‌ କରି କାନ୍ଦି ଉଠିଯାଆନ୍ତେ, ଆହିନୀ ଜେତୁକୀକୁ ଚାହିଁ କହିଲା—‘‘ଦେଖୁଛୁନା ବଡ଼ଲୋକ ଝିଅର ରାଗକୁ ? କିବା କଥାଟିଏ କହିଲି—ସେଥିରେ ଗୋଇଠା ମାଇଲା ଭଳି ଉଠିଯାଇ ରୋଷଘରେ ପଶିଲାଣି । କଅଁଳ କଥା ମନକୁ ବାଧିଗଲା ପରା !’’

 

ଧରଣୀ-ମା’ର ଭଲ ନଜରକୁ ଆସିବ ବୋଲି ଜେତୁକୀ ବିଛଣା ପାଖକୁ ଯାଇ ଉକୁଣି ଖୋଜିବାକୁ ବୁଢ଼ୀର ବାଳ ଗୋଛାକ ମୁକାଳି ଦେଲା । ଉକୁଣି ଦେଖୁ ଦେଖୁ ବହୁତବେଳ ଯାଏଁ ଦୁହିଁଙ୍କ ଭିତରେ ଟଗରର ଦୋଷ ତ୍ରୁଟି ବିଷୟରେ ଚର୍ଚ୍ଚା ଚାଲିଲା ।

 

ଉପରବେଳା ଗାଁ ବୁଲେଇବାକୁ ଟଗରକୁ ନବାର କଥା । ଶାଶୁ ନିଦରୁ ଉଠୁ ଉଠୁ ଚଞ୍ଚଳ ପିନ୍ଧି ବାହାରିବାକୁ ଟଗରକୁ ନିର୍ଦ୍ଦେଶ ଦେଲେ । ପେଡ଼ିକଯାକ ଲୁଗାପଟା ବାଛି ବାଛି, ମା’ନିଜ ହାତରେ ବୁଣି ଦେଇଥିବା ଫୁଲପକା ‘ପାଟ’ ର ସାଜଟି ପିନ୍ଧିବା ପାଇଁ ବାହାର କଲା ଟଗର । ଫୁଲପକା କାଞ୍ଚୁଲି, ମେଖେଳା ଏବଂ ଜରିର ବୁଟାଦିଆ ଚାଦର ଖଣ୍ଡିକ ହାତରେ ଧରି ମା’ କଥା ମନେ ପଡ଼ିବାରୁ ଟଗରର ଆଖି ଛଳଛଳ ହେଲା । ପିନ୍ଧିବ ନପିନ୍ଧିବ ଭାବିଭାବି ଶେଷରେ ତାକୁଇ ପିନ୍ଧିଲା । ସଦ୍ୟଜାତ ସନ୍ତାନର ମୁହଁ ଦେଖିବାକୁ ମା’ର ଯେଉଁ ଆଗ୍ରହ, ନୂଆ ସାଜ ପିନ୍ଧିବାକୁ ଠିକ୍‌ ସେମିତି ଆଗ୍ରହ ଝିଅ-ବୋହୂଙ୍କର ।

 

ନୂତନ ପୋଷାକ ଝିଅ-ବୋହୂଙ୍କୁ ନୂତନ ଯୌବନ ଆଣିଦିଏ । ଦର୍ପଣ ଆଗରେ ଠିଆ ହେଇ ଉନ୍ନତ ବକ୍ଷକୁ ଢାଙ୍କି କାଞ୍ଚୁଲି ଖଣ୍ଡକ ଅଣ୍ଟାରେ ଖୋସୁଛି, ଚାଦର ଖଣ୍ଡିକ ଭଲକରି କାନ୍ଧରେ ପକାଇ ଓଢ଼ଣୀଟି ଓଠ ଯାଏଁ ବୋଲି ଲମ୍ବେଇ ଦର୍ପଣରେ ନିଜର ପ୍ରତିଚ୍ଛବିରେ ନିଜେ ବିମୋହିତ ହୋଇ ଆତ୍ମତୃପ୍ତି ଲାଭ କରୁଛି ଟଗର । ବସନ୍ତର ବୃକ୍ଷ ପ୍ରକୃତିଗତ ଭାବରେ ପୁଷ୍ପବିଶୋଭିତ ହେବା ପରି ଟଗରର ସୁନ୍ଦର ମୁଖମଣ୍ଡଳରେ ହସ ଫୁଟିଲା । କେହି ଆସୁଥିବ ବୋଲି ମଝିରେ ମଝିରେ ଦୁଆରବନ୍ଧ ଆଡ଼କୁ ଘୂରି ଅନାଉଛି । ମନେ ମନେ ଆଶା କରୁଛି—ଯଦି କୌଣସି ମତେ ଏଇ ସାଜପୋଷାକରେ ଧରଣୀ ତାକୁ ଦେଖନ୍ତା କି ! ସ୍ଵାମୀ ଆଗରେ ସଜେଇ ହେଇ ଗେହ୍ଳେଇ ହେବା ପ୍ରତ୍ୟେକ ଯୁବତୀର ଆକାଂକ୍ଷା । କିନ୍ତୁ ଗାଉଁଲିଆ ଜୀବନରେ ସେ ସୌଭାଗ୍ୟ ସ୍ଵପ୍ନ । ବାହାହେଇ ଆସିବ । ପ୍ରଥମ ଅବସ୍ଥାରୁ ହିଁ ରାତିର ଚକୁଆଚକୋଈ ପରି ଦିନ ସାରା ସ୍ଵାମୀ-ସ୍ତ୍ରୀ ଜଣେ ଜଣକର ମୁହଁ ନ ଚାହିଁ ରହିବାକୁ ପଡ଼ିଥାଏ । ସକାଳେ ଶୋଇବା ବିଛଣାରେ ସ୍ଵାମୀଙ୍କୁ ଛାଡ଼ିଲେ ଯେ ପୁଣି ଯାଇ ରାତିରେ ଶୋଇବା ବିଛଣାରେ ନପଡ଼ିବାଯାଏଁ ଦେଖା-ସାକ୍ଷାତ୍‌, କଥାବାର୍ତ୍ତା ଭୋ-ଦୟା । କେତେବେଳେ ବା କୌଣସି ଚୁଙ୍ଗୁ ଚଙ୍ଗିଆ ଯୁବକ ଏପାଖ ସେପାଖ କରି ଦିହିପହରିଆ ଶୋଇବା କୋଠରିରେ ପଶି ସ୍ତ୍ରୀ ସହିତ ଆଳାପ କରିବାକୁ ପାଏ—ସେ ପୁଣି ଭୟରେ ଭୟରେ । କୌଣସି ମତେ ଯଦି ଶାଶୁ, ଶ୍ଵଶୁର, ଦିଅର-ଦେଢ଼ଶୁର ଅଥବା ଅନ୍ୟ ଗୁରୁଜନଙ୍କ ହାବୁଡ଼ରେ ପଡ଼ିବାକୁ ହେଲା–ତେବେ ନିର୍ଲଜ୍ଜୀ-ବୋହୂ, ଉପରେ କୁଢ଼ କୁଢ଼ ଗାଳି ଅନିବାର୍ଯ୍ୟ ।

 

ଆଣ୍ଠୁ ତଳ ଯାଏଁ ମେଖେଳା ଖଣ୍ଡିକ ପିନ୍ଧି, ବୋହୂଠୁ ମଗା କପା ସୂତାର ଚାଦର ଖଣ୍ଡିକ ଦେହରେ ପକାଇ, ଟଗରର ଅପେକ୍ଷାରେ ଅଗଣାରେ ଛିଡ଼ା ହେଇଛ ଶାଶୁବୁଢ଼ୀ । ଟିକିଏ ରହି, ପାଟିର ଗୁଆକୁ ଚୋବେଇ ଚୋବେଇ ଶେଷକରି, ବୋହୂର ଆଗମନରେ ବିଳମ୍ବ ଦେଖି ଚିତ୍କାର କଲା—‘‘ଆଲୋ ହେ, ତୋ’ର କଣ ଏଯାଏଁ ସଜେଇ ହେବା ସଇଲା ନାହିଁ ? ସେଠିଟାରେ ପଶି କଣ କନ୍ୟା ହବାକୁ ବସିଗଲୁ ?’’ ଶାଶୁର ଚିତ୍କାର ଶୁଣି, ପିନ୍ଧା ଠିକ୍ ହେଲା ନା ନାହିଁ ଅନେଇ ନେଇ, ଓଢ଼ଣୀକୁ ତଳକୁ ଲମ୍ବେଇ ଦେଇ ବାହାରକୁ ବାହାରିଲା ଟଗର । ଲବଣୀ ପିତୁଳା ମୁହଁ ସାଙ୍ଗକୁ ଲମ୍ବା ଚଉଡ଼ା ଦେହରେ ଫୁଲପକା ସାଜଟି ଟଗରକୁ ବଢ଼ିଆ ମାନୁଥିଲା । ବୋହୂ, ଯେ ଏଡ଼େ ମୂଲ୍ୟବାନ୍‌ ସାଜ ପୋଷାକ ପିନ୍ଧୁଛି, ତାହା ଦେଖି ଆହିନୀ ଆଶ୍ଚର୍ଯ୍ୟ ହେଲା । ସଙ୍ଗେ ସଙ୍ଗେ ନିଜ ଘରର ଦାରିଦ୍ର୍ୟ ପ୍ରତି ଲକ୍ଷ୍ୟ କରି ଭାବିଲା ବୋହୂ ଯେମିତି ପୋଷାକ ସମ୍ପତ୍ତିର ଆଡ଼ମ୍ବର ଦେଖେଇ ଧରଣୀ-ଘରକୁ ଥଟ୍ଟା କରୁଛି । କଥାଟା ମନକୁ ଆସିବା ମାତ୍ରେଇ ବୋହୂ ଆଡ଼କୁ ଭ୍ରୂକୁଟି କରି ଚାହିଁ କହିଲା—‘‘ହଇଲୋ ଫୁଲେଈ ରାଧିକା ! ରସରସିଆ ପୋଷାକ ପିନ୍ଧି କାହାକୁ ବରିବାକୁ ବାହାରିଲୁ-?’’

 

ସକାଳର ରଙ୍ଗିନ୍‌ ସୂର୍ଯ୍ୟକୁ ହଠାତ୍‌ କଳା ମେଘ ଢାଙ୍କି ଦେଲାପରି ଶାଶୁଙ୍କର ଦେହ ଚିଡ଼ା କଥା ଟଗର ମୁଁହକୁ ମଳିନ କରିଦେଲା । ତାତିଲା ନିଶ୍ଵାସ ଛାଡ଼ି, ବିଚାରି ଶାଶୁର ଗୋଡ଼କୁ ଅନୁସରଣ କରି ଗାଁ ବୁଲିବାକୁ ଗଲା ।

 

ନଅ

 

ବ୍ରାହ୍ମଣର ବ୍ରାହ୍ମଣତ୍ଵ ଉପବୀତରେ, ସ୍ତ୍ରୀର ଗୌରବ ମାତୃତ୍ଵରେ, ମା’ର ସମ୍ମାନ ପୁଅପାଇଁ ବୋହୂ, ଆଣିବାରେ । ବୋହୂ, ଆସିବାର ପରଦିନଠାରୁ ଧରଣୀ-ମା’ର ଦୈନନ୍ଦିନ କାର୍ଯ୍ୟର ପରିବର୍ତ୍ତନ ହେଲା । ପରଦିନ ସକାଳୁ କୁଆ କୁକୁଡ଼ା ନ ଡାକୁଣୁ, ଟଗର ନିଦରୁ ଉଠି ଶାଶୁ ଏତେଦିନ କରିଆସୁଥିବା କାମଗୁଡ଼ିକୁ ନିଜେ ଆଦରି ନେଲା । ରନ୍ଧାଘର କୋଣରେ ଆଉଜା ଛାଞ୍ଚୁଣୀମୁଠା ଆଣି ବାହାର ଅଗଣା ଚଟାପଟ ପହଁରି ନେଇ, ଘର ପଛଆଡ଼ର ପୋଖରୀରେ ଗାଧୋଇ କଳସେ ପାଣି ଆଣି ଧରଣୀ ପାଇଁ ପିଣ୍ଡାରେ ଲୋଟା ଗାମୁଛା ସଜାଡ଼ି ଥୋଇଲା । ଅନ୍ୟ ଘରର ଅଜଣା ଅଚିହ୍ନା ଝିଅଟିଏ ରାତିକ ଭିତରେ ସ୍ଵାମୀର ଘରଟିକୁ କେମିତି ଆପଣାର କରିନେଲା, ସେଇ କଥା ଭାବିଲେ ଆଶ୍ଚର୍ଯ୍ୟ ଲାଗେ ।

 

ପ୍ରଥମ ଦିନରୁ ହିଁ ଟଗର ଶାଶୁଙ୍କର ଯଥାଯଥ ସେବାଯତ୍ନ କରିବାକୁ ଲାଗିଛି । କୌଣସି କାମ କରିବା ପାଇଁ ଶାଶୁ ମଧ୍ୟ ଥରକରୁ ଦୁଇଥର କହିବା ଯାଏଁ କଥା ଯାଇ ନାହିଁ । ଘରର କେଉଁ କାମଗୁଡ଼ିକ ନିଜେ କରିବାକୁ ପଡ଼ିବ, ନିଜର ସ୍ଵାଭାବିକ ଜ୍ଞାନରେ ଟଗର ଠଉରେଇ ନେଲା ଦିନେ ଦୁଇଦିନ ଭିତରେ । ରନ୍ଧାହାଣ୍ଡିକୁ ଛାଡ଼ି ବାହାର ଭିତରର ସମସ୍ତ କାମ ଟଗର ଉପରେ ପଡ଼ିଲା । ପାଣି ଆଣି, ଚାଉଳ ଧୋଇ, ପନିପରିବା କାଟାକୁଟି ସବୁମତେ ଶାଶୁଙ୍କର ମନନେଇ ଚଳିବାକୁ ଟଗର ଚେଷ୍ଟା କଲା । ଶାଶୁ ରାତିରେ ଥଣ୍ଡା ଜାଡ଼ ପାଇବେ ବୋଲି ନିତି ଶେଯପଟା ଖରାରେ ମେଲେଇ ଦିଏ । ଶାଶୁ ଖାଇବା ବେଳେ ପାଖରେ ବସି ଏଇଟା ସେଇଟା ଖାଇବାକୁ ଯତ୍ନରେ ବଳାଏ । ଭାତ ଖାଇ ଉଠୁଣୁ ମୁଖ-ବାସ ପାଇଁ ବାଟକୁ ବଢ଼େଇଦିଏ । ରାତି ଶୋଇବାକୁ ଗଲେ–‘‘ମା’ ଯାଉଚି ଶୋଇବି ।’’ —ବୋଲି କହି ଶୋଇବା କୋଠରିରେ ପଶେ ।

 

ଛୋଟାର ପ୍ରତି ପଦକ୍ଷେପରେ ଦୋଷ । ଏତେ କରିଧରି ମଧ୍ୟ ଟଗର ଶାଶୁଙ୍କର ମନ ନେଇପାରିଲା ନାହିଁ । ଜାତିକୁଳ କଥାରେ ପ୍ରଥମରୁ ଧରଣୀ-ମା’ର ବୋହୂ, ଉପରେ ରାଗ ଉଠିବା ସ୍ଵାଭାବିକ । କିନ୍ତୁ-ତା ହାତରେ ଖବର ନେଇ ଝିଅଘରର ଅସଲ ପରିଚୟ ପାଇବା ପରେ ସମାଜର ରାଗ ଯେତେବେଳେ ଶାନ୍ତ ପଡ଼ିଲା, ସେପରି ସ୍ଥଳେ ଆହିନୀ ଆଉ ରାଗ କରିବାର କୌଣସି କାରଣ ନ ରହିବା କଥା । ତଦୁପରି, ବାୟନଘର ତାଙ୍କ ସାତପୁରୁଷରେ ନଦେଖା ଯୌତୁକ ଜିନିଷପାତି, ପେଡ଼ି-ପେଟରା, କଂସାଗିନା, ଖଟ-ପଲଙ୍କ, ଚଉକି-ଟେବୁଲରେ ଯେତେବେଳେ ଭରି ପଡ଼ିଲା, ଆହିନୀ ତାକୁ ଦେଖି ଅନ୍ତତଃ, ବୋହୂର ସମସ୍ତ ଅପରାଧ କ୍ଷମା କରିଦେବା ଉଚିତ ଥିଲା । କିନ୍ତୁ ଯୌତୁକ ଜିନିଷ ପାତି ବୋହୂ, ପ୍ରତି ଶାଶୁର ଈର୍ଷାକୁ ଆହୁରି ବଢ଼େଇ ଦେଲା । ଝିଅର ରୂପ-ମୋହରେ ପଡ଼ି ମା’ର ମତାମତ ନ ନେଇ ବାହା ହେଇ, ପୁଅ ମା’କୁ ଅବଜ୍ଞା କରିଛି; ଏବେ ଯଦି ସ୍ତ୍ରୀର ଧନ-ସମ୍ପତ୍ତିର ମୋହରେ ପଡ଼ି ମା’କୁ ଦେଖିପାରିବ ନାହିଁ ? ମା’ ଭୟ କରୁଛି, ପୁଅ ନିଜ ଇଚ୍ଛାରେ ବାହା ହେଇଥିବାରୁ କେଜାଣି ବା ବୋହୂର ଭକ୍ତି ସୂର୍ଯ୍ୟମୁଖୀ ଫୁଲ ସଦୃଶ ସର୍ବଦା ସ୍ଵାମୀ ଆଡ଼କୁ ଅନେଇ ଥାଇପାରେ ।

 

ଏଇ ସବୁ ଭାବିଚିନ୍ତି, ଆହିନୀ ବୋହୂକୁ ଶାସନର ଶିକୁଳିରେ ବାନ୍ଧି ଧରିଲା । କିନ୍ତୁ ବୋହୂ ଉପରେ କର୍ତ୍ତୃତ୍ଵ ଆରୋପ କରିବାକୁ ଯାଆନ୍ତେ ନିଜର ଅଜ୍ଞାତସାରରେ ସାରା ଘରର କର୍ତ୍ତୃତ୍ଵ ନିଜଠାରୁ ଧୀରେ ଧୀରେ ଅନ୍ତର ହେଲା । ଘରକାମ ସବୁ ବୋହୂ ହାତରେ ଛାଡ଼ିବା ସଙ୍ଗେ ସଙ୍ଗେ ଘରର କର୍ତ୍ତୁତ୍ଵ ବେଶ୍‌ ଭଲଭାବରେ ଟଗର ହାତକୁ ଆସିଲା । ସାଇ-ପଡ଼ିଶାଏ ଆଗଭଳି ଗୁଆଟାଏ, ପାନପତ୍ର, ଚୂନ ଟିକିଏ ପାଇଁ ଆହିନୀର ପାଖ ନ ପଶି ଟଗର ପାଖରେ ହିଁ ଧାରଣା ଦେଲା । ନୂଆବୋହୂଠାରୁ ବିମୁଖ ହେବାର ଭୟ ନାହିଁ । ହାଟ ବଜାରରୁ ଏଇଟା ସେଇଟା ଆଣିବାର ଦରକାର ପଡ଼ିଲେ, ଧରଣୀ ଟଗରକୁ ହିଁ ପଚାରେ, ଟଗର ହାତରେ ହିଁ ଜିନିଷପାତି ସମର୍ପିଦିଏ ।

 

ଆସିବାର ପରଦିନ ହିଁ ପାଭୈ ଦେହରେ ପକାଇବାକୁ ଖଣ୍ଡେ କପା ଚାଦର କଥା କହିଥିଲା ଟଗରକୁ । ନୂଆବୋହୂଟି ଲାଜରେ ନାହିଁ କରିବାକୁ କଷ୍ଟ ହେବାରୁ ପରେ ଦବ ବୋଲି ସମ୍ମତ ହୋଇଥିଲା । କିନ୍ତୁ, ନୂଆବୋହୂ, ଅତିଥିମାନଙ୍କୁ ମାନ୍ୟକରା ଶେଷ ହୋଇ ନ ଥିବାରୁ, ଦୁଇଦିନ ହେଲା ଆସି ଟଗରଠୁ ସେ ଖଣ୍ଡିକ ଖସେଇପାରିନି । ଆଜି ଦିହିପହରିଆ ଆସି ଶାଶୁ ବୋହୂ, ଦି’ଜଣଙ୍କୁ ପାନବଟା ପାଖରେ ଅଗଣାରେ ବସିଥିବାର ଦେଖିବାକୁ ପାଇଲି । ଧରଣୀ-ମା’ଠୁ ଗୁଆଖଣ୍ଡେ ମାଗିନେଇ ପାଭୈ ସେଇଠି ବସିଗଲା । ପାଭୈ ବସୁ ବସୁ ଟଗର ଭିତରକୁ ଚାଲିଗଲା-। ପାଭୈ ମଧ୍ୟ ମାଗିବାକୁ ସୁବିଧା ହେବ ବୋଲି ଉଠିବାକୁ ଇଚ୍ଛାକଲା; କିନ୍ତୁ, ଆହିନୀ ୟାଡ଼ୁ ସାଡ଼ୁ ପଚରା-ପଚରି କରି ପାଭୈକୁ ପାଖରୁ ଛାଡ଼ିଲା ନାହିଁ । କିଛି ସମୟ ପରେ ଧୀରେ ଉଠି ପାଭୈ ନୂଆବୋହୂର ଶୋଇବା କୋଠରିରେ ପଶିଲା ।

 

ପାଭୈ ସେ କଣ ଗୋଟାଏ ଖସେଇ ନବାର ଆଶାରେ ବୋହୂର ପାଖରେ ପହଞ୍ଚିଲାଣି, ଶାଶୁ ଅନୁମାନରେ ବୁଝି ପାରି ଅଗଣାରେ ଅନେଇ ବସି କାନ ପାରିଲା । ବୋହୂ, ଏପେଡ଼ି, ସେ ପେଡ଼ି ଖୋଜି ପୁରୁଣା ଚାଦର ନ ପାଇ ନୂଆ ଖଣ୍ଡେ କାଢ଼ି ପାଭୈକୁ ଦେଲା । କାଖ ତଳେ ଚାଦର ଖଣ୍ଡକ ଲୁଚେଇ ଧରି, ମୁହଁରେ ମୁହେଁ ହସ ହସି ପାଭୈ ବାହାରିଲା । କିନ୍ତୁ ବାଘର ଭୟ ଯେଉଁଠି, ରାତି ହୁଏ ସେଇଠି । ମନ ଆନନ୍ଦରେ ଅନ୍ୟମନସ୍କ ହେଇ ପିଣ୍ଡା ତଳକୁ ଓହ୍ଳେଇ ଯାଆନ୍ତେ ଅତର୍କିତ ଭାବରେ ପାଭୈର କାଖତଳୁ ଖସକିନା ପୁଟୁଳାଟି ଓହଳି ପଡ଼ିଲା । ବେଙ୍ଗ ବାହାରିଲା, ସାପ ବି ଦେଖିଲା । ଧରିଣୀର ମା’ ତରବର ହେଇ କହି ପକେଇଲା—କଣ ସେଖଣ୍ଡକ ପାଇଲୁ କି-?

 

ବୁଢ଼ୀ କାଳେ ମାଗି ରଖିନବ, ସେଇ ଭୟରେ ଲୋମ-ଚତୁରୀ ପାଭୈ ଚଟ୍‌ପଟ୍‌ ପୁଟୁଳିଟିକୁ କାଖତଳେ ଭରିଦେଇ କହିଲା—‘‘ବୋହୂଠୁ ଛିଣ୍ଡା-ଫଟା ଲୁଗାଖଣ୍ଡେ ମାଗି ନେଲି । ବାହାରକୁ ବାହାରିବି ବୋଲି ଦେହରେ କନାଖଣ୍ଡେ ବି ଦବାକୁ ନାହିଁ ।’’ ଆଉ ବୁଢ଼ୀ ପାଖରେ ନ ବସି ‘‘ମାଉସୀ ମ, ମୁଁ ଏବେ ଯାଏଁ...’’ କହି, ପାଭୈ ଟଙ୍ଗ-ଟଙ୍ଗ ହୋଇ ବାହାରିଗଲା ।

 

ପାଭୈର ଚତୁରିପଣିଆଠୁ ବଳି ଶାଶୁ । ତାକୁ ନ ପଚାରି ଦାନ-ଖଇରାତ କରିଥିବାରୁ ବୋହୂ ଉପରେ ଅଗ୍ନିଶର୍ମା ହେଲା । ଟଗରକୁ ଶୁଣେଇ ଶୁଣେଇ ଅଗଣାରୁ, କଥାରେ ଲଥା ଦେଇ ବକିବାକୁ ଆରମ୍ଭ କଲା—‘‘ଆଲୋ ଗଜମୁଣ୍ଡି, ତୁ କଣ ଲଙ୍ଗଳା-ଜଗତକୁ ପିନ୍ଧେଇବାକୁ ଆଇଚୁ ? ଗୋଟେ ଘରର ମୁଣ୍ଡ ଖାଇ ଆଇଲୁ—ମା’ର ମୁଣ୍ଡ ଖାଇଲୁ, ବାପକୁ ଦେଶାନ୍ତରୀ କଲୁ—ଏବେ ଏଇଠି ବାପଘର ସମ୍ପତ୍ତିକୁ ଦେଖେଇବାକୁ ଆଇଚୁ, ନା ? ସେ ପୁଣି ମତେ ପଦେ ପଚାରି ଦେଲା ନାହିଁ ! ଆଲୋ, ପାଭୈ ତୋର ବାପଘର ଆଡ଼ୁ କୁଟୁମ୍ବ, ନା ମା’ ଆଡ଼ୁ ? ରହିଥା, ତତେ ମୁଁ ଶିକ୍ଷାଟାଏ ନ ଦେଇ ଛାଡ଼ୁନି । ପାନେ ଖାଇଲେ ଯାଇ ବୁଦ୍ଧିଏ ଶିଖିବୁ ।’’

 

ଟଗରର ବିରକ୍ତି ନ ଆସିବା ଯାଏଁ ଶାଶୁ ଅନର୍ଗଳ ବକିଗଲା । ଏଇଭଳି ହେଲାନୋହିଲାରେ ବୋହୂକୁ କଟୁ ଭାଷାରେ ବକାବକି କରି, ଅକାରଣରେ ଗାଳିମନ୍ଦ ଦେଇ ଧରଣୀ-ମା’ ହୃତ କର୍ତ୍ତୃତ୍ୱକୁ ଫେରିପାଇବା ଚେଷ୍ଟାକଲା ।

 

ଦଶ

 

ନିଜର ଶାସନରେ ସନ୍ତୁଷ୍ଟ ନ ହୋଇ, ବୋହୂର ଦୋଷ-ଦୁର୍ବଳତାର କଥା ନେଇ ନିତି ପ୍ରତି ପୁଅ ଆଗରେ ବଖାଣିବାକୁ ଲାଗିଲା ଆହିନୀ । ହେଲେ ଆଜିକାଲି ସବୁବେଳେ ପୁଅର ସାକ୍ଷାତ ପାଇବା କଷ୍ଟକର ହୋଇପଡ଼ିଛି । ବାହାଘର ଆଗରୁ-ଘରକୁ ଆସିଲେ, ପୁଅ ମା’ ସଙ୍ଗରେ ଗୋଟିଏ ବିଛଣାରେ ଶୋଉଥିଲା, ଗରମ ଦିନରେ ମା’ ପିଠି କୁଣ୍ଡେଇ ଘିମିରି ଖୁଣ୍ଟି, ବିଛଣାରେ ବିଞ୍ଚି ନ ଦେଲେ ପୁଅର ନିଦ ହଉ ନ ଥିଲା । ଦିହିପହରିଆ ଭାତଥାଳି ପାଖରେ ବସି ଶହେ ଛ’କୋଡ଼ି ଗପ ନ ଗପିଲେ ପାଟିକୁ ଗୁଣ୍ଡା ବି ଉଠୁନଥିଲା ପୁଅର । ସେତେବେଳେ ପୁଅର ଦାନ୍ତରେ ଭାତଟିଏ ଲାଗିଲେ ମା’ ଜାଣିପାରୁଥିଲା; କିନ୍ତୁ ବୋହୂ ଆଣିବା ଦିନଠୁ ପୁଅ ଆଡ଼େଇ ଆଡ଼େଇ ଚଳପ୍ରଚଳ ହେଲା । ଘର-ସଂସାର ଚଳେଇବା ପାଇଁ ନିର୍ଦ୍ଦେଶ, ଉପଦେଶ ନବା ଛାଡ଼ି, ଉପଯାଚି ହେଇ ମା’ ଯଦି କେବେ କଥା କହିବାକୁ ଗଲା, ନ ଶୁଣିଲା ଭଳି ହେଇ ଧରଣୀ ବାଟ କାଟେ ।

 

ଯେଉଁ ଧରଣୀ ଆଗେ ଚାରିଟା ପଇସାର ମାଛହାଟରୁ କିଣି ଆଣିବା ପାଇଁ ବି ମା’କୁ ପଚାରୁଥିଲା, ସେଇ ଧରଣୀ ମା’ ନ ଜାଣି ଭଗୀରଥର ଖିରତି-ଗାଈଟିଏ ଛ’ଟଙ୍କାରେ କିଣି ଆଣିଲା-। ଆଣିଲା ତ ଆଣିଲା—କିନ୍ତୁ, ଗାଈଟିକୁ ଆଣି ଭଲା ମା’ ଜିମା ଦେଇଥାନ୍ତା ! ତା’ ନ କରି ପୁଅ କଲା କଣ ? ପାଦ ଧୋଇବା ପାଇଁ ଏବଂ ଲୁଣପାଣି ପିଏଇବା ପାଇଁ ଗାଈଟିକୁ ଅଗଣାରେ ଠିଆ କରାଇ, ସ୍ତ୍ରୀଆଡ଼କୁ ଚାହିଁ ହସି ହସି ପଚାରିଲା—‘‘ଗାଈ ଦୁହିଁ ପାରିବ ନାହିଁ ? ଆଜିଠାରୁ ଗାଈ ଗୁହାଳର ଭାର ତମ ଉପରେ ।’’

 

ବୁଢ଼ୀ ବୟସରେ ମା’ ଉପରେ ଗାଈଟିର ଦାୟିତ୍ଵ ଚାପିବା ଉଚିତ ହେବ ନାହିଁ ବୋଲି ହିଁ ଧରଣୀ ଏଇ କଥାଟି କହିଥିଲା । କିନ୍ତୁ ମା’ ବୁଝିଲା ଓଲଟା ଏବଂ ଅସନ୍ତୁଷ୍ଟ ହୋଇ ଭାବିଲା—‘‘ହଁ ବା, ମୁଁ କଣ ଖିର ଖାଇବାକୁ ଗାଈ ଆଣିଚି କି ଯେ ମତେ ପଚାରନ୍ତା ? ଅଘରଣୀ ଘରଣୀ ହେଲା–ତୁ ବୁଢ଼ୀ-ହାଡ଼ୀ କାହାର କ’ଣ କି ?’’

 

ଦେହଟା ଜ୍ଵର ଜ୍ଵର ଲାଗୁଚି ବୋଲି କହି ସେଦିନ ଆହିନୀ ପୁଅ-ବୋହୂଙ୍କୁ ଓପାସରେ ରଖି ସନ୍ଧ୍ୟାରୁ ବିଛଣାରେ ପଡ଼ିଲା । ପୁଅ-ବୋହୂଏ କରିଥିବା ଅତ୍ୟାଚାର, ଅବିଚାର, ଅପମାନର କଥା ଭାବିଭାବି ଆଖିରୁ ପାଣି ଝରେଇ ଝରେଇ, ରାତିଟା ସାରା ଏକଡ଼ ସେକଡ଼ ହେଇ ବୁଢ଼ୀର ନିଦ ମଲା ।

 

ଦିନ ଯେତେ ବିତିଲା, ପୁଅ-ବୋହୂଙ୍କ ଉପରେ ବୁଢ଼ୀର ଅଭିମାନର ପରିମାଣ ବି ସେତେ ବଢ଼ିବାକୁ ଲାଗିଲା । ପୁଅ ଆଗରେ ବୋହୂ, ନାଁରେ ଛ’କୁ ନଅ କହି କୌଣସି ପ୍ରତିକାର ବିଧାନ ନ ଦେଖି, ମାଇପ ବୋଲକରା ପୁଅକୁ ବି ବୁଢ଼ୀ ଦୁଇ ଆଖିରେ ଦେଖିପାରିଲା ନାହିଁ । ଧରଣୀ ଯେବେ କେବେ ଧୀରେ ସୁସ୍ଥେ କିଛି ପଚାରେ, ମା’ ଫିଙ୍ଗା-ଫୋପଡ଼ା ଉତ୍ତର ଦିଏ; ସଉକ କରି କଣଟାଏ ମାଗିଲେ ବୁଢ଼ୀ କଟର-କଟର ଲଗାଏ । ଆଗରେ ପାନବଟାକୁ ଥୋଇ, ଅଗଣାରେ ବସି, ପଡ଼ୋଶୀ ଦୁଇଜଣ ସ୍ତ୍ରୀଲୋକ ସହିତ ଆହିନୀ ଆଳାପ କରୁଥିଲା—ଧରଣୀ କୋଉଠୁ ଆସି ପାଖରେ ଧପ୍‌କିନା ବସିପଡ଼ି ମା’କୁ ଗୁଆଖଣ୍ଡେ ମାଗିଲା । ଗୁଆ ଦେବ କଣ, ମୁହଁ ଆଖି ଭ୍ରୂକୁଟି କରି ପୁଅକୁ ଅନେଇ କହିଲା—‘‘ମତେ ତୁଛାଟାରେ ହରକତ କରିବାକୁ ଆସିବୁନୁ, ମାଇପକୁ ମାଗି ଖାଉନୁ କାହିଁକି ?’’ କଥାପଦକ କହି,ପାନ ଦୁଇପତ୍ର ହବ ବାହାର କରିଦବାକୁ ଚିତ୍କାର କରି ଡାକିଲା ବୋହୂକୁ । ଅକାରଣରେ ଗାଳି ଖାଇ ଧୀରେ ଧୀରେ ଉଠିଗଲା ଧରଣୀ ।

 

ଭାତଥାଳିରେ ଆଜିକାଲି ଧରଣୀର ଏଇ ଅବସ୍ଥା । ପୁଅକୁ କେମିତି ଛ’ତିଅଣ ନ’ଭଜା କରି ଖୁଆଇବ, କୋଉଠୁ ମାଛ ଦି’ଟା, ଖିର ଟୋପାଏ ଆସିବ—ସକାଳୁ ସଞ୍ଜଯାଏ ମା’ର ଆଗେ ସେଇ ଚିନ୍ତା ଥିଲା । ପିଲାଦିନରୁ ଧରଣୀର ପେଟ ଅସୁଖ । ସେଇଥିପାଇଁ ମା’ ବହୁତ ବାଛବିଚାର କରି ପୁଅକୁ ଖୁଆଉଥିଲା । କେବେ କେମିତି ପସାରୁଣୀପତ୍ର ଖୋଜି ଲୋଡ଼ି ଆଣି ବନେଇ ଚୁନେଇ ଝୋଳକରି ରାନ୍ଧୁଥିଲା । କେବେ ଭେଦାଇଲତାର ପତ୍ରରେ ବରା ଦି’ଟା ଭାଜୁଥିଲା; କେଉଁ ଦିନ କୋରୋଲା ଲତା, ନରସିଂହ କେଶରର ପଥି ତିଆରି କରୁଥିଲା । ଔଷଧ-ତରକାରିକୁ କାଳେ ପୁଅ ପତ୍ରରେ ଛାଡ଼ିଯିବ, ପାଖରେ ବସି ‘ଏଟିକ ଖାଇଦେ’, ‘ସେଟିକ ଖାଇଦେ’ ବୋଲି ନିର୍ଦ୍ଦେଶ ଦେଉଥିଲା । ନିଜେ ନ ଖାଇବାର ଥିଲେ ବି ପୁଅକୁ ଉପବାସରେ ରଖିବା କଷ୍ଟ ହେବ ବୋଲି, ପୂର୍ଣ୍ଣମୀ, ଏକାଦଶୀ ଦିନ ମଧ୍ୟ ଚୁଲି ଜଳେଇବା ଛାଡ଼ୁ ନଥିଲା ଆହିନୀ । କିନ୍ତୁ, ଏବେ ସବୁ କିଛି ବିପରୀତ ହେଲା । ପୁଅ ଯେଉଁ ପନିପରିବାକୁ ଭଲପାଏ ମା’ ତାର ପାଖ ମାଡ଼େନା । ରନ୍ଧାବଢ଼ାରେ ବୁଢ଼ୀ ଆଗପରି ମନ ଦେଉନାହିଁ । କେବେ ତରକାରିରେ ଲୁଣ ପକେଇବାକୁ ପାଶୋରୁଛି ତ କେବେ କେବେ ଜିଭ ବାନ୍ଧି ହେଲା ଭଳି ଦୁଇଥର ଲୁଣ ପକେଇ ଦଉଛି । କେଉଁ ଦିନ ସାରୁ-ଶାଗ-ଖଟାରେ ବଡ଼ଠାକରା ଆମ୍ବୁଲ ଦି’ଖଣ୍ଡ ପକେଇବ ବୋଲି ଭାବି, ଭାବନାରେ ରହିଯାଉଛି । କେଉଁଦିନ ‘ଖାର’ ବେଶି ଦେଇଦବା ଫଳରେ କଳା-ମୁଗ ଡାଲିଟା ପାଟିରେ ନ ଦବା ଭଳି ହେଇ ଯାଉଛି ।

 

ଖାଇବା ପିଇବା କୌଣସି କଥାରେ ମା’କୁ ମୁଣ୍ଡଟେକି ପଦେ ହେଲେ ଉଁ-ଚୁଁ କରେ ନାହିଁ ଧରଣୀ । ଯେଉଁଦିନ ରୁଚିକର ବୋଧହୁଏ ଅଧିକ ମୁଠାଏ ମାଗି ଖାଏ । କେଉଁଦିନ ପାଟିକି ଗୁଣ୍ଡାଏ ନେଇଚିକି ନାହିଁ ଠା’ରୁ ଉଠି ମୁହଁ ଧୋଏ । ଭାତ ଥାଳିରେ ଛାଡ଼ିଯିବା ଦେଖିଲେ ମା’ ପାଟି ଫିଟାଏ–“ହଁ, ଆଜିକାଲି ମା’-ରନ୍ଧା ଭାତ-ତିଅଣ ଆଉ ପାଟିକି ରୁଚିବ କାହିଁକି ! ମାଇପକୁ ତୋର ଅଲଗା ପାଗ କରିବାକୁ କେବେଠୁ କହିଲିଣି—ବୋହୂ, ହେଇ ଆସିବା ଆଜି କି ବରଷେ ଛ’ମାସ ହେଲା–ଆଉ କେତେ ଦିନ ନୂଆବୋହୂ, କରି ମାଇପକୁ ଘରକୋଣରେ ରଖିବ ? ଅଲଗା ପାଗ କରି ସେ ଅଲଗା ହେଇ ଚଳୁ—ମୁଁ ବୁଢ଼ୀଲୋକ, ପାରିଲେ ମୁଠେ ରାନ୍ଧିବି—ଖାଇବି—ନ ପାରିଲେ, ଓପାସ ରହିବି । ମୁଁ ଆଉ ତମମାନଙ୍କର ଜଞ୍ଜାଳରେ ଘାଣ୍ଟି ହେଇପାରିବି ନାହିଁ ।’’

 

ଶାଶୁଙ୍କ ବୋଲଣା ଶୁଣି ସେଦିନ ଟଗର ମୁହଁରେ ଦେଇହଉ ନଥିବା ତରକାରିକୁ ଗିନା ଚାଟିଚାଟି ଖାଇଲା କିନ୍ତୁ ।

 

ଲଗାଏତ କେଇଦିନ ଧରଣୀର ଖିଆପିଆ ଭଲ ନ ହେବା ଦେଖି, ସ୍ଵାମୀଙ୍କ ରୁଚିକର ପନିପରିବା କେଇଟା ଆଣି, ନିଜେ କାଟି ବାଛି ଖନ୍ଦାଶାଳରେ ଥୋଇଲା ଟଗର । ହାକ୍‌-ସିଝା ବାଇଗଣଟିକୁ ପୋଡ଼ା ଖୁଣ୍ଟାରେ ଚୁଲିରୁ ବାହାର କରୁ କରୁ, ଟଗର ପରିବା କଂସାଟି ବଢ଼େଇ ଦେବା ଦେଖି, ବୋହୂ ଆଡ଼କୁ କେଡ଼େ କେଡ଼େ ଆଖିରେ ହିଁ ଆହିନୀ କହିଲା—‘‘ସେଗୁଡ଼ା ଏବେ ତୋର କୋଉଁ ଚାକରାଣୀ ରାନ୍ଧିବ ବୋଲି ଆଣିଛି ? ଆଲୋ, ଅରୁଚି ଯଦି ଧରିଚି, ଅଲଗା ହାଣ୍ଡିକରି ଖାଉନୁ କାହିଁକି ? ନିଆଁ ଧାସରେ ଖରାବେଳଯାଏଁ ପୋଡ଼ିଜଳି-ସିଝି ତମମାନଙ୍କ ପାଟିରେ ସୁଆଦ ଚଖେଇବାକୁ ମୋର ବଳ-ବଅସ ନାହିଁ ।’’

 

ବିଚାରି ଟଗର ଭୟରେ ଭୟରେ ଆଡ଼େଇଗଲା । ବାଡ଼ିରୁ କାଟିଅଣା ଶାଗ ମୁଠିକର ପୁଣି ବାଡ଼ିକୁ ଗତି ହେଲା ସନ୍ଧ୍ୟା ପରେ ।

 

ଏଗାର

 

ବୋହୂ, ବିପକ୍ଷରେ ଅନୁଯୋଗ, ଅଭିଯୋଗ ଜଣାଇ ପୁଅଠାରୁ କୌଣସି ପ୍ରତିକାରର ସୂଚନା ନ ପାଇ ଆହିନୀ ସାଇପଡ଼ିଶାଙ୍କ ଆଗରେ ଟଗରର ଦୋଷ ଦୁର୍ନାମ ଗାଇଲାଗିଲା । କାଁ-ଭାଁ ଖବର-ଅନ୍ତର ନବାକୁ ଯେ କେହି ପଡ଼ୋଶୀ ବୁଢ଼ୀ ପାଖରେ ଆସି ପହଞ୍ଚେ, ତା ସହିତ ଆଡ଼୍‌ଡ଼ା ଜମେଇ ବୋହୂର ଦୋଷ-ଦୁର୍ବଳତାର ଚୋପା ଛଡ଼ାଏ ଆହିନୀ ।—‘‘ଶାଶୁକୁ ବୋହୂ, କୁଟାଖଣ୍ଡକ ଜ୍ଞାନ କରେନା ।’’ ‘‘କାମ କାର୍ଯ୍ୟ ନେଇ ଶାଶୁ ସାଙ୍ଗରେ ଖେଣ୍ଟିଆ-ଖେଣ୍ଟି ଲାଗେ ।’’ ‘‘ଧନ ଦେଇ କିଣା ଗେରସ୍ତ ସଙ୍ଗେ ଏକଶାଶୁ ବିରୁଦ୍ଧରେ ଚକ୍ରାନ୍ତ କରୁଛି ।’’ ‘‘ଘଇତା ମାଇପେ ଏଟା ସେଟା ଆଣି ବିଛଣାରେ ଖାଆନ୍ତି’’... ଇତ୍ୟାଦି ଇତ୍ୟାଦି... ଏଇସବୁ ହେଲା ଧରଣୀ-ମା’ର ପୁଅ-ବୋହୂଙ୍କ ବିରୁଦ୍ଧରେ ଅଭିଯୋଗ ।

 

ଅଗଣା ପହଁରୁ ପହଁରୁ ଅଜାଣତରେ ଦିନେ ଟଗର ବାଢ଼ୁଣୀଟା ଶାଶୁର ପାଦ ପାଖଦେଇ ପହଁରିଲା । ଶାଶୁ ସେଥିରେ “ବୋହୂଟା ମୋ ଦେହକୁ ବାଢୁଣୀ ଉଠେଇଲା” ବୋଲି ବାହୁନି ବାହୁନି କାନ୍ଦି କାଟି ଭାତ ପାଣି ନ ଖାଇ ତୁମୂଳ କାଣ୍ଡ କରିବସିଲା । ଶାଶୁ ସାଥିରେ ପୁଅ-ବୋହୂଙ୍କ ପାଟିରେ ବି ଦୁଇଦିନ ହେଲା ପାଣି ଟୋପେ ବାଜିଲା ନାହିଁ । ଦୁଇଦିନ ପରେ ଗୋଡ଼ହାତ ଧରି ନାନା କାକୁତି-ମିନତି କଲାରୁ ବୁଢ଼ୀର ରାଗ ଶାନ୍ତ ପଡ଼ିଲା ।

 

ଗାଧୋଇ ସାରି, ପାଣିଗରାଟା ଆଣିବାରେ ତିନ୍ତା-ମେଖେଳାର ପାଣିଛିଟିକା ଶାଶୁର ଦେହରେ ପକେଇଛି ବୋଲି କେତେ ଦିନ ଯେ ଆହିନୀ ବୋହୂକୁ ନାକରେ ଆଖିରେ ନ କନ୍ଦେଇଛି, ତାର ହିସାବ ନାହିଁ । ଚଟାଣରେ ପଡ଼ିଥିବା ଅଶୌଚ କନାକୁ ଛୁଇଁଛି ବୋଲି, ମାସକେ ପକ୍ଷକେ କେତେଥର ପିତଳ ବାସନ କଡ଼େଇ ନିଆଁରେ ପୋଡ଼ି, ଗୋବରପାଣି ପିଇ ଟଗରକୁ ପ୍ରାୟଶ୍ଚିତ କରିବାକୁ ନ ପଡ଼ିଛି ?

 

ଚୈତ୍ରମାସ ପ୍ରବେଶ କଲା । ‘ବିହୁ’ ଆଉ ବେଶି ଦିନ ନାହିଁ । ପୂର୍ବଦିନ ରାତିରୁ ଢେଙ୍କିଶାଳରେ ଧାନଉସୁଆଁ ହାଣ୍ଡିରେ ହାଣ୍ଡିଏ କୋମଳ-ଧାନ ବସେଇଥିଲା ଆହିନୀ । ସକାଳୁ ଶୋଇବା ଶେଯରୁ ଉଠୁ ଉଠୁ ବାଡ଼ିକୋଣରେ ପଡ଼ିଥିବା ଗୁଆଗଛ ଖୁଣ୍ଟା କେଇଟା ଆଉ ଶୁଖିଲା ରାଞ୍ଜି କାଠ ବୋଝଟାଏ ରୁଣ୍ଡେଇ-ପୁଣ୍ଡେଇ ଆଣି ଅଗଣାରେ ପକେଇ ବୋହୂକୁ ଆଦେଶ ଦେଲା–‘‘ହେଇଲୋ, ବେଗି ବେଗି ଗାଧୁଆ-ପାଧୁଆ ସାରି ଧାନ ହାଣ୍ଡିତଳେ ନିଆଁ ଟିକିଏ ଦେଇଯା-। ସକାଳବେଳା ଶୁଖେଇ ନେଇପାରିଲେ ଉପରବେଳା କୁଟିକାଟି ଆଜି ଚାଉଳ କରିପାରିବା-।’’

 

ଗାଧୋଇ ଆସି ଟଗର ହାଣ୍ଡିତଳେ ନିଆଁ ଜଳେଇଲା । ଚୈତ୍ରମାସିଆ ଖରାରେ ଶୁଖା ଖଡ଼ଖଡ଼ ରାଞ୍ଜକାଠ ନିଆଁରେ ପଡ଼ିଲାମାତ୍ରେ ହାଉ ହାଉ ହୋଇ ଜଳିଉଠିଲା । ନିଆଁତକ ହାଣ୍ଡିତଳକୁ ପେଲିଦେଇ ଫାଳ ବାଉଁଶଖଣ୍ଡକରେ ହାଣ୍ଡିର ଧାନକୁ ଚଳେଇ ଦେଲା । ଭକ୍‌ ଭକ୍‌ ହେଇ ଧାନ ଫୁଟିଲା । ଫୁଟାଧାନ କେଇଟା ଛିଟିକି ଆସି ତଳେ ପଡ଼ିଲାଣି । ବାଉଁଶଫାଳିଆ ଅଗରେ ଧାନକେଇଟା ହାଣ୍ଡିରୁ କାଢ଼ି, ଆଙ୍ଗୁଳିରେ ଚିପା-ଚିପି କରି ଭଲଭାବରେ ସିଝିଲାଣି କି ନାହିଁ ପରୀକ୍ଷା କରୁଛି ଟଗର । କିନ୍ତୁ କାଢ଼ିବାକୁ ହେଲାଣି କି ନାହିଁ ଜାଣି ନ ପାରି ରନ୍ଧାଘର ଦୁଆରବନ୍ଧକୁ ଯାଇ ଶାଶୁଙ୍କୁ କହିଲା—‘‘ମା, ଧାନ କାଢ଼ିବାକୁ ହେଲାଣି କି ନାହିଁ ଥରେ ଟିକିଏ ଦେଖିଆସନ୍ତ ।’’

 

ଯେଉଁଠି ମେଘର ଚିହ୍ନବର୍ଣ୍ଣ ନାହିଁ, ସେଇଠି ବର୍ଷା । ଲାଉରେ ଚିଙ୍ଗୁଡ଼ି ପକାଇ ଖଟା ଟିକେ ରାନ୍ଧିବ ବୋଲି କଚ୍‌ କଚ୍‌ କରି ଲାଉ କାଟିବାରେ ବ୍ୟସ୍ତ ଥିଲା ଆହିନୀ । ବୋହୂର ଡାକରା ପାଇ ଗରଗର ହେଇ କହିଲା—‘‘ବୁଢ଼ୀଟା ଦେଖିଲେ ଯାଇ ହବ କୋଉ ବଡ଼ଲୋକର ଘରୁ ଆଇଚୁ ଯେ ଧାନ କେଇଟା ସିଝେଇ ପାରିବୁନି ?’’ ଆହିନୀର ପାଟି-ବନ୍ଧ ଭାଙ୍ଗିଲେ କୂଳ ମାନେନା-। କାଟୁଥିବା ଲାଉ ଖଣ୍ଡିକ କଂସାରେ ଦୁଲ୍‌କିନା ପକେଇ ଉତୁରା ଭାତପରି ପାଟିରେ ବକ୍‌ ବକ୍‌ ହେଇ ଢେଙ୍କିଶାଳରେ ପଶିଲା । ବୋହୂ, ଚଳାଉଥିବା ବାଉଁଶ ଫାଳିଆରେ ଧାନ କେଇଟା ହାଣ୍ଡିରୁ କାଢ଼ି ଚୁଲି ପାଖରେ ଛିଞ୍ଚାଡ଼ି ପକେଇଲା । ବୋହୂ, ଆଡ଼କୁ ଭ୍ରୂକୁଟ କରି ଚାହିଁ କହିଲା—“କଣ ଲୋ ପୋଡ଼ାମୁହିଁ ? ଧାନ ଯାଇ ଭାତ ହେବାକୁ ବସିଲାଣି । କାଢ଼ିପକା, କାଢ଼ିପକା—ବେଗିକାଢ଼ି ପକା-।” ପୁଣି ଦି’ଟା ଖଣ୍ଡେ ଧାନ କାଢ଼ି ରଡ଼ିଛାଡ଼ିଲା—‘‘ଏଠିଟାରେ ଠିଆହେଲୁ କଣ ବା ? ମୁହଁ ଖଣ୍ଡରେ ଧାନ କାଢ଼ିବୁ କି ? ଯା-ଯା, ରନ୍ଧାଘରୁ କଂସା-ସରେଇଟା ନେଇଆ ।’’ କଥା କହୁ କହୁ ସେ ବି ବୋହୂ, ସାଙ୍ଗରେ ରନ୍ଧାଘର ଆଡ଼କୁ ଦୌଡ଼ିଲା ।

 

ଟଗର କଂସା-ସରେଇଟା ଆଣି, କାଠ ଦୁଇଖଣ୍ଡ ଉପରେ ପାଛିଆଟା ରଖି ଧାନ କାଢ଼ିବାକୁ ଲାଗିଲା । ତା’ପରେ ସକାଳୁ ଲିପିପୋଛି ପରିଷ୍କାର କରିଥିବା ଅଗଣାରେ ପଟିଆ ଦି’ଟା ବିଛେଇଲା । ଧାନରୁ ପାଣିଝରା ଶେଷ ହବାରୁ କଷ୍ଟେମଷ୍ଟେ ପାଛିଆଟା ଅଗଣାକୁ ଆଣି, ପଟିଆ ଉପରେ ଧାନତକ ଢାଳି ବାଢ଼ଣୀ ଖଣ୍ଡକରେ ଖେଳେଇ ପକେଇଲା ।

 

ଶୋଇବା ଶେଯରୁ ଉଠୁ ନଉଠୁଣୁ ଖରା ମାଡ଼ିଆସୁଥିଲା । ସକାଳ ପହରୁ ବିଚାରି ନିଆଁ ପାଖରେ । ଦିହିପହରଟା ସାରା ଧାନ ଖେଳେଇ ଖେଳେଇ ଅଗଣାରେ ରହିବାକୁ ପଡ଼ିଲା—ଦିହିପହର ଗୋଟାକର ଖରା ଟଗର ମୁଣ୍ଡରେ ଭେଦିଛି । ଝାଳରେ ଦିହ ମୁଣ୍ଡ ତିନ୍ତି ବୁଡ଼ିଗଲାଣି, ପାଟି ତଣ୍ଟି ଶୁଖିଗଲାଣି । ତଥାପି ପାଣିଟୋପେ ପିଇବାକୁ ଯିବାକୁ ସାହସ କରିନି—କାଳେ ଶାଶୁ ଦୋଷ ଧରିବେ । ଟାଣ ଖରା-ଅଳ୍ପକେ ଧାନ ଶୁଖିଯିବ—ଏକେବାରେ ଗୋଟେଇ-ପୋଟେଇ ଥୋଇ ଭିତରକୁ ଯିବ—ଏୟା ଭାବି ବହୁତ ବେଳ ମନକୁ ଟାଣକରି ଅଗଣାରେ ହିଁ ବସିଛି । କିନ୍ତୁ ବିଚାରି ଆଉ ରହିପାରିଲା ନାହିଁ । ମୁଣ୍ଡଟା ବୁଲେଇଲା ଭଳି ଲାଗିଲା—ଦେହ ଝିମିଝିମି ମାରିଲା—ଆଖିରେ ଜୁଳୁଜୁଳିଆ ପୋକ ଦେଖାଗଲା । କୌଣସି ପ୍ରକାରେ ବସିବାଠୁ ଉଠି ଠିଆହୋଇ ଶୋଇବା କୋଠରି ଆଡ଼େ ଧୀରେ ଧୀରେ ପାଦ ପକେଇଲା । ବହୁତ ବେଳ ଯାଏ ଖରାରେ ବସିଥିବାରୁ ଆଖିକୁ ଝାପ୍‌ସା ଝାପ୍‌ସା ଦେଖାଯାଉଥିଲା । ଅଣ୍ଡାଳି ଅଣ୍ଡାଳି ଯାଇ ଦୁଆରବନ୍ଧ ପାରହେଇଚି ମାତ୍ର, ଝୁଣ୍ଟିପଡ଼ି ଦୁମକିନା ପଡ଼ିଗଲା ।

 

ଅଳ୍ପ ସମୟ ପରେ ଦିହିପହର-ଭାତଖିଆ ପାଇଁ ଲୁଣ ଟିକିଏ ମାଗିବାକୁ ଆସି, ଜେତୁକୀ ପହଞ୍ଚିଲା ଧରଣୀ-ଘର ଦୁଆରେ । ଶୁଖା ହେଇଥିବା ଧାନକୁ ଧରଣୀର ଗାଈଟା ଗେଫା ଗେଫା କରି ଖାଇଯାଉଛି । ସତେ ଅବା ଆଗରେ ବାଘଟାଏ ଦେଖିଲା ଭଳି ଜେତୁକୀ ଚିତ୍କାର କଲା–‘‘ବୋହୂଲୋ, ହେ ବୋହୂ,—ଆଲୋ ବୋହୂ; କୁଆଡ଼େ ତମେସବୁ ମଲଣି କିଲୋ ? ଗାଈ ଧାନଗୁଡ଼ାକ ଖାଇ ପକାଇଲାଣି ।’’

 

ଜେତୁକୀର ଚିତ୍କାର ଶୁଣି ଆହିନୀ ହାଣ୍ଡିଶାଳରୁ ତରବରିଆ ହେଇ ବାହାରିଆସିଲା । ଜେତୁକୀର ତଣ୍ଟିଫଟା ଚିତ୍କାରରେ ଗାଈଟା ମଧ୍ୟ ଭୟ ପାଇ ଗୁହାଳ ଆଡ଼କୁ ଧାଉଡ଼ି ଦେଲା । ‘‘ବୋହୂଟା ଏବେ ଗଲା କୁଆଡ଼ିକି ?’’ ପଚାରିଲା ଜେତୁକୀ ।

 

ଚାଦରରେ ହଳଦୀହାତକୁ ପୋଛି ପୋଛି ଗାଈ କେତେ ଧାନ ଖାଇଗଲା ସେକୁ ଦେଖିବା ପାଇଁ ଅଗଣାରେ ଶୁଖା ଧାନ ଉପରେ ଆଖି ଦିଟା ରଖି ଆହିନୀ କହିଲା—‘‘ଜାଣିଚି ପରା, କୁଆଡ଼ିକି ମରିବାକୁ ଗଲାଣି । ଗାଈଗୋରୁକୁ ଦୃଷ୍ଟି ଦେଇ, ଧାନକୁ ଖେଳେଇ ଖେଳେଇ ଅଗଣାରେ ବସିରହିବାକୁ କହିଥିଲି । ମୁଁ ବି ହାଣ୍ଡି ଶାଳେ ପଶିଲି, ମା-ମାହେଶ୍ୱରୀ ଯାଇ ବିଛଣା ଧଇଲେଣି ।’’

 

ଧାନ ପାଖକୁ ଆସି, ଧାନ କେଇଟା ଚିପି ବୋହୂକୁ ଡାକ ଛାଡ଼ିଲା—‘‘ଆଲୋ ଧୋବ ପିନ୍ଧି ଶୋଇବାଘରେ ଯାଇ ପଶିଲୁ ନା ? ଗୁରୁ-ଭକ୍ତଙ୍କ ଲାଗିହବା ଧାନକୁ ବାସୀ ବିଛଣା ଛୁଇଁ ସାଇତିବୁ, ନା ?’’

 

କଥାତକ ଶେଷ କରି ବୋହୂର ବାହାରି ଆସିବାକୁ କିଛି ସମୟ ଅପେକ୍ଷା କଲା ଆହିନୀ-। ଶୋଇବାଘରୁ ଟଗର ବାହାରିବାର କୌଣସି ସୁର୍‌-ଶବଦ ନାହିଁ । ବୋହୂଟା ଚଞ୍ଚଳ ବାହାରି ଆସନ୍ତା ଯଦି ଜେତୁକୀ ବି ଲୁଣ ଟିକିଏ ଚନ୍ଦେଇ ପାରନ୍ତା । ଆହିନୀ ସହିତ ଜେତୁକୀ ମଧ୍ୟ ଚିତ୍କାର କଲା—‘‘ବୋହୂ, ! ଆଲୋ ହେ ବୋହୂ, ଆସୁନୁ କାହିଁକି ବା ? ଭରା ଦିହିପହରଟାରେ ତୋର ପୁଣି ଏମିତି ଗାଢ଼ ନିଦ ହେଇଚି, ନା ?’’

 

ଅଗଣାର ମୁଣ୍ଡଫଟା ଖରାରେ ରହି ନ ପାରି ଆହିନୀ ଏବଂ ଜେତୁକୀ ଦୁହେଁ ଯାଇ ରନ୍ଧାଘର ଦୁଆରବନ୍ଧ ପାଖରେ ଅପେକ୍ଷା କଲେ ଟଗର ବାହାରି ଆସିବାକୁ; କିନ୍ତୁ ଟଗର ବାହାରିବାର କୌଣସି ପ୍ରକାର ଆଭାସ ମିଳିଲା ନାହିଁ ।

 

—‘‘ଆଲୋ, ତୋର ପୁଣି ଏମିତି ମଲା-ନିଦ ? ଖରାରେ ଧାନତକ ଖଇ ଫୁଟିବାକୁ ବସିଲାଣି—ଥରେ ହେଲେ ହାତ ବୁଲେଇ ଦେଇଯାଉନୁ କାହିଁକି ?’’

‘‘ମିଛରେ କାହିଁକି ରଡ଼ି ମରୁଚୁ—ବୋହୂର ତେଣେ କୁମ୍ଭକର୍ଣ୍ଣ ନିଦ ।’’ ଭଜା-ହାଣ୍ଡିର ଖଇ ଭଳି ଜେତୁକୀ ବି ଫଟ୍‌ଫଟ୍‌ ହେଲା ।

ଜେତୁକୀର କଥାପଦକ ଲଗାଣିଆ ଜାଳକାଠର କାମ ଦେଲା । ଆହିନୀ, ଜେତୁକୀକୁ ନିର୍ଦ୍ଦେଶ ଦେଇ କହିଲା—‘‘ଗଲୁ, ଗଲୁ, ବାଳଗୋଛାକ ଧରି ତାକୁ ଘୋଷାଡ଼ି ଆଣିଲୁ ।’’ ଜେତୁକୀ ହଲଚଲ ନ ହବା ଦେଖି ପୁଣି କହିଲା—‘‘ଆଲୋ ଯାଆବା, ଆମ ଅପସରୀ ଶୋଇବା ଘରେ ପଶି କି ସରୁ ସୂତା ବସି କାଟୁଚି ଟିକିଏ ଦେଖି ଆ ବା ।’’

—‘‘ହାଣ୍ଡିଶାଳରୁ ସିଧା ଲୁଣ ଟିକିଏ ପାଇଁ ତମ ଘରକୁ ଆଇଲି, ଫେରି ଯାଇ ପୁଣି ହାଣ୍ଡିଶାଳରେ ପଶିବାକୁ ପଡ଼ିବ । ଧୋବପିନ୍ଧି ତମ ବୋହୂର ଶୋଇବାଘରକୁ ଏବେ ଯିବି କେମେତେ ?’’

ମା’ ଆଉ ଜେତୁକୀ ରଡ଼ାରଡି କରିବା ଭିତରେ ଧରଣୀ ଆସି ଘରେ ପହଞ୍ଚିଲା । ଏଇ ଭରା ଦିହିପହରେ ନଟକୁଟିଆଣୀ ଜେତୁକୀକୁ ମା’ ସହିତ ରନ୍ଧାଘର ଦୁଆରବନ୍ଧ ପାଖରେ ଠିଆହେଇଥିବା ଦେଖୁ ଦେଖୁ ଘରେ କିଛି ଗୋଟାଏ ଅଘଟଣ ଘଟିଛି ବୋଲି ଧରଣୀ ଅନୁମାନ କରିନେଲା । ଧରଣୀକୁ ଦେଖି ଜେତୁକୀ ପାଟି ଖୋଲିଲା—‘‘ଭଲ ବେଳରେ ଆସି ପହଞ୍ଚିଚ, ଭାଇ-!’’

—‘‘କଣ ହେଇଚି ?’’ ଉତ୍ସୁକ ଭାବରେ ଧରଣୀ ପଚାରିଲା ।

—‘‘ବୋହୂ, ଯାଇ ବିଛଣାରେ ।’’

—‘‘କଣ ହେଇଚି ତା’ର, କହୁନୁ କାହିଁକି ?’’

ଧରଣୀର ପ୍ରଶ୍ନରେ ଅସ୍ଵାଭବିକ ଉଦ୍‌ବେଗ, ଉତ୍ତେଜନା ପ୍ରକାଶ ପାଇଲା । ସେୟାକୁ ଲକ୍ଷ୍ୟ କରି ଆହିନୀ କହିଲା—‘ଓ’...‘ହୋ’..‘ହୋ’...ମାଇପ ବିଛଣାରେ ପଡ଼ି ଉଠିପାରୁନି—ଯା-ଯା...ଯାଇ ମୁଣ୍ଡରେ ତେଲ ଘଷିଦେ... ।

ଘରେ ପଶିବା ଆଗରୁ ଜମି ଖଣ୍ଡିକର ସୀମା-ବାବଦ ନେଇ ଗାଁରେ କେଇଜଣଙ୍କ ସହିତ ପାଟିତୁଣ୍ଡ କରି ଆସିଛି ଧରଣୀ । ସେଇ ରାଗାଗ୍ନିରେ ଚଇତମାସିଆ ବେଳଟା ବେଶ୍‌ ଭଲକରି ଢଳିଗଲାଣି । ଧରଣୀର ସହିବାର ସୀମା ପାର ହେଇଯାଇଛି । ମା’ର ବିଦ୍ରୂପ କଥାରେ, ନିଆଁ କାଠିରେ ଲାଗିଲା ତୁଳା ପରି ରାଗଟା ତା’ର ଦାଉକିନା ଜଳିଉଠିଲା । ଅକସ୍ମାତ୍‌ ଉତ୍ତେଜିତ ହୋଇ ଧରଣୀ ମୁହଁରୁ ହଠାତ୍‌ ବାହାରି ପଡ଼ିଲା—‘‘ଦୁହେଁ ମିଶି ମଣିଷର ମୁଣ୍ଡକୁ ଚୋବେଇବାକୁ ବସିଚ । ଆଖିରେ ଦେଖୁଚଟି ମଣିଷଟାର ଅବସ୍ଥା ନାହିଁ । ତଥାପି ପାଣିଅଣାଠୁ ଧାନକୁଟାଯାଏ ସବୁ ତା ଉପରେ ଲଦିଦେଇ ତମମାନଙ୍କର ସନ୍ତୋଷ ।’’ ବହୁବଚନ ବ୍ୟବହାର କରି ମା’ ସହିତ ଜେତୁକୀକୁ ବି ଯୋଡ଼ଦେଲା ଧରଣୀ ।

—‘‘ଦେଖ୍‌ଲୋ ଦେଖ, ନିଧଡ଼୍‍କ ନିର୍ଲଜ୍ଜକୁ—ତୋ ମାଇପକୁ ମୁଁ କଣ ଧାନକୁଟି, ପାଣି ବୋହି ଖୁଆନ୍ତି ନା କଣ ? ସେଇ କଥାଗୁଡ଼ା ତୋ ପାଟିରୁ ବାହାରିବା ଆଗରୁ ଜିଭଟା ତୋର ଛିଣ୍ଡି ନ ଗଲା କାହିଁକି ?’’

 

ଧରଣୀର ଶାନ୍ତ ହବାକୁ ଚାହୁଁ ଥିବା ରାଗ ପୁଣି ମା’ର ଗାଳିରେ ଦପ୍‌ଦପ୍‌ ହେଇ ଜଳିଉଠିଲା—“ବୋହୂ, କେବେ ଧାନ ନକୁଟି, ପାଣି ନବୋହି ଠିଆ-ଯୁଦ୍ଧ କରିଚି କି ? କିନ୍ତୁ ଆଜି ଏଇ ମୁଣ୍ଡଫଟା ଖରାରେ ଧାନ ହାଣ୍ଡିକ ସିଝେଇବାକୁ ତୋର କୋଉ ଗରଜ ପଡ଼ିଥିଲା ଶୁଣେ ? ବୋକା-ଚାଉଳ ନହେଲେ ଯଦି ପେଟ ନପୁରୁଚି ତେବେ ପାଗ-ଯୋଗ ଦେଖି ଆଉ ଦିନେ ସିଝେଇଥିଲେ କଣ ହେଇଯାଉଥିଲା ତୋ’ର... ? ପାଟିକୁ ଯାହା ଆସିଲା ତାହା ବକିଯାଇ ଶୋଇବା ଘରେ ପଶିଲା ଧରଣୀ ।

 

ପୁଅଠୁ ଏତେଟା ନିର୍ମମ ପ୍ରତ୍ୟୁତ୍ତର କେବେ ବି ଆଶଙ୍କା କରି ନ ଥିଲା ଆହିନୀ । ମାଟିର-ମଣିଷ ଧରଣୀର ଉଗ୍ରମୂର୍ତ୍ତି ଦେଖି ଜେତୁକୀ ବି ବଜ୍ରାହତ ଭଳି ହେଲା । ଧରଣୀ ଚକ୍ଷୁ-ଅନ୍ତରାଳକୁ ଯିବା ସଙ୍ଗେ ସଙ୍ଗେ ଜେତୁକୀକୁ ଧରି ଆହିନୀ ବାହୁନି ଉଠିଲା—‘‘ଜେତୁକୀ ଲୋ, ମୋର କଣ ହେଲା ଲୋ, ଆଲୋ ! ଏଇଥିପାଇଁ ଗୁହମୂତରେ ଘାଣ୍ଟି ହେଇ ପୁଅକୁ ଏଡ଼େରୁ ଏଡ଼େ କରିଥିଲି ? ମୋ ଘରେ କୋଉଠୁ ଡାହାଣୀଟାଏ ପଶି ପୁଅଟାର ମୁଣ୍ଡକୁ ଖାଇଲାଣି ଲୋ ଜେତୁକୀ ! ଆମର ସୁନାର ସଂସାରକୁ ଚୂନା କଲାଣି ।’’ ବାହୁନି ବାହୁନି, ବୁକୁରେ ବିଧା ଚାପୁଡ଼ା ମାରି ମାରି କାନ୍ଦଣା ଲହରୀ ଛୁଟେଇଲା ଆହିନୀ ।

 

—‘‘ଚାଲେ ଲୋ ଜେତୁକୀ, ତମର ଢେଙ୍କିଶାଳରେ ହେଲେ ଥାନ ଟିକିଏ ଦବୁ । ମୁଁ ମାଗି-ଯାଚି ଖାଇ ସେଇଠି ପଡ଼ିଥିବି; ଏଇ ଘରକୁ ଆଜିଠୁ ଛି-କରିଦେଲି । ଆଉ ସେ ନିଲଠା ମାଇପ ପାଦରୁ ଧୂଳି ଚାଟି ଏଇଠି ପଡ଼ିଥାଉ ।’’

 

କନ୍ଦାକଟା କରି, ବକାବକି କରି, ରନ୍ଧାଘରର କିଳିଣି ମାରି, ନିଜ ଶୋଇବାଘରେ ପଶି ମେଖେଳା ଚାଦର ଖଣ୍ଡେ ଦୁଇଖଣ୍ଡକୁ ଗଣ୍ଠୁଳି ବାନ୍ଧି ବୁଢ଼ୀ ଆସି ଅଗଣାରେ ଠିଆହେଲା । ଜେତୁକୀର ହାତ ଧରି କହିଲା—‘‘ଚାଲ ଚାଲ ମା, ଏଇ ଘରେ ଆଉ କ୍ଷଣେ ବି ରହିବା ପାପ ! ତମ ଘର ଢେଙ୍କି ଶାଳରେ ଯାଇ ମରେଁ..... ।’’

 

ବଢ଼ା ଭାତକୁ ଥୋଇ ଲୁଣ ଟିକିଏ ମାଗିବାକୁ ଆସିଥିଲା ଜେତୁକୀ । ଏମିତି ଗୋଟାଏ ଅଘଟଣ ଘଟିବ ବୋଲି ତାର କଳ୍ପନାର ବାହାରେ ଥିଲା । ଲୁଣ ଟିକିଏ ପରିବର୍ତ୍ତେ ବୁଢ଼ୀକୁ ସାଥୀରେ ନେଇ ଦିହିପହରିଆ ବଢ଼ା ଭାତ ମୁଠିକରୁ ଭାଗ ଦେବାକୁ ପଡ଼ିବ । ଶାଶୁଘରକୁ ଫେରିବାରେ ଦିନ ଯେତେ ଗଡ଼ୁଛି, ମା’ ବି ଆଜିକାଲି ତାକୁ ସେତିକି ଦୁଇ ଆଖିରେ ଦେଖିପାରୁନି । ଭାତ ମୁଠିକ ପାଇଁ ନିଜେ ଜେତୁକୀକୁ ସକାଳେ ସନ୍ଧ୍ୟାରେ ପଦେଅଧେ ଶୁଣିବାକୁ ପଡ଼ୁଛି । ଏବେ ଆହିନୀ-ବୁଢ଼ୀକୁ ସାଥିରେ ନେଇ ପହଞ୍ଚିଲେ ମା’ ଯଦି ବାଢ଼ଣୀ ଖୁଣ୍ଟା ନ ଉଞ୍ଚାଏ, ରକ୍ଷା । ସାତ ପାଞ୍ଚ ଭାବିଚିନ୍ତି, ଜେତୁକୀ ବୁଢ଼ୀକୁ ବୁଝେଇ ବସିଲା ପୁଅର ଦୋଷ ନ ଧରିବାକୁ; କିନ୍ତୁ ଆହିନୀ କାନରେ ଜେତୁକୀର କୌଣସି କଥା ପଶିଲା ନାହିଁ । ସାରାଜୀବନ ଅବୋରି ଧରିଥିବା ଘରର ମାୟାକୁ ମୁହୂର୍ତ୍ତକ ମଧ୍ୟରେ ଛିନ୍ନକରି ଜେତୁକୀର ହାତ ଧରି ବାଟକୁ ଗୋଡ଼ କାଢ଼ିଲା ଆହିନୀ ।

 

ଧରଣୀ ଶୋଇବା ବଖରାରେ ପଶି ଦେଖିଲା ଯେ ଟଗର ଦୁଆର ବନ୍ଧ ନିକଟରେ ମାଟିରେ ହାତଗୋଡ଼ ମେଲେଇ ଲମ୍ବ ହେଇପଡ଼ିଛି । ଟଗରକୁ ଏ ଅବସ୍ଥାରେ ଦେଖି ଧରଣୀର ଛାତି ଧଡ଼୍‍ କଲା । ପାଖକୁ ଯାଇ, ଟଗରର ମୁଣ୍ଡକୁ ଧୀରେ, ସନ୍ତର୍ପଣରେ ଟେକି ଧରି ପଚାରିଲା–‘‘ହେଇ ହୋ, କଣ ହେଇଚି କହିଲ ? ମୁଣ୍ଡ ବୁଲେଇଲା କି ?’’ ଉତ୍ତର ପାଇବା ଆଶାରେ ଟଗରର ଦେହକୁ ହଲେଇଲା । ନୀରବ-ନିରୁତ୍ତର, ଟଗର । ଟଗରର ନାକପୁଡ଼ା ପାଖରେ ହାତ ରଖି ଦେଖିଲା ଯେ ନିଶ୍ୱାସ ପ୍ରଶ୍ୱାସ ଚାଲିଛି । ଟଗରର ଡାହାଣ ହାତକୁ ନିଜର ଦୁଇ ହାତ ପାପୁଲିରେ ଭରିଲା । ଦେହରେ ତାତି ! କଣ ହେଲା, କଣ ନ ହେଲା, କଣ କରିବ, କଣ ନ କରିବ–ଘଡ଼ିଏ ଚିନ୍ତା କଲା ଧରଣୀ । ଶେଷରେ ଟଗରକୁ ଜାବୁଡ଼ି ଧରି ଟେକିନେଇ ବିଛଣାରେ ଶୁଆଇଦେଲା । ଖୋସାଟି ଖୋଲିଦେଇ ଦୀର୍ଘ-କଳା-ମିଶିମିଶି କେଶକୁ ତକିଆର ଦୁଇପାଖରେ ମୁକୁଳା କରି ସଜେଇଦେଲା । ସାବଧାନତା ସହିତ ଅଣ୍ଟାର ଖୋସା କାଞ୍ଚୁଲି-ଖଣ୍ଡିକୁ ଟିକେ ଢିଲେଇ ଦେଲା । ଗାଲ ଦୁଇଟି ମୁଣ୍ଡର ସିନ୍ଦୂର ଭଳି ଲାଲ ହେଇଛି—କପାଳରେ ତାର ବିନ୍ଦୁ ବିନ୍ଦୁ ଝାଳ ଜମି ରହିଛି । କାଞ୍ଚୁଲି ଅଞ୍ଚଳରେ ଝାଳତକ ବେଶ୍‌ ସନ୍ତର୍ପଣରେ ପୋଛି ପକେଇଲା, ପୁଣି ସେଇ କାଞ୍ଚୁଲି କାନିରେ ଟିକିଏ ବିଞ୍ଚିଦେଲା ମୁଣ୍ଡ ଉପରେ । ମୁହଁରେ ହାତ ବୁଲେଇ, ଚିବୁକ ଧରି ପୁଣି କୋମଳ କଣ୍ଠରେ ପଚାରିଲା—‘‘ଟିକିଏ ଭଲ ଲାଗୁଚି, ନା ?’’

 

ମୁହଁ ହଲଚଲ ଅଥବା ଆଖି ଖୋଲିବାର ଆଦୌ ସୂଚନା ନାହିଁ । ଅନନ୍ୟୋପାୟ ହୋଇ, ଅସହାୟ ଭାବରେ ଦୁଆରଆଡ଼କୁ ମୁହଁ ଘୂରେଇ ଡାକିଲା—‘‘ଜେତୁକୀ, ଲୋ ଜେତୁକୀ ?’’ ମା’ର କାନ୍ଦଣା, ଛାତିକୋଡ଼ା, ଶମ୍ପାକଟା ଧରଣୀର କାନରେ ପଡ଼ିଥିଲା । ମା’ ସେ ଘର ଛାଡ଼ି ଯିବ ବୋଲି ପାଟିତୁଣ୍ଡ କରୁଥିଲା ତାହାବି ଧରଣୀ ଶୁଣିଥିଲା । କିନ୍ତୁ ସତକୁ ସତ ଯେ ମା’ ଘରଛାଡ଼ି ଚାଲିଯିବ, ତାହା ଧରଣୀର ଆଶଙ୍କାର ବାହାରେ ଥିଲା । ତେଣୁ ଟଗରକୁ ସେଇ ଅବସ୍ଥାରେ ପକାଇରଖି, ମା’କୁ ନିଷେଧ କରିବାକୁ ଯିବାର ପ୍ରୟୋଜନ ବୋଧ କରି ନ ଥିଲା—ପ୍ରବୃତ୍ତି ମଧ୍ୟ ଜନ୍ମି ନ ଥିଲା । ଜେତୁକୀକୁ କେଇଥର ଡାକି କୌଣସି ଉତ୍ତର ନପାଇ ଧରଣୀ ନିଜେ ପାଣି ଲୋଟାଏ ଆଣିବାକୁ ବାହାରି ଆସିଲା ।

 

ଅଗଣାରେ ରୌଦ୍ରର ପ୍ରଚଣ୍ଡ ମୂର୍ତ୍ତି । ଖରା ତେଜରେ ଧାନମେଲା ପଟିଆ ଦି’ଟାର ମୁଣ୍ଡ ମୋଡ଼ି ହୋଇଯାଇଛି । ଧାନ ଗୁଡ଼ିକରୁ ମଧ୍ୟ ସତେକି ନିଆଁ ଧାସ ଉଠୁଛି । କାଉ କେଇଟା ଧାନ ଉପରେ ଖପ୍‌ଖାପ୍‌ ଲଗେଇଛନ୍ତି । ତନ୍ତଶାଳରେ ବସି ଶାଳିକା ପକ୍ଷୀଟିଏ କର୍କଶ-ସ୍ଵରରେ ରଡ଼ି ଛାଡ଼ୁଛି । କଳାକୁତିଟିଏ ଢେଙ୍କିଶାଳ ପିଣ୍ଡାରେ ଜିଭକୁ ଲମ୍ବେଇ, ଝରଝର ଅନର୍ଗଳ ଲାଳ ଥିପେଇ, ପଡ଼ିଛି । ପତ୍ରଝଡ଼ା ଶୁଖିଲା ବାଉଁଶ ଗଛ ଗୁଡ଼ିକ ଘର ବାଡ଼ିର ପଛପାଖରେ ପବନରେ ଦୋହଲି ବିରକ୍ତିକର କେଁ-କଟର ଶବ୍ଦ କରୁଛନ୍ତି । ଚତୁର୍ଦ୍ଦିଗରେ ଏକ ସୃଷ୍ଟି ଛଡ଼ା ଆବହାୱା-ଅମଙ୍ଗଳ-ପରିବେଶ । ଅନାଗତ ଭୟର ଆଶଙ୍କାରେ ଧରଣୀର ବୁକୁ ଧଡ଼ଧଡ଼ ହେଲା । ମା’ ଯେ ଘର ଛାଡ଼ି ଚାଲିଗଲା, ଏଇ କଥା ବୁଝିବାକୁ ଧରଣୀର ବେଶୀ ବେଳ ଲାଗିଲା ନାହିଁ । ଅତି ସନ୍ତର୍ପଣରେ ରନ୍ଧାଘର ଖୋଲିଲା । ମଣିଷର ଉପସ୍ଥିତି ଜାଣିପାରି ଖନ୍ଦାରେ ପଶିଥିବା ବିରାଡ଼ିଟା ସୁଟ୍‌କିନା ଦୁଆରବନ୍ଧ ଦେଇ ବାହାରିଗଲା ।

 

କଂସା-ଲୋଟାଟିରେ ପାଣି ଲୋଟେ ନେଇ ଟଗର ପାଖକୁ ଲେଉଟି ଗଲା ଧରଣୀ । ପୂର୍ବଭଳି ନିଶ୍ଚଳ ଭାବରେ ପଡ଼ିରହିଛି ଟଗର । ପାଣି ନେଇ ଆଞ୍ଜୁଳା ନେଇ ଟଗର ମୁଣ୍ଡରେ ଥାପୁଡ଼େଇଲା ଧରଣୀ । ଟଗରର ଆଖି ମିଟିମିଟି ହେଲା । ପାଟିରୁ ‘ଉଃ’ ‘ଆଃ’ ଶବ୍ଦ ଅସ୍ପଷ୍ଟ ଭାବରେ ବାହାରିଲା । ଦୁଇଥର ଖଣ୍ଡେ ହିକ୍‌କା ଉଠି ଦୀର୍ଘ-ନିଶ୍ଵାସ ବାହାରିଲା । ନିଜ ମୁଣ୍ଡକୁ ଟଗରର ମୁହଁ ପାଖକୁ ନେଇ ଧରଣୀ ପଚାରିଲା—‘‘ଏବେ କେମିତି ଲାଗୁଚି ?’’

 

ପ୍ରଶ୍ନ ଶୁଣୁ ଶୁଣୁ ମୋଡ଼ିଭିଡ଼ି ହେଇ ଏକାଥରକେ ଉଠି ବସି କୋଠରିର ଚାରିଆଡ଼କୁ ଆଖି ପକାଇ ବିସ୍ତୃତ ଘଟଣାଗୁଡ଼ିକୁ ମନେ ପକେଇବାକୁ ଚେଷ୍ଟା କଲା ଟଗର ।

 

—‘‘ଇସ୍‌, ଇସ୍‌—ବିଛଣାରେ ମତେ କିଏ ଶୁଏଇଲା ? ଧାନତକ ଗୋଟେଇବାକୁ ଅଛି, ଏବେ ପୁଣି ଗାଧୋଇବାକୁ ପଡ଼ିବ ।’’ ଦୃଷ୍ଟି ତାର ଭଦ୍‌ଭ୍ରାନ୍ତ—କଥାରେ ପ୍ରଳାପ । ହଠାତ୍‌ ବିଛଣାରୁ ଉଠିପଡ଼ି ତଳେ ଠିଆହେଲା । ଧରଣୀକୁ ଚାହିଁ ପଚାରିଲା—‘‘ତୁମେ କେତେବେଳେ ଆସିଲ ? ଖାଇଲଣି ନା ? ଚାଲ, ଚାଲ...ମା’ ତେଣେ ମତେ ଖୋଜି ପାଟି କରୁଚନ୍ତି ।’’

 

କୌଣସି କଥା କହିବାକୁ ଅବସର ପାଇଲା ନାହିଁ ଧରଣୀ । ଅସ୍ତବ୍ୟସ୍ତ ମୁଣ୍ଡକୁ ଯେନତେନ ପ୍ରକାରେଣ ବାନ୍ଧି, କାଞ୍ଚୁଲି ଖଣ୍ଡିକ ଭଲକରି ଖୋସି ଟଗର ବାହାରକୁ ବାହାରିଲା । ଧରଣୀ କେବଳ ନିଃଶବ୍ଦରେ ଅନୁଗମନ କଲା ।

 

ବାହାରର ଅବସ୍ଥାରୁ ଘରେ କିଛି ଗୋଟାଏ ଅଘଟଣ ଘଟିଥିବା କଥା ଟଗର ଅନୁମାନ କରିପାରିଲା । ଶିକାରୀ ସମ୍ମୁଖରେ ତ୍ରସ୍ତ ହରିଣୀ ସଦୃଶ ଥମକି ରହି ଟଗର ସ୍ଵାମୀ ମୁହଁକୁ ଅନେଇଲା । ସେଇ ଦୃଷ୍ଟିରେ ଅସୀମ ବ୍ୟାକୁଳତା—ଅନନ୍ତ ଅସହାୟତା । ଧୀରେ ଧୀରେ ଧରଣୀ ବଖାଣିଗଲା ଝଡ଼ପରି ଘଟିଥିବା ଘଟଣାଗୁଡ଼ିକୁ । ଏଇ ଭରା ଦି’ପହରେ ରନ୍ଧା ଭାତକୁ ରନ୍ଧାଘରେ ଛାଡ଼ି, ଶାଶୁ ଜେତୁକୀ ସହିତ ଜେତୁକୀ ଘରକୁ ଚାଲିଯାଇଥିବା ଶୁଣି ଟଗର କାନ୍ଦି କାନ୍ଦି କହିଲା–‘‘କ’ଣ କଲ ତୁମେ ସତେ ! ଉଦୁଉଦିଆ ଦି’ପହରଟାରେ ମା’ଙ୍କୁ ଘରୁ ବାହାରି ଯିବାକୁ ଦେଲ-? ହାତଗୋଡ଼ ଧରି ଅଟକେଇ ପାରିଲନି ? ମତେହେଲେ ଉଠେଇ ଦେଲନି କାହିଁକି ?’’ ସେହିପରି କାନ୍ଦି କାନ୍ଦି ଟଗର—‘‘ମୋ’ ତରଫା ହୋଇ ମା’ଙ୍କ ସହିତ କଜିଆଟାଏ ଭିଆଇଲ କାହିଁକି ଶୁଣେ-? ମୋ ମୁଣ୍ଡ ବୁଲାଉଥିଲା ବୋଲି ମା’ ବା ଜାଣନ୍ତେ କେମିତି ? ଚଞ୍ଚଳ ଭଲ ଲାଗିବ ବୋଲି ଭାବି ମା’ଙ୍କୁ ନ କହି ମୁଁ ଘର ଭିତରକୁ ଚାଲିଆସିଥିଲା । ତା’ ପରେ କଣ ହେଲା ଜାଣିନି ।’’

 

ଏତେବେଳକୁ ଧରଣୀର ମନରେ ଚେତନା ପଶିଲା—ମା’କୁ ଟାଣକଥା କହି କି ପାପ ନକଲା ସେ ସତେ ! ଅପରାଧୀ ପରି ସ୍ତ୍ରୀର କଥାଗୁଡ଼ିକ ନୀରବରେ ଶୁଣିଗଲା ।

 

—‘‘ନିଜର ମା’ ବୋଲି ସିନା ଟାଣକରି ପଦେ କହିଦେଲ । ସେ ଏଇକ୍ଷଣି ଗାଳିଦେବେ, ଏଇକ୍ଷଣି ସ୍ନେହ କରି ବୁକୁକୁ ଟାଣିନେବେ । ସେଥିରେ ତୁମେ ଏମିତି ରାଗି ଯିବାଟା ଠିକ୍‌ କି ? ଦଶଜଣ ଶୁଣିଲେ ଆଗେ କଣ କହିବେ ? ଚାଲ, ଉଠ—ଜେତୁକୀ-ଘରକୁ ଯାଇ ପାଦତଳେ ପଡ଼ି, ହାତ ଧରି ଏବେ ଏବେ ଫେରେଇ ଆଣିବା । ମା’ ନ ରହିଲେ ଏଇ ଘରଟାରେ ମୁଁ ଦଣ୍ଡେ ବି ରହିପାରିବି ନାହିଁ ।’’

 

ପୁଅ ବୋହୂ ଯାଇ ଆହାନୀକୁ ଜେତୁକୀଘରୁ ଫେରେଇ ଆଣିବାକୁ ବେଶୀ ବେଳ ଲାଗିଲା ନାହିଁ । ଏଇ ଭରା ଦି’ପହରେ, ଗଣ୍ଠୁଳି ମୁଠୁଳି ଧରି ଆହିନୀ ବୁଢ଼ୀକୁ ଦେଖି ଜେତୁକୀର ମା’ ମନେ ମନେ ଭାବିନେଲା ଯେ କଣ ଗୋଟାଏ ଅମଙ୍ଗଳ ଘଟିଲା । ବୁଢ଼ୀକୁ ବୁଝେଇ ସୁଝେଇ ଘରେ ଛାଡ଼ି ନ ଆସି ସାଙ୍ଗରେ ଆଣି ଆସିଥିବା ଯୋଗୁଁ ଝିଅକୁ ଗାଳିମନ୍ଦ ଦେଇ କହିଲା—“ମା’ ପୁଅଙ୍କ ଭିତରେ କଜିଆ ଲାଗିଛି—ପୁଣି ତୁଟିବ । ତୁ ସେ ଭିତରେ ମୁଣ୍ଡ ପୂରେଇବାକୁ ଗଲୁ କାହିଁକି ? ଲୋକେ କହିବେ ଯେ, ସେ ତ ନିଜେ ସ୍ଵାମୀ ଘରେ ତିଷ୍ଠି ପାରିଲା ନାହିଁ, ଏବେ ପୁଣି ପରଘର ବୁଡ଼େଇବାକୁ ବସିଲାଣି ।’’ ଜେତୁକୀର ମା’ ବୁଢ଼ୀକୁ ଘରକୁ ଫେରିଯିବାକୁ ବୁଝେଇ ବସିଲା–‘‘ସେଇଟା ତୁମରି ଘର । ତୁମେ ତୁମ ଗେରସ୍ତ ଘର ଛାଡ଼ି ଆସିବାଟା ଠିକ କି ? ତୁମର ବୋଲଣା ନ ମାନିଲା ଯଦି ବୋହୂକୁ ଅଲଗା କରିଦିଅ । ନିଜେ ତୁମେ କୋଉ ଗରଜରେ ବାୟନର ଘର ଛାଡ଼ିବାକୁ ଯିବ ?’’

 

ରାଗର ଦାଉରେ ଘର ଛାଡ଼ି ଜ୍ଞାନୀର କାମଟାଏ କଲା ନାହିଁ ବୋଲି ବୁଢ଼ୀ ଏବେ ବେଶ୍‌ ବୁଝିଗଲା । ଏବେ ରାଗ-ନିଆଁ-ରଡ଼ ପୋଡ଼ି ପାଉଁଶ ହେଇଗଲାଣି ଯଦିଓ, ପଳେଇ ଆସିଥିବା ଘରକୁ ପୁଣି ଫେରିଯିବାକୁ ବୁଢ଼ୀକୁ ଲାଜ ସରମର ଉତ୍ତାପ ଜଳେଇ ମାରୁଛି । ଜେତୁକୀ ମା’କୁ କୌଣସି ଉତ୍ତର ନଦେଇ, ଗଣ୍ଠୁଳିଟିକୁ ମୁଣ୍ଡରେ ଥୋଇ, ବୁଢ଼ୀ ସକେଇ ସକେଇ କାନ୍ଦିବାକୁ ଲାଗିଲା-। ସେଇ ଅବସ୍ଥାରେ ପୁଅ-ବୋହୂ, ଆସି ଜେତୁକୀ ଘରେ ହାଜର । ଶାଶୁଙ୍କୁ ଦେଖୁ ଦେଖୁ ଟଗର ଧାଇଁଯାଇ ଗୋଡ଼ତଳେ ପଡ଼ି କାକୁତି-ମିନତିକରି କାନ୍ଦିବାକୁ ଲାଗିଲା । ଧରଣୀ ବି ପାଦେ ପାଦେ ଆଗେଇ ଯାଇ ମା’ର ଗୋଡ଼ତଳେ ପଡ଼ିଲା । ବେଶୀ କଥାର ପ୍ରୟୋଜନ ହେଲା ନାହିଁ । ମା’ର ହାତ ଧରି ଧରଣୀ ଆଗେ ଆଗେ ଚାଲିଲା; ଗଣ୍ଠିଲିଟି ଧରି ଟଗର ଛାଇପରି ସେମାନଙ୍କର ଅନୁଗମନ କଲା । ପୁଅ-ବୋହୂଙ୍କର ଶ୍ରଦ୍ଧା ମିଶ୍ରିତ ଭକ୍ତରେ ଆହିନୀ ଫେରିପାଇଲା ହୃତ ସମ୍ମାନ ତଥା ଲୁପ୍ତ ହେବାକୁ ଯାଉଥିବା କର୍ତ୍ତୃତ୍ଵ ।

 

କେଁ-କଟର କରି ପୁଣି ରନ୍ଧାଘରର ଦୁଆର ଖୋଲିଲା । ପଟିଆରୁ ଧାନତକ ସାଉଁଟି ଟଗର ପାଛିଆ ଭରିଲା । ଖରା ମଲା—ଶୁଖିଯାଉଥିବା ଗଛର ପତ୍ର ସାନ୍ଧ୍ୟ ବତାସରେ ହଲି ଝୁଲି ସିରି-ସିରି ହେଲା । ପତଳା ମେଘପଲ ଆକାଶରେ ଦଉଡ଼ା-ଧପଡ଼ା ଲଗେଇଲେ । ରନ୍ଧାଘର ଚାଳରେ ଶାରିକା ଯୋଡ଼ି ପକ୍ଷୀ ଝାଡ଼ିଲେ । ଚତୁର୍ଦ୍ଦିଗରେ ଶାନ୍ତି-ସୌମ୍ୟର ଚିତ୍ର ଫୁଟିଉଠିଲା । ଗାଁର ନାମଘରେ ବାଜି ଉଠିଲା ସଂଜର ଘଣ୍ଟାଧ୍ୱନି ।

 

ଅନ୍ୟର ଝିଅ-ବୋହୂଙ୍କ ଦୋଷ-ଦୁର୍ବଳତାର ଚର୍ଚ୍ଚାରେ ଆନନ୍ଦ ଅଛି—ପ୍ରଥମ ଅବସ୍ଥାର ସମସ୍ତେ ଆଗ୍ରହରେ ଆହିନୀର ଦୁଃଖର ବୃତ୍ତାନ୍ତ ଶୁଣି ସହାନୁଭୂତିଶୀଳ ହେଉଥିଲେ । ମୁହଁଖୋର ଜଣେ ଦୁଇଜଣ ମାଇକିନିଆ ‘‘ବୋଲଣା, ଶଣ୍ଠଣା ନଥାଇ କି ଶାଶୁ’’ ବୋଲି କହି ମୁହେଁ ମୁହଁ ଟଗରକୁ ଦୁଇଚାରିପଦ ଟାଣୁଆ କଥା କହି ଶାଶୁ ପ୍ରତି ବୋହୂର କର୍ତ୍ତବ୍ୟ ବିଷୟରେ ଅବଗତ କରାଇ ଦେଉଥିଲେ । କିନ୍ତୁ ଦିନ ବିତିବା ସଙ୍ଗେ ସଙ୍ଗେ ଅଭିଯୋଗ ଯେତେବେଳେ ଅସମ୍ଭବ ରୂପରେ ବଢ଼ିବାକୁ ଲାଗିଲା, ସେଇ ଅଭିଯୋଗ ପ୍ରତି ସାଇପଡ଼ିଶାଙ୍କ ସହାନୁଭୂତି ଆଉ ଆଗପରି ରହିଲା ନାହିଁ । ଉପରନ୍ତୁ, ଅକାରଣରେ ଧରଣୀ-ସ୍ତ୍ରୀର ବିରାଗଭାଜନ ହୋଇ ଏଟା-ସେଟା ଟିକିଏ ପାଇବାରୁ ବଞ୍ଚିତ ହେବା କି ପ୍ରୟୋଜନ ? ପୁଅ-ବୋହୂଙ୍କର ନୂତନ ଘର-ସଂସାରରେ ସର୍ବଦା କନ୍ଦଳ ସୃଷ୍ଟି କରୁଥିବାରୁ ଧୀରେ ଧୀରେ ସାଇପଡ଼ିଶାଏ ଆହିନୀକୁ ଦେଖିପାରିଲେ ନାହିଁ ।

 

ଗୋଟିଏ ପକ୍ଷ ସହିଯିବା ଜାଗତିକ ନୀତି । ଟଗର ସ୍ଵାମୀଘରର ସମସ୍ତ ଦୁଃଖ, ଅପମାନ, ନିର୍ଯାତନା ଗୁଡ଼ିକୁ ନୀରବରେ ସହ୍ୟ କରିନେଲା । ଧରଣୀ-ଘରକୁ ସେ ଆସିଛି ସମସ୍ତଙ୍କୁ ସୁଖ ଦେବାକୁ, ନିଜେ ସୁଖୀ ହେବାକୁ ନୁହେଁ । ନିଜର ଦୁଃଖର କାହାଣୀ ଶୁଣେଇ ଅନ୍ୟକୁ ଦୁଃଖୀ କରାଇବା ଟଗରର ସ୍ଵଭାବର ବାହାରେ । ଘରର ସଭିଙ୍କ ପାଇଁ ନିଜର କ୍ଷୁଦ୍ର କ୍ଷୁଦ୍ର ସୁଖ-ସନ୍ତୋଷକୁ ବିସର୍ଜନ କରି କଷ୍ଟ ସ୍ଵୀକାର କରିନବାକୁ ଜୀବନର ବ୍ରତ ବୋଲି ଧରିନେଇଛି ଟଗର । ବିଚାରୀ ଯେତେଦୂର ପାରେ ଶାଶୁଙ୍କୁ ସନ୍ତୁଷ୍ଟ କରିବାକୁ ଯତ୍ନ କରିଆସିଛି । ଶାଶୁଙ୍କର କଠୋର ବ୍ୟବହାରର ପ୍ରତିକାର ଖୋଜି ଦିନକ ପାଇଁ ହେଲେ ସ୍ଵାମୀ ଆଗରେ ଅନୁଯୋଗ, ଅଭିଯୋଗ ବାଢ଼ିନାହିଁ । ଯୌବନର ଚଳ-ଚଞ୍ଚଳ ଉଚ୍ଛ୍ୱାସରେ ଭାସିଯାଇ କରିପକେଇଥିବା ଏକ ସାମାନ୍ୟ ପାପ ପାଇଁ ଏହା ପ୍ରାୟଶ୍ଚିତ୍ତ ବିଧାତାଙ୍କର ନିର୍ମାଲ୍ୟ ବୋଲି ହିଁ ମନେ ମନେ ଗ୍ରହଣ କରିନେଇଛି ।

 

ବାପାଙ୍କର ନିର୍ଦୟ ବ୍ୟବହାରର କଥା କେବେ କେବେ ମନେପକାଇ ଟଗର ଏକା ଏକା ଆଖିରୁ ପାଣି ଗଡ଼ାଏ । ଝିଅର ଚରିତ୍ର, ଶିକ୍ଷା ଦୀକ୍ଷା କଥା ଭଲଭାବରେ ଜାଣି ବି ବାପା ନିଷ୍ଠୁର ଭାବରେ ତା’କୁ ଅବିଶ୍ଵାସ କଲେ । ସମାଜରେ ନିଜର ପ୍ରତିପତ୍ତିକୁ ଅକ୍ଷୂଣ୍ଣ ରଖିବା ନିମନ୍ତେ ପ୍ରକୃତ ଘଟଣାର ଅନୁସନ୍ଧାନ ନକରି, ଟଗରର ଅନ୍ତରର ଦୁଃଖବେଦନା ପ୍ରତି କର୍ଣ୍ଣପାତ ନକରି ରାତିକ ଭିତରେ ବାହାଘର ବନ୍ଦୋବସ୍ତ କରିଦେଲେ । ନିଜର ସୁଖ୍ୟାତି ନିମନ୍ତେ, କୁତ୍ସିତ ମିଥ୍ୟା-ଲୋକାପବାଦ ଭୟରେ ସନ୍ତାନ-ପ୍ରୀତିକୁ ବି ଜଳାଞ୍ଜଳି ଦେଲେ । ଅଭିମାନ ତଥା ଅନ୍ତର୍ବେଦନାରେ ବାପାଙ୍କ ସ୍ମୃତିକୁ ମନରୁ ପୋଛି ପକାଇବାକୁ ଚେଷ୍ଟା କରେ ଟଗର ।

 

ପୁରୁଣା ଘଟଣାକୁ ପାଶୋରି ପକେଇବାକୁ ବହୁ ଚେଷ୍ଟା କଲା ଟଗର । କିନ୍ତୁ ଯାହାଟା ପାଶୋରିବାକୁ ଇଚ୍ଛା ସ୍ଵପନେ, ଜାଗରଣେ ସେୟା ହିଁ ଘନ ଘନ ଉଙ୍କିମାରେ ମନରେ । ସ୍ମୃତିର ମାଧ୍ୟମରେ ଭାସି ଉଠୁଥିବା ଗତଜୀବନର ସାମାନ୍ୟ ଘଟଣାବଳୀ ବି ଅସାମାନ୍ୟ ରୂପେ ପ୍ରକାଶ ପାଏ । ଅତୀତର ସାଧାରଣ ବୃତ୍ତାନ୍ତ ଅସାଧାରଣ ଘଟଣା ହୋଇ ଦେଖାଦିଏ । ଜୀବନର ସେଇ ସୁନେଲୀ ମୁହୂର୍ତ୍ତର ସ୍ମୃତିଠାରୁ ଯେତେଟା ଅନ୍ତର ହେବାକୁ ପ୍ରୟାସ କରିଛି, ସେତେଟା ତାହା ଦୂରରୁ-ଦୃଷ୍ଟ-ମନ୍ଦିରର କଳସ ସଦୃଶ ଟଗରର ଚକ୍ଷୁ ସମ୍ମୁଖରେ ସୁନ୍ଦର କଥା ମନୋହର ହୋଇ ଦେଖାଦେଇଛି । ବିଛଣାରେ ପଡ଼ିଥିବା ପତିଙ୍କଠାରୁ ପତିବ୍ରତାର ମନ ଉଡ଼ିଯାଇଛି ସେ କେଉଁ ଦେଶକୁ—ସେ କେଉଁ ଜଣକୁ ନେଇ ସୁମଧୁର ସ୍ଵପ୍ନ ରଚନା କରିବା ସକାଶେ । ପର ମୁହୂର୍ତ୍ତରେ ଅନ୍ତର ସଂଶୋଧନ କରିବା ନିମନ୍ତେ କଡ଼ ଲେଉଟାଇ ଭୟରେ ହରିନାମ ଜପେ ଟଗର । ତାର ଦୀର୍ଘ-ନିଶ୍ଵାସର ଉତ୍ତପ୍ତ ପବନ ବାଜି ଧରଣୀର ନିଦ ଭାଙ୍ଗେ । ଟଗରର ଲୋଚାକୋଚା କୋମଳ ଅଙ୍ଗକୁ ଧୀରେ ଟାଣିନିଏ ନିଜ ବୁକୁକୁ । ଅନ୍ତରର ଅପରିସୀମ ପ୍ରେମ ଦେଇ ଟଗରକୁ ଭଲପାଏ ଧରଣୀ । ଟଗର ବି ଜୀବନର ସର୍ବସ୍ଵ ଦେଇ ସ୍ଵାମୀକୁ ଭଲ ପାଉଛି; ଅନ୍ତରର ଅନ୍ତରତମ ପ୍ରଦେଶ ତା’ର ଧରଣୀ ପ୍ରତି ଶ୍ରଦ୍ଧା-ଭକ୍ତି ନିବେଦନ କରେ । ତଥାପି ମଝିରେ ମଝିରେ ଟଗର ଭାବେ କଣ ଯେମିତି ଦବାକୁ ବାକି ରହିଗଲା—ପୂଜାରେ ନଲାଗୁଣୁ ଅନ୍ତର ନୈବେଦ୍ୟରୁ ଭାଗେ ଯେମିତି କାଉଟାଏ ଖୁମ୍ପି ନେଇଛି ।

 

ବାର

 

କେତେଦିନ ହେଲା ଟଗରର ଦେହଟା ଭଲ ନାହିଁ । ଖିଆପିଆରେ ରୁଚି ଆସୁନି । କଂସାର ଭାତ କଂସାରେ ପଡ଼ିରହେ । ଜୋରକରି ଖାଇଲେ ବାନ୍ତି ମାଡ଼େ । ଛାତି ଧକଧକ ହୁଏ; ମୁଣ୍ଡ ଘୁରାଏ । କେତେବେଳେ କ୍ଷଣକ ପାଇଁ କହି ନପାରିଲା ଭଳି ହେଇ ରହିଯାଏ । କହିବ କହିବ ହେଇ ଶାଶୁଙ୍କୁ ଦେହ କଥା କହିବାକୁ ସାହସ କୁଳାଏନା ତାର ।

 

ସାଇପଡ଼ିଶାଙ୍କ ଭିତରୁ ପାଭୈ ଟଗରର ବଡ଼ ସାଙ୍ଗ । କେତେବେଳେ ଯଦି ନିଜର ଅନ୍ତର ଖୋଲି କହିବା କଥା ଥାଏ ତେବେ ପାଭୈ ଆଗରେ ହିଁ ଖୋଲେ । ପାଭୈକୁ ମଝିରେ ମଝିରେ ଏଥିରୁ ଟିକିଏ, ସେଥିରୁ ଟିକିଏ ଯାଚି ସ୍ନେହରେ ବଶ କରିନେଇଛି । ପାଭୈ ମଧ୍ୟ ଟଗରର ଛୋଟ ବଡ଼ କାମଗୁଡ଼ିକ କରିଦିଏ; ଦରକାର ପଡ଼ିଲେ ଏଇଟା ସେଇଟା ଖୋଜି-ଲୋଡ଼ି ଆଣିଦିଏ । କେତେ ଦିନ ହେଲାଣି, ଟଗରର ଖଟା-କୟାଁ ଖାଇବାକୁ ବଡ଼ ଆଗ୍ରହ ଜନ୍ମିଛି । ସେଇ ଖବର ପଠାଇ ପାଭୈକୁ ଡକେଇ ପଠାଇଲା । ଖବର ପାଉ ପାଉ ତେନ୍ତୁଳି କେଇ କୋଲା ନେଇ ଦିହିପହରିଆ ପାଭୈ ଆସି ପହଞ୍ଚିଗଲା । ରନ୍ଧାଘର ଚଟାଣରେ ବସି ଟଗର ଲୁଟ ରୁଲଇ ବାଛୁଛି । ଶାଶୁ ଖନ୍ଦାରେ । ପିଢ଼ାଖଣ୍ଡେ ଟାଣିଆଣି ଟଗରର ପାଖକୁ ଲାଗି ବସିପଡ଼ି, କଦଳୀ ପତ୍ରରେ ଗୁଡ଼େଇ ଆଣିଥିବା ତେନ୍ତୁଳି ବଢ଼େଇ ଦେଇ ପାଭୈ ପଚାରିଲା, ‘‘ତୋର ପୁଣି ଆଜିକାଲି ଏତେ ଖଟା କୟାଁ ଖାଇବାକୁ ମନ ହଉଚି କାଇଁକି ବା ?’’ ଏବଂ ଅର୍ଥପୂର୍ଣ୍ଣ ହସିଲା ଆଖିରେ ଟଗରର ସର୍ବାଙ୍ଗ ଶରୀରକୁ ନିରୀକ୍ଷଣ କଲା । ପାଭୈର ବିରାଡ଼ି ଆଖି ଦେହ ଉପରେ ପଡ଼ିବାରୁ ଲାଜ-ସଙ୍କୋଚରେ ଲୁଚାକୁଚା ହେଇ ରହିଲା, ଯଦିଓ ଶରୀରର ଲଜ୍ଜାମିଶା ହସ ଟିକକ ପାଭୈକୁ ସୃଷ୍ଟି ତତ୍ତ୍ୱର ଅସୀମ ଅର୍ଥର ବ୍ୟଞ୍ଜନା ଦେଲା ।

 

ପିଢ଼ା ଖଣ୍ଡିକ ଆହୁରି ପାଖକୁ ଟାଣି ନେଇ ପାଭୈ ପଚାରିଲା—‘‘ଛୁଆଁଚି ବନ୍ଦହେବା କେତେ ଦିନ ହେଲା ?’’

 

ଏଇ କଥାଟା ଜଣାଇବା ପାଇଁ ହିଁ ପାଭୈକୁ ଲୋଡ଼ିଥିଲା ଟଗର । କିନ୍ତୁ କଥାଟା ପ୍ରକାଶ କରିବାର ଅପୂର୍ବ ସୁଯୋଗର ଉପସ୍ଥିତିର ମୁହୂର୍ତ୍ତରେ, ଲାଜ-ଉଦ୍‌ବେଗରେ ଜିଭଟା ତାର ଚଳିଲା ନାହିଁ । ବାଛିବା ପାଇଁ ଧରିଥିବା ଲୁଟରୁଲଇକୁ ନଖରେ ଛିଣ୍ଡେଇ ଆସ୍ତେକିନା କହିଲା—ମାସେ ।

 

ଲାଜରେ ଟଗରର ଗାଲ ଫୁଟି ସତେ କି ରକ୍ତ ବାହାରିଲା । ସାରା ଦେହଟା ତାର ରୋମାଞ୍ଚିତ ହେଲା । ହାତର ଲୁଟରୁଲଇ ହାତ ମୁଠାରୁ ଖସି ତଳେ ପଡ଼ିଲା । ପାଭୈର ଦୃଷ୍ଟିରୁ ମୁହଁକୁ ଲୁଚେଇବା ପାଇଁ ଟଗର ତରବରରେ ଆଉ କେଇଟା ଲୁଟରୁଲଇ ନୂଆ ଭାବରେ ହାତକୁ ତୋଳିନେଲା ।

 

—‘‘ଶାଶୁଙ୍କୁ କହିଚୁନା ନାଇଁ ମ ?’’ କହୁ କହୁ ପାଭୌ ବି ନିଜେ ବାଛିବ ବୋଲି ଲୁଟରୁଲଇଟାଏ ହାତକୁ ନେଲା । ଉତ୍ତର ଆଶାରେ ପାଭୈ ହସି ହସି ଟଗର ମୁହଁକୁ ଚାହିଁ ପୁଣି ସେଇ ପ୍ରଶ୍ନ ପଚାରିଲା ।

 

‘‘କେମିତି ଜଣେ ଲୋ, ସେଇ କଥାକୁ ସେହି କଥାକୁ ଉସ୍‌କାଉ ଥାଉ !’’ ମୃଦୁ ଭର୍ତ୍ସନାରେ କଥାପଦକ କହି ମୁହଁକୁ ଆଡ଼େଇ ନେଲା ଟଗର ।

 

ଶାଶୁଙ୍କୁ ଯେ ଏଯାଏଁ କଥାଟା ଜଣେଇ ନାହିଁ ଏବଂ ଏଇ ସୁସମ୍ବାଦ ପାଭୈ ମୁଖରେ ଜଣାଜଣି ହବାଟା ଟଗର ମନେ ମନେ ଇଚ୍ଛା କରେ, ସେଇ ଇଙ୍ଗିତ ନିଜର ସହଜ ଜ୍ଞାନରେ ବୁଝିବାକୁ ପାଭୈକୁ ବେଶୀ ବେଳ ଲାଗିଲା ନାହିଁ । ପିଢ଼ାଖଣ୍ଡିକ ଖନ୍ଦାର କାନ୍ଥକଡ଼କୁ ଟାଣିନେଇ ଆହିନୀ ଉଦ୍ଦେଶ୍ୟରେ କହିଲା—‘ମା’ ! ଶୁଣିଲଣି ନା ?’’

 

—‘‘କଣ ଲୋ ପାଭୈ, କଣ ନଶୁଣିବା କଥା କହୁଚୁ ?’’ ଟିକିଏ ରହିଯାଇ ପୁଣି ପଚାରିଲା—‘‘ଆଜିକାଲି ତ ଆମ ଆଡ଼େ ଦେଖା ଦେବାକୁ ଭୁଲିଲୁ । ବୋହୂର ଖଟା-ଖାଇବା ପାଇଁ ମନ ହେଉଚି । ତୋ ପାଖକୁ ଖବର ପଠଉଚି, ତୋର ତ ଦେଖାଦର୍ଶନ ନାହିଁ ।’’

 

—‘‘ତମେ ବି ତ ଭଲ କଥା କହୁଚ ? ଖବରଟା ପାଉ ପାଉ ଦେଖୁଚ ଭଦରା-ମହନ୍ତର ବାଡ଼ିରୁ ନିଜେ ଆଙ୍କୁଡ଼ା ଲଗେଇ ତେନ୍ତୁଳି ଫଡ଼ା କେତେ ପାରିନେଇ ଦୌଡ଼ିଚି ।’’

 

—‘‘ଭଲ କଲୁ ମା, ଦେ ଦେ । ମୁଁ ଏବେ ଭାବୁଥିଲି ଯେ ଲାଉ-ଲୁଟୁରୁ ଖଟାରେ କି ଖଟା ପକେଇବି । ଚଇତମାସିଆ ତେନ୍ତୁଳି ଦି’ଫଡ଼ା ପକେଇଲେ ସୁଆଦ ବି ଲାଗିବ ।’’ କଥା କହି କହି ପାଛିଆରୁ କଂସାଖଣ୍ଡିକ ନବାପାଇଁ ଆହିନୀ ଆସି ସେମାନଙ୍କ ପାଖରେ ପହଞ୍ଚିଲା ।

 

ଆହିନୀ ଆଡ଼କୁ ଅନେଇ ପାଭୈ ହସି ହସି କହିଲା—‘ମା’ ମା, ମତେ ଭଲ କରି ମିଠେଇ ଖୁଆଇବାର ଯୋଗାଡ଼ କର ।’’

 

—‘‘କୋଉଥି ପେଇଁ ଲୋ !’’ ପାଛିଆରୁ କଂସାଖଣ୍ଡକ ଧରିବାକୁ ଅଣ୍ଟାକୁ ବଙ୍କା କରି ପଚାରିଲା ଆହିନୀ ।

 

—‘‘ଏଥର ନାତିନାତୁଣୀ ମୁଖ ଦର୍ଶନ କରିବ ଯେ ।’’ ଖବରଟା ଆହିନୀ ଭିତରେ କି ପ୍ରତିକ୍ରିୟା ସୃଷ୍ଟି କରୁଛି ଶୁଣିବା ପାଇଁ, ନିଶ୍ୱାସ ନନେଇ ଟଗର ସ୍ତବ୍‌ଧ ହୋଇ ରହିଲା ।

 

ଟଗରର ଚଳପ୍ରଚଳ, ଖିଆପିଆର ଲକ୍ଷଣ ଦେଖି ଆହିନୀ ମନରେ ବି ସେପରି ଏକ କଥା କାଁ-ଭାଁ ହେଇ ଖେଳୁଥିଲା । ପାଭୈର କଥାପଦକ ଶୁଣି, କେବେ ନଦେଖା ମଣିଷକୁ ଘୁରି ଘୁରି ଚାହିଁଲା ପରି ବୋହୂକୁ ଗୋଡ଼ରୁ ମୁଣ୍ଡଯାଏଁ ପଲକହୀନ ଭାବରେ ଚାହିଁ ରହିଲା ଆହିନୀ । ପାଭୈର ପଦେ କଥାରେ ସହସ୍ର ତତ୍ତ୍ଵର ବ୍ୟାଖ୍ୟା ହେଲା । ନିଜ ଦୃଷ୍ଟିରେ ବିଶ୍ୱାସ ଜନ୍ମିବା ସଙ୍ଗେ ସଙ୍ଗେ ବୁଢ଼ୀର ଠାକରା ଗାଲ—ଲୁଡ଼ୁକା-ମୁହଁରେ ପାଚିଲା ତାମ୍ବୁଳ-ଡେମ୍ଫର ନାଲି ରଙ୍ଗ ଫୁଟି ଉଠିଲା । ସମ୍ବାଦଟା ସତେ କି ସଞ୍ଜିବନୀ-ମନ୍ତ୍ରର କାମ କଲା ।

 

—‘‘ହଇଲୋ, କୋଉଦିନୁ ଗାଧୋଇନୁ ?’’ ଶାଶୁଙ୍କର ଅସ୍ଵାଭାବିକ ସ୍ଵରରେ ଟଗରର ଅନ୍ତରରେ ପୁଲକ ପ୍ରବାହିତ ହେଲା ।

 

ବୋହୂର ହୋଇ, ପାଭୈ ଉତ୍ତର ଦେଲା—‘‘ଦୁଇମାସ ପଶିଲା । ଗାଧୁଆଦିନ ପାର ହେବାର ମାସେ ହେଲା । ଆଜିଠୁ ବୋହୂକୁ ଦେଖାଚାହାଁ କର । କାମଦାମରେ ବଡ଼ ବେଶି ଲଗାଅନା ।’’

 

ହାତରେ ଧରିଥିବା କଂସାଖଣ୍ଡକ ତଳେ ଥୋଇ ପାଭୈ ପାଖରେ ବସିପଡ଼ିଲା ଆହିନୀ । କହିଲା—‘‘ମୁଁ ସଦାବେଳେ ସାବଧାନ ଅଛି । ଶୁଣିଥିବୁ ତ, ସେଦିନ ମୁଣ୍ଡ ବୁଲେଇଲା ଯେ ଘରଖଣ୍ଡକରେ କି ପାଲା ନ ଲାଗିଲା ! ମୁଁ କାନେ କାନେ କହୁଚି, ହଟକୁ ହଟ ବଣବାଡ଼ିରେ ବୁଲିବୁନୁ, ସେଥିରେ ପୁଣି ଆଜିକାଲି ଏ ଯୋଉ ଖରା-ଦିହିପହରେ ଟିକେ ଗଡ଼ିବୁ । ସେ କଣ ମୋ କଥା ଶୁଣୁଛି ? ଦିହିପହରିଆ ଟିକିଏ ଗଡ଼ିବା ଛାଡ଼ି ଯେମିତି ଭାତଗଣ୍ଡେ ପାଟିରେ ଗୁଞ୍ଜିବ, ସେଇନାଗେ ଯାଇ ତନ୍ତଶାଳରେ ବସିବ । ମନିଷର ଶରୀର ତ, ସହେ କେତେକେ ? ପେଟରେ ଛୁଆ, ଏ କଥାର ରାମବିଷ୍ଣୁ କିଛି ହେଲେ ମୁଁ ଜାଣିନି । ଭାଗ୍ୟକୁ ମହାପ୍ରଭୁ ଆଜି ତୋତେ ଅଣାଇଲେ ।’’ ଦୁଇହାତ ଯୋଡ଼ି ପାଭୈ ଆଡ଼କୁ ଚାହିଁ ପ୍ରଣାମ ଜଣାଇଲା ।

 

ଲାଜ-ସଙ୍କୋଚରେ ଟଗର ଅସମ୍ଭାଳ ହେଲା । ସେଠୁ ଉଠି ପଳେଇ ପାରିଲେ ରକ୍ଷା । ନିଜେ ଯେ ସେ ଏକ ଅଭିନବ ନାଟିକାର ନାୟିକା ହେବାକୁ ଯାଉଛି—ସେଇ କଥା ଉପଲବଧି କରିପାରିଲା ଟଗର ଶାଶୁଙ୍କ କଥାରୁ । ମୁହୂର୍ତ୍ତକ ଭିତରେ ଭୟ, ଉଦ୍‌ବେଗ, ପୁଲକ, ଆନନ୍ଦ ଆଦି ବିବିଧ ଭାବ ଟଗରର ମନରେ ଲୁଚକାଳି ଖେଳିଲା । ଟଗର ଆସ୍ତେଆସ୍ତେ ଉଠି ଚାଲିଗଲା ।

 

ଶାଶୁଙ୍କ ସହିତ ବହୁତ ବେଳ ଯାଏଁ ଫୁସ୍‍ଫାସ୍‌ ହେଇ ପାଭୈ ଯେତେବେଳେ ଚାଲିଗଲା ସେତେବେଳେ ଯାଇ ଟଗର ପୁଣି ରନ୍ଧାଘରକୁ ଫେରିଆସିଲା । ବୋହୂ ଆସି ରନ୍ଧାଘରେ ପଶିବା ଦେଖି ଶାଶୁ କହଲା—‘‘ତୋର ଏବେ ରନ୍ଧାଘରକୁ ଆସିବା ଦରକାର ନାହିଁ; ଯା ଟିକିଏ ଗଡ଼ିବୁ ଯା-। ଖଟାଟା ଆଉ ଟିକିଏ ଉତୁରି ପଡ଼ିଲେ ମୋର ଭାତରନ୍ଧା ହେଇଯିବ ।’’

 

ଟଗର ହଲଚଲ ନହେଇ ନଖରେ କାନ୍ଥର ମାଟି ଖୋଳନ୍ତେ, ଶାଶୁ ପୁନରାୟ କହିଲେ–“ଏବେ ତୁ ଗଲୁ, ଯା । ଧରଣୀ ଆଇଲେ ଆସିବୁ । ତା’ର ବି ଆଜିକାଲି ଦିପହରେ ଘରେ ପଶିବାକୁ ବଡ଼ ଡେରି ହେଉଚି । ଘରେ ଦେହ-ଅସଜ ମାଇକିନିଆଟାଏ ଅଛି, ଚଞ୍ଚଳ ଖାଇପିଇ ବିଶ୍ରାମ ନବା ଦରକାର—ସେ ଚିନ୍ତା ତା’ର ନାହିଁ । ଗାଁର ଟୋକା-ଟୋକାଳିଆଙ୍କ ସାଙ୍ଗରେ ହସଖେଳରେ ମାତିବାକୁ ତା’ର ବଅସ ମାଡ଼ିଆସୁଚି, ନା ? ଆଜି ଛାଡ଼ି କାଲି କି ପୁଅର ବାପ ହବଟି !’’ ଏତିକି କହି ପୁଣି ବୋହୂକୁ ଅନେଇ କହିଲା—‘‘ତୁ ଗଲୁ ମା, ଯା; ସେ ଯଦି ଆହୁରି ଡେରି କରିବ ତୋତେ ଆଗତୁରା ବାଢ଼ିଦେବି । ଦେହଅସଜ ମଣିଷ କେତେବେଳ ଯାଏଁ ଓପାସରେ ରହିବ-? ମୁଁ ବି ରନ୍ଧାବଢ଼ା ସାରି ଶୀଘ୍ର ବାହାରିବି । ସଞ୍ଜରେ ଗୋସେଇଁ ଆଗରେ ଗଜାମୁଗ ଭୋଗ କିଛି ଥୋଇବାକୁ ହବ । ପଇସା ଚାରିଟା ଦବୁ, ଗାଁର ଭାଗବତ ଘରେ ବତିଗଛେ ଜାଳି ଆସିବି-। ମହାପ୍ରଭୁ ଯେ କୃପାଦୃଷ୍ଟିରେ ଅନେଇଚନ୍ତି ।’’

 

ଫଳ ଧରି ଆସୁଥିବା ରୋପିତ ବୃକ୍ଷମୂଳରେ ପାଣି ଦେଲାଭଳି ଆହିନୀ ଅକସ୍ମାତ୍‌ ମରମ-ସ୍ନେହରେ ଟଗରକୁ ବୁଡ଼ାଇ ଦେଲା । ଟଗର ଅନ୍ତରର କଳ୍ପଲତା ଅସଂଖ୍ୟ ଫଳପୁଷ୍ପର କଢ଼ ମେଲିଲା ।

 

ମଣିଷ-ପ୍ରବୃତ୍ତିରେ ଖାମଖିୟାଲର ଅନ୍ତ ନାହିଁ । କେତେବେଳେ କେଉଁ ବସ୍ତୁ ପ୍ରତି ଅନୁରାଗ ବିରାଗ ଜନ୍ମେ କହିହବନି । ମଣିଷର ଅନ୍ତଃ-ପ୍ରବୃତ୍ତିର କର୍ମସମୂହ ଚିରଦିନ ସକାଶେ ଏକ ସମାଧାନହୀନ-ରହସ୍ୟ । ଯେଉଁ ଆହିନୀର ଦିନକୁ ଦିନ ସଂସାର ପ୍ରତି ବିତୃଷ୍ଣା ବଢ଼ି ଉଠୁଥିଲା, ଗୃହର ପ୍ରୟୋଜନଠାରୁ ଅନ୍ତର ହୋଇ ପୁଅ-ବୋହୂଙ୍କ ଗଳଗ୍ରହ ହୋଇ ବଞ୍ଚିରହିବାଟା ଅପରାଧ ବୋଲି ମନେ ମନେ ଭାବୁଥିଲା, ଯାହାର ଏଇ ଧରଣା ଥିଲା ଯେ ପଡ଼ାପଡ଼ୋଶିଏ ବୁଢ଼ୀର ମରିବା ବାଟକୁ ଚାହିଁ ବସିଛନ୍ତି—ସେଇ ଆହିନୀର କିନ୍ତୁ ନାତୁଣୀର ଆଗମନରେ ସମ୍ଭାବନାରେ ବଞ୍ଚିବାର ଆଗ୍ରହ ଜନ୍ମିଲା । ସାଥେ ସାଥେ ପରିବର୍ତ୍ତିତ ହେଲା ତାର ମନର ପୁରୁଣା ଭାବଗୁଡ଼ିକ ।

 

ସତକୁ ସତ, ନାତୁଣୀ ଜନ୍ମଦିନରୁ ବୋହୂକୁ ଅତିଶୟ ସ୍ନେହ ଚକ୍ଷୁରେ ଦେଖିବାକୁ ଲାଗିଲା ଆହିନୀ । ସନ୍ତାନର ଜନ୍ମ ଟଗରକୁ କେବଳ ମାତୃତ୍ଵର ଗୌରବରେ ଗୌରବାନିତ୍ଵ କଲା ନାହିଁ, ପ୍ରତିଷ୍ଠିତ କଲା ଘରେ ଏବଂ ବାହାରେ ଏକ ପରିର୍ପୂର୍ଣ୍ଣ ଗୃହିଣୀ ରୂପରେ । ବାୟନ ଘରର ଭବିଷ୍ୟତ ଯେ ଯଥାର୍ଥରେ ଏଇ ବୋହୂ ଉପରେ ନିର୍ଭର କରୁଛି, ଆହିନୀ ଏଇମାତ୍ର ବୁଝିପାରିଲା । ସନ୍ତାନର ମାଧ୍ୟମରେ ହିଁ ‘ବୁଢ଼ୀମା’ ଏବଂ ମା’ ଭିତରେ ଗଢ଼ି ଉଠିଲା ଏକ ଅଛିଦ୍ର ସଂଯୋଗ, ସେତୁ-। ପୂର୍ବର ସମସ୍ତ ମାନ, ଅଭିମାନ, ଅଭିଯୋଗ, ଅନୁଯୋଗକୁ ରାତିକ ଭିତରେ ଭୁଲିଯାଇ ଛୁତିକା-ବୋହୂର ସେବା ଜଞ୍ଜାଳରେ ନିଜକୁ ଆନ୍ତରିକ ଭାବରେ ନିୟୋଜିତ କଲା ଆହିନୀ । ସାରା ଛୁତିକା-ମାସଟା ବୋହୂର ପାଖେ ପାଖେ ରହି ନାତୁଣୀର ସେକା-ମଖାର ପରିଚର୍ଯ୍ୟାରେ ସହାୟ ହେଲା-

 

ସେତିକିବେଳଠୁ ଟଗର ଦେହରେ ଟିପ ବାଜିବାକୁ ଦେଇନାହିଁ ଶାଶୁ । ସାଇ ପଡ଼ିଶାଙ୍କ ଆଗରେ ବୋହୂର ଶାଶୁ ଭକ୍ତି, କର୍ମକୁଶଳତା ବିଷୟରେ କହିବାକୁ ପଞ୍ଚମୁଖ ହେଲା । ବାହା-ପୁଆଣୀ, ପର୍ବ-ପବାଣୀ ଆଦିରେ ଭଲ ଭଲ, ବଛା ବଛା ପୋଷାକ ପିନ୍ଧାଇ ନିଜେ ନାତୁଣୀକୁ କାଖରେ ଜାକି ବୋହୂ ସାଥୀରେ ବାହାରକୁ ବାହାରେ ଆହିନୀ ।

 

ସତେ କି ନାତୁଣୀର ମାଧ୍ୟମରେ ବୁଢ଼ୀ ନୂତନ ଶୈଶବ ପାଇଲା ! ନାତୁଣୀର ହସ-କଉତୁକର ଆନନ୍ଦରେ ବୁଢ଼ୀ ମା’ର ବିତି ଯାଉଥିବା ଏକାକିନୀ-ଜୀବନ କୋଳାହଳ ମୁଖର ହୋଇଉଠିଲା । ନାତୁଣୀକୁ ତେଲ ଘଷି, ସେକାସେକି କରିବା ଆଦି ବୋଝ ବୋଝ କାମରେ ନିଜକୁ ଲଗାଇ ଆହିନୀର ଖାଇବା-ଶୋଇବାକୁ ବେଳ ଅଣ୍ଟିଲା ନାହିଁ ।

 

ବୁଢ଼ୀ ସକାଳୁ ସକାଳୁ ନାନାବାୟା ଗୀତ ଗାଇ ନାତୁଣୀକୁ ତୁନି କରାଏ । ରାତିରେ କେତେବେଳେ ଛୁଆଟା କାନ୍ଦି ଉଠିଲେ, ଚିତ୍କାର କରି କରି ବୋହୂକୁ ଉଠେଇ ଛୁଆଟାକୁ ଖିର ଟୋପାଏ ଦବାକୁ ନିର୍ଦ୍ଦେଶ ଦିଏ । ମା’ର ଖିର ଶୁଖିଯିବ ବୋଲି ପାଟିତୁଣ୍ଡ କରି ନିତିପ୍ରତି ଗାଈ ଖିର ବାଟିଟା ବୋହୂ ମୁହଁରେ ଜୋର-ଜବରଦସ୍ତ ଧରେଇଦିଏ ।

 

ଅର୍ଥହୀନ ନାମ । ଆଦରରେ ନାତୁଣୀକୁ ବୁଢ଼ୀ ମା’ ଡାକିଲା–କମଳିନୀ । ମା’-ବାପା, ସାଇ ପଡ଼ିଶାଙ୍କ ମୁଖରେ ସେଇ ନାଁଟି ସାନ ହେଇ ହେଲା–କମଳୀ ।

 

କମଳୀ ରାତିରୁ ଚିରାଡୁଛି; ମା’ ତୁନି କରେଇ ପାରିନାହିଁ । ଥନଟାକୁ ପାଟିରେ ଜାକିଦେଲେ ମୁହଁ ଫେରେଇ ନଉଛି । ହୁକ୍‌ ହୁକ୍‌ ବାନ୍ତି କରୁଛି । ମା’ର ଖିର ପେଟରେ ଆଦୌ ରହୁନି । ଆହିନୀ ବୋହୂକୁ ବକୁଛି–‘‘ତୁ ଏମିତି ଯା’ ତା ଆଗରେ ଖିର ପିଆଇବା ଉଚିତ କି ? କା’ର ଦୃଷ୍ଟି ପଡ଼ିଥିବ । ନହେଲେ ଏମିତି ଚିରାଡି ଚିରାଡି କାନ୍ଦିବା ଝିଅ ସେ ନୁହଁ ତ ।’’

 

ଦିହିପହର—ଶାଶୁ ଭାତହାଣ୍ଡି ପାଖରେ । ଖଳ ଖଳ ହେଇ ଭାତ ଉତୁରି ଆସୁଛି । ଅଗଣାରେ କମଳୀକୁ ନେଇ, ଗୀତଗାଇ ତୁନି କରିବାକୁ ଚେଷ୍ଟା କରୁଛି ଟଗର । କାନ୍ଦ ବନ୍ଦ ନହେବାରୁ ରାଗରେ କହୁଛି—‘‘ଏଇଟାର କଣ ହେଲା ମ ! ମୁଁହରେ ଚୁଣ୍ଟା ଦେବି, ରହିଥା ।’’

 

ରନ୍ଧାଘରୁ ଶାଶୁର ପାଟି ଶୁଭିଲା—‘‘ଆଲୋ, ତାକୁ ଏଇଠିକି ନେଇଆ । ରୋଗୀଣା ଛୁଆଟାକୁ ତୁ ଏମିତି ଝିଙ୍ଗାସି ହେବା ଦରକାର ନାହିଁ । ପେଟକୁ ଖିର ଟୋପାଏ ବୋଲି ଯାଇନି—ସେ କଣ ଜାଣିଛି ।’’

 

ଶାଶୁ ହାତରେ ଝିଅକୁ ଗଡ଼େଇଦବାକୁ ସୁବିଧା ପାଇ ଖୁସି ହେଲା ଟଗର । ଦଉଡ଼ିଯାଇ କମଳୀକୁ ଚଟାଣରେ ଶୁଆଇଦେଲା । ଶାଶୁ ସେଇଠୁ କମଳୀକୁ ଉଠେଇ ନେଇ ଚୁଲି ପାଖରେ ବସିଲା । ହାତରେ ମୁଠେ ଧଳା-ସୋରିଷ । ସୋରିଷ ମୁଠାକ କମଳୀର ଦେହରେ, ମୁହଁରେ ଛୁଆଇଁ ପାଟି ଫିଟାଇଲା—

‘‘ସୋରିଷମୁଠି, ସୋରିଷମୁଠି;

ଦେବୀ ଆଣିଦେଲା ସୋରିଷ ବାଟି ।

ସେଇ ସୋରିଷ ପୋଡ଼ିଲା,

କମଳୀର ଦୃଷ୍ଟି କଟୁ ଛା-ଡ଼ି-ଲା, ଫୁ...ଉ...ଉ ।’’

କମଳୀର ଦେହରେ, ମୁହଁରେ ତିନିଥର ‘ଫୁ’ ମାରି ହାତର ସୋରଷରୁ ଅଳ୍ପ କିଛି ନିଆଁରେ ପକେଇବାରୁ ଚଡ଼ଚଡ଼ କରି ଫୁଟିଲା । ବୁଢ଼ୀ ପୁଣି ମନ୍ତ୍ର ପଢ଼ିଲା–

‘‘ଶୁଣ ସୋରିଷ କହିବି ତୋର ଜନ୍ମ ଜ୍ଞାତି,

ହିମାଳୟ ପର୍ବତରେ ହେଲୁ ଉତପତି ।

ସୁନାର ଲଙ୍ଗଳ, ରୂପାର ଫାଳ,

କୈଳାଶ-ଗୋସେଇଁ ଯୋଚିଲା ହଳ ।

ହଳ ବାହାନ୍ତେ ଉଠିଲା ମାଟି,

ଗଜିଲା ସୋରିଷ ମେଦିନୀ ଫାଟି ।

ଭାଙ୍ଗ୍‌ ସୋରିଷ ଭାଙ୍ଗ୍‌,

ଆମ କମଳୀର ଦୃଷ୍ଟି କଟୁ ଭାଙ୍ଗ୍‌ । ଫୁ..ଉ.. ଉ...ଉ...’’

 

ମୁଠିରୁ ଆଉ କିଛି ସୋରିଷ ନିଆଁରେ ପକାଇ ପୁଣି ଡାକିଲା—

 

‘‘ଚନ୍ଦ୍ର ସାକ୍ଷୀ, ସୂର୍ଯ୍ୟ ସାକ୍ଷୀ,

ଉତୁରା ଭାତ ଥୋଇଚି ରଖି ।

ମୋର ହଉ ଗୁରୁଙ୍କ ଡାକ,

ନଜର, ବଜର, ରାଗ, ବିଷ

କମଳୀର ଦୃଷ୍ଟି କଟୁ ପାଣି ହେଇଯା...

ବ୍ରହ୍ମା, ମହାଦେବର ଆଜ୍ଞା ପାଇଲି,

ଉତୁରା ଭାତ ଅଗନିରେ—

କମଳୀର ରୋଗବ୍ୟାଧି ସବୁକୁ ପାଣିକୃତ୍ୟ କରେ ।

ହର, ବିଷ ହର, ଶିବର ବର ।

ସିଦ୍ଧ ଗୁରୁର ପାଦ ରକ୍ଷାକର, କାମାକ୍ଷାର ମା’ । ଫୁ..ଉ..ଉ.. ଉ’’

 

ମୁଠିର ଅବଶିଷ୍ଟ ସୋରିଷତକ ନିଆଁକୁ ଫୋପାଡ଼ି ଦେଲା । ଇତି ମଧ୍ୟରେ ବୁଢ଼ୀ କୋଳରେ କମଳୀ ଗାଢ଼ ନିଦରେ ଶୋଇ ପଡ଼ିଥିଲା ।

 

ସନ୍ତାନର ମଧୁର ସଂସ୍ପର୍ଶରେ ଶାଶୁ-ବୋହୂଙ୍କ ଅନ୍ତରର ଅପୂର୍ବ ମିଳନ ସମ୍ଭବ ହେଲା । ଶାଶୁ-ବୋହୂଙ୍କ ମନରୁ ପୂର୍ବର ସମସ୍ତ ହିଂସା, ଦ୍ଵେଷ, ଗ୍ଳାନିର ଭାବ ଅନ୍ତର୍ହିତ ହେଲା । ଶାଶୁଙ୍କର ଶାସନ ମାଧ୍ୟମରେ ଜୀବନଯାତ୍ରାର ପ୍ରୟୋଜନୀୟ ଗାର୍ହସ୍ଥ୍ୟ ଶିକ୍ଷା, ସଂସାର ଚଳେଇବାର ବିଚିତ୍ର ଅଭିଜ୍ଞତା ଲାଭ କରି, ଶାଶୁଙ୍କ ପ୍ରତି ସଶ୍ରଦ୍ଧ କୃତଜ୍ଞତାରେ ଟଗରର ଅନ୍ତର ଫୁଲି ଉଠିଲା ।

 

ତେର

 

ନିଜ ହାତରେ ଯାହା କିଛି ଧନ ସଞ୍ଚିତ ଥିଲା ସେ ସବୁକୁ ବିକିଭାଙ୍ଗି, ଖାଇପିଇ ଛଅମାସ କଟେଇ ଦେଲା ଧରଣୀ । କୋଠିରେ ଧାନ କେଇ ଗୌଣୀ ଥିବାଯାଏଁ ଦୁଇବେଳା ଦୁଇ ମୁଠି ଖାଇବା ସକାଶେ ଭାବନା-ଚିନ୍ତାର ଅବକାଶ ନଥିଲା ତା’ର । ଅଭାବର ଉଦ୍ଭବ ଅସନ୍ତୁଷ୍ଟିରୁ । ଆକାଂକ୍ଷାର ଦୀର୍ଘ ଲାଞ୍ଜଟିକୁ ମୋଡ଼ି ଧରିଲେ ଯାଇ ଆଧୁନିକ ମଣିଷର ଅଭାବର ପରିସୀମା ସଙ୍କୁଚିତ ହୋଇପାରିବ ।

 

ଧରଣୀ ଇଚ୍ଛା କରିଥିଲେ ଗାଁର ଆଉ ଆଉ ଦଶଜଣଙ୍କ ପରି ଦିନ ଯାଇ ରାତି, ରାତି ଯାଇ ସକାଳ ହେଲା ପରି ଜମିବାଡ଼ି ଚଷି ଅତି ସହଜରେ, ଅନାୟାସରେ ବଞ୍ଚି ପାରିଥାନ୍ତା । କିନ୍ତୁ ଚାହା-ବଗିଚାରେ ଥିବା ଉଜାଣୀ ଅଞ୍ଚଳର ସହରୀ ଲୋକଙ୍କ ସଂସ୍ରବରେ ପଡ଼ି ଧରଣୀ ଭିତରେ ଥିବା ଚିରନ୍ତନ-ଚାଷୀ-ପ୍ରାଣଟିର ବିହନ ନଷ୍ଟ ହେଇଯାଇଥିଲା । ଏବେ ଯଦି ଧରଣୀକୁ ସହରିଆ ବ୍ୟବସାୟରେ ପଶିବାକୁ ପଡ଼ିବ, ତେବେ ହୁଏତ ତାକୁ ତେଜରାତି ବେପାର, ନୁହେଁ ତ ସରକାରୀ ଚାକିରୀ ଖୋଜି ସହରରେ ରହଣି ବାନ୍ଧିବାକୁ ପଡ଼ିବ । ଏଇ ଦୁଇଟା ଭିତରୁ କିନ୍ତୁ ଚାକିରୀ ଖଣ୍ଡେ ଖୋଜିନବା ଆପାତତଃ ତା’ ପକ୍ଷରେ ସହଜ । ବସ୍ତୁତଃ ଚାକିରୀ ଖଣ୍ଡେ ଖୋଜିନବାକୁ ଧରଣୀକୁ ବେଶି କିଛି ଦୌଡ଼ା-ଧାପଡ଼ା ହଇରାଣ-ହରକତ ହେବାକୁ ପଡ଼ିଲା ନାହିଁ । ନଅଗାଁ ଜିଲାରେ ଲୋକାଲ୍‌ ବୋର୍ଡ଼ ମଧ୍ୟ ତନ୍ତଶାଳ-ପ୍ରଚଳନ-ଯୋଜନାକୁ ହାତକୁ ନେଇଛି । ବୋର୍ଡ଼ର ଚେୟାରମ୍ୟାନଙ୍କୁ ଭାରଥୁରରେ ସନ୍ତୁଷ୍ଟ କରି ଚାକିରୀ ଖଣ୍ଡେ ଯୋଗାଡ଼ କରିନେଲା ଧରଣୀ । ପୁଣି ଭେଟି-ମୁଣା ଓଜନିଆ ହେବାରୁ ଧରଣୀ ନିଜର ‘ରହା’ ଅଞ୍ଚଳରେ ହିଁ ନିଯୁକ୍ତି ପାଇଲା ।

 

ପ୍ରକୃତିପକ୍ଷେ, ରହା ଅଞ୍ଚଳର ସ୍ତ୍ରୀମାନଙ୍କୁ ବୟନ-ବିଦ୍ୟା ଶିକ୍ଷାଦବାକୁ ଯିବା ଅର୍ଥ ଶୁକକୁ ବେଦ ପଢ଼ାଇବା ନ୍ୟାୟ । ଡିମୌ, ଦୀଘଲଦରି, କାଟନି ପ୍ରଭୃତି ଗାଁଗୁଡ଼ିକର ସ୍ତ୍ରୀଲୋକ ମାନଙ୍କର ମାରୱାଡ଼ି ଦୋକାନର କପଡ଼ାଲତା ପିନ୍ଧିବାର ଦସ୍ତର ନାହିଁ, କହିଲେ ଚଳେ; ବରଂ ମାରୱାଡ଼ି ମହାଜନମାନେ ସର୍ବଦା ଫନ୍ଦି-ଫିକର କରି ବୁଣାଳୀମାନଙ୍କଠାରୁ ଏଣ୍ଡିର କପଡ଼ାଲତା ଅଧା ଦାମ୍‌ରେ କିଣି ନିଅନ୍ତି । ବୋର୍ଡର ନିର୍ଦ୍ଦେଶ ମତେ ଫ୍ଲାଇସା-ଟୋଲରେ ତନ୍ତବୁଣା ଶିଖେଇବା ପାଇଁ ଧରଣୀ ଚେଷ୍ଟା କରିବାରୁ ସମସ୍ତେ ପ୍ରଥମେ ଅବମାନନା କଲେ । ପ୍ରାଚୀନ ନୀତି ନିୟମ ଛାଡ଼ିବାକୁ କଷ୍ଟବୋଧ ହେଲା ପରି, ଶାଳରେ ବାଉଁଶ ଖୁଣ୍ଟରେ ତରି ନେଇ ପାରୁଥିବା ପୁରୁଣା ତନ୍ତଶାଳ ବଦଳରେ ଲୁହାଶାଳ ବସେଇବାକୁ କେହି ବି ଆଗ୍ରହ ପ୍ରକାଶ କଲେ ନାହିଁ ।

 

ଧରଣୀ ବି ବୁଝିଲା ଯେ ପ୍ରକୃତରେ ତନ୍ତଶାଳର ଅଭାବ ଗାଁ-ମଣିଷର ଦାରିଦ୍ର୍ୟ ଓ ଅର୍ଦ୍ଧନଗ୍ନତାର ମୂଳ କାରଣ ନୁହେଁ । ଲୁହା ତନ୍ତଶାଳ ବସେଇ ଦେଲେ ଗାଉଁଲୀ ଲୋକର ଦୁଃଖ, ଦୁରବସ୍ଥା ଘୁଞ୍ଚିଯିବ ନାହିଁ । ମାରଓ୍ୱାଡ଼ି ମହାଜନମାନଙ୍କ ଖାତା-ଖତୀୟାନରୁ ଗାଉଁଲି ଲୋକର ନାମ ଖାରଜ ନ ହେଲା ଯାଏଁ, ଗ୍ରାମର ଉତ୍ପନ୍ନ ଦ୍ରବ୍ୟ ବେଶି ଦାମ୍‌ରେ ବାହାରକୁ ସରବରାହ କରିବା ପାଇଁ ବ୍ୟବସ୍ଥା ନ ହବାଯାଏଁ, ଅକାଳେ-ସକାଳେ ଧନ-ଋଣ ଦେବାର ସହଯୋଗ ସମିତି ନ ଖୋଲିବା ଯାଏଁ, ଅବସର ସମୟକୁ କାମରେ ଲଗେଇ ଅସମୀୟା ମଣିଷକୁ ଉଦ୍ୟୋଗୀ-ଉତ୍ସାହୀ-ପୁରୁଷ, ପରିଶ୍ରମପଟୁ ନ କରାଇବା ଯାଏଁ ଗ୍ରାମ୍ୟ ଜୀବନର ଦୁଃଖ-ଦୁର୍ଦ୍ଦଶାର କାହାଣୀ ସମାପ୍ତି ନାହିଁ-। ସେଇ କାରଣରୁ ଲୁହାତନ୍ତ ପ୍ରଚଳନ ଅପେକ୍ଷା, ପୁରୁଣା-ତନ୍ତଶାଳଟିର ସଂସ୍କାରରେ ନିଜକୁ ବେଶି ନିୟୋଜିତ କଲା ଧରଣୀ । ନିଜର କପଡ଼ାଲତା ବୁଣିବା ବାହାରେ ସହରବାସୀଙ୍କ ବ୍ୟବହାର୍ଯ୍ୟ କପଡ଼ାଲତା ବୁଣିବାକୁ ବୁଣାଳୀମାନଙ୍କୁ ସେ ବୁଦ୍ଧି ପରାମର୍ଶ ଯୋଗାଇଲା । ବୁଣାଳିମାନଙ୍କଠୁ କପଡ଼ାଲତା ନେଇ ସହରରେ ବେଶୀ ଦାମ୍‌ରେ ବିକ୍ରୀର ବନ୍ଦୋବସ୍ତ କଲା । କୌଣସି କୌଣସି ଗାଁର ବୁଣାଳୀମାନଙ୍କୁ ଶସ୍ତା ଦରରେ କପା, ସୂତା ଆଦି ବୁଣା-ସାମଗ୍ରୀ ଯୋଗାଇବାର ବ୍ୟବସ୍ଥା ମଧ୍ୟ କଲା । ଧରଣୀର ଏଇ ଗ୍ରାମୋନ୍ମୟନ ବ୍ୟବସ୍ଥା ଯୋଗୁଁ କେତେଗୁଡ଼ିଏ ଗାଁର ସ୍ତ୍ରୀଲୋକମାନେ ବର୍ଷକୁ ଶହେ ଛ’କୋଡ଼ି ଧନ ଅର୍ଜିବାକୁ ସମର୍ଥ ହେଲେ । ବହୁ ରାଣ୍ଡି-ଖଣ୍ଡୀଙ୍କର ଅପରିସୀମ ଦୁଃଖକଷ୍ଟ ଅନେକଟା ଲାଘବ ହେଲା ।

 

ବୁଣା କଟା ବିଷୟରେ ଗାଉଁଲି ସ୍ତ୍ରୀଲୋକଙ୍କ ସହଜ ପ୍ରତିଭାର ଅସାମାନ୍ୟ ପରିଚୟ ପାଇ ଧରଣୀ ବିସ୍ମୟ ମଣିଲା । ଦୁଇକୋଡ଼ି ବୟସ ଅତିକ୍ରମ କରିଥିବା ସ୍ତ୍ରୀ ଲୋକକୁ ନୂଆ ନମୁନାଟିଏ ବୁଣିବାକୁ ଥରେ ଦେଖେଇଦେଲେ ଦ୍ଵିତୀୟ ଥର ପରାମର୍ଶ ଦେବାର ପ୍ରୟୋଜନ ରହିଲା ନାହିଁ । ନୂଆ ଡିଜାଇନ୍‌ଟାଏ ଦେଖିଲେ ନମୁନାରେ ଉଠେଇନେବାକୁ ଝିଅମାନେ ଆନନ୍ଦାଗ୍ରହରେ ପ୍ରତିଯୋଗିତା ଆରମ୍ଭ କରିଦିଅନ୍ତି । ସୌନ୍ଦର୍ଯ୍ୟ-ସ୍ପୃହା କେବଳ ଅଭିଜାତ-ମନର ଧର୍ମ ନୁହେଁ, ଏହା ସାର୍ବଜନୀନ । ଗ୍ରାମ୍ୟ ନାରୀଙ୍କର ସୌନ୍ଦର୍ଯ୍ୟ ସାଧନାର ପରିଚୟ ନାନା କାର୍ଯ୍ୟର ମାଧ୍ୟମରେ ଦୈନନ୍ଦିନ ପ୍ରକାଶ ପାଉଛି । ତନ୍ତଶାଳ ଖଣ୍ଡିକୁ କେନ୍ଦ୍ର କରି ହିଁ ଅସମୀୟା ଝିଅ ବୋହୂଙ୍କ ପ୍ରାଣରେ ଅନାବିଳ ସୌନ୍ଦର୍ଯ୍ୟ-ଚେତନା ଗଢ଼ି ଉଠେ । ତନ୍ତଶାଳ, ଅସମୀୟା ନାରୀ ମନରେ ସୌନ୍ଦର୍ଯ୍ୟର ବିଗ୍ରହ । ପ୍ରଭାତ, ଗୋଧୂଳିରେ ଭାଗବତ ଟୁଙ୍ଗିରେ ମୁଣ୍ଡ ନୋଇଁବା ପରି କ୍ଷଣକ ପାଇଁ ହେଲେ ବି ତନ୍ତଶାଳରେ ବସି କେଣ୍ଡାକୁ ହଲେଇବା ଗାଉଁଲି ସ୍ତ୍ରୀର ଏକ ଅପରିହାର୍ଯ୍ୟ ଦୈନନ୍ଦିନ କର୍ତ୍ତବ୍ୟ । ଅନ୍ତରର ଅନନ୍ତ ଭଲପାଇବା ଦେଇ ବୁଣା-ଗାମୁଛାର ରଙ୍ଗୀନ-ଫୁଲ-ପାଢ଼ିରେ ହୁଏତ ଗାଉଁଲି ଯୁବତୀର ପ୍ରଥମ-ପ୍ରଣୟର ପୁଷ୍ପାଞ୍ଜଳି; ସ୍ଵର୍ଣ୍ଣ-ବର୍ଣ୍ଣର ମୁଗା-ସୂତାରେ ଚିତ୍ର–ବିଚିତ୍ର ଫୁଲପକା ପାଞ୍ଚି ଖଣ୍ଡିକରେ ହୁଏ ଗୁରୁଘରର ପୂଜା-ଅର୍ଚ୍ଚନା ।

 

ଧରଣୀର ପ୍ରବଳ ଉତ୍ସାହ ଏବଂ ପ୍ରଗାଢ଼ କର୍ମପ୍ରେରଣାରେ ଅକସ୍ମାତ ବାଧା ଉପୁଜିଲା । କେଇଦିନ ହେଲାଣି ମା’ର ନଛୋଡ଼ବନ୍ଧା ଜ୍ଵର । ପ୍ରଥମ ଦୁଇଦିନ ଜ୍ଵରକୁ ଜ୍ଵର ବୋଲି ନ ଧରି ବୁଢ଼ୀ ଲଡ଼ବଡ଼ ହେଇ ଦଉଡ଼ା ଧପଡ଼ା କରି କାମଧନ୍ଦା କଲା; କିନ୍ତୁ ତୃତୀୟ ଦିନ ଏକବାରେ ବିଛଣାରେ ପଡ଼ିରହିଲା । ଜୀବନରେ ବହୁତ ଦୁଃଖ-କଷ୍ଟ ଭୋଗିଛି ଯଦିଓ, ବିଛଣାରେ ପଡ଼ିରହିବା ଭଳି ଅବସ୍ଥା ଧରଣୀ-ମା’ର କେବେ ଆସି ନ ଥିଲା । ମରଣ ଯେ ନିକଟେଇ ଆସିଲା, ବେମାରର ଲକ୍ଷଣରୁ ଆହିନୀ ବେଶ୍‌ ବୁଝିପାରିଲା । ଜୀବନରେ ଯେତେବେଳେ କୌଣସି ଉଜ୍ଜଳ ଆଶା ନାହିଁ, ସୁଖ-ସମ୍ଭୋଗର ଭବିଷ୍ୟତ ନାହିଁ, ସେପରିସ୍ଥଳେ ଆହିନୀର ବଞ୍ଚି ରହିବାକୁ ଇଚ୍ଛା ହବ କୋଉଥି ପାଇଁ ? ବିଛଣାରେ ପଡ଼ିବା ଦିନ ହିଁ ବୋହୂ, ହାତରେ ଭାତହାଣ୍ଡିଟା ଗତେଇ ଦେଇ ଧରଣୀ-ମା’, ସଂସାରିକ ଲେଞ୍ଜେରାର ଅବଶିଷ୍ଟାଂଶରୁ ମୁକ୍ତି ଲଭିଲା ।

 

ଧରଣୀ ଗାଁର କବିରାଜଙ୍କଠୁ ମା’ ପାଇଁ ବଡ଼ି କେଇଟା ଆଣିଲା । କିନ୍ତୁ ଜୀବନରେ ଅସୁଖ ବିସୁଖରେ ଦିନକ ପାଇଁ ଯଦି ଔଷଧ ଛାତି ଖାଇ ଆରୋଗ୍ୟ ହୋଇ ନଥିଲା, ମରଣର ଆଗନ୍ତୁକ ଶାନ୍ତିକୁ ସେ ଔଷଧରେ ଦୂର କରିବ କାହିଁକି ? ପୁଅ ବୋହୂଙ୍କର ଅଶେଷ କାକୁତି ମିନତିରେ ବି ବୁଢ଼ୀ ଔଷଧ ଖାଇବାକୁ ରାଜି ହେଲା ନାହିଁ ।

 

ଚତୁର୍ଥ ଦିନ ଆହିନୀ ଭ୍ରମ କରିବାକୁ ଆରମ୍ଭ କଲା । ମଝିରେ ମଝିରେ କଥା କହି ନପାରି ଅଚେତ ହେଇ ପଡ଼ିଯାଉଛି; କିନ୍ତୁ ଚେତନା ପାଉ ପାଉ ହବ ତ ବୋହୂକୁ ନହେଲେ ନାତୁଣୀକୁ ଚିତ୍କାର କରି ଡାକି ପାଖରେ ବସେଇ ନଉଛି । ଆସ୍ତେ ଆସ୍ତେ ସାଂସାରିକ ବିଷୟର ବାକି ଥିବା ଉପଦେଶ ଟିକକ ଦଉ ଦଉ ବୋହୂ, ହାତରେ ହାତ ଥୋଇ ପୁଣି କ୍ଷଣକ ପାଇଁ ନୀରବ ରହେ । ରାତିଦିନ ଲାଗି ସେବା-ଶୁଶ୍ରୁଷାରେ ଲାଗିପଡ଼ି ଶାଶୁଙ୍କ ପାଖରୁ ଟଗରର ଉଠିବାର ନୋହିଲା । ନିଜର ଜୀବନ ଦେଇ ଯଦି ଶାଶୁଙ୍କ ବଞ୍ଚାଇ ହୁଆନ୍ତା, ଟଗର ତା ଦେଇପାରନ୍ତା ।

 

କୌଣସି ସମୟରେ ତନ୍ଦ୍ରାବସ୍ଥାରେ ଭୟ ପାଇ ଆହିନୀ ମୁଣ୍ଡ ଟେକି ଉଠିପଡ଼େ । ଆଖି ଦି’ଟା ଅସ୍ଵାଭାବିକ ଭାବରେ ବିସ୍ଫାରିତ କରି ଏକ ଲୟରେ ବୋହୂର ମୁଁହକୁ ଚାହିଁ ରହେ । ଆଖି ଦି’ଟା ସ୍ଵାଭାବିକ ଅବସ୍ଥାକୁ ଆଣିବା ପାଇଁ ଟଗର ଯତ୍ନ ସହକାରେ ଆଖିପତା ଉପରେ ହାତ ବୁଲେଇଆଣେ । ପାଟି ମେଲା ଦେଖିଲେ ଚିରାକନା ତିନ୍ତେଇ ପାଣି ଟୋପାଏ ଦିଏ । ବୁଢ଼ୀ ଜିଭ ଆଗରେ ଓଠ ଦୁଇଟିକୁ ଚାଟି, ରହି ରହି ବୋହୂକୁ ଇଙ୍ଗିତ ଦିଏ ଖାଇବାକୁ ଯିବାକୁ । ବୋହୂ, ଉଠିନଯିବା ଦେଖିଲେ ବୁଢ଼ୀ ଜୀର୍ଣ୍ଣଜୀର୍ଣ୍ଣ ଦୁର୍ବଳ ହାତରେ ଟଗରକୁ ଠେଲିଦିଏ । ଶାଶୁର ସ୍ନେହ ଆଉ ମମତାରେ ଟଗରର ଦୁଇ ଆଖିରେ ଆନନ୍ଦ-ବେଦନାର ଲୁହ ଝରଝର ହେଇ ଝରିପଡ଼େ ।

 

ଦିହିପହରିଆ ରାନ୍ଧିବାଢ଼ି, ଖାଇପିଇ, ହାଣ୍ଡି ଶାଳ ସାଇତି, କମଳୀକୁ କୋଳରେ ନେଇ ଟଗର ଶାଶୁଙ୍କ ବିଛଣାକୁ ଆଉଜି ବସିଲା । ଯତ୍ନ ସହକାରେ ଶାଶୁଙ୍କ ଗୋଡ଼ରେ ହାତ ବୁଲେଇଲା । ଟଗର ସେଇ କୋଠରିକୁ ପଶିଆସିବା ଦେଖୁ ଦେଖୁ ବୁଢ଼ୀ ପିନ୍ଧା ଭିତରେ ହାତ ପୁରେଇଲା । ଅଣ୍ଟାର ଖୋସଣିରୁ ଚାବିଟାଏ ବାହାର କରି ବୋହୂ, ଆଡ଼କୁ ବଢ଼ାଇ ଦେଲା । ଟଗର ହାତ ବଢ଼େଇ ଚାବିଟା ଆଣି କଣ କରିବାକୁ ହେବ ସେଇ ନିର୍ଦ୍ଦେଶ ସକାଶେ ଶାଶୁଙ୍କ ଆଡ଼କୁ ଚାହିଁ ରହିଲା । ବୁଢ଼ୀ ମୁଣ୍ଡ ପାଖର ପଣସ-କାଠର ବାକ୍‌ସଟା ଆଡ଼କୁ ହାତ ଦେଖେଇ ରହି ରହି କହିଲା—‘‘ଆଲୋ, ଭେଳିକି ଲାଗି ଚାହିଁଛୁ କଣ ? ବାକ୍‌ସଟା ଖୋଲ ।’’

 

—‘‘ଏବେ ଥାଉ, ମା’ ! ଆପଣଙ୍କ ଦେହ ଭଲ ହେଇଯାଉ ।’’ ରନ୍ଧାଘରୁ ଆସି କ୍ଳାନ୍ତିରେ ଉଠିବାକୁ ଟଗରର ମନ ନାହିଁ ।

 

—‘‘ଥିବ କାହିଁକି ବା ? ଉଠିଲୁ, ଉଠ୍‌ ।’’ ବିରକ୍ତିରେ ବୁଢ଼ୀ କହିଲା ।

 

କମଳୀକୁ ତଳେ ବସେଇ ଦେଇ ଟଗର ବାକ୍‌ସ ଖୋଲି ପଚାରିଲା—‘‘କଣ ଦରକାର, କୁହ ?’’

 

—‘‘ପାଖକୁ ଆଣିଲୁ ।’’ ହାତର ଠାରରେ ପାଟିର ଅସ୍ପଷ୍ଟ କଥାକୁ ସ୍ପଷ୍ଟ କଲା । ଶାଶୁଙ୍କ ମୁଣ୍ଡ ପାଖକୁ ବାକ୍‌ସଟି ନେଲା ଟଗର ।

 

—‘‘ଲୁଗା ତଳେ ଡବାଟିଏ ଅଛି, ହାତ ଭର୍ତ୍ତି କଲେ ପାଇବୁ, ବାହାର କରି ଆଣ ।’’

 

ଡବାଟି ଆଣି ଟଗର ଶାଶୁଙ୍କ ହାତରେ ଦେଲା । ଲଡ଼ବଡ଼ ହୋଇ, ଥରଥର ହାତରେ ଡବାଟି ଖୋଲି ଦେଖେଇ କହିଲା—‘‘ଏଇଟା ନେ, ମଣି ଦି’ଟା । ଖଣ୍ଡେ ଏଥିରେ ଅଛି; କମଳୀ ପାଇଁ ପଦକଟିଏ ଗଢ଼େଇଦବୁ ।’’

 

ମଣି ସହିତ ଡବାଟି ନେଇ ପୂର୍ବପରି ଲୁଗାତଳେ ପୂରାଇ ବାକ୍‌ସଟା ବନ୍ଦ କରିବାକୁ ଟଗର ଯତ୍ନ କରୁଛି । ବୁଢ଼ୀ ପୁଣି ହାତ ଠାରରେ ମନା କରି କହିଲା,—‘‘ବନ୍ଦ କରନା, ରହ ସେଥିରେ ଫୁଲପକା ମେଖେଳା ଯୋଡ଼ା ଅଛି । ପାଞ୍ଚି ଖଣ୍ଡକ ତଳେ; ତାକୁ ଆଣେ ।’’

 

ଟଗର ମେଖେଳା ଯୋଡ଼ାକ ଆଣି ଶାଶୁଙ୍କ ଛାତି ଉପରେ ଥୋଇଲା । ବୁଢ଼ୀ, ମେଖେଳା ଯୋଡ଼ାରେ ହାତ ବୁଲାଉ ବୁଲାଉ ବିସ୍ମିତ କଥାକୁ ମନେ ପକେଇଲା । ଅଳ୍ପ ପରେ ବୋହୂକୁ କହିଲା—‘‘ନେ, ଏଇ ଯୋଡ଼ଟା ନିର୍ବନ୍ଧ ବେଳେ ଦେଇପାରିଲି ନାହିଁ । ବୁଣା ହେଇ କେବଳ ଥୁଆହବା ସାର ହେଲା ।’’

ଏତକ କହି ଆହିନୀ ଆଖି ବନ୍ଦ କଲା । ଟଗରର ଦୁଇ ଗାଲରେ ଆନନ୍ଦ-ବିଷାଦର ଲୁହ ଝରିପଡ଼ିଲା ।

ସନ୍ଧ୍ୟା ପରଠାରୁ ଧରଣୀ-ମା’ର ରୋଗ ସାଂଘାତିକ ହେବାକୁ ଧରିଛି । ମଣିଷ ଚିହ୍ନି ପାରୁନି, ରହି ରହି, ଭ୍ରମ କରୁଛି । ମଝିରେ ମଝିରେ ଦୁଇ ଓଠର ମଧ୍ୟଦେଇ ଅସ୍ପଷ୍ଟ ‘‘ରାମ ରାମ’’ ନାମ ଉଚ୍ଚାରିତ ହେଉଛି । କେତେବେଳେ ଭୟାବହ ନୀରବତାକୁ ଭାଙ୍ଗି କମଳୀ, ‘‘କମଳୀ’’ ବୋଲି ଚିତ୍କାର କରି ସମସ୍ତଙ୍କ ମନରେ ଆତଙ୍କ ସୃଷ୍ଟି କରୁଛି । ଝିଅକୁ ଖୋଜୁଥୁବା ଶୁଣି ଟଗର ତରବର ହେଇ ସୁପ୍ତ କମଳୀକୁ ଟେକି ଆଣି ଶାଶୁଙ୍କ ମୁଣ୍ଡ ପାଖରେ ଧରି କହୁଛି,—‘‘ମା, ମା, ହେଇ ପରା କମଳୀ ।’’ ସେଇ ଅଚେତନ ଅବସ୍ଥାରେ ମଧ୍ୟ ବୁଢ଼ୀ ମା’ ଥୁରୁଥୁରୁ ହାତକୁ ଟେକି ନାତୁଣୀ ମୁଣ୍ଡରେ ବୁଲେଇବାକୁ ଚେଷ୍ଟା କଲା । ତାହା ଦେଖି ପାଖରେ ଠିଆ ହେଇଥିବା ସମସ୍ତେ କୁହାବୋଲା କଲେ–‘‘ନାତୁଣୀ ପାଇଁ ବୁଢ଼ୀର ବଡ଼ ସ୍ନେହ । ମରଣ ଅବସରରେ ଏଇ ମାୟା ପିଲାଙ୍କ ପକ୍ଷେ ମଙ୍ଗଳ ନୁହେଁ କିନ୍ତୁ ।’’

ମୁଣ୍ଡ ପାଖରେ ସୋରିଷ ତେଲ ବତି ଜଳେଇ ସୁନନ୍ଦ ‘ଅଜାମିଳ-ଉପାଖ୍ୟାନ’ର ଗୀତ ସୁର ଧରି ଗାଉଛି । ପୋଥିରୁ ମୁଣ୍ଡ ଟେକି ସୁନନ୍ଦ ‘‘ନାରାୟଣ, ନାରାୟଣ’’ ବୋଲି ବଡ଼ପାଟିରେ ଚିତ୍କାର କଲା । ଆହିନୀ ତାହା ଶୁଣି ଓଠ ହଲେଇଲା ।

 

ଗାଁର ସମ୍ପର୍କୀୟ ଲୋକେ ଆସି ଧରଣୀ ଘରର ବାହାରେ ଭିତରେ ଭରିଗଲେ । କେତେ ଜଣ ଅଗଣାରେ ନିଆଁ କୁଢ଼େ ଆବୋରି ଗଞ୍ଜେଇ ଚିଲମ ଟାଣି ମୃତ୍ୟୁର ସମୟ ଗଣନା କରୁଛନ୍ତି । ଚିଲମରେ ମସ୍ତ ଟାଣଟାଏ ଟାଣି ପାଖର ଜଣକୁ କଣପା ପଚାରିଲା, ‘‘ଆଜି ବାର କଣ ଟି ?’’

 

—‘‘ମଙ୍ଗଳବାର ହବ କି କଣ ।’’

 

—‘‘ତେବେ କାଠ-ବାଉଁଶର କି ବ୍ୟବସ୍ଥା ହଉଚି ?’’

 

ତୃତୀୟ ଜଣକ ଚିଲମଟା ନବାକୁ ହାତ ବଢ଼େଇ କହିଲା—ମଙ୍ଗଳବାର ବୋଲି କଣ ବୁଢ଼ୀର ମଡ଼ାକୁ ବାସି କରେଇବ ? ମା’ ପାଇଁ ବାଉଁଶ କେଇଗଛ କଣ ଧରଣୀ ଦେଇପାରିବ ନାହିଁ-?’’

 

କଣପା କହିଲା—‘‘ବାଉଁଶ ତ ଧରଣୀ ବାଡ଼ିରୁ ବାହାରିବ । ହେଲେ ଶୁଖିଲା ଆମ୍ବକାଠ ଖଣ୍ଡେ ଦୁଇଖଣ୍ଡ ଲାଗିବ ନାହିଁ ନା ?’’

Unknown

 

ସମସ୍ତେ ମିଶି କାହା ଘରେ କଟାହେଇ ଥୁଆ ହେଇଥିବା ଆମ୍ବକାଠ ଅଛି, ସେଇ ଆଲୋଚନା କଲେ । ଆଲୋଚନାକୁ ଶେଷ କରିବା ପାଇଁ ଜଣେ କହିଲା—‘‘ହେଲେ ରାତି ଗୋଟାକଯାକ ପାଇଁ ଜାଳକାଠ ଦରକାର ହବତ ! ବୁଢ଼ୀ ତ କାମିକା ଟାଣୁଆ ମଣିଷ, ଶୀଘ୍ର ଯାଉଚି କୋଉଠି !’’

 

କଣପା ଗମ୍ଭୀର ହେଇ କହିଲା—‘‘କଥାଟା ଏକବାର ମିଛ ନୁହେଁ । ବୁଢ଼ୀବୋଧେ ଝଟପଟ ପାଇଲା ବେଳକୁ ଯିବା ପରି ଲାଗୁଚି ।’’

 

—ସତକଥା, ରାତିଟାରେ ଲୋକଙ୍କୁ କଷ୍ଟ ନଦେଲେ ହେଲା ।” ବୋଲି କହି ତୃତୀୟ ଜଣକ କଥାଟାରେ ସମ୍ମତି ଜଣେଇଲା ।

 

ବୟସ୍କ ଜଣେ ଧରଣୀକୁ ବାହାରକୁ ଡାକି ନେଇ ପୁରୋହିତ ପାଖକୁ ଖବର ପଠାହୋଇଚି କି ନାହିଁ ପଚାରିଲା I ମା’ର ମରଣ ନହଉଣୁ ମୃତ୍ୟୁପରର କ୍ରିୟାକର୍ମ ସକାଶେ ସମସ୍ତେ ନିଷ୍ଠୁର ବ୍ୟଗ୍ରତା ଦେଖାଉଥିବାରୁ ଧରଣୀ ଅସ୍ଵାଭାବିକ ଭାବେ ଭୋ-ଭୋ କାନ୍ଦିବାକୁ ଲାଗିଲା ।

 

—“କାନ୍ଦିକାଟି ଦୁଃଖ କଲେ କଣ ହବ, ବାପ ? ଜନମ ମରଣ ସଂସାରର ରୀତି; ତାକୁ କିଏ ବାଧା ଦେଇ ପାରିବ ? ମାଏ ବାପେ କାହାକୁ ସବୁଦିନକୁ ଧରି ନଥାନ୍ତି । ତମମାନଙ୍କର ଭାଗ୍ୟ, ଆହିନୀର ବି ଭାଗ୍ୟ । ପୁଅ-ବୋହୂର ସେବା ଟିକିଏ ପାଇଚି । ନାତୁଣୀର ମୁହଁ ଦେଖିଲା ।” ଧରଣୀକୁ ସାନ୍ତ୍ଵନା ଦେବା ସକାଶେ ମାଘି ବୁଝେଇବସିଲା ।

 

ଅଧ୍ୟାୟ ଶେଷ ହେବା ସଙ୍ଗେ ସଙ୍ଗେ କୀର୍ତ୍ତନ ପୋଥିଖଣ୍ଡକ ବନ୍ଦ କରିଦେଇ ସୁନନ୍ଦ ବି ମାଘି ସହିତ ଯୋଗଦେଲା—“ଦେଖ, ଭାଗବତରେ ବ୍ୟାସ ମୁନି ଲେଖିଯାଇନାହାନ୍ତି ? ସମସ୍ତ ପ୍ରାଣୀ ରାତିକ ପାଇଁ ସଂସାର-ବୃକ୍ଷରେ ବିଶ୍ରାମ ନେଇଥାଆନ୍ତି; ସକାଳ ହଉ ନ ହଉଣୁ ସମସ୍ତେ ଫୁର୍‌-ର୍‌-କିନା ନିଜ ନିଜ ସ୍ଥାନକୁ ଉଡ଼ିଯାଆନ୍ତି । ପିତା, ପୁତ୍ର, ମା, ଭାଇ, ଭଉଣୀ ସମସ୍ତେ ମାତ୍ର ଦୁଇଦିନର ଚିହ୍ନା-ପରିଚିତ । ଆମ ମହାପୁରୁଷ ଠିକ୍‌ ସେଇ କଥାଟା କହିଛନ୍ତି ।” ଏହେ... ହେ... ଏହେ... ହେ କରି ଗଳା ସଫା କରି ସୁନନ୍ଦ ପୁଣି ସ୍ଵର ଧରିଲା—

 

“ମାତା ପିତା ପତନୀ ତନୟ ଜନୟ ସବ୍‌ ମରଣା ।

ଛାରହୁ ବନ୍ଧ ମାନସ ଅନ୍ଧ ଧର ତୁ ହରିଶରଣା ॥

କୃଷ୍ଣ-କିଙ୍କର ଶଙ୍କର କହ ବିଛୁରି ବିଷୟ-କାମା ।

ରାମ-ଶରଣ ଲେହୁ କାରଣ ଜପ ଗୋବିନ୍ଦକ ନାମା ॥”

 

ଈଶ୍ଵରଙ୍କ ଇଚ୍ଛା ବୋଲି ଭାବିପାରୁଥିବାରୁ ହିଁ ଗାଉଁଲି ଲୋକେ ମୃତ୍ୟୁକୁ ସହଜରେ ଗ୍ରହଣ କରିବାକୁ ସକ୍ଷମ ହୋଇପାରିଛନ୍ତି । ଲେଖାପଢ଼ା ନଜଣା ମୁଖରେ କୀର୍ତ୍ତନ, ଭାଗବତର ପଦ ପଟ୍‌ପାଟ୍‌ ବାହାରି ପାରୁଥିବା ହେତୁ ଆପଦ, ବିପଦ, ବିପର୍ଯ୍ୟୟ, ବିଘ୍ନରେ ସେଇସବୁ ପ୍ରବୋଧ-ପ୍ରବଚନ ସଦୃଶ କାମ କରେ । ଭଗବାନଙ୍କ ଉପରେ ଅଟଳବିଶ୍ଵାସ ହିଁ ଜୀବନର ଶତ ସହସ୍ର ଦୁଃଖ, ଦୈନ୍ୟ, ଜରା, ମୃତ୍ୟୁ ମଧ୍ୟରେ ସେମାନଙ୍କୁ ଅଜେୟ କରି ରଖିଛି । ସହନଶୀଳତା ସେମାନଙ୍କର ପରମ ଶକ୍ତି ।

 

ଶାସ୍ତ୍ରବଚନରେ ଆଶ୍ଵସ୍ତ ହୋଇ ଧରଣୀ ମା’ ନିକଟକୁ ଗଲା ।

 

ଦୀଘଲ୍‍ ବାପୁ ଘରୁ ଗଙ୍ଗାଜଳ ଅଣାହେଇଚି । ସେଇଥିରୁ ଟୋପାଏ ନେଇ ଧରଣୀ ମା’ର ମୁଣ୍ଡରେ ଛୁଆଁଇ ପାଟିରେ ଦେଲା । ରୋଗୀ ନିକଟରେ ଠିଆହେଇଥିବା କେହି ଜଣେ ଟଗରକୁ ଚାହିଁ ପଚାରିଲା—“ପଞ୍ଚାମୃତ ଖାଇବାକୁ ଦିଆହେଇଛି ନା ?”

 

ପୃଥିବୀର ସୁଖ-ସମ୍ଭୋଗର ଶେଷ ପରିତୃପ୍ତି ସ୍ଵରୂପ ନିକଟରେ ଥିବା ପଥରବାଟିରୁ ପଞ୍ଚାମୃତ ଟିକିଏ ନେଇ ଟଗର ଶାଶୁଙ୍କ ପାଟିରେ ଦେଲା ।

 

ଗଙ୍ଗାଜଳ ତଥା ପଞ୍ଚାମୃତକୁ ଚାଟିବା ପାଇଁ ବୁଢ଼ୀ ସତେ ଯେମିତି ବାଟ ଚାହିଁ ରହିଥିଲା । ବହୁତ କଷ୍ଟରେ ପଞ୍ଚାମୃତଟିକକ ଚାଟିଲା । ତା’ପରେ ଚକ୍ଷୁ ସ୍ଥିର କରି ଲମ୍ବା ଲମ୍ବା ନିଶ୍ଵାସ ଟାଣିଲା । ପାଖରେ ଯେତେ ଥିଲେ— ‘ଧର, ଧର’ ପାଟିକଲେ । ମୁହୂର୍ତ୍ତକ ଭିତରେ ଚାରିପାଖରେ ଚାରିଜଣ ଧରି ଖଟ-ବିଛଣା ସମେତ ବୁଢ଼ୀକୁ ଭିତର ଅଗଣାରେ ଆଣି ଥୋଇଲେ । ଧରଣୀ ଏବଂ ଟଗର ତଳେ ପଡ଼ି, ଛାତି କୋଡି କାନ୍ଦିବାକୁ ଲାଗିଲେ । ବୁଢ଼ୀକୁ ଶ୍ମଶାନକୁ ନେବାକୁ ବହୁତ ବେଳୁ ପ୍ରସ୍ତୁତ ହୋଇ ବସିଥିବା ମଡ଼ା-ସାଙ୍ଗି ଆଏ ଅଳସ ଭାଙ୍ଗି ଠିଆହେଇ ପ୍ରତ୍ୟେକେ ଦା’ କଟୁରି ନେଇ କୋକେଇ ସଜାସଜି ଆଦି ଭିନ୍ନ ଭିନ୍ନ କାମରେ ଲାଗିଗଲେ—କେହି କାଠ ଆଣିବାକୁ କେହି ବାଉଁଶ କାଟିବାକୁ, କେହି ଗଲା ଶଗଡ଼ ଖୋଜିବାକୁ । ପୁରୋହିତେ ନବବସ୍ତ୍ର, ଅକ୍ଷତ, ଦୁର୍ବା ଯୋଗାଡ଼ରେ ଲାଗିଗଲେ ।

 

ଦେହରେ ନୂଆ ଚାଦର ଖଣ୍ଡିକ ପକାଇବାକୁ ପାଖକୁ ଯାଆନ୍ତେ, ବାଉଁଶ ନିଆଁର ଝଲକରେ ବୁଢ଼ୀର ମୁହଁ ଅଳ୍ପ ହଲଚଲ ହେବା ଦେଖି ସୁନନ୍ଦ ରହିଲା । ସୁନନ୍ଦର ଅବସ୍ଥା ଦେଖି ପାଖରେ ଥିବା ସମସ୍ତଙ୍କ ମନରେ ସନ୍ଦେହ ହେବାରୁ ଶାଶୁ ପାଟିରେ ପାଣି ଟୋପାଏ ଦେବାକୁ ଟଗରକୁ ନିର୍ଦ୍ଦେଶ ଦେଲେ । ପାଣି ଢୋକକ ଗିଳୁ ଗିଳୁ ହାତଗୋଡ଼ ହଲଚଲ କରି ବୁଢ଼ୀ ନିଶ୍ଵାସ ଟାଣିଲା । ପୁଣି କେଇଜଣ ବିଷାଦ ମନରେ ଧରାଧରି କରି ବୁଢ଼ୀକୁ ଭିତରକୁ ନେଇଗଲେ । ମରି ବି ମରଣ-କାମୁଡ଼ା ନ ଛାଡ଼ିବା ବୁଢ଼ୀର ଜୀବନ ପ୍ରତି ଏତେ ମାୟା ଦେଖି ସେମାନଙ୍କର ମନେ ମନେ ରାଗ ଉଠିଲା ।

 

ଅନ୍ଧାର ରାତି—ଅଚିହ୍ନା ବାଟରେ ଏକାକୀ ଯିବାକୁ ଭୟ କରି ବୁଢ଼ୀର ଆତ୍ମା ଝଟଝଟ ପାଇଲା ବେଳକୁ ଚଢ଼େଇ ଚିରଗୁଣୀଙ୍କ ସହିତ ଉଡ଼ାଦେଇ ଆକାଶକୁ ଉଡ଼ିଗଲା ।

 

 

 

 

 

 

 

 

 

ତୃତୀୟ ଭାଗ

 

ଇଏ କହେ ମାଆଟି,

ସିଏ କହେ ଅପାଟି,

ମାଆଟି ଘରର ଘରଣୀ ।

 

ଏକ

 

ଘରର ମୂଳ-ମଣିଷଜଣକ ମଲେ ସାରାବର୍ଷଟା ଗୃହସ୍ଥ-ଘର ପାଇଁ ବିପଦ । ସେଥିରେ ପୁଣି ଧରଣୀ-ମା’ର ତିନି ଦଫା ପୁଷ୍କର ଲାଗିଲା । ଚୋରଣୀ-ଗାଈ ପରି ମୃତ୍ୟୁ ଥରେ ଘର ଚିହ୍ନିଲେ, ଦ୍ଵିତୀୟବାର ଦେଖାଦେବାକୁ ବେଶୀ ସମୟ ଲାଗେନା ।

 

ଶାଶୁ ମରିବା ସମୟରେ ଟଗର ପେଟରେ ଆଠମାସର ଛୁଆ । ସେଇ ଦେହ-ଅସଜ ଅବସ୍ଥାରେ ବି ଲଡ଼ବଡ଼ ହେଇ ମୃତକର ଶୁଦ୍ଧକ୍ରିୟା ସବୁ ଉଠେଇନେଲା । ଉତ୍ସବ, ଅନୁଷ୍ଠାନରେ ଲାଗିଥିବା ସମୟରେ ଦେହର ବିପଦ-ବୁଜୁଳା କଥା ପାଶୋରି ପକେଇଥିଲା ସେ; କିନ୍ତୁ ଜ୍ଞାତ-କୁଟୁମ୍ବଙ୍କ ସହିତ ପଂକ୍ତି-ଭୋଜନର ପରଦିନ ଦେହ ତାର ଅସୁସ୍ଥ ହେଲା । ଦୁଇଦିନ ଲଗାଏତ ପଡ଼ିରହିବା ପରେ ତୃତୀୟଦିନ ରାତିରୁ ଶୂଳ-ଯନ୍ତ୍ରଣା ଆରମ୍ଭ ହେଇଗଲା । ସ୍ତ୍ରୀର କନ୍ଦାକଟା-ଯନ୍ତ୍ରଣା ସହ୍ୟ କରିନପାରି ଗୁଆପାନ ଯୋଡ଼ା, ପଇସା ଚାରିଟା ନେଇ ଦୀଘଲ୍‌ବାପୁର ହାତରେ ପାଣିଟୋପାଏ ମନ୍ତୁରି ଆଣିଲା ଧରଣୀ । ବାପୁର ନିର୍ଦ୍ଦେଶମତେ ଏକନିଶ୍ଵାସରେ ମୁଣ୍ଡରେ ଏବଂ ପେଟରେ ପାଣିତଳ ଢଳାହେବାର ପରେ ବି ଯେତେବେଳେ ବ୍ୟଥାର ଉପଶମ ହେଲାନାହିଁ, ଉପାୟାନ୍ତର ନଦେଖି ପାଭୈକୁ ଖବର ଦେବାକୁ କହିଲା ଟଗର ।

 

ଗାଁରେ ଝିଅ-ବୋହୂଙ୍କର ପ୍ରସବ ସମୟରେ ପାଭୈର ବିନା ସହାୟତାରେ କିଛି ହେଇପାରେନା । ପାଭୈକୁ ଖବର ପଠାଇବା କଥା ଶୁଣୁ ଶୁଣୁ ସ୍ତ୍ରୀର ଅସଲ ଅସୁଖକଥା ଜାଣିପାରିଲା ଧରଣୀ । ଆଗନ୍ତୁକ ସୌଭାଗ୍ୟର କଳ୍ପନାରେ ବିଜୁଳିପ୍ରଭା ସଦୃଶ ଧରଣୀର ମୁଖମଣ୍ଡଳରେ ଆନନ୍ଦର ରଶ୍ମି ଝଲସି ଉଠିଲା—“ଏଥର ଯଦି ପୁଅ ହୁଏ ।”

 

—ତୃପ୍ତି’ର ନିଶ୍ୱାସ ଛାଡ଼ି ସେଇ କଥାକୁ ଭାବି ଭାବି ସେ ପାଭୈ ଘରକୁ ଗଲା । ଫେରିଆସିବା ବାଟରେ ପିଉସୀ ଜଣଙ୍କର ଘରେ ପଶି, ପିଉସୀଙ୍କୁ ମଧ୍ୟ ସାଥିରେ ନେଇଆସିଲା ।

 

ଗାଁରେ କେଉଁ ମାଇକିନିଆର କେଉଁ ସମୟରେ ପ୍ରସବ ସମୟ ସେଇ କଥା ପାଭୈର ଆଙ୍ଗୁଳି-ପବରେ । ଟଗରର ଦେହ-ମୁଣ୍ଡରେ ହାତ ବୁଲେଇ ଅବିଶ୍ଵାସର ଭାବ ପ୍ରକାଶ କରି ପାଭୈ ପଚାରିଲା—“କେତେ ମାସ ?”

 

ତଳିପେଟରେ ଉଠିଆସୁଥିବା ବ୍ୟଥାକୁ ହାତରେ ଠେଲାମାରିବାକୁ ଚେଷ୍ଟା କରି କହିଲା–“ନଅ ମାସ ପଶିଚି ।”

 

ଟଗର ଅଣ୍ଟାର ମେଖଳା ଖୋସଣି ହୁଗାଳି, ତଳିପେଟକୁ ଚିପାଚିପି କରି ଦେଖି ପାଭୈ ପଚାରିଲା—“ମାସ ହିସାବରେ ଭୁଲ୍‌ ହେଇନାହିଁ ତ ? ମୋର ମନେହଉଚି ସମୟ ହେଇନି ।” ଏତକ କହି ପାଭୈ ଗୁଆବଟାକୁ ଟାଣିଆଣି ଅଳ୍ପଦୂରରେ ବସିଥିବା ପିଉସୀଙ୍କ ମୁହଁକୁ ସମର୍ଥନ ଆଶାରେ ଚାହିଁରହିଲା ।

 

ବହୁତ ବେଳଯାଏଁ ଟଗରଠାରୁ କୌଣସି ଉତ୍ତର ନପାଇ ପିଉସୀ ପାଟି ଖୋଲିଲେ–“ବଥା ଟିକିଏ କମିଚି କି ?”

 

ଏକଡ଼ ସେକଡ଼ ଛଟପଟ ହେଇ, ‘ଉହ୍‌’, ‘ଆହ୍‌’ କରି ଟଗର କହିଲା—“ସଞ୍ଜବେଳେ ଅଳ୍ପ ଜଣାପଡ଼ିଥିଲା । ଖାଇବା ପରଠୁ ବଡ଼ ଜୋର୍‌ରେ ବଥା ହଉଚି ।”

 

ଆଉ ଅପେକ୍ଷା ନକରି ପାଭୈ ତଳେ ବିଛଣା ବଛେଇଲା । ପାଖରେ ଥିବା ଖୁଣ୍ଟରେ ଗାମୁଛା ଖଣ୍ଡେ ବାନ୍ଧିଦେଲା । ଟଗରକୁ ସେଇ ବିଛଣାରେ ବସେଇ ଖୁଣ୍ଟବନ୍ଧା ଗାମୁଛାକାନିକୁ ତା’ହାତରେ ଧରାଇ ଜୋର କରି ବଳଦବାକୁ ନିର୍ଦ୍ଦେଶ ଦେଲା । ବଳଦବାର ସଙ୍ଗେ ସଙ୍ଗେ ଯନ୍ତ୍ରଣା ସମ୍ଭାଳି ନପାରି ଟଗର ରଡ଼ି ଛାଡ଼ି କାନ୍ଦିଲା ।

 

ଟଗରର ଗଛପତ୍ର-ଝଡ଼ା ରଡ଼ିରେ ପିଉସୀ ଜଣକ ରାଗିଯାଇ କହିଲେ—“ଇଏ କଣ ଲୋ ! ଲାଜ-ସରମ ଟିକିଏ ବି ନାହିଁ ? ତୁ କଣ ଏକା ଛୁଆ ଜନମ କରିବାକୁ ଯାଉଚୁ ? ଧଇର୍ଯ୍ୟ ଧରି କ୍ଷଣକ ପାଇଁ ସହିପାରୁନୁ ।”

 

ପିଉସୀଙ୍କର କୌଣସି କଥା ଟଗର କାନରେ ପଡ଼ିଲା ନାହିଁ । ବନସୀ କଣ୍ଟାରେ ଲାଗିଥିବା ଭାକୁଡ଼ ମାଛ ପରି ବ୍ୟଥା ଯନ୍ତ୍ରଣାରେ ବିଚରା ଛଟପଟ ହେଇଲାଗିଛି; ଆଖିରେ ମୁହଁରେ ତାର ସ୍ପଷ୍ଟ ପ୍ରକାଶ ପାଉଛି ଅସହ୍ୟ ଯନ୍ତ୍ରଣା । ଅନେକ ସମୟ ଯାଏଁ ଗାମୁଛାଟାକୁ ନ ଧରିବା ଦେଖି ପିଉସୀ କହିଲେ—“ଆଉ ଥରେ ବଳ ଦେଲୁ ମା, କଷ୍ଟ ନକରି ପୁଅ-ମା’ ହବୁ କେମିତି ?”

 

ପାଭୈ କହିଲା—‘‘ହଁ, ସତ ମ, ଏତେ କଷ୍ଟ କରି ପୁଅ ଜନମ କରିବ; ସେଇ ପୁଅ ପୁଣି ତଣ୍ଟି ଚିପିବାକୁ ଦୌଡ଼ିଆସିବ—ଏସବୁ ଦେଖିଲେ ପୁଅ ଜନମ କରିବା ଲୋଡ଼ା ନାହିଁ ଲୋ ମା ! ବାପୁରାମକୁ ଦେଖୁଚଟି ? ମାଇପକୁ ଆଣୁ ଆଣୁ ମା’କୁ ଘରୁ ତଡ଼ିଲା ।”

 

—“ଇସ୍‌, ବାପି କଲା ବୋଲି ସମସ୍ତେ ସେଇଆ କରିବେ ନା କଣ ? ଧରଣୀ ବୋହୂ, ଆଣୁ ଆଣୁ ଗାଁଲୋକେ ସେଇ ସନ୍ଦେହ କରି ନଥିଲେ କି ? ହେଲେ ଦେଖିଲୁ କଣ ? କେମିତି ପତିଆରାରେ ଛାଡ଼ିଲେ ଶାଶୁକୁ ? ଜଣେ ଦୁଇଜଣ ବଉଁଶବୁଡ଼ା ହେଲେ ବୋଲି କଣ ସମସ୍ତେ ସଂସାରର ଧରମ ଛାଡ଼ିବେ ନା ?”

—“ହଁ ଗୋ, ସତ କଥା । କଥାରେ ଅଛି ପରା—ପୁରୁଷର ରଣ, ସ୍ତ୍ରୀର ବିଆଣ ।” ଏତକ କହି, ସମ୍ମତି ଜଣାଇ ଟଗରର ହାତ ଦୁଇଟାକୁ ଟାଣି ନେଇ ଖୁଣ୍ଟର ଗାମୁଛା ଧରାଇଦେଲା । ପିଉସୀ ଦୂରରୁ ଥାଇ, “ବଳ ଦେ, ବଳ ଦେ, ଭୟ କରନା...” ଉତ୍ସାହ ପ୍ରଦାନପୂର୍ବକ ଚିତ୍କାର କରୁଥାନ୍ତି । ଆତୁରରେ ପଳାୟିତା ହରିଣୀ ସଦୃଶ, ଯନ୍ତ୍ରଣାରୁ ନିସ୍ତାର ଲିଭିବା ଆଶାରେ, ଟଗର ଗାମୁଛା ଧରି ଓହଳି ବଳ ଦେଇ, ଚିତ୍କାର କରି କରି ଅଚେତନ ହେଇ ବିଛଣାରେ ଢଳି ପଡ଼ିଲା । ପାଭୈ ତରବରରେ ତେଲ ପାଣି ନେଇ ଟଗରର ମୁଣ୍ଡ ଘଷିବସିଲା ।

କମଳୀକୁ ଛାତିରେ ନେଇ ଧରଣୀ ପାଖ ବଖରାରେ ବିଛଣାରେ ପଡ଼ିଥିଲା । ଟିକିଏ ଆଖି ଲାଗିଆସୁଥିବା ବେଳକୁ ସ୍ତ୍ରୀର ଆର୍ତ୍ତ ଚିତ୍କାର କାନରେ ପଡ଼ିଲା । ଏକା-ନିଶ୍ଵାସକେ ବିଛଣାରୁ ଧଡ଼ପଡ଼ ହେଇ ଉଠି ଧରଣୀ ଯାଇ ଦୁଆରବନ୍ଧ ପାଖରେ ପହଞ୍ଚିଲା । ଇତିମଧ୍ୟରେ ଟଗରର ସଂଜ୍ଞା ଫେରିଆସିଛି; ପୁଣି ‘ଉହ୍‌’, ‘ଆହ’ କୁନ୍ଥାକୁନ୍ଥି ଏବଂ ଛଟପଟ ଆରମ୍ଭ ହେଇଯାଇଛି । ଧରଣୀ ଦୁଆରବନ୍ଧରେ ଛିଡ଼ାହୋଇଥିବା ଜାଣିପାରି, ପିଉସୀ ଟିକିଏ ଅଲଗା ହେଇଗଲେ । —“ଏଯାଏଁ ବି କିଛି ହେଲାନି ? ବିଚାରି ବଡ଼ କଷ୍ଟ ପାଉଚି” ଧରଣୀ ଧୀରେ ଧୀରେ କହିଲା, “କାହିଁ, କମଳୀ ବେଳକୁ ତ ଏତେ କଷ୍ଟ ପାଇ ନଥିଲା । କିଛି ଭୟର କଥା... ।”

—“ଭୟ କରିବାର କିଛି ନାହିଁ, କିନ୍ତୁ ପେଟର ଛୁଆ ପାଇଁ ସନ୍ଦେହ । ସେଇ ପାଇଁ ଏତେ ବିଳମ୍ବ ହଉଚି; ମା’ ବି କଷ୍ଟ ପାଉଚି । ଆଚ୍ଛା, ତୁ ଗଲୁ ଟିକିଏ ଗୋପୀ ଓଝା ପାଖକୁ । ଦଉଡ଼ି ଖଣ୍ଡେ ଆଣିବୁ, ଆଉ ପାଣି ଟୋପାଏ ବି ମନ୍ତୁରି ଆଣିବୁ ।” ପାଭୈ କହିଲା ।

 

–“ହଉ ମୁଁ ଯାଏଁ; କମଳୀ ଆଡ଼େ ନିଘା ରଖିଥୁବୁ; ଉଠିଲେ କାଳେ ଡରିବ ।” କଥା କହୁ କହୁ ଧରଣୀ ସେଇ ଅନ୍ଧକାର ଭିତରେ ଝଡ଼ବେଗରେ ଗାଁମୁଣ୍ଡର ଗୋପୀ ଓଝା ଘରଆଡ଼େ ଧାଇଁଲା-

 

ଧରଣୀର ପ୍ରଥମ ଡାକରେ ଓଝାର ନିଦ ଭାଙ୍ଗିଲା ଯଦିଓ, କୌଣସି ସୂଚନା ନଦେଇ ତୃତୀୟବାର ଡାକରା ଯାଏଁ କାନ ଠିଆକରି ରଖିଲା । ଗାଁର ଭୂତପ୍ରେତଙ୍କ ପିଠିରେ ସର୍ବଦା ଓଉ-କିଳା ମାରିଥାଏ ଓଝା । ଫଳତଃ, ଓଝାର ଭୟ ଯେ କେଜାଣି ସେମାନେ ରାତିରେ ଲୋକଙ୍କ ନାଁ ଧରି ବାହାରକୁ ଡାକିନେଇ ନଖ-ରାମ୍ଫୁଡ଼ା ଦିଅନ୍ତି ପରା । ଶେଷରେ ଧରଣୀର ନାଁଟା ଶୁଣି, ପାଟି ବାରିପାରି ହାତରେ ମିଟିମିଟି-କିରାସିନି ତେଲ-ଡିବିଟାକୁ ଧରି ଓଝା ବାହାରକୁ ଆସିଲା । ଧରଣୀଠୁ କଥାଟା ଶୁଣିନେଇ ଭିତରକୁ ଯାଇ ମୁହୂର୍ତ୍ତକ ମଧ୍ୟରେ ନାଲିଆ ଦଉଡ଼ି ଖଣ୍ଡେ ଧରି ପୁଣି ବାହାରକୁ ଆସି ଧରଣୀ ହାତରେ ଦେଇ କହିଲା—ଏଇ ଖଣ୍ଡକ ନେଇ ଏକାନିଶ୍ଵାସକେ ବାଁ ହାତରେ ବାନ୍ଧିବାକୁ କହିବୁ । ଦେଖିବୁ, ବେଶୀ ବେଳ ଲାଗିବ ନାହିଁ । ଏଇ ଦଉଡ଼ି ବାନ୍ଧିବା ସଙ୍ଗେ ସଙ୍ଗେ ଦେହ ଖଲାସ ହେଇଯିବ ।”

 

ଦଉଡ଼ି ଖଣ୍ଡିକ ହାତରେ ମୁଠେଇ, ଓଝାକୁ ପଇସା ଚାରିଟା ଦେଇ ଧରଣୀ ପୁଣି ପଡ଼ିଉଠି ଘରଆଡ଼କୁ ଧାଇଁଲା । କିନ୍ତୁ ଧରଣୀ ଘରେ ପହଞ୍ଚିବା ପୂର୍ବରୁ ଟଗରର ନିଦାରୁଣ ଯନ୍ତ୍ରଣାର ଯବନିକା ପଡ଼ିଥିଲା । କ୍ଳାନ୍ତି ତଥା ଅତ୍ୟଧିବ ରକ୍ତସ୍ରାବ ହେତୁ ବିବର୍ଣ୍ଣ ହେଇ ମଲାପରି ବିଛଣାରେ ପଡ଼ିରହିଥିଲା ଟଗର । ପାଭୈ ଗୁଆପତ୍ରର ବାହୁଙ୍ଗାରେ ମଲା ଛୁଆଟାକୁ ଘୋଡ଼େଇ ଧରଣୀକୁ ଅନେଇ ବସିଛି, ପୋତିଦେଇ ଆସିବ ବୋଲି । ଧରଣୀ ନିଃଶବ୍ଦରେ କୋଡ଼ି ଏବଂ ଲଣ୍ଠନ ନେଇ ପାଭୈ ସହିତ ବାଉଁଶ ମୂଳକୁ ଗଲା ।

 

ଶାଶୁ ମଲାପରଠୁ ଘର ଗୋଟାକର ଭାର, ଚିନ୍ତା-ଭାବନା ଟଗର ମୁଣ୍ଡରେ ପଡ଼ିଲା । ଶାଶୁ ଥିବା ଅବସ୍ଥାରେ ବୁଢ଼ୀର ସାହସରେ ସାହସ ବାନ୍ଧି ଟଗର ଛାତି ଫୁଲେଇ ଏଠାକୁ ସେଠାକୁ ବୁଲିଯାଇ ପାରୁଥିଲା । ଘରଖଣ୍ଡିକ ବି ଗମ୍ଭୀର ଗମ୍ଭୀର ଲାଗୁଥିଲା । ଏବେ ଘରଟା ଖାଲି ଖାଲି ଲାଗିଲା; ଦିନବେଳେ ବି ବାହାର ଭିତର ହେବାକୁ ଟଗରକୁ ଡର ମାଡ଼ୁଛି । ବିଲ ମଝିରେ ଅଫଲନ୍ତି ଆମ୍ବଗଛର ବି ଯେମିତି ପଥିକର ଆଶ୍ରୟସ୍ଥଳ ସ୍ଵରୂପ ଆବଶ୍ୟକତା ଅଛି, ଟଗରର ସଂସାରରେ ଶାଶୁଙ୍କର ମଧ୍ୟ ସେପରି ଆବଶ୍ୟକତା ଥିଲା । ଶାଶୁଙ୍କର ଅଭାବଟା ଛତିକା ସମୟରେ ହିଁ ବେଶ୍‌ ଭଲଭାବରେ ବୁଝିପାରିଲା ଟଗର । କମଳୀବେଳେ ଶାଶୁ ମାସେ ଯାଏଁ ତାକୁ କୁଟାଖଣ୍ଡିକ ଦି’ଖଣ୍ଡ କରିବାକୁ ଦେଇନଥିଲେ । ଏବେ କିନ୍ତୁ ଏଗାର ଦିନରେ ଅଶୌଚକୁ ତଡ଼ି ବିଚାରୀକୁ ଧାନକୁଟାଠାରୁ ପାଣି ଅଣାଯାଏଁ ସମସ୍ତ କାମରେ ଲାଗିବାକୁ ପଡ଼ିଲା ।

 

ଘର ବିଷୟରେ ଧରଣୀ ଚିରଉଦାସୀନ । ଦିନଟାର ବେଶି ଭାଗ ସମସ୍ତ ଘରଠାରୁ ବାହାରେ କଟାଇବାକୁ ପାଇଲେ ଧରଣୀ ଖୁସି ହୁଏ । ପରେ ପରେ ଘଟିଯିବା ଦୁଇଟି ଦୁର୍ଘଟଣା ଘର ପ୍ରତି ଧରଣୀର ଆକର୍ଷଣକୁ ବଢ଼େଇବା ପରିବର୍ତ୍ତେ କମାଇଦେଲା । ଘରସଂସାରର ଜଞ୍ଜାଳ, ଜ୍ଵାଳା, ଆପଦବିପଦ ଗୃହିଣୀ ଉପରେ ଲଦି ଦେଇ ନିଜେ ପଘାରୁ ମୁଣ୍ଡ ହୁଗାଳି ଆଡ଼େଇ ହେଇ ରହିଲା ।

 

ଦୁଇ

 

ରହା ଅଞ୍ଚଳର ଅବସ୍ଥିତ ବ୍ରହ୍ମପୁତ୍ର ଓ କପିଳୀର ମଧ୍ୟସ୍ଥଳରେ । କ୍ଷୀଣସ୍ରୋତା କଳଙ୍ଗ ବି ଏଇ ଅଞ୍ଚଳରେ ସର୍ପିଳ ଭଙ୍ଗୀରେ ଧୀରେ ସୁସ୍ଥେ ବହିଯାଇଛି । କାଳେ ଏଇ ସମଗ୍ର ଅଞ୍ଚଳରେ ଘନ-ଜନବସତି ଥିଲା । କାମରୂପ, ବାରପୁଲୀୟା, ଦଳୁଆ, ସରାଇବାଁହୀ, ଗେରୁଆ-ବୋକନୀ ମୌଜାର ଗାଁ-ଭୂଇଁ ଦିନେ ଶସ୍ୟେ, ମତ୍ସ୍ୟେ ଅନୁପମ ଥିଲା; ଭଣ୍ଡାରର ଧାନ, ଗୁହାଳର ଗୋରୁ ରାଜ୍ୟର ସମୃଦ୍ଧି ଘୋଷଣା କରୁଥିଲେ । କଳିଙ୍ଗ, କପିଳୀର କୂଳେ କୂଳେ ବ୍ରହ୍ମପୁତ୍ରର ଉନ୍ନତ ତଥା ଅବନତ ଉପକୂଳବକ୍ଷରେ ଆଖି ନପାଇବା ଯାଏଁ ବିସ୍ତାରିତ ମୁଗ, ବିରି, ସୋରିଷ, ବୋଇତାଳୁ, ଖମ୍ବଆଳୁର ଆଖିଝଲସା ସବୁଜ କ୍ଷେତ୍ର ଏବଂ ମଝିରେ ମଝିରେ ଧଳା, କାନ୍ତାରୀ ଆଦି ଆଖୁ ଖେତ ଦିନେ ହସିଉଠୁଥିଲା ।

 

ପୂର୍ବେ ବୈଶାଖ ଜ୍ୟେଷ୍ଠମାସରେ ବ୍ରହ୍ମପୁତ୍ରର ନୂଆ ପାଣିର ଉଛୁଳା ସ୍ରୋତ ଏଇ ସମଗ୍ର ଅଞ୍ଚଳରେ ଖେଳୁଥିଲା । କୁଁଜୀ, ଉଦରୀ, ସୋନଧରା, ଗରୈମାରି, ସୋଣାଇ, ତେତେଲିସରାର ବିଲ, ଜିଳାଶୟରେ ବର୍ଷେ ବର୍ଷେ ପାଣି ପଶୁଥିଲା; ତା’ ସହିତ ଉଜାଣି ଉଠୁଥୁଲେ ଅପର୍ଯ୍ୟାପ୍ତ ମାଛ–କେରାଣ୍ଡି । ବୈଶାଖର ପାଣି ବିଲମାଟିକୁ ପଟୁ-ପିଠା କରି ଛାଡ଼ିଯିବା ପରେ, ପରେ ଚାଷୀମାନେ ହଳ ଯୋଚୁଥିଲେ । ଦୁଧିଆଳୀ କାଳିଗାଈର ଖିରଭରା ପହ୍ନା ପରି ପଟୁପଡ଼ା ଖେତର ଉର୍ବର ବୁକୁରେ ଆହୁ, ଶାଳି ବିବିଧ ପ୍ରକାରର ଧାନ ଭରିଯାଉଥିଲା । କିନ୍ତୁ ବ୍ରହ୍ମପୁତ୍ରର ସମଗ୍ର ଦକ୍ଷିଣୋପକୂଳ ମଇମନସିଂହଆଏ ଦଖଲ କରି ନେବା ସଙ୍ଗେ ସଙ୍ଗେ ବ୍ରହ୍ମପୁତ୍ରର ପାଣି ଏଇ ଖଣ୍ଡମଣ୍ଡଳକୁ ଅଛୁଆଁ ହେଲା । ମଇମନସିଂହିଆଏ ନଈର କୂଳେ କୂଳେ ଉଚ୍ଚବନ୍ଧ କରି ଘରବାଡ଼ି ତୋଳି, ଅଙ୍କାବଙ୍କା ରାସ୍ତାଘାଟ ବାନ୍ଧି ପାଣି ବାହାରୁଥିବା ବାଟକୁ ବନ୍ଦ କରିବାରୁ ବ୍ରହ୍ମପୁତ୍ରର ଉଛୁଳା ଜଳ ଏ ଅଞ୍ଚଳକୁ ଗଡ଼ିଆସିବା ସହଜ ହେଲାନି । ଉଚ୍ଚ ନୀଚ ସବୁ ଭୂଇଁ ମଇମନସିଂହଆଏ ଦଖଲ କଲେ । ଅସମୀୟା ଚାଷୀଏ ଧନିଷ୍ଠା ପରିମାଣ ମାଟି ବି ପାଇଲେ ନାହିଁ ସୋରିଷ ପକେଇବାକୁ-। ଏଇ କାରଣରୁ ହିଁ ପ୍ରତିବର୍ଷ ନଈବଢ଼ିରେ ଭାସିଯାଉଥିବା ଘର କେଇଟାର ଛାଆଣି କରିବାକୁ ନଡ଼ା ଛଣ ଗୋଛାଏ ବି ପାଇପାରିଲେ ନାହିଁ । ବ୍ରହ୍ମପୁତ୍ରର ପାଣି ସାଙ୍ଗକୁ ନଡ଼ା-ଛଣ ବାଡ଼ି କେଇଟା ବି ମଇମନସିଂହଆଙ୍କ ଅଧୀନସ୍ଥ ହେଲା ।

 

ଏ ପାଖରେ ଆସାମ-ବେଙ୍ଗଲ ଏବଂ ଶିଲାଘାଟ-ସାପରମୁଖ ରେଲପଥ କପିଳୀ-ଯମୁନାର କୂଳରେ ବନ୍ଧ ବାନ୍ଧିବାରୁ କପିଳୀର ପାଣି ବାହାରିଯିବାକୁ ବାଟ ନପାଇ ଫେଣ ଫୋଟକାରେ ଗୁମରି, ଗରଜି, ଉଛୁଳ ପ୍ରତିବର୍ଷ ଏଇ ଅଞ୍ଚଳର ଗାଁ-ଭୂଇଁ ଧୋଇଧୋଇ ସଫା କରିଦିଏ । ପାହାଡ଼ର ଝରଣା ସହିତ କପିଳୀର ଅବିଚ୍ଛେଦ୍ୟ ସମ୍ବନ୍ଧ । ଫଳତଃ ପାହାଡ଼ିଆ ନଈ ପରି କପିଳୀର ବଢ଼ି ପାଣି କେତେବେଳେ ଉଠେ, କେହି ସୂଚନା ପାଆନ୍ତି ନାହିଁ । କେଉଁ ବର୍ଷ ଆଗ ପଛ ନହୋଇ ଦୁଇଥର ବଢ଼ିପାଣି ଆସେ; କେଉଁ ବର୍ଷ ପୁଣି ଫଗୁଣଠାରୁ ଲଗାଏତ ବର୍ଷା ନହୋଇ କାମରୂପଠାରୁ ଫୁଲଗୁରି ଯାଏଁ’ ମରୁଡ଼ି ପଡ଼ି ରୟତର ଅବସ୍ଥା ଦିନକୁ ଦିନ ଶୋଚନୀୟ କଣ୍ଠ ଲାଗିଛି-

 

ଦୀଘଲଦରିର କାଟନୀ ଗାଁର ସ୍ତ୍ରୀଲୋକେ ପୋକ-ପୋଷି, ପାଟ-ମୁଗାର ସୂତା କାଟି କପଡ଼ାଲତା ବୁଣି ବରଷକର ଲୁଣ-ତେଲର ଖରଚ ତୁଲାଉଥିଲେ । ଫୁଲଗୁରି, ଜାଲୁଗୁଟି ଅଞ୍ଚଳର ଲାଲୁଂ, କୈବର୍ତ୍ତ, କାଛାରୀ ସ୍ତ୍ରୀ ଲୋକ ଏଣ୍ଡି ପୋକ ପୋଷୁଥିଲେ ଏବଂ ଏଣ୍ଡିସୂତା କାଟୁଥିଲେ । ଖଣ୍ଡେ ଫୁଲପକା ଏଣ୍ଡି କପଡ଼ାକୁ ଦେଢ଼କୋଡ଼ି, ଦୁଇକୋଡ଼ିରେ ବିକ୍ରି କରୁଥିଲେ । କିନ୍ତୁ ଏବେ ଗାଁ-ଗାଁରେ ମାରୱାଡ଼ି ଦୋକାନ ଖୋଲିବାରୁ ହାତକଟା ସୂତାରର ଲୁଗାପଟାକୁ ଲୋକେ ଆଉ ଲୋଡ଼ିଲେ ନାହିଁ । ବୁଣାଳିମାନେ ପରିଶ୍ରମ, ବ୍ୟବସାୟ ଛାଡ଼ି ଦେଇଛନ୍ତି । କଁହାର ଗାଁର କଳିତାମାନେ କୁମ୍ପିବାଣ ଗଢ଼ି ସମ୍ପଦଶାଳୀ ହୋଇଥିଲେ । ସମୟରେ ରହାର କଂସାଗିନା ଜାଗୀରପଡ଼ା, କଲିଆ-ବର ଯାଏଁ ସମସ୍ତ ସମ୍ଭ୍ରାନ୍ତ ପରିବାରରେ ବ୍ୟବହୃତ ହୋଇ ପ୍ରାଚୀନ ବଂଶ-ମର୍ଯ୍ୟାଦାର ପରିଚୟ ଦେଉଥିଲେ । କୁମ୍ଭାରଗାଁର ହିରାମାନେ ବିବିଧ ଛାଞ୍ଚର କଳସ, ଠେକି, ହାଣ୍ଡି ଇତ୍ୟାଦି ଗଢ଼ି ନାଆରେ ଭର୍ତ୍ତି କରି କଳଙ୍ଗ କୂଳର ଗାଁମାନଙ୍କରେ ଧାନ ବିନିମୟରେ ବଦଳାଇ ସାରା ବର୍ଷର ଭାତଲୁଗାର ସଂସ୍ଥାନ କରୁଥିଲେ । ଏବେ ଢାକାବାଲା ଦୋକାନମାନଙ୍କରେ ଜାପାନୀ, ଚିନାମାଟି, ଏନାମେଲ୍‌ ଏବଂ କାଚର ବାସନ ବର୍ଜନ ମିଳିବାରୁ କଁହାର ଗାଁର କଳିତା ଏବଂ କୁମ୍ଭାର ଗାର ବଣିଆମାନଙ୍କର ସମ୍ପଦ ଚକ୍ଷୁପଲକରେ ଅନ୍ତର୍ଦ୍ଧାନ ହେଲା । ‘ବେଲି-ବ୍ରଦର୍ସ’ର ଛତା ଗଉଡ଼ ମୁଣ୍ଡରେ ଉଠିବା ସଙ୍ଗେ ସଙ୍ଗେ ଫୁଲୁଗୁରି ଏବଂ ଜାଗୀୱାଲର ପତର ଝାମ୍ପିର ବ୍ୟବସାୟ ମଧ୍ୟ ଆସ୍ତେ ଆସ୍ତେ ଲୋପପାଇଛି ।

 

ପୂର୍ବପରି ବୈଶାଖର ପୂର୍ବପକ୍ଷରେ ବ୍ରହ୍ମପୁତ୍ରର ପାଣି ବିଲରେ ନ ପଶିବା ଦେଖି ଗତ କେଇବର୍ଷ ହେଲା ଲୋକେ ଠାଏ ଠାଏ ବେଶୀ ଆହୁ* ଚାଷ କରିବାକୁ ଧରିଛନ୍ତି । କିନ୍ତୁ ଏ ବର୍ଷ ଜ୍ୟେଷ୍ଠ ଶେଷରେ ହଠାତ୍‌ ବ୍ରହ୍ମପୁତ୍ରର ପାଣି ପଶିଆସି ତାକୁ ବି ନଷ୍ଟ କଲା । ଗତବର୍ଷ ବି କପିଳୀର ପାଣି ଶାଳି* ଚାଷକୁ ମାରିଦେଇଯାଇଛି । ଏବେ ସମସ୍ତଙ୍କ ଭଣ୍ଡାର ଶୂନ୍ୟ; ଘରେ ଘରେ ଅଭାବ-ଅନଟନର କଥା । ସମସ୍ତେ ମାର୍ଗଶିରକୁ ଆଶା କରି ବସିଛନ୍ତି । ନଥିଲା ଲୋକେ ବି ମାର୍ଗଶିରରେ ତିନିଥର ଖାଆନ୍ତି ।

 

ମନୋହର ପ୍ରଭୃତି କେଇଜଣ ଗାଁ-ଯୁବକଙ୍କୁ ନେଇ ଧରଣୀ ସାହାଯ୍ୟ-ସମିତି ଗଡ଼ି, ଧାନ-ଚାଉଳ ଖୋଜି-ଲୋଡ଼ି, ମାଗି-ଯାଚି ଏକେବାରେ ଖାଇବାକୁ ପାଉନଥିବା ଲୋକଙ୍କୁ ଯୋଗାଉଛି । କୌଣସି କୌଣସି ପରିବାରକୁ କାଲି-ବାକିରେ କପାସୂତା ଯୋଗେଇ ଦେଇ କପଡ଼ାଲତା ବୁଣିବାକୁ ନିର୍ଦ୍ଦେଶ ଦେଉଛି । ମାରଓ୍ୱାଡ଼ି ଦୋକାନରେ କପଡ଼ାଲତା ବିକ୍ରିକରି ହବ ତ କପା, ନହବ ତ ଧନ ଫେରସ୍ତ ଦେବେ—ଏଇ ଚୁକ୍ତି । ଗାଁର ରୟତମାନଙ୍କର ଦୁଃଖ-ଦୁର୍ଦ୍ଦଶା ଜଣାଇ ଗ୍ରାମବାସୀଙ୍କ ଦସ୍ତଖତ ନେଇ ଖଜଣା-ଛାଡ଼ ତଥା କୃଷିଋଣ ଯୋଗାଇ ଦିଆଯାଉ ବୋଲି ଜିଲ୍ଲାର ବଡ଼ ସାହାବଙ୍କ ନିକଟକୁ ଏକ ଦରଖାସ୍ତ ଧରଣୀ ପଠାଇଛି । କପା ଏବଂ ଅରଟ ସରବରାହ କରିବା ସକାଶେ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ଭୂୟାଁଙ୍କ ପାଖକୁ ବି କେଇଜଣ ଯୁବକଙ୍କୁ ପଠାଯାଇଛି ।

 

ଦିନଟା ସାରା ଏପାଖ ସେପାଖ ହେଇ, ଗାଁଲୋକଙ୍କର ଦୁଃଖ-ଦୁର୍ଗତି ମୋଚନର ଚେଷ୍ଟାକରି, ଗଉଡ଼ମାନେ ଗାଈଗୋରୁଙ୍କୁ ଘରକୁ ବାହୁଡ଼ାଇ ଆଣିବା ସମୟରେ ଦିନେ ଧରଣୀ ମାଷ୍ଟର ଘରକୁ ଫେରୁଥିଲା । ଗାଁର ରାସ୍ତା—ସଞ୍ଜ ହଉ ହଉ ମଣିଷଙ୍କର ଚାଲବୁଲ ବନ୍ଦ ହେଇଯାଇଛି । ମଝିରେ ମଝିରେ କେବଳ ଦୁଇଟା ଗୋଟାଏ ଝୋଟ କିମ୍ବା ଖଡ଼ ବୋଝେଇ ଶଗଡ଼ଗାଡ଼ି କେଁ-କଟର ଶବ୍ଦରେ ମନ୍ଥର ଗତିରେ ଚାଲିଛିନ୍ତି । ଦୂର ଗାଁରୁ କୌଣସି ଭାଗବତ ଟୁଙ୍ଗିରୁ ଖୋଳ କରତାଳର ମୃଦୁ ମଧୁର ଧ୍ୱନି ଭାସିଆସୁଛି । ଫୁଟ୍‌ଫାଟ କଥାବାର୍ତ୍ତା ହୋଇ କେଇଜଣ ଲୋକ ଦେହ ଘଷାଘଷି ହେଇ ଯାଉଥିବାର ଦେଖି ଧରଣୀ ଫେରିଚାହିଁଲା । ପ୍ରତି ଲୋକର କାନ୍ଧରେ ବାହୁଙ୍ଗିଟାଏ, ବାହୁଙ୍ଗାର ଏକ ପାଖରେ ତେଲର ଶିଶି ଏବଂ ଗଣ୍ତୁଳିଟାଏ ଲେଖାଏଁ ବନ୍ଧା । ଲୋକ କେଇଜଣ ଯେ ବାରୁପୁଜିଆର, କଥାବାର୍ତ୍ତାରୁ ଧରଣୀ ଅନୁମାନ କରିପାରିଲା । ଏଣୁ ପାଟି ଖୋଲି ପଚାରିଲା :

 

* ଆହୁ—ଏକ ପ୍ରକାର ଧାନ,ଶୀଘ୍ର ପାଚେ ।

 

* ଶାଳୀ—ସନ୍ତସନ୍ତିଆ ମାଟିରେ ରୁଆ ଧାନ ।

 

—“ହୋ ଭାଇମାନେ, କୋଉଠୁ ଆଇଲ ? ଆଜି ତ ଏପାଖେ ହାଟ ବଜାର ନାହିଁ—ସହରକୁ ଯାଇଥିଲ କି ?”

 

ଆଗର ଦୁଇଜଣ ଏକଥାକୁ ନକାନେଇ ବାଧ୍ୟ କାଟି ଆଗକୁ ବଢ଼ିଲେ । ମଝି ଜଣକ ଧରଣୀକୁ ଚିହ୍ନି ପାରି ଟିକିଏ ରହି କହିଲା—“ମାଷ୍ଟର ଯେ... ।”

 

“ହୁଁ” କରି ସମ୍ମତି ଜଣାଇ ଧରଣୀ ଲୋକଟାର ମୁହଁକୁ ଚାହିଁ କହିଲା–“ଥଗିଆ’ ଇ କି ହୋ ? କୁଆଡିକି ଯାଇଥିଲ କି ?”

 

—“କୁଆଡ଼ିକି ଆଉ ଯିବୁଁ; ରାମନାରାୟଣବାବୁର ଦୋକାନରୁ ଆସୁଚୁଁ ।”

 

—“ଏତେ ଡେରି କଲ ଯେ ? ଏଇ ରାତିରେ ବହୁତ ବାଟ ତ ଯିବାକୁ ଅଛି !”

 

—“ଆରେ ଭାଇ, ବେଳ ଥାଉଣୁଁ ଅଇଲୁଣି । ବାବୁ ତ ଦବ ନଦବ କରି ଝିନ୍‌ଝଟ ଲଗେଇ ରାତି କରେଇଦେଲା ।”

 

—“ଟଙ୍କା କରଜ ଆଣିଲ ବୋଧେ ?”

 

ଧାର-କରଜ କରିବା ଯେ ଅପମାନର କଥା, ସାଧାରଣ ଚାଷୀ ବି ବୁଝିପାରେ । ଧରଣୀ ଆଡ଼ ମୁହଁଟା ଘୂରେଇ ନେଇ, ଥଗିରାମ, ମୁଣ୍ଡ.ର ପାଞ୍ଚ-ଗଣ୍ଠୁଳିରୁ ଗୁଆ ଖଣ୍ଡେ ବାହାର କରି ପାଟିରେ ଭରି, ଦୁଃଖର ଦୀର୍ଘଶ୍ଵାସ ଛାଡ଼ି କହିଲା,—“ହଁ ଭାଇ, ଏତେ ଦିନ ଗଲା ପଛକେ, ବାବୁ ଦୋକାନରେ ନାଁ ନଲେଖେଇ ଚଳିଗଲି । ଏ ବର୍ଷ ଆଉ ପାରିଲି ନାହିଁ—ଯୋଉ ଗଣ୍ଡାକ ଆହୁ ବୁଣିଥିଲି, ସେତକ ପାଣିରେ ଗଲା; ସେତକ ମିଳିଥିଲେ ମାର୍ଗଶିରଯାକେ ଟାଣଟୁଣରେ ଚଳେଇ ନେଇ ହେଇଥାନ୍ତା ।”

 

—“କେତେ ଟଙ୍କା ନେଲ ଯେ ?”

 

—“ମୁଣ୍ଡପିଛା ପାଞ୍ଚଟଙ୍କା କରି ନେଲୁ । ସେତିକି ଦବାକୁ ବି ମନାକରୁଥୁଲା । ଡିମ୍ବଧର କହିପୋଛି କରେଇଦେଲା ବୋଲ । ନାଁଟା ଲେଖିନେଇ ଲୁଣ ତେଲ କାଳିରେ ଦଉଚି; ଟଙ୍କା ଦେବାକୁ ନାରାଜ ।”

 

—“କି ଚୁକ୍ତିରେ ନେଲ ?”

 

—“ଧାନ ହଉ, ନହେଲେ ମୂଳ କଳନ୍ତର ସହ ଟଙ୍କା ହଉ, ସୁଝିବୁଁ ବୋଲି କହି ଆସିଛୁଁ-।”

 

—“ଧାନର ଦର କେତେକୁ ଠିକ୍‌ ହେଲା ?”

 

—“ସେଗୁରାକ କଣ ଆମେ ବୁଝୁଁ ! ବାବୁ ତ ଦୋକାନରେ ଡିମ୍ବଧରର ନେଣଦେଣ । ସିଏ ଯାହା ହଉ କଣ ଗୋଟେ କରିଦବ ନାହିଁ କି ! ବାବୁ ତ ଏତକ କୃପା କଲେ ଯା’ ହଉ । ହେଲେ ଏଇ ବାବୁଠୁ ଆଗର ବୁଢ଼ାବାବୁ ବେଶ୍‌ ଭଲ ଥିଲା । ଇଏ ତ ଖାଲି କେଟେର କେଟେର ଲଗଉଚି ।”

 

ଆଗକୁ ଚାଲିଯାଇଥିବା କେଇଜଣ ଦୂରରୁ ଡାକିଲେ—“ତମେ ଆସୁଥା ହୋ, ଆମେ ଆଗଉଚୁଁ ।”

 

ଥଗିରାମ ଆଗଉଥିବା ଦେଖି ଧରଣୀ ପୁଣି ପଚାରିଲା—“ଡ଼ିମ୍ବଧର କିଛି ପାଇଲା ବୋଧେ ?” ପ୍ରଶ୍ନ ଶୁଣି ଥଗିରାମ ପୁଣି ପଛକୁ ଫେରି ଚାହିଁଲା । ତେବେ ଧରଣୀର ପ୍ରଶ୍ନର ଉତ୍ତର ନଦେଇ ଥଗିରାମ କହିଲା—“ମାଷ୍ଟର ମ, ଗୋଟେ କଥା ପଚାରିବାକୁ ଥିଲା ।”

 

—“କଣ କହୁନା ?”

 

—“ଜିଲାର ବଡ଼ ସାହାବଙ୍କ କତିକି ଯୋଉ କାଗଜଖଣ୍ଡକ ପଠେଇଥିଲ ସେଇଟାର କଥା କଣ ହେଲା ?”

 

—“ଏତେ ଶୀଘ୍ର କେମିତି ହବ ।”

 

—“ହଁ, ସେତେବେଳେ ମନକୁ ଗନ୍ଧଉଥିଲା । ରଜାର ଖଜଣା, ଗୁରୁର ଦକ୍ଷିଣାରୁ କେବେ ଭଲା ରିଆତି ଅଛି ? ଟୋକାଟାକଳିଆଙ୍କ କଥାରେ ପଡ଼ି ଆଗରୁ ଖଜଣା ନ ବୁଝେଇ ଏବେ ସିନା ମିଛରେ ଟଙ୍କାଏ ଜରିମାନା ଗଣିବାକୁ ଅଛି ।” ଏତକ କହିଦେଇ ମନକୁ ମନ ଭଡ଼ଭଡ଼ ହେଇ ଥଗିରାମ ଗନ୍ତବ୍ୟପଥରେ ଆଗେଇଗଲା ।

 

ମନର ଦୁଃଶ୍ଚିନ୍ତାକୁ ଲଘୁ କରିବା ନ୍ୟାୟରେ ତତଲା ନିଃଶ୍ଵାସଟାଏ ଟାଣି ଧରଣୀ ଅନ୍ଧାରରେ ଦମ୍‌ଦମ୍‌ ପାଦ ପକେଇଲା । ଥଗିରାମର ଅନାଗତ-ଅନ୍ଧକାର ଭବିଷ୍ୟତର ଚିତ୍ର କଳ୍ପନା କରି ଧରଣୀର ଦେହ ଶୀତେଇ ଉଠିଲା । ମାରୱାଡ଼ିର ଖତିୟାନରେ ନାଁ ଉଠିଲା ଯେତେବେଳେ, ଥଗିରାମର ନିସ୍ତାର ଆଉ କେଉଁ ବାଟେ ? ଏଇ କରଜ-ଚେର ଡାଳ ମେଲି ବଟବୃକ୍ଷ ସଦୃଶ ଥଗିରାମର ନାତି, ଅଣନାତି ଦିନଯାଏଁ ଲାଗିରହିଥିବ । ଡିମ୍ବଧର ଦୋକାନି ପରି ଜଣେ ଦୁଇଜଣ ମୁଖିଆ ଲୋକ, ଗରିବ-ଗୁରୁବାଙ୍କ ସର୍ବନାଶ କରୁଛନ୍ତି । ଦୁଇପଇସା ଶସ୍ତାରେ ଲୁଣ ତେଲ ପାଇ, ଅପାଠୁଆ ସରଳ ଚାଷୀମାନଙ୍କୁ ଡିମ୍ବଧର ପରି କେଇଜଣ ମାରଓ୍ୱାଡ଼ି ମହାଜନର ଗୋଦାମରେ ବଳି ଦଉଛନ୍ତି ।

 

ଲୋକଙ୍କର ଦୁଃଖ, ଅଭିଯୋଗ, ଅଭାବ-ଅନଟନର ହଜାର ବାରଶ’ ଚିନ୍ତାରେ ତନ୍ମୟ ହୋଇ ଧରଣୀ ଧୀରେ ଧୀରେ ବାଙ୍କ ବୁଲିଲା । ରହା ‘ଇନ୍ସପେକ୍‌ସନ ବଙ୍ଗଳା’ର ସମ୍ମୁଖ ଦେଇ ଧରଣୀର ଗାଁ ଟୋପାକୁସିକୁ ପଶିବା ବାଟ । ଇନ୍ସପେକ୍‌ସନ ବଙ୍ଗଳାର କମ୍ପାଉଣ୍ଡ ନିକଟରେ ପହଞ୍ଚିଛି କି ନାହିଁ, କାହାର କାନ୍ଦଣା ଶୁଣି ଧରଣୀର ତନ୍ମୟତା ଭାଙ୍ଗିଲା । ଏପାଖ ସେପାଖ ମୁଣ୍ଡ ଘୂରେଇ ଚାହିଁ ହଠାତ୍‌ ରହିଗଲା । ବଙ୍ଗଳାର ଭିତର ପାଖର ‘ହର୍ଥନ କଣ୍ଟା-ବାଡ଼’ ନିକଟରୁ କାନ୍ଦଣାର ସ୍ଵର ଆସୁଥୁବା ଭଳି ଲାଗିଲା ତାକୁ । କାନ୍ଦଣା । ସ୍ଵରର ସଙ୍ଗେ ସଙ୍ଗେ କଥୋପକଥନ ମଧ୍ୟ ଶୁଭିଲା :

 

—“ଏମିତି କାନ୍ଦିବସିଲେ ଭୋର କଣ ହବ ବୋଲି ଭାବୁଚୁ ? ଉଠ୍‌-ଉଠ୍‌, ଘରକୁ ଯିବୁ ଚାଲ ।”

 

—“ବାଡ଼ିପୋଡ଼ା, ରଇଜଳା; ଘରବୁଡ଼ା ! ଯା... ମୋ ପାଖକୁ ଆ’ନା କହୁଚି ।” ଅନୁନାସିକ ସ୍ଵରରେ ଉତ୍ତର ଆସିଲା ।

 

—“ଓ ହୋ-ହୋ ! ସତେ ନ ଜାଣିଲା ଭଳି—ଗୋଟାଟା ସତୀ, ସାଧ୍ଵୀ । ଉଠ୍‌-ଉଠ୍‌ କେହି ଯଦି କୋଉଠୁ ଦେଖେ, ସକାଳେ ଏକା ଗାଁରେ ମୁହଁ ଦେଖେଇ ପାରୁ ନ ଥିବୁ ।”

 

—“ହଇରେ ବାଡ଼ିପୋଡ଼ା, ମୁହଁ ଦେଖେଇବାକୁ ତୁ କଣ ବାକି ରଖିଚୁ ? ଘୁଞ୍ଚି ଯା କହୁଚି, ମୁଁ ତୋ ସାଙ୍ଗରେ ଯିବିନି କହୁଚି ।”

 

—“ନ ଯିବୁ ଯଦି ପଡ଼ିଥା ଏଠି ।” ପଳେଇବାର ଛଳନା କରି ବି ଲୋକଜଣକ ପୂର୍ବ ସ୍ଥାନରେ ଠିଆ ହୋଇ ରହିଲା ।

 

ଧରଣୀ ନିଜର ଅଜ୍ଞାତସାରରେ କେତେବେଳେ ବଙ୍ଗଳାର ଗେଟ୍‌ ଟପି କମ୍ପାଉଣ୍ଡ ଭିତରେ ପଶିଲାଣି । ଧରଣୀକୁ ଆସୁଥିବାର ଦେଖି ପଳେଇବାକୁ ଇଙ୍ଗିତ ଦେଉଥିବା ଲୋକଜଣକ ସ୍ତ୍ରୀଲୋକଟିର ହାତ ଧରି ଟଣାଓଟରା କରି କହିଲା—“ଉଠ, ଉଠ୍‌ବା, ହେଇ ଦେଖୁଚୁଟି, କିଏ ଗୋଟେ ଆଇଲାଣି ।”

 

ଛିଞ୍ଚାଡ଼ିଦେଇ, ହାତକୁ ମୁକୁଳାଇ ନେଇ ସ୍ତ୍ରୀଲୋକଟି କାନ୍ଦି କାନ୍ଦି କହିଲା—“ଆସୁ, ତୁ ଯା’ କହୁଚି । ତୁ ପାପୀ ମୋତେ ଛୁଉଁନା ।”

 

—“କଣ ସେଠି ହଉଚି କି ତମମାନଙ୍କର ?” ପ୍ରଶ୍ନର ସଙ୍ଗେ ସଙ୍ଗେ ଧରଣୀ ସ୍ତ୍ରୀ-ଲୋକଟିର ନିକଟତର ହେଲା ।

 

ଧରଣୀ ନିକଟେଇ ଆସୁଥୁବା ଦେଖି “ପଡ଼ିଥା ଏଠି, ମୋର କଣଟା ହେଇଯିବ କି ?” ବୋଲି କହି ଡିଆଁଟାଏ ମାରି ଚଟ୍‌କିନା ଲୋକଜଣକ ଅନ୍ଧକାର ଭିତରେ ମିଶିଗଲା ।

 

କ୍ଷୀଣ ଚନ୍ଦ୍ରାଲୋକରେ ଝାପ୍‌ସା ଭାବରେ ମୁହଁ ଦେଖି ଲୋକଟାକୁ ଚିହ୍ନି ପାରିଥିଲା ଧରଣୀ । ଦୀଘଲଦରିର ଭେବେଲାର ପୁଅ ସୁନାରାମ ମଣ୍ଡଳ । ଗତ ସେଟେଲ୍‌ମେଣ୍ଟ ସମୟରେ କାମରେ ଭର୍ତ୍ତି ହେଇଚି । ଲାହରୀଘାଟ ମୌଜାରେ ମଇମନସିଂହଆଙ୍କ ଗାଁରେ ମପାମପି କାମ କରି ଟଙ୍କା କିଛି ଅର୍ଜିଛି । ଗାଁରେ ଟିଣର ଘରଦୁଆର ବନେଇଚି । ଘରେ ରାତିରେ ହାରିକେନ ଲ୍ୟାମ୍ପ ଜଳାଏ । ଖଣ୍ଡେ ନୁହେଁ, ଦୁଇଖଣ୍ଡ ସାଇକେଲ କିଣିଛି । ଚୁଡ଼ିଦାର କାମିଜ ଆଣ୍ଠୁର ତଳଯାଏଁ ଲମ୍ବେଇଛି । ଦେହରେ ସିଲ୍‌କର କାମିଜ, ପାଦରେ ଜୋତା ମାଡ଼ିଛି । କେଶରେ ‘ଏଲବର୍ଟ ଟେରି’ କାଟିଶିଖିଚି ।

 

ଧରଣୀ ସ୍ତ୍ରୀ ଲୋକଟିର ଅତି ପାଖକୁ ଯାଇ ପୁଣି ପଚାରିଲା—“କୋଉ ଗାଁର ତୁମେ ? କାନ୍ଦୁଚ କାହିଁକି ?”

 

ଅପରିଚିତ ପୁରୁଷର ସହାନୁଭୁତିସୂଚକ ପ୍ରଶ୍ନରେ ସ୍ତ୍ରୀଲୋକଟି ସକେଇ ସକେଇ କାନ୍ଦିଲା କେବଳ ।

 

—“କଣ ହେଇଚି, କହୁନା କାହିଁକି ?” କଠୋରତା ଏବଂ ବିରକ୍ତି ଧରଣୀର ସ୍ଵରରେ ପ୍ରକାଶିତ ହେଲା ।

 

—“ପଚାରନା, ପଚାରନା, ମୁଁ ମରିଯିବାଟା ଭଲ ।”

 

—“ମରିବାକୁ ତମର ହେଇଚି କଣ ?” ଉତ୍କଣ୍ଠିତ ଭାବେ ପଚାରିଲା ଧରଣୀ ।

 

—“ମତେ ପତିତା କଲା ।”

 

—‘‘କିଏ ? ସୁନାରାମ ମଣ୍ଡଳ ?” ଧରଣୀର ଦୁଇ ଆଖିରେ ରାଗାଗ୍ନିର ସ୍ପୁଲିଙ୍ଗ ଫୁଟିଉଠିଲା ।

 

—“ନୁହେଁ, ହାକିମ ।” ଉତ୍ତର ଦଉ ଦଉ ସ୍ତ୍ରୀଲୋକଟି କାନ୍ଦଣାର ସୁର ଧରିଲା ।

 

ହତଭମ୍ଭ ହୋଇ ଧରଣୀ ସ୍ତ୍ରୀଲୋକଟିକୁ ଚାହିଁରହିଲା । ଅଶିଣ ମାସର ଶୁକ୍ଳପକ୍ଷ ଏତେବେଳ ଧରି ଜହ୍ନକୁ ଢାଙ୍କିଥିବା କଳାମେଘ ଅପସରିଗଲା ।

 

କ୍ଷୀଣ ଜହ୍ନ-ଆଲୁଅରେ ସ୍ତ୍ରୀଲୋକଟିର ରୂପ ଧରଣୀ ଅନୁମାନ କଲା । କାଟୁଣୀ ସ୍ତ୍ରୀ ମାତ୍ରେଇ ଦେହର ରଙ୍ଗ ସଫା । ଡେଙ୍ଗୀ, ଦେହ ମସୃଣ; ସରୁ ମୁହଁରେ ଡେଙ୍ଗା ନାକଟି ଝଲକୁଚି । ଶାନ୍ତ ଛୋଟ ଛୋଟ ଆଖି ଦି’ଟାରୁ ଅବିରାମ ଭାବେ ଲୁହ ଗଡ଼ିଚାଲିଛି । ଖୋସାଟି ହୁଗୁଳି ଆସି ଗଳାରେ ପଡ଼ିଚି, ମୁଣ୍ଡରେ ନାହିଁ ଓଢ଼ଣୀ । ଦେହରେ ଛୋଟିଆ କନା; ବୁକୁରେ କାଞ୍ଚୁଲି, ଆଣ୍ଠୁତଳର ଅନାବୃତ ଅଂଶ ମଲାଗୋରୁର ହାଡ଼ ପରି ନିଶ୍ଚଳଭାବେ ପଡ଼ିଛି ।

 

ଓଠ ଦିଟାକୁ ଦାନ୍ତର କାମୁଡ଼ି, ପଚାରିବ ନପଚାରିବ ହେଇ ଧରଣୀ ପଚାରିଲା–“ରାତିରେ ବଙ୍ଗଳାକୁ ଆସିବା ତୁମର କଣ ଦରକାର ଥିଲା ?”

 

ସକେଇ ସକେଇ ସ୍ତ୍ରୀଲୋକଟି ଯାହା କହିଲା ତାର ମର୍ମ—ଦୀଘଲଦରିର କାଁଟନୀ ଗାଁରେ ତାର ଘର । କଳା-ଜ୍ଵରରେ ସ୍ଵାମୀ ମରିଛି—ବରଷେ ବି ହେଇନି—ପୁଷକୁ ବରଷେ ହେବ-। ଛୋଟ ଛୋଟ ପୁଅ ଝିଅ ହେଳେ । ବୁଣି କାଟି କୌଣସି ପ୍ରକାରେ ଚଳେ । ଗତ ବର୍ଷ ଖଜଣା ଦେଇ ପାରିନାହିଁ । ଖଜଣା ପାଇଁ ପଧାନ ବାକୀ ଜାରି କରିଛି । ପୁରୁଣା ଏଣ୍ଡିଚାଦର ଖଣ୍ଡେ ନେଇ ମାରୱାଡ଼ି ଦୋକାନକୁ ଆସୁଥିଲା । ବାଟରେ ସୁନାରାମ ମଣ୍ଡଳ ଦେଖି ଜିଲ୍ଲାର ହାକିମ ଆସିଛନ୍ତି, ତାଙ୍କୁ ଜଣାଇଲେ ଖଜଣା ଛାଡ଼ କରିଦେବେ ବୋଲି ଛଳକଥା କହି ବଙ୍ଗଳାକୁ ନେଇଆସିଲା-। ଦିହିପହରୁ ହାକିମଙ୍କ ବାଟ ଚାହିଁ ଚାହିଁ ସନ୍ଧ୍ୟାରେ ସାକ୍ଷାତ ମିଳିଲା ।

 

ତା’ପରେ…

 

ନିର୍ବାକ୍‌ ନିସ୍ପନ୍ଦ ହେଇ କଥାତକ ଶୁଣି ଧରଣୀ କ୍ରୁଦ୍ଧ ନିଃଶ୍ଵାସ ଛାଡ଼ିଲା । ସୁନାରାମ ପରି ଆଉ କେଇଟା ଦୁଃଶାସନ ଜନ୍ମ ହେଲେ ଗାଁର ରାଣ୍ଡୀ-ଦୁଃଖୀଙ୍କର ଲାଜ, ଲାଞ୍ଛନାର ଅନ୍ତ ସତରେ ସମ୍ଭବ ନୁହେଁ । ନାନାପ୍ରକାର ବୁଝେଇ ସୁଝେଇ, ଧରଣୀ ସେଇ ରାତି ଭିତରେ ସ୍ତ୍ରୀଲୋକଟିକୁ ସଙ୍ଗରେ ନେଇ ଦୀଘାଲଦରି ଗାଁରେ ଛାଡ଼ିଆସିଲା ।

 

ଫେରିବା ସମୟରେ ଧରଣୀ ଲୋକାଲବୋର୍ଡ ରାସ୍ତା ଛାଡ଼ି ବିଲ ଭିତରର ଚଲା ବାଟ ଧରିଲା । ଅଶିଣର ଶେଷ, ମଧ୍ୟରାତ୍ର । ଜହ୍ନ ବୁଡ଼ିଯାଇଛି । ଚତୁର୍ଦ୍ଦିଗ କୁହୁଡ଼ିରେ ବୁଡ଼ି ଗଲାଣି । ସୁପ୍ତ-ସବୁଜ-ଧାନବିଲ ଉପରେ ଢେଉ ତୋଳି ଶୀତଳ ସମୀରଣ ଧରଣୀର ହାତ ଗୋଡ଼କୁ କୁଲ୍‌ ମାରିଦଉଛି । ଗାଁରେ ଜନମାନବ ସୋର୍‌-ଶବ୍ଦ ନାହିଁ । ମଝିରେ ମଝିରେ କେବଳ କେତେଟା କୁକୁର କେତେଟା ଆଗନ୍ତୁକର ପାଦଶବ୍ଦ ପାଇ ଭୋ-ଓ... ଭୋ...ଓ... କରି ଅଣନିଃଶ୍ଵାସୀ ଚିତ୍କାର ଛାଡ଼ୁଛନ୍ତି-

 

ଧରଣୀର ରନ୍ଧାଘର ଡିବି ଯେତେବେଳଯାଏଁ ଜଳୁଥିଲା । ଟଗର ତାକୁଡ଼ିରେ ସୂତା କାଟୁଥିଲା । ସ୍ଵାମୀ ଆସି ପହଂଚିବାର ସୁରାକ ପାଇ ଟଗର ପିଢ଼ାଖଣ୍ଡକ, ପାଣି ଲୋଟାଟା ଏବଂ ଗାମୁଛା ଖଣ୍ଡିକ ଅଗଣାକୁ ବାହାର କରିଦେଲା । ଧରଣୀ ନ ଫେରିବା ଯାଏଁ ଉଜାଗର ରହିବା ଟଗରର ଦୈନନ୍ଦିନ ଅଭ୍ୟାସରେ ପରିଣତ ହେଲାଣି । ପାଟିତୁଣ୍ଡ କିଛି ନ କରି ଧରଣୀ ତରବରରେ ଦୁଇଗୁଣ୍ଡା ପାଟି-ପେଟରେ ପୂରାଇ, ଯାଇ ବିଛଣାରେ ପଡ଼ିଲା । ସକାଳୁ ସକାଳୁ ଉଠି, ଇନ୍‌ସପେକସନ ବଙ୍ଗଳାକୁ କେଉଁ ହାକିମ ଆସିଛନ୍ତି ସେଇ ଖବର ନବାକୁ ହେବ । କିନ୍ତୁ, ଧରଣୀର ନିଦ ଭାଙ୍ଗିଲା ହଂସ-ମେଲିବା ପରେ । ମୁହଁ ଧୋଇ, ଶୀଘ୍ର ଶୀଘ୍ର ଯାଇ ବଙ୍ଗଳା ଚୌକିଦାର ପାଖରେ ପହଞ୍ଚିଲା । ଚୌକିଦାର ଜଣକ ବୟସ୍କ, ହିନ୍ଦୁସ୍ଥାନୀ ଲୋକ ହେଲେ ବି ବହୁଦିନ ଆସାମରେ ରହି କଥାବାର୍ତ୍ତାରେ ଆସମୀୟା ହେଇଯାଇଛି । ବାବୁଜଣକ ସନ୍ଧ୍ୟାରେ ଆସି ରାତିରେ ଚାଲିଗଲେ । ଚୌକିଦାର ସକାଳେ ଦସ୍ତଖତ ନବ ବୋଲି ଭାବି ଭାବନାରେ ରହିଗଲା । ସେଇ ବାବୁଜଣକ ଆଗେ କେବେ ବଙ୍ଗଳାକୁ ଆସିବା ଚୌକିଦାର ଦେଖିନାହିଁ । ଲୋକ ଜଣକ ପ୍ରକୃତରେ ହାକିମ କିମ୍ବା ଅନ୍ୟ ସରକାରୀ ଚାକିରିଆ ନୁହେଁ, ସେଇ କଥା ଜାଣିପାରି ଧରଣୀ ଆଶ୍ଵସ୍ତ ହେଲା ।

 

ବାବୁଜଣକ ବିଷୟରେ ବିଶେଷ ଅନୁସନ୍ଧାନ କରିବାକୁ ଧରଣୀର ସମୟ ନାହିଁ । କାଟଣୀ ଗାଁର ସ୍ତ୍ରୀଲୋକଟିକୁ ଆଜି ମୂଳଧନ, କପା ଆଦି ଯୋଗାଡ଼ କରିଦବ ବୋଲି ଦାୟିତ୍ଵ ନେଇ ଆସିଛି ଧରଣୀ ।

 

ତିନି

 

ଘର-ସଂସାରର ସମ୍ପୂର୍ଣ୍ଣ ଦାୟିତ୍ଵ ସ୍ତ୍ରୀ ହାତରେ ଛାଡ଼ିଦେଇ ଦେଶର ଦୁଃଖ ନିରାକରଣରେ ଧରଣୀ ମନୋଯୋଗୀ ହେଲା । ମଦନିଶା ଭଳି ସାମାଜିକ-ସମ୍ମାନ, ଜନ-ସାଧାରଣଙ୍କ ‘ବାହା-ବା’, ମଣିଷ ହାତରେ କରେଇ ନ ପାରିବା ଭଳି କାମ ନାହିଁ । ଗାଁର ସ୍ତ୍ରୀ ପୁରୁଷଙ୍କ ସାଧୁବାଦ ପାଇ ଧରଣୀ ଗ୍ରାମୋନ୍ନୟନ ନିମନ୍ତେ ସମ୍ପୂର୍ଣ୍ଣ ଭାବେ ଦେହ ମନ ଉତ୍ସର୍ଗ କଲା-। ଠିକ୍‌ ଏପରି ସମୟରେ ଆରମ୍ଭ ହେଲା ଦେଶରେ ଅସହଯୋଗ-ଆନ୍ଦୋଳନ । ସ୍କୁଲ କଲେଜ ଛାଡ଼ି ଚାଲିଆସି ଦଳ ଦଳ ଛାତ୍ର ଗାଁମାନଙ୍କରେ ସଭା-ସମିତି କରି ଗ୍ରାମବାସୀଙ୍କୁ ଜାଗ୍ରତ କରିବାକୁ ଲାଗିଲେ । ରାତିଦିନ ରାସ୍ତାଘାଟର ‘ବନ୍ଦେମାତରଂ, ‘ମହାତ୍ମା ଗାନ୍ଧୀ କି ଜୟ’, ‘ଭାରତମାତା କି ଜୟ’ ଧ୍ଵନିରେ ଗାଁ-ଭୂଇଁ ଉଠିଲା, ପଡ଼ିଲା । ଯୁଗ ଯୁଗ ଧରି ଅଚେତନ ହୋଇ ପଡ଼ିରହିଥିବା ଗ୍ରାମବାସୀଏ ସେଇ ଉଦ୍ଦୀପ୍ତମନ୍ତ୍ରରେ ଜାଗ୍ରତ ହେଲେ । ସ୍ଥାନରୁ ସ୍ଥାନାନ୍ତର ହେଇ ବିଦେଶୀ ବସ୍ତୁ ବର୍ଜନ, ବିଦେଶୀ ବସ୍ତ୍ର ଦହନର ଆନ୍ଦୋଳନ ତୀବ୍ର ଗତିରେ ସଞ୍ଚାଳିତ ହେବାକୁ ଲାଗିଲା-। ପ୍ରତି ଅଫିମ-ଦୋକାନରେ ପିକେଟିଂ ଆରମ୍ଭ ହେଲା ।

 

ଝରକାର ତାଟିକୁ ବାଉଁଶ ଖଣ୍ଡିକରେ ମଡ଼ମଡ଼ କରି ଠେଲିଦେଇ ଫୁଲଗୁରି ଅଫିମ ଦୋକାନର ପଟ୍ଟାଦାର, ନାରାୟଣ ଗୋସ୍ଵାମୀ ବାହାରକୁ ଉଙ୍କିମାରି ଅନେଇଲା । ରାସ୍ତାରେ ଗୋଟାଏ ହେଲେ ଅଫିମିଆ ଦେଖିବାକୁ ନାହିଁ । ମୁହଁକୁ ଅଥାର-ହାଣ୍ଡି କରି ହାତବାକ୍‌ସର ଢାଙ୍କୁଣୀ ଟେକିଲା । ଛୋଟ ଛୋଟ ଖୋପଗୁଡ଼ିକରେ ଆଙ୍ଗୁଳି ଭରି, ଚାମୁଡ଼ା ଚାମୁଡ଼ି କରି ଖୋଜିବା ଜିନିଷଟା ହାତରେ ନ ପଡ଼ିବାରୁ ଡାକ ଛାଡ଼ିଲା—“ମହିମ୍, କାଲିକାର ଏକସେରିଆ ଡବାଟା କୋଉଠି ରଖିଲୁ ?”

 

ମହିମ୍‌, ଦୋକାନର ସେଲ୍‌ସମ୍ୟାନ । ବଙ୍ଗୀୟ ଯୁବକ । ଅବକାରୀ ବ୍ୟବସାୟର ଭେଦ ବୁଝିବାକୁ ଅସମୀୟା-ଟୋକାର ଅଭିଜ୍ଞତା ତା’ର ନାହିଁ, ବିଶ୍ୱାସ ମଧ୍ୟ କରିହୁଏନା । ଜାଣିଶୁଣି ବି ନାରାୟଣ ଗୋସ୍ଵାମୀ ବଙ୍ଗାଳୀ ବିକ୍ରେତା ରଖିଛି ।

 

ଦୋକାନ ଘରକୁ ଲାଗି ଛୋଟିଆ ଚାଳଘରଟା—ରୋଷେଇ ଘର । ଅଫିମ-ଠିକାଦାରଙ୍କର କେବଳ ଟଙ୍କାପଇସା ନୁହେଁ, ଖାଦ୍ୟପେୟର ମଧ୍ୟ ଅଭାବ ନାହିଁ । ଓଜନରେ ଫେରଫାର ନକରୁ ବୋଲି ଅଫିମିଆମାନେ ହଂସଅଣ୍ଡା, ମାଛ, ବାଇଗଣ, ସାରୁ, ଋତୁର ବସ୍ତୁଟାଏ ପଟ୍ଟାଦାରଙ୍କୁ ଭେଟିଦେଇ ସନ୍ତୁଷ୍ଟ କରିବାକୁ ଇଚ୍ଛା କରିଥାନ୍ତି । ସିଝାଅଣ୍ଡା ଦୁଇଟା ନିଃଶେଷ କରି ଚାହା କପ୍‌ରେ ସୁଡ଼ୁକା ମାରି, ମହିମ ରୋଷେଇ ଘରୁ ଉତ୍ତର ଦେଲା—“ବିଛଣା ତଳେ ଅଛି ।”

 

—“ବିଛଣା ତଳେ କାହିଁକି ରଖିଲ ? ସିଧା ସିଧା ପୋତି ଦେଇ ଆସିବା ଉଚିତ ଥିଲା-।” ବାକ୍‌ସ ଢାଙ୍କୁଣୀ ବନ୍ଦ କରି ଗୋସ୍ଵାମୀଏ କହିଲେ ।

 

ଚାହା ଶେଷ କରି, ରୋଷେଇଘରୁ ବାହାରି ଆସି ମହିମ କହିଲା—“ମାସ ଶେଷ ହବାକୁ ମାତ୍ର ତିନିଦିନ ବାକି । ବାହାରିଆ ଅଫିମ କିଛି ଆଜି ବାହାର କରିବା ଦରକାର, ଆଜ୍ଞା । ଡିମୌର ଲାଲୁଂ କେଇ ଜଣଙ୍କ ପଟ୍ଟାରେ ଅଫିମ ଶେଷ ହେଇଛି । ସେମାନଙ୍କ ପାଇଁ ବାହାର କରି ନ ରଖିଲେ ହବ କେମିତି ?”

 

ମୁହଁକୁ ବଙ୍କା କରି ଟୁଲ ଉପରେ ବସିପଡ଼ି ଗୋସ୍ଵାମୀ କହିଲେ—“କୋଉଠୁ ଆସିବେ-? ଆସିଥିଲେ ସେମାନେ ସକାଳୁ ଆସନ୍ତେଣି । ଭଲେଣ୍ଟିଅରମାନେ ଜୋରଜବରଦସ୍ତି କରିବା କଥା ବୋଧେ ଶୁଣିଥିବେ ସେମାନେ । କଂଗ୍ରେସବାଲା କେଇଜଣ ଏମିତି ଦିନା କେତେ ପିକେଟିଂ କଲେ ଦୋକାନରେ ତାଲାମାରି ବସିବାକୁ ପଡ଼ିବ । ଅକ୍ତୋରଠୁ ସେଦିନ ଏକାବେଳେକେ ଦୁଇସେର ଅଫିମ ଏତେ ଦାମ ଦେଇ ମିଛରେ ରଖିଲି । ବିକ୍ରୀ ହବ ବୋଲି ଆଶା ଦେଖାଯାଉନି । ଟଙ୍କାତକ ପାଣିରେ ପଡ଼ିବା ସାର ହେଲା ସିନା । ଅଫିମଟା ଭଲ ଅଫିମ ହେଇଥାନ୍ତା, ଗଭର୍ଣ୍ଣମେଣ୍ଟର ଅଫିମ ସାଥୀରେ ମିଶେଇ ବିକ୍ରି କରି, ନସରିଥିଲେ ଟ୍ରେଜେରୀରେ ଜମା ଦେଇଦେଇଥାନ୍ତି । ଏବେ ସେକଥା ବି କରିହବନି । ଅଫିମତକ ଚିନିଗୁଣ୍ଡ ମିଶା, ଏଣେ ପୁଣି ଅଫିମିଆଙ୍କର ଦେଖାଦର୍ଶନ ନାହିଁ; ଏଥର ଗ୍ରାହକ ଭାଙ୍ଗିଲେ ଜାଣ ।”

 

—“ଇଏ ଗଣ୍ଡଗୋଳ କେଇଦିନ ରହିବ ଭାବୁଛନ୍ତି ଆଜ୍ଞା ! ରଡ଼ି ରଡ଼ି ତଣ୍ଟି ଫାଟିଲେ ଆପେ ଆପେ ବନ୍ଦ ହେଇଯିବେ ନାହିଁକି ?”

 

ଗଦି ବିଛଣା ତଳୁ ଅଫିମ ଡବାଟା ବାହାରକରି ପକେଟରେ ଭରି ମହିମ କହି ଚାଲିଲା–“ଭଲହେଇଚି ଆଜ୍ଞା, ଦୋକାନରେ ବିକ୍ରି ନ କରି ଗାଁରେ ବାହାରେ ବାହାରେ ବିକ୍ରି କରିବାକୁ ପଡ଼ିବ ।”

 

—“ଭଲ କଥା ତ କହୁଚ ! ଭଲେଣ୍ଟିୟରମାନଙ୍କ ଦାଉରେ ଆଜିକାଲି ଗାଁରେ ପୁଣି କିଏ ବିକ୍ରି କରିବାକୁ ସାହସ କରିବ ? ନାଇଁ ବାବା, ସେସବୁ ଝମେଲାକୁ ପସନା ।”

 

—“କେମିତି ବିକିବି ଆପଣ ଖାଲି ଦେଖୁଥାନ୍ତୁ । ଅଫିମିଆ କେବେହେଲେ ଅଫିମଖିଆ ଛାଡ଼ିପାରିବ ନା ? ଟଙ୍କା ପାଇଲେ ବିକ୍ରି କରିବାକୁ ଲୋକ ଅଭାବ ଅଛନ୍ତି ନା କଣ ? ଥାଉନା, ଦୋକାନ ଅପେକ୍ଷା ଗାଁରେ ବିକ୍ରି କଲେ ଅଧିକ ଦୁଇପଇସା ନିଶ୍ଚୟ ଆସିବ ।”

 

ଦେଖୁ ଦେଖୁ ଜଣେ ଦୁଇଜଣ ହେଇ କେତେଜଣ ଅଫିମିଆ ଝରକା ବାହାରେ ଆସି ଠିଆହେଲେ । ପଟ୍ଟାଦାର୍‌ ଚାଲିଯିବାରୁ ମହିମ ଯାଇ ଟେବୁଲ ପାଖରେ ଟୁଲ୍‌ରେ ବସିଲା ।

 

—“ଦିଅ, ଦିଅ, ପଟ୍ଟା ବାହାର କଲ ଶୀଘ୍ର ।”

 

ତା’ ଉପରେ ତା’ ଉପରେ ପଡ଼ି ଅଫିମିଆ କେଇଜଣ ଝରକା ବାଟ ଦେଇ ପଟ୍ଟାଗୁଡ଼ିକ ଭିତରକୁ ବଢ଼ାଇଦେଲେ । ସବା ଆଗରେ ଠିଆ ହେଇଥିବା ଜଣକ ଅଣ୍ଟାର ଖୋସଣିରୁ ଟଙ୍କାଟାଏ କାଢ଼ି ଟେବୁଲ ଉପରେ ପକେଇ ଦେଇ କହିଲା—“ମୋ ପଟ୍ଟାରେ ଅଧଭରିଏ ମାତ୍ର ଅଛି, ସବୁତକ ଦେଇଦିଅ ।”

 

ପଦୋ କୈବର୍ତ୍ତର ପଟ୍ଟା ଖଣ୍ଡନରେ ଅଫିମ ଓଜନର ମାତ୍ରାଟା ଏବଂ ତାରିଖଟା ଲେଖି ମହିମ ସଇକଲା । ତାପରେ ରାଜାରାଣୀ-ଚିହ୍ନ-ନଥିବା ଅର୍ଦ୍ଧକ୍ଷୟ ପ୍ରାପ୍ତ ଅଧୁଲିଟା ନିକ୍ତିରେ ପକେଇ, ସେଇ ପାଖଟା ପଦୋ ଦେଖିପାରିବା ଭଳି ଝରକା ଆଡ଼କୁ କରି ମହିମ କହିଲା—“ଦେଖୁଥା, ଦେଖୁଥା—ଓଜନ ଦେଖି ନିଅ । ବାହାରେ ଯାଇ ଓଜନ କମିଲା ବୋଲି ଯେମିତି ପାଟିତୁଣ୍ଡ ନକର-।”

 

ପଟ୍ଟାଦାରଙ୍କ ମନ ନେବା ଅର୍ଥରେ, ପଛରେ ଥିବା ଅଫିମିଆ ଜଣକ କହି ପକେଇଲା

 

—“ସେ କଥା କାହିଁକି କହୁଚ ବାବୁ ! କେତେବେଳେ ହେଲେ ଆପଣମାନଙ୍କର ବଦ୍‌ନାମ କରିଛୁଁ ? ଯାହା ଦିଅ, ସେଥିରେ ଆମର ସନ୍ତୋଷ ।”

ପଦେ ଦେଖୁ ନ ଦେଖୁଣୁ, ମହିମ ଅଧଭରି ଅଫିମକୁ ଏକାଠି ଧରି ଟେଳାଟାଏ କରି ତା’ ହାତକୁ ବଢ଼ାଇଦେଲା । ଟେଳାଟିକୁ ଚିପାଚିପି କରି ପଦୋ ଝରକା ପାଖରେ ଗରଗର ହେଇ ବାହାରିଗଲା—“ଦିନକୁ ଦିନ ଦେଖୁଛି ଓଜନ ତମର କମି ଯାଉଚି । ଚଉଦଅଣିଆରୁ ଆସି ଏକେବାରେ ଦଶଅଣିଆରେ ପହଞ୍ଚିଲାଣି । ଅଫିମିଆ କେଇଟାର କେତେ ରକ୍ତ ଶୋଷି ଖାଇବ ? ଖାଅ, ଖାଅ—ଧର୍ମ ଥିଲେ ଦେଖିବ ।”

—ଯାଆ ଯାଆ, ପଳେଇଯାଆ । ଭଲେଣ୍ଟିୟରଦଳ ଆସି ପହଞ୍ଚି ଗଲେ ଅଫିମଖିଆ ମଜା ବାହାରିଯିବ । କାଲିଠୁ ବେଳ ଉଣ୍ଡି ଉଣ୍ଡି ମଣିଷ ଚାରି କୋଶ ବାଟ ଆସିଚି—ଡେରି କଲେ ବିପଦ ।”

ପଦୋର ଅଫିମ ଓଜନରୁ ହାତ ସଫେଇ, ଅଫିମ ଟିକକ ଡବାରେ ଭରି ମହିମ ବାହାରକୁ ଅନେଇଁ ପଚାରିଲା—“ତମେ ନରାମ ଦେଉରୀ ?”

—“ଆଜ୍ଞା ହିଁ ।”

—“ତମ ପଟ୍ଟାରେ ତ ଆଉ ଅଫିମ ନାହିଁ ।”

—ଅଧଭରି ଖଣ୍ଡେ ଅଛି ନା କଣ ଆଜ୍ଞା । ଟିକିଏ ଭଲ କରି ଦେଖନ୍ତୁ ।”

—“ଦିନେ ନେଲ ଭରିଏ; ଦୁଇଦିନ ଅଧ ଅଧ ଭରି—ଦୁଇଭରି ଅଫିମରୁ ଆଉ କେତେ ବାକି ରହିଲା ?”

—“କି ପଟ୍ଟା ଏ ସରକାର ଦେଲା ହୋ, ଅଫିମ ଟିକିଏ ମିଳିଲା ନାହିଁ ! ଆଜ୍ଞା, ପଟ୍ଟାରେ ଯଦି ନାହିଁ, ବାହାରିଆରୁ ଅଧଭରି ଦିଅ । ଯାହା ପଡ଼ୁଚି ପଛକେ ନିଅ । ନ ଖାଇଲେ ବଞ୍ଚିବି କେମିତି ? ଯାହା ତାହା ହଉ ଟିକିଏ ନେଇ ଖାଇଲେ ଯାଇ ଚଳେ ।”

—“ବାହାରିଆ ଅଫିମ ରଖିବା ନିୟମ ନାହିଁ ହୋ ! ତମେ ଗଲ ଭିତର ପଟକୁ । ପଟ୍ଟାଦାର ବାବୁଙ୍କୁ ମାଗ । ଅଛି ଯଦି ସେ ଦେବେ ।”

ପଟ୍ଟାଖଣ୍ଡିକ ଫେରେଇଦେଲା । ନରାମ ଦେଉରୀ ଅପସରି ଯିବାରୁ ତୃତୀୟ ଜଣକ ସେଇ ସ୍ଥାନ ଦଖଲ କଲା । ତା’ପରେ ଚତୁର୍ଥ, ପଞ୍ଚମ, ଷଷ୍ଠ... । ବୁଢ଼ା ଟୋକା ହେଇ ଦଶ ବାରଜଣ ଅଫିମିଆଙ୍କ ପାଦ ଝରକା ଆଗରେ ପଡ଼ିଲା । ପ୍ରତ୍ୟେକଙ୍କର ଯାହାର ଯେତିକି ଦରକାର, ମହିମ ଓଜନ କରିଦବାକୁ ଲାଗିଲା । ଅଫିମିଆତକ ଝରକା ସେପଟୁ ଡୁଙ୍ଗି ଡୁଙ୍ଗି, କଣେଇ କଣେଇ ଭିତରକୁ ଅନଉଥିବା ଦେଖି ମହିମ ବିରକ୍ତ ହୋଇ କହିଲା—“ତମେ ସବୁ ନେଲ ପରା—ରହିଲ କାହିଁକି ? ଯାଅ ଯାଅ, ପଳାଅବେ ବେଗି ।”

—“ଯାଉଚୁ ହୋ, ତଡ଼ିବା ଦରକାର ନାହିଁ ।”

—“ଆରେ ବାବୁ ତଡ଼ିବ କାହିଁକି ? ତମରିମାନଙ୍କ ଭଲ ପାଇଁ କହୁଚି । ଭଲେଣ୍ଟିୟରମାନେ ଆସି ପହଞ୍ଚିଗଲେ ଟଣାଓଟରା ଚାଲିବ । ଆଜି ହୁଏତ ପୋଲିସ ଆସିପାରେ । ରାହର ଦାରୋଗା କାଲି ଖବର ନେଇ ଯାଇଛନ୍ତି ।”

 

ମହିମ ହୁଏତ ଭବିଷ୍ୟତବାଣୀ କହିଲା । ‘ବନ୍ଦେମାତରଂ’ ‘ବନ୍ଦେମାତରଂ’ ଚିତ୍କାର କରି କରି, କଂଗ୍ରେସ ଫ୍ଲାଗ ଉଡ଼ାଇ ଉଡ଼ାଇ, ଗାନ୍ଧୀ-ଟୋପି-ପିନ୍ଧା ପିକେଟିଂ ଭଲେଣ୍ଟିୟର ଦଳ ଅଫିମ ଦୋକାନ ଆଡ଼କୁ ମାଡ଼ି ଆସୁଥିଲେ । ଭଲେଣ୍ଟିୟରଙ୍କ ଜୟ ଧ୍ଵନି ଶୁଣୁ ଶୁଣୁ ଅଫିମିଆତକ ଯିଏ ଯୁଆଡ଼େ ପାରିଲେ ପଳେଇ ଗଲେ । ପଟ୍ଟା, ପଇସା ଦେଇ ଦୁଇଚାରିଜଣ ଝରକା ପାଖରେ ଆବୋରି ଥିଲେ, ସେମାନେ ସମସ୍ତେ ଏକ ସଙ୍ଗେ ହାତ ବଢ଼ାଇ ପାଟିକଲେ ।

 

ବୈଶାଖର ଶେଷ । ଉଦୁଉଦିଆ ଦି’ପହର । ସିଧାଭାବେ ଆଖି ଖୋଲି ଚାହିଁବାକୁ କାହାର ସାଧ୍ୟ ନାହିଁ । ଚତୁର୍ଦ୍ଦିଗରୁ ହୁତାଶନ ଭଳି ଖାଁ ଖାଁ ମୂର୍ତ୍ତି । ଭଲେଣ୍ଟିୟରମାନଙ୍କର କିନ୍ତୁ ସେଥି ପ୍ରତି ଭ୍ରୂକ୍ଷେପ ନାହିଁ । ଜନ୍ମଭୂମିର ସ୍ଵାଧୀନତା ସ୍ଵପ୍ନରେ ବିଭୋର ତରୁଣ ଦେଶକର୍ମୀମାନଙ୍କୁ ଗ୍ରୀଷ୍ମର ପ୍ରଚଣ୍ଡ ଉତ୍ତାପ ଆତ୍ମତ୍ୟାଗର ବାସନାରେ ଉନ୍ମାଦ କରିପକେଇଛି । ଦୋକାନ ସାମନାରେ ବସି ଗାଈଆଳ ଗୀତ ସ୍ଵରରେ ଗୀତ ଯୋଡ଼ି ଯୋଡ଼ି ଗୀତ ଗାଉଛନ୍ତି । ବୈଶାଖମାସିଆ ଖରା ସହିତ ମେଳ ବାନ୍ଧି ସେମାନଙ୍କର ‘ବନ୍ଦେମାତରଂ’ ଧ୍ୱନି ଚତୁର୍ଦ୍ଦିଗର ବାୟୁକୁ ଅଧିକତର ଗରମ କରି ତୋଳୁଛି ।

 

ମାସ ଶେଷର ସମୟ । ମାସ ସରିଗଲେ ପଟ୍ଟାରେ ଲେଖା ଅଫିମତକ ପଟ୍ଟାଦାର ଆଉ ଦବ ନାହିଁ । ସେଇ ଭୟରେ, ମୁଣ୍ଡରେ ଦିହିପହରିଆ ଖରାର ବୋଝ ନେଇ କେତେ ମାଇଲ ହବ ରାସ୍ତା ଅତିକ୍ରମ କରି ଅଫିମିଆଏ ଆସିଛନ୍ତି । ଭଲେଣ୍ଟିୟରମାନଙ୍କର ଅନୁନୟ-ବିନୟ, କାକୁତି-ମିନତିକୁ ଉପେକ୍ଷା କରି ସେମାନଙ୍କୁ ଆଡ଼େଇ ଦେଇ ଜଣେ ଦୁଇଜଣ ଅଫିମ କିଣୁଛନ୍ତି ।

 

ଭଲେଣ୍ଟିୟରମାନଙ୍କର ଅଗ୍ରଣୀ କୁଶ ଗଗୈ ସହିତ ପଟ୍ଟାଦାର ନାରାୟଣ ଗୋସ୍ଵାମୀ ସ୍କୁଲରେ ପଢ଼ିବା ଦିନୁ ପରିଚିତ । ଅଫିମିଆମାନଙ୍କୁ ଆଗୋଳି ରଖି ନପାରି ପଟ୍ଟାଦାରଙ୍କ ଉଦ୍ଦେଶ୍ୟରେ କୁଶ ଗଗୈ କହିଲେ—“ହୋ ଗୋସେଇଁ, ଆପଣ ଅଫିମ ଠିକା ଛାଡ଼ି ଦିଅନ୍ତୁ । ବ୍ରାହ୍ମଣ-ଗୋସେଇଁ ହେଇ, ମଦ-ଅଫିମ-ଗଞ୍ଜେଇ ବ୍ୟବସାୟ ଧରିବା କ’ଣ ଉଚିତ ? ଗରିବ ଗୁରୁବା କେଇଟାଙ୍କ ରକ୍ତ ନ ପିଇ, ଶିଷ୍ୟ-ଜଜମାନ କରି ଖାଉନ କାହିଁକି ? ସରଳ ଅଫିମିଆ କେଇଟାଙ୍କୁ ଗରଳ-ବିଷ ଖୁଆଇ କ’ଣ ଧନର ଦେଉଳ ବାନ୍ଧିବାକୁ ମନ ?”

 

—“ମୁଁ ଆଜିରେ ଦୋକାନ ଛାଡ଼ିଦଉଚି । ହେଲେ, ମୁଁ ଦୋକାନରୁ ରିଜାଇନ୍‌ କଲେ ଅଫିମିଆ କଣ ଅଫିମ ଖିଆ ଛାଡ଼ିଦବ ? ଅନ୍ୟ କେହି ଦୋକାନ ଠିକା ନବାକୁ ଆସିବେ ନାହିଁ ? ଦେଶର ସ୍ଵାଧୀନତା ପୁଣି ‘ଅଫିମ-ଛାଡ଼’ରେ ଅର୍ଜନ କରିବାକୁ ପଡ଼ିଲା ?” ବ୍ୟଙ୍ଗ ସ୍ଵରରେ ନାରାୟଣ ଗୋସ୍ଵାମୀ ଏତକ କହିଲେ ।

 

—“ଅଫିମ ଛାଡ଼ିଲେ ଯେ ସ୍ଵାଧୀନତା ଆସିବ ନାହଁ, ଏକଥା ସତ । କିନ୍ତୁ ଗାଉଁଲିଆ ମଣିଷଙ୍କୁ ନିର୍ବୋଧ ପଶୁ ପରି ଭୀରୁ କରିପକେଇଛି ଏଇ ଅଫିମ । ଆମର ମନୁଷ୍ୟତ୍ଵକୁ ତିଳେ ତିଳେ ମାଡ଼ି ଦଳି ମୃତ୍ୟୁମୁଖକୁ କଢ଼େଇ ନେଇଯାଉଚି ଏ । ମହାତ୍ମାଙ୍କର ବିଶ୍ଵାସ—ଅଫିମ ଛାଡ଼ିଲେ ହିଁ ଅସମୀୟା ଲୋକେ ପୂର୍ବ-ପୁରୁଷଙ୍କ ଶକ୍ତି ଫେରିପାଇ ମୁଣ୍ଡ ଟେକି ଠିଆ ହେଇପାରିବେ । ଅନ୍ୟାୟ, ଅନାଚାର, ଅତ୍ୟାଚାର ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଶକ୍ତି-ସାମର୍ଥ୍ୟ ହାସଲ କରିପାରିବେ । ମଣିଷ ଭଳି ବଞ୍ଚି ରହିବାର ସ୍ଵାଧୀନତା ଦାବି କରିବାକୁ ସକ୍ଷମ ହେବେ ।”

 

ବକ୍ତୃତା ଭଙ୍ଗିରେ କୁହା କଥା ଶୁଣି ଭଲେଣ୍ଟିୟରଗଣ ଚିତ୍କାର ଛାଡ଼ିଲେ–“ବନ୍ଦେମାତରଂ-।” ଭଲେଣ୍ଟିୟରଙ୍କ ନେତା, କୁଶ ଗଗୈଙ୍କ ସହିତ ପଟ୍ଟାଦାର କଥାବାର୍ତ୍ତା କରିବା ସୁଯୋଗ ନେଇ ମହିମ ତରବରରେ ଦୁଇଜଣଙ୍କର ଅଫିମ ଓଜନ କରିଦେଇ ସେମାନଙ୍କୁ ବିଦା କରିଦେଲା-। କେତେଜଣ ଅଫିମ ନେଇ ଫେରୁଥିବାର ଦେଖି, ବେଲଗଛ ତଳେ ଥିବା କେତେଜଣ ଅଫିମିଆ ଘଟଣା କେଉଁଆଡ଼କୁ ଗତି କରୁଛି ଜାଣିବାକୁ ପାଦେ ପାଦେ ଆଗେଇଲେ । ଭଲେଣ୍ଟିୟର କେଇଜଣ ସେମାନଙ୍କ ପାଖକୁ ଆସି, ହାତଯୋଡ଼ି କହିଲେ“ହୋ ଭାଇମାନେ, ଅଫିମ କିଣନ୍ତୁ ନାହିଁ । ଘରକୁ ଫେରିଯାଅନ୍ତୁ । ଯାହା ପଇସା ଅଫିମ କିଣିବାକୁ ଆଣିଛନ୍ତି ସେଥିରେ ମାଛ-କେରାଣ୍ଡି ଦୁଇଟା କିଣି ପୁଅ ଝିଅଙ୍କ ସହିତ ଆନନ୍ଦରେ ଖାଆନ୍ତ । ସର୍ବସାଧାରଣଙ୍କ ରାଣଦେଶର ରାଣଅଫିମ ଛାଡ଼ନ୍ତୁ ।”

 

ଗାଁ-ପଧାନ, ମୋହନର ହାତୀର ମାହୁନ୍ତ ଶୁକମଳ କଛାରୀ ସେଇ ଦଳରେ ଥିଲା । କାମପୁରର ଗୋସେଁଇ ଘରକୁ ବାହାଘର ସକାଶେ ହାତୀ ନେଇଯାଇଥିଲା । କାଲି ଦିପହରେ ଘରକୁ ଫେରିଛି । ଅଫିମତକ ରାତିରେ ଶେଷ ହୋଇଥିବାରୁ, ହାତୀକୁ ବାନ୍ଧିଦେଇ କଷ୍ଟେମଷ୍ଟେ ଅଫିମ ଟିକିଏ ନବ ବୋଲି ଆସିଛି । ବାହାଘରୁ ପାଇଥିବା ବିଦାକି ଟଙ୍କାଟା ଅଣ୍ଟା ଖୋସଣିରେ ଅଛି । ସକାଳୁ ଏଯାଏଁ ଅଫିମ ଟିକିଏ ନଖାଇ ଦେହ କସ୍‌ମସ୍‌ କରି ଝିମ୍‌ଝିମ୍‌ ମାରିଲାଣି । ଦୋକାନ ସାମନାରେ ଭଲେଣ୍ଟିୟରମାନଙ୍କର ଏଇ ଗଣ୍ଡଗୋଳ । ଦୋକାନ ଆଡ଼କୁ ଆଗେଇ ନପାରି, ବିଲୁଆ ପରି ହୋ-ହୋ କରି ସମସ୍ତେ ସ୍ଵର ଧରିଛନ୍ତି ।

 

“ଛାଡ଼ିଦିଅ, ଛାଡ଼ିଦିଅ ବାବା, ବାଟ ଓଗାଳନା । ଯାହା ଅଭିଶାପ ଦଉଚ ଦିଅ ପଛକେ, ଅଫିମିଆ କେଇଟାଙ୍କୁ ଅଫିମରୁ ବଞ୍ଚିତ କଲେ ଯାଇ କଣ ଦେଶ ଉଦ୍ଧାର ହେବ, ନହେଲେ ନାହିଁ ? ଦରକାର ନାହିଁ ବାବା ତମମାନଙ୍କର ଗାନ୍ଧୀ ରଜା ହବାବାଟ ଛାଡ଼ ।” ଏତକ କହି କହି, ଭଲେଣ୍ଟିୟର କେତେଜଣଙ୍କୁ ଆଡ଼େଇ ଆଡ଼େଇ ଶୁକମଳ ଦୋକାନ ଆଡ଼କୁ ଯିବାକୁ ଆଗେଇଲା । ଅନ୍ୟମାନେ ମଧ୍ୟ ଶୁକମଳକୁ ଅନୁସରଣ କଲେ । କୌଣସି ଉପାୟରେ ବାଧା ଦେଇ ନପାରି ଭଲେଣ୍ଟିୟର ଦୁଇଜଣ ଶୁକମଳ ପ୍ରଭୃତିଙ୍କ ଆଗରେ ଲମ୍ବା ହୋଇ ଶୋଇପଡ଼ିଲେ ।

 

“ଇସ୍‌, ଏ ଦୁଷ୍ଟାମି କାହିଁକି ବାପା ? ହିନ୍ଦୁ ଘରର ପିଲାତମମାନଙ୍କୁ ଡେଇଁ ଯୋଗାଏନା ।” ଅଡ଼ୁଆରେ ପଡ଼ି, ଶୁକମଳ ଅଣ୍ଟାରୁ ବେଣ୍ଟଲଗା କଟୁରି ଖଣ୍ଡିକ ବାହାର କରି ରଫ୍‌ ରଫ୍‌ କରି କୁଣ୍ଡିଆ ପିଠିକୁ କୁଣ୍ଡେଇବାକୁ ଲାଗିଲା ।

 

“ହୁଏତ ଘରକୁ ଫେରୁ, ନୁହେଁ ତ ଆମକୁ ଡେଇଁଯାଇ ଅଫିମ କିଣ ।”

 

କିଛି ସମୟ ପରେ ଗୋଟାଏ ଜାଗାରେ ଠିଆହୋଇ ଶୁକମଳ ପ୍ରଭୃତି ପୁଣି ବେଲଗଛ ଛାଇକି ଫେରିଲେ । ଭଲେଣ୍ଟିୟର ଦୁଇଜଣ ବି ତଳୁ ଉଠି ଲୁଗାପଟା ଓ ଦେହରୁ ଧୂଳି ମାଟି ଝାଡ଼ିଝୁଡ଼ି ପୂର୍ବସ୍ଥାନରେ ଯାଇ ବସିଲେ । ଆଜି ଆଉ ଅଫିମିଆ ଆସିବା ସମ୍ଭାବନା ନାହିଁ । ଯୋଉ କେଇଜଣ ଆସିଛନ୍ତି ସେମାନେ ପଳେଇଗଲେ ଭଲେଣ୍ଟିୟରମାନେ ଘରକୁ ଯାଇପାରିବେ । ଧରଣୀ ମାଷ୍ଟରଙ୍କ ନିର୍ଦ୍ଦେଶରେ ଫୁଲଗୁରି ଅଫିମ ଦୋକାନ ସାମନାରେ ପିକେଟିଂ କରିବାକୁ ଆସିବା ଆଜିକି ତିନିଦିନ ହେଲା । ଅଫିମ ନବାକୁ ଆସୁଥିବା ଅଫିମିଆଙ୍କ ସଂଖ୍ୟା ଏଇ କେଇ ଦିନରେ ଯଥେଷ୍ଟ କମିଛି । ଗାଁ ଗାଁରେ ବି ଲୋକେ ଏକଯୁଟ ହେଉଛନ୍ତିକୌଣସି ପ୍ରକାରେ ହେଉ ନିଜ ନିଜ ଗାଁର ଅଫିମିଆ କେଇଟାଙ୍କ ଅଫିମଖିଆ ଛଡ଼ାଇବେ । ଏ ପର୍ଯ୍ୟନ୍ତ କେଉଁ ଗାଁରେ କେତେ ଜଣ ଅଫିମିଆ ଅଫିମ ଛାଡ଼ିଲେଣି, କେଉଁ କେଉଁ ଦୋକାନରେ ପିକେଟିଂ କରୁଥିବା ଭଲେଣ୍ଟିୟରମାନଙ୍କୁ ପୋଲିସ ମାର୍‌ଧର କରୁଛି, ଏଇ ବିଷୟ ନେଇ ସେମାନଙ୍କ ମଧ୍ୟରେ ଆଲୋଚନା ଚାଲିଛି । ଠିକ୍‌ ସେଇ ସମୟରେ ଆସ୍ତେ ଆସ୍ତେ ସାଇକେଲ ଚଳାଇ, ସାଙ୍ଗରେ ଦୁଇଜଣ ହିନ୍ଦୁସ୍ଥାନୀ କନେଷ୍ଟବଳଙ୍କୁ ନେଇ ରହାଥାନା ଇନ୍‌ଚାର୍ଜ ଅଫିସର ଆସି ଅଫିମ ଦୋକାନ ସାମନାରେ ପହଞ୍ଚିଲେ । ପୋଲିସଙ୍କୁ ଦେଖି କୁଶ ଗଗୈ ଜାତୀୟପତାକାଟିକୁ ହାତରେ ଧରି ଠିଆହେଲେ । ସଙ୍ଗେ ସଙ୍ଗେ ସମସ୍ତେ ‘ବନ୍ଦେମାତରଂ’ ଜୟଧ୍ଵନି କରି ସେମାନଙ୍କୁ ଅଭିବାଦନ ଜଣାଇଲେ । ଭଲେଣ୍ଟିୟରଗଣଙ୍କ ଆଡ଼କୁ ଚାହିଁ, ପତାକାନେଇ ଠିଆ ହେଇଥିବା କୁଶ ଗଗୈର ହାତରେ ହାତକଡ଼ି ପିନ୍ଧେଇବାକୁ ଦାରୋଗା ମହାଶୟ କନେଷ୍ଟବଳଙ୍କୁ ନିର୍ଦ୍ଦେଶ ଦେଲେ । ସାଥୀ ଭଲେଣ୍ଟିୟର ଜଣେ ଗଗୈ ହାତରୁ ପତାକାଟିକୁ ନେଇ ପୁଣିଥରେ ଜୟଧ୍ଵନି କଲେ । ହାତରେ ହାତକଡ଼ି ପଡ଼ିବାରୁ କୁଶ ଗଗୈଙ୍କ ଗର୍ବସ୍ଫିତ ମୁଖମଣ୍ଡଳ ବୈଶାଖର ସୂର୍ଯ୍ୟଙ୍କଠାରୁ ବି ବେଶି ରଙ୍ଗା ଦେଖାଗଲା ।

 

ଭୟ ତଥା ସାବଧାନତା ସହିତ ଯେଉଁ କେଇଜଣ ଅଫିମିଆ ଗଛ ଛାଇରେ ଠିଆ ହେଇଥିଲେ ସେମାନଙ୍କୁ ଅନେଇ ଦାରୋଗାବାବୁ ପଚାରିଲେ“କଣ ତମମାନଙ୍କର ଦରକାର ? ଯଦି ଅଫିମ କିଣିବାକୁ ଆସିଛ କିଣୁନ କାହିଁକି ?”

 

ଦାରୋଗାଙ୍କ ନିର୍ଦ୍ଦେଶକୁ ଅବମାନନା କରିବାକୁ ଅଫିମିଆଙ୍କ ସାହସ କୁଳେଇଲା ନାହିଁ । ଶୁକମଳର ଦେହ ବେଶି ବେଶି ଝିମିଝିମି ମାରିଲାଣି । ଲମ୍ବା ଲମ୍ବା ହାଇ ଦିଟା ମାରି ପାଦେ ଦୁଇପାଦ କରି ଆଗେଇ ସେ ହିଁ ଆଗେ ଝରକା ପାଖରେ ପହଞ୍ଚିଲା । କୁଞ୍ଚର ଗଣ୍ଠି ଫିଟାଇ ପଟା ଖଣ୍ଡିକ ବାହାର କରି ହାତରେ ଧରିଲା । ଖୋସଣିରେ ଗୁଡ଼େଇ ରଖା ଟଙ୍କାଟି ବାହାରକରି ପଟା ସହିତ ଝରକାର ହାତଗଳା ବାଟରେ ଭିତରକୁ ବଢ଼େଇ ଦବାକୁ ଯାଉଛି, ଏପରି ସମୟରେ ଭଲେଣ୍ଟିୟରମାନଙ୍କ ଭିତରେ ଥିବା ମାଣିକ ଗୋସେଇଁଙ୍କ ବାରବରଷିଆ ପୁଅ ଧନଞ୍ଜୟ ଛଞ୍ଚାଣ ପରି ମାଡ଼ିଆସି ଶୁକମଳର ଗୋଡ଼ତଳେ ଲମ୍ବ ହେଇ ପଡ଼ିଗଲା ।

 

ମାଣିକ ଗୋସେଇଁଙ୍କ ସାନପୁଅ ଧନଞ୍ଜୟକୁ ଶୁକମଳ ବେଶ୍‌ ଭଲଭାବରେ ଚିହ୍ନେ । ଫୁଲଗୁରି ଅଞ୍ଚଳର ଯେକୌଣସି ଭାଗବତ ଟୁଙ୍ଗିରେ ଯାତ୍ରା-ଅଭିନୟର ଆସର ଚାଲିଲେ ‘କୃଷ୍ଣ-ନାଚ’ କରିବାକୁ ଧନଞ୍ଜୟ ପାଏ ନିମନ୍ତ୍ରଣ । ଯାତ୍ରାରେ ଧନଞ୍ଜୟ କୃଷ୍ଣନାଚ କରିବାକୁ ଅଛି ଶୁଣିଲା ମାତ୍ରେ ଗାଁଗୋଟାକର ସ୍ତ୍ରୀ-ପୁରୁଷ, ଟୋକା-ବୁଢ଼ା ଦେଖିବାକୁ ଧାଆଁନ୍ତି । କନ୍ଦର୍ପ ଚେହେରା, ଶେଫାଳି ଫୁଲ ପରି ସୁନ୍ଦର ରଙ୍ଗ, ଗଳାଯାଏ ଲମ୍ବାବାଳଅଭିନୟର ପୋଷାକ ପିନ୍ଧିଲେ ସାକ୍ଷାତ ପ୍ରତିମାଟିଏ କି ! ଶୁକମଳ ବହୁତ ଥର ଧନଞ୍ଜୟକୁ ହାତୀରେ ବସେଇ ଯାତ୍ରା ଘରଠିକି ନେଇଛି ।

 

ସେଇ ଗୋସେଇଁ-ପୁଅ ଧନଞ୍ଜୟ ଦେହରେ ପାଦ ବାଜିବାରୁ ଇସ୍‌ ଇସ୍‌ କରି ଭୟରେ ଶୁକମଳ ଡେଇଁ ଚାରିହାତ ପଛକୁ ଘୁଞ୍ଚିଗଲା । ପାଣିରେ ପହଁରୁଥିବା ହଂସପକ୍ଷୀ ସଦୃଶ ଧନଞ୍ଜୟର ଧୋବ ଫର୍‌ଫର୍‌ ମୁହଁକୁ ଅନେଇ ଅନୁଶୋଚନାର ସ୍ଵରରେ କହିଲା“ଏ ହେ...ହେ... ଏ ହେ ହେ...କି କାମଟା କଲ ହେ ଗୋସେଇଁ ପୁଅ । ଆପଣେ କଣ ଏ କାମ କରିବା ଉଚିତ ? ଗୋସେଇଁର ଦେହରେ ପାଦ ବାଜିଲା । କି ପାପଟାଏ ନକଲି ମୁଁ ।”

 

“ଭଲ ହୋଇଚିଅଫିମ ନେବାକୁ ଆସିଥିଲୁ କାହିଁକି ?” ଧନଞ୍ଜୟ ମୁହଁକୁ ଭ୍ରୂକୁଟି କରି କହିଲା । କଥାର ଭଙ୍ଗିରେ କୃଷ୍ଣର ଅଭିମାନ ।

 

“ଇସ୍‌, ସେଇ କଥାକୁ ସେଇକଥାକୁ କେତେ କହୁଚ ? ସବୁବେଳେ ଖାଇବା ଚିଜଟାକୁ ଛାଡ଼ ବୋଲି କହିଦେଲେ ଛାଡ଼ିହଉଚି କେତେକେ ? ରତିଏ ଟାଇମି ଏପାଖ ସେପାଖ ହେଲେ ହାଇହାକୁଟି ତ୍ରିଭୁବନ ଦେଖାନ୍ତି । ତମେ ସବୁ ବୁଝିବ କଣ ? କେବେ ଭଲା ଖାଇଥାଆନ୍ତି-।”

 

ଶିଶୁର-କ୍ରୀଡ଼ା-କନ୍ଦୁକ ଭଳି ଭଲେଣ୍ଟିୟର ଟୋକାଟାର ଗାରିମା ଦେଖି ରାଗ, ଉତ୍ତେଜନାରେ ଦାରୋଗାଙ୍କ ସର୍ବାଙ୍ଗ ଶରୀର କମ୍ପମାନ ହେବାକୁ ଲାଗିଲା । ନିର୍ଦ୍ଦେଶାତ୍ମକ ଦୃଷ୍ଟିରେ ଛିଡ଼ାହେଇ ସିପାହିଟା ଆଡ଼କୁ ଚାହିଁଲେ କେବଳ । ତତ୍‌କ୍ଷଣାତ୍‌ ସିପାହି ନିଜର କର୍ତ୍ତବ୍ୟ ସ୍ଥିରକରି, ଦୌଡ଼ିଯାଇ ଗୋଡ଼ଦିଟାକୁ ଧରି ଧନଞ୍ଜୟକୁ ସର୍‌ ସର୍‌ କରି ଘୋସାଡ଼ି ଆଣିଲା । ଆତ୍ମ-ଅପରାଧର ଅନୁଶୋଚନାରେ ଶୁକମଳର ମୁହଁ କେଶରାଜ ପତ୍ର ଭଳି ବିବର୍ଣ୍ଣ ହେଇଗଲା । ପାଦର ଫାଟିଲା ଚମକୁ କଟୁରିରେ ରାମ୍ପି, ଫେରିଯାଇ ନିଜକୁ ନିଜେ କହିଲା“ଯା ହୋ, ଆଜିଠୁ ମୁହଁରେ ଦେବି ନାହିଁମରେଁ କି ବଞ୍ଚେ । ଗୋସେଇଁର କଅଁଳିଆ ଟୋକାଟାକୁ ପାଷଣ୍ଡଗୁଡ଼ାକ ଏମିତି ଘୋଷାଡ଼ି ନବାଟା କୋଉ ନ୍ୟାୟ ! ଦେଶରୁ ଦୟା ଧର୍ମ ଉଡ଼ିଲା ବୋଲି ।”

 

ଅଫିମ ନକିଣି ଫେରିଆସିବା ଦେଖି ଭଲେଣ୍ଟିୟରଗଣ ପ୍ରସନ୍ନବଦନରେ ପ୍ରଶଂସାର ହସ ଫୁଟେଇ ଶୁକମଳର ମୁହଁକୁ ଅନେଇଲେ । ହାତର ପଟ୍ଟାଖଣ୍ଡକ ଭଲେଣ୍ଟିୟରମାନଙ୍କ ଆଡ଼କୁ ଫୋପାଡ଼ିଦେଇ ଶୁକମଳ କହିଲା“ନିଅ, ନିଅ, ତମର ଗାନ୍ଧୀ ରଜାକୁ ନିଅତା ଜ୍ଵାଳାରେ ଅଫିମ ଟିକକ ଖାଇବାରେ ଆଜିଠୁ ମୁଦା ପଡ଼ିଲା ।”

 

ଶୁକମଳର ଅଫିମ ପଟ୍ଟାକୁ ଗୋଟେଇ ନେଇ ଭଲେଣ୍ଟିୟରଗଣ ପିକେଟିଂର ସାଫଲ୍ୟର ଗୌରବାନନ୍ଦରେ ଉଚ୍ଚସ୍ଵରରେ, ‘ବନ୍ଦେମାତରଂ, ‘ମହାତ୍ମାଗାନ୍ଧୀଜୀ କି ଜୟ ଧ୍ଵନି କଲେ । ଭଲେଣ୍ଟିୟରଙ୍କ ହାତରେ ଅଫିମ ପଟ୍ଟା ଦେଖି, ଏଇ ହର୍ଷୋତ୍‌ଫୁଲ୍ଲ ଚିତ୍କାରର କାରଣ ବୁଝିବାକୁ ଦାରୋଗାବାବୁଙ୍କୁ ସମୟ ଲାଗିଲା ନାହିଁ । ସାଇକଲଟି ତଳେ ରଟ୍‌କିନା ପକେଇ, ଜୋତା ଢପ୍‌ ଢପ୍‌ କରି ଆଗକୁ ଆସି ଦାରୋଗାବାବୁ ଶୁକମଳକୁ ପଛପାଖରୁ କାନମୂଳିଆ ଚଟକଣାଟାଏ ଚଡ଼୍‍କିନା ମାରିଲେ । ନଟୁ ଘୂରିବା ପରି ଘୂରି ଘୂରି ଶୁକମଳ ରାସ୍ତାକଡ଼ରେ ମୁହଁମାଡ଼ି ପଡ଼ିଗଲା ।

 

ବୈଶାଖ ମାସର ଦୀର୍ଘ ଦିନଟା କ୍ଳାନ୍ତ ହେଇପଡ଼ିଲା । ପଟ୍ଟାଦାର ଖଡ଼ ଖଡ଼ କରି ବାଉଁଶ ତାଟି ଖଣ୍ଡକ ପକେଇଦେଲା । କୁଶ ଗଗୈ, ଧନଞ୍ଜୟ ଦୁହିଁଙ୍କୁ ସିପାହିଙ୍କ ଜିମା ଦେଇ ଦାରୋଗାବାବୁ ସାଇକେଲ୍‌ ପେଡ଼ାଲ୍‌ରେ ପାଦ ଥୋଇଲେ । ହ୍ୟାଣ୍ଡକପ୍‌ ଲଗା‌ ଭଲେଣ୍ଟିୟର ଦୁଇଜଣଙ୍କ ଅଣ୍ଟାରେ ଦଉଡ଼ି ବାନ୍ଧି ସିପାହି ଦୁହେଁ ସେମାନଙ୍କୁ ଥାନା ଆଡ଼କୁ ନେଇଗଲେ । ଦିନଟାର ପ୍ରଖର ରୌଦ୍ରରେ ଜଳିପୋଡ଼ି, ଝାଳନାଳରେ ମଳିନ ହେଇ, ମୁହଁରେ ବିଜୟର ହସ ହସି ବାକି କେଇଜଣ ଭଲେଣ୍ଟିୟର ସାଥି ଦୁଇଜଣଙ୍କୁ ଗାଁ ମୁଣ୍ଡଯାଏଁ ବଳେଇ ଦେଇ ଆସିବାକୁ ବାହାରିଲେ । ବନ୍ଧନରେ ଥାଇ ଧନଞ୍ଜୟ କହି ପକେଇଲା

 

“ହୋ ଭାଇ ଅଫିମିଆ, କାହିଁକି ଖୁଆଉଛ ମାଡ଼ ?

ଅଫମ ଖାଇବାକୁ ତୋ କାନ୍ଧରେ ଭିକ୍ଷାଝୁଲି

ଆମର ଭାଙ୍ଗୁଛି ହାଡ଼ ।”

 

ସଞ୍ଜ ବତାସରେ ମିଶିଯାଇ ଧନଞ୍ଜୟ ପ୍ରଭୃତିଙ୍କ ହୃଦୟ ବିଦାରକ କରୁଣ ବିନତି, ଦୁଃଖ-ଦାରିଦ୍ର୍ୟ ଜର୍ଜରିତ ଜରାଜୀର୍ଣ୍ଣ ଗାଁ କେଇଖଣ୍ଡକୁ ମୃତ୍ୟୁ ପରି ନିଷ୍ପ୍ରାଣ‌ କରିଦେଲା । ପଡ଼ିଆରେ ବାଛୁରି ଛାଡ଼ି ଆସିଥିବା ପଘାଛିଣ୍ଡା ମୁକ୍ତ ଗାଈର ହମ୍ବାରଡ଼ି ସହିତ ମାତୃଭୂମିର ମୁକ୍ତିପାଇଁ ସୁପ୍ତ ଗାଁଉଲିଆ ଜନସାଧାରଣଙ୍କୁ ଜାଗ୍ରତ କରିବା ସକାଶେ ନିଃସହାୟ ସନ୍ତାନର କାକୁତି-ଗୀତର କାତର ଧ୍ଵନି ମିଶ୍ରିତ ହୋଇ କୃଷ୍ଣପକ୍ଷର ତପସ୍ୟା ଓ ସ୍ତବ୍‌ଧ ଗାଁଖଣ୍ଡକରେ ହାହାକାରର ଆର୍ତ୍ତନାଦ ସୃଷ୍ଟି କଲା ।

 

ଚାରି

 

ମୋହନ ପଧାନ ହାତୀକୁ ନିଜର ଘରବାଡ଼ିରେ ବାନ୍ଧନ୍ତିନି । ନଈକୂଳର ଗୋଟିଏ ବରଗଛ ତଳ, ହାତୀବନ୍ଧାଶାଳ । ହାତୀଶାଳର ଗୋଟିଏ ଗଛମୂଳରେ ଶୁକମଳ କୁଡ଼ିଆ ଖଣ୍ଡିଏ କରି ରହିଥାଏ । ପଧାନେ ରାତିରେ ହିଁ ଖବର ପାଇଲେହାତୀ କାମପୁରରୁ୍‍ ଫେରିଲା; କିନ୍ତୁ ଶୁକମଳ ହାତୀ ଚରେଇବାକୁ ନେଇନି । ପଧାନେ ସକାଳୁ ସକାଳୁ ଉଠି ହାତୀର ଖବର ନବାକୁ ବାହାରିଲେ-। ଶୁଣାକଥା ସତ । କେବକାର ପଡ଼ିଥିବା ଶୁଖିଲା କଦଳୀ ଗଛକୁ ଚୋବେଇ ଚୋବେଇ ବନ୍ଧନରେ ଥାଇ ହାତୀଟି ପାକୁଳି କରୁଛି । ହାତୀର ଦେହସାରା ବାହାଘରର ଚିତ୍ରବିଚିତ୍ର କାରୁକାର୍ଯ୍ୟ ଲାଗି ରହିଛି । ଏଇ ବୈଶାଖମାସ ଖରାରେ ଦୁଇଦିନ ହେଲା ଗାଧୋଇ ଦିଆଯାଇନି ହାତୀକୁ । ମାହୁନ୍ତର ଗଫଲତିକୁ ମନେ ମନେ ଗୁଣି, ପଧାନବୁଢ଼ା ଦୂରରୁ ଗାଳିମନ୍ଦ କରି କରି ଶୁକମଳର କୁଡ଼ିଆ ଆଗରେ ପହଞ୍ଚିଲେ ।

 

ପେଟ କାମୁଡ଼ା ଯନ୍ତ୍ରଣାରେ ଛାଟିପିଟି ହେଇ ଶୁକମଳ ଗଡ଼ୁଛି । ଦେହଟା ସାରା ଲାଳରେ ବୁଡ଼ିଯାଇଛି । ଅଢ଼େଇ କୋଡ଼ି ବୟସରେ ଅଫିମ ଛାଡ଼ି, ଜାଣି ଜାଣି ମରିବାକୁ ବାହାରିଥିବାରୁ ପଧାନବୁଢ଼ା ଶୁକମଳକୁ ଗାଳିଦେବାକୁ ବସିଲେ ।

 

“ଆରେ ମୂର୍ଖ, ଏଇ ବୁଢ଼ା ବୟସରେ ଅଫିମ ଛାଡ଼ି କଂଗ୍ରେସ କରିବାକୁ ବାହାରିଛୁ ? ସରକାର ଜାଣିପାରିଲେ ନିଜେ ତ ଜେଲ୍‌ ଯିବୁ, ମୋତେ ବି ହଲାପଟାରେ ପକେଇବୁ । ଯାହା ହେଲା ହେଲା, ପେଟ କାମୁଡ଼ାରେ ଛଟପଟ ହେଇ ମରିବା ଦରକାର ନାହିଁ । ଯାଉଚି, ଯଦି ପାଇବି ପୁଅ ହାତରେ ଲୋଡ଼େଇ ଆଣି ଅଫିମ ଟିକେ ପଠେଇ ଦଉଚି । ତାକୁ ଖାଇ ହାତୀଟିକୁ ଟିକିଏ ଚରେଇ ଆଣ । ବିଚରା ଦି’ ଦିନ ହେଲା ବନ୍ଧନରେ ପଡ଼ି ଫୋଟକା ପଡ଼ିଗଲାଣି ।”

 

ପୁଅ ହାତରେ ପଧାନବୁଢ଼ା ଅଫିମ ଟିକିଏ ଦେଇ ପଠେଇଲେ । ପାଗଳା କୁକୁରର ଜିଭରୁ ଥପ୍‌ ଥପ୍‌ ଲାଳ ବୋହିଲା ପରି ଅଫିମକୁ ଦେଖି ଶୁକମଳ ପାଟିରୁ ଲାଳ ବୋହିବାକୁ ଲାଗିଲା । ଇଚ୍ଛା ହେଲାଝାମ୍ପ ମାରି ନେଇ ଅଫିମ, ଟିକକ ଗିଳି ପକାଇବ । କିନ୍ତୁ ଗୋସେଇଁ ପୁଅ ଧନଞ୍ଜୟର ମୁଣ୍ଡଟା ପାଦରେ ଲାଗିବା ଦୃଶ୍ୟଟି ମନରେ ଉଙ୍କି ମାରିଲାରୁ ଶୁକମଳର ସାରା ଦେହ ଥରି ଉଠିଲା । ଅଫିମ ଫେରେଇ ନବାକୁ ପଧାନ ପୁଅକୁ କହି, କାନ୍ଥରେ ଟଙ୍ଗା ଆଙ୍କୁଶଟିକୁ ଅଣ୍ଟାରେ ଖୋସି, ଥରି ଥରି ଶୁକମଳ ପଦାକୁ ବାହାରିଲା । ହାତୀର ପଛ ଗୋଡ଼ରେ ବନ୍ଧା ଶିକୁଳି ଫିଟେଇ, କାନ ଦିଟାକୁ ଧରି, ଶୁଣ୍ଢଥରି ଖପାଖପ୍‌ ଚଢ଼ି ପିଠିରେ ଉଠିଲା । କାନମୂଳରେ ଗୋଡ଼ ଦି’ଟାକୁ ଭର୍ତ୍ତିକରି କହିଲା“ଚଲ୍‌ଚଲ୍‌ ।”

 

—‘‘ଇସ୍‌, କାଲିଠୁ ଉପାସରେ ଅଛି ।” ହାତୀର ମୁଣ୍ଡକୁ ଆସ୍ତେ ଆସ୍ତେ ଥାପୁଡ଼େଇ ତା’ କାନ୍ଧରେ ଶୋଇଗଲା । ଶୁଣ୍ଢକୁ ଉପରକୁ ଟେକି ଶୁକମଳର ପିଠିକୁ କୁଣ୍ଢାଇଲା ହାତୀ ବାପୁଡ଼ା । ଶୁକମଳ ଶୁଣ୍ଢର ଅଗକୁ ଯତ୍ନରେ ଧରି ମୁହଁ ଲଗେଇ ଚୁମା ଦେଲା ।

 

ହାତୀଠାରେ ହିଁ ଶୁକମଳର ପ୍ରାଣ ଅଛି । ନିଜେ ଚାରିବେଳା ନଖାଇ ନପିଇ ଛଟପଟ ହେଇପାରେ; କିନ୍ତୁ ହାତୀବାପୁଡ଼ା ବେଳେ ଓପାସ ଭୋକରେ ରହିଲେ ଶୁକମଳର ପ୍ରାଣ ସହେନା । ହାତୀର ପିଠିରେ ଉଠି ଶୁକମଳ ଆତ୍ମଗର୍ବରେ ଫୁଲିଉଠେ । ଗାଁଲୋକଙ୍କଠାରୁ ସେ ଅଧିକ କ୍ଷମତାଶାଳୀ ବୋଲି ନିଜେ ନିଜେ ଭାବେ । ଇଚ୍ଛାକଲେ ହାତୀ ଉପରେ ଉଠି ସେ କଣ ନକରିପାରେ ? ଆଙ୍କୁଡ଼ି ନଥାଇ ମଧ୍ୟ ସେ ଗଛରୁ ଫଳ ତୋଳିପାରେ । ଦଶ ଜଣ ମରଦ ଟାଣି ଓଟାରି ବାହାର କରି ନପାରିବା ବାଉଁଶ ବୁଦାକୁ ଏକାଥରକେ ଟାଣି ଉପାଡ଼ିପାରେ । ଏତେ ଶକ୍ତି ତା’ର ! ଦିପହରିଆ ହାତୀକୁ ଗାଧୋଇ ନେଲାବେଳେ ସ୍କୁଲ ପିଲାଏ ତାଳିମାରି ଯେତେବେଳେ ଥଟ୍ଟା କରନ୍ତି

 

“ହାତୀରେ ଉଠି ଶୁକମଳ ଘରଆଡ଼େ ଯାଏ,

ପଛବାଲା ଅଫିମିଆ ଖୋଜି ନାହିଁ ପାଏ ।”

 

ସେତେବେଳେ ଶୁକମଳର ଫୁର୍ତ୍ତି ଦେଖେ କିଏ ? ପିଲାମାନଙ୍କୁ ଡରେଇବା ପାଇଁ ହାତୀକୁ ଦଉଡ଼େଇ ନେଇ ସେମାନଙ୍କ ମେଳରେ ପୁରେଇଦିଏ । ଭୟରେ ପଡ଼ି ଉଠି ପିଲାଏ ଦୌଡ଼ି ପଳାନ୍ତି-। କିଏ ତା’ ଭିତରୁ ଝୁଣ୍ଟି ରାସ୍ତାକଡ଼ ଗାଡ଼ିଆରେ ପଡ଼େ, ବହି ସିଲଟ ଛାଡ଼ି ଦଉଡ଼ି ପଳାଏ, କାହାର ସିଲଟ ଭାଙ୍ଗିବାରୁ ସେ ଭେଁ ଭେଁ କାନ୍ଦି ଶୁକମଳକୁ ଅକଥ୍ୟ ଭାଷାରେ ଗାଳିଦିଏ ।

 

ଦଳଘାସ-ପଡ଼ିଆରେ କିଛି ସମୟ ହାତୀକୁ ଚରେଇ, ଦଳଘାସରୁ ପୁଳାଏ ପିଠିରେ ବୋଝେଇ, ମୁଣ୍ଡ ଉପରକୁ ବେଳ ନଗଡ଼ୁଣୁ ଶୁକମଳ ଫେରିଲା । ଦଳଘାସ ବୋଝକ ହାତୀଶାଳରେ ଥୋଇ ହାତୀକୁ ଗାଧୋଇ ନେଲା । ଅନ୍ୟ ଦିନ ହାତୀ ଗାଧୁଆଟା ଛୋଟକାଟର ସ୍ନାନଯାତ୍ରା ଉତ୍ସବଟାଏ କହିଲେ ଚଳେ । ବେଳେ କାଳ ଘଷିମାଜି ପିଠିଟାକୁ ଚକ୍‌ ଚକ୍‌ ନକରିବା ଯାଏଁ ଶୁକମଳର ଆଗ୍ରହ ମରେନା । ଆଜି ତ ନିଜ ଦେହ ଝିମଝିମ ମାରିଯାଉଛି କୌଣସି ମତେ ଦୁଇଥର ଖଣ୍ଡେ ‘ତେରେ ବୈଠ’; ‘ତେରେ ବୈଠ’ ବୋଲି କହି ହାତୀକୁ ବୁଡ଼ା ଉଠା କରେଇ ଆଣି ଗଛରେ ବାନ୍ଧିଦେଲା ।

 

କୁଡ଼ିଆରେ ପହଞ୍ଚିବା ସଙ୍ଗେ ସଙ୍ଗେ ପେଟକାମୁଡ଼ା ଯୋଗୁଁ ଶୁକମଳ ଅସମ୍ଭାଳ ହୋଇପଡ଼ିଲା । ପେଟ କାମୁଡ଼ିଲେ ବାହାରକୁ ଯିବାକୁ ଉଠିଆସେ । ଭିତରକୁ ପଶୁନପଶୁଣୁ ପୁଣି ଯୋଉ କଥାକୁ ସେଇକଥା । ଥୋପାଏ ଥୋପାଏ ରକ୍ତ ପଡ଼ୁଛି । ଗୋଟେ କାମୁଡ଼ାରେ, ପେଟ ଭିତରର ଅନ୍ତ-ନାଡ଼ୀ ଛିଣ୍ଡିପଡ଼ିଲା ଭଳି ମନେହଉଛି । ମଳଦ୍ୱାରରେ କ’ଣ ଟାଏ ପଶିଛି ଯେମିତି ଲାଗୁଛି; ସେଇଟା ବାହାରିଲେ ଯାଇ ରକ୍ଷା । ସେଇଥିପାଇଁ ବାହାରକୁ ଶୌଚ କରିବାକୁ ଗଲେ ବହୁତ ସମୟ ଯାଏଁ ମଳଦ୍ୱାର ମେଲି ବସିରହେସଙ୍କୁଚିତ ହେଲା ମାତ୍ରେ କାମୁଡ଼ା ।

 

ମୋହନ ପଧାନଙ୍କ ବହୁଦିନର ମାହୁନ୍ତ ଶୁକମଳ । ହାତୀ ଶୁକମଳର ପିଠିର ଲାଉ ବୋଲି ପଧାନେ ବେଶ୍‌ ଜାଣନ୍ତି । ଶୁକମଳର ଯଦି ହଠାତ୍‌ କିଛି ହୋଇଯାଏ, ତେବେ ହାତୀଟିକୁ ପୋଷିବା କଷ୍ଟକର ହେବ । ତାକୁ ବୁଝେଇ ସୁଝେଇ ଖୁଆଇ ପାରିବେ ବୋଲି ପଧାନବୁଢ଼ା ନିଜେ ଅଫିମ ଟିକିଏ ନେଇ ଶୁକମଳ ପାଖରେ ପହଞ୍ଚିଲେ ।

 

“ଆରେ ବାବୁ, ଦେହ ଥିଲେ ସବୁ ଅଛିଶରୀରଂ ଆଦ୍ୟ ଖଳୁଧର୍ମ ସାଧନଂ”ଇତ୍ୟାଦି ଇତ୍ୟାଦି ଶରୀରତତ୍ତ୍ଵ, ଧର୍ମତତ୍ତ୍ଵ ବିଷୟରେ ପଧାନବୁଢ଼ା ନାନାଦୃଷ୍ଟାନ୍ତ ଦେଇ, ବୁଝାଇ, ଅଫିମ ଟିକକ ଖାଇ ଆରୋଗ୍ୟ ହେବାକୁ ଶୁକମଳକୁ ଉପଦେଶ ଦେଲେ । ଶୁକମଳର କିନ୍ତୁ ସେଇ ଗୋଟିଏ ଉତ୍ତର“ଜାଣିଚ ତ ଆମର କଛାରୀ-ମାହୁନ୍ତ କଥା । ଉଠ କହିଲେ ଉଠିବ, ବସ୍‌ କହିଲେ ବସିବ । ଥରେ କହିଛି ମୁଖରେ ଲଗେଇବି ନାହିଁମରେ ଅବା ଜୀଏଁ । ଅଫିମ ଛଡ଼ା ଆଉ ଯଦି କିଛି ଦବାଇ ଅଛି ଦେଇ ପଠାଇବ । ଅଫିମ ଖାଇବାକୁ ଆଉ କୁହନା ।”

 

ମୁର୍ଖ କଛାରୀକୁ କୌଣସି ମତେ ବୁଝେଇ ନପାରି ପଧାନବୁଢ଼ା ରାଗରେ ଉଠିଲେ ।

 

ସକାଳୁ ଉଠୁ ଉଠୁ ଅଧୁଆ ମୁହଁରେ ପଧାନବୁଢ଼ା ଶୁକମଳର ଖବର ନବାକୁ ଆସିଲେ । ହାତୀଟି ବନ୍ଧନ ମୁକୁଳା ହୋଇ ଶୁକମଳର କୁଡ଼ିଆ ମୁହଁରେ ଠିଆହୋଇଛି । ପଧାନବୁଢ଼ାଙ୍କୁ ଦେଖି ବାଟ ଛାଡ଼ି ଆଡ଼େଇ ଗଲା । କଳା କୁକୁରଟାଏ ବଙ୍କା ଲାଞ୍ଜକୁ ଦୁଇଗୋଡ଼ ମଝିରେ ଭର୍ତ୍ତିକରି କୁଁ କାଁ କରି ପାଖକୁ ଆସିଲା । ଦୁଆର ବନ୍ଦ । ମାହୁନ୍ତର ସ୍ଵରଶବ୍ଦ ନାହିଁ । ସକାଳୁ ସକାଳୁ କଣ ଶୁକମଳ ଗାଁଆଡ଼େ ଗଲା କି ? ଦୁଆରଟାକୁ ତେବେ କିଏ ଭିତରୁ କିଳିଣି ଦେଇଛି ? ମଣିଷ ଅଛି ବୋଲି ଜାଣି ବି କଣ ଶିଆଳ ଆସି ମାଟି ରାମ୍ପୁଡ଼ିଛି ? ଧୀରେ ଦୁଆର ଠେଲି ପଧାନବୁଢ଼ା ଭିତରକୁ ଉଙ୍କି ମାରିଲେ । ଦୁଆରର କେଁକଟର ଶବ୍ଦରେ ମୂଷା କେଇଟା ସୁଡ଼ସାଡ଼ କିନା କାନ୍ଥରେ ଟଙ୍ଗା ଠେକିରେ ପଶିଗଲେ । ଶୁକମଳର ଅଧା ଲଙ୍ଗଳା ଦେହଟା ମାଟିରେ ମୁହଁମାଡ଼ି ପଡ଼ିଛି । ଫେଣ ଓ ଲାଳ ପାଟିରୁ ଗଳି ପଡ଼ିଛି । ଓଦାଳିଆ ଚାଳ ଉପରେ ଥୁଆ ପଚା ମାଛ ପାଛିଆରେ ମାଛି ଭଣ ଭଣ ହଉଛନ୍ତି । ଅଧାପୋଡ଼ା ସଳିତାରୁ ତେଲ ଶୋଷିଲା ପରି ଦଳବାନ୍ଧ ପିମ୍ପୁଡ଼ିମାନେ ଆଖି ନାକରେ ପଶି ଖୋଳି ଲାଗଛନ୍ତି । ଦୁଇଟା ପରଲଗା-ପିମ୍ପୁଡ଼ି ଲମ୍ବା ଶୁଣ୍ଢରେ ଆଇଁସିଣିଆ ଗନ୍ଧ ଶୁଙ୍ଘି ଶୁଙ୍ଘି ଚଟାଣରେ ଡିଆଡେଇଁ କରୁଛନ୍ତି । ଭକ୍‌କିନା ଉତ୍କଟ ଦୁର୍ଗନ୍ଧ ପବନ ଦମକାଏ ବୁଢ଼ାଙ୍କ ନାକରେ ଆସି ବାଜିଲା । ଆପେ ଆପେ ଜିଭ ଅଗକୁ ବାହାରି ଆସୁଥିବା ଛେପକୁ ତଳେ ପକେଇ ଦୁଆର ବନ୍ଦକରି ବୁଢ଼ା ଫେରିଲେ । ହାତୀଟି ନିଃଶବ୍ଦରେ ମୁଣ୍ଡ ଉଠେଇ ଚାହିଁଲା । କି ଯେ ହୃଦୟ ବିଦାରକ କାତର ଦୃଷ୍ଟି ! ଲମ୍ବ ଦୁଇଧାର ଲୁହର ମାଧ୍ୟମରେ ଅବୋଧ ପଶୁର ମର୍ମନ୍ତୁଦ ବେଦନା ମୂର୍ତ୍ତିମାନ ହୋଇଉଠିଲା ।

 

ପାଞ୍ଚ

 

ଏତେ ଦିନ ଧରି ଯୋଉଥି ପାଇଁ ଧରଣୀ ଆରାଧନା କରୁଥିଲା, ସେଇ ଦେଶ-ସେବାର ଉପଯୁକ୍ତ ସମୟ ଆସି ଉପସ୍ଥିତ ହେଲ । ଦେଖୁ ଦେଖୁ ଗାଁର ନେତା ହୋଇପଡ଼ିଲା ଧରଣୀ । ତାରି ନିର୍ଦ୍ଦେଶରେ ରହା ଅଞ୍ଚଳରେ ଚାଲିଲା ଆନ୍ଦୋଳନ । ବୁଦ୍ଧି ପରାମର୍ଶ ଲୋଡ଼ିବାକୁ ଏବଂ କାର୍ଯ୍ୟର ଭାର ମୁଣ୍ଡେଇବାକୁ ଆସୁଥିବା ଯୁବକ ଯୁବତୀ, ସ୍ୱେଚ୍ଛାସେବକ ଧରଣୀର ଛୋଟିଆ ଘରଟିରେ ଦଳ ଦଳ ହେଲେ । କେତେ ଦିନ ପାଇଁ ଧରଣୀର ଘର ତୀର୍ଥକ୍ଷେତ୍ରରେ ପରିଣତ ହେଲା ।

 

ଦେଶ-ସେବାକୁ ଗଭର୍ଣ୍ଣମେଣ୍ଟ ଅପରାଧ ବୋଲି ମଣନ୍ତି । ଧରଣୀ ଗ୍ରାମ ଉନ୍ନୟନ କାର୍ଯ୍ୟରେ ଲାଗିବା କଥାଟା ପୋଲିସ ପୂର୍ବରୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ । ଲୁଚି ଲୁଚି ଚୋରଙ୍କ ଭଳି ଘୂରି ବୁଲୁଥୁବା ଧରଣୀ ଯେ ଗଭର୍ଣ୍ଣମେଣ୍ଟ ବିଦ୍ରୋହୀ, ଏଇ ଆନ୍ଦୋଳନରେ ରହା ଅଞ୍ଚଳର ନେତା, ଏଇ କଥା ଜାଣିବାକୁ ବେଶି ସମୟ ଲାଗିଲା ନାହିଁ । କିନ୍ତୁ ଧରଣୀକୁ ଖୋଜି ବାହାର କରିବା କଷ୍ଟକର ହୋଇପଡ଼ିଲା ପୋଲିସବାଲାଙ୍କ ପକ୍ଷରେ । ସହକର୍ମୀମାନଙ୍କ ପରାମର୍ଶରେ, ନିଜର ଇଚ୍ଛା ବିରୁଦ୍ଧରେ ପୋଲିସକୁ ପିଠିକରି ଧରଣୀ ଘୂରି ବୁଲିଲା । କେଉଁ ଗାଁରେ କେତେବେଳେ ଯାଇ ସଭାସମିତି କରି ବକ୍ତୃତା ଦିଏ ପୋଲିସ ଜାଣିପାରେନା । ଧରଣୀକୁ ଖୋଜି ନପାଇ, ଯେଉଁମାନଙ୍କ ସହିତ ଧରଣୀର ଚଳପ୍ରଚଳ ସମ୍ବନ୍ଧ ଥିଲା ସେଇମାନଙ୍କୁ ତଲାସି, ସେମାନଙ୍କ ଉପରେ ରୀତିମତ ଜୁଲମ୍‌ ଆରମ୍ଭ କଲେ ପୋଲିସ ପକ୍ଷ ।

 

କୁଣ୍ଡିଆ ବ୍ୟାଧି ପରି ଦିନକୁ ଦିନ ଆନ୍ଦୋଳନ ବ୍ୟାପିବାକୁ ଲାଗିଲା । ପୋଲିସ ତାକୁ ବନ୍ଦ କରିପାରିଲା ନାହିଁ । ପୋଲିସର ଉପସ୍ଥିତ ଯୋଗୁଁ ଗୋଟିଏ ଗାଁରେ ଟିକିଏ ଶାନ୍ତ ପଡ଼ିଲେ; ଅନ୍ୟ ଗାଁରେ ଦୁଇଗୁଣ ଜଳିଉଠେ । ରହା ସର୍କଲର ଦାରେଗାବାବୁଙ୍କ ମୁହଁରୁ ପାଣି ଖସିଗଲାଣି । ମାନ ସମ୍ମାନ ତ ଗଲା ବୋଲି ଜାଣ, ଏବେ ଚାକିରି ଖଣ୍ଡିକ କୋଉ ମୁହୂର୍ତ୍ତରେ ଯେ ପଳେଇବ ସେଇ ଅପେକ୍ଷାରେ ଅଛନ୍ତି ଦାରୋଗାବାବୁ । ରହା ଅଞ୍ଚଳର ପ୍ରଧାନ ନେତାକୁ ଧରିନପାରି, ତା’ର ସ୍ତ୍ରୀକୁ ଥାନାକୁ ଡକାଇ ପଠାଇଲେ ଦିନେ । ଦୁଇଜଣ ହିନ୍ଦୁସ୍ଥାନୀ ନାଲିଆ ଟୋପି ପିନ୍ଧି ତତ୍‌କ୍ଷଣାତ୍‌ ଯାଇ ଧରଣୀ ଘରେ ପହଞ୍ଚି ଟଗରକୁ ସେମାନଙ୍କ ସାଥିରେ ଥାନାକୁ ଆସିବାକୁ ନିର୍ଦ୍ଦେଶ ଦେଲେ ।

 

ଆନ୍ଦୋଳନ ଆରମ୍ଭରୁ ଦିନରାତି ଚାରିପହର ଘର ଖାନତଲାସ୍‌ କରି ଗାଁରେ ଯେଉଁ ଉପଦ୍ରବ ଚାଲିଛି ସେଥିରୁ ପୋଲିସ ପ୍ରତି ଟଗରର ଭୟ ଅନେକଟା ଭାଙ୍ଗିଛି । କିନ୍ତୁ ଚୋର ନହୋଇ, ଡକାଏତ ନହୋଇ, ଏପରି ଜଣେ ଭଦ୍ରଲୋକ ଘରର ବୋହୂ, ଥାନାକୁ ଯିବା ଲାଜ ଅପମାନର କଥା । କ’ଣ କରିବ ନକରିବ ଚିନ୍ତା କରିନପାରି ବାହାରିବାକୁ ବିଳମ୍ବ କଲା ଟଗର । କିନ୍ତୁ ହାତ ଧରି ଝିଙ୍କି ଟାଣି ନିଅନ୍ତି ବୋଲି, ହିନ୍ଦୁସ୍ଥାନୀ ସିପାହିଙ୍କୁ ହୁଙ୍କାରରେ ଡରିଯାଇ ସେ ବାହାରକୁ ଆସିଲା । ମୁଣ୍ଡରେ ଲମ୍ବା ଓଢ଼ଣା ଟାଣି, କମଳିର ହାତ ଧରି ପୋଲିସଙ୍କ ଆଗେ ଆଗେ ଥାନା ଆଡ଼କୁ ଗୋଡ଼ ବଢ଼ାଇଲା । ଅତ୍ୟାଚାର ତଥା ପୀଡ଼ନ ଭିତରକୁ ନିଜ ସ୍ତ୍ରୀକୁ ଠେଲିଦେଇ ଦେଶର ସ୍ଵାଧୀନତା ଅର୍ଜନ ପାଇଁ ଯାଇଥିବାରୁ, ଧରଣୀ ଉପରେ ରାଗ ଏବଂ କ୍ଷୋଭରେ ଟଗର ଆଖିର ଲୁହ ପୋଛିପୋଛି ଚାଲିଲା । ପୋଲିସ ହାତର ଲାଞ୍ଛନା ମୃତ୍ୟୁଠାରୁ ବି ନିଷ୍ଠୁର, ଏୟା କଳ୍ପନା କରି ଟଗର ମନେ ମନେ କୀର୍ତ୍ତନ-ଘୋଷାର ପଦ ପୁନରାବୃତ୍ତି କରୁଥିଲା

 

ପ୍ରଚଣ୍ଡ ଆଦେଶ ଶୁନିୟା ଅଶେଷ

ରାକ୍ଷସ ଉଠିଲ ରାଗି ।

ହାତେ ଶୂଳ ଧରି ଖେଁ-ଖଟ କରିୟା

ଧାଇଲ ପ୍ରହ୍ଲାଦକ୍‌ ଲାଗି ।

କାଟ୍‌ ମାର୍‌, ବୁଲି ବେଡ଼ିୟା ସନ୍ଧାନେ

ଦିଲେକ୍‌ ଶୂଳର ଜାକ୍‌

ବିଷ୍ଣକ୍‌ ସୁମରି ପ୍ରହ୍ଲାଦ କୁମାରେ

କଟାକ୍ଷେ ନକରେ ତାକ୍ ॥

ଭୋଟା ହୁୟା ଶୂଳ୍‍......... ।’’

 

ଥାନା ଘରର ମଝିକୋଠରିରେ ବସି, ଧରଣୀର ସ୍ତ୍ରୀକୁ ଆଣିବା ପାଇଁ ସିପାହିଙ୍କୁ ପଠେଇବାଟା ବିବେକୀର କାର୍ଯ୍ୟ କି ନୁହେଁ; ଦାରୋଗାବାବୁ ସେଇକଥା ମନରେ ହେଜୁଥିଲେ । ମୁଣ୍ଡ ଟେକି ଗେଟ୍‌ ଆଡ଼କୁ ଚାହିଁ ଦେଖିଲେ ଯେ ସିପାହି ଦୁଇଟାଙ୍କ ଆଗେ ଆଗେ ସ୍ତ୍ରୀଲୋକଟିଏ ଆସୁଛି । ତା ସାଙ୍ଗରେ ପୁଣି ଝିଅଟାକୁ ଏମାନେ ଆଣିଲେ କାହିଁକି ? ଏକୁଟିଆ ସ୍ତ୍ରୀଲୋକଟି ଆସିଥିଲେ ଦୁଇଚାରିପଦ ଅଶ୍ଳୀଳ କଥା କହି ଚିଡାଯାଇ ପାରିଥାନ୍ତା । ଥାନା ଘରର ପାହାଚ ପାଖରେ ପହଞ୍ଚି ଦୀର୍ଘ ଓଢ଼ଣୀକୁ ଆହୁରି ଦୀର୍ଘତର କରି ରାଜପଥ ଆଡ଼କୁ ମୁହଁକରି ଟଗର ଅଟକି ଠିଆହେଲା । ଆବରଣ ଭିତରୁ ଟଗରର ଅଙ୍ଗ ଲାବଣ୍ୟ ପ୍ରତି କ୍ଷୁଧାତୁର ଚାହାଣୀରେ ଚାହିଁ, ପରିତୃପ୍ତିର ହସ ହସି, ଟଗରକୁ ଭିତରକୁ ଆସିବାକୁ ହାତରେ ସଙ୍କେତ ଦେଇ, ଦାରୋଗାବାବୁ କହିଲେ“ଆସ, ଆସ, ଉପରକୁ ଉଠିଆସ । ସେଠୁ ପୁଣି କନ୍ୟା-ଆଦର କରି କେହି ପାଛୋଟି ଆଣିବା ଦରକାର ନା କ’ଣ ?” ସଙ୍ଗେ ସଙ୍ଗେ ସିପାହି ଦୁଇଟାଙ୍କୁ, ଇଏ ଧରଣୀର ‘ଔରତ’ କି ନୁହେଁ ପଚାରିନେଇ ଆଗ୍ରହରେ ଚଉକିରୁ ଉଠିଆସି ଏକବାରେ ପାହାଚ ପାଖରେ ପହଞ୍ଚିଲେ ।

 

“ଦେଖି ଦେଖି, ଓଢ଼ଣା ଟେକିଲୁ, ମୁହଁକୁ ଟିକିଏ ଦେଖେଁ ।”

 

ଦାରେଗାବାବୁଙ୍କ ଭୋକିଲା ଆଖିର ଚାହାଣୀ ନିମିଷକ ଭିତରେ ଟଗରର ଗୋଡ଼ରୁ ମୁଣ୍ଡଯାଏଁ ଗିଳି ପକେଇଲା । ଗାଁରେ ପୋଲିସକୁ ଯମ ଭଳି ଭୟ କରନ୍ତି । ଦାରେଗାଙ୍କ ପ୍ରଥମ ସମ୍ଭାଷଣ ହିଁ ଟଗରର ବୁକୁରେ କମ୍ପନ ସୃଷ୍ଟି କଲା । ଅପମାନର ଆତଙ୍କରେ ଦ୍ଵିତୀୟ କଥାପଦକ ଶୁଣୁ ଶୁଣୁ ଦେହର ଅଧା ଚେତନା ହଜିଗଲା । ଥରି ଥରି, କମ୍ପି ଉଠି ଝିଅର ହାତ ଧରି ଦୁଇ ଆଣ୍ଠୁ ମଝିରେ ମୁଣ୍ଡ ମାଡ଼ି ତଳେ ଲଥ୍‌କିନା ବସିପଡ଼ିଲା ।

 

ଗଭର୍ଣ୍ଣମେଣ୍ଟ ବିରୋଧୀ ଜଣେ ଲୋକର ସ୍ତ୍ରୀ, ମାନ-ମର୍ଯ୍ୟାଦା ତଥା ଲାଜ-ସରମର ଏତେ ଦିମାକ୍‌ ଦେଖେଇବା ଦେଖି ଦାରୋଗାବାବୁ ଅସହଣୀ ହେଲେ । ବାରଣ୍ଡାରେ ଠିଆହୋଇଥିବା କନେଷ୍ଟବଳମାନଙ୍କ ଆଡ଼କୁ ଚାହିଁ ବ୍ୟଙ୍ଗକରି କହିଲେ–“ରଘୁସିଂହ, ତାକୁ ଧର... ଧର... ଲାଜକୁଳୀ ଲତା, ଲାଜ ଅପମାନରେ କେଜାଣି ମରିଯିବ ନା କଣ ।”

 

କଥାବାର୍ତ୍ତା ନକରି ହଠାତ୍‌ ମା’କୁ ବସିପଡ଼ିବା ଦେଖି କମଳି ଡରିଯାଇ ସକେଇ ସକେଇ କାନ୍ଦିବାକୁ ଲାଗଲା ମା’ କୋଳରେ ମୁଣ୍ଡ ରଖି । ତାକୁ ଦେଖି ଦାରୋଗାବାବୁଙ୍କ ରାଗ ଚଢ଼ିଗଲା ।

 

ଝିଅ ଖଣ୍ଡକୁ ଆଣୁଥିଲ କାହିଁକି, ବୁଡ଼୍‌ ବକ୍‌ ଗୁଡ଼ାକ । ’

 

ଟିକିଏ ରହି, ହାପ୍‍ପ୍ୟାଣ୍ଟର ପକେଟ୍‌ରେ ହାତ ଭର୍ତ୍ତିକରି ମୁଣ୍ଡକୁ ପଛକୁ ବୁଲେଇ, ପେଟକୁ ଆଗକୁ ଫୁଲେଇ, ଟଗର ଆଡ଼େ ଚାହିଁ ପାଚାରିଲେ“ହେଇଗଲା, ହେଇଗଲା, ଆଉ ଦେଖେଇବା ଦରକାର ନାହିଁ । ଏଥର ମୁଣ୍ଡ ଟେକ । ସ୍ଵାମୀକୁ କୋଉ ସ୍ତ୍ରୀର ମେଖେଳା ତଳେ ଛପେଇ ରଖିଛୁ କହଦେହରେ ନାହିଁ ଚମଡ଼ା-ଛାଲ, ମଦ ଖାଏ ତିନିବୋତଲଦୁଇବେଳା ଦୁଇମୁଠା ଖାଇବାକୁ ମିଳୁନି; ସେଥିରେ କଣ ନା ରାଜ-ବିଦ୍ରୋହ ! ଦେଖ, ଯଦି ଯୁଦ୍ଧ କରିବାକୁ ବାହାରିଚି, ଏଇମିତି ଚୋରଙ୍କ ପରି ଲୁଚି ଲୁଚି ବୁଲୁଚି କାହିଁକି ? ବାହାରି ଆସୁନିବୁଟ୍‌ ଜୋତାରେ ପାହାର କେଇଟା ଲଦି ଦିଅନ୍ତି ।” ବାଁପାଦଟା ଉଠାଇ ବୁଟ୍‌ ଜୋତାର ରିପିଟ୍‌ ଠିକ୍‌ ଅଛି ନା ନାହିଁ ପରୀକ୍ଷା କଲେ ।

 

ଟଗର ସାଙ୍ଗରେ ଏପରି ଥଟ୍ଟା ପରିହାସ କରୁ କରୁ ଜନସମାଗମର ହୋ ହା ଶବ୍ଦ ଦାରୋଗାଙ୍କ କାନରେ ପଡ଼ିଲା । ଦାରୋଗାବାବୁ, ସିପାହିମାନେ, ସମସ୍ତେ ଶବ୍ଦର ଦିଗରେ କାନ ଡେରି ଉତ୍କଣ୍ଠିତ ହୋଇରହିଲେ । ଚାହୁଁ ଚାହୁଁ ବନ୍ଦେମାତରଂ”, “ବନ୍ଦେମାତରଂ” ଚିତ୍କାରରେ ଭରା ଶୋଭଯାତ୍ରାଟାଏ ଥାନା ଆଡ଼କୁ ଆସୁଥିବା ଦେଖାଗଲା । ଚତୁର ଦାରୋଗାବାବୁ ତରବର ହୋଇ କୋଠରି ଭିତରେ ପଶି ଶୀଘ୍ର ଅଫିସ ଘରର ଝରକା କବାଟ ବନ୍ଦ କରିବାକୁ ଚୌକିଦାରକୁ ହୁକୁମ୍‌ ଦେଲେ । ଇତି ମଧ୍ୟରେ ଅଛିଣ୍ଡା ଧାଡ଼ିର ଶୋଭାଯାତ୍ରା ଆସି ଥାନା ସମ୍ମୁଖରେ ସ୍ଥିର ହୋଇ ‘ବନ୍ଦେମାତରଂ’ ଧ୍ଵନିରେ ହୁଲ୍‍ସ୍ଥୁଲ କଲା । କୋଠରି ଭିତରେ ପଶି କିଛି ପରିମାଣରେ ନିଜର ନିରାପତ୍ତା ବିଷୟରେ ଆଶ୍ଵସ୍ତ ହୋଇ, ବୁଧୁ ସିଂହକୁ ଧମକଦେଇ କହିଲେ ଦାରୋଗା“ଇଧର୍‌ ଖାଡ଼ା ହୋକର୍‌ କ୍ୟା ତାମାସା ଦେଖା ? ଯାଓ ଉସ୍‌ ଲୋକକୁ ପୁଛ, କେହି ଥାନା ଅଫିସ୍‌କା ସାମ୍‌ନେ ହାଲ୍ଲା ନକର୍‌ ନା । ପ୍ରସେସନ୍‌ ମନାହୈ; ଉସ୍‌ ଲୋକକୁ ଯାନେବୋଲୋ ।”

 

ଭଙ୍ଗା ଭଙ୍ଗା କେଇପଦ ହିନ୍ଦିରେ ମଗଜଧରା କଥା କହି, ସାହସରେ ବୁକୁଫୁଲେଇ, ସିପାହି କେଇଟାଙ୍କୁ ଦେଖେଇ, ଟେବୁଲରେ ପଡ଼ିଥିବା ଫାଇଲ୍‌ ମେଲେଇ ଧରିଲେ ଦାରୋଗା ବାବୁ-। ରଘୁ ସିଂହର ଆସ୍ତେ ଆସ୍ତେ ଜନତା ଆଡ଼କୁ ଆଗେଇଲା । ଫାଇଲ୍‌ରେ ମନୋନିବେଶ କରିବାର ଛଳନା କରି, ଦାରୋଗାବାବୁର ଦୁଆର ଫାଙ୍କ ଦେଇ ରଘୁସିଂହର କାର୍ଯ୍ୟକଳାପକୁ ନିଘା କଲେ-

 

ଦୁଇଜଣ ହିନ୍ଦୁସ୍ଥାନୀ ସିପାହିଙ୍କ ସହିତ ଧରଣୀର ସ୍ତ୍ରୀକୁ ଥାନା ଆଡ଼କୁ ଯାଉଥିବା ଦେଖି ଘଟଣାଟି ବୁଝିବାକୁ ଗାଁବାଲାଙ୍କୁ ବେଶି ବେଳ ଲାଗିଲା ନାହିଁ । କଥା କହିଲେ ପବନ । ତହିଁକି ପୁଣି ଆନ୍ଦୋଳନ ସମୟରେ ସମସ୍ତେ ଜାଗ୍ରତ । ବଣନିଆଁ ଭଳି ଚକ୍ଷୁର ପଲକରେ ଖବରଟା ଗାଁର ଏମୁଣ୍ଡରୁ ସେମୁଣ୍ଡ ଯାଏଁ ବ୍ୟାପିଗଲା । ପାଖ ଗାଁରେ ଖବର ଦବାକୁ ଜଣେ ଦୁଇଜଣ ଭଲେଣ୍ଟିୟର ଏକା ନିଶ୍ଵାସରେ ଦୌଡ଼ିଲେ । ବଂଶୀର ସ୍ଵର ଶୁଣି କୃଷ୍ଣଙ୍କୁ ଦେଖିବାକୁ ଗୋପିନୀଗଣ ଯିଏ ଯେଉଁ ଅବସ୍ଥାରେ ଥିଲେ ଚାଲି ଆସିବା ପରି ଧରଣୀର ସ୍ତ୍ରୀକୁ ପୋଲିସ ହାତରୁ ରକ୍ଷା କରିବା ପାଇଁ ଗାଁର ଟୋକା-ଟୋକୀ, ଯୁବକ-ଯୁବତୀ,ବୁଢ଼ା-ବୁଢ଼ୀ ସମସ୍ତେ ନିଜ ନଜର କାମକାର୍ଯ୍ୟ ଛାଡ଼ି ରାସ୍ତାକୁ ଓହ୍ଲେଇଲେ । ଆପେ ଆପେ ଗଢ଼ି ଉଠିଲା ଏକ ଶୋଭାଯାତ୍ରା ।

 

ଉତ୍ତେଜିତ ଜନତାର ସମାଗମରେ ଥାନା ସମ୍ମୁଖ ହୁଲ୍‍ସ୍ଥୁଲ୍‍, ଉଠପଡ଼ ହଉଛି । ସଂଗ୍ରାମ ଭୂମିର ଉତ୍ତେଜିତ ଅଶ୍ଵ ସଦୃଶ ଉନ୍ମତ୍ତ ଜନତା ଆଗକୁ ଆଗେଇବାକୁ ବ୍ୟାକୁଳ-ଭାବରେ ଠେଲାଠେଲି, ପେଲାପେଲି ଲଗେଇଛନ୍ତି । ଗଗନଭେଦି ଜନତାର ଚିତ୍କାର-ବତାସରେ ଅଫିସ ଘର ଉପରେ ଉଡ଼ୁଥିବା ବ୍ରିଟିଶ୍‌ ପତାକା ଫଡ଼ ଫଡ଼ ହେଉଛି । ଦାନ୍ତମୁଣ୍ଡ କାମୁଡ଼ି ନାନାଦିଗରୁ ବିଭିନ୍ନ ଲୋକଚିତ୍କାର କରି କହୁଛନ୍ତି

 

“ରହିଲ କାହିଁକି, ଚାଲହୋ, ପଶିଚାଲ । ଦାରୋଗା ଶଳାକୁ ଟାଣିଆଣ । ଗାଁର ବୋହୂଜଣକୁ ସିପାହି ଲଗେଇ ଧରି ଆଣିବାକୁ ଶଳାର ପୁଣି ଏଡ଼େ ବହପ ନା !”

 

ଏହି ନିର୍ଦ୍ଦେଶର ସଙ୍ଗେ ସଙ୍ଗେ ଦଳଭାଙ୍ଗି କେଇଜଣ ଥାନାର କମ୍ପାଉଣ୍ଡ ଭିତରକୁ ଆଗେଇଲେ । ଭଲେଣ୍ଟିୟରଗଣ କଥାର ଗୁରୁତ୍ଵ ବୁଝି ଆଗେଇବାକୁ ବାଧାଦେଇ ଯୋଡ଼ହସ୍ତରେ କହିବାକୁ ଲାଗିଲେ“ଭାଇମାନେ ! ଆପଣମାନେ ମହାତ୍ମାଙ୍କର ଅହିଂସାନୀତିକୁ ଭୁଲିଯାଅନ୍ତୁ ନାହିଁ-। ଜୋର୍‌-ଜୁଲୁମ୍‌, ଠେଙ୍ଗା ଲାଠି ଅସହଯୋଗ ଆନ୍ଦୋଳନରେ ନାହିଁ । ମନେରଖନ୍ତୁ, ଆମେ ଦାରୋଗାକୁ ଶାସ୍ତିବିଧାନ କରିବାକୁ ଆସି ନାହୁଁଆମେ ଆସିଛେ ଆମର ସହକର୍ମୀ ଜଣଙ୍କର ସ୍ତ୍ରୀକୁ ଉଦ୍ଧାର କରିବାକୁ । ସେଇ ସିପାହି ଜଣକ ହାତରେ ଦାରୋଗାଙ୍କ ନିକଟରୁ କୈଫିୟତ ମଗାଯାଇଛି । ଉତ୍ତର ନ ପାଇବା ଯାଏଁ ଆପଣମାନେ ଧାଡ଼ିରୁ ଆଗକୁ ନଆସି ଅପେକ୍ଷା କରନ୍ତୁ-।”

 

ରଘୁ ସିଂହ ସିପାହି ହାତରେ ଦାରୋଗାଙ୍କ ପାଖକୁ ସମ୍ବାଦ ପଠାଇ, ଭଲେଣ୍ଟିୟରଗଣ ଉତ୍ୟକ୍ତ ଜନତାକୁ ଥାନା କମ୍ପାଉଣ୍ଡରେ ପଶିବାକୁ ନଦେଇ ଅଟକେଇ ରଖିଛନ୍ତି । କିନ୍ତୁ ସମୟ ଯେତେ ଅତିକ୍ରାନ୍ତ ହୋଇଯାଉଛି, ଜନତା ସେତେ ଉତ୍ତେଜିତ ହୋଇଉଠୁଛି । ରହି ରହି ଅସହ୍ୟବୋଧ ହେବାରୁ କେଇଜଣ ହବ ଅଧା-ବୟସିଆ ଗ୍ରାମବାସୀ ଧାଡ଼ି ଭାଙ୍ଗି ବାହାରି ଆସିଲେ-। ସେମାନଙ୍କ ଭିତରୁ ଭେଦୋ ଥରେ ଭଲେଣ୍ଟିୟର ଦଳ ଆଡ଼କୁ ଆଉ ଥରେ ଧାଡ଼ିବନ୍ଧା ଜନତାଙ୍କ ଆଡ଼କୁ ଚାହିଁ ତାର ବକ୍ତୃତା ଆରମ୍ଭ କରିଦେଲା“ରଖ ଓ ରଖ ହେ ତମର ବିଲୁଆ-ଚତୁର ‘ବନ୍ଦେମାତରଂ’ ଗାଇବା ଭଲେଣ୍ଟିୟରଙ୍କ କଥା ! ଆମେ ସରାଜ-ଫରାଜ କିଛି ଜାଣୁନା-। ବାୟନଘର ବୋହୂକୁ ଦିନ ଦିପହରେ ଏଇ ଛେପ-ଚଟା-ସିପାହିଦଳ ଧରି ଆଣିଚନ୍ତିତମେ ସବୁ ରାସ୍ତାରେ ଆସି ଜୟ ଜୟ ରଡ଼ି ଛାଡ଼ୁଚ ! ସ୍ତ୍ରୀ-ଲୋକଟିକୁ ଉଦ୍ଧାର କରି ନପାରିଲେ କେଉଁ ମୁହଁରେ ଧରଣୀ ଆଗରେ ମୁହଁ ଦେଖେଇବ ? ଜୟଧ୍ଵନି କରିବା ଲୋକ ତାଙ୍କର ଜୟଧ୍ଵନି କରୁଥାନ୍ତୁ, ଆସ ଆମର ଆମେ ଦାରୋଗାକୁ ମାରି ବୋହୂକୁ ମୁକୁଳାଇ ଆଣିବା । କୁକୁର ଜୀବନ ଆମର, ଆମର ପୁଣି ବନ୍ଧୁକ-ଗୁଳି ଖାଇ ମରିବାକୁ ଏତେ ଭୟ କଣ ?”

 

ଧରଣୀ ସେଦିନ ପାଖ ଗାଁରେ ଥିଲା । ମନୋହର ଦୌଡ଼ାଦୌଡ଼ି କରି ଯାଇ ଟଗରକୁ ପୋଲିସ ଥାନାକୁ ନିଆ ହୋଇଥିବା ଖବର ଦେଲା । ପୋଲିସର ଅତ୍ୟାଚାର ଯେ ବର୍ବର ସ୍ତର ଯାଏଁ ଯାଇପାରେ, ଧରଣୀ ତାହା କଳ୍ପନା କରି ନ ଥିଲା । ଯେଉଁ ଟଗର ଜ୍ଞାତି-କୁଟୁମ୍ବଙ୍କ ଆଗରେ ବାହାରିବାକୁ ହେଲେ ଲାଜ-ସଙ୍କୋଚରେ କେଁଚୁଆଟାଏ ହୋଇଯାଏ, ତାକୁ ପୁଣି ଦାଣ୍ଡ ଲୋକଙ୍କ ଆଗରେ ଅର୍ଦ୍ଧନଗ୍ନ ଅବସ୍ଥାରେ ଘୋଷାଡ଼ି ନିଆ ହେଲା ? ଏତେଦୂର ଅପମାନ ବିଚାରି ସହ୍ୟ କରିପାରିଲା କିପରି ? ନିଶ୍ଚୟ ଆତ୍ମହତ୍ୟାର ସମୟକୁ ଅନେଇ ରହିଛି । ଗାଁ ଲୋକେ ସବୁ ଗଲେ କୁଆଡ଼େ ? ଭଲେଣ୍ଟିୟର ସବୁ ମରିଗଲେ କି ? ଗାଁର ଝିଅ-ବୋହୂଙ୍କ ସମ୍ମାନ ରଖିବାକୁ ଅଯୋଗ୍ୟ ଏଇ ଲୋକଗୁଡ଼ାଙ୍କୁ ନେଇ ସ୍ଵରାଜ ଲାଭ କରାଯାଇ ପାରିବ କିପରି ? ଆତ୍ମସମ୍ମାନବୋଧ ନ ଥାଇ, ଦୁର୍ବଳ ଏଇ ପ୍ରଜା-ଗୁଡ଼ାଙ୍କୁ ମୁକ୍ତି ଦେଲେ ବି କଣ ହବ ? ଧରଣୀ ଯେତେ ଭାବିଲା, ସେତେ ଗ୍ରାମବାସୀଙ୍କ ପ୍ରତି, ନିଜ ପ୍ରତି ଘୃଣା ଓ କ୍ଷୋଭ ବଢ଼ିବାକୁ ଲାଗିଲା । ମୁହୂର୍ତ୍ତକ ଭିତରେ ସ୍ଵାଧୀନତା ଆନ୍ଦୋଳନର ନେତୃତ୍ଵ କଥା ଭୁଲିଯାଇ, ବିରାଟ ଜନଗଣର ମୁକ୍ତିବିଧାନ ଚିନ୍ତାକୁ ପରିତ୍ୟାଗ କରି, ଟଗରକୁ ଅପମାନର ହାତମୁଠାରୁ ରକ୍ଷା କରିବା ପାଇଁ ସେ ଚଲାବାଟ ଦେଇ ପଡ଼ି ଉଠି ଦୌଡ଼ିଆସିଲା ।

 

ଥାନା ପାଖରେ ଉତ୍ତେଜିତ ଜନତାର କେଳାହଳ ଶୁଣି ଧରଣୀ ସ୍ତବ୍‌ଧ ହେଲା । ଆଖପାଖ ଗାଁର ବୁଢ଼ା, ଅଧାବୟସିଆ ପ୍ରାୟ ମୁଖିଆ ଲୋକେ ଜମା ହେଇଚନ୍ତି । ବର୍ଷର ଅଧିକାଂଶ ସମୟ ବାତ-ପିତ୍ତରେ ବିଛଣା-ପଡ଼ା କନ୍ଦର୍ପ କବିରାଜ ବି ଆଶାବାଡ଼ି ଉପରେ ଭରାଦେଇ ଥରି ଥରି ବାହାରି ଆସିଛନ୍ତି । ଆଶାବାଡ଼ି ଠକ୍‌ଠକ୍‌ କରି, ମୁଣ୍ଡ ହଲେଇ ସେ ବୁଢ଼ା କବିରାଜେ ଲୋକଙ୍କୁ ନିର୍ଦ୍ଦେଶ ଦେଉଛନ୍ତି ଥାନାରେ ପଶିବାକୁ । ପ୍ରତିଟି ଗାଁଲୋକର ମୁହଁରେ ପ୍ରତିଶୋଧର ଦୁର୍ଦ୍ଦମନୀୟ ବାସନା ଜଳ ଜଳ ଭାବେ ପ୍ରକଟିତ । ଆନନ୍ଦରେ, କୃତଜ୍ଞତାରେ, ଗର୍ବରେ ଧରଣୀର ଦୁଇଆଖିରୁ ଝରଝର ହେଇ ଲୁହ ଝରିବାକୁ ଲାଗିଲା । ନିରୀହ ଗାଉଁଲି ଲୋକର ପ୍ରକୃତି ଶାନ୍ତ-ଶିଷ୍ଟ । ଧର୍ମ, ସମାଜ ତଥା ସରକାରଙ୍କ ବିଧି ନିଷେଧ ଭୟରେ ପାଳନ କରିବା ସେମାନଙ୍କର ସ୍ଵଭାବ । ଆବହମାନକାଳରୁ ପ୍ରଚଳିତ ପୁରୁଣା ନୀତି-ନିୟମର ପ୍ରତିବାଦ କରିବାକୁ ସେମାନେ ପ୍ରୟୋଜନ ବୋଲି ଭାବନ୍ତିନି । ତା ବିରୁଦ୍ଧରେ ବିଦ୍ରୋହ କରିବାକୁ ସାହସ ମଧ୍ୟ ନାହିଁ ସେମାନଙ୍କର । କିନ୍ତୁ କୌଣସି ପ୍ରକାରେ ଯଦି ସେମାନଙ୍କର ସୁପ୍ତ ଶକ୍ତି ଜାଗ୍ରତ ହେଲା ତେବେ ତାର ଗତିରୋଧ କରିବାକୁ ଶକ୍ତି କାହାର ? ବର୍ଷାର ନଈବଢ଼ି ପାଣି ପରି ପାହାଡ଼-ପର୍ବତ ଭାଙ୍ଗି, ଉଦ୍ଦଣ୍ଡ-ତାଣ୍ଡବ ନୃତ୍ୟ କରି ସେ ଆଗେଇଯିବ । ଧରଣୀ ବେଗି ବେଗି ଯାଇ ଥାନା ଆଡ଼କୁ ଆଗଉଥିବା ଦଳଟିକୁ ଆଗୋଳିଲା । ଆଗର ଲୋକେ ହଠାତ୍‌ ରହିଯିବାରୁ, ସେମାନେ ଡରି ପଛଘୁଞ୍ଚା ଦେଉଥିବା ଅନୁମାନ କରି ପଛର ଲୋକେ ଠେଲାଠେଲି ହୋଇ ଚିତ୍କାର କଲେ“କଣ ଡରୁଚ ହୋ, ଆଗାଅ, ଆଗାଅମରିବାର ହେଲେ ସମସ୍ତେ ଏକ ସଙ୍ଗେ ମରିବା । ଗାଁର ସ୍ତ୍ରୀଲୋକ ଉପରେ ଅତ୍ୟାଚାର କରିବାକୁ ଛାଡ଼ିଦେଇ ଜୀଇଁ ରହିବା ପ୍ରୟୋଜନ ନାହିଁ । ଏପରି ଗାଁ ଉଚ୍ଛନ୍ନ ହୋଇଯିବା ଭଲ ।”

 

କେହି ଆଗରେ କଣ ହେଲା ବୋଲି ଖବରଟା ବୁଝିବାକୁ ଉହୁଙ୍କି ଉହୁଙ୍କି ଚାହୁଁଛି । ଆଗରେ କେଇଜଣ, ପଛର କେଇଜଣଙ୍କୁ ଜଣେଇଦେଲେ ଯେ ଧରଣୀ ନିଜେ ଧରାଦେବାକୁ ଆସିଛି । ୟେ ତାକୁ ଭଲପାଇବ, ସିଏ ୟାକୁ କଥା କୁହାକୁହି ହୁଅନ୍ତେ ଧରଣୀ ଚିତ୍କାର କରି କରି କହିଲା“ଭାଇମାନେ, ମୁଁ ନିଜେ ଧରାଦବାକୁ ଆସିଛି । ଆପଣମାନେ ପ୍ରତିଶୋଧର କଥା ଚିନ୍ତା ନକରି ଘରକୁ ଫେରିଯାଆନ୍ତୁ । ମୋ ସ୍ତ୍ରୀର ଅପମାନ ସକାଶେ ଆପଣମାନେ ମର୍ମାନ୍ତିକ ଦୁଃଖ ପାଇଲେଣି । କିନ୍ତୁ ଦେଶର ମୁକ୍ତିପାଇଁ ଏପରି ଅପମାନ ଅତ୍ୟାଚାର ଜନତା ପାଇଁ ଆଶୀର୍ବାଦ ବୋଲି ଧରିବାକୁ ହବ । ଦେଶକୁ ସ୍ଵାଧୀନ କରିବାକୁ ହେଲେ, ଏହାଠାରୁ ବଳି ବଡ଼ କଷ୍ଟ, ମହତ୍‌ ତ୍ୟାଗ ସ୍ଵୀକାର କରିବାକୁ ପଡ଼ିବ ।

 

ଆପଣମାନେ ବେଶି ସମୟ ଏଠି ରହିଲେ ବିପଦର ସମ୍ଭାବନା ଅଛି । ଦୟାକରି ଶୀଘ୍ର ଚାଲି ଯାଅନ୍ତୁ । ଏଇ ଆନ୍ଦୋଳନରେ ଆପଣମାନଙ୍କର ଦାୟିତ୍ଵ କଣ ସେ କଥା ଆଗରୁ ବୁଝେଇ ଦିଆଯାଇଚି । ଦେଶର ସ୍ଵାଧୀନତାକୁ ଧନୀର ଧନ ଅହଂକାରରେ, ଶକ୍ତିମାନ୍‌ର ଶକ୍ତିରେ ଅଥବା ବିଦ୍ଵାନ୍‌ର ବିଦ୍ୟା ଗୌରବରେ ଅର୍ଜନ କରାଯାଇପାରିବ ନାହିଁ । ନିଃସ୍ଵ, ଦୀନ-ଦରିଦ୍ର, ଅଧାମରା, ଅଶିକ୍ଷିତ ଚାଷୀର ବୁକୁର ରକ୍ତ ଦେଇ ହିଁ ଭାରତର ସ୍ଵାଧୀନତାକୁ ହାସଲ କରାଯାଇପାରିବ ।”

 

ଧରଣୀର ନିର୍ଦ୍ଦେଶକୁ ଅମାନ୍ୟ କରିବା ପାଇଁ ଜନତାର ସାହସ ହେଲାନାହିଁ । ଥାନା କମ୍ପାଉଣ୍ଡ ଭିତରେ ପଶିଥିବା ଦଳଟି ପଛକୁ ଫେରିଯାଇ ଧରଣୀର ସ୍ତ୍ରୀ ପାଇଁ ଅପେକ୍ଷା କରି ରହିଲେ । ଆଗେଇ ଆସୁଥିବା ଲୋକେ ପଛକୁ ଘୁଞ୍ଚିଯାଇ କେବଳ ଗାନ୍ଧୀଟୋପି ପିନ୍ଧା ଲୋକ ଜଣେ ଅଫିସ ଆଡ଼କୁ ଆସୁଥିବା ଦେଖି ଦାରୋଗାଙ୍କ ମୁହଁରେ ପ୍ରାୟ ପାଣି ପଶିଲା । ଏତେବେଳ ଯାଏଁ ଦାରୋଗାବାବୁ ମାଡ଼ ତଥା ମୃତ୍ୟୁର ଆଶଙ୍କାରେ ଥିଲେ । ଏପାଖ ସେପାଖ ନଚାହିଁ, ଧରଣୀ ସିଧାସଳଖ ଦାରୋଗାଙ୍କ କୋଠରିର ଦୁଆରବନ୍ଧ ନିକଟକୁ ଯାଇ କହିଲା“ଦାରୋଗାବାବୁ ! ଆପଣଙ୍କର ମୋଠାରେ ପ୍ରୟୋଜନ । ଥାନାରେ ତେବେ ମୋ ସ୍ତ୍ରୀଠାରେ କି କାମ ଅଛି ?”

 

ଶୁଖିଲା କାଶଟାଏ କାଶି, ଶୁଷ୍କତଣ୍ଟିକୁ ତିନ୍ତେଇ ନେଇ ଦାରୋଗାବାବୁ କହିଲେ“ନାଇଁ ନାଇଁ, ଗଭର୍ଣ୍ଣମେଣ୍ଟ ଓ୍ୱାରଣ୍ଟ ଆପଣଙ୍କ ନାମରେ ଆଜ୍ଞା ! ମୁଁ ପଠେଇଥିଲି ଆପଣଙ୍କର ସନ୍ଧାନ ନବାକୁ; କିନ୍ତୁ ଏଇ “ହିନ୍ଦୁସ୍ଥାନୀ କେଇଟା କଥାବର୍ତ୍ତା ବୁଝି ନ ପାରି ଏଇ ଗଣ୍ଡଗୋଳଟି ଭିଆଇଛନ୍ତି । ଏମାନଙ୍କର ସସ୍‌ପେଣ୍ଡ ଅର୍ଡ଼ର ଦେବିତେବେ ଯାଇ ପୁଏ ଜାଣିବେ ।”

 

ଟିକିଏ ରହି, ବର୍ଷାଦିନିଆ ମାଟିପରି ଲଦବଦ ହେଇ ପୁଣି ଦାରୋଗାବାବୁ ପଚାରିଲେ–“ଲୋକେ ଟିକିଏ ଶାନ୍ତ ହେଇଚନ୍ତି ନା ? ଆପଣ ଠିକ୍‌ ସମୟରେ ଆସି ନ ପହଞ୍ଚି ଥିଲେ ଫାୟାରିଂ ହୋଇଥାନ୍ତା । ଆପଣ ଏବେ ସେମାନଙ୍କୁ ବୁଝାଇଦେଲେ ସେମାନେ ଫେରିଯିବେ ବୋଧେ ?”

 

—‘‘ବୁଝେଇ କହିଲେ ନ ଯିବେ କାହିଁକି ? ଗାଉଁଲି ଲୋକଙ୍କୁ ଆପଣମାନେ ଯେଡ଼େ ମୁର୍ଖବୋଲି ଭାବନ୍ତି ସେମାନେ ଅସଲରେ ତେଡ଼େ ମୂର୍ଖ ନୁହନ୍ତିସେତେ ଅବୁଝା ନୁହନ୍ତି । ସେମାନେ ମୋ ସ୍ତ୍ରୀକୁ ସାଥିରେ ନେଇଯିବାକୁ ଅପେକ୍ଷା କରିଛନ୍ତି । ଆପଣଙ୍କ ଆଦେଶ ପାଇଲା ମାତ୍ରେ ମୁଁ ସେମାନଙ୍କୁ ବାଟେଇ ଦେଇ ଆସିପାରେ ।”

 

“ଆପଣ ବାଟେଇ ନଦେଲେ ବୋଧେ.....” କଥା ଶେଷ ନକରି ଖେକ୍‌ କରିପାଟିରୁ ଖଁଙ୍କାର ପୁଳାଏ ବାହାରକରି, କୋଣକୁ ପକେଇ, ମୁଣ୍ଡ ଉଠେଇ ସମ୍ମାନର ସହିତ କହିଲେ“ଭଲ, ଭଲ, ଯାଆନ୍ତୁ । ଆପଣଙ୍କୁ ଆଉ ଅବିଶ୍ୱାସ କରିବି କାହିଁକି ? ହେଲେ, ଲୋକଙ୍କୁ ଟିକିଏ ବୁଝେଇ ଶୁଝେଇ ଶାନ୍ତ କରିବେ ଆଜ୍ଞା !” ଇଆଡ଼େ ସିଆଡ଼େ ଚାହିଁ ହିନ୍ଦୁସ୍ଥାନୀ କେଇଜଣ ବାରଣ୍ଡାରେ ବାହାରିବା ଦେଖି ଆସ୍ତେ କହିଲେ, “ବୁଝୁ ନାହାନ୍ତି ଆଜ୍ଞା, ସ୍ଵରାଜ କିଏ ନ ଚାହେଁ ? ହେଲେ କରିବି କଣ ? ପେଟଦାୟରେ ପଡ଼ି ଏ ଚାକିରି ।”

 

ଦାରୋଗାଙ୍କ ଧୂର୍ତ୍ତତାରେ ଧରଣୀ ଆଖିରେ ଘୃଣାର ହସ ଦେଖାଦେଲା । ଦାରେଗାଙ୍କ ସମସ୍ତ କଥା ଶୁଣିବା ପୂର୍ବରୁ ଧରଣୀ ଆସି ଟଗର ପାଖରେ ପହଞ୍ଚିଲା । ସାମନାରେ ପୋଲିସ, ବାଟରେ ଜନତାର କୋଳାହଳସେଇସବୁ ଦେଖି କମଳି ଭୟରେ ଡରିଥରି ମା’ କୋଳରେ ଜାକିଜୁକି ହେଇ ପଶି, ସକେଇ ସକେଇ ଶୋଇପଡ଼ିଛି । ଝିଅକୁ କୋଳକୁ ନେଇ, ଟଗରର ହାତ ଧରି ଧରଣୀ ଜନତାଙ୍କ ଆଡ଼କୁ ଆଗେଇଲା ।

 

ଦେଶ ସେବାରେ ଲାଗିଲେ ଅପମାନ ଅତ୍ୟାଚାରକୁ ମୁଣ୍ଡପାତି ସହି ନେବାକୁ ହେବଏଇ କଥା ଟଗରକୁ କହୁଥିଲା ଧରଣୀ । କିନ୍ତୁ ଘନଘୋର ବରଷାକୁ ବତାସ ଉଡ଼େଇନବାର ବୃଥା ଚେଷ୍ଟା କଲାପରି, ଦେଶସେବାର ମହିମା ଗାନକରି ଟଗର ମନରୁ ସମସ୍ତ ଗ୍ଲାନି, ଅବସାଦ ଦୂର କରିବାର ବୃଥା ଚେଷ୍ଟା କଲା ଧରଣୀ ।

 

ଟଗର ମୁହଁ ଖୋଲି ପଦେହେଲେ କଥା କହିନାହିଁ । ବର୍ଷଣୋନ୍ମୁଖ ମେଘାବୃତ ଆକାଶ ପରି ଗମ୍ଭୀର, ସ୍ପନ୍ଦନ ହୀନ ହୋଇ ଧରଣୀର ପଛେ ପଛେ ପାଦ ବଢ଼େଇଲା ଟଗର । ସ୍ଵାମୀ ମୁଖରୁ ସ୍ଵାଧୀନତାର ମନ୍ତ୍ର ଉଚ୍ଚାରିତ ହେବା ସତ୍ତ୍ୱେ ଅନ୍ତଃସଲିଳା ଫଲ୍‌ଗୁ ସଦୃଶ ଅପମାନର ଗ୍ଲାନି ଟଗରର ଅନ୍ତରକୁ ଉବୁଟୁବୁ କରିପକଉଥିଲା ।

 

ଛଅ

 

ଧରଣୀର ଦୁଇବର୍ଷ ଜେଲ୍‌ ହେଲା । ଖବରଟା ପ୍ରଚାର ହେବା ସଙ୍ଗେ ସଙ୍ଗେ ରହା ଅଞ୍ଚଳରେ ଦୋକାନ ବଜାର ବନ୍ଦ ହୋଇ ତିନି ଦିନ ଧରି ହରତାଳ ଚାଲିଲା । ଗଭର୍ଣ୍ଣମେଣ୍ଟ ନିଷେଧାଜ୍ଞ ବିରୁଦ୍ଧରେ ବି ଭିନ୍ନ ଭିନ୍ନ ଗ୍ରାମରେ ସଭା ସମିତି କରି ଧରଣୀକୁ ଅଭିନନ୍ଦନ ଜଣାଇ ପ୍ରସ୍ତାବମାନ ଗ୍ରହଣ କରାଗଲା । କେତେ ଦିନ ପାଇଁ ଧରଣୀର ଦେଶପ୍ରେମ ତଥା ସ୍ଵାର୍ଥତ୍ୟାଗର କଥାହିଁ ଗାଉଁଲି ଲୋକଙ୍କୁ ବିସ୍ମିତ-ପୁଲକିତ କରିରଖିଲା ।

 

ଚାହୁଁ ଚାହୁଁ ଦୁଇମାସ ଭିତରେ ଭଲେଣ୍ଟିୟର ଦଳରେ ଭର୍ତ୍ତି ହୋଇଥିବା ଗାଁର ଯୁବକମାନେ ଗୋଟି ଗୋଟି ହୋଇ ଜେଲରେ ଭର୍ତ୍ତି ହେଲେ । ପ୍ରବଳ ଝଡ଼ ତୋଫାନ ପରେ ପ୍ରକୃତିସ୍ଥ-ପ୍ରକୃତି ସଦୃଶ ସାମୟିକ ଉତ୍ତେଜନାର ଉପଶମରେ ସମସ୍ତେ ନିଜ ନିଜ ଧନ୍ଦାରେ ଲାଗିଲେ । ଅସ୍ପଷ୍ଟ ସ୍ଵରାଜ ଲାଭ ଆଶାର ଆନନ୍ଦରେ କେଇଦିନ ପାଇଁ ପାଶୋରି ପକେଇଥିବା ଚିରନ୍ତନ ଅଭାବ ଅଭିଯୋଗମାନ ପୁଣି ଘରେ ଘରେ ଅଜାଡ଼ି ହେଇପଡ଼ିଲା । ଚାଷୀମାନେ ପୁଣି ମାଟି, ଗୋରୁ, ଲଙ୍ଗଳଏଇ ତ୍ରିଶକ୍ତିର ଉପାସନାରେ ମନୋନିବେଶ କଲେ । ଯୁବକଗଣ ଜେଲଯିବାରୁ ଜମି ଚାଷ କରାଇବାର ଅସୁବିଧା ଅନୁଭୂତ ହେଲା । ପୁଅ ହାତରେ ଲଙ୍ଗଳ-କଣ୍ଟି ଗତେଇ ଦେଇ ଯେଉଁମାନେ ପୂର୍ବେ ସଂସାରରୁ ଅବସର ନେଇଥିଲେ, ସେମାନଙ୍କର କ୍ଷୋଭ ବଢ଼ିଲା ସ୍ଵରାଜ-ଆନ୍ଦୋଳନର ନେତାଙ୍କ ଉପରେ । ଟୋକାଙ୍କର ଜାତି କୁଳ ବୁଡ଼େଇ, ସେମାନଙ୍କୁ ଫାଟକ ଖଟେଇ, କେମିତି ଯେ ସ୍ଵରାଜ ଆଣିବାକୁ ଭାବୁଛନ୍ତି ସହରିଆ ନେତାମାନେ, ସେକଥା ବୁଝିନପାରି ସେମାନଙ୍କ ଉପରେ ଦୋଷ ଦେବାକୁ ଲାଗିଲେ ।

 

ନିଜ ଜମିର ଚାଷ ପାଇଁ ଧରଣୀ କେତେଜଣଙ୍କୁ କହିଥିଲା । ମାସକେ ପକ୍ଷକେ ସ୍ତ୍ରୀ ଯଦି ପଇସା ପତ୍ର ଲୋଡ଼େ, ସାହାଯ୍ୟ କରିବାକୁ ସାଇପଡ଼ିଶାଙ୍କୁ କହିଯାଇଥିଲା । କିନ୍ତୁ ସାହାଯ୍ୟ କରିବେ କଣଧରଣୀ ଜେଲ୍‌ ଯିବା ପରଠାରୁ କେହିବି ଟିକିଏ ଚାହିଁଦେଇ ଭଲମନ୍ଦ ଖବର ନବାକୁ ଆସିନି-। ୟାକୁ ତାକୁ କୁହାବୋଲା କରି ଜମି କିଛି ଭାଗରେ ଲଗାଇ ପାରିନି ଟଗର । ଏବେ ପୁଣି ସବୁ ଜମି ଭାଗରେ ଲଗାଇଲେ ସାରାବର୍ଷ ଖାଇବାକୁ ଧାନ ନିଅଣ୍ଟ ପଡ଼ିବ ।

 

ସୁନନ୍ଦ ଆସି ଖଜଣା ଦେଲାଭଳି ହବାକୁ କେଇଖଣ୍ଡ ଜମି ଚାଷପାଇଁ ଧରିବାକୁ ନବାକଥା ଉଠେଇଛି

 

“ଆଛା, ତୁ କୁଆଡ଼େ ବିହବରକୁ ଜମି କେଇଖଣ୍ଡ ଧରିବାକୁ ମନାକଲୁ ?”

 

ବାଁହାତରେ ଓଢ଼ଣୀକୁ ଟାଣି, ଡାହାଣ ହାତରେ ଗୁଆ-ବଟା ବଢ଼େଇ ଦେଇ ଟଗର କହିଲା“ହଁ, ସେ ତ ଏଥର ‘ଠିକା’ରେ ଧରିବାକୁ ଭାବୁଚି । ବାହାଳର ଶିମିଳିତଳ ଜମିଖଣ୍ଡକ ‘ଠିକା’ରେ ଦେଲେ, ଏ ବର୍ଷ ଘର ଚଳିବାକୁ କଷ୍ଟ ହେବ ।”

 

Unknown

ପାନରେ ଚୂନ ଲଗେଇ, ଗୁଆ ଖଣ୍ଡିଏ ପାଟିରେ ଗୁଞ୍ଜି, ସୁନନ୍ଦ ଗମ୍ଭୀର ହୋଇ କହିଲା–‘‘ଦେଶର ଗତିଗୋତ୍ର ଯେମିତି ଦେଖୁଛି, ଏ ବର୍ଷ ସମସ୍ତଙ୍କର ବାହାଳ ଜମି ପଡ଼ିଆ ପଡ଼ିବ-। ଚଟ୍‌କିନା ଚାଷରେ ଲାଗିବାକୁ ଭେଣ୍ଡାଟୋକା ଜଣେବି ନାହିଁ । ବାହାଳ ଜମିକୁ, ଏତେ ବାଟ ଯାଇ, କୋଉ ବୁଢ଼ାଟା ହଳ ଯୋଚିବ ଯେ ? ଶେଷକୁ କାଟୁଣି ଗାଁର ଲୋକଙ୍କୁ ଠିକାରେ ଦବାକୁ ପଡ଼ିବ-। ସେମାନଙ୍କର ଲାଭ । ମୁଁ ଗୋଟିଏ କଥା କହିବାକୁ ବିଚାରିଛିତମର କେଇଖଣ୍ଡ ଜମି ଯଦି ବିହବର ଧରିଛି ତାକୁ ଠିକାରେ ଦେଇଦବା ଭଲ । ଏମିତି ପଡ଼ିଆ ପଡ଼ିବା ଅପେକ୍ଷା ରଜାର ଖଜଣାତକ ତ ବାହାରିବ ।”

 

ସୁନନ୍ଦର ଉପଦେଶକୁ ଅବହେଳା କରିବାକୁ ଟଗରର ସାହସ ନାହିଁ । ତଥାପି କଥାଟାର ମୁଣ୍ଡି ନଛିଣ୍ଡେଇ ଧୀରେ କହିଲା“ଆପଣ ଯାହା ଭଲ ଭାବୁଚନ୍ତି ସେଇଆ କରନ୍ତୁ । ମୁଁ ଏକାଟିଆ ମାଇକିନାଟାଏ କଣ କରିବି ?”

 

ସ୍ଵାର୍ଥସିଦ୍ଧିର ଆଶା ଦେଖି ଟଗରର ମୁହଁଆଡ଼କୁ ଚାହିଁ କହିଲା ସୁନନ୍ଦ“ବିହବର ତୋ ଶାଶୁଆଡ଼ୁ, ତମର ସମ୍ପର୍କୀୟ ଲୋକ । ତୁ ବୋଧେ ଚିହ୍ନୁନା ?” ଟଗର ମୁହଁରୁ ଚିହ୍ନି ପାରିବାର କୌଣସି ଚିହ୍ନ ନ ଦେଖି ପୁଣି ସୁନନ୍ଦ କହିଲା“ହଁ, ତୁ ହେଲେ ଚିହ୍ନିବୁ କୁଆଡ଼ୁ ? ଗାଁର ଝିଅ ହେଇଥିଲେ ଜାଣିଥାନ୍ତୁ । ବାୟନଘରର ଜ୍ଞାତି-କୁଟୁମ୍ବରେ ପାଖ ଆଖର ଦଶଖଣ୍ଡ ଗାଁ ଭର୍ତ୍ତି । ତମମାନଙ୍କର ଏବେ ବିଶେଷ ଯା-ଆସ ନାହିଁ ଦେଖୁଚି ।”

 

ଟଗର ମୁହଁରୁ ଉଁ-ଚୁଁ କିଛି ଉତ୍ତର ନପାଇ ଅସ୍ଵସ୍ତିର ମୌନତା ଭାଙ୍ଗିବା ସକାଶେ, ଭେଳିକି ହେଇ ବସିଥିବା କମଳିକୁ ଚାହିଁ ସେ କହିଲା“ତୁ ବି ଗୁଆ ଖାଇବୁ ବୋଲି ଆସିଚୁ ନା ଲୋ ?” କଥା କହୁ କହୁ ଗୁଆ ଖଣ୍ଡେ କାଟି କମଳି ହାତରେ ଗୁଞ୍ଜି ଦେଲା ସୁନନ୍ଦ ।

 

ଆଗରୁ କେବେ ସୁନନ୍ଦଠାରୁ ଏପରି ସ୍ନେହ ସରାଗ ପାଇ ନଥିଲା କମଳି । ରାସ୍ତା ଘାଟରେ କେତେବେଳେ କମଳି ପାଖକୁ ଗଲେ ସୁନନ୍ଦ ମୁହଁକୁ ଭ୍ରୂକୁଟି କରି ଚାହେଁ । ଆଜି ଏଇ ଅପ୍ରତ୍ୟାଶିତ ସ୍ନେହର ଗୁଆଖଣ୍ଡିକ ହାତ ମୁଠାରେ ଜାବୁଡ଼ି ଧରି ସୁନନ୍ଦର ମୁହଁକୁ ବଲବଲ ହେଇ ସେ ଚାହିଁ ରହିଲା । କୃତ୍ରିମ ହସ ହସି ସୁନନ୍ଦ କହିଲା ‘ଝିଅର ମୁହଁ ଖଣ୍ଡକ ଠିକ୍‌ ବୁଢ଼ୀ ମା’ ଛାଞ୍ଚରେ ଗଢ଼ା । ହଁ, ନହବ କେମିତି ? ବୁଢ଼ୀ ପିଠିରେ ଲାଉ ହେଇ ନଥିଲା କି ? ବୁଢ଼ୀ ମଲାବେଳେ ନାତୁଣୀକୁ କେତେ ଖୋଜୁଥିଲା ସତେ ।”

 

ଶାଶୁଙ୍କ ପ୍ରସଙ୍ଗ ଉତ୍‌ଥାପନ କରି ସମଗ୍ର କଥାଟା ଉପରେ ଏକ ସହାନୁଭୂତିର ଛାୟା ପକେଇ ସୁନନ୍ଦ ଯିବାକୁ ବାହାରିଲା । ଠିଆହୋଇ, ଅଣ୍ଟାକୁ ସିଧା କରି ଶେଷ ନିଷ୍ପତ୍ତି ପାଇଁ ପଚାରିଲା“ତାହେଲେ କଥାଟା ମୁଁ ବିହବରକୁ ଜଣେଇଦଉଚି ? ଅନ୍ୟର ଜମି ପାଇଁ ଖୋଜି ବୁଲିବା ଦରକାର ନାହିଁ ତାର । ଖଜଣା ପାଇଁ ଭୟ କରିବୁ ନାହିଁ । ସେକଥା ମୁଁ ବୁଝିବି ।”

 

ଟଗର ‘ହଉ’ ବୋଲି ଆସ୍ତେ ସମ୍ମତି ଜଣେଇ ବଟାଟା, ହାତରେ ଧରି ଭିତରେ ପଶିଲା ।

 

ଠିକାରେ ଦବା ନାଁରେ ନିଜେ ଅଧା ଖାଇବାକୁ ଇଚ୍ଛା କରି, ସୁନନ୍ଦ ବାହାରେ ବାହାରେ ବିହବର ଘରକୁ ଗଲା ।

 

ସାତ

 

ବହୁଦିନ ହେଲା ଖେଳାବୁଲାରେ ମାତି ଏବେ କିଛିଦିନ ହେଲା ଭୋକୋଲା ବେପାରୀର ମଝିଆଁ ପୁଅ କୋଁଦୋ ବାପର ବେପାରକୁ ଆବୋରିଛି । ଶନିବାର ‘ଫୁଲଗୁରି’, ରବିବାର ‘ରହା’, ସୋମବାର ‘କାମପୁର’ ହାଟକୁ ପାନ, ଗୁଆ, କଦଳୀ-ନଡ଼ିଆ ଭାର ନେଇ ଦୁଇଚାରି ପଇସା ବେଶ୍‌ ରୋଜଗାର କରୁଛି । ‘ଦିବ୍ରୁଗଡ଼-ରିହାବାଡ଼ି’ର ‘ଭଟ୍ଟାଚାର୍ଯ୍ୟ-ଏଜେନ୍‌ସୀ’ର ମୂଲ୍ୟ-ନିରୂପଣ-ତାଲିକା ଦେଖି, ‘ଅଶୋକ-ଚରିତ୍ର’, ‘ଅନାଦି-ପାତନ’, ‘ଅମୂଲ୍ୟ-ରତନ’, ‘ଗୁପୁ-ମଣି’, ‘ରତ୍ନମଣି’, ‘ରାମ-ଚରିତ’, ‘ଲକ୍ଷ୍ମୀ-ଚରିତ’, ‘ରୁଦ୍ର-ଯାମଳ’ ଆଦି ଟଙ୍କାରେ କୋଡ଼ିଏ ଖଣ୍ଡ ଲେଖାଏଁ ମିଳୁଥିବା ‘ଧର୍ମପୋଥି’ ବି ମଗାଇ ଆଣି ବିକ୍ରି କରୁଛି । ମଝିରେ ମଝିରେ କୋଁଦୋ ଧରଣୀ ଘରକୁ ପାନ-ଗୁଆ, କଦଳୀ, ଓଉ ପ୍ରଭୃତି ନବାକୁ ଆସେ । ଧରଣୀ ଜେଲକୁ ଯିବା ପରଠୁ କୋଁଦୋର ଆସିବା ଯିବାଟା ଘନେଇଛି । ବାଡ଼ିର ଦୁଇଚାରିଟା ବସ୍ତୁ ବିକ୍ରି କରି ଲୁଣ ତେଲର ଖର୍ଚ୍ଚଟା ଉଠେଇବାକୁ ଟଗରର ସୁବିଧା ହେଇଛି । ସେଦିନ ବାଉଁଶ ମୂଳର ଦୁଇବର୍ଷର ଖମ୍ବ-ଆଳୁଟା କୋଁ ଦୋ ଖୋଳି ବାହାରକରି ଶନିବାର ହାଟରେ ବିକ୍ରି, କରି ଛଅଣା ପଇସା ଦେଲା । ତା ନହେଲେ ଥିଲେ ୟେ ସିଏ ଖୋଜି ଲୋଡ଼ି ଅଧା ନେଇଥାନ୍ତେ । ଖଣ୍ଡେ ଦୁଇଖଣ୍ଡ ଧର୍ମପୋଥି ମାଗଣାରେ ପଢ଼ିବାକୁ ଦେବା ବାହାରେ, କେତେବେଳେ କେମିତି ହାଟରୁ ମାଛଟାଏ, ପରିବାଟାଏ ଆଣି କୋଁଦୋ ଯାଚେ । ଜିନିଷ ପତ୍ର ଶସ୍ତାରେ ପାଇବା ଆଶାରେ ସ୍ନେହ ସଦ୍‌ଭାବ କରୁଚି ଭାବି ଟଗର ରଖିନିଏ ।

 

ସଞ୍ଜ ପ୍ରାୟ ରତରତ । ଢିଙ୍କିରେ ଚାଉଳ ଗଣ୍ଡେ କାଣ୍ଡୁଛି ଟଗର । କମଳି ରାସ୍ତାରେ କୋଉଠି ଖେଳିବାକୁ ଯାଇ ଫେରିନି । ଅତିଥି ଅଭ୍ୟାଗତ ଆସିବାର ସମ୍ଭାବନା ନାହିଁ । ଜ୍ୟେଷ୍ଠମାସର ଗରମରେ ଝାଳେଇ ନାଳେଇ ଜୁଡ଼ୁବୁଡ଼ୁ ହୋଇ ମେଖେଳା ଖଣ୍ଡିକ ଆଣ୍ଠୁ ଉପରକୁ ଉଠେଇ ଦେଇଛି ଟଗର । କାଞ୍ଚୁଲି ଖଣ୍ଡିକ ହୁଗାଳି ପକେଇ ଛାତି ପ୍ରାୟ ଫୁଙ୍ଗୁଳା କରିଦେଇଛି । ଚାଳରେ ବନ୍ଧା ପଘାକୁ ବାଁହାତରେ ଧରି ତଳକୁ ନଇଁ ନଇଁ ଢେଙ୍କିରେ ଚାପା ଦଉଛି ।

 

ସଞ୍ଜ ସୂରୁଯଙ୍କ ସିନ୍ଦୂରିତ ଆଭା ଚତୁର୍ଦ୍ଦିଗ ବିଛାଡ଼ି ହୋଇପଡ଼ିବା ପରି ମରଣୋନ୍ମୁଖୀ ଯୌବନ-ଲାବଣ୍ୟ ଟଗରର ପ୍ରତିଟି ଅଙ୍ଗ ପ୍ରତ୍ୟଙ୍ଗରେ ବ୍ୟାପି ଯାଇଛି । ଯିବ ଯିବ ହେଇ ବି ମଉଳା-ବକୁଳ-ଫୁଲ କେଇଟାକୁ ଛାଡ଼ିଯିବାକୁ ଇଚ୍ଛା କରେନା ପୂର୍ବ-ସୌରଭ । ଯିବ ଯିବ ହେଇ ବି, ଢେଙ୍କି ଚାପର ତାଳେ ତାଳେ ଦୁଲୁକୁଥିବା ସ୍ତନ ଦୁଇଟାରୁ ଯୌବନର ମାଦକତା ମରିଯାଇନି ।

 

ହାଟରୁ ଆଣିଥିବା ଜିନିଷ କେଇଟା ଦବାକୁ ଆସି କୋଁଦୋ ନିଶବ୍ଦରେ ଚାହିଁ ରହିଲା ଟଗରର ସେଇ ଅର୍ଦ୍ଧ-ଉଲଗ୍ନ ଦେହଟାକୁ ।

 

ଅସ୍ତବ୍ୟସ୍ତ ହୋଇ ଉଡ଼ୁଥିବା କେରା କେରା କେଶ ଟଗରର ଆଖିରେ ମୁହଁରେ ଘନ ଘନ ଚମାଖାଉଛନ୍ତି । କେରା କେତେଟା କାନର ଥୁରିଆ ସହିତ ମିଳି ଷଡ଼ଯନ୍ତ୍ର ପୂର୍ବକ ବିଚାରୀକୁ ଅସ୍ତବ୍ୟସ୍ତ କରି ପକାଉଛନ୍ତି । କ୍ଷଣକ ପାଇଁ ଢେଙ୍କିରେ ଚାପା ବନ୍ଦ କରି, ହାତର ବାଢ଼ଣୀକୁ ତଳେ ପକାଇ, ବାଳ କେଇକେରାକୁ ସଜେଇ ନବାକୁ ଟଗର ଅଣ୍ଟା ସିଧା କଲା । ମୁଣ୍ଡଟା ଟେକୁଟେକୁ ମରଣୋନ୍ମୁଖୀ ସନ୍ଧ୍ୟାଲୋକରେ, ଲୋଲୁପ-ନିର୍ନିମେଷ-ନୟନରେ ଅନେଇଥିବା କୋଁଦୋର ଆଖିରେ ଟଗରର ଆଖିପଡ଼ିଲା । କମାର-ଭାଟି-ନଆଁରେ ଲାଲ୍‌ ହୋଇଥିବା ଲୁହା ପରି ଲାଜରେ ରଙ୍ଗାପଡ଼ି ତରବରରେ ଆଖି ଫେରାଇ ଟଗର କାଞ୍ଚୁଲି ଖଣ୍ଡିକ ଛାତି ଉପରକୁ ଟାଣିନେଲା । ଖୋସଣା କାଳେ ଖସିଯିବ, ଡରି ଡରି ଆଣ୍ଠୁଯାଏଁ ଟେକା ମେଖେଳାକୁ ଧରି ତଳକୁ ପକାଇବାକୁ ଚେଷ୍ଟାକରି ପୁଣି କୋଁଦୋ ଆଡ଼େ ଚାହିଁଲା । ଧରଣୀର ଯୁବତୀ-ସ୍ତ୍ରୀ ଏପରି ଭାବରେ ବ୍ୟତିବ୍ୟସ୍ତ ହେବା ଦେଖି କୋଁଦୋ ଦୁଷ୍ଟାମିର ହସ ହସି ଟଗର ମୁହଁକୁ ଅନେଇ ଆଖି-ମିଟିକା ମାରିଲା । ଗାଁର ଝିଅ-ବୋହୂଙ୍କ ସାଥୀରେ ଚାଟୁ କଥା କହିବାରେ ପୋଖତ ବୋଲି କୋଁଦୋର ଖ୍ୟାତି ଅଛି । ତା’ ପାଟିରେ ବାଡ଼ ବତା ନାହିଁ । ସନ୍ଧ୍ୟା ସମୟ । ଘରେ ତୃତୀୟ ପ୍ରାଣୀ କେହି ନାହିଁ । ଅନିଶ୍ଚିତ, ଭୟର ଆଶଙ୍କାରେ ଟଗରର ଛାତି ଧଡ଼୍‌ ଧଡ଼୍‌ ହେଲା । ସମୟ ଅତିକ୍ରାନ୍ତ ହେବାକୁ ଦେଲେ ବିପଦର ସମ୍ଭାବନା ବହୁତ ବେଶି । ଟଗର ସଂଯତ ହୋଇକହିଲା“ମୋର ନିଶ୍ଵାସ ମାରିବାକୁ ବେଳନାହିଁ । ତୁ ଏଇ ତ୍ରି-ସନ୍ଧ୍ୟାରେ ଆସିଲୁ କାହିଁକି ?” ଉତ୍ତରକୁ ଅପେକ୍ଷା ନ କରି ବାଢ଼ଣୀରେ ଚାଉଳତକ ସମେଇ ଦେବା ପାଇଁ କୋଁଦୋ ଆଡ଼କୁ ପିଠିକଲା ।

 

ପାଦେ ଦୁଇପାଦ କରି ଆଗେଇ, ଟଗରର ମନ ନେବ ବୋଲି କୋଁଦୋ କହିଲାଆଜି ଜାଣି ତୋତେ ଭଲକରି ଦେଖିଲି । ତୋ ପରି ଗଢ଼ଣର ସ୍ତ୍ରୀ ଆମର ଏଇ ଖଣ୍ଡ-ମଣ୍ଡଳରେ ନାହାନ୍ତି-।”

 

ନିଜ ରୂପର ପ୍ରଶଂସା ଶୁଣିବାକୁ ସବୁ ଝିଅ ଭଲପାଆନ୍ତି । କୋଁଦୋର କଥା ଶୁଣି ଟଗର ମନରେ ଆନନ୍ଦର ବିଜୁଳି ପ୍ରବାହ ଯେ ନବୋହିଲା ନୁହେଁ । କଣ୍ଡା ଚାଉଳତକ କୁଲାରେ ରଖି ପାଛୁଡ଼ିବାକୁ ଉଦ୍ୟତ ହୋଇ ସ୍ନେହରେ କହିଲା“ଆଚ୍ଛା, ଯା ବାବା ଏବେ । କିଛି କହିବାକୁ ଥିଲେ ପରେ କେତେବେଳେ ଆସିବୁ ।”

 

ବହୁଦିନରୁ ଟଗର ଉପରେ କୋଁଦୋର ଆଖି । ଆଜି ଉପଯୁକ୍ତ ସୁବିଧା ପାଇ ତା’ର ଲାଳସା ସଂଯମହୀନ ହୋଇପଡ଼ିଲା । ଟଗରରେ ଉତ୍ତରରେ ଉତ୍ସାହିତ ହୋଇ ନିର୍ଲଜ୍ଜ ଭାବରେ ପଚାରିଲା“ଆଜି ରାତିରେ ଆସିବି ତେବେ ?”

 

ତା’ର କଥା ପଦକର ଅର୍ଥ କୋଁଦୋ ଯେ ଏପରି ଭାବରେ କରି ବସିବ ଟଗର ଅନୁମାନ କରିପାରିନଥିଲା । କୋଁଦୋର ଅଶ୍ଳୀଳ ପ୍ରଶ୍ନରେ ଟଗରର ହାତରୁ କୁଲାଟି ଛାଏଁ ଖସି ପଡ଼ିଲା । ସ୍ପ୍ରିଙ୍ଗ୍‍ର ପୁତ୍ତଳୀକା ସଦୃଶ ଏକା ଡ଼ିଆଁରେ ଉଠିପଡ଼ି, ରାଗରେ କଣ ନାହିଁ କଣ ହେଇ ଟଗର କହିଲା“ଏଭଳି ତ୍ରି-ସନ୍ଧ୍ୟାରେ ମୋ ସାଙ୍ଗରେ ଚାଟୁ କଥା ହବାକୁ ଆସିବୁନି କହି ଦଉଚି ।” ସଙ୍ଗେ ସଙ୍ଗେ ଦୁମ୍‌ଦୁମ୍‌ ହେଇ ଦୁଆର ମୁହଁଯାଏଁ ମାଡିଯାଇ ତଣ୍ଟି ଫଟେଇ ରଡ଼ିଛାଡ଼ି ଡାକିଲା କମଳିକୁ :

 

“କୁଆଡ଼େ ମଲୁଣିଲୋ ! ଏଇ କାଳ ସନ୍ଧ୍ୟାରେ କା’ ଘରେ ଅଇଣ୍ଠା ପତ୍ର ଚାଟିବାକୁ ଗଲୁ ଲୋ ନିଆଁ ଲାଗି ! ଆଜି ଆସି ମର କି, ଢେଙ୍କିରେ ତୋ ମୁଣ୍ଡ ଯଦି ନ ଛେଚିଚି ! ଭଲେଇ-ମା’କୁ ତୋର ତୁ ଚିହ୍ନିନୁ, ନା !”

 

କମଳିକୁ ଉଦ୍ଦେଶ୍ୟ କରି ଚିତ୍କାର କଲେ ବି, ପ୍ରତ୍ୟେକ ପଦ କଥା ଗଳିଯାଇ କୋଁଦୋର ଅନ୍ତରକୁ ବିଦ୍ଧ କଲା । କମଳି ବାଟ ମୁହଁରେ ପହଞ୍ଚିବା ଆଗରୁ କୋଁଦୋ ଖୁସ୍‌କିନା ବାହାରକୁ ବାହାରିଗଲା ।

 

କମଳି କାହିଁକି, ପଡ଼ା-ପଡ଼ୋଶୀ କେହି ହେଲେ ଟଗର ମୁହଁରୁ ଏପରି ଗାଳି କେବେ ଶୁଣି ନଥିଲେ । ମା’ର ରଡ଼ିରେ ପଡ଼ି ଉଠି ଦୌଡ଼ିଆସି ଡରରେ ସୁଁ ସୁଁ ହେଇ କାନ୍ଦିବାକୁ ଲାଗିଲା କମଳି । ଟଗର ଝିଅର ହାତ ଧରି ନୂତନ ଉତ୍ସାହ ପାଇ ଭିତରକୁ ପଶିଲା ।

 

ସେଦିନ ସଞ୍ଜ ହଉ ନହଉଣୁ ଟଗର ଚୁଲିରେ ନିଆଁ ଧରାଇବାକୁ ଗଲା । ଅନ୍ୟଦିନେ, ମା’ ଭାତ ରାନ୍ଧୁଥିଲା ବେଳେ, କମଳି ରନ୍ଧାଘର ଚଟାଣରେ ବସି ‘ଆଦିପାଠ’ ବହି ମେଲେଇ ଅସମ୍ଭବ ଶବ୍ଦ କରି ଥଙ୍ଗେଇ ଥଙ୍ଗେଇ ପଢ଼େ । ପଢ଼ିବାରେ ଭୁଲ୍‍ ହେଲେ ମା’ ମଝିରେ ମଝିରେ ଠିକ୍‌ଠାକ୍‌ କରିଦିଏ । କିନ୍ତୁ ସେଇ ରାତିରେ ଟଗର ଚୁଲି ପାଖରେ ଝିଅକୁ ବସେଇ ଇଆଡ଼ୁ ସିଆଡ଼ୁ କଥାବାର୍ତ୍ତା କରି ବାହାରର ଭୟାବହ ଅନ୍ଧକାରକୁ ଭାଙ୍ଗିବାର ଚେଷ୍ଟା କଲା । ହାଣ୍ଡିର ଗଳାପେଜ ବାଡ଼ି କୋଣରେ ଥିବା ପେଜକୁଣ୍ଡରେ ପକାଇବାକୁ ଯିବାବେଳେ କି ଝିଅ ହାତରେ ଡିବିଟା ଧରେଇ ବାହାରିଲା । ରାତି ବେଶି ହବ ବୋଲି ବେଗି ବେଗି ଖାରଣି * ଭାତ ମୁଠାଏ ଖାଇ ଶୋଇବାକୁ ଗଲା । ବିଛଣାରେ ପଡ଼ିବା ଆଗରୁ ଶୋଇବା ଘରର ସବୁଗୁଡ଼ିକ ଦୁଆରର କିଳିଣି ଭଲଭାବରେ ଦିଆ ହେଇଚି ନା ନାହିଁ ପରୀକ୍ଷା କରି ନେଲା ।

 

ଦିନଟା ସାରା ଡିଂ ଡିଂ ଖେଳି ବୁଲି କମଳିର ନିଦ ହେଇଯାଇଥିଲା । ବାଧ୍ୟ-ବାଧକତାରେ ଦୁଇଗୁଣ୍ଡା ଗିଳିଲା କୌଣସି ମତେ । ଅନ୍ୟଦିନ ଝିଅକୁ ବିଛଣାରେ ଶୁଆଇ ଦେଇ ସେ ହାଣ୍ଡିଶାଳ ସଜାଡ଼ିବାକୁ ଆସେ । ସେଇ ରାତିରେ ମା’ ଝିଅ ଉଭୟେ ଏକ ସଙ୍ଗେ ରନ୍ଧାଘରୁ ବାହାରିଲେ । କମଳି ବିଛଣାରେ ପଡ଼ୁ ପଡ଼ୁ ଗାଢ଼ ନିଦରେ ଶୋଇଗଲା । କାଳେ ରାତିରେ ଲିଭି ଯିବ ବୋଲି ଡିବିଟାରେ ନୂଆକରି ତେଲ ଟିକିଏ ପୂରେଇ, ଦିଆସିଲିଟା ମୁଣ୍ଡପାଖ ଭାଡ଼ିରେ ଅଛି ନା ନାହିଁ ଦେଖିନେଲା ଟଗର । କମଳିର ସ୍ଵର ଶବ୍‌ଦ ନାହିଁ ।

 

“ଆଲୋ ତତେ ପୁଣି ଆଜି ଏମିତି ମଲା ନିଦ ଲାଗିଲା ନା ? କୋଉଠିକି କାମ କରିବାକୁ ଯାଇଥିଲୁ କି ?”

 

ମନର ସଂଶୟ ଘୁଞ୍ଚେଇବା ପାଇଁ କୋଠରିର ଚାରିକୋଣ ଶେଷଥର ପାଇଁ ଚାହିଁ ନେଇ ଟଗର ବିଛଣାରେ ପଡ଼ିଲା । ଝିଅ ଦେହରେ ହାତ ଦେଇ ପାଖକୁ ଜାକି ଆଣି ନିଦ ଭଙ୍ଗେଇବାକୁ ଚେଷ୍ଟାକଲା । କମଳି ଉଁ-ଉଁ-ଉଁ କରି ମା’ ଆଡ଼କୁ ପିଠି କରି କଡ଼ ଲେଉଟାଇ ଦୂରେଇ ଗଲା । ଝିଅର ମୁଣ୍ଡକୁ ମାଣ୍ଡିରେ ଠିକ୍‌ ଭାବରେ ରଖି କହିଲା “ଲୋ କମଳି ! ମନୋହର କକେଇ ହାତରେ ବାପା ତୋ ପାଇଁ ଖବର ପଠେଇଛନ୍ତି ନୁହଁ ? ମନୋହରକୁ ତୁ ଭେଟିଲୁ ନା ନାହିଁ ? ବାପା ସାଥିରେ ସେଇ ଜେଲ୍‌ରେ କକେଇ ଥିଲେ ପରା ? ଜେଲ୍‌ରେ ଜାଗା ନାହିଁ ବୋଲି ମନୋହରକୁ ଛାଡ଼ିଦେଲେ ନା ?”

 

କମଳିର ନିଘୋଡ଼ ନିଦ । ଟଗର ଦୀର୍ଘ ନିଶ୍ଵାସ ଟାଣି ପୁଣି କହିଲା“ମନୋହରର ବର୍ଷେ ଜେଲ୍‌ ହେଇଥିଲା, ହେଲେ ମାସଟାଏ ନପୂରୁଣୁ ଛାଡ଼ିଦେଲେବାପାଙ୍କୁ ତୋର ଯଦି ଶୀଘ୍ର ଛାଡ଼ି ଦିଅନ୍ତେ ? ଆଲୋ, ପୁଣି ନିଦରେ ଶୋଇଲୁ କି ?”

 

କମଳିକୁ ହଲେଇ ଦେଇ ପୁଣି ପାଖକୁ ଟାଣିଆଣିଲା । କମଳି ଓଉଁଉଁକରି ଗୋଡ଼ ଦିଟା ଜାକିଜୁକି, ମା’ର ଛାତି ଭିତରକୁ ଆଣ୍ଠୁଦିଟା ପୂରେଇଦେଲା ।

 

“ଏଇଟାର ଶୁଆ ଦସ୍ତୁର ବଡ଼ ଖରାପ । ଏଇ ଗୁଳୁଗୁଳି ଗରମରେ ଛାତିକୁ ଜାକିହେଇ ପଶନ୍ତି ନା ! ବାପା ଆସିଲେ ତୁ ତୋ ବାପା ସାଙ୍ଗରେ ଶୋଇବୁ ।” କମଳିର ଗୋଡ଼ ଦିଟାକୁ ସିଧା କରିଦେଲା ।

 

କମଳିକୁ ଚେତା ରଖିବାର ବୃଥା ଚେଷ୍ଟା ନକରି, କୃଷ୍ଣଙ୍କ ସହସ୍ର ନାମ ଉଚ୍ଚାରଣ କରି କରି ଟଗର ଆଖି ବନ୍ଦକଲା । ଅନିଶ୍ଚିତ ଭୟର ଆଶଙ୍କାରେ ମଝିରେ ମଝିରେ ଚମକି ଆଖିର ନିଦ ଭାଙ୍ଗୁଥିଲା । ବାହାରେ ସାମାନ୍ୟ ଶବ୍ଦ ହେଲେ ଧଡ଼ପଡ଼ ହୋଇ ଉଠୁଥିଲା । ନିଦ୍ରାହୀନ କୋଠରୀଟାର ଅଳନ୍ଧୁମୁଖା ବାଉଁଶ ଶେଣି ଟଗର ପ୍ରତି କ୍ଷଣେ କ୍ଷଣେ ଭୟ ବିଦ୍ରୂପ ପ୍ରଦର୍ଶାଇଲେ । ଦୁଃଖର ସମ୍ବାଦ ଜଣାଇବାକୁ ମଧ୍ୟ ରାତ୍ରିର ନିସ୍ତବଧତା ଚୁପ୍‌ଚାପ୍‌ ଆସି ଭିତରେ ପଶିଲା । ଉପଦ୍ରବ ଅପଯଶ ଭୟରେ ସାରା ରାତି ଉତ୍କଣ୍ଠିତ ଭାବରେ କଟାଇଲା ଟଗର ।

 

* ଖାରଣିଲୁଣର ଗୁଣଯୁକ୍ତ ଏକ ପ୍ରକାର ଗୁଣ୍ଡ । ଆସାମରେ ତରକାରୀ ଇତ୍ୟାଦିରେ ଏହା ବ୍ୟବହାର କରାଯାଏ ।

 

ଆଠ

 

ଜ୍ୟେଷ୍ଠମାସଟା ଟାଣ ଖରା ପାଇଁ ପ୍ରସିଦ୍ଧ । ଏଇ ମାସ ଦୁଇପାଖିଆ ଧାର ଥିବା କଟୁରି ପରି କାଟେ । ବୈଶାଖର ପ୍ରଥମ ବର୍ଷା ସାଥେ ସାଥେ କଲଙ୍ଗ କୂଳର ଗାଁଗୁଡ଼ିକରେ ମ୍ୟାଲେରିଆ ନିଶ୍ଚିତ ଦେଖାଦିଏ । ଗ୍ରହଣୀ, ବସନ୍ତ ପାର୍ଶ୍ୱଚରରୂପେ ତା’ ସାଥିରେ ମାଡ଼ି ଆସନ୍ତି । ଘରେ ଘରେ ଜଣେନାଜଣେ ସନ୍ନିପାତରେ ଖସନ୍ତି ।

 

ଗେରେଲାର ମା’, ମୁହିତା, ରାତି ରନ୍ଧା ପାଇଁ ଢେଙ୍କିଆ-ଶାଗ ମୁଠେ ଖୁଣ୍ଟିବ ବୋଲି ରାସ୍ତାକଡ଼କୁ ଯାଇଛି । ଢେଙ୍କିଆ ଖୁଣ୍ଟୁ ଖୁଣ୍ଟୁ ଭେଦୋ ଘରବାଟ ମୁହଁରେ ପହଞ୍ଚିଲା । ଆଜିକୁ ତିନିଦିନ ହେଲା ଭେଦୋର ବଡ଼ ପୁଅଟା ଜ୍ଵରରେ ଛଟପଟ ହେଉଛି । ସନ୍ଧ୍ୟା ହେବାକୁ ଯାଉଥିବାରୁ ଘରର ଆଗ ଅଗଣାରେ ପଟିଆ ଖଣ୍ଡେ ବିଛେଇ ପୁଅକୁ ବାହାରେ ଶୁଆଇ ଦେଇଛି ଭେଦୋ । ଖବରଟା ନବାକୁ, ମୁହିତା ଲମ୍ବହେଇ ପଡ଼ିଥିବା ରୋଗୀ ନିକଟକୁ ଗଲା । ଅଗଣାର ଏକ ପାଖରେ କାଠ ଗଣ୍ଡିଟାରେ ବସି ଭେଦୋ ଟାଙ୍ଗିଆ ଖଣ୍ଡକରେ ବାଉଁଶ ଜାଳ କାଟି କାଟି ମୁହିତା ସାଙ୍ଗରେ କଥା ହେବାକୁ ଲାଗିଲା ।

 

—“ହଁ, ତାପଟା ଆଜି ଟିକିଏ ଓହ୍ଲେଇଚି । ହେଲେ ଦେହଟା ସେଇମିତି ଦୁର୍ବଳ ।”

 

—ଦୁଇଦିନ ପାଣି ପଖାଳ ଭାତ ଦୁଇଟା ଖୁଆଇ ଦେଲେ ତ ଦେହ ଆପେ ଆପେ ଶାନ୍ତ ହେଇଯିବ ।”

 

—“କାଲିକି ସେଇଆ କରିବାକୁ ଭାବିଚି । ସେ ଯଦି ଚଞ୍ଚଳ ଦେହଟାକୁ ଚେଙ୍ଗା ନକରିବ, ଚାଷବାସ ଏଥର ଆମର ଗଲା ବୋଲି ଜାଣ । ଅଣ୍ଟାଦୋଷରୁ ମୁଁ ବି ଆଉ କଣ୍ଟି ଧରିପାରୁନି ।”

 

ଢେଙ୍କିଆ ମୁଠିକ ବାଛି, ବୁଢ଼ାପତର କେଇଟା ଛିଣ୍ଡେଇ ଛିଣ୍ଡେଇ ମୁହିତା କହିଲା–“ଏଇ ଭରା ଜ୍ୟେଷ୍ଠରେ କି ହଳ କରିପାରିବ ?”

 

ମୁହିତାର କଥା ଶେଷ ହଉନହଉଣୁ ମାଘି ଆସି ପହଞ୍ଚିଗଲା । ମୁହିତା କଥାରେ ଯୋଗଦେଇ ମାଘି କହିଲା—“ପାଣି ହେଲେ ଚାଷ କରିବାକୁ ଭଲ ହେବ । ଏଣେ ପୁଣି ତମର ଜମିଖଣ୍ଡକ ତ ବାହାଳରେ ।”

 

ମାଘିକୁ ପଙ୍ଗତରେ ଯୋଗଦେବାର ଦେଖି ମୁହିତା ଧୀରେ ଧୀରେ ରାସ୍ତାକୁ ପାଦ ବଢ଼େଇଲା । ଭେଦୋ ଜାଳେଣି କେଇଖଣ୍ଡକୁ ଏକାଠି କରି ଥୋଇ ମାଘି ଆଡ଼କୁ ମୁହଁ ଘୂରାଇ କହିଲା—“କଣ କରିବି କହ ତ, ପନ୍ଦରଦିନ ହେଲା ଔଷଧପତ୍ର କଲି—ଟିକିଏ ହେଲେ ଜରଟା ଚଙ୍କୁନି ।”

 

—“ଦୀଘଲଦରିର ବୁଢ଼ା କବିରାଜଠଉ ପାନେ ଘିନି ଆସିଲେ ପାଳିଜର ହଉ, ଯାହା ହଉ—ରୋଗର ମଞ୍ଜି ମାରିଦିଅନ୍ତାଣି ।”

 

ଭେଦୋ ହତାଶ ଭାବରେ କହିଲା—“ତାଙ୍କ ପାଖକୁ ଯାଇପାରିଲେ ସିନା ? ଏକାଟିଆ ମଣିଷ—ଗୋରୁ-ଗାଈ ଚିନ୍ତା ସବୁ ମୋରି ଉପରେ ।”

 

—“ମଝିଆଁ ର କିଛି ଖବର-ଅନ୍ତର ପାଇଲ ? କେବେ ମିଆଦ ପୂରୁଚି ?”

 

—“ବରଷେ ପାଇଁକି ତ ହୋଇଥିଲା । ଏବେ ଶୁଣୁଚି ଜେଲ୍‌ରେ ଥାନ ନଅଣ୍ଟରୁ ମିଆଦ ନପୂରୁଣୁ ବହୁତଙ୍କୁ ଖଲାସ କରି ଦଉଚନ୍ତି । ଆମର ‘ଜଇଗୋ’ ବି କାଲି-ପହରି ଭିତରେ ବାହାରିଆସିବ ନା କଣ ।’’

 

—“ହଁ ମ, ଉଦ୍ଧତ ଧରଣୀଟା ଗାଁରେ କଳିର ଉତ୍ପାତ ଭିଏଇଥିଲା ସିନା । ଅକାରଣଟାରେ ଭେଣ୍ଡା ଟୋକାଗୁଡ଼ାଙ୍କୁ ଜେଲ୍‌ ପଠେଇଲା ।”

 

—“ଧରଣୀକୁ ଦୋଷ ଦେବା କାହିଁକି ? ସାରା ଦେଶଟାରେ ଆନ୍ଦୋଳନର ସ୍ରୋତ ମାଡ଼ିଗଲା; ତାକୁ ଧରଣୀ ହେଉ ବା ତମେ ଆମେ ହଉଁ, କିମିତି ବାଧା ଦେବା ? ଖାଲି କଣ ତୋର ମୋର ପୁଅ ଜେଲ୍‌କୁ ଯାଇଚନ୍ତି ? କଳି ଶେଷରେ କଲ୍‌କୀ ଅବତାର । କେଜାଣି ଗାନ୍ଧୀ ଅବତାର-ଦିନରେ ଆମର ଗରିବ-ଗୁରୁବାଙ୍କ ଦୁଃଖ-ଦୁର୍ଗତି ଅବା ମୋଚନ ହବ !”

 

ଅସଲରେ ଭେଦୋର ବଳଦ ହଳକ ଦୁଇଦିନ ପାଇଁ ମାଗିବାକୁ ଆସିଥିଲା ମାଘି । ଆନ୍ଦୋଳନର କଥା ଛାଡ଼ି ଭେଦୋକୁ ଭଲେଇ ହୋଇ କହିଲା—“ବରା-ଧାନ*ର ବିହନ ଗଣ୍ଡେ ପାଇଁ ମୁଁ ଦୀଘଲଦରିକୁ ଯିବି ଯିବି ହଉଚି । ମାଟିଖଣ୍ଡକ ଚଷିବା ଝିନ୍‌ଝଟ ନ ସରିଲା ଯାଏଁ ଯାଇହଉନି । ତମର ବଳଦ ହଳକ କାଲି ପାଇଁ ଦିଅନ୍ତ ଯଦି ପହରି ଦିନକୁ ଯାଇ ଫେରନ୍ତି ।”

 

ପୁଅ ପାଇଁ ଔଷଧ ଟିକକ ଆଶାରେ ବଳଦ ହଳକ ମାଘିକୁ ଦିନକ ପାଇଁ ଦେବାକୁ ଭେଦୋ ସହଜରେ ରାଜିହେଲା ।

 

*ବରାଧାନ—ଏହା ମଧ୍ୟ ଏକପ୍ରକାର କୋମଳ ଧାନ । ପାଣିରେ ପକେଇଲେ କୋମଳ ଚାଉଳ ବାହାରେ (ପୂର୍ବେ କଥିତ ବୋକା-ଧାନ ସଦୃଶ) ।

 

ବିଧବା ଫେସଉର ବଡ଼ପୁଅ ସନ୍ନିପାତରେ ମରିଛି । ସାନଟାକୁ ଏବେ ସେଇ ଏକାଜ୍ଵର ଧରିଛି । ବଡ଼ଟାକୁ ଔଷଧପାତି ଖୁଆଉ ଖୁଆଉ ମଲା । ସେଇଥିପାଇଁ ତା’ ଉପରୁ ବିଶ୍ଵାସ ହରାଇ କନ୍ଦର୍ପ କବିରାଜଙ୍କ ଶରଣାପନ୍ନ ହେଇଛି ଫେସଉ । କବିରାଜେ ଦୟାକରି ବଡ଼ି ଚାରିଟା ଦେଇଛନ୍ତି; କିନ୍ତୁ ତାର ଅନୁପାନ ନପାଇ ବିଚାରୀ ହତାଶ ହୋଇ, କପାଳରେ ହାତଦେଇ ପୁଅ ପାଖରେ ବସିଛି-। ମେଦଉ, ପିତିକି, ଭେକୋଲାର ସ୍ତ୍ରୀ ଉପରବେଳା ଫେସେଉ-ପୁଅର ଦେହ ଖବର ନବାକୁ ଆସିଲେ । ତିନିହେଁ ନିଜେ ନିଜେ କାଠପିଢ଼ା ଖଣ୍ଡେ ଖଣ୍ଡେ ଖୋଜିଲୋଡ଼ି ଆଣି ଫେସଉ ଘର ଅଗଣାରେ ବସି ଆଳାପ-ଆସର ଜମେଇ ଦେଲେ । କଟୁରିଟା ଏବଂ ଗୁଆବଟାଟାକୁ ବଢ଼େଇ ଦେଲା ଫେସଉ ।

 

ସମସ୍ତଙ୍କ ଭିତରେ ଭେକୋଲା ବେପାରୀର ସ୍ତ୍ରୀ ବୟସରେ ବଡ଼, ବାଳ ଗୋଟେ ଦିଟା ପାଚିଲାଣି । ତାଙ୍କର ନିଜ ନାମ କେହି ବି ଜାଣନ୍ତିନି; ଜାଣିବାକୁ ଇଚ୍ଛା ବି କରନ୍ତିନି । ଅନ୍ୟାନ୍ୟ ସମ୍ପଦ ପରି ମା’ ବାପା ଦେଇଥିବା ନାଁଟାର ମୋହକୁ ବିସର୍ଜନ କରି ବହୁ ଗାଉଁଲି ସ୍ତ୍ରୀ ହୁଏତ ସ୍ଵାମୀର, ନୁହେଁ ତ ପୁଅର ନାମରେ ନିଜକୁ ବିଲୋପ କରି ଦେଇଥାନ୍ତି । ଭେକୋଲାର ସ୍ତ୍ରୀ ଗୁଆଟାଏ କାଟୁ କାଟୁ ଫେସଉ ଆଡ଼କୁ ଅନେଇ କହିଲା—“ଜାଣିଚୁ ନା ଫେସଉ, ଖାଲି କବିରାଜ ବଟିକା ଉପରେ ଭରସା କରି ରହନା । ଔଷଧପାତି ଖୁଆଇ ଗୋଟାକର ତ ମୁଣ୍ଡ ଖାଇଲୁ; ସେତିକିରେ କଣ ଜ୍ଞାନ ଉଦୟ ହେଇନି ?”

 

ଭେକୋଲା-ସ୍ତ୍ରୀର ସିଧାସଳଖ କଥା ଫେସଉ ମନରେ ଟିକିଏ ହେଲେ ଆଘାତ ଦେଇପାରିଲା ନାହିଁ । ଜୀବନର ପ୍ରତିଟି ପଦକ୍ଷେପରେ, ପଳେ ପଳେ ଦୁଃଖ ଯାହାକୁ ବରଣ କରିଛି, ସେ ଭାଷାର ଆବରଣରେ ଦୁଃଖର ନଗ୍ନରୂପକୁ ଢାଙ୍କିବାକୁ ଚେଷ୍ଟା କରେନା । ଲଙ୍ଗଳା-ସନ୍ତାନକୁ ବୁକୁକୁ ସାଉଁଟିନେଇ ବିଧବା ନିଜ ଅନ୍ତରର ଦହନକୁ ଲିଭେଇବା ପାଇଁ ଚେଷ୍ଟା କଲାପରି, ଚିର ପରିଚିତ ଦୁଃଖର ନଗ୍ନମୂର୍ତ୍ତିକୁ ଲାଜ-ଭୟ-ଶଙ୍କାହୀନ ହୋଇ ଜୀବନରେ ଗ୍ରହଣ କରିପାରିବାଟା ହିଁ ଶାନ୍ତି ।

 

ଖୋଳପା ଛଡା ଗୁଆକୁ ଚାରିଖଣ୍ଡ କରି, ପାନରେ ଚୂନ ଲଗେଇ, ତିନିଜଣଙ୍କୁ ତିନିଖଣ୍ଡ ଦେଇ, ନିଜ ପାଟିରେ ଖଣ୍ଡିଏ ଗୁଞ୍ଜି ଭୋକୋଲାର ସ୍ତ୍ରୀ ପୁଣି କହିଲା—“କଣ କହୁଛୁ ପିତିକି, ଝଡ଼ା-ଫୁଙ୍କାଟାଏ କରେଇନବା ଭଲହବନି ନା ?”

 

ଟିକିଏ ଘୁଞ୍ଚିଯାଇ ହାତ ବଢ଼େଇ ଚୂନ ଡବାରେ ଆଙ୍ଗୁଳି ଭରି, ଚୂନ ଟିକିଏ ଖୁମ୍ପି ଦାନ୍ତରେ ଲଗେଇ, ମୁଣ୍ଡ ହଲେଇ ପିତିକି ଉତ୍ତର ଦେଲା—“କହିବାକୁ ଅଛି ନା ? ଭଲ ଗୁଣିଆ ହାତରେ ପଡ଼ିଲେ ଏକା ଫୁଙ୍କାକେ ଜରର ଗାରିମା ଭାଙ୍ଗିଯିବ ।”

 

ମୁଣ୍ଡ ଘୂରେଇ, ପିଣ୍ଡାତଳକୁ ପିକ ପକେଇ ପିତିକି ପୁଣି କହିଲା—“ଗୁଣାଇର ମଝିଆଁ ପୁଅ ସନ୍ନିପାତରେ ସଢ଼ି ଏଇଖିଣିକୁ ଏଇଖିଣି ଅବସ୍ଥା ହେଇ ନଥିଲା କି ? କୁଜିଆବାଁହୀର ବୁଢ଼ା-ଗୁଣିଆକୁ ଲଗେଇ ଏକାରାତିକେ କେମିତି ଜରକୁ ତଡ଼ିଲା, ଦେଖିନ ?”

 

—“ତାଙ୍କ ପାଖକୁ ଗୁଆପାନ ବିଡ଼ାଏ ଭେଟି ପଠେଇ କାହା ହାତରେ ଖବର ପଠଉନୁ କାହିଁକି ଲୋ ?’’ କହି ଭେକୋଲାର ସ୍ତ୍ରୀ ଫେସଉର ମୁହଁକୁ ଚାହିଁ ରହିଲା ।

 

ପୁଅର ଜ୍ଵର ଉପଶମ ପାଇଁ ଅଯାଚିତ ଉପଦେଶରେ ଫେସଉ ମୁହଁରୁ ପୂର୍ବ ନିର୍ବିକାର ଭାବର ପରିବର୍ତ୍ତନ ହେଲା ନାହିଁ । ଜନ୍ମଦିନଠାରୁ ଦୁଃଖ ତଥା ମୃତ୍ୟୁ ତା’କୁ ଘେରି ରହିଛନ୍ତି । ପିଲା ବୟସରୁ ମା’ର ମୁଣ୍ଡ ଖାଇଲା, ପୁଅ ଦି’ଟା ଗୁରୁଣ୍ଡିବା ସମୟରେ ସ୍ଵାମୀ ମଲା । ସେଦିନ ଦଶବରଷର ପୁଅଟା କଥାବାର୍ତ୍ତା କରୁ କରୁ ଆଖି ଆଗରେ ଚାଲିଗଲା । ସାନଟା ଯେ ବଞ୍ଚିବ ସେ ଆଶା ଫେସଉର ନାହିଁ ।

 

ଗଡ-ଗାଁର ଭଗବତୀଙ୍କ ପାଖକୁ ଦଧିରାମ ଯାଇଛି । ତା’ ହାତରେ ଧରଣୀ-ସ୍ତ୍ରୀଠୁ ମାଗିଆଣି ପଇସା ଚାରିଟା ସହିତ ଗୁଆପାନ ଯୋଡାଏ ପଠାଇଛି । ସେ ଆଜି ଫେରିବା କଥା । ଭଗବତୀଙ୍କୁ ଦେଖେଇ କଣ ହୋଇଛି ଦେଖି-ଚାହିଁ ଝଡ଼ା-ଫୁଙ୍କା କରାଇବାକୁ ପଡ଼ିବ ।

 

ପିତିକି ଗମ୍ଭୀର ହୋଇ କହିଲା—“ଆରେ ହଁ ମ, ଦଧି-ସ୍ତ୍ରୀର ଅନେକ ଦିନ ହେଲାଣି ଅସୁଖ । ହଗା-ରୋଗରେ ପଡ଼ି ବିଚାରୀର ଯାହା ଅବସ୍ଥା ହେଲାଣି ନା-ତିନିଟା ମିଣିପର ବଳଥିବା ମାଇକିନିଆଟା ଏବେ ବିଛଣାରେ ପଡ଼ି ଘୁଷୁରି ଘୁଷୁରି ବାହାର ଭିତର ହଉଚି !”

 

—“ଏମିତିକା ରୋଗବାଗ ଦିହକରେ ଦେଖାନଥିଲା, କୁଆଡୁ ଆଇଲେ ଲୋ ଏଗୁରା !” କଁଅଳେଇ କହିଲା ମେଦେଉ ।

 

—“ଗାଁରେ ଆଉ କଳି ପଶିବାକୁ ବାକୀ ଅଛି ନା ? ମରିବା ତ ମରିବା-ହେଲେ ଏଇ ରଜା ଯଉ ବଞ୍ଚି ଥାଉଁ ଥାଉଁ ମରେଇ ମାରୁଚି ! ଭେଦୋର ବଡ଼ପୁଅର ଜର; ମଝିଆଁଟା ଭଲେଣ୍ଟର ହେଇଥେଲା ଯେ ତାକୁ ପୁଲିସି ଧରିନେଇ ସଦରରେ ଧଳାଭାତ ଖୁଆଉଚି । ‘ବନ୍ଦେ ମାତରଂ’ ରଡ଼ି ଛାଡ଼ିଲେ ରଜାର କି ଯାଏ ଲୋ ? ଏମେତେ କଥା କେବେ ଭଲା ଶୁଣିଚ ? ଭରିଆ ଚାଷବାସ ବେଳରେ ଅକାରଣଟାରେ ଟୋକାଗୁରାଙ୍କୁ ଫାଟକରେ ପୂରେଇଲେ ଦେଶରେ ଅକାଳ ନହେଇ ହବ କଣ ? ରଜା ହେଇ ଦୁଃଖୀ-ରଙ୍କିଙ୍କୁ ତାରିବା ଛାଡ଼ି ମାରୁଚି !”

 

ଭେକୋଲା ବେପାରୀର ଦୋକାନ ଟୁଙ୍ଗିରେ ନୀତି ସକାଳ ସଞ୍ଜରେ ରାଜନୀତି ଚର୍ଚ୍ଚା ହୁଏ । ବାହାର ଭିତର ହେବାବେଳେ ସ୍ତ୍ରୀ କାନରେ ସେଥିରୁ ପଦେଅଧେ ନ ପଡ଼ି ରହେନା । ବିଜ୍ଞ ସ୍ଵରରେ କଥାତକ କହି ଭେକୋଲା-ସ୍ତ୍ରୀ ଯିବାକୁ ଉଠିଲା; ସଙ୍ଗେ ସଙ୍ଗେ ବାକିମାନେ ବି ଉଠିଲେ । ସେମାନେ ଉଠିବାରୁ ବଟାଟା ନେଇ ଭିତରକୁ ଯାଆନ୍ତେ ଫେସଉର ମନେପଡ଼ିଲା ଯେ ସକାଳେ ଧରଣୀ-ସ୍ତ୍ରୀଠୁ ମାଗିଅଣା ଗୁଆ ଦୁଇଟାରୁ ଖଣ୍ଡେ ବି ବଟାରେ ନାହିଁ । କଣ ପାଟିରେ ପକେଇ ରୋଗୀଣା ପିଲାଟା ପାଖରେ ବସି ବସି ରାତି କଟେଇବ ଫେସଉର ସେଇ ଗୋଟିଏ ଚିନ୍ତା ହେଲା-

 

ନଅ

 

ଜ୍ୟେଷ୍ଠ ମାସର ଜହ୍ନରାତି । ସଞ୍ଜ ହଉ ହଉ ଦ୍ଵୀପାନ୍ତରୀତାର ସଞ୍ଜବତି ସଦୃଶ ଅଜସ୍ର ତାରା ଆକାଶରେ ମିଟିମିଟି କରିବାକୁ ଲାଗିଲେ । ଚତୁର୍ଦ୍ଦିଗରେ ଦିନଭଳି ଆଲୋକ । ଅଗଣାରେ ବସି ସୁନନ୍ଦ ଅଧାବୁଣା ବାଉଁଶ ଟୋକେଇଟା ପାଇଁ କାଠି ଚାଞ୍ଚୁଛି । ପାଖରେ ଝିଅ ପୁତଳୀ ଆଉ ସାନପୁଅ ପଟିଆ ଖଣ୍ଡିକରେ ଶୋଇ ଖେଣ୍ଟିଆ-ଖେଣ୍ଟି ଲାଗି ମଝିରେ ମଝିରେ ଆକାଶରେ ବିଛଡ଼ା ତାରାଗୁଡ଼ିକୁ ଏକ-ଦୁଇ-ତିନି କରି ଗଣୁଛନ୍ତି । ସ୍ତ୍ରୀ ରନ୍ଧାବଢ଼ା ସାରି ଖନ୍ଦାଶାଳରୁ ଆସି ପିଲାଙ୍କ ପାଖରେ ବସିଲା । ହାତଘୁରା ବିଞ୍ଚଣା ଘୂରେଇ ନିଜେ ପବନ ପାଇବା ସଙ୍ଗେ ସଙ୍ଗେ ପିଲାମାନଙ୍କୁ ବି ଟିକିଏ ବିଞ୍ଚିଦଉଚି । ହାତକୁ ଥରେ ଥରେ ଲମ୍ବେଇ ସୁନନ୍ଦକୁ ମଧ୍ୟ ଟିକିଏ ପବନ ଖୁଆଉଛି । ପିଠିଆଡ଼ୁ କାଞ୍ଚୁଲି ଖଣ୍ଡିକ ବେକମୂଳ ଯାଏଁ ଉଠେଇ ଝିଅକୁ କହିଲା—“ପୁତଳୀଲୋ, ପିଠିଟା ଟିକିଏ କୁଣ୍ଡେଇଦେଲୁ ମା; ଘିମିରିଗୁରା ବଡ଼ ରିଗି ରିଗଉଚି ।”

 

—“ମୁଁ ପାରିବିନି, ଯା ।” କହି ପୁତଳୀ ପୁଣି ସାନଭାଇ ସାଥିରେ ଖେଣ୍ଟିଆ-ଖେଣ୍ଟି ଲାଗି ଟଣାଓଟରା କଲା । ଦୁଇ ତିନିଥର କହିବା ପରେ ଯେତେବେଳେ ମା’ କଥାକୁ ଝିଅ ଗାଲେଇଲା, ସେତେବେଳେ ସୁନନ୍ଦ ସ୍ତ୍ରୀର ରକ୍ଷାକବଚ ସଦୃଶ ଧମକେଇ କହିଲା—“କରିଦଉନୁ କାହିଁକି ଲୋ !”

 

ବାପାଙ୍କର ଗୋଟାଏ ଧମକରେ ଖୁସ୍‌ଖାସ୍‌ ଉଠି ମା’ର ପିଠିରେ ଯାହିତାହି ହାତ ବୁଲେଇଲା ପୁତଳୀ । ମା’ ସାନପୁଅକୁ ପାଖକୁ ଆସିବାକୁ ନିର୍ଦ୍ଦେଶ ଦେଲା—“ପାଖକୁ ଆସୁନୁରେ, ପବନ ଯଦି ପାଇବୁ ।” କହୁ କହୁ ସୁନନ୍ଦ ଆଡକୁ ବିଞ୍ଚଣା ଲମ୍ବେଇ ଥରେ ବିଞ୍ଚିଲା ।

 

ଗୁହାଳରେ ବାଛୁରୀଟାଏ ହମ୍ବାରଡ଼ି ଛାଡ଼ିଛି । ମା’ ଚିତ୍କାର କଲା—“ସରୁଧନ୍‌ ରେ, ବାପା, ଡିବିଟା ନେଇ ଗୁହାଳକୁ ଟିକିଏ ଆଇଲୁ—‘ମୁଗୀ’ଟା ଆଇଲା ନାଇଁ, ବାଛୁରୀଟା ବୋବାଳି ଛାଡ଼ିଛି, ଦେଖ୍‌ ତ ଅର୍ଗଳୀ ପାଖରେ ଆଇଲାଣି ଯଦି ଗୁହାଳେ ଭର୍ତ୍ତିକରି ଏକେବାରେ ବାନ୍ଧିଦେଇ ଯା, ବାପା !”

 

ସରୁଧନ ବଡ଼ଘରେ ବସି ପଢ଼ୁଥିଲା । ଆପତ୍ତି କରିବା ସ୍ଵରରେ ଉତ୍ତରଦେଲା—“ମୁଁ ଯାଇ ପାରିବିନି ତ । ଦେଖୁଚୁ ସଂସ୍କୃତ ବ୍ୟାକରଣ ଘୋଷୁଚି ।” ମା’ ବାପା ଶୁଣିପାରିଲା ଭଳି ସରୁଧନ ଘୋଷିବାକୁ ଲାଗିଲା—“ଅଭବତ୍‌, ଅଭବତାମ୍‌, ଅଭବନ୍‌.... ।”

 

—“ଆ ବାପା, ମୋ ସୁନାଟା ପରା, ଗାଈଟାକୁ ଭର୍ତ୍ତି କରିଦେଇ ଯିବୁଭାରି ଯେ ।”

 

ପୂର୍ବାପେକ୍ଷା ଆହୁରି ବଡ଼ପାଟିରେ ସେ ଚିତ୍କାର କଲା—“ଅଭବତ୍‍, ଅଭବତାମ୍‌, ଅଭବନ୍‍..... ।”

 

ସରୁଧନର ଉଚ୍ଚାରଣ ସହିତ ତାଳ ଦେଇ ବାଛୁରୀଟି ରଡ଼ି ଛାଡ଼ୁଥିଲା—“ହମ୍ମା.... ହ.... ମ୍ମା.... ।”

 

—“ଆରେ, ଟିକିଏ ପାଠ ବନ୍ଦ କରି ଆସେ ଭଲା !”

 

—“କାଲିକି ପାଠ ପଇଠ ନ ଦେଲେ ମୁଁ ସିନା ବେତ ଖାଇବି—ସାନ ସେଠି ବସି କଣ କରୁଚି କି ? ସେ ଯାଉନି....”

 

—“ଛୁଆଟା ସାଙ୍ଗରେ ତୋର ଏଡ଼େ ବାଦବୁଦିଆ କାହିଁକିରେ ? ସେ ଏକାଟିଆ ଗୁହାଳକୁ ଡରିବ ନାଇଁ ? —ତୁ ଡିବିଟା ନେଇ ଆଇଲୁ ବାପ !”

 

ଉତ୍ତରରେ ସରୁଧନ କେବଳ କହିଲା—‘‘ଅଭବମ୍‌, ଅଭବାବ, ଅଭବାମ ।”

 

ପୁଅ ଉଠି ନଆସିବା ଦେଖି ନିର୍ଦ୍ଦେଶ ସ୍ଵରରେ ସୁନନ୍ଦ କହିଲା—“ହଇରେ, କି ବଡ଼ ପାଠଟାଏ ପଢ଼ି ପକଉଚୁ ? ଗୋଟେ ତ ଘରର କୁଟାଖଣ୍ଡକ ଦି’ଖଣ୍ଡ ନ କରି ପଢ଼ୁ ପଢ଼ୁ ମାଇନର୍‌ଟା ଡେଇଁପାରିଲା ନାଇଁ । ତୋ’ର ପୁଣି ସେଇ ଗତି ହବ ନା କଣ ?”

 

ଟାଣୁଆ ମାଟି ପାଇଲେ ବିରାଡ଼ି ବି ନଖ ରାମ୍ପୁଡ଼େ । ମନେ ମନେ ଗରଗର ହୋଇ ହାତରେ ଡିବିଟା ନେଇ ସରୁଧନ ଅଗତ୍ୟା ବାହାରି ଆସିବାକୁ ବାଧ୍ୟ ହେଲା । ଅଗଣାରେ ପାଦ ଦଉ-ନଦଉଣୁ ସୁନନ୍ଦ ପୁଣି ନିର୍ଦ୍ଦେଶିଲା—“ସାନ ହାତରେ ଡିବିଟା ଦେଇ ତୁ ଯାଇ ଗାଈଟାକୁ ବାନ୍ଧିଦେ । ଭାଡ଼ିରୁ ମୁଠେ ପାଳ କାଢ଼ି ଦୁହାଁଗାଈକୁ ଦେଇ ଆସିବୁ । ମୁଁ ଆଉ ଯେମିତି ନଉଠେ ।”

 

କାକ ଜ୍ୟୋତ୍ସ୍ନା । ଡିବିର ଆବଶ୍ୟକତା ନଥିଲା । ଅପଦେବତାର ଭୟରେ କିନ୍ତୁ ପୁଅ-ଦୁହେଁ ଡିବିଟା ସାଙ୍ଗରେ ନେଇଗଲେ । ଅର୍ଗଳୀ ପାଖରେ କିନ୍ତୁ ‘ମୁର୍ଗା’ ଗାଈ ନାହିଁ । ମାଘିଘର ବଛାଟା ହିଁ ଅର୍ଗଳୀରେ ମୁଣ୍ଡ ପଶେଇ ଅର୍ଗଳୀ ଖୋଲି ଗୁହାଳେ ପଶିବାକୁ ଚେଷ୍ଟାରତ । ସରୁଧନ ପ୍ରଭୃତିଙ୍କୁ ଅର୍ଗଳୀ ପାଖରେ ଦେଖି ସିଏ ତାର ଦୌଡ଼ି ଦେଇ ଛୁ । ସରୁଧନ କିନ୍ତୁ ଛାଡ଼ିଲା ନାହିଁ; ତଳୁ ବାଉଁଶ ଫାଳିଆଟେ ଉଠେଇ ମାଇଲା ଏକ ଫୋପଡ଼ । ତା’ପରେ ଗୁହାଳେ ପଶି ଗାଈ କେଇଟାଙ୍କ ମୁହଁରେ ପାଳ ମୁଠେ ମୁଠେ ଦେଇ ଦୁହେଁ ଫେରିଲେ ଅଗଣାକୁ ।

 

—“ମୁଗୀ ନୁହେଁ ମ—ମାଘିଘର ବଛାଟା ଗୁହାଳେ ପଶୁଥିଲା ।” ଏତକ କହି ସରୁଧନ ମା’ ପାଖରେ ବସିପଡ଼ିଲା ।

 

—“ସେଇଟା ହରଦମ୍‌ ଆସି ପାଳରେ ମୁହଁ ଦେଲା ହୋ । ମାଲିକ ବାନ୍ଧିରଖୁନି କି ବାଡ଼ଉ ବି ନାହିଁ । କାଆଲି ମାଘିକୁ କହିବାକୁ ହବ ।” ପୁଣି ସରୁଧନ ଆଡ଼କୁ ଅନେଇ କହିଲା—“ତୁ ପୁଣି ଏଠି କାହିଁକି ବସିଗଲୁ ? ଭାରି ତ ପଢ଼ିପକଉଥିଲୁ, ଯାଉନୁ କାହିଁକି ?”

 

ସରୁଧନ ତରଫରୁ ମା’ ଉତ୍ତର ଦେଲା—“ପିଲାଟା ଟିକିଏ ବସୁ; ସେଇ ମୁହଁ-ସଞ୍ଜରୁ ଭିତରଟାରେ ପଶି ଗରମରେ ସିଝି ଗଲାଣି ।” ପୁଅଝିଅଙ୍କ ଗହଣରେ ବସିବାର ଆନନ୍ଦ ମା’ କଥାରୁ ସ୍ପଷ୍ଟ ପ୍ରକାଶିତ ହେଲା । ସଙ୍ଗେ ସଙ୍ଗେ ସରୁଧନ ଆଡ଼କୁ ହାତ ଲମ୍ବେଇ ଟିକିଏ ବେଶୀ ବିଞ୍ଚି ଦେଲା ମା’ ।

 

ଟିକିଏ ପରେ ପୁଣି ବାଛୁରୀଟା ହମ୍ବା ରଡ଼ି ଛାଡ଼ିଲା । ସ୍ତ୍ରୀ ଆଡ଼କୁ ଚାହଁ ସୁନନ୍ଦ କହିଲା–“ଗାଈଟା ନଆସିଲେ ଏଇଟା ସାରା ରାତି ଏମିତି ବୋବାଳି ଛାଡ଼ିଥିବ ସିନା ! ମନୋହରଟା ଏବେ ଗଲା କୁଆଡ଼େ । କାହା ବାଡ଼ିରେ ଅବା ଅଛି, ଯାଇ ଖୋଜି-ଲୋଡ଼ି ଆଣି ଆସନ୍ତା ନାହିଁ ନା-? ରାତିଟାରେ ସେ ଯାଏ କୋଉଠିକି ଯେ ?”

 

—“ତମେ ଜାଣିନା କି ? ଗ୍ରାମମଙ୍ଗଳ ସଭା ଗଢ଼ା ହେଇଚି ପରା ! ଆମ ମନୋହରକୁ ସେଥିରେ ମେମ୍ବର କରିଚନ୍ତି ।” ପଛ କଥାପଦକ କହୁ କହୁ ମା’ ଗର୍ବରେ ଫୁଲି ଉଠିଲା ।

 

—“ପୁଣି ସେଥିରେ ମାତିଲାଣି ! ଧରଣୀ ସାଙ୍ଗରେ ସେଦିନ ସମସ୍ତିଙ୍କି ହାତକଡ଼ି ଲଗେଇ ନେବା କଥା ଭୁଲିଗଲାଣି ପରା ? ଏଇ ଧରଣୀଟା ହିଁ ଗାଁର ସକଳ ଅନିଷ୍ଟର ମୂଳ । ଦେଖୁନ, ସାରା ଗାଁଟାରେ କେମିତି ବିଷ ବୁଣି ଦେଇଗଲା । ପାଇଲା ନା ଫଳ ଏବେ ? ଦୁଇବର୍ଷ କୋଠାଘରେ ଘଣା ପେଲୁଥିବ ଯେ ?” କଥା କହିବା ସଙ୍ଗେ ସଙ୍ଗେ ଟୋକେଇ ବୁଣିବାରେ ଲାଗିଲା ସୁନନ୍ଦ ।

 

—“ଏକା ଧରଣୀର ଦୋଷ କାହିଁକି—ଗାଁର ସମସ୍ତେ କହୁନଥିଲେ କି, ରଜା ଖଜଣା ବଢ଼େଇ ଲୋକଙ୍କୁ ତଣ୍ଡିଲେ ବୋଲି ? ଧରଣୀ ସିନା ଖୋଲି କହୁଥିଲା !”

 

—“ହଁ ହେ, ଦାଣ୍ଡପିଣ୍ଡାରେ ବସି ରଜାଙ୍କୁ ବି ସମାଲୋଚନା କରାଯାଇପାରେ । ତା’ ବୋଲି ମିଟିଙ୍ଗି କରି ଖଜଣା ନଦବାକୁ ଲୋକଙ୍କୁ ବତାଇବା କ’ଣ ଉଚିତ ଥିଲା କି ?”

 

—“ବନ୍ଧୁ ଆଗରେ କହିବି, ହାତୀ କପାଳରେ ଖେଞ୍ଚିବ । ଯାହା ତ କରିବ ଦେଖେଇ ଦେଖେଇ କରିବ—ପେଟ ଭିତରେ ଗୋଳେଇ-ଗାଳେଇ ରଖି କି ଲାଭ ?”

 

—“ଦେଖୁଚି ତୁ ତ ଭଲେଣ୍ଟିଅରଙ୍କ ଭଳିଆ କଥା କହି ଶିଖିଲୁଣି ?” ବ୍ୟଙ୍ଗ ଭାବରେ ସୁନନ୍ଦ କହିଲା ।

 

ବିଞ୍ଚଣାଟାକୁ ଜୋର୍‌ରେ ଘୂରେଇ ମନୋହର-ମା କହିଲା—“ସିଧାସଳଖ କଥା କହିଲେ ମରମକୁ ଭେଦିଯାଏ ପରା !”

 

—“ମରମରେ ଭେଦୁ ନଭେଦୁ, ପୋଲିସ ଯେତେବେଳେ ଘର ଖାନତଲାସ କରିବ ସେତିକିବେଳେ ବୁଝିବୁ, ରହିଥା ।”

 

ପୋଲିସର ନାଁ ଶୁଣି ପୁଅଝିଅମାନେ ବିଳିବିଳେଇ ଉଠିଲେ । ଟିକିଏ ରହି, କାଠି କେଇଟା ଗଣି ଗଣି ଭରି ସୁନନ୍ଦ କହିଚାଲିଲା— “ଆଜିଯାଏ ଜାଣି ଆମ ଘରକୁ ଖାନତଲାସ୍ କରିବାକୁ ପୋଲିସ ଆସିନି । ଭାଗ୍ୟକୁ ହାଲୋଓ୍ୱ । ଗାଁର ଲମ୍ବୋଦର ଥାନାକୁ ହେଡ୍‌-କନେଷ୍ଟବଲ ହେଇଆସିଚି । ଆମ ସହିତ କେଉଁକାଳରୁ ତାର ସମ୍ପର୍କ—ଯିବା ଆସିବା—ସେଇଥିପାଇଁ ରକ୍ଷା ପାଇଯାଇଚେ ଆମେ । ସେ ହିଁ ମନୋହରକୁ ଜେଲ୍‌ରୁ ମୁକୁଳାଇ ଆଣିଚି ବୋଲି କହିଲେ ଚଳେ ।”

 

—“ଇସ୍‌, ରଜା ହାତରେ କ୍ଷମତା ଥିଲେ ଯେତେବେଳେ ହେଲେ ଯେମିତି ହଉ ଉଠାବସା କରାଇବ ତ । ତୁମେ ମୁଁ ତାକୁ କେମିତି ବାଧା ଦେଇପାରିବା ?” ଦୀର୍ଘନିଶ୍ଵାସ ଛାଡ଼ି ମନୋହର-ମା’ ଏତକ କହିଲା ।

 

—“ସେ ସବୁ ରାଜଭବନର ବଡ଼ ବଡ଼ କଥାକୁ ରଖିଦେଇଥା । ମନୋହରକୁ କହିବୁ ସେ ସବୁ ସଭାସମିତିରୁ ଦୂରରେ ରହିବାକୁ । ରାତିଯାଏ ବସି ସରକାର ବିପକ୍ଷରେ ମିଟିଂ କରିବା ଦରକାର ନାହିଁ ଆମର-ଭଲେଣ୍ଟିଅର ବି ହବା ଦରକାର ନାହିଁ । ଆଜିକାଲି ସରକାରଙ୍କର ଯେମିତି ଗୁପ୍ତ ନଜର, ସେଥିରେ କାହାକୁ କେତେବେଳେ ଧରିନବ ଠିକ୍‌ ନାହିଁ । କେହି କୁଆଡ଼େ ଶୁଣୁଥିବ ପରା ବୋଲି ସୁନନ୍ଦ ମୁଣ୍ଡ ଟେକି ଏପାଖ ସେପାଖ ନିଘା କଲା ।

 

—“ପୁଅ ବଡ଼ହେଲା, ଖାଲି ଘରଟାରେ ଏବେ ତାର ମନ ଲାଗିବ ଭଲା କେମିତି କୁହତ ? ସେ ‘ହୋଜାଇ’ ହଉ, ‘ଯମୁନାମୁଖ’ ହଉ, ମାଟିକାମ କରିବାକୁ ଯିବାକୁ ଗୋଡ଼ ଟେକିଚି । ଆଜିକି ଦି’ ବରଷ ହେଲା କରିବା କରିବା ବୋଲି ବାହାଘରଟା ତା’ର କରିହେଲା ନାହିଁ ।” କଥା ଶେଷରେ ଦୀର୍ଘନିଶ୍ଵାସ ଟାଣିଲା ମନୋହର-ମା’ ।

 

—‘‘କରିବା ବୋଲି କହିଦେଲେ କ’ଣ ବାହାଘରଟାଏ ସହଜରେ କରିହବ ? ଝିଅ ମନକୁ ପାଇଲେ ବି ସେମାନେ ତ ପୁଣି ଚଢ଼ାଦର କରିବେ ?”

 

—“କମ୍‌ ଝିଅ ଦେଖା ହେଲାଣି ? ତମେ ତ କିଛି ନା କିଛି ଛିଦ୍ର କାଢ଼ି ସବୁକୁ ଭାଙ୍ଗିଲ-।”

 

—“ଆଚ୍ଛା ତୁ କହିଲୁ ଦେଖି, ଦୀଘଲଦରିର ଝିଅଟାକୁ ଆଣିପାରିବୁ ? ଅବଶ୍ୟ କାମ-କାର୍ଯ୍ୟରେ, ସ୍ଵଭାବ-ଚରିତ୍ରରେ ଝିଅଟା ଭଲବୋଲି ସାଇପଡ଼ିଶାଏ କହୁଚନ୍ତି । ହେଲେ ବାପ ମା’ଙ୍କର ଗାଈଗୁହାଳ ପରି ଗୁହାଳେ ପିଲାଛୁଆ—ଏ ପାଖରେ ଜମିବାଡ଼ି ଆଡ଼ୁ ନଦାରଦ । ସେଇ ଘରୁ ଝିଅ ଆଣିଲେ ଆପଦ-ବିପଦବେଳେ ସାହାଯ୍ୟ ପାଇବା ଦୂରେ ଥାଉ, ଓଲଟି ଦେବାକୁ ପଡ଼ିବ ନାହିଁ କି ?”

 

—“ତାହେଲେ ତେନ୍ତଳିସରା ଭୂୟାଁଘର ଝିଅ କଥା ବୁଝାସୁଝା କରୁନା କାହିଁକି ? ଜାତିକୁଳ ତ ବାଛିବାକୁ ନାହିଁ, ସମ୍ପତ୍ତି ବାଡ଼ି ଭରପୂର.... ।”

 

—“ବାପ ଯେ ତେଣେ ଛକୋଡ଼ି ‘ଗା-ଧନ’* ନନେଲେ ଝିଅ ଦବନି । ଦେବୋଲି କହିଲେ ଏଖିଣି ଗୋଟେ ନୁହେଁ ଯୋଡ଼େ ନୁହେଁ, ଛ’-କୋଡ଼ି ଝଙ୍କା ଆଣେ କୋଉଠୁ ?”

 

—“ଧାର କରଜ କରି ଆମେ ଥାଉଁ ଥାଉଁ ମନୋହରର ବା’ଘରଟା କରି ଘରସଂସାର କରେଇ ପାରିଲେ ଭଲ । ଏଣେ ପୁଣି ଦେଖୁ ଦେଖୁ ପୁତଳୀ ଚିନ୍ତା ମୁଣ୍ଡକୁ ଧରିବ ।”

 

*ଗା’ଧନ—ବିବାହ ନିମନ୍ତେ କନ୍ୟାପିତା ବା ଅଭିଭାବକଙ୍କୁ ବରପକ୍ଷରୁ ଦେବା ଧନ ।

 

ମା’ର କଥା ଶୁଣି ସାନପୁଅ ପୁତଳୀକୁ ରହସ୍ୟରେ ଚିମୁଟିଦେଲା । ପୁତଳୀ ଭେଁ.....ଏଁ....କିନା ରଡ଼ିଟାଏ ଛାଡ଼ି ସାନ ପାଖରୁ ଘୁଞ୍ଚି ବସିଲା ।

 

—“ଯଦି ପୁଅ ବା’ଘର କରିବାକୁ ମନ ତେବେ ଭୂୟାଁର ଝିଅକୁ ଧରାଯାଉ । ଭୂୟାଁ ଆମ ଘରେ ଝିଅ ଦବାକୁ ‘ହଁ’ ‘ନାହିଁ’ କିଛି କରିନାହିଁ । ହେଲେ ସେଇଟା କିନ୍ତୁ ମହାକୃପଣ । ଛ’କୋଡ଼ିରୁ ଫଟା-ପାହୁଲାଏ ବି କମ୍‌ କରିବ ନାହଁ ସେ ।” ଟିକିଏ ରହି ପୁଣି କହିଲା—‘‘କିନ୍ତୁ ଟଙ୍କା କୋଉଠୁ ଆଣିବା ? ଏଇ ଜ୍ୟେଷ୍ଠ ମାସରେ ଧାନର ଦର ବଢ଼ିବା ଛାଡ଼ି ଦିନକୁ ଦିନ କମିବାକୁ ବସିଲାଣି । କୋଠିର ଧାନତକ ବିକ୍ରି କରି ଏଇ ବର୍ଷ ବାହାଘର ଟଙ୍କା କାଢ଼ିବା କଷ୍ଟ ।” ପୁଣି ଚିନ୍ତା କରି ପଚାରିଲା—‘‘ଧରଣୀ-ସ୍ତ୍ରୀର କ’ଣ ଅଳଙ୍କାର ପରା ଆମ ଘରେ ଥୁଆ ହେଇଚି ହୋ ?”

 

—“ହଁ ଅଛି ତ, କ'ଣ ହେଲା ସେଇଠୁ ?”

 

—“ସେଥିରୁ ଖଣ୍ଡେ ଅଧେ ଚାନ୍ଦମଲବାବୁର ଦୋକାନରେ ବନ୍ଧକ ଦେଇ ଦୁଇଶହ ଖଣ୍ଡେ ଟଙ୍କା ଆଣିଲେ ହୁଅନ୍ତା ନାହିଁ ? କ’ଣ କହୁଚ ?” ହାତର କାଠି କେଇଟା ତଳେ ଥୋଇ ସ୍ତ୍ରୀ ମୁହଁରୁ ଉତ୍ତର ଶୁଣିବାକୁ ଉତ୍ସୁକ ହୋଇ ରହିଲା ସୁନନ୍ଦ ।

 

—“ପର ଜିନିଷ, ଏବେ ଚାହିଁଲେ ଏବେ ଦବାକୁ ହବ । ତାକୁ ଆମେ ମାରୱାଡ଼ି ପାଖରେ ବନ୍ଧକ ଥୋଇବା କେମିତି ?’’ ଆପତ୍ତି-ସ୍ଵରରେ ସ୍ତ୍ରୀ ଉତ୍ତର ଦେଲା ।

 

—“ପୁଣି କଣ ଫେରେଇ ଆଣିବା ନାହିଁ କି ? ଆହେ, ଚକେ ଗଲେ ବାରହାତ । ଧରଣୀ ଜେଲ୍‌ରୁ ମୁକୁଳିବାକୁ ଦୁଇବର୍ଷ ବାକି । ସେ ଜେଲ୍‌ରୁ ନଫେରିବା ଯାଏ ତା’ ସ୍ତ୍ରୀ ବା କାହିଁକି ଏ ଗଳଗ୍ରହଗୁଡ଼ିକୁ ଲୋଡ଼ିବ ଯେ ? ଆମର ଭଙ୍ଗାରୁଜା ଘରେ ରହିବା ଅପେକ୍ଷା ଚାନ୍ଦମଲ୍‌ ବାବୁର ଲୁହା ସିନ୍ଦୁକରେ ନିରାପଦରେ ରହିବ ନାହିଁ କି ?”

 

ସୁନନ୍ଦର ନିଶ୍ଵାସଟିଏର ବି ଅର୍ଥ ବୁଝେ ତା’ ସ୍ତ୍ରୀ । ଏଇ କ୍ଷେତ୍ରରେ ସ୍ଵାମୀ ଯେ ମନରେ କଣ ପାଞ୍ଚିଛନ୍ତି ସେ କଥା ବୁଝିବାକୁ ସ୍ତ୍ରୀକୁ ବେଶି ସମୟ ଲାଗିଲା ନାହିଁ । ଆଲୋଚନାକୁ ଆଗେଇବାକୁ ଦେଲେ ବିଷମ ଫଳ ହେବ ବୋଲି ଆଶଙ୍କା କରି ସ୍ତ୍ରୀ ତରବରରେ ଉପସଂହାରରେ କହିଲା—“ରୁହବା, ମନୋହରକୁ ନପଚାରି ଏ ବିଷୟ କିଛି କରାଯାଇ ପାରିବନି । ଧରଣୀର ସ୍ତ୍ରୀ ତା’ ହାତରେ ସେତକ ରଖିବାକୁ ଦେଇଥିଲା । ମନୋହର ତ ଛୁଇଁବାକୁ ବି ପ୍ରଥମେ ମନା କରୁଥିଲା-। ଚୋରିହାରିର ଭୟରେ ବିଚାରୀ ନିଜ ଘରେ ରଖିବାକୁ ଭୟକରି ନିହାତି ବାଧ୍ୟ କରି ମନୋହର ହାତରେ ଦେଇଚି । ଆମ ପୁଅଙ୍କ ଗୁଣ ତ ଜାଣିଚ । ସେ ଯଦି ତମ କଥା ଶୁଣେ କି ଅଘଟଣ ଘଟେଇ ବସିବ କହିହବନି ।”

 

—“ହଉ, ହେଲା, ତୁ ଟିକିଏ ତା’ର ମନ ନେଇ କଥାଟା ପକାଉନୁ । ମୁଁ ଭାବୁଚି ସେଥିରେ ଖଣ୍ଡେ ଦି’ଖଣ୍ଡ ବନ୍ଧକରେ ରଖିପାରିଲେ ଆସନ୍ତା ଅଶିଣରେ ନହେଲେ ମାଘରେ ମନୋହରର ବା’ ଘରଟା ଉଠେଇ ଦେଇ ହୁଆନ୍ତା ।”

 

ସ୍ତ୍ରୀ କୌଣସି ଉତ୍ତର ନଦେଇ ବିଞ୍ଚଣାଟାକୁ କେବଳ ଜୋର୍‌ରେ ଘୂରେଇ ଆପତ୍ତି ଜନକ ପରିସ୍ଥିତିକୁ ଏଡ଼େଇବାକୁ ଚେଷ୍ଟା କଲା । ସୁନନ୍ଦ ବି ଟୋକେଇ ବୁଣିବାରେ ମୌନ-ମନୋଯୋଗ ଦେଲା । ଆକାଶରେ ଶାନ୍ତ ନିସ୍ତବ୍‌ଧତାର ପରିବେଶ । କିଛି ସମୟ ପରେ ସମସ୍ତ ସ୍ତବ୍‌ଧତାକୁ ଭାଙ୍ଗି ଗୁହାଳର ଅର୍ଗଳଠାରୁ ମନୋହରର ପାଟି ଶୁଭିଲା—“ସରୁଧନରେ, ଡିବିଟା ଆଣି ଆସିଲୁ । ‘ମୁଗୀ’ଟାକୁ ନାମ-ଘର ପାଖରେ ପାଇ ଖେଦି ନେଇଆସିଛି ।” ରାତିରେ ବିଳମ୍ବ କରି ଫେରିଲେ ବାପା ଗାଳିମନ୍ଦ ଦେବେ; ଗାଈଟାକ ଖୋଜି ସାଙ୍ଗରେ ନେଇଆସିଛି ସେଇ ଶାସ୍ତିରୁ ରିହାତି ପାଇବ ବୋଲି ।

 

ମା’ର ହମ୍ୱାରଡ଼ି ସଙ୍ଗେ ସଙ୍ଗେ ବାଛୁରୀଟା ପୁଣି ଦୀର୍ଘ ବୋବାଳି ଛାଡ଼ିଲା । ସୁରଧନ ଆସି ଅର୍ଗଳୀ ଖୋଲି ଦେଲା ମାତ୍ରେ ମୁଗୀ ଠେଲିପେଲି ହେଇ ଗୁହାଳରେ ପଶି ବାଛୁରୀ ମୁହଁରେ ପହ୍ନାଟାକୁ ଲଗେଇଦେଲା । ଇତିମଧ୍ୟରେ ମନୋହର ମୁଗୀ ବେକରେ ପଘା ଲଗାଇଦେଲା । କେଇ ମୁହୂର୍ତ୍ତ ପାଇଁ ବାଛୁରୀକୁ ମା’ଠୁ ପିଇବାକୁ ଦେଇ ମୁଗୀକୁ ଆଣି ତା’ ଖୁଣ୍ଟରେ ବାନ୍ଧି ପାଳମୁଠେ ତା’ ମୁହଁ ପାଖରେ ଦେଇ ଦୁଇଭାଇ ଅଗଣାରେ ଆସି ପହଞ୍ଚିଲେ ।

 

—“ଏତେ ରାତିଯାଏଁ କୋଉଠି ଯାଇ ବୁଲୁଥିଲୁରେ ? ଭାତ ତୁଣ ସବୁ ଥଣ୍ଡା ହେଲାଣି । ତୋ ପାଇଁ ବୋଲି ଚାହିଁ ବସିଛୁ । ଦେଖୁଚନା ପୁତଳୀ ହେରିକା କେମିତି ଢୁଳେଇଲେଣି ।” କଥା କହୁ କହୁ ମା’ ପୁତଳୀକୁ ହଲେଇ ଦେଲେ ।

 

—“ଘୁଞ୍ଚିଲୁ ଟିକିଏ ।” କହି ସାନଭାଇର ଆଣ୍ଠୁଟା ଘୁଞ୍ଚେଇ ମନୋହର ପଟିଆରେ ବସିପଡ଼ିଲା ।

 

—‘‘ପୁତଳୀ ଲୋ, ଉଠ୍‌-ଉଠ୍‌ । ତୁ ଆଉ ସାନ ଯାଇ ଜାଗାଟା ସଫା କରି ପିଢ଼ାପାଣି ଦେଲ ।’’ ମା’ ନିର୍ଦ୍ଦେଶ ଦେଲେ ।

 

—“ମୋର ବି ଟୋକେଇଟା ସରିଲା । ଆଉ ଦି’ଟା ଗଣ୍ଠିଦବାକୁ ପଡ଼ିଲା ।” ପୁତଳୀକୁ ଲକ୍ଷ୍ୟ କରି କହିଲା—“ଯା-ଯା, ମା’, ଚଞ୍ଚଳ ଯା । ମତେ ବି ପାଣି ଲୋଟେ ଦେଇ ଯା, ମୁଁ ହାତଗୋଡ଼ ଧୋଇନିଏ ।”

 

ସାନପୁଅ ଏବଂ ପୁତଳୀକୁ ନିଦ ଲାଗିଆସୁଥିଲା । ବେଗାବେଗି ଦି’ଟା ଗିଳିଦେଇ ବିଛଣାରେ ପଡ଼ିଲେ ରକ୍ଷା । ମା’ର ଡାକରେ ଦିହେଁ ଧଡ଼ପଡ଼ ହେଇ ଉଠି ଯାଇ ରନ୍ଧାଘରେ ପଶିଲେ-। ସାନପୁଅ ଝିଅକୁ ତେଣେ ପଠାଇ, ମନୋହର ଦେହକୁ ପବନ ହେଲା ଭଳି ବିଛଣାକୁ ଜୋର୍‌ରେ ଘୂରେଇ ମା’ କହିଲା—“ତୋ’ ବା’ଘର ତେନ୍ତୁଳିସରା ଭୂୟାଁ ଘରେ କରିବାକୁ ଭାବୁଚୁଁ-। ଲୋକ ଭଲ, ଘର ଭଲ, ଝିଅ ବି ଦେଖିବାକୁ ସୁନ୍ଦର । ଟଙ୍କା ପଇସାର ସୁବିଧା ହେଲେ ତୋ ବାପା କହୁଛନ୍ତି ଅଶିଣ ପାଇଁ ଦିନ-ବାର ଦେଖନ୍ତେ; କଣ କହୁଚୁ ?”

 

କିଛି ସମୟ ପାଇଁ ତିନିଙ୍କୁ ତିନିହେଁ ନୀରବ । ପ୍ରଥମେ ମନୋହର ମୌନତା ଭାଙ୍ଗିଲା–“ଝିଅର ବାପ 'ଗା-ଧନ’ ନବ ବୋଲି କହୁଥିଲା ନା ?”

 

—“ଆରେ ନବ ତ ! ଝିଅକୁ ପାଳିପୋଷି ଉପଯୁକ୍ତ କରିଚି ଯେତେବେଳେ ‘ଗା-ଧନ’ ନ ନେଇ ଖାଲି ଖାଲି ଝିଅଟାକୁ ଦେଇଦେବ ନା ?” କଥାଟା କହିଦେଇ ସୁନନ୍ଦ ଠକ୍‌ ଠକ୍‌ କରି ବେଣ୍ଟଲଗା କଟୁରି ବେଣ୍ଟରେ ଟୋକେଇର ମୁହଁରେ ବନ୍ଧା ବେତର ଗଣ୍ଠିକୁ ପିଟିବାକୁ ଲାଗିଲା ।

 

—“ଗୋ-ଧନ ଟଙ୍କା ପାଇବ କୋଉଠୁ ଯେ ?”

 

—“ବାପ ଥାଉଣୁ ସେସବୁ ତତେ ଚିନ୍ତା କରିବାକୁ ପଡ଼ିବନି ।” କାଳେ ଅପ୍ରିୟ କଥା ମନୋହର କହିପକେଇବ ସେଇ ଭୟରେ ତରବରରେ ମା’ ଏତକ କହିଦେଲେ ।

 

—“ଯେମିତି ହଉ ଦୁଇଶହ ଖଣ୍ଡେ ଟଙ୍କା ଯୋଗାଡ଼ କରିବାକୁ ହବ । ମାର୍ଗଶିର, ନହେଲେ ପୁଷରେ ଧାନ ବିକି ଶୁଝିବା ।” ଧରଣୀ-ସ୍ତ୍ରୀର ଅଳଙ୍କାର ବନ୍ଧକରେ ଟଙ୍କା କରଜ ଆଣିବା କଥାଟା ସୁନନ୍ଦ ମନରେ ଖୁବ୍‌ ଜୋର୍‌ରେ ଖେଳୁଥିଲା । ପୁଅ ଆଗରେ କଥାଟା ଖୋଲି କିଛି ଗୋଟାଏ ନିଷ୍ପତ୍ତି କରିନବାକୁ ମନଟା ସକ୍‌ସକ୍‌ ହେଉଥିଲା ତା’ର । ଟିକିଏ ରହି ସୁନନ୍ଦ ପୁଣି ଗମ୍ଭୀର ଭାବରେ କହିଲା—“ମୁଁ ଭାବୁଚି, ଧରଣୀ-ସ୍ତ୍ରୀ ଯୋଉ ଅଳଙ୍କାର ଥୋଇବାକୁ ଦେଇଚି, ସେଥିରୁ ଖଣ୍ଡେ ଦି’ଖଣ୍ଡେ ଚାନ୍ଦମଲବାବୁର ଦୋକାନରେ ବନ୍ଧକ ଦେଇ ଦୁଇଶହ ଟଙ୍କା ଆଣନ୍ତେ । ଆମର ଏଠି ଥିଲେ ଯାହା, ଚାନ୍ଦମଲବାବୁର ସିନ୍ଦୁକରେ ଥିଲେ ସେଇ ଏକା କଥା । ମାର୍ଗଶିର ପୁଷରେ ଧାନ ବିକି ଜିନିଷ ଆଣିବା; କଣ କହୁଚୁ ?”

 

ମନୋହର ପଟିଆରେ ଯାହା ଲମ୍ବହୋଇ ପଡ଼ିଥିଲା, ବାପର କଥା ଶୁଣି ଧଡ଼୍‍କିନା ଉଠିପଡ଼ି ନାଗସାପ ଫଣା ତୋଳିଲା ପରି ସଁ-ସଁ ହେଇ କହିଲା—“ସେ କଥା ହେଇପାରିବ ନାହିଁ । ଧରଣୀ-ବୋହୂର ଅଳଙ୍କାର ବନ୍ଧକ ଥୋଇବା କଥା କୁହନା—କସ୍ମିନ୍‌ କାଳେ ନୁହେଁ ।”

 

—“ଆରେ, ତୁ ଇମିତି ଉଚ୍ଛନ୍ନ ହଉଚୁ କାହିଁକି ? ଧରଣୀ-ସ୍ତ୍ରୀର ଅଳଙ୍କାରକୁ ଆମେ କଣ ଚୋରି କରିବାକୁ ଯାଉଚେ ନା ବିକ୍ରି କରିବାକୁ ଯାଉଚେ ? ଧରଣୀ ନ ଫେରିବାଯାଏଁ ସେଇ ଆପଦଗୁଡ଼ିକୁ ନେଇ ସେ କରିବ କଣ ? ସେଇଥିପାଇଁ ମୁଁ କହୁଚି, କୁଣିଆ ରୁହନ୍ତୁ, ଚାଉଳ ବି ସିଝୁ-। ଯୋଉଠିକା ଜିନିଷ ସେଇଠି ହିଁ ରହିବ । ମଝିରେ ତୋ ବା’ଘରଟା ଉଠେଇ ନିଅନ୍ତେ ।”

 

—“ଲୋଡ଼ା ନାହିଁ—ଲୋଡ଼ା ନାହିଁ; ପର ଜିନିଷ ବନ୍ଧାରେ ଥୋଇ ମୋ ବା’ଘର ଉଠେଇବା ଲୋଡ଼ା’ ନାହିଁ । ହେଲେ ଏଥର ଅଶିଣରେ ମୋ ବା’ଘର କରିବ କେମିତି ଯେ ? ଅଶିଣରେ ମୁଁ ‘ହୋଜାଇ’ରେ ନୂଆ ମାଟିଖଣ୍ଡେ ଭାଙ୍ଗିବାକୁ ଯିବି ବୋଲି ଠିକ୍‌ କରିଚି ।”

 

—“ହଁ, ହଁ, ତୁ ଯୋଉ ମାଟି କରିବୁ ସେ କଥା ମତେ ଜଣାଅଛି । ସେ ସବୁ ବାୟାକଥା ଛାଡ଼ । ବା’ଘରଟା କେମିତି ହେଇଯାଉ, ସେଇ କଥା ଯତ୍ନ କର । ବଡ଼ପୁଅ ବା’ ଘର କରିବ କରିବ ବୋଲି ମା’ ଯେ ପାଗଳୀ ହେଲାଣି ।”

 

ବାପର କୁଟିଳ-କୁଚକ୍ରାନ୍ତ ସହିତ ମା’ ଯୋଗଦେଇଛି ବୋଲି ମନୋହରର ରାଗ ଆଗ ଅପେକ୍ଷା ବେଶୀ ଚଢ଼ିଲା । ମା’ ଆଡ଼କୁ ଚାହଁ ବଡ଼ପାଟି କରି କହିଲା—“ଧରଣୀ-ସ୍ତ୍ରୀର ଗହଣା-ଗଣ୍ଠୁଲିଟା କାଲିରେ ବାହାର କରିଦବୁ ତ; ମୁଁ ଯାଇ ଫେରେଇ ଦେଇ ଆସିବି । ତମମାନଙ୍କ ହାତରେ ଥିଲେ କୋଉ ଦିନ ଯେ ବିକିଭାଙ୍ଗି ଖାଇଦବ, ତାର କିଛି ଠିକ୍‌ ଠିକଣା ନାହିଁ ।”

 

—“ଯା-ଯା-ଯା....ଦେଇ ଆସିବୁ । ଯା ଧରଣୀର ଅଳଙ୍କାରରେ ଆମେ ଧନୀ ହବାକୁ ଯାଉନୁ—ମୂର୍ଖ କୋଉଠିକାର ।” ପାଛିଆର ବନ୍ଧାଟା ଟାଣ ହେଲା ନା ନାହିଁ ଦେଖିବାକୁ ସୁନନ୍ଦ ପାଛିଆଟାକୁ ତଳେ ବାଡ଼େଇ, ଉଠି ଆସୁଥିବା ରାଗକୁ ଶାନ୍ତ କଲା ।

 

ଭାଗ୍ୟର ନିଷ୍ଠୁରତମ ଆଘାତ ଆନନ୍ଦର ମୁହୂର୍ତ୍ତରେ ହିଁ ଆସିଥାଏ । ପୁଅର ହବାକୁ ଥିବା ବାହାଘରଟା ପୁଣି ଅନିର୍ଦ୍ଦିଷ୍ଟ କାଳ ଯାଏଁ ସ୍ଥଗିତ ରହିବାରୁ ହତାଶର ନିଶ୍ଵାସ ଛାଡ଼ିଲା ମନୋହର-ମା’-। ଅଗଣାରେ ବସିରହିଲେ ବାପ ପୁଅଙ୍କ ବାକ୍‌ବିତଣ୍ଡା କୁରୁକ୍ଷେତ୍ରରେ ପରିଣତ ହେବ ଆଶଙ୍କା କରି, ଭାରାକ୍ରାନ୍ତ ମନ ନେଇ ମା’ ଖନ୍ଦାଶାଳକୁ ଉଠିଗଲେ । ଅକସ୍ମାତ୍‌ ସନ୍ଧ୍ୟାର ଶାନ୍ତ ଘରୋଇ ପରିବେଶଟା ତିକ୍ତତାରେ ପରିପୂର୍ଣ୍ଣ ହୋଇପଡ଼ିଲା । ନିଦ୍ରାଳସ ଆକାଶର ତାରାମାନେ ବି ଦୁଃଖରେ ଗୋଟିଏ ଗୋଟିଏ କରି ଆଖି ବନ୍ଦ କଲେ ।

 

ଦଶ

 

ଚାହୁଁ ଚାହୁଁ କ୍ଳାନ୍ତ ଶ୍ରାନ୍ତ, ପୁରାତନ ବର୍ଷଟା ନୂତନ ରୂପ ନେଲା । ସପ୍ତରଙ୍ଗର ସ୍କନ୍ଧବାସ ଦେହରେ ଢାଙ୍କି ହୋଇ ଗ୍ରାମ୍ୟ-ପ୍ରକୃତି ‘ବହାଗ-ବିହୁ’କୁ ସ୍ଵାଗତ ଜଣାଇବା ସକାଶେ ତତ୍ପର ହୋଇଉଠିଲା । ସାରାଟା ବର୍ଷ ଖରାବର୍ଷାରେ ଜର୍ଜରିତ ବୃକ୍ଷଲତା ବହାଗବିହୁର ଆଗମନର ପଦଧ୍ଵନିରେ ଗୁଞ୍ଜରି ଉଠିଲା । ଏତେଦିନ ଧରି ଆଖି ପଡ଼ୁନଥିବା, ଚିରସବୁଜ ବୃକ୍ଷ ‘କପୌ’* ଫୁଲର ବେହରଣ ପିନ୍ଧି ଅକସ୍ମାତ୍ ଯୁବତୀ-ଝିଅଙ୍କ ସନ୍ଧାନୀ-ଚକ୍ଷୁକୁ ଆକର୍ଷଣ କଲା । ରାତିକ ଭିତରେ ସୁନାରିଗଛର ଅଙ୍ଗରେ କେହି ଆସି ସ୍ଵର୍ଣ୍ଣମଣି ପିନ୍ଧେଇ ଦେଇଗଲା—ମନ୍ଦାରର ଗାଲରେ ମୁହଁରେ ଅବିର ବୋଳିଲା । ପଥପ୍ରାନ୍ତର ନାଗେଶ୍ଵର-ମୁକୁଟରେ ରୌପ୍ୟ-ଉଜ୍ଜଳିମା ଉକୁଟିଉଠିଲା । ନାଗେଶ୍ୱର ଦେହରେ ଲୋଟିପଡ଼ିଥିବା ମାଧବୀ ମାଳତୀ ଲତା ରଙ୍ଗମୟ ହେଲା । ଘର ଚଟାଣରେ ଘରଚଟିଆଏ ଚିଁ-ଚାଁ କରି ସମସ୍ଵରରେ ଗୀତ ରାଗିଣୀ ଛୁଟେଇଲେ । ଆମ୍ବଗଛର ଡାଳେ ଡେଇଁ ଡେଇଁ କୋଇଲି ନୃତ୍ୟର ଛଟା ଦେଖାଇଲା । ‘ସଖୀ କାହିଁ’, ‘ସଖୀ କାହିଁ’ ବୋଲି ପ୍ରିୟଜନମାନଙ୍କୁ ଖୋଜି କଳରବ କରୁଥିବା ‘ସଖୀୟତୀ’*ର ବିରହ ସ୍ଵର ଗାଁର ବୋହୂ-ଝିଅଙ୍କ ପ୍ରାଣରେ ବ୍ୟାକୁଳତାର ସଙ୍କେତ ଦେଲା ।

 

* କପୈାଫୁଲ—ଗୋଟିଏ ଗଛରୁ ଜାତ ଏକପ୍ରକାର ଲତାର ଫୁଲ ।

 

ଯୌବନ-ଉନ୍ମନା ପ୍ରକୃତିର ପରଶରେ, ରଙ୍ଗଢଳା ‘ରଙ୍ଗାଲୀ-ବିହୁ’ର ଆଗମନରେ ଦୁଃଖ-ଦୈନ୍ୟ-ପ୍ରପୀଡ଼ିତ, ଅଭାବ-ଅନଟନ-ଗ୍ରସ୍ତ, ଜରା-ମୃତ୍ୟୁ ଜର୍ଜ୍ଜରିତ, ନିଷ୍ପ୍ରାଣ ଗାଉଁଲି ଜୀବନରେ ଦୁଇଦିନ ପାଇଁ ହେଲେ ବି ଯୌବନର ସୁନେଲୀ ସ୍ଵପ୍ନ ଭାସିଉଠିଲା । କାନ୍ଥରେ ଟଙ୍ଗା ଢୋଲରେ ବହୁଦିନ ପରେ ସ୍ନେହର-ଚାପଡ଼ ପଡ଼ିଲା; ପଡ଼ିରହିଥିବା ମହିଁଷୀ-ଶିଙ୍ଗର ପେଁକାଳିରେ ମନକୁ ପାଗଳ କଲାଭଳି ଉଦାସ ସୁର ବାଜିଉଠିଲା । ପାଣିକି ଯିବା ଯୁବତୀଙ୍କ ନୃତ୍ୟରତ ପଦପାତ, ମୁଖର ହସ କଲଙ୍ଗ-କୂଳର ଆଖୁବଣରେ ଫୁଲ ଫୁଟେଇଲା । ବସନ୍ତର ସମାରୋହ କଲଙ୍ଗର ଦୁଇ କୂଳକୁ ଭରପୂର କରିଦେଲା । ଶାଳରେ ଶାଳରେ କେଣ୍ଡାର ଖଟ୍‌ ଖଟ୍‌, ଅରଟେ ଅରଟେ ନଟେଇର ଘର୍‌ ଘର୍‌, ଘରେ ଘରେ ଢେଙ୍କିର ଦୁମ୍‌ ଦୁମ୍‌ ନୃତ୍ୟ ଛନ୍ଦରେ ନିନାଦିତ ହେଲା । ଯେଉଁଆଡ଼େ ଚାହିଁଲେ ସେଇଆଡ଼େ ଆନନର ଉଦ୍ଦୀପନା-ପ୍ରକାଶ-ଅସମର୍ଥ ଅନ୍ତରର ବିରାଟ ଆକୁଳତା !

 

ଉତ୍ସବ-ଆନନ୍ଦର ଅବସରରେ ପ୍ରତ୍ୟେକଙ୍କର ମନେପଡ଼ିଲେ ଦୂରରେ ଥିବା ଆପଣା ଲୋକେ । ପ୍ରତିଟି ଘରୁ ଜଣେ ନା ଜଣେ ଜେଲ୍‌ ସେତେବେଳେ । ସେମାନଙ୍କ ପାଇଁ ‘ବିହୁଆନ୍‌’ ଏବଂ ଚୁଡ଼ା-ପିଠା ପଠାଇବାରେ ତତ୍‌ପରତା ଦେଖାଦେଲା । ଟଗରର ନିରାନନ୍ଦ ଜୀବନରେ ବି ଆନନ୍ଦର ହସ ଫୁଟିଉଠିଲା । ଧରଣୀ ପାଇଁ ଗାମୁଛାରେ ଫୁଲ ପକେଇଲା । ଚୁଡ଼ା-ଚାଉଳ କୁଟିଲା-। ପିଠାପଣା ତିଆରି କଲା । ଏଥର କିନ୍ତୁ ମନୋହର ନ ଥିଲା ନେଇ ଯିବାକୁ । ବାପ ସଙ୍ଗରେ କଜିଆ କରି ମନୋହର ଘର ଛାଡ଼ି ଯାଇ ଏବେ ହୋଜାଇରେ କୁଡ଼ିଆ ବାନ୍ଧିଛି । ଗତ ଛଅମାସ ଧରି ଘର ସହିତ ସମ୍ପର୍କ ନାହିଁ । ଭେଦୋର ମଝିଆଁ ପୁଅ ଜଇଗକୁ ଖୋସାମତ ବରାମତ କରି ପିଠାପଣାର ଗଣ୍ଠିଲିଟା ଦେଇ ‘ଉରୁକା’ର*** ପୂର୍ବଦିନ ଧରଣୀ ପାଖକୁ ପଠାଇଲା ଟଗର-

 

ବିହୁ ଉତ୍ସବର ଅନ୍ତ ହେଇଯାଇନି । କଲଙ୍ଗ-କୂଳର ମନ ଉଡ଼େଇନିବା ମାଦକତା ଏବେ ବି ମରିଯାଇନି । ଜୀବନରେ ଶତ-ସହସ୍ରବାର ସାକ୍ଷାତ୍‌ ହୋଇଥିବା କଲଙ୍ଗ-କୁଳ କଣ ଯେମିତି ଅପରିସୀମ ରହସ୍ୟ ଲୁଚେଇ ରଖିଛି । ଅପରାହ୍‌ଣ, ଗୋଧୂଳିରେ ରହି ରହି ବାଜି ଉଠୁଥିବା ଢୋଲର ଶବ୍ଦ ଏବେ ବି ଯୁବକ-ଯୁବତୀମାନଙ୍କୁ ଆନନ୍ଦ ବେଦନାରେ ଉଦାସ କରି ତୋଳୁଛି । କାଖର କଳସୀକୁ କୂଳରେ ଥୋଇ ପାଣିକୁ ଯାଇଥିବା ଯୁବତୀଦଳଙ୍କୁ ଏବେ ବି କଲଙ୍ଗ କୂଳରେ ଢୋଲବାଦ୍ୟର ତାଳେ ତାଳେ ନାଚେ ନାଚିବାକୁ ପାଗଳ କରି ପକାଏ । କଲଙ୍ଗ କୂଳର ପୀପ୍‌ଳ ବୃକ୍ଷରୁ କପୈଫୁଲ ତୋଳି ଝିଅମାନେ ଏବେ ବି ତାଙ୍କର ତାଲିଆ ଖୋସାରେ ଖୋସନ୍ତି । ବୈଶାଖର ବଢ଼ିପାଣିରେ କଲଙ୍ଗ ବକ୍ଷରେ ପହଁରିବାକୁ ଟୋକାଗୁଡ଼ାଙ୍କର କି ଉନ୍ମାଦନା ସତେ !!!

 

* ସଖୀୟତୀ—ଏକପ୍ରକାର ଚଢ଼େଇ । ଯାହାର ସ୍ଵର ‘ସଖୀକତ୍‌’ ‘ସଖୀକତ୍‌’ (ସଖୀ କାହିଁ, ସଖୀ କାହିଁ) ଭଳି ଶୁଭେ ।

 

** ବିହୁଆନ୍‌—ବିହୁପର୍ବ ଉପଲକ୍ଷେ ଆତ୍ମୀୟସ୍ଵଜନ ଅଥବା ପ୍ରେମିକ-ପ୍ରେମିକାଙ୍କ ମଧ୍ୟରେ ଯେଉଁ ଫୁଲପକା ହାତବୁଣା ଗାମୁଛା ଉପହାର ସ୍ଵରପ ଆଦାନ-ପ୍ରଦାନ ହୁଏ ।

 

*** ଉରୁକା—‘ବିହୁ’ର ପୂର୍ବଦିନ ।

 

ଏ ଘରେ, ସେଘରେ ବିହୁ ଉତ୍ସବ ପାଳନ କରିବାକୁ ଆସି ଯାଆ ଏଯାଏଁ ଚାଲିଛି । ଅତି ସ୍ନେହର ବହାଗ-ବିହୁକୁ ଛାଡ଼ିବା ହେଇ ବୁଢ଼ା, ଟୋକା କାହାରି ବି ମନ ଯାଇନି ଛାଡ଼ିବାକୁ । ଉପରବେଳା ସୁନନ୍ଦ ଘରେ ‘ବିହୁ’ ଖାଇ, କମଳୀକୁ ଧରି ଟଗର ଘରକୁ ଫେରୁଥିଲା । ଅଗଣାକୁ ପଶିଯିବାକୁ ବାହାରୁଚି, ତାଟି ମୁହଁରେ ମିଠାରାମ-ପିଅନ ପଚାରିଲା—ତୁମେ ଧରଣୀ ମାଷ୍ଟରର ସ୍ତ୍ରୀ ଟଗର କଳିତାଣୀ, ନା ?”

 

ପାଟିରେ ଚୋବାଉଥିବା ଗୁଆଖଣ୍ଡିକୁ କଳରେ ଏକପାଖିଆ କରି ଟଗର ଉତ୍ତର ଦେଲା–“ହଁ ତ ।”

—“ଦେଖିଲ, ଏଇଟା ତୁମର ଚିଠି ନା ? ମାଷ୍ଟରର ମାରଫତରେ ଆସିଛି ।” ଚିଠି ଖଣ୍ଡିକ ଟଗର ହାତକୁ ବଢ଼ାଇ ଦଉ ଦଉ ମିଠାରାମ ପୁଣି ପଚାରିଲା—“ପଢ଼ି ଜାଣିଚ ତ ?” ମିଠାରାମ ଭାବୁଥିଲା ଟଗର ତାକୁଇ ଚିଠି ଖଣ୍ଡକ ପଢ଼ିବାକୁ ଦବ ବୋଲି । ତା ଯଦି ହେଇଥାନ୍ତା, ଧରଣୀ ମାଷ୍ଟରର ଘରକୁ ଆସିଥିବା ନୂତନ ସମ୍ବାଦକୁ ଗାଁରେ ପ୍ରଚାର କରି ପାରିଥାନ୍ତା । ଟଗର ମୁଣ୍ଡ ଟୁଙ୍ଗାରି ‘ହଁ’ ବୋଲି ସମ୍ମତି ଜଣାଇବାରୁ ମିଠାରାମ—ପିଅନ ଆଶ୍ଚର୍ଯ୍ୟ ହୋଇ କ୍ଷଣେ ଟଗରର ମୁହଁକୁ ଅପଲକ ନେତ୍ରରେ ଚାହିଁ ଖଟ୍‌ ଖଟ୍‌ କରି ଆଗକୁ ପାଦ ବଢ଼େଇଲା ।

ଲଫାପାଟାକୁ ଓଲଟପାଲଟ କରି, ଠିକଣା ଉପରେ ଆଖି ପକେଇ, ତାଟି ଖୋଲି ଅଗଣାରେ ଆସି ଠିଆହେଲା ଟଗର । ଆଗେ ୟାଠୁ, ତା’ଠୁ ଚିଠି ପାଇଚି ଯଦିଓ କୌଣସି ପରିଚିତ ଅକ୍ଷର ସହିତ ଏଇ ଚିଠିର ଅକ୍ଷରର ମେଳ ଥିବାପରି ଟଗରର ମନେ ପଡ଼ିଲା ନାହିଁ । ବର୍ଷାଦିନର ମାଟିରେ ଅସରାଏ ବର୍ଷାପାଣି ପଡ଼ିଲେ ଅସଂଖ୍ୟ ଗଛଲତା ଅଙ୍କୁରିତ ହେଲା ପରି ଟଗରର ଅନ୍ତରରେ ମଧ୍ୟ ମୁହୂର୍ତ୍ତକ ଭିତରେ ହଜାରେ ଭୟ-ଭାବନା ସୃଷ୍ଟି କଲା ଚିଠି ଖଣ୍ଡିକ । ଜୀବନଟା ଯାହାର ଦୁଃଖ ଏବଂ ଦୁର୍ଭାବନାରେ ହିଁ କଟିଛି, ଯାହାର ମୁହଁ-ହସ ଆଖି-ଲୁହରେ ବୁଡ଼ି ଭାସିଯାଏ, ଗଛରୁ ପତ୍ରଟିଏ ପଡ଼ିଲେ ମଧ୍ୟ ତା’ ଅନ୍ତର ଭୟରେ ଶିହରି ଉଠିବା ସ୍ଵାଭାବିକ । ଖୋଲିବ ଖୋଲିବ ହେଇ, ଭୟ, ଉଦ୍‌ବେଗରେ ଲଫାଫାଟିକୁ ଖୋଲିବାକୁ ସାହସ କୁଳେଇଲା ନାହିଁ ଟଗରର । ଆସ୍ତେ ଆସ୍ତେ କୋଣ ଚିରି ଚିଠି ଖଣ୍ଡିକ ବାହାର କଲା । ବୁକୁରୁ ସତେ ଯେମିତି ଜଗଦ୍ଦଳ-ପଥରଟାଏ ଅନ୍ତର ହେଇଗଲା ।

ପ୍ରଥମେ ଉପର ଠିକଣାରେ ଆଖି ପଡ଼ିଲା—ବୃନ୍ଦାବନ । କେତେ ଯୁଗଯୁଗାନ୍ତରର ମଧୁର ସ୍ମୃତି ବୃନ୍ଦାବନ ନାମଟିରେ ଜଡ଼ିତ ସତେ ? ଏଇ ନାମ ଶ୍ରବଣରେ ହିଁ କେତେ ଆନନ୍ଦରେ ଆତ୍ମହରା, ଭକ୍ତିରେ ଗଦ୍‌ଗଦ୍‌ ନ ହୁଅନ୍ତି ? ? ଟଗର କିନ୍ତୁ ନିଶ୍ଚଳ ହୋଇ ଚିଠିର ଶେଷ ସ୍ଵାକ୍ଷରକୁ ପଢ଼ିଲା—‘ଶ୍ରୀ ବଦନଚନ୍ଦ୍ର ଶର୍ମା ।’ ଏକା ନିଶ୍ଵାସରେ ଚିଠି ଖଣ୍ଡିକ ପଢ଼ି, ଶେଷକରି, ଅଗଣାରେ ବସିପଡ଼ିଲା ଟଗର । ମୁଖରେ ନାହିଁ କାନ୍ଦଣାର ସ୍ଵର—କେବଳ ଫଲ୍‌ଗୁଧାରା ସଦୃଶ ଆଖିରୁ ଝରିପଡ଼ୁଛି ଝରଝର ଲୁହ । ମା’ ଦେହରେ ହାତ ଦେଇ କମଳି ମର୍ମର-ମୂର୍ତ୍ତି ପରି ଅବାକ୍‌ ହେଇ ଠିଆ ହେଇରହିଲା । ମା’କୁ କନ୍ଦେଇବା ପାଇଁ ଚିଠି ଖଣ୍ଡିକ ଆଣି ଦେଇଥିବାରୁ ମିଠାରାମ ପିଅନ ଉପରେ କମଳିର ରାଗ ହେଲା ।

ବାପୁରାମ ବରା କାଶୀ, ଗୟା, ହରିଦ୍ଵାର, ବଦ୍ରୀକାଶ୍ରମ, ବୈଦ୍ୟନାଥ ଧାମ ଆଦି ନାନା ତୀର୍ଥକ୍ଷେତ୍ର ଭ୍ରମଣ କରି ଯାଇ କେଇମାସ ହେଲା ବୃନ୍ଦାବନରେ ବଦନ ଶର୍ମାଙ୍କ ଆଶ୍ରମରେ ଥିଲେ । ତାଙ୍କଠୁ ନାମ ଦୀକ୍ଷା ମଧ୍ୟ ନେଇଥିଲେ । ଚୈତ୍ର ମାସରୁ ତାଙ୍କୁ ଜ୍ଵର ହେଇଥିଲା । ଘରକୁ ଖବର ଅନ୍ତର ପଠେଇବା ପାଇଁ କହିଲାରୁ ଆତ୍ମୀୟ, କୁଟମ୍ୱ କେହି ନାହାନ୍ତି ବୋଲି କହିଥିଲେ । ରୋଗ ବଢ଼ିବାରୁ କହିଲେ, ଯଦି ମୃତ୍ୟୁ ଘଟେ ତେବେ ଖବରଟା ଶ୍ରୀ ଧରଣୀ କଳିତାଙ୍କ ଯୋଗେ ଶ୍ରୀମତୀ ଟଗର କଳିତାଣୀଙ୍କୁ ଜଣାଇଦେବାକୁ । ମରଣ ବେଳେ କୌଣସି କଷ୍ଟ ପାଇ ନାହାନ୍ତି । ଅନ୍ତିମ ସମୟ ଯାଏଁ ମୁଖରେ ଅହରହ ହରିନାମ ନେଉଥିଲେ । ବାପୁରାମଙ୍କ ହାତରେ ଥିବା ପଇସା କଉଡ଼ି ତାଙ୍କର ନିର୍ଦ୍ଦେଶ ମତେ ଗୋବିନ୍ଦଜୀଙ୍କ ମନ୍ଦିରରେ ଦାନ ଦିଆହେଇଛି । —ବଦନ ଶର୍ମାଙ୍କ ଚିଠିର ମର୍ମ ଏଇୟା ।

ବାପାଙ୍କ ପ୍ରତି ଅନ୍ତରରେ ବହୁ ଦିନରୁ ପୁଞ୍ଜିଭୂତ ରାଗ ଅଭିମାନ, ଅବଜ୍ଞା, ଅଶ୍ରଦ୍ଧା, ବିରକ୍ତି ନିମିଷକରେ ବାଲିଘର ପରି ଧୂଳିସାତ୍‌ ହୋଇଗଲା । ଏତେଦିନ ଯାଏ ଟଗର ଅନ୍ତରେ ଅନ୍ତରେ ଅନୁଭବ କରୁଥିଲା ଯେ, ପିତା ନିଜର ଭୁଲ୍‌ ବୁଝିପାରି ଦିନେ ନା ଦିନେ ଟଗରକୁ ଖୋଜି ବାହାର କରିବେ । ପୁଣି ଦିନେ ବାପାଙ୍କ କୋଳରେ ମୁଣ୍ଡ ରଖି ଆଖିଲୁହ ଗଡ଼େଇବାର ସୌଭାଗ୍ୟ ଘଟିବ ଟଗରର । କିନ୍ତୁ ଏତେ ଦିନର ସଞ୍ଚିତ ସପନ ମୃତ୍ୟୁର ପରିହାସରେ ଚୂର୍‌ମାର ହୋଇଗଲା ।

ବହୁତବେଳ ଯାଏଁ ଆଖି ଲୁହ ପୋଛି ପୋଛି, ମୁଣ୍ଡରେ କପାଳରେ ହାତ ଦେଇ, ଅଗଣାରେ ବସିରହି, ସନ୍ଧ୍ୟା ହଉ ହଉ ଟଗର ବିଛଣାରେ ପଡ଼ିଲା । ମା’ ଝିଅଙ୍କ ପେଟରେ ସେଇ ରାତିରେ ଖୁଦାଟାଏ ବି ପଡ଼ିଲା ନାହିଁ । ପରଦିନ ସକାଳେ ନାଓରାମ ପଣ୍ଡିତଙ୍କୁ ବୁଦ୍ଧି ପରାମର୍ଶ ସକାଶେ ଡକାଇ ପଠାଇଲା । ଅଗଣାରେ ଚଉକି ଖଣ୍ଡିକରେ ପଣ୍ଡିତଙ୍କୁ ବସେଇ, ପିତାଙ୍କ ମୃତ୍ୟୁ ସମ୍ବାଦଟି କହିଲା । ପଣ୍ଡିତେ ପ୍ରବୋଧନା ଦେଇ କହିଲେ–“ବୃନ୍ଦାବନରେ ଦେହତ୍ୟାଗ–ତା’ଠୁ ବଳି ପୁଣି ସୌଭାଗ୍ୟ କଣ ଅଛି, ମା ? ଅସ୍ଥି ଟିକକ ଗଙ୍ଗାରେ ପକେଇବାକୁ ଆମର ସାମର୍ଥ୍ୟ ନାହିଁ । କମ୍‌ ପୁଣ୍ୟବାନ୍‌ ପୁରୁଷ ସେ ନା ? ଏପରି ମରଣ ବ୍ରହ୍ମା-ବାଞ୍ଛିତ । ଆନନ୍ଦର ଅବସରରେ ଆଖିରୁ ପାଣି ଗଡେଇବା ଉଚିତ ନୁହେଁ, ମା ।”

ପଣ୍ଡିତେ ପୁଣି କହିଲେ—“ବାହା ହେଲା ଝିଅକୁ ଅଶୌଚ ଲାଗେନା । ତଥାପି ମା’, ବାପା, ଗୁରୁଜନଙ୍କ ମୃତ୍ୟୁରେ ଉପବାସ, ଅନାହାର ରହିବା ଗୃହସ୍ଥ-ଘରକୁ ମଙ୍ଗଳ । ଦେଖି ଚିଠିଖଣ୍ଡ ଦେଲ କେତେ ତାରିଖରେ ମୃତ୍ୟୁ ?”

ହାତରେ ଚିଠିକୁ ତଳେ ଥୋଇଦେଲା ଟଗର । ପଣ୍ଡିତେ ଚିଠିଖଣ୍ଡ ତଳୁ ଉଠେଇ ନେଇ ଉପର-ଠାଉରିଆ ଭାବେ ଆଖି ପକେଇ ନିଜେ ନିଜେ କହିଲେ–“ବୈଶାଖର ସାତ ତାରିଖ ବୁଧବାରରେ ମୃତ୍ୟୁ, ଆଜି ହେଲା ବୈଶାଖର କୋଡ଼ିଏ ଦିନ ।” ପଣ୍ଡିତେ ଆଙ୍ଗୁଳି ପବ ଗଣିଲେ—ସାତ, ଆଠ, ନଅ, ଦଶ, ଏଗାର.....କୋଡ଼ିଏ, ଦୁଇଦିନ ।” ଗଣନା ଶେଷରେ ଟଗର ଆଡ଼କୁ ଚାହିଁ କହିଲେ— “ଆଜିକୁ ଧରି ଷୋହଳ ଦିନ ହେଲା । ଦେଶାନ୍ତରରେ ମୃତ୍ୟୁର ଅଶୌଚକୁ ତିନିଦିନରେ ଶେଷ କରିବାକୁ ଶାସ୍ତ୍ରରେ ବ୍ୟବସ୍ଥା ଅଛି । ତମମାନଙ୍କର ଅଶୌଚ ଗଲାଣି ବୋଲି ଜାଣ । ହାଣ୍ଡି ପକେଇ, ଭକ୍ତ ଜଣେ ଦୁଇଜଣଙ୍କୁ ଡକେଇ ନାମ ସଂକୀର୍ତ୍ତନ କରାଇନେଲେ ଶୁଦ୍ଧି । ପ୍ରେତକର୍ମ କରିବାର ଆବଶ୍ୟକତା ନାହିଁ ।”

ବୈଶାଖ ଭିତରେ ସ୍ଵାମୀ ଏବଂ ଝିଅର ଜାତକ ଗୁଡିକ ପଣ୍ଡିତଙ୍କ ହାତରେ ଗଣେଇ ନବ ବୋଲି, ଜାତକ ଦୁଇଟି ପଣ୍ଡିତଙ୍କ ଆଗରେ ବାହାର କରି ଥୋଇ ଦେଲା । ପଣ୍ଡିତେ ଗୋଟିଏ ପାଖରେ ଜାତକ ଏବଂ ଅନ୍ୟପାଖରେ ପଞ୍ଜିକା ଖୋଲି ନେଇ ରାଶିଚନ୍ଦ୍ର ଗଣନାରେ ଲାଗିଗଲେ । ଜାତକ ଖଣ୍ଡିକରେ ଆଖି ବୁଲେଇ କହିଲେ–“ଧରଣୀର ଧନୁରାଶି; ନକ୍ଷତ୍ର ପୂର୍ବାଷାଢା ।” ରାଶି ଚକ୍ରରେ ଅଙ୍ଗୁଳି ବୁଲେଇ ନେଇ ଜଣାଇଲେ-“ବର୍ଷର ପୂର୍ବଭାଗ ଶୁଭ ଦେଖାଯାଏ । ବୈଶାଖରେ ବନ୍ଧନ-ମୁକ୍ତି ଯୋଗ ।”

ଗଣନାର ଫଳାଫଳ ଶୁଣି ଟଗରର ଆଖିରେ, ମୁହଁରେ ଆନନ୍ଦର ରେଖା ସ୍ପଷ୍ଟ ହେଲା ।

କପାଳର ଶିରାଗୁଡ଼ିକୁ କୁଞ୍ଚିତ କରି, ଗଣି ଗଣି ପଣ୍ଡିତେ କହିଲେ—“ବର୍ଷର ଶେଷ ଭାଗରେ ଶନିଦଶା ପଡ଼ୁଚି । ସ୍ଵାସ୍ଥ୍ୟଭଙ୍ଗ—ଯୋଗ ଅଛି । ରୋଗବାଗ ବେଶ୍ ଭୋଗିବାକୁ ଅଛି ।”

ଟଗର ସକରୁଣ ନେତ୍ରରେ ଅନାଇଁବାରୁ ପଣ୍ଡିତେ ପୁନରାୟ କହିଲେ—“ରୋଗବାଗ କାହାର ନାହିଁ ? ରୋଗ ଅଛି, ବୈଦ୍ୟ ବି ଅଛି । ଦକ୍ଷିଣକାଳୀଙ୍କି ପୂଜାଟାଏ ପଠାଇଦିଅ; ସର୍ବମଙ୍ଗଳ ହେବ ।”

 

ପଣ୍ଡିତଙ୍କ ଗଣନା ଫଳାଫଳର ପରିଚୟ ଦୁଇଦିନ ପରେ ମିଳିଲା । ଜେଲ୍‌ରୁ ଧରଣୀକୁ ଖଲାସ୍‌ କରିଦେଇଥିବା ସମ୍ବାଦ ଆସି ଟଗର ପାଖରେ । ହେଲେ କିନ୍ତୁ ଧରଣୀ ଅସୁସ୍ଥ-ସଦରରୁ ଏତେଗୁଡ଼ାଏ ବାଟ ଚାଲି ଚାଲି ଆସିପାରିବ ନାହିଁ ସେ । ଶଗଡ଼ଗାଡ଼ି ଖଣ୍ଡେ ପଠାଇବାକୁ ସମ୍ବାଦ ପଠେଇଛନ୍ତି ଜେଲ୍‌ ଦାରୋଗା । ଖବର ପାଉ ପାଉ ଟଗର ଧାଇଁଲା ସୁନନ୍ଦ ପାଖକୁ ଶଗଡ଼ଗାଡ଼ି ଖଣ୍ଡେ ପଠାଇବାର ଯତ୍ନ କରିବାକୁ ।

 

—“ଆରେ ରହ-ପଠାବୋଲି କହି ଦଉଦଉ ଏଇ ସନ୍ଧ୍ୟାବେଳଟାରେ କେଉଁଠୁ ଗାଡ଼ିଖଣ୍ଡେ ପାଇବି ? ଆମର ତ ଗାଡ଼ି ଅଛି, କିନ୍ତୁ ବଳଦ କାହିଁ ? ମଇ ଅଛି, ହେଲେ ତାଟ ନାହିଁ । ରଙ୍ଗି ବଳଦଟା ଆଜିକି ଦୁଇଦିନ ହେଲା ପାଟିରେ ତୋରାଣି-ପାଣି ଦେଇ ନାହିଁ, ସେମିତି ପଡ଼ିଚି ।”

 

—“ମାଘିର ବଳଦ ହଳକ ମାଗିଲେ ଦବ ନାହିଁ ନା ?” ଓଢ଼ଣାଟାକୁ ଲମ୍ବେଇ ଧୀର ସ୍ଵରରେ କହିଲା ଟଗର ।

 

—“ନଦବ କାହିଁକି—ହେଲେ ଗାଡ଼ି ନବାକୁ ଲୋକ କିଏ ?”

 

—“ଗାଡ଼ି ବଳଦ ଯୋଗାଡ଼ ହେଲେ ଭେଦୋର-ପୁଅ ଜଇଗକୁ କହିପୋଛି ସଞ୍ଜକୁ ପଠେଇ ଦେଇହୁଅନ୍ତା’’—କହି, ସୁନନ୍ଦ ପୁଣି କି ନୂଆ ଆପତ୍ତି କରିବ ସେଇକଥା ଶୁଣିବାକୁ ଟଗର ଉତ୍ସୁକ ହୋଇରହିଲା ।

 

—“ଏ ଘରର ପାଟଶାଢ଼ି ସେ ଘରର ଜରି—ଅନ୍ୟ ଘରେ ପାଣି କାଢ଼େ ଘଟଂ ଘଟଂ କରି; ଆଚ୍ଛା ହଉ ଜଇଗକୁ ଡକେଇପଠା, ସେ ମାଘିର ବଳଦ, ହଳକ ଖୋଜି ଲୋଡ଼ି ଆଣି ଗାଡ଼ି ଫାନ୍ଦିନଉ । ମୁଁ ଯାଏଁ ତାହେଲେ ତାଟଟା ବାନ୍ଧି ଦଉଚି—ରୋଗୀ ମଣିଷ, ତାଟ ଖଣ୍ଡେ ନଥିଲେ ଭରିଆ ଦିପହରଟାରେ ଆସିବ କେମିତି ?”

 

ସୁନନ୍ଦ ଯେ ଏତେ ଶୀଘ୍ର ଗାଡ଼ି ଦେବାକୁ ରାଜିହବ ଟଗର ମନରେ ସତ ନଥିଲା । ପର ମୁହୂର୍ତ୍ତରେ କାଳେ ଜବାବରେ ଫେର ଫାର୍‌ କରିବ ସେୟା ଭାବି ଟଗର ସୁନନ୍ଦର ସମ୍ମତି ପାଉ ପାଉ ଭେଦୋ ଘରକୁ ଯିବାକୁ ବାହାରିଲା ।

 

—“ହେଲେ ଆଉ ଗୋଟାଏ କଥା ନାହିଁ ନା ? ବଳଦ ହଳକ ଆଜି ରାତିସାରା ଚାଲିବେ; କାଲି ଦିନବେଳେ ପୁଣି ଫେରିବେ; ଦାନାପାଣିର ଯୋଗାଡ଼ଯନ୍ତ୍ର କରିନବାକୁ ହବନି ନା-?” ଟିକିଏ ରହି ପୁଣି କହିଲା— “ତୋ ପାଖରେ ଟଙ୍କା ପଇସା ଅଛି ନା ନାହିଁ ?”

 

—“କେତେ ଲାଗିବ କି ?”

 

—“ଦୁଇଗୋଛା ପାଳ ତ ନବାକୁ ହବ । କୁଣ୍ଡା କିଛି ଦରକାର । ପୁଣି ଜଇଗୋ ହାତରେ ଟଙ୍କାଏ ଖଣ୍ଡେ ଦବାକୁ ପଡ଼ିବ, ନହେଲେ ସେ ଖାଇବ କଣ ?”

 

ପ୍ରଶ୍ନଟାର ସଠିକ ଉତ୍ତର ପାଇବା ଆଶାରେ ତଳକୁ ମୁହଁ କରି ଟଗର ପୁଣି ସେଇଠି ଠିଆ ହେଇରହିଲା ।

 

—“ତିନି ଟଙ୍କା ଖଣ୍ଡେ ହେଲେ ଚଳିଯିବ—ଦେଇପାରିବୁ ତ ?”

 

ଟଗରର ଇଚ୍ଛା ରାତିକ ଭିତରେ ଯଦି କେହି ଧରଣୀକୁ ଉଡ଼େଇ ଆଣିପାରନ୍ତା ! ଟଙ୍କା କେଇଟା ସୁନନ୍ଦ ହାତରେ ପଡ଼ିଲେ ସେ ନିଜେ ସନ୍ଧ୍ୟା ଭିତରେ ଗାଡ଼ି ପଠାଇବାର ଆଶୁଯତ୍ନ କରିବ, ଟଗର ଏକଥା ଭଲକରି ଜାଣେ ।

 

—“ହଉ, ମୁଁ ଏବେ ଟଙ୍କା ଆଣି ଦଉଚି”—ବୋଲି ପଦେ କଥା କହି, ସଙ୍ଗେ ସଙ୍ଗେ ଘରକୁ ଧାଉଡ଼ି ଦେଲା ଟଗର । ଟଗର ଟଙ୍କାଆଣି ପହଞ୍ଚିବା ସଙ୍ଗେ ସଙ୍ଗେ ସୁନନ୍ଦର ଗାଡ଼ିରେ ତାଟ ବନ୍ଧା ଶେଷ ହେଇଗଲା । ଜୁଆଳୀର ଦୁଇ ଖିଲରେ ନୂଆ ରସି ବନ୍ଧାହେଲା । ଜଇଗୋ ବି ଇତି ମଧ୍ୟରେ ବିଲରୁ ବାହାରେ ବାହାରେ ମାଘିର ବଳଦ ହଳକ ଖୋଜି ଆଣି ଗାଡ଼ିରେ ଯୋଚିଲା ।

 

ମଣିଷର ଜୀବନଟା ପିଲାର ଖେଳ—ଏଇ ଗଢ଼େ ଏଇ ଭାଙ୍ଗେ, ଏଇ ପଡ଼େ, ଏଇ ଉଠେ, ଏବେ ହସେ, ଏବେ କାନ୍ଦେ । ଟଗର ବି ରାତିରେ ସପନରେ ହସ-କାନ୍ଦର ମାଧ୍ୟମରେ ନୂତନ-ସଂସାର ଗଢ଼ିଲା ଆଉ ଭାଙ୍ଗିଲା ।

 

ଏଗାର

 

ରିହାର ସରକାରୀ ଡାକ୍ତରଖାନାଟି ନିରାଶ୍ରୟର ଆଶ୍ରୟସ୍ଥଳ । ଆଖିରେ ପରଳ ପଡ଼ିବା ଯୋଗୁଁ ମୃତ୍ୟୁକୁ ଯେ ଦେଖିପାରିନି, ସେଇ ବୁଢ଼ା ଆସିଛି ଚକ୍ଷୁରୋଗର ମହୌଷଧି ଲୋଡ଼ିବାକୁ; ଗଳାରେ ଗରଳ ବାନ୍ଧି ଯାର ତିନିକାଳ କଟିଛି, ତୃତୀୟପକ୍ଷର ତାଡ଼ନାରେ ସେ ଖୋଜି ଆସିଛି ଗରଳ-ଔଷଧ; ଉତ୍ତରାଧିକାରୀ ସୂତ୍ରରେ ପାଇଥିବା ମାଟି ଖଣ୍ଡକ ପରି ଦେହସାରା ଯା’ର କୁଣ୍ଡିଆ–ହାଟକୁ ଆସିବା ବାଟରେ ସାଙ୍ଗସାଥୀରେ ମନେପଡ଼ିଯିବାରୁ ସେ ବି ଆସିଛି ଟିକିଏ କୁଣ୍ଡିଆ-ମଲମ ନବାକୁ; ଶାଢ଼ି-ଧାଡ଼ିରେ ଫୁଲ ଫୁଟିଲା ପରି ଯେଉଁ ଝିଅର ମୁହଁରେ ବସନ୍ତ-ମାତା ଫୁଲ ଫୁଟେଇ ଦେଇ ଯାଇଛନ୍ତି, ବାହାଘର ପାଇଁ ବଛାକୁଛା ହେବାରୁ ବାପ ତାକୁ ସାଙ୍ଗରେ ନେଇ ଆସିଛି ଡାକ୍ତରଙ୍କ କୃପା-ପାର୍ଥୀ ହେବାକୁ; ସଂସାରର କଦର୍ଯ୍ୟ ଚିତ୍ରକୁ ଦେଖିବା ଉଚିତ ନୁହେଁ ବୋଲି ଯାହାକୁ ‘ବିଧାତା-ପୁରୁଷ’ ଜନ୍ମାନ୍ଧ କରିଛନ୍ତି, ସେ ବି ଆସିଛି ଡାକ୍ତରଙ୍କ ଯାଦୁମନ୍ତ୍ରରେ ଚକ୍ଷୁର ବନ୍ଧନ ମୁକ୍ତ କରିବାକୁ, ସନ୍ତାନ ଜନ୍ମର ନିର୍ଯ୍ୟାତନାରୁ ଯେଉଁ ନାରୀକୁ ବନ୍ଧ୍ୟାତ୍ଵ ପ୍ରଦାନପୂର୍ବକ ତ୍ରାଣ କରାଯାଇଛି, ଦୈବ ସାଙ୍ଗରେ ଯୁଝବାକୁ ସେ ବି ଆସିଛି ସନ୍ତାନର ମାତା ହେବା ଆଶାରେ-

 

ଗାଁର ଏଇ ଡାକ୍ତରଖାନାଟି ଜୀବନ୍ତ-ମଣିଷର ଏକ ନିଛକ ଯାଦୁଘର । ସେଠି ହସ ଅଛି କାନ୍ଦ ଅଛି—ଆନନ୍ଦର ମଧୁର ରୋଳ ଉଠୁଛି, ବିଷାଦର ହା-ହୁତାଶ ବି ତରଙ୍ଗାୟିତ ହେଉଛି । ଆଶା-ଆକାଂକ୍ଷାର ଉଦୟାଚଳ ଦେଖାଯାଉଛି; ଛାୟା ବି ପଡ଼ୁଛି ସେଠି ଅସ୍ତାଚଳର । ମା’ର ଅପରିସୀମ ସନ୍ତାନ-ପ୍ରୀତି ପ୍ରକାଶପାଉଛି, ସ୍ତ୍ରୀର ସ୍ଵାମୀ-ସ୍ନେହର ନିଦର୍ଶନ ବି ଅଛି । ପାପୀ ଇହ ଜନ୍ମର ପାପର ଶାସ୍ତି ଭୋଗୁଛି; ନିଷ୍ପାପୀ ପୂର୍ବଜନ୍ମର କର୍ମଫଳ ବିରୁଦ୍ଧରେ ବିକ୍ଷୋଭ ପ୍ରକାଶ କରୁଛି-। ସୁଖ, ଦୁଃଖ ଆଶା-ନିରାଶାରେ ଭରା ଅସମ୍ପୂର୍ଣ୍ଣ ମଣିଷର ଖଣ୍ଡେ ସମ୍ପୂର୍ଣ୍ଣ-ସଂସାର ଡାକ୍ତରଖାନାର ଚାରିକାନ୍ଥ ଭିତରେ ଗଢ଼ିଉଠିଛି ।

 

ରହା ଡାକ୍ତରଖାନାକୁ ଡାକ୍ତର ଗୋଲାପ ବରୁଆ ବଦଳି ହୋଇଆସିବାର ଛ’ମାସ ହେଲାଣି । ମଣିଷ ଜଣକ ବେଶ୍‌ ଖୁସିବାସୀର ତଥା ଗଳ୍ପପ୍ରିୟ । ପୂର୍ବ ଡାକ୍ତରଙ୍କ ଭଳି ମଣିଷକୁ ପାଟିରେ ଡାକିବାର ଇଚ୍ଛା ନକରିବାର ଗର୍ବ ତାଙ୍କଠି ନାହିଁ । ଔଷଧ ନବାକୁ ଯିଏ ଆସେ ତା’ ସହିତ ହସ ଖୁସିରେ କଥାବାର୍ତ୍ତା କରନ୍ତି । ଲୋକଙ୍କ ଘରକୁ ରୋଗୀ ଦେଖିବାକୁ ଗଲେ ଫିଜ୍ ପାଇଁ ଅଡ଼ି ବସନ୍ତି ନାହିଁ । କୋଉଠି କୋଉଠି ରୋଗୀଠାରୁ ଫିଜ୍‌ ନବା ଦୂରେ ଥାଉ, ପଥ୍ୟ କିଣିବାକୁ ନିଜ ପକେଟରୁ ପଇସା କଉଡ଼ି ଦେଇ ଆସନ୍ତି । ଥରେ ରୋଗୀର ଚିକିତ୍ସା ଭାର ବହନ କଲେ, ରୋଗୀ ଭଲ ନହେବା ଯାଏଁ ସକାଳେ ସନ୍ଧ୍ୟାରେ ଖବର ନିଅନ୍ତି । ବିନା ନିମନ୍ତ୍ରଣରେ ରୋଗୀକୁ ଘନ ଘନ ଦେଖିବାକୁ ଗଲେ ଡାକ୍ତରଙ୍କର ମୂଲ୍ୟ-ହ୍ରାସର ଭୟ ତାଙ୍କଠି ନାହିଁ । ରୋଗର ଉପଶମ ହେଉ ବା ନ ହେଉ ଡାକ୍ତର ରୋଗୀ ନିକଟକୁ ଆସିଲେ ପରିବାର ବର୍ଗ କିଛି ଆଶ୍ୱାସନା ପାଆନ୍ତି ବୋଲି ଗୋଲାପ ଡାକ୍ତରଙ୍କର ବିଶ୍ୱାସ ।

 

ଗାଁ-ଡାକ୍ତରଖାନାରେ ସଦାସର୍ବଦା ଔଷଧର ଅଭାବ । ଜ୍ୟେଷ୍ଠମାସର ଅଧା ନପାଉଣୁ ‘ସିଙ୍କୋନା’ର ଷ୍ଟକ୍‌ ଶେଷ ହେଲା । ଗୋଲାପ ଡାକ୍ତର ସିଭିଲ୍‌ ସର୍ଜନଙ୍କ ପାଖକୁ ଲେଖିଲେ । ଜନସାଧାରଣଙ୍କ ହାତରେ ଗଭର୍ଣ୍ଣମେଣ୍ଟକୁ ଟେଲିଗ୍ରାମ କରାଇଲେ । କିନ୍ତୁ ତାହାଙ୍କଠାରୁ ବି ‘ସଙ୍କୋନା’ ଆସିବାର ସମ୍ଭାବନା ନାହିଁ । ଏଣେ ସକାଳ ପାଇଲେ ଡାକ୍ତରଖାନାର କବାଟ ନଖୋଲୁଣୁ ପୁଅ ଝିଅ, ସ୍ତ୍ରୀ ପୁରୁଷ ଆସି ରୁଣ୍ଡ ହୁଅନ୍ତି । ପ୍ରତ୍ୟେକଙ୍କ ହାତରେ ନାଲି, ନୀଳ, ଛୋଟ ବଡ଼ ବହୁ କିସମର ଶିଶି । ପ୍ରତିଦିନ ସକାଳୁ ସଞ୍ଜଯାଏଁ ଔଷଧ ନବାକୁ ଆସିବା ଲୋକଙ୍କ ଗଣନା ନାହିଁ । କେଉଁ ରୋଗୀ ନିଜେ ଆସିଛି, କେହି ଘରର ଜଣକୁ ଶିଶିଟାଏ ଦେଇ ପଠାଇଛି, କେହି ରାସ୍ତାର ଲୋକ ଜଣେ ଡାକ୍ତରଖାନାକୁ ଯାଉଥିବା ଦେଖି ନିଜ ଘରର ରୋଗୀ ପାଇଁ ‘ଦବାଇ’ ଚାରିପାନ ଆଣିବା ପାଇଁ ବୋତଲଟାଏ ଦେଇଛି । କେହି ହୁଏତ ଔଷଧ ଚାରିପାନ ପାଇଁ ଚାଷ କମେଇକରି ସକାଳୁ ସକାଳୁ ଚାରି ମାଇଲ ଚାଲିଆସିଛି ।

 

ଡାକ୍ତରଖାନାରେ ଔଷଧ ନାହିଁ କହିଲେ ରୋଗୀ ଅବା ମାନିବ କାହିଁକି ? ଅନନ୍ୟୋପାୟ ହୋଇ ଗୋଲାପ ଡାକ୍ତର ସିଙ୍କୋନା ଅଭାବରେ ଚିରେଇତା-ପାଣି ଦବାର ବ୍ୟବସ୍ଥା କରିଛନ୍ତି । ମହେନ୍ଦ୍ର କମ୍ପାଉଣ୍ଡର ଏଇ କାମ-ବଢ଼ା-ଡାକ୍ତରଙ୍କ ବ୍ୟବସ୍ଥାକୁ କିଛି ମଣୁ ନାହାନ୍ତି । ପୂର୍ବର ଡାକ୍ତରମାନେ ଔଷଧ ନଥିଲେ ଡିସ୍‌ପେନ୍‌ସରୀ ବନ୍ଦ କରିଦିଅନ୍ତି; ସେମାନଙ୍କ ସମୟରେ ସକାଳ ଆଠ, ଉପରବେଳା ଚାରି ନ ବାଜିଲେ ଡାକ୍ତରଖାନା ଖୋଲିବାର ନିୟମ ନଥିଲା । ଦ୍ଵିପହରିଆ ବାର ଏବଂ ସନ୍ଧ୍ୟାଛଅ ବାଜୁ ନ ବାଜୁଣୁ ଡିସ୍‌ପେନ୍‌ସରୀ ବନ୍ଦ ହେଉଥିଲା । ଗୋଲାପ ଡାକ୍ତର କିନ୍ତୁ ସାରାଦିନ ସାରାରାତି ଡାକ୍ତରଖାନାକୁ ଖୋଲି ରଖନ୍ତେ ପରା ! କମ୍ପାଉଣ୍ଡରଙ୍କ ରାଗ ଯେ ତାଙ୍କୁ ସନ୍ଧ୍ୟାରେ ବହୁତ ବେଳଯାଏଁ ଚିରେଇତା କୁଟି ସକାଳ ପାଇଁ ପାଣିରେ ତିନ୍ତେଇ ରଖିବାକୁ ଡିସପେନ୍‌ସରୀରେ ରହିବାକୁ ପଡ଼ୁଛି ଏବଂ ସକାଳ ହେଲାମାତ୍ରେ ତାକୁ ଛାଙ୍କି ବଡ଼ ବଡ଼ ବୋତଲରେ ଭରିବାକୁ ପଡ଼ୁଛି । ସରକାରୀ ଚାକିରିରେ ଦୈନିକ-ଖଟଣିର ଧରାବନ୍ଧା ସମୟ ଅଛି; ନିର୍ଦ୍ଧାରିତ ସମୟଠାରୁ ବେଶି ଖଟିଲେ ଉପୁରି ମିଳେ । ମହେନ୍ଦ୍ର କମ୍ପାଉଣ୍ଡରଙ୍କ ଭାଗ୍ୟରେ ତା’ କିନ୍ତୁ ନାହିଁ । ଡାକ୍ତର ବେଶି ଖଟିବା କଥା ଖଟନ୍ତୁ—ତା’ କରି ସେ ଲୋକଙ୍କ ପ୍ରିୟପାତ୍ର ହୋଇ ପ୍ରାକ୍‌ଟିସ୍‌ ବଢ଼ାନ୍ତୁ; କିନ୍ତୁ ତାଙ୍କ ସାଙ୍ଗରେ କମ୍ପାଉଣ୍ଡର ବିଚରାକୁ ଖଟଉଛନ୍ତି କାହିଁକି ?

 

ଛ’ ବାଜିଗଲା । ଖରାଦିନର ବେଳ ଯୋଗୁଁ ଆଲୁଅ ବହୁତ ବେଳଯାଏଁ ଅଛି । ଡାକ୍ତରଖାନାକୁ ଔଷଧ ପାଇଁ ଆସିଥିବା ଲୋକଙ୍କ ସଂଖ୍ୟା ତେବେ ବି ଆଙ୍ଗୁଳି ପବରେ ଗଣିବାକୁ ଆସିନି । ଲୋକେ ଗୋଲାପ ଡାକ୍ତରଙ୍କୁ ଚାରିପ ବେଢ଼ି ରହିଛନ୍ତି । ମୁହଁରେ ପ୍ରଶ୍ନ ପଚାରୁଛନ୍ତି, ହାତରେ ଚର ଚର କରି ପ୍ରେସକ୍ରିପ୍‌ସନ ଲେଖୁଛନ୍ତି ଗୋଲାପ ଡାକ୍ତର । ମଝିରେ ମଝିରେ ତାଳପତ୍ର-ବିଞ୍ଚଣାରେ ବିଞ୍ଚି ହଉଛନ୍ତି । ଚାରିପାଖରୁ ଲୋକ ଘେରି ରହିଥିବା ଯୋଗୁଁ ଗରମରେ ରହିନପାରି ଡାକ୍ତର ଟେବୁଲ ବାଡ଼େଇ ଘୁଞ୍ଚି ଠିଆ ହେବାକୁ ନିର୍ଦ୍ଦେଶ ଦେଉଛନ୍ତି । କିନ୍ତୁ ତାଙ୍କ ଧମକକୁ ଡରୁଛି କିଏ ? ସମସ୍ତେ ଭାବୁଛନ୍ତି ନିଜ ବ୍ୟବସ୍ଥା-ପତ୍ର ଖଣ୍ଡିକ କୌଣସିମତେ ଆଗେ ଲେଖେଇନେଲେ ଶୀଘ୍ର ଫେରିବେ ।

 

ବ୍ୟବସ୍ଥା-ପତ୍ର ଲେଖି ଲେଖି ଡାକ୍ତରଙ୍କ ଆଙ୍ଗୁଳି ବିନ୍ଧିଲାଣି; ପ୍ରଶ୍ନ ପଚାରି ପଚାରି ବିରକ୍ତି ଆସିଲାଣି । କ୍ଷଣକ ପାଇଁ କଲମକୁ ଟେବୁଲ୍‌ରେ ରଖିଦେଇ କାମିଜର ଗଳା-ବଟନ୍‌ଟି ଖୋଲି ଚଉକିରେ ଆଉଜି ବସିଛନ୍ତି । ଶରୀରର କ୍ଳାନ୍ତି ଦୂରକରିବା ସକାଶେ ଟେବୁଲ୍‌ ଉପରେ ଥିବା ‘ହୁକ୍‌କା’ର ନଳୀରୁ ଗୁଡ଼ୁ ଗୁଡ଼ୁ କରି ‘ଟଣା’ ମାରୁଛନ୍ତି । ହୁକ୍‌କାଟାରେ ଯେ ଖାଲି ଚିଲମଟା ଅଛି ସେଥିପାଇଁ ଡାକ୍ତରଙ୍କ ଭ୍ରୂକ୍ଷେପ ନାହିଁ । ଧୂର୍ଜଟୀ କାମଦେବଙ୍କୁ ଦଗ୍‌ଧ କଲାପରି ରଡ଼ନିଆଁ କେତେବେଳୁ ଧୂଆଁପତ୍ରକୁ ପାଉଁଶ କରି ଥୋଇଛି । ହୁକ୍‌କାର ପାଣିରେ ଥିବା ଧୂଆଁ ପତ୍ରର ଅବଶେଷ ଗନ୍ଧ ଟିକକ ନଳୀରେ ଗ୍ରହଣ କରି ଡାକ୍ତର ଆରାମ ଦାୟକ ନିଶ୍ଵାସ ଛାଡ଼ୁଛନ୍ତି ।

 

ଡାକ୍ତର ବ୍ୟବସ୍ଥାପତ୍ର ନଲେଖି ହୁକ୍‌କା ଟାଣି ଆରାମ କରିବାଟାକୁ ସହ୍ୟ କରି ନପାରି କୌଣସି ଯୁବକ ଡାକ୍ତରଙ୍କ ଉପରେ ରାଗ କରି ମନେ ମନେ ଭାବୁଛି—“ଶଳା ନବାବଙ୍କ ନାତି ତ ! ଲୋକଙ୍କ ଖଜଣା ଟଙ୍କାରେ ହସ୍‌ପିଟାଲ—ଆମ ଟଙ୍କାରେ ଦରମା ଗଣି ନଉଛନ୍ତି—ସେଥିରେ ପୁଣି ଏତେ ଗଫ୍‌ଲିତ କାହିଁକି ? ରହିଥା, ଆଜି ‘ଅସମୀୟା’ କାଗଜକୁ ତୋର ଭଣ୍ଡାମିର ଖବରଟା ଫଠାଇଦଉଚି ।” ନିଜର ବ୍ୟବସ୍ଥା-ପତ୍ର ଖଣ୍ଡିକ ଲେଖେଇ ନ ନବା ଯାଏଁ, ଡାକ୍ତରଙ୍କୁ କେମିତି ଶିକ୍ଷାଟାଏ ଦେଇପାରିବ ଯୁବକ ଜଣକ ମନେ ମନେ ସେୟା ଚିନ୍ତାକଲା ।

 

ଠେଲାପେଲା ହେଇ କେଇଜଣ ଟେବୁଲରେ ଧକ୍‌କା ଖାଇ ଠିଆହେଲେ । ଗୋଲାପ ଡାକ୍ତର କୃତ୍ରିମ ରାଗ ପ୍ରକାଶକରି ନାମ ଲେଖା ରେଜିଷ୍ଟର ବନ୍ଦକରି କଲମଟା ଟେବୁଲରେ ଶବ୍ଦାୟମାନ କରି ପକାଇଦେଲେ । କ୍ଷଣକପାଇଁ ସାରା କୋଠରିଟା ନିସ୍ତବ୍‌ଧ ହେଲା । ସମସ୍ତେ ମୁଣ୍ଡ ଟେକି ଡାକ୍ତରଙ୍କ କ୍ଳାନ୍ତିଭରା ମୁଖମଣ୍ଡଳକୁ ମିନତିଭରା ଚକ୍ଷୁରେ ଅନେଇ ରହିଲେ । କାନ୍ଦୁଣୁମାନ୍ଦୁଣୁ ଭାବେ ସମ୍ମୁଖରେ ଠିଆହୋଇଥିବା ରୋଗିଣା ପିଲାଟାର କରୁଣ ଚାହାଣୀକୁ ଲକ୍ଷ୍ୟ କରି, ଡାକ୍ତର ପରମୁହୂର୍ତ୍ତରେ ରେଜିଷ୍ଟର ଖୋଲି, ହାତକୁ କଲମ ନେଇ ଉଦାସୀନ ଭାବରେ ପଚାରିଲେ— “ନାଁ କଣ ? କଣ ହେଇଚି ? କେତେ ଦିନ ହେଲା ହେଲାଣି ? ବୟସ କେତେ ?”

 

ଏକା ନିଶ୍ଵାସରେ ପଚରା ସମସ୍ତ ପ୍ରଶ୍ନ ପିଲାଟାର ମନେରହିଲା ନାହିଁ । ଯେଉଁ କେତେଟା ମନେରହିଲା ସେଥିରୁ କେଉଁଟାର ଉତ୍ତର ଆଗେ ଦବ, କେଉଁଟାର ପଛେ ଦେବ ଜାଣିନପାରି ଅତି ସନ୍ତର୍ପଣରେ କହିଲା— “ଅଢ଼େଇ କୋଡ଼ି ହବ କି କଣ ?”

 

ବସିବା ସ୍ଥାନରେ ମୁଣ୍ଡକୁ ଉପରକୁ ଟେକି, ପିଲାଟି ଆଡ଼କୁ ଗମ୍ଭୀରଭାବେ ଚାହିଁ ଡାକ୍ତର ଧମକ୍‌ ଛାଡ଼ିଲେ— “ବଦମାସ୍‌, ମୋ ସାଙ୍ଗରେ ଥଟ୍ଟା ଖେଳିବାକୁ ଆସିଚୁ ? ତୋର ବୟସ ଅଢ଼େଇ କୋଡ଼ି ?” ପିଲାଟାର ଉତ୍ତରକୁ ଅପେକ୍ଷା ନକରି ପାଖରେ ଥିବା ଆଉ ଜଣକ ମୁହଁକୁ ଚାହିଁ ଡାକ୍ତର ପଚାରିଲେ—“କଣ ନାଁ କଣ ? ବୟସ କେତେ ?”

 

ନାଁ ଏବଂ ବୟସ ରେଜିଷ୍ଟରରେ ଲେଖି ପୁଣି ଉପରକୁ ମୁହଁଟେକି ଚାହିଁଲେ । ଡାକ୍ତରଙ୍କ ଅପ୍ରତ୍ୟାଶିତ ଧମକରେ ଡରିଯାଇ କଣ କରିବ କଣ ନକରିବ ଠିକ୍ କରିପାରିଲା ନାହିଁ ପିଲାଟା । ପଛଥର ଡାକ୍ତରଙ୍କ ଆଖିରେ ଆଖି ପଡ଼ିବାରୁ, ସାହସ କରି, ଛେପ ଢୋକି ପିଲାଟା କହିଲା–“ଡାକ୍ତରବାବୁ, ମୋ ବାପାଙ୍କୁ ଜର ।”

 

ଯେଉଁ ଜଣକର ବ୍ୟବସ୍ଥା-ପତ୍ର ଲେଖିବାକୁ ଡାକ୍ତର କଲମ ଧରିଥିଲେ ସେ ଜଣକ ପିଲାଟା ଆଡ଼କୁ କଣେଇ ଚାହିଁ କହିଲା—“ସେଇ କଥା କହୁନୁ କାହିଁକି ? ଆଜ୍ଞାଙ୍କର ତ ଏମିତି ନିଶ୍ଵାସ ମାରିବାକୁ ତର ନାହିଁ-ସେଥିରେ ତମେ ସବୁ ରଗେଇ ବସିବ । ଆମ ଭାଗ୍ୟକୁ ଆଜ୍ଞାଙ୍କ ଭଳି ଡାକ୍ତର ପାଇଛେଁ ।” ଏ କଥା ପଦକର ସମର୍ଥନ ପାଇଁ ମୁହଁ ବୁଲେଇ ପଛର ଲୋକଙ୍କ ଆଡକୁ ଅନେଇଲା ।

 

ଅନାବଶ୍ୟକ ପ୍ରଶଂସା ଶୁଣିବାକୁ ନଚାହିଁ, ନିଜର ଭୁଲ୍‌ଟାକୁ ସୁଧାରିବା ପାଇଁ ସହଜ ଉପାୟରେ ହୋ-ହୋ.....କରି ହସିଉଠି ଡାକ୍ତର କହିଲେ—“ଦେଖ, ଦେଖ, ଏଇ କଁଳିଆ ପିଲାର ବୟସ କୁଆଡ଼େ ଅଢ଼େଇକୋଡ଼ି ।”

 

ହସ୍ତମୁଦ୍ରା ପୂର୍ବକ ଡାକ୍ତରଙ୍କ କଥାକୁହା ଭଙ୍ଗିକୁ ଅନେଇଁ ସବୁଲୋକେ ହୋ-ହୋ କରି ହସିଉଠିଲେ । ଅଳ୍ପ ସମୟ ପାଇଁ ରୋଗୀ ନିରୋଗୀ, ଚିନ୍ତାଗ୍ରସ୍ତ ମଣିଷଗୁଡ଼ାଙ୍କର ମୁଖ ଅନେଇ ପଚାରିଲା—“ଆରେ, ତୁ ଭେଦୋର ପୁଅଟି ?”

 

—“ହୁଁ” ବୋଲି ମୁଣ୍ଡ ଟୁଙ୍ଗାରି ପିଲାଟି ସମ୍ମତି ଜଣାଇଲା ।

 

—“ଭେଦୋର ପୁଣି ଅଢ଼େଇ କୋଡ଼ି ବୟସ ହେଲା କେବେ ମ ?” ଜଣେ ଏହା କହି ଅଳ୍ପ ଦୂରରେ ଠିଆ ହେଇଥିବା ମିଠାରାମକୁ ଉହୁଁ କି ଚାହିଁ ପଚାରିଲା—“ମିଠାରାମ ହୋ, ତୁମେ ଆଉ ଭେଦୋ ଏକା ସଙ୍ଗର ନୁହଁ ନା ?”

 

—“ନୁହଁ ଆଉ କଣ ?”

 

—“କହ ଦେଖି ତୋର ବୟସ କେତେ ହେଲା ?”

 

—“ଇସ୍‌, ବୟସ ପୁଣି କିଏ ମନରେ ରଖିଛି ?”

 

ବୟସ ନିର୍ଦ୍ଧାରଣ ପୂର୍ବରୁ ଡାକ୍ତରଙ୍କ ହାତରୁ ବ୍ୟବସ୍ଥାପତ୍ର ନେଇ ଲୋକ ଜଣକ ପଛରେ ଠିଆ ହୋଇଥିବା ଲୋକଙ୍କୁ ଠେଲି ବାହାରକୁ ବାହାରିଗଲା । ମିଠାରାମ ଏଇ ସୁଯୋଗରେ ସେଇ ସୁଡ଼ଙ୍ଗ ଦେଇ ଚଟ୍‌କିନା ଟେବୁଲ ପାଖରେ ହାଜର ହେଇଗଲା ।

 

ସେତେବେଳଯାଏଁ ଡାକ୍ତର ପ୍ରେସ୍‌କ୍ରିପ୍‌ସନ ଲେଖୁଥିବାର ଦେଖି କମ୍ପାଉଣ୍ଡର ଅସହ୍ୟ ବୋଧକଲେ । ନିଜକୁ ରୋକିନପାରି କହିପକାଇଲେ—“ଡାକ୍ତରବାବୁ, ଆପଣ ବନ୍ଦକରନ୍ତୁ; ଅନ୍ଧାରରେ ଏ ପାଖରେ ଡୋଜ୍‌ ଠିକ୍‌ କରିବା କଷ୍ଟ ।” ପୁଣି ଲୋକମାନଙ୍କ ଉଦ୍ଦେଶ୍ୟରେ ପାଟିକରି କହିଲେ “ତମେମାନେ ସବୁ ଯାଉନ କାହିଁକି ? ଆଜି ହବନି । ଦିପହରୁ ରାତିଯାଏଁ ଲ୍ୟାମ୍ପ ଜଳେଇ ତେଜରାତି ବିକ୍ରୀ କରା ଦୋକାନ ଇଏ ନୁହେଁ ।”

 

ଡାକ୍ତରଖାନା ଯେ ବନ୍ଦହେଲା ତାର ଆଭାସଦବାକୁ ଯାଇ କମ୍ପାଉଣ୍ଡରବାବୁ ଜୋର୍‌ରେ ଶବ୍ଦ କରି ଡିସ୍‌ପେନ୍‌ସିଂ-ରୁମ୍‌ର ଝରକା ବନ୍ଦକଲେ ।

 

ଡାକ୍ତରବାବୁ ମଧ୍ୟ ଏଇ ବନ୍ଦକଲି ବୋଲି କହି ବି ନୂଆ ତିନି ଜଣଙ୍କର ବ୍ୟବସ୍ଥାପତ୍ର ଲେଖି ରେଜିଷ୍ଟାର ବନ୍ଦକରି ସ୍ଵସ୍ତିର ନିଶ୍ଵାସ ନେଇ ଉଠିବାକୁ ବାହାରିଲେ । ବ୍ୟବସ୍ଥାପାତ୍ରରୁ ବଞ୍ଚିତ ବାକି ସମସ୍ତେ କାନମୁଣ୍ଡା ଆଉଁସି କୋଠରିରୁ ନିଷ୍କ୍ରାନ୍ତ ହେଲେ । ସମସ୍ତେ ଚାଲିଯିବାର ଦେଖି ଶେଷକୁ ଥିବା ଛୋଟିଆ ଝିଅଟିଏ ଡରିଡରି ଟେବୁଲ ନିକଟକୁ ଆଗେଇଲା ।

 

କ୍ଷିଣାଙ୍ଗୀ ଝିଅଟି, ବୟସ ସାତ କି ଆଠ ବର୍ଷ ହେବ । ବୁକୁର ହାଡ କେଇଖଣ୍ଡ ବାରି ହେଇଯାଉଚି ଯଦିଓ ମୁହଁ ଖଣ୍ଡକରେ ସରଳତା ତଥା କୋମଳତାର ଭାବ ଫୁଟିପଡ଼ୁଛି । ଦେହର ପୋଷାକ ପରିପାଟି, ଅସ୍ତବ୍ୟସ୍ତ ଭାବେ ବନ୍ଧା କେଶ କେଇ କେରା ଉଲାରି ହେଇପଡ଼ିଛି । ସାନ୍ଧ୍ୟ-ଅସ୍ପଷ୍ଟତାର ପଟ୍ଟଭୂମିରେ ମଳିନ ମୁଖ ଖଣ୍ଡକରେ ଅଶ୍ରୁହୀନ କାତରତାର ସ୍ପଷ୍ଟ ମୂର୍ତ୍ତି ପ୍ରକାଶିତ । “ଆ’ସେ, ଆ’ସେ” ବୋଲି ହାତର ସଙ୍କେତରେ ଅଭୟ ଦେଇ ଝିଅଟିକୁ ପାଖକୁ ଡାକିଲେ ଡାକ୍ତର । ଝିଅଟି ଅତି ସନ୍ତର୍ପଣରେ ଯାଇ ଡାକ୍ତରଙ୍କ ଚଉକିର ଡାହାଣ ପାଖରେ ଠିଆହେଲା ।

 

—“ଦେଖି, ହାତଟା ଦେଖେଇଲୁ ଝିଅ”—ବୋଲି କହି ଝିଅଟିର ହାତଧରି ଡାକ୍ତର ନାଡ଼ି ଚିପି, ପାଚିଲା ପଣସ ଭଳି ପେଟକୁ ଚିପିଲେ । ଝିଅଟି ହାତରୁ ବୋତଲଟି ନେଇ କମ୍ପାଉଣ୍ଡରଙ୍କୁ ଡାକପକେଇ ପଚାରିଲେ— “ମହେନ୍ଦ୍ର, ଏଇ ବୋତଲଟା ନେବ; ଅଧା ଆଉନ୍‌ସ କାଷ୍ଟର୍‌ ଅଏଲ ଦବ । ଷ୍ଟକ୍‌ରେ ଆମର ସେଣ୍ଟୁ ନାଇନ୍‌ ଅଛି ନା ?”

 

ଔଷଧ ପତ୍ର ତିଆରି କରିବା ଟେବୁଲ ଉପରକୁ ଚିରା କନାଖଣ୍ଡକରେ ସଫା କରି କମ୍ପାଉଣ୍ଡର ବାବୁ ଔଷଧ ଆଲମିରାରେ ତାଲା ପକାଇବାକୁ ଉପକ୍ରମ କରୁଥିଲେ । କାଳେ ଡାକ୍ତର ପୁଣି ନୂଆ ବ୍ୟବସ୍ଥାପତ୍ର ଲେଖିବେ, କମ୍ପାଉଣ୍ଡର ବେଗାବେଗି ତାଲାଟା ପକେଇ ଉତ୍ତର ଦେଲେ–“ସେଣ୍ଟୁନାଇନ୍‌ କେବଠୁ ଶେଷ ହେଲାଣି-ଆପଣଙ୍କୁ ଇଣ୍ଡେଣ୍ଟ ଦବାକୁ କହିଥିଲି ଯେ !” କଥା ସଙ୍ଗେ ସଙ୍ଗେ ଡିସ୍‌ପେନ୍‌ ସିଂ ରୁମ୍‌ର ଭିତର ଦୁଆର ଦେଇ ବୋତଲଟା ନବାକୁ ଆସି ଝିଅଟିକୁ ଦେଖି କହିଲେ—“ଏଇଟାତ ସେଇ ଧରଣୀ ମାଷ୍ଟରର ଝିଅ । ଦିନଟା ସାରା ଗଲା ପଛକେ, ଦବାଇ ନବାକୁ ପଠାଇବା ପାଇଁ ମା’ ବେଳ ପାଇଲା ନାହିଁ-ଯା ଯା, ଯାହା ଦରକାର କାଲିକି ନବୁ-।”

 

ହାତରେ ଚାବିପେନ୍ଥାକ ନେଇ କମ୍ପାଉଣ୍ଡିଂ କୋଠରିରୁ ବାହାରି ଆସିଲେ କମ୍ପାଉଣ୍ଡରବାବୁ । ବୋତଲରେ କାଷ୍ଟର୍‌ ଅଏଲ୍‌ ଦିଆନହେଲା ।

 

କମ୍ପାଉଣ୍ଡରଙ୍କ ମିଜାଜ୍‌ ବୁଝିପାରି ଡାକ୍ତର ଦ୍ଵିତୀୟବାର ନିର୍ଦ୍ଦେଶ ନଦେଇ ଝିଅଟିର ହାତରେ ହୁକ୍‌କାଟା ଦେଇ କହିଲେ–“ନେଇପାରିବୁ ତ ? ଚାଲ୍‌ ମୋ ଘରକୁ ।”

 

ଡାକ୍ତରଙ୍କ ବଙ୍ଗଳା ଡାକ୍ତରଖାନାର ପଛକୁ ଲାଗିକରି । ଉତ୍‌ଫୁଲ୍ଲିତ ଭାବେ ଝିଅଟି ଡାକ୍ତରଙ୍କର ଅନୁଗମନ କଲା । ହୁକ୍‌କାଟି ଧରିବାକୁ ପାଇବା ଅଧିକାରରୁ ହିଁ ସ୍ନେହ ଓ ସହାନୁଭୁତି ଲାଭକଲା ବୋଲି ଝିଅଟିର ମୁଖ ଆନନ୍ଦ ଗୌରବରେ ଲାଲ୍‌ ହେଇଗଲା । ଦୀର୍ଘ ରବରନଳୀ ଲଗା ହୁକକାଟା କାଳେ ହାତରୁ ଖସିଯିବ, ସେଇ ଭୟରେ ବୁକୁରେ ଜାକି ଦୁଇ ହାତରେ ଜାବୁଡ଼ିଧରିଲା । ପାହାଚ ଓହ୍ଲେଇ ଝିଅଟି ଆସିପାରୁଛି କି ନାହିଁ ବୋଲି ଡାକ୍ତର ପଛକୁ ଫେରିଚାହିଁଲେ । ତାଙ୍କର ଏକାକୀ-ଜୀବନର ସହଚର, ବ୍ୟସ୍ତମୟ ଜୀବନର-ବିଶ୍ରାମ-ସାମଗ୍ରୀଟିକୁ ଝିଅଟି ଦୟାପରବଶ ହୋଇ ବୁକୁରେ ଜାବୁଡ଼ିନେଇ ହେପାଜତ୍‌ରେ ଆଣୁଥିବା ଦେଖି ଡାକ୍ତରଙ୍କ ମୁହଁରେ ହସ ଫୁଟିଲା । ଝିଅଟିର ମନରୁ ଭୟ ସଙ୍କୋଚର ଶେଷ ଭାବଟିକକ ଦୂର କରିବାକୁ ଡାକ୍ତର ପଚାରିଲେ “ତୋ ନାଁ କଣ ?”

 

—“କମଳି” — କହି ମୁଚୁକି ମୁଚୁକି ହସିଲା କମଳି ।

 

—“କମଳି ? ମୋ ଝିଅର ନାଁ ବି ତ କମଳି !”

 

ହଠାତ୍‌ କଣ ଚିନ୍ତାକରି ଡାକ୍ତରଙ୍କ ମୁଖ ଗମ୍ଭୀର ହୋଇଗଲା । ପର ମୁହୁର୍ତ୍ତରେ ସେଇ ଚିନ୍ତାଭାବ ଦୂରକରିବାକୁ, ଆଖିରେ ମୁହଁରେ ମୁଣ୍ଡରେ ହାତ ବୁଲେଇ କହିଲେ—“ଠିକହେଲା, ମୋର କମଳି ଆସିଲେ ତା ସହିତ ତତେ ସଙ୍ଗାତ ବସେଇଦେବି ।”

 

—“ଇ-ହି-ହି” ବୋଲି ଲାଜରେ ତଳକୁ ମୁହଁ ପୋତିଲା କମଳି ।

 

ବାର

 

ସନ୍ଧ୍ୟାରେ ଡାକ୍ତରଖାନାରୁ ଫେରି କିଛି ସମୟ ବିଶ୍ରାମ ନେବା ଗୋଲାପ ଡାକ୍ତରଙ୍କର ପରମ ବିଳାସ । ସେ ବସାକୁ ଆସିବା ପୂର୍ବରୁ ଚାକର ଶାଓନା ଘରର ସାମନା ଅଗଣାରେ ଟେବୁଲ ଚଉକି ପକେଇ ରଖିଥାଏ । ହୁକ୍‌କାଟା ତଳେ ଥୋଇବା ପାଇଁ କମଳିକୁ ନିର୍ଦ୍ଦେଶ ଦେଇ, ମେଲାହେଇଥିବା କାନଭାସ୍‌-ଆରାମ-ଚଉକି ଖଣ୍ଡକର ଫୁଙ୍ଗୁଳା କୋଳରେ ଡାକ୍ତର ନିଜର ଶ୍ରାନ୍ତ । ଦେହଟାକୁ ଛାଡ଼ିଦେଲେ । ଟେବୁଲ ଉପରେ ପାଦ ଦୁଇଟା ମେଲିଦେଇ, ‘ଆହ୍‌’ ବୋଲି ଆରାମରେ ନିଶ୍ୱାସ ଟାଣିଲେ; ସାରା ଦିନଟାର ଅବସାଦ ଅବସନ୍ମତା ସତେକି ଗୋଟିଏ ନିଶ୍ଵାସରେ ଉଡିଗଲା । ହାତ ଦୁଇଟାକୁ ମେଲେଇ, ଶାଓନାକୁ ଚିତ୍କାର କରି ଡାକଟାଏ ମାରି ସେ ଆସିଗଲେ ବୋଲି ବିଜ୍ଞପ୍ତି ଦେଲେ ।

 

ଶାଓନା ବାହାରିଆସି, ଡାକ୍ତରଙ୍କର କୌଣସି ନିର୍ଦ୍ଦେଶକୁ ଅପେକ୍ଷା ନକରି ଟେବୁଲ ଉପରର ବେତ-ବିଞ୍ଚଣା ଖଣ୍ଡକ ଡାକ୍ତରଙ୍କ ହାତକୁ ବଢ଼େଇଦେଇ, ହୁକ୍‌କାଟାରୁ ଚିଲମଟାକୁ ବାହାର କରିନେଇ ପୁଣି ଘର ଭିତରେ ପଶିଲା । ଡାକ୍ତରବାବୁ ଆସ୍ତେ ଆସ୍ତେ ବିଞ୍ଚଣା ଖଣ୍ଡକ ଘୂରେଇବା ଦେଖି, କମଳି ପାଖକୁ ଆସି, ନିଜର ହାତ ଡାକ୍ତରଙ୍କ ଆଡକୁ ବଢେଇ କହିଲା–“ଡାକ୍ତରବାବୁ, ବିଞ୍ଚଣାଟା ମତେ ଦିଅ, ମୁଁ ବଞ୍ଚିବି ।”

 

କୃତ୍ରିମ କ୍ରୋଧର ଭାବ ଦେଖେଇ, ଡାକ୍ତରବାବୁ ଧମକେଇଲା ଭଳି କହିଲେ–“ଧେତ୍‌, କେମିତି ଜଣେ ଲୋ ତୁ ! ଡାକ୍ତରଖାନାରେ ସିନା ମୁଁ ଡାକ୍ତରବାବୁ, ଘରେ ମତେ ‘ବାପା’ ବୋଲି ଡାକିବୁ ।”

‘ଡାକ୍ତରବାବୁ’ ଏବଂ ‘ବାପା’ ସମ୍ବୋଧନର ପାର୍ଥକ୍ୟ ବୁଝି ନ ପାରି କମଳି କ୍ଷଣକ ପାଇଁ ଥତମତ ହୋଇ ରହିଲା । ବିଞ୍ଚଣା ଖଣ୍ଡକ ଝିଅଟିର ହାତରେ ଦେଇ, ଦମକାଏ, ଦୁଇ ଦମକା ପବନ ଖାଇ ବିଶ୍ରାମ ନେବାକୁ ମନହଉଚି-କିନ୍ତୁ ରୋଗୀଣା ଝିଅଟିର ଖଡ଼ିକା ଭଳି ହାତ ଦୁଇଟିକୁ ଲକ୍ଷ୍ୟକରି ତା’ ହାତରେ ବିଞ୍ଚଣା ଖଣ୍ଡକ ଦେବାକୁ ତାଙ୍କର ସତ ବଳୁନାହିଁ । ଡାକ୍ତରବାରୁ ମଧ୍ୟ ଇତସ୍ତତଃ ହୋଇ କହିଲେ–“ମେଞ୍ଚଡ ଝିଅ ଖଣ୍ଡେ, ତୁ ପୁଣି ମତେ ବିଞ୍ଚିବୁ ?”

ନିଜ ସାମର୍ଥ୍ୟର ପରିଚୟ ଦେବାପାଇଁ ବ୍ୟଗ୍ର ହୋଇ କମଳି ଉତ୍ତର ଦେଲା–“ଇହି, ପାରିବି ତ.....ବାପାଙ୍କୁ ତ ମୁଁ ସଦାବେଳେ ବିଞ୍ଚୁଥାଏଁ ।”

ଅତି ନିକଟକୁ ଲାଗିଆସିଥିବା କମଳିର ହାତରେ ବିଞ୍ଚଣା ଖଣ୍ଡିକ ଛାଡିଦେଇ, ସମ୍ପୁର୍ଣ୍ଣଭାବରେ ବିଞ୍ଚଣା ପବନରେ ଦେହକୁ ଶାନ୍ତ କରିବା ନ୍ୟାୟରେ ଡାକ୍ତର ଆଖି ଯୋଡିକ ବନ୍ଦକରି ଧ୍ୟାନମଗ୍ନ ହେଲେ । କମଳି ଆରାମଚଉକିର ପଛପାଖରେ ଛିଡା ହୋଇ ଦୁଇ ହାତରେ ବିଞ୍ଚଣାକୁ ଧରି ଘୂରେଇ ଲାଗିଲା । ଇତି ମଧ୍ୟରେ ଶାଓନା, ଚିଲମଟାକୁ ସଜାଡି ଆଣି, ହୁକ୍‌କାରେ ସଂଯୁକ୍ତ କରି ନଳୀଟିକୁ ଡାକ୍ତରଙ୍କ ହାତକୁ ବଢେଇଦେଲା । ଡାକ୍ତରବାବୁ ସେଥିରୁ ଦୀର୍ଘ ଦୁଇଟାଣ ଟାଣି, ଖେକ୍‌ ଖେକ୍‌ କରି ମେଞ୍ଚାଏ ଖଁକାର ଗଳାରୁ ବାହାରକରି ପକେଇ କହିଲେ–“ଆରେ ଶାଓନା, ଗଲୁ ଟେବୁଲ ଉପରୁ ଛୋଟ ଚମଡା ଔଷଧ-ବାକ୍‌ସଟା ଆଣିବୁ । ଆଉ, ହଁ, ବଡ଼ ନୀଳ ବୋତଲଟା ବି ଆଣି ଆ ।”

ପଛପାଖରେ ଛିଡ଼ା ହୋଇଥିବା କମଳିର ମୁହଁକୁ ଦେଖିପାରିଲା ଭଳି ଆଖି ଡୋଳାକୁ ଉପରକୁ ଟେକି ଡାକ୍ତର ପଚାରିଲେ—“ତୋ ଘରେ କିଏ କିଏ ଅଛନ୍ତି ?”

—“ମା, ବାପା, ଦୁହେଁ ଅଛନ୍ତି ।”

—“ସାନଭାଇ, ବଡ଼ଭାଇ ନାହାଁନ୍ତି ?”

—“ଉଁହୁଁ ।” ବୋଲି କମଳି ମୁଣ୍ଡ ହଲେଇଲା I

—“ବାପା କଣ କରନ୍ତି ? ଚାଷବାସ ?”

ଗାଁରେ ଧରଣୀକୁ ‘ଉଇଭିଂ-ମାଷ୍ଟର’, ଚୁମ୍ବକରେ ‘ମାଷ୍ଟର’ ବୋଲି ଜାଣନ୍ତି । କମଳି ବାପାଙ୍କ ପରିଚୟ ଦବାକୁ ଯାଇ ଉତ୍ସାହରେ କହିଲା—“ଉହୁଁ, ବାପା ଆଗେ ତନ୍ତଶାଳରେ ମାଷ୍ଟର ଥିଲେ । ଏବେ ଫାଟକରୁ ଆସି ବେମାର ହେଇଚି ଯେ ବିଛଣାରେ ପଡ଼ିଚନ୍ତି ।”

ଡାକ୍ତର ଆଶ୍ଚର୍ଯ୍ୟ ହୋଇପଚାରିଲେ—“ଫାଟକ ଖଟିଥିଲେ ! ଚୋରି କରିଥିଲେ ନା କଣ ?”

କ୍ଷଣେ ଥମକିରହି ପ୍ରତିବାଦ ସ୍ଵରରେ କମଳି କହିଲା—“ଇସ୍‌, ମୋ ବାପା ଚୋରି କାହିଁକି କରନ୍ତେ ମ ! କଂଗ୍ରେସ୍‌ ଭଲେଣ୍ଟିଅର ହେଇଥିଲେ ଯେ ପୋଲିସ ଧରିନେଇ ଫାଟକରେ ରଖିଥିଲେ ।”

ଦେଶ-ସେବକ ଜଣଙ୍କ ପ୍ରତି ଅନୁଚିତ-ଅପ୍ରିୟ ମନ୍ତବ୍ୟ ପ୍ରକାଶ କରି ଡାକ୍ତର ଲଜ୍ଜା ବୋଧକଲେ । ଅପ୍ରୀତିକର ପ୍ରଶ୍ନ ଉପରେ ବିସ୍ମୃତିର ପରଦା ପକେଇବା ପାଇଁ ଡାକ୍ତର ଛଳକରି ବେଗାବେଗି ପଚାରିଦେଲେ— “ବାପାଙ୍କର କଣ ହେଇଚି ?”

 

—“କାଶ ଜ୍ଵର ।”

 

କଥା କହିବାର ଉତ୍ସାହ କମଳିର କମିଗଲା; ବିଞ୍ଚଣାର ଗତି ମଧ୍ୟ ମନ୍ଥର ହେଲା । ଫାଟକ ଖଟିବା ଯେ ଦୋଷର କଥା ସେଇ କଥା ସାଙ୍ଗସାଥୀ ଝିଅପୁଅଙ୍କ କଥାବାର୍ତ୍ତାରୁ କମଳି ବୁଝିପାରିଥିଲା । ବାପା ଫାଟକ ଖଟି ଆସିଛନ୍ତି ବୋଲି ପଡୋଶୀ ମଣ୍ଡଳର ଝିଅମାନେ କମଳିକୁ ଥଟ୍ଟା ପରିହାସ କରନ୍ତି ବେଳେ ବେଳେ । ଫାଟକ ଖଟିବା-ରୋଗୀକୁ ଦେଖିବାକୁ ସରକାରୀ ଡାକ୍ତର କାଳେ ଯାଆନ୍ତିନି, ଏଇ କଥା ଅନୁମାନ କରି କମଳି ବଡ଼ ଦୁଃଖରେ ମୁହଁ ଶୁଖେଇଲା ।

 

—“କେତେ ଦିନ ହେଲା ବାପା ବେମାର ପଡ଼ିଛନ୍ତି ଲୋ ?”

 

—“ଫାଟକରୁ ଆସିବା ଦିନରୁ ।”

 

ଡାକ୍ତର ବୁଝିଲେ କମଳି ମାସ ଦିନର ଗଣନା କରି ଜାଣେନାହିଁ । କେମିତି ବା ଜାଣିବ ! ତାଙ୍କ କମଳି ତ ଏବେ ବି ‘କ’ ‘ଖ’ ପାଖରେ ।

 

—“ଔଷଧ ଖାଉଚନ୍ତି ନା ଲୋ ?”

 

—“ଆଗେ କନ୍ଦର୍ପ କବିରାଜଠୁ ଔଷଧ ଖାଉଥିଲେ । ଗୁଣ ଧଇଲା ନାହିଁ ଯେ ଆଉ ଖାଉ ନାହାଁନ୍ତି । ଦୁଇଦିନ ହେଲା କାଶଟା ବେଶି ହେଇଚି । ସେଥିପାଇଁ ମା’ ମତେ ଆଜି ଆପଣଙ୍କ ପାଖକୁ ପଠେଇଲା ।”

 

Unknown

—“ଓହୋ, ବୁଝିଲି !” —ବୋଲି ଡାକ୍ତର ନିଶ୍ଵାସ ଟାଣି ସମ୍ମତି ଜଣାଇଲେ । ଆଶାନୁରୂପ ଉତ୍ତର ନପାଇ କମଳିର ଆଖିରୁ ଲୁହ ଝରିଲା ।

 

ଇତି ମଧ୍ୟରେ ଶାଓନା ବାକ୍‌ସଟା ଆଣି ଟେବୁଲରେ ଥୋଇଲା । ପିଠିକୁ ସିଧା କରି ବସି ଡାକ୍ତର କହିଲେ—“ଆରେ ବୋତଲଟା । ଆଣିବାକୁ କହିଲି ପରା-ଟେବୁଲରେ ଅଛି, ଯା ନେଇଆ-।”

 

ଶାଓନା ଡାକ୍ତରଙ୍କର ପୁରୁଣା ଚାକର । ଡାକ୍ତରଙ୍କର ସ୍ତ୍ରୀ ମରିବା ଚାରିବର୍ଷ ହେଲାଣି । ଡାକ୍ତର ନିଜେ ଶିଖେଇ ବୁଝେଇ ଯେତେବେଳେ ଶାଓନାକୁ ଘରୋଇ କାମରେ ଲଗେଇଥିଲେ, ସେତେବେଳେ ସେ ପିଲଟାଏ ମାତ୍ର । ସେଇଦିନରୁ ସେ ଡାକ୍ତରଙ୍କ ସାଙ୍ଗରେ ଘୂରୁଚି ତ ଘୂରୁଚି ।

 

ସ୍ତ୍ରୀ ମଲାଦିନରୁ ଏଇ ଆତ୍ମଭୋଳା-ଡାକ୍ତର ସବୁ ବିଷୟରେ ଉଦାସୀନ । ମାମୁଁମାନେ ଝିଅକୁ ପାଳିବାକୁ ନେଇଯିବାରୁ, ସେଇ ଏକମାତ୍ର ସାଂସାରିକ ବନ୍ଧନରୁ ବି ଡାକ୍ତର ମୁକ୍ତ । ଡାକ୍ତରଙ୍କର ଅନନ୍ତ-ଖାମଖିଆଲି ସହିତ ଶାଓନା ସୁପରିଚିତ । ‘ଡାକ୍ତରବାବୁ’ ସମ୍ବୋଧନଟା ଡାକ୍ତରଖାନାରେ ଛାଡ଼ି ଆସିଥିଲେ ବି, ରୋଗୀ ତଥା ଔଷଧର ସମ୍ବନ୍ଧଟା ଡାକ୍ତରଙ୍କୁ ଘରେ ବି ଛାଡ଼େନା । ସଦାବେଳେ ଏୟା ଦେଖିଆସିଛି ଶାଓନା ।

 

—“ଆଣୁଚି ଆଜ୍ଞା ! ଆପଣ ପୋଷାକ ବଦଳାନ୍ତୁ । ଗାଧୁଆଘରେ ଧୋତି ଆଉ ଗାମୁଛା ରଖିଦେଇଚି ।”

 

ଭିତରକୁ ଯାଇ, ଡାକ୍ତର ଶୁଣିପାରିଲା ଭଳି ଗୁରୁଗୁରୁ ହେଇ ଶାଓନା କହିଚାଲିଥାଏ–“ଏକା ଥରକେ ଡାକ୍ତରଖାନାଟା ଘରକୁ ଟେକିଆଣିଲେ ହୁଏ । ଏକ ସ୍ଵଭାବଟା ଗଲାନାହିଁ କେବେ.....”

 

ହୁକ୍‌କାର ନଳୀକୁ ବାହୁରେ ଥୋଇ, ଔଷଧ ବାକ୍‌ସଟା ଖୋଲି, ଡାକ୍ତର ‘ସେଣ୍ଟୁନାଇନ୍‌’ ପୁଡ଼ିଆଟିଏ ତିଆରିକରି, କମଳିକୁ ଟେବୁଲ ପାଖକୁ ଡାକି ତା’ହାତରେ ଦେଇ କହିଲେ–“ଭାତଖାଇ ଶୋଇବାବେଳେ ଗୁଡ଼ଟିକିଏରେ ମିଶେଇ ଏଇ ପୁଡ଼ିଆ ଔଷଧ ଖାଇବୁ । ଔଷଧ ଖାଇସାରି ଅରୁଆଚାଉଳ ମୁଠେ ଚୋବେଇବୁ; ନହେଲେ ବାନ୍ତି ମାଡ଼ିବଟି ! ଚାରି ପାଞ୍ଚଥର ଝାଡ଼ା ନହେଲା ଯାଏଁ କିଛି ଖାଇବୁନି । ଗୋରୁଗାଈ ମେଲି ଦେଲା ପରେ, ଦି’ପହରିଆ ଅଳପ କରି ଗାଈ ଦୁଧରେ ଭାତ ଦୁଇଟା ଖାଇବୁ । ବୁଝିଲୁ ନା ଲୋ ?”

 

ପୁଣି ହୁକ୍‌କା ଟାଣି, ଖକ୍‌ ଖକ୍‌ କରି ଖଁକାର ବାହାରକରି ପକେଇବାକୁ ଠିଆ ହେଲେ ଡାକ୍ତର । ଶାଓନା ନୀଳ ବୋତଲଟି ଆଣି ଟେବୁଲରେ ଥୋଇଲା । ବଡ଼ ବୋତଲର ମୁହଁରେ ଛୋଟ ଶିଶିର ମୁହଁ ଲଗେଇ, ଡାକ୍ତର ଶାଓନା ଆଡ଼େ ଚାହିଁ କହିଲେ—“ଗଲୁ, କଦଳୀ ଅଛି ଯଦି ଦି’ଟା ନେଇଆସିବୁ ।”

 

ଶାଓନା ବେଶ୍‌ ବୁଝିପାରିଲା—ହଠାତ୍‌ କଦଳୀଚ ପ୍ରୟୋଜନ ହେଲା କାହିଁକି । ରୋଗୀଣା ଝିଅଟାକୁ ଔଷଧପତ୍ର ଦେଇ ନ ସାରିବା ଯାଏଁ ଯେ ଡାକ୍ତରଙ୍କ ଗାଧୁଆ ପାଧୁଆ, ଚାହାଖିଆ ହବନାହିଁ ସେକଥା ଶାଓନା ବେଶ୍‌ ଜାଣେ । ଏଣୁ ଦ୍ଵିରୁକ୍ତି ନ କରି ବେଗାବେଗି ଯାଇ ପହଞ୍ଚିଲା ଶାଓନା । ଆପଦଟାକୁ ବିଦାକରିପାରିଲେ ରକ୍ଷା ।

 

ସରକାରୀ ହସପିଟାଲ୍‌ରୁ ବିନାମୂଲ୍ୟରେ ମିଳିବା ଔଷଧର ଗୁଣ ନାହିଁ ବୋଲି ବହୁତ ଲୋକଙ୍କର ବିଶ୍ୱାସ । କାହାର କାହାର ଧାରଣା ଯେ ଗଭର୍ଣ୍ଣମେଣ୍ଟ ସପ୍ଲାଇ କରୁଥିବା ଭଲ ଔଷଧଗୁଡ଼ିକ ଡାକ୍ତରମାନେ ନିଜ ପାଇଁ ରଖିନେଇ ସୁଦୁ ପାଣିଗୁଡ଼ାଏ ରୋଗୀକୁ ଦିଅନ୍ତି । ସେଥିପାଇଁ ସୁବିଧା ମିଳିଲେ, ସେ ଦେଉଥିବା ଔଷଧର ଯେ ମୂଲ୍ୟ ଅଛି, ସେଇକଥାଟା ଲୋକଙ୍କୁ ମନେପକେଇଦବାକୁ ଡାକ୍ତର ଭୁଲ୍‍ନ୍ତି ନାହିଁ । ପୁଡ଼ିଆଟି ମେଖେଳା ଖୋସଣୀରେ ଖୋସି, ଔଷଧ ଶିଶିକୁ ହାତମୁଠାରେ ଟାଣକରି ମୁଠେଇ ଧରି ଫେରିବାକୁ ବାହାରିଲା କମଳି । ଡାକ୍ତର ଟିକିଏ ରହି ଅନ୍ୟମନସ୍କ ଭାବରେ ପଚାରିଲେ—“ସନ୍ଧ୍ୟା ହେଲାଣି, ତୁ କଣ ଏକାଟିଆ ଯାଇପାରିବୁ ?”

 

କମଳି ହିଁ ହିଁ ହସି ଉତ୍ତର ଦେଲା “ଇସ୍‌—ଏକା ଡିଆଁକେ ଯାଇ ଘରେ ପହଞ୍ଚିବି । ଆମ ଘର କେତେ ଦୂର ବୋଲି ଭାବୁଚ କି ? ନାରାୟଣ ମଣ୍ଡଳ ଘର ବେଲଗଛ ପାଖରେ ।”

 

ଇତିମଧ୍ୟରେ କଦଳୀ ଦୁଇଟା ଆଣି ଆସି ସେଇଠି ଠିଆହେଇ ଡାକ୍ତରବାବୁ ଏବଂ କମଳି ମଧ୍ୟରେ ହେଉଥିବା କଥୋପକଥନ ଶୁଣୁଥିଲା ଶାଓନା । ନୂତନ ଉପଦ୍ରବର ଆଶଙ୍କାରେ ତରବରରେ ଆଗକୁ ଆସି କମଳି ହାତରେ କଦଳୀ ଦୁଇଟି ଦେବାକୁ ଯାଇ ଡାକ୍ତରଙ୍କ ଆଡ଼େ ଅନେଇ ପଚାରିଲା—“କଦଳୀୟାକୁ ଦେବି ନା କଣ ?”

 

ଡାକ୍ତର ମୁଣ୍ଡ ଟୁଙ୍ଗାରି ସମ୍ମତି ଜଣାଇବାରୁ ଶାଓନା କମଳି ହାତରେ କଦଳୀ ଦୁଇଟି ଗୁଞ୍ଜି ଦେଲା । ଡାକ୍ତର କମଳିକୁ ଅନେଇ ପୁଣି କହିଲେ—“ପୁଡ଼ିଆ ଔଷଧ ଗୁଡ଼ ଲଗେଇ ଖାଇବା ଦରକାର ନାହିଁ—କଦଳୀ ଲଗେଇ ଖାଇବୁ, ବୁଝିଲୁ ?” କଥାତକ କହି ଶାଓନା ଆଡ଼କୁ ଡାକ୍ତରୀ-ଚାହାଣୀରେ ଚାହିଁଲେ । କଦଳୀ କେଇଟା ସ୍ନେହରେ ନୁହେଁ, ଔଷଧର ଅନୁପାନ ରୂପରେ ଦିଆହୋଇଛି—ଏଇ ଅର୍ଥ ପ୍ରକାଶ କରୁଥିଲା ସେଇ ଚାହାଣୀ ।

 

ଚରିତ୍ରର ଦୁର୍ବଳତା ଢଙ୍କା ଡାକ୍ତରଙ୍କ କଟାକ୍ଷକୁ ଲକ୍ଷ୍ୟ ନ କରି, କାଳେ ଝିଅଟାକୁ ଛାଡ଼ିବାକୁ ଯିବାକୁ ନିର୍ଦ୍ଦେଶ ମିଳିବ, ସେଇ ଆଗତ ବିପଦ କଟାଇବା ପାଇଁ ଶାଓନା ଚଟ୍‌କିନା ପଚାରିଲା—“ନାରାୟଣ ମଣ୍ଡଳର ବେଲଗଛ ପାଖରେ ଧରଣୀ ମାଷ୍ଟର ଘର ଟି ?”

 

—“ହଁ, ସେଇଟା ତ ଆମ ଘର ।’’ କମଳି ସମ୍ମତି ଜଣାଇଲା ।

 

—“ତମ ଘର ସେଇ ବାଙ୍କ ପାଖରେ ତ ?” ଦୂରତ୍ଵ କମେଇବାକୁ, ଅନିଶ୍ଚିତ ଦିଗକୁ ହାତଟା ଲମ୍ବେଇ ଦେଖେଇଲା ଶାଓନା ।

 

ଡାକ୍ତରଙ୍କ ଆଡ଼କୁ ଚାହିଁ ଶାଓନା ପୁଣି କହିଲା—“ବାବୁମ, ସେଦିନ ମୁଁ ଯୋଉ ବେଲ ଆଣିନଥିଲି—ସେଇ ବାରମାସିଆ ବେଲଗଛ ପାଖରେ ୟାଙ୍କ ଘର ପରା ।”

 

ଡାକ୍ତରଙ୍କ ଉତ୍ତରକୁ ଅପେକ୍ଷା ନକରି, ଝିଅଟି ଆଡକୁ ଭ୍ରୂକୁଟି କରି ଚାହିଁ କହିଲା–“ବେଳତ ବୁଡ଼ିନି, ତତେ କଣ ଡରମାଡ଼ୁଚି ? ଡର କଣ ମ, ମୁଁ ଏଇଠୁ ନିଘାକରୁଚି—ତୁ ଯା-।”

 

—“ଯାଇପାରିବି ଯେ !” କହି ସଙ୍ଗେ ସଙ୍ଗେ କମଳି ଉଁ...ଉଁ କରି ଚିତ୍କାର କରି ବାଟ ଆଡ଼କୁ ଧାଇଁଲା ।

 

ଟେବୁଲ ଉପରୁ ବାକ୍‌ସଟା ଏବଂ ବୋତଲଟା ନେଇ ଶାଓନା ଭିତରକୁ ଗଲା । ଡାକ୍ତର ପୁଣି ଆରାମ୍‌ଚେୟାର୍‌ରେ ଦେହଟାକୁ ଛାଡ଼ିଦେଲେ । ମ୍ଳାନମୁଖ ସନ୍ଧ୍ୟାର ଶୀତଳ-ବା’ରୁ ଦମକାଏ କର୍ମକ୍ଳାନ୍ତ ଶରୀରର ସମସ୍ତ ଅବସାଦ ଅନ୍ତର କରାଇନେଲା । ସଙ୍ଗେ ସଙ୍ଗେ ଅନ୍ତର ପୂରିଉଠିଲା ପ୍ରଶାନ୍ତ ନିସ୍ତବ୍‌ଧତାରେ । ଶାନ୍ତି ଏବଂ ସହଜ ପରିତୃପ୍ତି ସକାଶେ ଗୋଲାପ ଡାକ୍ତର ଡାକ୍ତରୀ ପଢ଼ିଥିଲେ । କିନ୍ତୁ କର୍ମମୟ-ବ୍ୟସ୍ତ-ଜୀବନରେ ଦିନକ ପାଇଁ ବି ଶାନ୍ତିର ମନୋହର ରୂପଟା ସହିତ ତାଙ୍କର ପରିଚୟ ହେଲାନାହିଁ ।

 

ରୋଗ, ମୃତ୍ୟୁ, ଯନ୍ତ୍ରଣା, ଦାରିଦ୍ର୍ୟର ବିକଟ ପ୍ରେତମୂର୍ତ୍ତି ଅହର୍ନିଶ ଧେଇ ଧେଇ ତାଣ୍ଡବନୃତ୍ୟ କରିଚାଲିଛି ଗୋଲାପ ଡାକ୍ତର ଚତୁର୍ଦ୍ଦିଗରେ ।

 

ତେର

 

ଆଷାଢ଼ର ରଝରଝିଆ ଝଡ଼ି । ବରଷାର ମଝିରେ ସକାଳର ସୂର୍ଯ୍ୟ ବାହାରିବେ ନ ବାହାରିବେ ହେଇ ବାହାରିଛନ୍ତି । କାନ୍ଧରେ ଲଙ୍ଗଳ ଜୁଆଳି, ହାତରେ ନିଆଁ-ବରିଆ ଏବଂ ପାଞ୍ଚଣ ନେଇ ‘ହ-ହ’ କରି କରି ହଳିଆମାନେ ହଳଖେଦି ବିଲକୁ ବାହାରିଛନ୍ତି । ଏଡ଼େ ସକାଳୁ ଏମିତି ପାଗରେ ଡାକ୍ତରବାବୁ ସାଇକେଲ ଚଢ଼ି, ପେଁ ପେଁ ହେଇ ଯାଉଥିବା ଦେଖି ଜଣେ ଦୁଇଜଣ ପଚାରିଲେ—“ସଲାମ ଆଜ୍ଞା, ଏଡେ ସକାଳୁ କୋଉଆଡ଼କୁ ବାହାରିଲେ ?”

 

—“ଏଇଠୁ ଆସୁଚି” ବୋଲି କହି, ଦ୍ଵିତୀୟ ପ୍ରଶ୍ନ ପାଇଁ ଅବକାଶ ନ ଦେଇ, ଡାକ୍ତର ଗୁଳି ବେଗରେ ଆଗେଇଲେ ।

 

—“କାହା ଘରେ ଶକତ ବେମାର ବୋଧେ ?” ନିଆ ବରିଆରେ ପୋକ ଖେଦି ଖେଦି ପଛର କେଇଜଣଙ୍କୁ ଅନେଇଁ, କହିଲା, ନଲୀୟା ।

 

—“ହଁ ମ, ଗାଁ ଖଣ୍ଡକରେ କି ଶନି-ଦଶା ନଘୋଟିଲେ ସତେ ! ଦଇନି ଜଣେ ନହେଲେ ଜଣେ ଯାଉଚି । କାଆଲି ରାତ୍ରି ଫେସେଉର ସାନଟି ଚାଲିଗଲା ।”

 

—“ବରଷ ଗୋଟାକରେ ଦୁଇଦୁଇଟା ପୁଅର ମୁଣ୍ଡ ଖାଇଲା । ଆରେ ସେ ଗଜମୁଣ୍ଡିଟା ମରୁନି କାହିଁକି ?” ନଲୀୟାର ମୁହଁରେ ବିରକ୍ତିର ଭାବ ପ୍ରକାଶିତ ହେଲା ।

 

ପଛରୁ ମାଘି କହିଲା—“ଭେଦୋ ପୁଅର ଅବସ୍ଥା ସେମିତି ଭଲନୁହେଁ । ଆଉ ଘଡ଼ିକୁ ଆଉ ଘଡ଼ି ବୋଲ ।”

 

—“ସତରେ କିନ୍ତୁ ପୁଅର କଣ କିଛି ହେଇଗଲେ, ସେଇ ଘରଖଣ୍ଡକ ଉଚ୍ଛନ୍ନ ହେଇଯିବ-।” ଦୁଇ ଜଂଘ ମଝିରେ ହାତ ଭର୍ତ୍ତିକରି ମନ ତୃପ୍ତିରେ ରାଂପୁ ରାଂପୁ କିନା କୁଣ୍ଢେଇ ନଲୀୟା କହିଲା-

 

—“କହିବାକୁ ଅଛି ନା ?” ମାଘି ସମର୍ଥନ ଜଣାଇ, ଉସ୍‌ ଆସ୍‌ କରି, ପୁଟିଆକୁ କାମୁଡ଼ି ଧରିଥିବା ଜୋକଟାକୁ ଟାଣି ଛଡ଼ାଇ ମାରି ଦୂରକୁ ଫିଙ୍ଗି ଦେଲା ।

 

ନଲୀୟା ଘୁରି ଚାହିଁ ଚିତ୍କାର କଲା—“ଏ ହେ-ହେ......ରକ୍ତଗୁଡ଼ାକ ବୋହିଗଲାରେ….. । ଆବେ ମାଟି ଟିକିଏ ଲଗାଇପକା, ରକ୍ତ ବନ୍ଦ ହେଇଯିବ । ଏବର୍ଷ ଦେଖୁଛି ଜୋକଗୁଡ଼ାକ ଉଜାଣି ଉଠିଲେ । ଶେଷ ପର୍ଯ୍ୟନ୍ତ ବଢ଼ିପାଣି ଛାଡ଼ିବ କି ନାହିଁ ଜଣାଯାଉନାହିଁ । “କଥାତକ କହି, ହୁଡ଼୍ ହୁଡ଼୍‍ କରି ବଳଦ କେଇଟାଙ୍କୁ ରାଜପଥରୁ ବିଲ ଭିତରକୁ ଘଉଡ଼ାଇ ନେଲା । ବାକିମାନେ ନଲୀୟାର ଅନୁଗମନକଲେ ।

 

କୁଆ ‘କା’ ନକରୁଣୁ ଉଠି ଟଗର ଏକ ମନରେ ସାମନା ଦୂଆର ଖଣ୍ଡକୁ ଖରକୁ ଥିଲା । ଏପରି ସମୟରେ ‘ଟିଣିଂ ଟିଣିଂ’ ଶବ୍ଦ । ଅଣ୍ଟା ସିଧା କରି ଘୂରି ଚାହିଁ ଦେଖେ ଯେ ବାଟ ମୁହଁରେ ସାଇକେଲଟିଏ ଧରି କୋଟ୍‌ପେଣ୍ଟ୍‌ ପିନ୍ଧା ଜଣେ ଭଦ୍ରଲୋକ । ପୋଲିସ କର୍ମଚାରୀ ବୋଲି ଟଗରର ବୁକୁଟା ଧଡ଼୍‍କଲା; ବାଢ଼ୁଣୀଟି ଆପେ ଆପେ ହାତରୁ ଖସିପଡ଼ିଲା । ସାଧାରଣ ଅଭ୍ୟାସବଶର୍ତଃ କାଞ୍ଚୁଲିରୁ କାନିଏ ମୁଣ୍ଡରେ ଦେଇ ଅଚଳ ମୂର୍ତ୍ତିପରି ଅଗଣାରେ ଠିଆ ହେଇରହିଲା ।

 

ଡାକ୍ତର, ଭଦ୍ରମହିଳାଙ୍କ ମୁହଁକୁ ଚାହିଁଛନ୍ତି କି ନାହିଁ, ଭଦ୍ରତା ବିରୁଦ୍ଧ ବୋଲି ତତ୍‌କ୍ଷଣାତ୍‌ ଆଖି ଫେରାଇଲେ । ଦାରିଦ୍ର୍ୟର-ଆଭରଣ ମଧ୍ୟବିତ୍ତର ଛାପ ଭଦ୍ରମହିଳାଙ୍କ ଦେହରୁ ଘୁଞ୍ଚେଇପାରିନି । ଯୌବନର ଚଞ୍ଚଳତା ଅପସରିଯାଇଥିବାରୁ ସାରା ମାତୃତ୍ଵର ସୁସଂଯତ ରୂପହିଁ ପ୍ରକାଶ ପାଇଛି । ହଠାତ୍‌ ସମ୍ମୁଖରେ ଆବିର୍ଭାବ ହୋଇ ଭଦ୍ରମହିଳାଙ୍କୁ ଅପ୍ରସ୍ତୁତ ନକରିବାକୁ ଡାକ୍ତର ସାଇକେଲ ଘଣ୍ଟିର ସାହାଯ୍ୟ ନେଇଥିଲେ । ଭଦ୍ରମହିଳା ମୁଣ୍ଡରେ ଓଢ଼ଣୀ ଟାଣିଦେବା ପରେ ପାଟି ଖୋଲି ଡାକ୍ତରବାବୁ କହିଲେ—“ଏଇଟା ଧରଣୀ ମାଷ୍ଟରଙ୍କ ଘର ତ ? କାଲି କମଳି ଝାଡ଼ା ଔଷଧ ଆଣିଥିଲା । ଝାଡ଼ା ନହେଲେ ଯେ ଗରମପାଣି ପିଇବାକୁ ହେବ ଏ କଥାଟା କହିବାକୁ ଭୁଲିଯାଇଥିଲି । ୟାଡ଼େ ରୋଗୀଜଣକୁ ଦେଖିବାକୁ ଆସିଥିଲି ଯେ, ଭାବିଲି ଟିକିଏ ପଶିଯାଇ କଥାଟା କହି ଦେଇ ଯାଏଁ । ଝାଡ଼ା ନହେଲେ ପେଟକାମୁଡ଼ାରେ ଝିଅଟା । କଷ୍ଟ ପାଇବ କିନ୍ତୁ ।”

 

‘ଟିଣିଂ ଟିଣିଂ” ଶବ୍ଦ ଶୁଣି କମଳି ଉତ୍ସୁକ ହୋଇ, କିଏ ଆସିଛି ଦେଖିବାକୁ ବାହାରିଆସିଲା-। ଡାକ୍ତର ଯେ ସକାଳୁ ସକାଳୁ ସେମାନଙ୍କ ଘରେ ଆସି ପହଞ୍ଚିଯିବେ, କମଳି ବିଶ୍ଵାସ କରିପାରିଲା ନାହିଁ । ବିସ୍ମୟ ଆନନ୍ଦରେ ଦୌଡ଼ିଯାଇ ବାଉଁଶ ଅର୍ଗଳୀ ଖୋଲି କହିଲା–“ଭିତରକୁ ଆସୁନା ବାପା, ଆସ ।”

 

କମଳିର ଉଲ୍ଲସିତ ଅଭ୍ୟର୍ଥନାରେ ଡାକ୍ତର ହସିବାକୁ ଲାଗିଲେ । ଅପରିଚିତ ଡାକ୍ତରଙ୍କ ଆଗମନର ଅର୍ଥ କିଛି ବୁଝିନପାରି ଟଗର ସ୍ତବ୍‌ଧ ହୋଇ ଝିଅଆଡ଼େ ଚାହିଁ ରହିଲା । କମଳି ଡାକ୍ତରଙ୍କ ସାଇକେଲ୍‌ରେ ହାତ ଥୋଇ, ମା’କୁ ଅନେଇ କହିଲା—“କାଲି ଯିଏ ମତେ ଔଷଧ ଦେଇଥିଲେମ, ବାପାଙ୍କ ବେମାର ଦେଖିବାକୁ କାଲି ପରା ଡାକ୍ତର-ବାପାଙ୍କୁ ଡାକିଆସିଥିଲି !”

 

କାଲି ରାତିରେ କମଳି ଉଦାର ଗୋଲାପ ଡାକ୍ତରଙ୍କ ବିଷୟରେ ମା’କୁ ନାନାକଥା କହିଥିଲା । ତାଙ୍କୁ ଡାକି ବାପାଙ୍କୁ ଦେଖେଇବାକୁ ହବ ବୋଲି ବି ଶୋଇଲାବେଳେ ଅଳି କରିଥିଲା । କିନ୍ତୁ ସେ ଯେ କାଲି ଡାକ୍ତରଙ୍କୁ ଡାକି ଆସିଥିଲା ସେଇକଥା କହିନଥିଲା ।

 

—“କମଳି, ଡାକ୍ତରବାବୁଙ୍କ ପାଇଁ ଟୁଲ୍‌ଟା ଆଣି ଆ ।”

 

କମଳି-ମା’ଙ୍କର ନିର୍ଦ୍ଦେଶ ଶୁଣି ଏକ ବଡ଼ ସମସ୍ୟାର ସମାଧାନ ପାଇଗଲେ ଡାକ୍ତର । ଡାକ୍ତରୀ ବ୍ୟବସାୟର ସୁନିର୍ଦ୍ଦିଷ୍ଟ ନିୟମ ହେଲା, ନିମନ୍ତ୍ରଣ ନପାଇ ରୋଗୀ ଦେଖିବାକୁ ଯାଆନ୍ତି ନାହିଁ; ଅନ୍ୟ ଜଣେ ଚିକିତ୍ସା କରୁଥିବା ରୋଗୀକୁ, ସେଇ ଚିକିତ୍ସକଙ୍କର ବିନାଅନୁମତିରେ ପ୍ରୟୋଜନ ହେଲେ ବି ପରୀକ୍ଷା କରିବା ନିଷେଧ । ପଛ ନିୟମଟିର ବ୍ୟତିକ୍ରମ କରି ବହୁବାର ବହୁ କବିରାଜଙ୍କର ଶତ୍ରୁ ହୋଇଛନ୍ତି ଗୋଲାପ ଡାକ୍ତର । ଘରର ମାଲିକାଣୀଙ୍କ ଆହ୍ଵାନରେ, ସାଇକେଲ୍‌ ଖଣ୍ଡିକ ବାଡ଼କୁ ଡେରିଦେଇ, ହସିହସି ଅର୍ଗଳୀ ପାରହୋଇ ଡାକ୍ତର ଆସି ଅଗଣାରେ ଛିଡ଼ାହେଲେ । ଏପାଖ ସେପାଖ ଚାହିଁ, କମଳିକି ନ ଦେଖି, ଆସ୍ତେ କହିଲେ—“କାଲି ଯାଇ କାନ୍ଦିକାଟି ଲଗେଇଲା–ବାପାଙ୍କୁ ଥରେ ହେଲେ ଦେଖିବାକୁ ଯିବାକୁ ପଡ଼ିବ । ଟିକି ଝିଅଟାଏ, ମୁହଁ ଦେଖିଲେ ଦୟା ଲାଗେ । ଆଚ୍ଛା, ସକାଳୁ ଝାଡ଼ା ଔଷଧ ଖାଇଚି ନା କମଳି ?”

 

—“ହଁ, ସକାଳୁ ସକାଳୁ ଖାଇଲା । କାଳେ ଡେରି ହବ ବୋଲି ପରା ମତେ ରାତିଅଧରୁ ଉଠେଇଚି !”

 

—“ବାସ୍ତବିକ୍‌, ବହୁତ ଦିନରୁ କଷ୍ଟ ଭୋଗୁଚି ବିଚାରୀ । ଭାବିଛି, ଔଷଧଟା ଖାଇଲେ ଅବା ଶୀଘ୍ର ଭଲ ହେଇଯିବ ।”

 

ଟିକିଏ ରହି, ପୁଣି ହସି କହିଲେ—‘‘ଡରିବାର କୌଣସି କାରଣ ନାହିଁ । କୃମିଦୋଷରୁ ହେଇଚି । ଆସ୍ତେ ଆସ୍ତେ ଭଲ ହେଇଯିବ । ମିଠା ଜିନିଷ ବେଶି ଖାଇବାକୁ ଦେବେନାହିଁ ।”

 

କମଳି ଟୁଲ୍‌ ଆଣି ଡାକ୍ତରଙ୍କ ନିକଟରେ ରଖିଦେଇ କହିଲା—“ବାପାଙ୍କୁ କହିଲି ଡାକ୍ତର-ବାପା ଆସିଚନ୍ତି ବୋଲି । ଭିତରକୁ ଡାକିନବାକୁ କହିଚନ୍ତି ।”

 

ଟଗରଆଡ଼କୁ ଅନେଇଁ ଡାକ୍ତର କହିଲେ—“ବାପାଙ୍କୁ ତା’ର ଦେଖିବି ନାହିଁ ବୋଲି ଝିଅ ଭୟକରୁଚି । ଭୟ ନାହିଁମ, ଆସିଚି ଯେତେବେଳେ ଦେଖିବି ନିଶ୍ଚୟ ।” ଡାକ୍ତର କାହାର ଆହ୍ଵାନକୁ ଅପେକ୍ଷା ନକରି ଟୁଲ୍‌ ଖଣ୍ଡିକରେ ଧଡ଼୍‍କିନା ବସିଗଲେ ।

 

ମୁଣ୍ଡରୁ ହ୍ୟାଟ୍‌ଟି ବାହାର କରି ଅଣି ଆଣ୍ଠୁଉପରେ ଥୋଇ, ଦୁଇ ହାତରେ ଆସ୍ତେ ଚାପଦେଇ, ଏପଟ ସେପଟ ଆଖି ବୁଲେଇ ପରିଚୟକୁ ସହଜ କରିବା ପାଇଁ ସହାନୁଭୂତି ସୂଚକ ସ୍ଵରରେ ଡାକ୍ତର କହିଲେ—“ବାସ୍ତବିକ୍‌ ଆମର ଏ ପରାଧୀନ ଦେଶର କଥା ଆଉ କହନା—ଦେଶସେବକମାନଙ୍କ ଦୁଃଖ କଷ୍ଟ, ଲାଞ୍ଛନାର ଅନ୍ତନାହିଁ । ଆମ ନିଜ ଘରେ ଦେଖିଛି, ସମସ୍ତେ କଂଗ୍ରେସରେ ମିଶି ନାନ୍ନଂ ନାବସ୍ତ୍ରଂ ଅବସ୍ଥା ହେଇଚି ।”

 

ନିଜର ଆତ୍ମୀୟସ୍ଵଜନଙ୍କ ଦୁଃଖଦୁର୍ଗତିର କଥା ଉଲ୍ଲେଖକରି କମଳିର ମା’ଙ୍କୁ ସମବେଦନା ଜଣାଇବାକୁ ଡାକ୍ତର ଯତ୍ନବାନ୍‌ ହେଲେ ।

 

—“ମାଷ୍ଟ୍ରଙ୍କୁ କେତେ ଦିନ ଜେଲ୍‌ ହେଇଥିଲା ? ମୁଁ ଏଠିକି ବଦଳି ହୋଇଆସିବା ପୂର୍ବରୁ ଜେଲ୍‌ରେ ପଡ଼ିଥିଲେ ବୋଧେ ?”

 

—“ହଁ, ଜେଲ୍‌ ଦୁଇବର୍ଷ ପାଇଁ ହେଇଥିଲା, କିନ୍ତୁ ଅସୁସ୍ଥତା ଯୋଗୁଁ ମିଆଦ ନପୂରୁଣୁ ଗଲା ବୈଶାଖରେ ଛାଡ଼ିଦେଲେ । ଜେଲ୍‌ରୁ ଆସି ବିଛଣାରେ ।” କଥା କହୁ କହୁ ଟଗରର ଆଖି ଛଳଛଳ ହେଲା ।

 

—“ଔଷଧପତ୍ରର କିଛି ବ୍ୟବସ୍ଥା କରିଚନ୍ତି ଭଲା ?”

 

—“ପ୍ରଥମେ କନ୍ଦର୍ପ କବିରାଜ ଔଷଧ ଦଉଥିଲେ ।”

 

—“ଡାକ୍ତରଖାନାରୁ ଔଷଧ ଆଣିନାହାଁନ୍ତି ?”

 

—“ସରକାରୀ ଡାକ୍ତରଖାନାର ଔଷଧ ଖାଇବାକୁ.......”

 

କଥା ଶେଷ କରିବାକୁ ନଦେଇ, ଡାକ୍ତର ମୁଣ୍ଡ ହଲେଇ କହିଲେ—“ଓ.....ବୁଝିଲି, ବୁଝିଲି—ସରକାରୀ ଔଷଧ ବୈକଟ ପରା ? ତେବେ ମୋର ଏଠି କି କାମ ?”

 

ଡାକ୍ତର ରାଗିକରି, ରୋଗୀକୁ ନଦେଖି ଫେରିଯିବାକୁ ବାହାରିବା ଦେଖି ଟଗର କାନ୍ଦ କାନ୍ଦ ହୋଇ ମିନତିର ସ୍ଵରରେ କହିଲା—“ଆଗ କଥା ଏବେ ଆଉ ନାହିଁ—କେତେ ମାସ ହେଲା ଭୋଗି ଭୋଗି ଯଥେଷ୍ଟ ଶିକ୍ଷା ମିଳିଲାଣି ।” କାଞ୍ଚୁଲି କାନିରେ ଟଗର ଆଖିଲୁହ ପୋଛିଲା ।

 

ଡାକ୍ତର ବ୍ୟସ୍ତ ହୋଇ କହିଲେ—“ଆରେ ଆପଣ କାନ୍ଦୁଚନ୍ତି କାହିଁକି ? ଗୋଲାପ-ଡାକ୍ତରକୁ ଚିହ୍ନି ନାହାଁନ୍ତି ? ରୋଗୀମାନେ ତାଙ୍କୁ ନ ଖୋଜିଲେ ବି ସେ ରୋଗୀଙ୍କୁ ଖୋଜି ବୁଲେ ।”

 

କମଳିକୁ ଉଦ୍ଦେଶ୍ୟ କରି କହିଲେ—“କମଳି ଚାଲେ ଲୋ, ବାପାଙ୍କର କଣ ହେଇଚି ଦେଖିବା ।”

 

ଟଗର ପାଇଁ ଅପେକ୍ଷା ନରଖି, କମଳିର ହାତ ଧରି ଗୋଲାପ ଡାକ୍ତର ଭିତରେ ପଶିଲେ । ବହୁ ଦିନ ପରେ ସମ୍ଭ୍ରାମସୂଚକ ‘ଆପଣ’ ସମ୍ବୋଧନ ଶୁଣି ଟଗରର ପୁରୁଣା ଦିନଗୁଡ଼ିକ ମନରେପଡ଼ିଲେ । ଡାକ୍ତରଙ୍କ ପଛେ ପଛେ ଟଗର ବି ଭିତରକୁ ଗଲା ।

 

ଚଉଦ

 

ଛୋଟ ଯଦିଓ, କୋଠରିଟି ପରିଷ୍କାର ପରିଚ୍ଛନ୍ନ । ନାରୀ ସ୍ନେହର ସ୍ପର୍ଶ କୋଣେ କୋଣେ ସୁସ୍ପଷ୍ଟ । ସାଜ-ସରଞ୍ଜାମ ବେଶି ନାହିଁ । ମୁହଁରେ ହାତଦିଆ ମହାତ୍ମା ଗାନ୍ଧୀଙ୍କର ଛବି ଖଣ୍ଡେ କାନ୍ଥରେ ଆଲ୍‌ପିନ୍‌ମାରି ଟଙ୍ଗା ହେଇଛି । ଟେବୁଲ ଉପରେ କେତେ ଖଣ୍ଡ ବହି; ପାଖରେ ଖଣ୍ଡେ ଟିଣ ଚଉକି । ଖଦଡ଼ ଧୋତିଖଣ୍ଡେ ପିନ୍ଧି ବିଛଣାରେ କଙ୍କାଳଟିଏ ପଡ଼ିଛି—ସେ’ ଧରଣୀ ମାଷ୍ଟର । ନିଷ୍ପ୍ରାଣ ମଣିଷଟାର ମଝିରେ ଆଖି ଦିଟା ଯେମିତି ଉଜାଗର—କ’ଣ ଅପେକ୍ଷାରେ !

 

ଢଗ୍‌ଢଗ୍‌ ଭିତରକୁ ପଶିଯାଇ ବିଛଣାକୁ ଲକ୍ଷ୍ୟକରି ଡାକ୍ତର କହିଲେ—“କିହୋ ମାଷ୍ଟର-! ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ କରି ଏବେ କୁଆଡ଼େ ସରକାରୀ ଔଷଧ ଖାଉନା ? ବିଦେଶୀ ବସ୍ତୁକୁ ବର୍ଜନ କରିବା ସଙ୍ଗେ ସଙ୍ଗେ ବିଦେଶୀ-ଔଷଧକୁ ବି ବର୍ଜନ କରିବାକୁ ଚାହୁଁଚ-? ଦେଖୁଚି ପୁରାପୁରି ‘ଗାନ୍ଧ୍ୟାଟ୍‌’ ଦଳର !”

 

କଥା କହୁ କହୁ ଡାକ୍ତର ହୋ ହୋ କରି ହସିଉଠିଲେ । ଅର୍ଥ ନବୁଝି କମଳି ବି ସେ ହସରେ ଯୋଗଦେଲା । ଡାକ୍ତରଙ୍କ ହସର ଢେଉରେ କଙ୍କାଳସାର ମୁହଁରେ ବି ହସ ଫୁଟିଲା । ବହୁଦିନ ପରେ ସ୍ଵାମୀଙ୍କ ଆନନ୍ଦଦୀପ୍ତ ମୁଖମଣ୍ଡଳ ଦେଖିବାକୁ ପାଇ ଟଗରର ଆଖିରେ, ମୁହଁରେ ହସ ଉକୁଟି ଉଠିଲା । ଡାକ୍ତରଙ୍କ ହସରୋଳରେ ରୋଗଶଯ୍ୟା ଉପରେ ଏକ ମଧୁର ଆନନ୍ଦର ପ୍ରବାହ ଝରିଲା ।

 

କାହାର ଅନୁରୋଧକୁ ଅପେକ୍ଷାନକରି ଡାକ୍ତର ନିଜେ ନିଜେ ଟେବୁଲ ନିକଟର ଚଉକିକୁ ବିଛଣା ନିକଟକୁ ଟାଣିଆଣି ରୋଗୀର ମୁହଁକୁ ନିରୀକ୍ଷଣ କଲେ । ଧରଣୀ ମାଷ୍ଟର କ୍ଷୀଣ ହସରେ ଡାକ୍ତରଙ୍କୁ ଅଭିବାଦନ ଜଣାଇଲା । ରୋଗୀ ବିଷୟରେ ଯେଉଁ ବୃତ୍ତାନ୍ତ ଶୁଣିଥିଲେ ସେଥିରୁ ରୋଗର ଅନୁମାନ କରିଥିଲେ ଡାକ୍ତର । ରୋଗୀର ଚେହେରା ମଧ୍ୟ ତାଙ୍କର ସେଇ ଅନୁମାନକୁ ଦୃଢ଼କଲା । ସ୍ତ୍ରୀର ସେବା ଶୁଶ୍ରୂଷା, ଡାକ୍ତରଙ୍କ ନିର୍ଦ୍ଦେଶ ତଥା ଔଷଧକୁ ବ୍ୟର୍ଥକରି ହୁଏତ ଖୁବ୍ ଶୀଘ୍ର ଯେ ଧରଣୀ ମାଷ୍ଟରକୁ ଏଇ ଧୂଳିମାଟିର ପୃଥିବୀକୁ ଛାଡ଼ିବାକୁ ପଡ଼ିବ—ଏଇ ଚିତ୍ର ମନକୁ ଆସିବା ସଙ୍ଗେ ସଙ୍ଗେ ଡାକ୍ତରଙ୍କ ହସୋଜ୍ଜ୍ୱଳମୁଖ ନିରାଶାରେ ମଳିନ ହେଲା । ସ୍ୱାସ୍ଥ୍ୟବାନ୍‌କୁ ଅଟକେଇରଖି, ଗରିବ କ୍ଷୟରୋଗୀକୁ ଅବାଧ ଚଳପ୍ରଚଳର ସ୍ଵାଧୀନତା ଦେଇ, ସମାଜ ଭିତରେ ସଂକ୍ରାମକ ବ୍ୟାଧିର ବୀଜାଣୁ ସଂଚାରଣରେ ସହାୟ ହେଉଥିବା ସରକାରଙ୍କ ପ୍ରତି ଡାକ୍ତରଙ୍କ କ୍ଷୋଭ ଏବଂ ବିଦ୍ଵେଷ ବଢ଼ିଲା ।

—“ଦେଖି ହାତଟା କାଢ଼ିଲେ”, ବୋଲି କହି ଡାକ୍ତର ନିଜେ ନିଜେ ଲୁଗାତଳୁ ଧରଣୀମାଷ୍ଟରର ଶୁଖିଲା ହାତଟିକୁ ଆଣି ଆସ୍ତେ ବିଛଣା ଉପରେ ଥୋଇ, ପକେଟ୍‌ରୁ ଥର୍ମୋମିଟର ବାହାରକରି, ଥରେ ଝାଡ଼ି ମାଷ୍ଟରର ହାତରେ ଦେଲେ । ଧରଣୀ ଧୀରେ ଧୀରେ ଥର୍ମୋମିଟରକୁ କାଖ ତଳେ ଭର୍ତ୍ତିକଲା । ହାତଘଡ଼ି କଣ୍ଟାର ଘୂର୍ଣ୍ଣନକୁ ଲକ୍ଷ୍ୟକରି ଡାକ୍ତର ପଚାରିଲେ–“କାଶିଲାବେଳେ କଷ୍ଟ ହେଉଚି ନା ?”

—“ବେଳେ ବେଳେ ବଡ଼ ଜୋର୍‌ରେ କାଶ ଉଠେ, ସେତେବେଳେ ନିଶ୍ଵାସ ନପାଇବା ଭଳି ବୋଧହୁଏ ।”

—“ରାତିରେ ଝାଳ ବୁହେ ?”

—“ଝାଳ କଥା କୁହନ୍ତୁ ନାହିଁ, ଲୁଗାପଟା ତିନ୍ତିଯାଏ । ରାତିରେ ଲୁଗାପଟା ବଦଳିବାକୁ ପଡ଼େ ।”

—“ହୁଁ” ବୋଲି ସମର୍ଥନ କରି ଥର୍ମୋମିଟରକୁ ବାହାର କରି ଆଣିବାକୁ ନିର୍ଦ୍ଦେଶ ଦେଲେ । ଥର୍ମୋମିଟରରେ ଡିଗ୍ରୀର ସଂଖ୍ୟାଟା । ଦେଖିନେଇ କେଶ୍‌ରେ ଭର୍ତ୍ତିକରି ପକେଟରେ ପୁରେଇଲେ । ତା’ପରେ ଠିଆ ହୋଇ ଷ୍ଟେଥେସକୋପ୍‌ ବାହାରକରି କାନରେ ଲଗେଇଲେ ବ୍ୟବସାୟର ପରିଚୟ ବ୍ୟଞ୍ଜକ ଷ୍ଟେଥେସକୋପ୍‌ଟିର ସହାୟତାରେ ଡାକ୍ତରିଶାସ୍ତ୍ରରେ ପାରଙ୍ଗମ ବୋଲି ପରିଚୟଦେଇ ବହୁଲୋକ ଗାଁ ଗହଳରେ ପ୍ରବର୍ତ୍ତି ଅଛନ୍ତି । ମାଷ୍ଟରକୁ ଏକଡ଼ ସେକଡ଼ କରି ଗଡ଼େଇ, ଛାତିରେ ପିଠିରେ ଯନ୍ତ୍ରଟା ଲଗେଇ ପରୀକ୍ଷା କରିଚାଲିଲେ ଡାକ୍ତର । ଟଗର ଏବଂ କମଳି ବିସ୍ମୟ ପୁଲକିତ ଭାବରେ ଡାକ୍ତରୀପ୍ରଣାଳୀ ଏବଂ ଯନ୍ତ୍ରପାତି ଦେଖି ଆଶ୍ଚର୍ଯ୍ୟ ହେଉଥିଲେ । ସେମାନଙ୍କ ପରି ଗରିବଘରର ରୋଗୀକୁ ବି ମୂଲ୍ୟବାନ ଯନ୍ତ୍ରରେ ତନ୍ନ ତନ୍ନ ପରୀକ୍ଷା କରିବା ଦେଖି ଡାକ୍ତରଙ୍କ ପ୍ରତି ଶ୍ରଦ୍ଧା ଓ ଭକ୍ତିରେ ମା’ ଝିଅଙ୍କର ଅନ୍ତର ପରିପୂର୍ଣ୍ଣ ହେଲା ।

ରୋଗ ଏବଂ ରୋଗୀ ବିଷୟରେ, ଡାକ୍ତର ପ୍ରଥମ ଦୃଷ୍ଟିରେ ସଠିକ୍ ଅନୁମାନ କରି ସାରିଥିଲେ । କିନ୍ତୁ ରୋଗୀକୁ ଆଶ୍ଵାସ ଦେବା ନ୍ୟାୟରେ ଷ୍ଟେଥେସ୍‌କୋପ୍‌ର ବ୍ୟବହାର—ଚିକିତ୍ସାଶାସ୍ତ୍ରର ନିର୍ଦ୍ଦେଶ । ପ୍ରତାରଣା କରିବା ପାଇଁ ଏଇ ନିୟମ ପାଳିବାକୁ ପଡ଼ୁଥିବାରୁ ସରଳମତି ଗୋଲାପ ଡାକ୍ତର ସଙ୍କୋଚ ବୋଧ କରୁଛନ୍ତି । କାନରୁ ଷ୍ଟେଥୋସକୋପ୍‌ଟିକୁ କାଢ଼ି, ରୋଗୀ ଦେହରେ ଧୋତି ଏବଂ ଚାଦର ଖଣ୍ଡିକ ଭଲଭାବରେ ଘୋଡ଼େଇଦେଇ—‘ହୁଁ’ ବୋଲି ଚିନ୍ତାଗ୍ରସ୍ତ ଭାବରେ ଡାକ୍ତର ଚଉକିରେ ବସିଲେ । ପ୍ରାଣଦଣ୍ଡର ଦୋଷରେ ଦୋଷୀ, ଜୁରିଙ୍କ ରାୟ ଶୁଣିବାପାଇଁ ବ୍ୟଗ୍ର ହେଲା ଭଳି ମାଷ୍ଟର ଏବଂ ଟଗର ଉଭୟେ ଡାକ୍ତରଙ୍କ ମତାମତ ଶୁଣିବାକୁ ସଂଶୟ ବ୍ୟାକୁଳ ଚାହାଣିରେ ଅନେଇ ରହିଲେ ।

 

ପଲକ ଭିତରେ ମୁଖର ସମସ୍ତ ଗାମ୍ଭୀର୍ଯ୍ୟ ଦୂରକରି, ମୁଣ୍ଡ ହଲେଇ ହଲେଇ, କୃତ୍ରିମ କ୍ରୋଧରେ ଆଖିକୁ ନଚେଇ ଡାକ୍ତର କହିଲେ—“ଆଚ୍ଛା, ଏତେ ଦିନ ହେଲା ମତେ କାହିଁକି ଖବର ଦିଆହେଇନାହିଁ ? ବିଛଣାରେ ପଡ଼ି ଆରାମ କରିବାକୁ ମନ, ନା ? ବେଶି ଦିନ ଆଉ ଏମିତି ଚଳିବ ନାହିଁ—ବୁଦ୍ଧି ଧରାପଡ଼ିଚି ।”

 

ଡାକ୍ତରଙ୍କ ଆଶ୍ୱାସନା ବାଣୀରେ ମୃତପ୍ରାୟ ପ୍ରାଣରେ ଆଶାର ସଂଚାର ହେଲା । ଟଗର ଏବଂ ଧରଣୀ ଦୁହିଁଙ୍କ ମୁଖ ସକାଳର ଆକାଶ ଭଳି ପୁଣି ଥରେ ଉଜ୍ଜ୍ଵଳି ଉଠିଲା ।

 

ଗୋଲପ ଡାକ୍ତରଙ୍କର ବିଶ୍ୱାସ—ରୋଗୀକୁ ଆନନ୍ଦରେ ରଖିପାରିଲେ ରୋଗ ଅନେକଟା ଉପଶମ ହୋଇଥାଏ । ଦୁଆରବନ୍ଧକୁ ଆଉଜି ଠିଆହୋଇଥିବା ଟଗର ମୁହଁକୁ ଚାହିଁ ପଚାରିଲେ—“ଖାଇବାକୁ କ’ଣ ଦଉଚନ୍ତି ?”

 

—“କିଛି ବି ଖାଇବାକୁ ଇଚ୍ଛା କରୁ ନାହାନ୍ତି । ଜ୍ଵର ନଥିଲାବେଳେ ଭାତ ଦିଏଁ, ନହେଲେ ଖିର, ଚୁଡ଼ା ।”

 

—“ରୋଗୀର ଇଚ୍ଛା ଅନିଚ୍ଛା ଉପରେ ନିର୍ଭର କରି ଚଳିଲେ ରୋଗ କିମିତି ଭଲ ହେବ-? ଆପଣ କଣ ହାଣ୍ଡିକୁ ପଚାରି ଚାଉଳ ପକାନ୍ତି ? ରୋଗୀ ସେବାରେ ଯେମିତି ପୋଖତ, ରନ୍ଧାବଢ଼ାରେ ବି ସେମିତି...... ?

 

ଲାଜରେ ମୁହଁ ତଳକୁ କଲା ଟଗର । ଡାକ୍ତରଙ୍କ ମୁହଁ ହଲେଇ ହଲେଇ କଥା କହିବାର ଭଙ୍ଗି ଏବଂ ଗଳାରେ ହଲ୍‌ ହଲ୍‌ ହେଇ ଓହଳିଥିବା ଷ୍ଟେଥୋସ୍‌କୋପ୍‌ ଦେଖି କମଳି ମୁଚୁକି ମୁଚୁକି ହସୁଥିଲା ।

 

—“ଆଜିଠାରୁ ଯାହା ମନହେଲା ଦେଲେ, ଯାହା ମନହେଲା ଖାଇଲେ ଚଳିବ ନାହିଁ କିନ୍ତୁ । ପାଖକୁ ଆସନ୍ତୁ, କଣ କଣ କରିବାକୁ ହବ ବୁଝେଇ କୁହେଁ ।”

 

ଟଗର ପାଖକୁ ଆସିଲା । ଡାକ୍ତର ଡାହାଣହାତ ଆଙ୍ଗୁଳିରେ ବାଁହାତର ଆଙ୍ଗୁଳିଗୁଡ଼ିକୁ ଏକ ଦୁଇସଂଖ୍ୟା ଗଣି ଗଣି ନିର୍ଦ୍ଦେଶ ଦେଲେ—“ସକାଳେ ଖିର ଆଉ ଚୂଡ଼ା । ଗାଈ ମେଲିବା ପରେ ମାଛ ଝୋଳ ସହିତ ଭାତ; ହଂସ ଅଣ୍ଡା ସିଝେଇ ଦେଇପାରିଲେ ଉତ୍ତମ । ଉପରବେଳା ଖିର, ଚୁଡ଼ା । ରାତିରେ ଭୋକ ଲାଗିଲେ ଖିରଭାତ—ନହେଲେ ଖାଲି ଖିର । ଦିନକୁ ସେରେ ଖିର ଦେଇପାରିବେ ନା ?”

 

—“ସେରେ ଖିର ତ ଘରେ ଦୁହାଁ ହଉଚି—ୟେ ଖାଇଲେ ହେଲା ।”

 

—“ପୁଣି ସେଇକଥା ? କିହୋ ମାଷ୍ଟର !” ମାଷ୍ଟରଙ୍କ ଆଡ଼େ ଚାହିଁଲେ ।

 

ଧୀରେ ହସି ମାଷ୍ଟର କହିଲେ—“କ୍ଷୀର ଖାଇବାକୁ ବିଲ୍‌କୁଲ୍‌ ଇଚ୍ଛା ହେଉନି ଆଜ୍ଞା ! ଦେଖିଲେ ବାନ୍ତିମାଡ଼ୁଚି । ତଥାପି ଯଦି.....

 

—ତଥାପି ପୁଣି କଣ ? ଖିର ଖାଇବାକୁ ପାଇବାଟା ଭାଗ୍ୟ ବୋଲି ଭାବନ୍ତୁ । ଆପଣତ ପଲିଟିକ୍‌ସ କରିବା ଲୋକ—ଗ୍ରାମ ଉନ୍ନୟନ କରି ସ୍ଵରାଜ କଳ୍ପନା କରିବା ଦେଶପ୍ରେମିକ । ଆପଣ ନିହାତି ଜାଣିବା ଉଚିତ—ଡାକ୍ତର ଏବଂ ଡାକ୍ତରଙ୍କ ଔଷଧ ଏମାନେ କେହି ସ୍ଵାସ୍ଥ୍ୟ ଦେଇପାରିବେ ନାହିଁ । ଖିଆପିଆର ସଂସ୍ଥାନ କରନ୍ତୁ, ଦେଖିବେ ଦେଶର ପୁରାତନ ସ୍ଵାସ୍ଥ୍ୟ ପୁଣି ଫେରିଆସିବ ।”

 

ଟିକେଏ ରହି ନିର୍ଦ୍ଦେଶଦେବା ସ୍ଵରରେ ପୁଣି କହିଲେ—“କ୍ଷୀର ଖାଇବାରେ ଯେମିତି ଆପତ୍ତି ନକରନ୍ତି ! ଏକାଥରକେ ଯଦି ବେଶି ଖାଇବାକୁ ଖରାପ ଲାଗିବ, ତେବେ ଟିକିଏ ଟିକିଏ କରି ଦିନକୁ ଦଶ-ବାରଥର ଖାଆନ୍ତୁ ।”

 

—“ଆଜ୍ଞା ।” କହି ଧୀରେ ସମ୍ମତି ଜଣାଇଲା ଧରଣୀ ।

 

—“ଝାଡ଼ା ନିୟମିତ ହେଉଚି ନା ?”

 

—“କେତେବେଳେ ଦିନରେ ଥରେ, କେବେ କେବେ ଆଦୌ ନାହିଁ ।”

 

—“ସେଇଟା ସହଜରେ ଦୂର କରାଯାଇପାରିବ । ଘର ଆଗରେତ ବେଲଗଛ—ସେଥିରୁ ଗୋଟେ ଆଣି ଗରମ କ୍ଷୀର ସହିତ ଖାଇଲେ ପେଟ ଖଲାସହେବ । ଆପଣମାନେ ଦେଶସେବାରେ ଲାଗିଚନ୍ତି ସତ, କିନ୍ତୁ ଦେଶର ବହୁମୂଲ୍ୟ ନୀତିନିୟମ ଗୁଡ଼ିକୁ ପୂରାପୂରି ପାଶୋରି ପକାଇଛନ୍ତି ।

 

ହସି ହସି ଚଉକିରୁ ଉଠି, ହାତ ଧୋଇବା ପାଇଁ କମଳିକୁ ପାଣି ଲୋଟାଏ ଆଣିବାକୁ କହି ଡାକ୍ତର ବାହାରକୁ ଆସି ସାମନା ଅଗଣାରେ ପହଞ୍ଚିଲେ । କମଳି ପାଣିଲୋଟା ଆଣି ଡାକ୍ତରଙ୍କ ହାତକୁ ପାଣି ଢାଳିଲା । ହାତ ଧୋଇ, ପକେଟରୁ ରୁମାଲ କାଢ଼ି, ହାତ ପୋଛି ପୋଛି ଡାକ୍ତର କମଳିକୁ ପଚାରିଲା—“ଆଲୋ, ତୁ ଔଷଧ ଖାଇଲୁ ନା ଫୋପାଡ଼ିଲୁ ?”

 

କମଳି ଲାଜ ଲାଜ ହୋଇ, ମୁଚୁକି ମୁଚକି ହସି, ଲୋଟାଟା ନେଇ ଭିତରକୁ ପଳେଇଲା-। ଗଳାରୁ ଷ୍ଟେଥୋସ୍‌କୋପ୍‌ କାଢ଼ି ପେଣ୍ଟପକେଟରେ ଭର୍ତ୍ତି କରୁଛନ୍ତି, ଏତିକିବେଳେ ନୂଆ ଗାମୁଛା ଖଣ୍ଡିକ ଉପରେ ଟଙ୍କାଟିଏ ଧରି ଟଗର ଆସି ଡାକ୍ତରଙ୍କ ସମ୍ମୁଖରେ ଛିଡ଼ାହେଲା ।

 

—“ଓ ଆପଣ, ଦେଖୁଚି ଡାକ୍ତରଙ୍କ ଫିଜ୍‌ କଥା ଭୁଲି ନାହାନ୍ତି ।” ନିଶ ତଳେ ହସଟା ଲୁଚେଇ, ବଟାରୁ ଟଙ୍କାଟା ଏବଂ ଗାମୁଛା ଖଣ୍ଡିକ ତୋଳି ନେଇ ଡାକ୍ତର ସେତକ ପକେଟସ୍ଥ କଲେ ।

 

ଡାକ୍ତରୀ ବ୍ୟବସାୟରେ ଡାକ୍ତରଙ୍କ ଦକ୍ଷିଣା ଗୋଟାଏ ବଡ଼ ସମସ୍ୟା । ଦକ୍ଷିଣାର ଆଶା ନଥିଲେବି ପଡ଼ା-ପଡ଼ୋଶୀଙ୍କ ଶ୍ରାଦ୍ଧ-ବିବାହାଦି ଉତ୍ସବରେ ବ୍ରାହ୍ମଣେ ଯୋଗଦିଅନ୍ତି । ଫିଜ୍‌ ନପାଇଲେ କିନ୍ତୁ ଡାକ୍ତର ଏକା ଓଳିତଳେ ଥିବା ରୋଗୀର ପାଖ ବି ପଶନ୍ତି ନାହିଁ । ମୃତ୍ୟୁମୁଖରେ ପତିତ କଲେରା ରୋଗୀକୁ ଦେଖିବାକୁ ଯିବା ପୂର୍ବରୁ କେହି ତିନିଘଣ୍ଟା ଡେରି ଡେରି କରି କଟାନ୍ତି; ପ୍ରସବବେଦନାରେ ଛଟପଟ ହେଉଥିବା ସ୍ତ୍ରୀକୁ ଦେଖିବାକୁ ଯାଇ ଫିଜ୍‌ ହାତେ ହାତେ ନପାଇବା ଯାଏଁ କୌଣସି ଡାକ୍ତର ଭିତରେ ପଶନ୍ତି ନାହିଁ; ପେଟ କାମୁଡ଼ାରେ ‘ତ୍ରାହି ମଧୁସୂଦନ’ ଚିତ୍କାର କରୁଥିବା ରୋଗୀକୁ ପରୀକ୍ଷା କରି, ହାତରେ ଫିଜ୍‌ ନପଡ଼ିବାଯାଏଁ କେହି ଡାକ୍ତର ବ୍ୟବସ୍ଥାପତ୍ର ଲେଖିଦିଅନ୍ତି ନାହିଁ । ଡାକ୍ତର ଆନନ୍ଦ ମନରେ ଟଙ୍କାଟା ଗ୍ରହଣ କରିଥିବାରୁ ଟଗରର ସାହସ ହେଲା-। ପରାମର୍ଶ ନବାକୁ ସନ୍ତର୍ପଣରେ ପଚାରିଲା—“ଅବସ୍ଥା ତାଙ୍କର କେମିତି ଦେଖିଲେ ?”

 

—“ଭୟର କିଛି କାରଣ ନାହିଁ । ନିୟମିତ ପଥ୍ୟର ବ୍ୟବସ୍ଥା କରନ୍ତୁ । ଦୁଇ ଦିନରେ ଭଲ ହେଇଯିବେ ।”

 

“ଔଷଧପତ୍ର କଣ ଦିଆହେବ ?”

 

—“ସେଥିପାଇଁ ବେଶି ଚିନ୍ତା କରନ୍ତୁ ନାହିଁ । ଇଞ୍ଜେକ୍‌ସନ୍‌ କେଇଟା ଦବାକୁ ପଡ଼ିବ । ସଦରରୁ ମଧ୍ୟ ଔଷଧଟାଏ କଣିଆଣି ଖୁଆଇବାକୁ ହବ । ଆଜି ମୁଁ ବୋତଲେ ଔଷଧ ପଠାଇଦଉଚି-। ଦିନରେ ଚାରିପାନ କରି ଖୁଆଇବେ । କିନ୍ତୁ, ମନେରଖନ୍ତୁ, ଡାକ୍ତରଙ୍କ ଔଷଧ ଅପେକ୍ଷା ସ୍ତ୍ରୀର ସେବା ଶୁଶ୍ରୂଷା ବେଶି ଜରୁରି ।”

 

ହାତଘଡ଼ିକୁ ଅନେଇଁ ପୁଣି କହିଲେ—“ବହୁତ ବେଳ ହେଲାଣି । ଆଜି ପୁଣି ମଙ୍ଗଳବାର ସେ ଇଞ୍ଜେକସନ୍‌ ଦବାର ପାଳି ।” କହୁ କହୁ ଟୁଲ୍‌ରୁ ହ୍ୟାଟ୍‌ଟି ନେଇ ମୁଣ୍ଡରେ ପିନ୍ଧି ତରବର ହୋଇ ସାଇକେଲରେ ଉଠିଲେ । କମଳି ଗୁଆ ଆଣି ଆସି ଡାକ୍ତରଙ୍କୁ ପାଇଲା ନାହିଁ ।

 

କଠୋର ଶୀତଅନ୍ତେ ହଠାତ୍‌ ଦିନେ ଅଜ୍ଞାତସାରରେ ପ୍ରକୃତିର ରୂପ ପରିବର୍ତ୍ତନ ଘଟିଲା ଭଳି ଡାକ୍ତରଙ୍କ ଆକସ୍ମିକ ଆଗମନରେ ଧରଣୀ ମାଷ୍ଟରର ଛୋଟିଆ ସଂସାରଟି ଏକ ବସନ୍ତୋଜ୍ଜ୍ଵଳ ରୂପ ଧରିଲା । ସକାଳର ବାଳାରୁଣ କାର୍ପଣ୍ୟ ତ୍ୟାଗକରି ରୋଗୀର କୋଠରିରେ ମୁକ୍ତ ହସ୍ତରେ ଆଲୋକ ଛିଞ୍ଛାଡ଼ିଗଲବି ଶେଷ-ବାତାପୀ-ଫୁଲର ଗନ୍ଧ ସାରା କୋଠରିଟିକୁ ସୌରଭିତ କଲା । ଗୋଲାପ ଡାକ୍ତରଙ୍କ ଅକୃତ୍ରିମ ସ୍ନେହ ଏବଂ ସୁଗଭୀର ସହାନୁଭୂତି ଏକ ନଗଣ୍ୟ ପରିବାରରେ ନୂତନ ଜୀବନର ସୂଚନା ଦେଲା ।

 

ପନ୍ଦର

 

ଡାକ୍ତରଙ୍କୁ ବିଦାୟଦେଇ, ଅଧାଖରକା ଅଗଣାକୁ ବେଗାବେଗି ଖରକି, ଗାଈ ଦୁହଁବାକୁ ଟଗର ଗୁହାଳେ ପଶିଲା । ପ୍ରଥମ-ପିଆରେ ଗାଈ ଆଜି ଅନ୍ୟଦିନ ଅପେକ୍ଷା ବେଶି ଖିର ଦେଲା । କଅଁଳିଆ ବାଛୁରିଟା; ଦୁଇ-ପିଆ ଦୁହିଁଲେ କଷ୍ଟପାଇବ ବୋଲି, ଦାମୁଡ଼ିକୁ ଛାଡ଼ିଦେଲା । କମଳିକୁ ଡାକି ଖିରବଢ଼ାଟି ଗରମ୍‌ କରିବାକୁ ନିର୍ଦ୍ଦେଶ ଦେଲା । ଗୁହାଳ-ଭାଡ଼ିରୁ ପାଳ କିଛି କାଢ଼ି ଗାଈଗୁଡ଼ାଙ୍କ ମୁହଁରେ ଦେଲା ।

 

ଗୁହାଳରୁ ବାହାରି ପାଣି ଲୋଟାଏ ଏବଂ ସରେଇଟା ନେଇ ସ୍ଵାମୀଙ୍କ କୋଠରିରେ ଢୁକିଲା । ଡାକ୍ତର ଔଷଧପତ୍ରର କି ବ୍ୟବସ୍ଥା କରିଦେଇଗଲେ ସେଇକଥା ଜାଣିବାରୁ ଧରଣୀ ଏତେବେଳଯାଏ ଉତ୍ସୁକ ହୋଇ ରହିଥିଲା । ଟଗରକୁ ଦୁଆରବନ୍ଧରେ ଦେଖିଲା ମାତ୍ରେ ବ୍ୟଗ୍ର ହୋଇ ପଚାରିଲା—“ଆଉ କଣ କହୁଥିଲେ ଡାକ୍ତର ?”

 

—“ପଥ୍ୟ-ପାତିର ଯତ୍ନ କରିବାକୁ ହିଁ କହିଗଲେ ।”

 

ସରେଇ ଏବଂ ଲୋଟାଟା ବିଛଣା ପାଖରେ ରଖି, ଧରଣୀର ମୁଣ୍ଡତଳେ ହାତଦେଇ ବିଛଣାରେ ବସାଇଲା । ମୁଣ୍ଡଟା ବିଛଣା ବାହାରରୁ ଉହୁଁକାଇ, ମୁହଁଧୋଇ, ଗାମୁଛାରେ ପୋଛି ହୋଇ ପୁଣି ଧରଣୀ ପଚାରିଲା, “ଔଷଧପତ୍ରର କିଛି ବ୍ୟବସ୍ଥା କଲେନାହିଁ ?” ଧରଣୀର ମନେ ମନେ ଡର—କେଜାଣି ଅବା ସରକାରୀ ଔଷଧ ଖାଇବ ନାହିଁ ବୋଲି ଭାବି ଡାକ୍ତର କୌଣସି ବ୍ୟବସ୍ଥା କରିଗଲେନାହିଁ ।

 

—“ଔଷଧ ବୋତଲେ ପଠାଇଦବାକୁ କହିଯାଇଛନ୍ତି । ଇଞ୍ଜେକ୍‌ସନ୍‌ କେଇଟାବି ନବାକୁ ପଡ଼ିବ ।”

 

ସରକାରୀ ଔଷଧକୁ ଘୃଣା କଲେବି, ଇଞ୍ଜେକ୍‌ସନ୍‌ର ଯେ ଅବ୍ୟର୍ଥ ଗୁଣ ଅଛି, ଧରଣୀ ତାହା ଭଲଭାବେ ଜାଣେ । ଦଶବର୍ଷ ପୂର୍ବେ ରହା ଅଞ୍ଚଳଟାରେ କଳାଜ୍ଵର ମଣିଷଙ୍କୁ ମାରି ଘର ଉଚ୍ଛନ୍ନ କରିପକେଇଥିଲା । ଭାଗ୍ୟକୁ ବ୍ରହ୍ମଚାରୀର ଇଞ୍ଜେକ୍‌ସନ୍‌ ଆବିର୍ଭାବ ହେଲା । ଇଞ୍ଜେକ୍‌ସନ୍‌ ନେଲେ ଯେ ଦେହଟା ଭଲହେଇଯିବ, ଏଇ କଥା କଳ୍ପନାକରି ଧରଣୀ ଶାନ୍ତିରେ ଆଖି ବନ୍ଦକଲା ।

 

ଅନ୍ୟଦିନ ପରି କ୍ଷୀର ଗରମ୍‌ କରି, ବାଟିଏ ଗରମ୍‌ କ୍ଷୀର ନେଇ କମଳି ବାପାଙ୍କ ପାଖରେ ପହଞ୍ଚିଲା । ଝିଅ ହାତରୁ ବାଟିଟା ନେଇ ଟଗର ବିଛଣା ପାଖକୁ ଗଲା । ଅନ୍ୟଦିନ ଖିର-ବାଟି ଦେଖୁ ଦେଖୁ ଧରଣୀକୁ ବାନ୍ତିମାଡ଼େ, ଟଗରର ନାନା ଗାଳିମନ୍ଦ ପରେ ଯାଇ ଖାଇବ ନଖାଇବ ହେଇ ସୁଡ଼ୁକାଏ ମାରେ । ଆଜି କିନ୍ତୁ ପାଟି ପାଖରେ ଧରୁ ଧରୁ ଟିକିଏ ବି ଉଁ-ଚୁଁ ନକରି ଢକ୍‌ ଢକ୍‌ କରି ବାଟିକଯାକ ଖିର ପିଇ ଦେଇ କ୍ଳାନ୍ତିର ନିଶ୍ଵାସ ଟାଣିଲା ।

 

ବିଛଣାରେ ପଡ଼ିଥିବା ଚାଦରକୁ ପାଲଟେଇ ଦେଇ, ବାହୁରେ ଧରି ଧରଣୀକୁ ବିଛଣାରେ ଶୁଆଇଦେଲା । ଆଗଦିନ ଧୋଇ ରଖିଥିବା ଚାଦର ଖଣ୍ଡିଏ ଆଣି ଦେହରେ ପକାଇ, ଲୋଟା ସରେଇ ନେଇ ବାହାରିଗଲା ।

 

ସ୍ଵାମୀଙ୍କ ଜଞ୍ଜାଳ ଶେଷକରି, ଲୁଗାପଟା-ଧୂଆ-ପାତ୍ରଟି ଏବଂ ପିତ୍ତଳ ଗରାଟି ନେଇ ପଛପାଖର ପୋଖରୀକୁ ଗଲା । ପୋଖରୀଟି ଏବେ କେବଳ ନାଁକୁ ମାତ୍ର ପୋଖରୀ—ବସ୍ତୁତଃ ଖାଲଟିଏ; ବାଉଁଶତାଟିରେ ଘେରା ହୋଇଛି । ଧରଣୀର ପୂର୍ବପୁରୁଷେ ବି ଏଇ ଗାଡ଼ିଆରୁ ପାଣିଖାଇ ମରିହଜି ଗଲେଣି । ପୂର୍ବ-ପୁରୁଷଙ୍କ ଧର୍ମ-ସଂସ୍କାର, ବିଧି-ବ୍ୟବସ୍ଥାକୁ ବିଚାର ବିବେଚନା ନକରି ଯେମିତି ଗ୍ରହଣ କରାହେଉଛି, ଏଇ ପୋଖରୀର ପାଣି ବି ଧରଣୀର ପରିବାର ଆଧୁନିକ ଅଣୁବୀକ୍ଷଣ-ଯନ୍ତ୍ରରେ ପରୀକ୍ଷା ନକରି ଖାଇ ଲାଗିଛନ୍ତି । ଲୁଗାପଟା-ଧୁଆପାତ୍ରରେ ଲୁଗାପଟା କେଇଖଣ୍ଡକୁ ମକଚି, ଧୋଇ, ପୋଖରୀ ବାଡ଼ରେ ମେଲେଇଦେଲା । ତାପରେ ନିଜେ ଗାଧୋଇ, କାଖରେ କଳସୀଏ ପାଣି ନେଇ ଘରକୁ ଫେରିଲା ।

 

ରନ୍ଧାଘର ଖନ୍ଦାଶାଳରେ ଟଗର ‘ଥାପନା’ଟିଏ ପାତିଛି । ଘରୁ ଆଣିଥିବା ମୂରଲୀଧର-କୃଷ୍ଣଙ୍କର ଛବି ଖଣ୍ଡକ ଥାପନାରେ ଥୋଇଛି । ତାରି ସାମନାରେ ବଟାଟାଏରେ କୀର୍ତ୍ତନ-ଘୋଷା ପୋଥିଖଣ୍ଡିଏ ରଖିଛି । ସକାଳେ ସନ୍ଧ୍ୟାରେ ସଳିତାଗଛେ ଜାଳି ଥାପନା ନିକଟରେ ମୁଣ୍ଡିଆମାରେ ଟଗର । କେବେ ମନ ଭଲଥିଲେ କୀର୍ତ୍ତନ ଘୋଷାରୁ ଅଧ୍ୟାୟେ ପଢ଼େ; ବିହୁରେ, ସଂକ୍ରାନ୍ତିରେ ମୁଗ-ଚାଉଳ ମୁଠିଏ ପୂଜାବାଢ଼େ । କେବେ କେମିତି ଅଶୁଭ-ସ୍ଵପ୍ନ ଦେଖିଲେ, କାହାର ଅସୁଖ ଅଶାନ୍ତି ହେଲେ ପଇସା ଚାରିଟା ସମର୍ପଣ କରି ତାରି ଆଗରେ ଆଖିରୁ ଲୁହଢାଳେ । ପାଣି-କଳସୀକୁ ଥାପନା ନିକଟରେ ଥୋଇ, ଓଦାମେଖେଳା-କାଞ୍ଚୁଲି ପାଲଟି ଟଗର ଥାପନା ପରିଷ୍କାରକଲା । ସେଇ ମୂରଲୀଧର-କୃଷ୍ଣଙ୍କ ଆଗରେ ଆଣ୍ଠୁମାଡ଼ି ବସି ଗୁଣୁ ଗୁଣୁ ସ୍ଵରରେ ପ୍ରାର୍ଥନାକଲା—

 

ତୁମେ ସର୍ବସାକ୍ଷୀ ଆତ୍ମା-ହୃଷିକେଶ

ଜାଣିଛ ମନକୁ ମୋର,

ଶରଣାଗତକୁ ମୁହଁ ଆତୁରକୁ

ଉପେକ୍ଷା ପ୍ରଭୋ ନକର ।

ଆହେ କୃଷ୍ଣଦେବ ମୁହଁ ଆରତକୁ

ଚରଣେ କର ଉଦ୍ଧାର,

ତିନି ତାପମୟ ସଂସାର ନିକର

ସହି ନ ପାରୁଛି ତାର ।

 

ପ୍ରାର୍ଥନା ସଙ୍ଗେ ସଙ୍ଗେ ଟଗରର ଦୁଇ ଆଖିରୁ ଥପ୍‌ ଥପ୍‌ ହେଇ ଲୁହ ଝରିବାକୁ ଲାଗିଲା-। ପ୍ରାର୍ଥନାନ୍ତେ କିଛି ସମୟ ସ୍ତବ୍‌ଧ ଭାବରେ ରହିଯାଇ, କାଞ୍ଚୁଲି ଅଞ୍ଚଳରେ ଲୁହ ପୋଛି, ପୁଣି ମୁଣ୍ଡି ଆଟାଏ ମାରି ଥାପନା ସ୍ଥାନରୁ ଉଠିଲା ।

 

ଖନ୍ଦାଶାଳ ଚୁଲିରେ ନିଆଁ ଜଳେଇ କଣ ରାନ୍ଧିବ ସେଇକଥା ଭାବିବସିଲା । ଅନ୍ୟ ଦିନେ ରନ୍ଧା ବିଷୟରେ କୌଣସି ଚିନ୍ତା କରୁନଥିଲା । ଅନ୍ୟଦିନର ପ୍ରୟୋଜନୀୟ ଅଭ୍ୟାସ ଆଜି କିନ୍ତୁ ମଧୁର ଆନନ୍ଦରେ ପରିଣତ ହୋଇଛି । ଏଣୁ ସ୍ଵାମୀ କ’ଣ ଖାଇବାକୁ ଭଲପାଆନ୍ତି ସେଇ ପ୍ରଶ୍ନ ମନରେ ଉଙ୍କିମାରିଲା—“ବହୁ ସମୟରେ ନାମଘର ପାଇଁ କୁଟା ଅରୁଆ ଭାତ କେଇମୁଠା ଠେକିରେ ପଡ଼ିଛି, ତାକୁଇ ବସେଇଦବା ଭଲ । କମଳି ବି ଆଜି ଅରୁଆ ଭାତ ମୁଠେ ଖାଉ—ଭଲହବ । ଆଜି ‘ଚକୁମୁଦି’ ବି ଆସିଲା ନାହିଁ ? ସେ ଆସିଥିଲେ ମାଛ ଝୋଳ ଟିକେ କରିଥାନ୍ତି । ଦେଖେଁ, ଏବେ ବି ତ ସମୟ ଅଛି ସେ ଆସିବାକୁ ।”

 

ଚକୁମୁଦି କଥା ଭାବୁ ଭାବୁ, ଅଗଣାରେ ମାଛ-ପାଛିଆଟାକୁ ମୁଣ୍ଡରୁ ଓହ୍ଲେଇ ଚକୁମୁଦି ଡାକଛାଡ଼ିଲା— “ମା’ଗୋ, ଆଜି ତ କଣ ସକାଳୁ ସକାଳୁ ଚୁଲିମୁଣ୍ଡରେ ? ମାଛ ଦିଟା ରଖିବୁନା ?”

 

ଚକୁମୁଦି-ପଶାରୁଣୀର ଡାକ ଶୁଣି—“ଯାଉଚିଲୋ ବାଈ, ତୁ ବି ଠିକ୍‌ବେଳରେ ପହଞ୍ଚିଯାଇଚୁ ।” ବୋଲି କହି, ରନ୍ଧାଘରୁ ବାହାରି ଆସି ଟଗର ମାଛ ପାଛିଆ ପାଖରେ ହାଜରହେଲା । ଚକୁମୁଦି ପାଛିଆ ଉପରୁ ଘୋଡ଼ଣିଟା ଟେକି, ପାଛିଆଟାକୁ ଦୁଇହାତରେ ଜାକିଧରି କହିଲା—“କଉଛୁଆ ଦିଟା ପାଇ ନେଇ ଅଇଚି । ତିଲୌବାପୁ ଘରେ ଶୁଣି ଆସିଲି ଆଜି ସରକାରୀ ଡାକତର କୁଆଡ଼େ ବୋପାକୁ ଦେଖିଆସିଥିଲେ ? କ’ଣ କହିଲେ ଟିକିଏ ଶୁଣିଯିବା । ମାଛ ଦିଟା ଯଦି ଲାଗିବ ଦେଇଯିବି ବୋଲି ପଶିଆଇଲି ।”

 

—“ଭଲକଲୁ ବାଇ । ମୁଁ ଏବେ ତୋରି କଥା ଭାବୁଥିଲି । ତମେମାନେ ଖବର ଅନ୍ତର ନନେଲେ ଆଉ କିଏ ନବ ? କଉ କେଇଟା ଦେଇଯା, ପଇସା ହଉ ଧାନ ହଉ ପରେ ଆସି ନେଇଯିବୁ—ଏବେ ଖନ୍ଦାରେ ପଶିଲିଣି ।”

 

—“ହଁ ଗୋ ମା, ବାପ ଅଜା ଦିହକରୁ ଏଇ ଘରେ ମୋର ମାଛ ବିକା—ଏ ଘରେ ମୋର ପଇସା ବୁଡ଼ିବନାହିଁ । ତମେ ତ ଦୂର ଗାଁ ଝିଅ, ଆମକୁ ପର ପର ଦେଖୁଚ ।”

 

ପାଛିଆରେ ହାତ ଭର୍ତ୍ତିକରି ବାଛି ବାଛି ଦଶଟା କଉମାଛ ଅଗଣାରେ ଥୋଇଲା ଚକୁମୁଦି । ପାଛିଆଟା ମୁଣ୍ଡକୁ ଉଠେଇ ଯିବାକୁ ବାହାରି ପଚାରିଲା—“ଡାକତର କଣ କହିଲେ ?”

 

—“ଇଞ୍ଜେକସ୍‌ନ ଦେଲେ ଭଲହେଇଯିବ ବୋଲି କହିଲେ ।” ନିଜର ଅଜ୍ଞାତ ସାରରେ ଟଗର ଅନ୍ତରର ବିଶ୍ୱାସ କଥାର ମାଧ୍ୟମରେ ପ୍ରକାଶପାଇଲା ।

 

—“ହଁଗୋ ମା, ବେଏଗି ଇଞ୍ଜେକ୍‌ସନ କେଇଟା ଫୋଡ଼େଇଦିଅ । ହରି ନିଶ୍ଚୟ ଆଖି ଖୋଲିବେ । ବୋପାକୁ ଭଲ ନପାଇବା ମଣିଷ ଏଇ ଗାଁରେ ନାହାନ୍ତି । କାଟଣୀ-ଗାଁର ରାଣ୍ଡୀ କେଇଜଣ ମାଷ୍ଟର ବୋପାର ଦେହ ଅସୁଖ ଖବର ପାଇ ମୁଣ୍ଡକୋଡ଼ି ମରୁଚନ୍ତି । ଥାଅ ମା’, ମୁଁ ଆସୁଚି ।” ଚକୁମୁଦି ବାହାରିଯାଇ—“ମାଛ ନବ......ମାଛ ।” ବୋଲି ରଡ଼ି ଛାଡ଼ିଲା ରାସ୍ତାରେ ।

 

କଉମାଛ କେଇଟା ଅଗଣାରେ ଛଟପଟଉଛନ୍ତି । ଟଗର ଜୀଅନ୍ତା ମାଛ ବାଛେନା । କମଳି ହାତରେ ସେଥିରୁ କେଇଟା ମରେଇନେଲା, ବାକି କେଇଟାକୁ ସରେଇ ପାଣିରେ ଜୀଆଁଇ ରଖିଲା ସଞ୍ଜ ପାଇଁ ବୋଲି ।

 

ମା’ ଅଗଣାରେ ମାଛ ବାଛୁଛି । କମଳି ପାଖରେ ବସିଛି । କେତେବେଳେ ପ୍ରୟୋଜନ ହେଲେ କଂସା ଖଣ୍ଡେ, ଗିନାଟାଏ ଆଣିଦେଉଛି । ମଝିରେ ମଝିରେ ଗୋଲାପ ଡାକ୍ତର କଥା କହୁଛି-। କମଳିର ମନ ବେଶ୍‌ ଫୁର୍ତ୍ତି ଅଛି । ସେ’ ହିଁ ଡାକ୍ତରଙ୍କୁ ଡାକି ଆଣିଥିଲା । ଗୋଲାପ ଡାକ୍ତର ଦେଖିଯାଇଛନ୍ତି ଯେତେବେଳେ ବାପାଙ୍କ ରୋଗ ନିଶ୍ଚୟ ଦିନେ ଦୁଇଦିନ ଭିତରେ ଭଲହେଇଯିବ ଯେ । ଗୋଲାପ ଡାକ୍ତର ବଢ଼ିଆଲୋକ, ଗର୍ବ ଅହଂକାର ଟିକିଏ ବୋଲି ନାହିଁ । କେମିତି ହସ ପରିହାସ କରି ସମସ୍ତଙ୍କ ସହିତ କଥା କହନ୍ତି ?

 

ବାଛିବାକୁ ଧରିଥିବା ମାଛଟିଏ ଅଗଣା ଧୂଳିରେ ଘଷି ଘଷି ଟଗର କହିଲା—“ବାପା ପିତା କଲରା ଖାଇବାକୁ ଭଲପାଆନ୍ତି, ନା ଲୋ ?”

 

କମଳି ଚଟ୍‌କିନା କହି ପକେଇଲା—“ହଁ ତ—ଯାଉଚି ପୁଳାଏ ଖୋଜି ଆଣିବି ? କପାହୀ ଘର ପଛପଟରେ ଭର୍ତ୍ତି ହେଇଚି ।” କମଳି କଲରା ଖୋଜିଯିବାକୁ ଉଦ୍ୟତ ହେଲା ।

 

ପର ମୁହୂର୍ତ୍ତରେ ଝିଅକୁ ବାରଣ କରି ଟଗର କହିଲା—“ଥାଉଲୋ, ଆଜି ତୋର ଝାଡ଼ା ହଉଚି—ଲୋକଙ୍କ ବାଡ଼ିରେ ଢଙ୍ଗ୍‌ ଢଙ୍ଗ୍‌ ବୁଲିବା ଦରକାର ନାହିଁ ।”

 

ମା’ର ବାରଣରେ କମଳୀର ରାଗ ହେଲା । ବାପାଙ୍କୁ କଲରାଭଜା ଖାଇବାରୁ କାହିଁକି ବଞ୍ଚିତ କରୁଛି ବୁଝିନପାରି ମୁହଁକୁ ଫୁଲେଇ ଠିଆ ହୋଇରହିଲା ।

 

ବାପାଙ୍କ କଲରାଖିଆ ପରିତୃପ୍ତ-ଆନନ୍ଦ-ଉଜ୍ଜ୍ୱଳ ମୁହଁଟି କଳ୍ପନାକୁ ଆଣି କମଳି ସ୍ଥିର ହୋଇ ରହିପାରିଲା ନାହିଁ । ବେଳଉଣ୍ଡି, ମା’କୁ ନକହି ଏକା ଡିଆଁକେ ଯାଇ ମଣ୍ଡଳଘର ବାଡ଼ି ପଛପଟରେ ହାଜର ହେଲା । ବାଉଁଶବାଡ଼ରେ ଆପେ ଆପେ ବଣ-କଲରା ପାକଳ ହେଇ ଝୁଲୁଚି । ତାଟି ଗୋଟାକ ଯାକ ହଳଦିଆ ଫୁଲରେ ତାରା ଫୁଟିଲା ପରି ତୋରା ଦେଖାଯାଉଛି । ବାଡ଼ର ବାହାରପଟ କଲରାଲଟାରେ ଓହାଳୁ ଥିବା ଲତାପତ୍ର ଆଡ଼େଇ ଆଡ଼େଇ କମଳି କଲରା ଖୋଜିବାରେ ବାଇ ହେଲା । ଗୁହ-ବଣ ବୋଲି କେହିହେଲେ କେବେ ଏ ପାଖରୁ କଲରା ତୋଳିବାକୁ ଆସିନି; ଫଳରେ ଯେଉଁଠିକା କଲରା ସେଇଠି ଲଦବଦ ହେଇ ପାଚି, ଫାଟି ନାଲି-ମଞ୍ଜି-ଦାନ୍ତ ଦେଖେଇ ହସୁଛି । କମଳି ବେଗାବେଗି ଘଡ଼ିକ ଭିତରେ ଅଣ୍ଟିଏ ଛିଣ୍ଡେଇଲା । ଅଣ୍ଟିର କଲରାକୁ ଦେଖି ଭବିଲା—“ଆଜି ପାଇଁ ଏତକ ବହୁତ ହବ । ସେଇ ଲଟାଟା ଦେଖି ଚାଲିଯିବି । ଦରକାର ହେଲେ କାଲି ଆସି ନେବି ।”

 

କିନ୍ତୁ ଦେଖିବା ଲଟାକୁ ଦେଖିସାରି, ଆଉ ଏକ ଲଟାରେ ଦେଖିପାରିଲା ଭଳି କଲରା କେଇଟା ଓହଳୁଥିବା ଦେଖିଲା । ବରଷା ପାଣି ପାଇ, ଆନନ୍ଦରେ ଉତ୍ତେଜିତ ହୋଇ ରଡ଼ିଛଡ଼ା ବେଙ୍ଗ ଭଳି କମଳି ଚିତ୍କାର କଲା—“ଓ ମା, ଇହି ସେଗୁଡ଼ା କେଡେ ବଡ଼ ବଡ଼ ମ !” ପୁଣି ଆଉ ଏକ ଲଟାରେ ହାତ ଦେଲା ।

 

ଇତିମଧ୍ୟରେ ମଣ୍ଡଳର ଝିଅ କପାହୀ ଏବଂ ସୋଣପାହୀ ପଛପଟରେ ବାଡ଼ିରେ କେହି ପଶିଥିବାର ସାଡ଼ା ପାଇଲେ । ବେକ ଟେକି ଚାହିଁ, କମଳିକୁ ଦେଖି କପାହୀ ଚିତ୍କାର କଲା—“ଏଇ ଚୋରଣୀଟା ଲାଗି ବାଡ଼ିରେ ପିତା-କଲରା କଷିଟାଏ ବି ରହିଲା ନାହିଁ ।”

 

କିପାହୀ ଏବଂ ସୋଣପାହୀଙ୍କ ଆଗରେ ମଣ୍ଡଳବାଡ଼ିରୁ ସଢ଼ା ପଚା ପାନ ପତ୍ରେ ଛିଣ୍ଡେଇବାକୁ ବି କାହାର ସାଧ୍ୟ ନାହିଁ । ନାନୀ ଭଉଣୀ ଦୁହେଁ ସାରାଦିନ ବାଡ଼ିରେ ଢଙ୍ଗ୍‌ ଢଙ୍ଗ୍‌ ବୁଲୁଥାନ୍ତି । ବାଡ଼ିର ପ୍ରତିଟି ବସ୍ତୁ ପ୍ରତି ଦୁହିଁଙ୍କ ସଜାଗ ତୀକ୍ଷ୍‌ଣ ଦୃଷ୍ଟି । କଲରାତିକ ଛଡ଼େଇ ଆଣିବାକୁ ଯାଇ କପାହୀ ବାଡ଼ରେ ଉଠି ଦେଖିଲା ଯେ କମଳି ହଗିବସିଛି, ସାମନାରେ ଢାଳଟା । ତେଣୁ ଅବିଶ୍ୱାସ କରିବାର କୌଣସି କାରଣ ନାହିଁ । ମିଛଟାରେ ଚୋର ଧରିବାକୁ ଯାଇ, ଲାଜ ପାଇ କପାହୀ ଘୃଣା ଭାବରେ କମ୍ପମାନ ହୋଇ କମଳିକୁ ଶୁଣେଇ ଶୁଣେଇ ପାଟିକଲା— “ବାପମୁଣ୍ଡଖାଇ ମରିବ ବୋଲି ଆମ ବାଡ଼ିକୁ ଆସେ ।”

 

ବାଡ଼ ପାଖରୁ ଫେରିବାକୁ ଉପକ୍ରମ କରି, ଢେଲାଟାଏ ଉଠେଇ କମଳି ଉଦ୍ଦେଶ୍ୟରେ ଫୋପାଡ଼ିଲାରୁ ତାହା ଢାଳରେ ବାଜି ଠନ୍‌ କଲା । କପାହୀ ଏବଂ ସୋଣପାହୀ ହିଁ ହିଁ ହେଇ ହସି ଦୌଡ଼ିପଳେଇଲେ ।

 

କମଳି ବିଷଣ୍ଣମନରେ ଠିଆ ହେଲା । ଅନ୍ୟ ଦିନ ହୋଇଥିଲେ କମଳି ଗାଳିମନ୍ଦକୁ ହଜମ କରି ବି କଲରାତକ ଆଣି ଆସିଥାନ୍ତା । କିନ୍ତୁ ଆଜ ଏ କି ବିପରୀତ ! ଅଣ୍ଟିର କଲରା ତକକୁ ବାର ବାର ଅନେଇ, ବହୁ ଅନିଚ୍ଛାସତ୍ତ୍ଵେ କ’ଣ ଭାବି ମଣ୍ଡଳର ବାଡ଼ି ଭିତରକୁ ଫୋପାଡ଼ିଦେଇ ଧୀରେ ଧୀରେ ଅପସରିଗଲା ।

 

—“ଲୋକଙ୍କୁ ଗାଳି ଖାଇବାକୁ ପଡ଼ିବ ବୋଲି ବୋଧେ ମା’ ଆଜି କଲରା ଆଣିବାକୁ ମନାକରିଥିଲା ! ଏଇଗୁଡ଼ାକ ଖାଇଲେ ବାପାଙ୍କ ବେମାର ବଢ଼ିବ ।”

 

ଟିକିଝିଅଟାର ଅନ୍ତରରେ ମାତୃତ୍ଵର ଅପରିସୀମ ସ୍ନେହ ଏବଂ ମଙ୍ଗଳ-ଆକାଂକ୍ଷା ଅତି ସହଜଭାବେ ଦେଖାଦେଲା ।

 

ଷୋହଳ

 

ବର୍ଷାଦିନିଆ ମେଘ ଆଉ ଗରିବ ଆତ୍ମୀୟ—ଦିନକ ପାଇଁ ଭୋଜି ଖାଇବାକୁ ଆସି ତିନିଦିନ ପରେ ବି ଯିବାର ନାଁ-ଗନ୍ଧ ଥାଏ ନାହିଁ । ଆଷାଢ଼ ଶ୍ରାବଣରେ ବର୍ଷା ପ୍ରୟୋଜନ । କିନ୍ତୁ ପ୍ରୟୋଜନର ଅତିରିକ୍ତତା କଳାର ସୃଷ୍ଟି କଲେ ବି ଗ୍ରାମର କଲ୍ୟାଣ ସାଧନ କରି ନ ଥାଏ । ବାହାବେଦୀକୁ ଅଣା ଯୁବତୀ କନ୍ୟାର ଗୋଡ଼ରୁ ମୁଣ୍ଡଯାଏଁ ଅନାବଶ୍ୟକ ଅଳଙ୍କାର ପିନ୍ଧିଲା ପରି ଅତ୍ୟଧିକ ବର୍ଷାପାଣି ପାଇ ବୃକ୍ଷଲତାସମୂହ ଗ୍ରାମ ତଥା ବଣର ଶୋଭା ବଢ଼ାଉ ନବଢ଼ାଉ ଭୂତର ଭୟ ଯେ ବଢ଼ାଏ, ଏହା ସୁନିଶ୍ଚିତ । ପ୍ରାଚୀନ ଭାରତର ପରମ-ଭଟ୍ଟାଚାର୍ଯ୍ୟଗଣଙ୍କ ମୁକ୍ତହସ୍ତର ଦାନରେ ଧନୀ ଦରିଦ୍ର ସମସ୍ତ ପ୍ରଜାଙ୍କର ଭିକ୍ଷାପାତ୍ର ପୂର୍ଣ୍ଣ କଲା ପରି, ବର୍ଷାକାଳର ବରୁଣଦେବତା ନଦ-ନଦୀ, ବିଲ-ଖାଲ ସମସ୍ତଙ୍କୁ ଅବାରିତ କରୁଣା-ଧାରାରେ ଫୁଲେଇପକାନ୍ତି । ଚତୁଃପାର୍ଶ୍ଵରେ ଅହରହ ଦାତା ଏବଂ ଗ୍ରହୀତାର ହୈ-ଚୈ କଳରବ । ଜଗତରେ ନୂତନ-ସାମ୍ୟଭାବର ଉଦୟ-ଆନନ୍ଦରେ ବ୍ରାହ୍ମଣୀ-ବେଙ୍ଗକୁ ମୁଖ୍ୟ କରି ଅସ୍ପୃଶ୍ୟ କେଁଚୁଆ, ତେଲୁଣୀ-ପୋକଯାଏଁ ସମସ୍ତେ ନିଜ ନିଜ ଶାସ୍ତ୍ରର ମଙ୍ଗଳ ସ୍ତବ-ସ୍ତୋତ୍ର ଗାଆନ୍ତି ।

 

କେତେ ଦିନ ହେବ ଅନବରତ ପରିଶ୍ରମ କରି ଆଜି ସକାଳୁ ବରୁଣ ଦେବତାଙ୍କ ତନ୍ଦ୍ରାଭାବ ଆସିଯାଇଛି । ଆଗରୁ ଭୟ ତଥା ସତର୍କତା ସହିତ ବାହାରିବାକୁ ଇଚ୍ଛୁକ ଉଷାଦେବୀ ଆଜି ମୁଣ୍ଡରେ ନୀଳ ଓଢ଼ଣୀ ଟାଣି, କପାଳରେ ସିନ୍ଦୂରର ଏକ ବିରାଟ ଟିପା ପିନ୍ଧି ବାହାରିଛନ୍ତି ।

 

ବର୍ଷାପରର ତୀକ୍ଷ୍‌ଣ ରୌଦ୍ର ଲାଭ କରି ଗାଁର ଝିଅ-ବୋହୂଙ୍କ କାମରେ ଚଞ୍ଚଳତା ଦେଖାଦେଇଛି । ଚାଳରୁ ପାଣି ଝରି ଅଗଣାରେ ବନ୍ଧ—କେହି ତାକୁଇ ସଫାକରିବାରେ ବ୍ୟସ୍ତ । କେହି ଅଳିଆଗଦାକ ଗୋଟେଇ ପୋଟେଇ ବାହାରେ ଫୋପାଡ଼ିବାକୁ ବାହାରିଛି I କେହି ବେଗାବେଗି କାଦୁଆ-ଦୁଆରକୁ ଲିପିପୋଛି ଧାନବୋଝକ ଖରାରେ ଦବ ବୋଲି ପଟିଆ ପକେଇଛି । କେହି ସକାଳର ଟାଣ ଖରା ଦେଖି, ଧୋଇବ ନଧୋଇବ ହୋଇ ବୋଝେ ଲୁଗାପଟା ଖାରସୋଢ଼ାରେ ସିଝେଇଛି । କେହି ପୋକ ଅସର୍ପା କାଟିପକେଇଲେଣି କି କଣ ବୋଲି ଭାବି ବାନ୍ଧିରଖା ତନ୍ତଟିକୁ ଖୋଲି ପରୀକ୍ଷା ନିରୀକ୍ଷା କରୁଛି । ଭିକାରିର ଭବିଷ୍ୟତରେ ଭରସା ନ ଥିଲା ପରି ବରଷାର ତୀକ୍ଷ୍‌ଣ ଖରାରେ ବିଶ୍ଵାସ ନକରି ସମସ୍ତେ ତରବରରେ ସମୟର ସଦ୍‌ବ୍ୟବହାର ପାଇଁ ତତ୍‌ପର ହେଉଛନ୍ତି । ଦୁଇଦିନର ବିରହରେ, ଚିରଦିନିଆ ଖରାର ବାସ୍ତବ ଅଭାବକୁ ସମସ୍ତେ ମର୍ମେ ମର୍ମେ ଉପଲବ୍‌ଧ କରୁଛନ୍ତି ।

 

ଗୋଲାପ ଡାକ୍ତରଙ୍କ ଚିକିତ୍ସାରେ ଧରଣୀର ଦେହ ଆରୋଗ୍ୟ ଆଡ଼କୁ ଗତିକରୁଛି । ମଝିରେ ମଝିରେ ତାକୁ ଧରାଧରି କରି ବାହାର ଭିତର କରିବାକୁ ପଡ଼ୁଛି । ପାଗ ଶୁଖିଲା ଦେଖି ଆଜି ପଛପାଖର ଅଗଣାରେ କାନଭାସ୍‌ ଚଉକି ଖଣ୍ଡେ ପକେଇ ବସିଛି । ପାଖରେ ବସି ଝିଅର ମୁଣ୍ଡରୁ ଉକୁଣୀ ବାଛି, ମୁଣ୍ଡ ରାମ୍ପି ଦଉଛି ଟଗର । ବର୍ଷା-ମୁଖର ଖରା । ଦିହିପହରିଆ ଗରମ ଅସହ୍ୟ ବୋଧ ହେଉଥିଲା । ସନ୍ଧ୍ୟାବେଳକୁ ଦମକାଏ ଦମକାଏ ଥଣ୍ଡା ପବନ ବୋହୁଛି । ଧରଣୀର ଆଖି ରନ୍ଧାଘର ପାଖର ଆମ୍ବଗଛ ଆଡ଼େ ଲାଖିରହିଛି; ସତେକି ଏଇ ଆମ୍ବଗଛଟିରେ ଧରଣୀର ଅତୀତ ଇତିହାସର ପୃଷ୍ଠାମାନ ଲେଖାହୋଇଛି । ପ୍ରଥମ ବର୍ଷ ଫଳ ଧରୁ ଧରୁ ଗୋସେଇଁଙ୍କୁ ସମର୍ପଣ ନକରୁଣୁ ସାଙ୍ଗପିଲା, ମିହିରାମ ସାଥୀରେ ଆମ୍ବ ପାରି ଖାଇଥିବାରୁ ମା’ଠୁ ଗାଳି ଖାଇଥିବା କଥା ମନେପଡ଼ୁଛି । ମିହିରାମ, କଣପାଇ, ରାଜେନ୍‌ ପ୍ରଭୃତିଙ୍କ ସହିତ ଛୋଟବେଳେ ସେ କଣ କମ୍‌ ଉତପାତ କରୁଥିଲା ? ବାର୍ଷିକ-ପରୀକ୍ଷା ଶେଷ କରି କେମିତି, ଲୋକଙ୍କ ମୁଗକ୍ଷେତ, ଆଖୁ-ବାଡ଼ିରେ ଘୁରିବୁଲୁଥିଲା । ଲୋକେ ବସାଇଥିବା ମୁଗୁରାରୁ ରାତାରାତି ବଡ଼ ବଡ଼ ମାଛଗୁଡ଼ିକ ବାଛିଆଣି ମା’କୁ ଦେଇ କହୁଥିଲା, ନିଜେ ବସାଇଥିବା ମୁଗୁରାରେ ପଡ଼ିଥିଲା ବୋଲି । ଧର୍ମେଶ୍ଵର ଗୋହାଁଇଙ୍କ ଧଳା-ଘୋଡ଼ୀଟାକୁ ବିଲଆଡ଼େ ନେଇ ସମସ୍ତେ କମ୍‌ ଦୌଡ଼ଉଥିଲେ ନା ! ପିଲାବେଳର ପ୍ରତ୍ୟେକ ସାଙ୍ଗସାଥୀଙ୍କ ନାଁ ମନେପକାଇବାକୁ ଚେଷ୍ଟା କରୁଥିଲା ଧରଣୀ । ହଠାତ୍‌ ଜଣେ ଦୁଇଜଣଙ୍କର ନାଁ ମନେ ପଡ଼ୁ ପଡ଼ୁ ପୁଣି ପଡ଼ୁନଥିଲା । ହତାଶଭାବେ ଧରଣୀ ଆକାଶକୁ ଅନେଇଲା । ମୟୂର-ପୁଚ୍ଛିଆ, ଚିତ୍ରବିଚିତ୍ର ଆକାଶଟି ମୁକ୍ତିର ଆନନ୍ଦରେ ହସୁଛି । ଅପରାହ୍‌ଣ ସୂର୍ଯ୍ୟଙ୍କ ସହିତ ମିଶି ମେଘରାଶି ମୁହୁର୍ମୁହୁ ଧଳା, ନୀଳ, ନାଲି ରଙ୍ଗ ବଦଳାଇ ଖୁନ୍ଦାଖୁନ୍ଦି ହୋଇ କୌଣସି ସୀମାହୀନ ମାୟାଲୋକକୁ ଆଗଉଛନ୍ତି । ଧରଣୀର ଚକ୍ଷୁ ଯେତେ ଦୂରକୁ ଯାଇପାରେ ମେଘରାଶିର ପଛେ ପଛେ ଦୌଡ଼ିଲା । ସୁଦୂରର ମେଘରାଶି ସହିତ ଆଳାପ କରିବାକୁ ଧରଣୀର ମନ ବ୍ୟାକୁଳ ହେଲା-

 

ଅନେକ ବେଳଯାଏଁ ନିଶ୍ଚଳ ନିସ୍ତବ୍‌ଧ ଭାବେ ରହିଥିବାରୁ, ଟଗର ଅନୁମାନ କଲା ଧରଣୀ ଶୋଇଗଲାଣି ବୋଲି । ଜାଣିବା ଅଭିପ୍ରାୟରେ, ତଳକୁ ଖସିପଡ଼ିଥିବା ଚାଦରର ଅଞ୍ଚଳଟିରେ ସ୍ଵାମୀଙ୍କ ପାଦକୁ ଢାଙ୍କିଦେଲା । ତଥାପି ଧରଣୀର ତନ୍ଦ୍ରାଭଙ୍ଗର ଲକ୍ଷଣ ଦେଖାଗଲା ନାହିଁ । ଝିଅର ଛୋଟିଆ ଖୋଷାଟି ବାନ୍ଧି ଦେଇ କହିଲା—“ତୁ ଯା, ଟିକିଏ ରାସ୍ତାରେ ବୁଲିଆସିବୁ; ଧୂଳିବାଲି ହବୁନୁ କିନ୍ତୁ ।’’ ଉଠିପଡ଼ି ସ୍ଵାମୀଙ୍କ ବସିବା ଚଉକିର ପଛକୁ ଯାଇ ତାଙ୍କ କପାଳରେ ହାତ ରଖିଲା । କପାଳ ଅଳ୍ପ ଅଳ୍ପ ଝାଳେଇଛି । କାଞ୍ଚୁଲି ଅଞ୍ଚଳରେ ଝାଳ ପୋଛିଲା ଟଗର । ଦିବାସ୍ଵପ୍ନରୁ ଉତ୍‌ଥିତ ମଣିଷଟିଏ ଭଳି ଉପରକୁ ମୁଣ୍ଡଟେକି ଧରଣୀ ଟଗର ମୁହଁକୁ ଅନେଇଲା । ଟଗର ଆଶ୍ଚର୍ଯ୍ୟ ହୋଇ ପଚାରିଲା— ‘‘କଣ ଏତେ ଭାବୁଚ ତନ୍ମୟ ହେଇ ? ଦେହ ଭଲଲାଗୁନି କି ?’’ ପ୍ରଶ୍ନ ପଚାରୁ ପଚାରୁ ବୁକୁ ଥରିଲା ଟଗରର । ଚାରିମାସ ପରେ କୌଣସିମତେ ଟିକେ ବାହାରକୁ ବାହାରଛନ୍ତି; ପୁଣି ଯଦି ଅସୁସ୍ଥ ହେଇପଡ଼ନ୍ତି ?

 

ଆରାମ ଚଉକିରୁ କଥା ଶୁଭିଲା—‘‘ନାଁ ଯେ, ଦେହଟା ଆଜି ହାଲ୍‌କା ହାଲ୍‌କା ଲାଗୁଛି-।’’

 

ଟଗର ସ୍ଵସ୍ତିର ନିଶ୍ଵାସ ଛାଡ଼ିଲା ।

 

ଧରଣୀ ଆବେଗ ସ୍ଵରରେ କହିଲା—‘‘ତୁମେ ପଚାରୁଚ ମୁଁ କଣ ଭାବୁଚି, ନୁହେଁ ? ମୁଁ ଭାବୁଚି ସେଇ ଆକାଶର ସୁନ୍ଦର ମେଘଲୋକର କଥା; ସେମାନେ ସବୁ ଆସିଚନ୍ତି କୋଉଠୁ, ଯାଉଚନ୍ତି କୋଉଠିକି ? ସେମାନଙ୍କର କଣ ଜୀବନ-ମରଣ ଅଛି ? ଆମ ଦୃଷ୍ଟିରୁ ଅନ୍ତର ହେଇଯାଉଚନ୍ତି ବୋଲି କଣ ସେମାନଙ୍କର ମୃତ୍ୟୁ ହେଉଚି ? ହୁଏତ ଇତିମଧ୍ୟରେ ନୂତନ ରୂପ ନେଇ ଅନ୍ୟ ଆକାଶରେ ଖେଳାଲୀଳା ଲଗେଇନାହାଁନ୍ତି କି ?’’

 

ଧରଣୀର ଅନ୍ତର ଆଜି ଉଦ୍‌ବେଗ ଆବେଗରେ ପରିପୂର୍ଣ୍ଣ ହୋଇଛି । ନିଜର ଅଜ୍ଞାତସାରରେ ଅନ୍ତରର କଥା କାବ୍ୟକ ଭାଷାରେ ପ୍ରକାଶିତ ହେଉଛି । ସ୍ଵାମୀଙ୍କ ମନରୁ ମୃତ୍ୟୁଚିନ୍ତାକୁ ତଡ଼ିବା ଛଳନାରେ ଟଗର କହିଲା— ‘‘ଆଜି ଚୁଡ଼ାଖିରି କରିଥିଲି; ଟିକିଏ ଆଣୁଚି ?’’

 

ଚାଲିଯିବାକୁ ଉଦ୍ୟତ ଟଗରର ହାତ ଧରି ପକେଇଲା ଧରଣୀ । ଅନ୍ତରର ଅବୋଧ୍ୟ ସ୍ନେହ ହାତର ଆଙ୍ଗୁଳି ମାଧ୍ୟମରେ ପ୍ରବାହିତ ହେବାକୁ ଚାହିଁଲା । ପଲକ ଭିତରେ ହାତର ଆଙ୍ଗୁଳିରେ ବହୁ କଥାଭାଷା ହୋଇଗଲା । ଧରଣୀ ଆସ୍ତେ ଆସ୍ତେ କହିଲା—‘‘ମୁଣ୍ଡଟା କୁଣ୍ଡେଇ ଦଉଥିଲ, ଭଲ ଲାଗୁଚି । ଖିରି ପରେ ଆଣିଲେ ଚଳିବ ।’’

 

ଟଗର ଧରଣୀର ମୁଣ୍ଡବାଳ ଭିତରେ ଆଙ୍ଗୁଳି ପୂରେଇ ପୁଣି କୁଣ୍ଢେଇଲାଗିଲା ।

 

ଆକାଶକୁ ପୁଣି ଅନେଇ, ଧରଣୀ କହିଚାଲିଲା—‘‘ମରଣର ନାଁ ଶୁଣି ଡରରେ ପଳେଇଯିବାକୁ ଇଚ୍ଛା କରୁଥିଲ, ନା ? ପଳେଇବ କାହିଁକି ? ଆମ ଜୀବନରେ ଯେଉଁଟା ପରମ ସତ୍ୟ, ସେଇ କଥାକୁ ଆଲୋଚନା କରିବାକୁ ସାହସ ନାହିଁ ? ଭାବିଚ, ମରଣ ବିଷୟରେ ଚର୍ଚ୍ଚା ନକଲେ ସେ ଘୁଞ୍ଚିଯିବ ? ଏଇଟା କିନ୍ତୁ ଛୋଟ ଛୋଟ ପିଲାଏ ଆଖି ବନ୍ଦ କରି ଗୋଡ଼ରୁ ମୁଣ୍ଡଯାଏଁ ଘୋଡ଼େଇ ହୋଇ ରାତିରେ ଅନ୍ଧକାରଠାରୁ ରକ୍ଷା ପାଇବାର ଅପଚେଷ୍ଟା ।’’

 

—‘‘ଜନ୍ମ-ମୃତ୍ୟୁ ସଂସାରର ନିୟମ । ସେ କଥାକୁ ଆଲୋଚନା କରି ମନକୁ ଭାରାକ୍ରାନ୍ତ କରିବା କି ପ୍ରୟୋଜନ ଶୁଣେ ?’’ ଅନିଶ୍ଚିତ ଭୟର ଆଶଙ୍କାରେ ଟଗରର ବୁକୁ ଶିହରି ଉଠିଲା ।

 

—‘‘ଜାଣିଚ, ମରଣକୁ ରମଣୀୟ କରିବା ପାଇଁ ତା’ କଥା ଆଲୋଚନା କରିବା ଲୋଡ଼ା-। ପୂର୍ବରୁ ପରିଚୟ ଥିଲେ ଗ୍ରହଣ କରିବା ସହଜ ହୋଇଥାଏ । ଏଇ ଧର, ତୁମ ମୋ ଭିତରେ ଅନ୍ତରର ପରିଚୟ ଯେତେଟା ଘନିଷ୍ଠ ହୋଇଆସୁଚି, ସେତେଟା ଆମେ ଦୁହେଁ ଦୁହଁଙ୍କ ପ୍ରତି ନିବିଡ଼ଭାବେ ଆକୃଷ୍ଟ ହେଉନେ କି ? ସେଇ କାରଣରୁ ତୁମେ ଆଜି ମୋ ସକାଶେ ଏତେ ଦୁଃଖ-କଷ୍ଟ ସ୍ଵୀକାର କରିବାକୁ କ୍ଷମ ହେଇଚ ସିନା !’’

 

ସ୍ଵାମୀ ମୁଖରୁ ନିଜର ପ୍ରଶଂସା ଶୁଣି ଟଗର ଲାଜ-ସଙ୍କୋଚରେ ତଳକୁ ମୁହଁ ପୋତି ରହିଲା । ସ୍ଵାମୀର ଘରସଂସାର କରିବାକୁ ଆସିବା ଦିନରୁ ଧରଣୀର ପରିବାର ସୁଖ-ଶାନ୍ତି ନିମନ୍ତେ ଟଗର ଦେହ, ମନ, ପ୍ରାଣ ସବୁକିଛି ଉତ୍ସର୍ଗ କରି ଖଟିଆସିଛି । କିନ୍ତୁ ଏତେ କରି ବି ଧରଣୀକୁ ଯେପରି ଭାବରେ ଚାହିଁଥିଲା ତାକୁ ଠିକ୍‌ ସେପରି ଭାବରେ ପାଇ ପାରିନାହିଁ । ସ୍ଵାମୀର ଅନ୍ତରରେ ସମ୍ପୂର୍ଣ୍ଣଭାବେ ପ୍ରବେଶ କରିବାକୁ ବସିଲାମାତ୍ରେ ଅଜଣା ସଙ୍କୋଚ ଏବଂ ଦ୍ଵିଧା ହିଁ ଟଗରର ମନକୁ ଜାବୁଡ଼ି ଧରେ । ଯେଉଁ ମୁହୂର୍ତ୍ତରେ ନିଜର ସମଗ୍ର ସତ୍ତାକୁ ଦେଇ ଧରଣୀକୁ ଭଲ ପାଇବାକୁ ବ୍ୟାକୁଳ ହୋଇଥାଏ, ସେଇ ମୁହୂର୍ତ୍ତରେ ଏକ ଅସ୍ପଷ୍ଟ ସ୍ମୃତି ଅନ୍ତରରେ ତା’ର ତୁମୁଳ କୋଳାହଳ ସୃଷ୍ଟି କରି ସବୁକିଛିକୁ ଓଲଟପାଲଟ କରିଦିଏ । ବିବାହିତ ସ୍ତ୍ରୀ ପକ୍ଷରେ ସ୍ଵାମୀକୁ ଭଲପାଇବା ଯେତେ ସ୍ଵାଭବିକ ବୋଲି ନୀତିଶାସ୍ତ୍ରରେ ବର୍ଣ୍ଣିତ ଅଛି, ଟଗରର ବାସ୍ତବ ଜୀବନରେ ତାହା ସେତେ ସହଜଭାବେ ପ୍ରକାଶିତ ହୋଇପାରିନି । ବିବାହ ଏବଂ ଭଲପାଇବାର ମଝିରେ କେବେ କେମିତି ଜାତକ-ଯୋଟକ ପଡ଼େ । ବିବାହ ହିଁ ପ୍ରଲୋଭନ ଦେଖାଇ ଭଲପାଇବାକୁ ତାର ବୁକୁକୁ ଟାଣି ତିଳ ତିଳ ନିର୍ଯାତନା ଦେଇ ନୃଶଂସ ଭାବେ ହତ୍ୟା କରେ ।

 

ଧରଣୀ ଜେଲ୍‌ରୁ ବାହାରି ଆସିବା ଦିନରୁ ଟଗର ହୃଦୟର ସର୍ବସ୍ଵ ଦେଇ ସ୍ଵାମୀଙ୍କୁ ଭଲପାଇବାକୁ ଚେଷ୍ଟା କରୁଛି । ଏତେଦିନକାଳ ବଞ୍ଚିତ କରି ରଖିଥିବା ଭଲପାଇବାକୁ ସମୂଳସୁଧରେ ପରିଶୋଧ କରିବା ପାଇଁ ଟଗରର ହୃଦୟ ଆକୁଳ-ବ୍ୟାକୁଳ ହୋଇଲାଗିଛି । ଅନ୍ତରର ଅନନ୍ତ ଭଲପାଇବା ଦେଇ, ତିଳ ତିଳ ହୋଇ କ୍ଷୟିତ ଜୀବନଟାକୁ ଧରିରଖିବା ପାଇଁ ସେବା-ଶୁଶ୍ରୂଷାରେ ତ୍ରୁଟି ବିଚ୍ୟୁତି ହୋଇନି । କିନ୍ତୁ ଋଣସଂଖ୍ୟା ଯେତେ ବେଶୀ, ତାର ସୁଧ ହିଁ କେବଳ ପରିଶୋଧ କରିପାରିବାର ସମ୍ଭାବନା-ମୂଳ ମୂଳରେ ହିଁ ରହିଯାଏ । ଟଗର ଜୀବନରେ ଆଜି ଠିକ୍‌ ସେଇ ଅବସ୍ଥା ।

 

ଗତ ଜୀବନର ସୁଖ-ଦୁଃଖର କଥାସମୂହ ଛାୟାଲୋକ ଭାବରେ ମନକୁ ଆସିବାରୁ ନିଜର ଅଜ୍ଞାତସାରରେ ଆଖିରୁ ଟୋପାଏ ଅବାଧ୍ୟ ଲୁହ ଗଡ଼ିଯାଇ ଧରଣୀର କପାଳରେ ପଡ଼ିଲା । ହୃଦୟର ଦୁର୍ବାର ଆବେଗକୁ ଗୋପନ କରିବାପାଇଁ ଛଳନା କରି ଅନୁଯୋଗ ସ୍ଵରରେ ଟଗର କହିଲା—‘‘ଯାଅ ମ, ମରଣ ସହିତ ତୁଳନା କରିବାକୁ ଆପଣ ମତେ ହିଁ ପାଇଲେ ?’’

 

ଉଦାହରଣର ଅର୍ଥକୁ ଭୁଲ୍‌ ବୁଝି ଟଗର କାନ୍ଦୁଛି ବୋଲି ଧରଣୀ କହିଲା—‘‘ତୁମେ ମିଛରେ କାହିଁକି କାନ୍ଦୁଚ ? କଥାଟା ବୁଝିବାକୁ ସହଜ ହେବ ଭାବି ତୁମ ଆମର ଉଦାହରଣ ଦେଲି ସିନା !’’

 

ଧରଣୀ ଆଉ କଣ କହିବାକୁ ଚାହୁଁଥିଲା; ଟଗର ହଠାତ୍‌ ତାପ ଅନୁମାନ କରିବାକୁ କପାଳରେ ହାତ ରଖି କହିଲା—‘‘ଆଉ ବେଶୀ କଥା କୁହନା । ପୁଣି ଯଦି ଅସୁସ୍ଥ ହେଇପଡ଼... !’’

 

—‘‘ଜୀବନତମାମ ଦେହ ମନର ଅସୁଖରେ ବନିସୀ-ଲଗା ମାଛ ପରି ଛଟପଟ ହେଲି; ସ୍ଥିରଭାବରେ କୌଣସି କାମ କରିବାକୁ ବା ପଦେକଥା ଭାବିବାକୁ ଅବକାଶ ମିଳିଲା ନାହିଁ । ବିବାହିତ ଜୀବନରେ ଦିନକ ପାଇଁ ବି ସ୍ତ୍ରୀର ସୁଖ-ସନ୍ତୋଷ ଚିନ୍ତା କରିପାରିନି । ନିଜ ଜୀବନ ସହିତ ହୃଦୟହୀନ ଭାବରେ ତୁମ ଜୀବନକୁ ଟାଣି ବ୍ୟର୍ଥତାରେ ଭରପୂର କରିଦେଲି ସିନା !’’ ନିଜପ୍ରତି ଘୃଣା ଏବଂ କ୍ଷୋଭରେ ଧରଣୀର କଣ୍ଠସ୍ଵର ବିକୃତ ହେଲା ।

 

ସ୍ଵାମୀଙ୍କୁ ସାନ୍ତ୍ୱାନା ଦେବା ପାଇଁ ଟଗର ସଙ୍କୁଚିତ ଭାବରେ କହିଲା—‘‘ଆପଣ ସବୁବେଳେ ଅଯଥାରେ ନିଜ କର୍ତ୍ତବ୍ୟର କଥା ଚିନ୍ତା କରି ଦୁଃଖ କରନ୍ତି କାହିଁକି ? ମୋର କର୍ତ୍ତବ୍ୟ କଣ ସେଥିପାଇଁ ତ ଭ୍ରୂକ୍ଷେପ ନାହିଁ ଆପଣଙ୍କର ? ପୁରୁଷର ଜୀବନ ଯଜ୍ଞ ଏବଂ ସ୍ତ୍ରୀର ଜୀବନ ତପ–ତାହାହିଁ ଶାସ୍ତ୍ରବଚନ । ସ୍ତ୍ରୀ ହିଁ ନିଜେ ଗାର୍ହସ୍ଥ୍ୟ କର୍ମରେ ଲାଗି ପୁରୁଷକୁ ଗୃହଜଞ୍ଜାଳ, ବାଧା-ବିଘ୍ନଠାରୁ ଦୂରେଇ ରଖିବ—ଏହା ସଂସାରର ନିୟମ । ଏସବୁ ମିଥ୍ୟା ଚିନ୍ତା, ଭାବନା ଛାଡ଼ି ଆପଣ ଶୀଘ୍ର ଭଲ ହେବାକୁ ଚେଷ୍ଟା କରନ୍ତୁ ତ ।’’

 

ମନର ସମସ୍ତ ଦୁର୍ଭାବନା ଦୂର କରିବାକୁ ଟଗର ସ୍ଵାମୀଙ୍କ ଗାଲରେ ମୁହଁରେ ଶାନ୍ତ-ସ୍ନେହର ହାତକୁ ବୁଲେଇଲା । ଟଗରର ହାତ ଉପରେ ନିଜ ହାତକୁ ରଖି ଧରଣୀ ସକରୁଣ ସ୍ଵରରେ କହିଲା—‘‘ବୁଝିଚ ଟଗର, ଦିନ ଯେତେ ଗଡ଼ିଯାଉଚି ସେତେ ଏଇ ପୃଥିବୀଖଣ୍ଡକୁ ମୁଁ ଭଲପାଇବସୁଚି । ମଝିରେ ମଝିରେ ଭାବେ—ଏଇ ପୃଥିବୀରେ ବହୁତ ସୁଖର, ଆନନ୍ଦର ବସ୍ତୁ ମୋରି ପାଇଁ ସୃଷ୍ଟି ହେଇଥିଲା । ରୁଷିଥିବା ପିଲାର ମୁହଁରୁ ଖାଦ୍ୟ-ଗିନାଟା କାଢ଼ି ନେଲେ, ମା’ ପ୍ରତି ପିଲାର ଯେଉଁ କ୍ଷୋଭ ଉପୁଜେ, ସମସ୍ତ ଦେଇ ବି ମୋତେ ତାର ଉପଭୋଗରୁ ବଞ୍ଚିତ କରିଥିବାରୁ ବିଧାତା ପ୍ରତି ମୋର ଆଜି ସେଇପରି ଅଭିମାନ ଉପୁଜିଛି ।’’

 

ଟିକିଏ ପରେ ହତାଶର ଦୀର୍ଘ ନିଶ୍ଵାସ ଛାଡ଼ି, ଶିଶୁଟିଏ ପରି ନିଃସହାୟ ଚାହାଣିରେ ଟଗରର ମୁହଁକୁ ଚାହିଁ ପୁଣି କହିଲା—‘‘ଯେତେ ମୋତେ ଧରିରଖିବାକୁ ଚେଷ୍ଟା କରନା, ଭୟ ହୁଏ, କେଜାଣି ଅବା ସମସ୍ତ ସ୍ନେହ-ବନ୍ଧନ ଛିନ୍ନ କରି ମତେ ଚାଲିଯିବାକୁ ପଡ଼ିପାରେ ।’’

 

ମୃତ୍ୟୁମୁଖୀ କ୍ଷୟରୋଗୀର ବଞ୍ଚିରହିବାକୁ ଯେଉଁ ପ୍ରବଳ ଇଚ୍ଛା, ଦୁର୍ଦ୍ଦମନୀୟ ଆକାଂକ୍ଷା, ତାହା ଧରଣୀର କଥାରେ ସ୍ପଷ୍ଟ ପ୍ରକାଶ ପାଇଲା । ଜୀବନ-ମରଣ-ଦୋଳିରେ ଝୁଲି ଝୁଲି ଧରଣୀର ମନ ବାର-ମାସିଆ-ଚଢ଼େଇ ପରି ଚଳଚଞ୍ଚଳ ହୋଇଉଠିଲା । ସେଇ ଶୁଖିଲା-ମୁଖର କାତର ଦୃଷ୍ଟିରେ ସରଳରେଖାପରି ସହଜଭାବେ ମୃତ୍ୟୁର ଚିହ୍ନ ପ୍ରସ୍ଫୁଟିତ ହେଲା ।

 

କଥାବାର୍ତ୍ତାର ସୁଯୋଗ ପାଇଲେ ସ୍ଵାମୀଙ୍କ ହୃଦୟ ଶାନ୍ତ ହେବାର ଆଶା ନଦେଖି, ‘‘ଗୋସେଁଇଙ୍କ ଘରେ ଘଣ୍ଟ ବାଜିବାର ସମୟ ହେଲା । ଏଥର ଜଳଖିଆଟା ଆଣେ ?’’ ବୋଲି କହି ଟଗର ଧରଣୀର ହାତଟା ଆସ୍ତେ ଥୋଇ, ଉତ୍ତରକୁ ଅପେକ୍ଷା ନକରି ଅପସରି ଗଲା ।

 

ବାହାଘର ପରେ ପ୍ରଥମଥର ବାପଘରକୁ ଆସିଥିବା ଝିଅ ଶାଶୁଘରକୁ ଫେରିଯିବାର ଦିନ ବାରମ୍ବାର ଘୁଞ୍ଚେଇବା ପରି ଅପରାହ୍‌ଣର ସୂର୍ଯ୍ୟ ବୁଡ଼ିବେ ବୁଡ଼ିବେ ହେଇ ବି ପୃଥିବୀର ମୋହ ଛାଡ଼ି ଯାଇପାରିନାହାନ୍ତି । ଧୂଳି-ମାଟିର ପୃଥିବୀ ଘେନାଘେନି ମୋହରେ ଚନ୍ଦ୍ର-ସୂର୍ଯ୍ୟ, ଗ୍ରହ-ନକ୍ଷତ୍ର, ଜଡ଼-ଜୀବ ସମସ୍ତଙ୍କୁ ବାନ୍ଧି ଧରିଖିଛି—ଏଇ କଥା ଭାବି ପୃଥିବୀ ପ୍ରତି କୃତଜ୍ଞାତାରେ ଧରଣୀର ଦୁଇ ଆଖିରୁ ଆନନ୍ଦାଶ୍ରୁ ଝରିପଡ଼ିଲା ।

 

ସତର

 

ଜେଲ୍‌ରୁ ଆସିବା ଦିନରୁ ଧରଣୀ ପୂର୍ବେ ମା’ଶୋଉଥିବା କୋଠରିରେ ଏକା ଶୋଉଛି; ଇଚ୍ଛା କରି ଟଗରକୁ ପାଖରେ ଶୋଇବାକୁ ଦେଇନି । ଟଗର ଅବଶ୍ୟ ସର୍ବଦା ରାତିରେ ଉଠିଯାଇ ସ୍ଵାମୀଙ୍କର ଲୁଗାପଟା ସଜାଡ଼ି ଦେଇଆସେ; ଗରମରେ ଛାଟିପିଟି ହେଲେ ବିଞ୍ଚଣାରେ ବିଞ୍ଚି ଦେଇଆସେ । ଝାଳତିନ୍ତା ଜମାଟାକୁ ଖୋଲି ଝାଳ ପୋଛିଦିଏ; ପିଇବାକୁ ଚାହିଁଲେ ପାଣି ଟୋପାଏ ଦିଏ । ଅନ୍ୟ କୋଠରିରେ ଶୁଏ ଯଦିଓ, ସ୍ଵାମୀ କାଶିଲେ ଛିଙ୍କିଲେ ଚେଇଁଉଠି ପାଖକୁ ଆସେ ।

 

ଧରଣୀକୁ ଚୁଡ଼ାଖିରୀ ଖୁଆଇ ଟଗର ଶୋଇବାଘରକୁ ଗଲା । ଯୌତୁକ ହିସାବରେ ଆଣିଥିବା ଆସବାବପତ୍ରରୁ କେବଲ ପଲଙ୍କଟି ଅଛି । ଗାଁରେ ବାହା-ବ୍ରତରେ ଖୋଜି-ଲୋଡ଼ି ନେଇ ନେଇ ଚଉକି ଟେବୁଲ ଶେଷ ହେଇଛି । ଯାହା ବା ଦୁଇ ଚାରିଖଣ୍ଡ ଥିଲା, ଦୁର୍ଗାପୂଜା ଉପଲକ୍ଷ୍ୟେ ଅନୁଷ୍ଠିତ ଗାଁର ଥିଏଟର ଘରକୁ ନେଇ ଗତବର୍ଷ ସେଗୁଡ଼ିକର ଗୋଡ଼ହାତ ଭାଙ୍ଗିରୁଜି ଯାଇଛି । ଧରଣୀ ଶୋଉଥିବା ପଲଙ୍କ ପାଖକୁ ଯାଇ ଟଗର କ୍ଷଣେ ଭାବିଲା ।

 

ପଲଙ୍କରେ ଖୋଦିତ ଲତା-ଫୁଲର ଅଦ୍ଭୁତ ଲିପିର ମାଧ୍ୟମରେ ଗତଜୀବନର ଅନେକ ନିଦ୍ରାହୀନ ରଜନୀର ସ୍ଵପ୍ନମୟ ସ୍ନେହର କାହାଣୀ ଲିପିବଦ୍ଧ ହୋଇରହିଛି । ତନ୍ମୟ ହୋଇ ଏକଲୟରେ ତା ଆଡ଼କୁ ଚାହିଁ, ମଳଛିଆ ହୋଇଯାଇଥିବା ସେଇ ପୁରୁଣା ଲିପିକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କଲା ଟଗର ।

 

ଦୀର୍ଘଶ୍ଵାସ ଛାଡ଼ି, ବିଛଣାଖଣ୍ଡିକ ଉଠାଇ ତା ସ୍ଥାନରେ ଦୁଇଜଣିଆ ମୁଗାର ଫୁଲ-ପକା-ଚାଦର ଖଣ୍ଡିକ ବିଛେଇଲା । ନିଜର ଶୋଇବା କୋଠରିରୁ ତକିଆ ଆଣି ଥୋଇଲା । ସନ୍ଧ୍ୟା ହେବା ପରେ ଆସ୍ତେ ଆସ୍ତେ ଧରଣୀକୁ ଧରି ବିଛଣାରେ ଶୁଆଇଦେଲା ।

 

ସେଇ ରାତି, ଅନ୍ୟ ରାତି ଅପେକ୍ଷା ଅପେକ୍ଷାକୃତ ଚଞ୍ଚଳ ଟଗରର ରନ୍ଧାବଢ଼ା ଶେଷ ହେଲା । ସ୍ଵାମୀଙ୍କୁ ଖୁଏଇ ପିଏଇ, ନିଜେ ଖାଇପିଇ ଖନ୍ଦାଶାଳ ଲିପିପୋଛି ଟଗର ଯେତେବେଳେ ଶୋଇବାକୁ ଆସିଲା, କମଳୀର ଗାଢ଼ନିଦ ହେଇଯାଇଛି । ଅନ୍ୟ ଦିନ ରନ୍ଧାଘରୁ ବାହାରି ସେଇ ଲୁଗାପଟା ପିନ୍ଧି ବିଛଣାରେ ପଡ଼େ । ଆଜି କିନ୍ତୁ ସିଧା ସିଧା ଆସି, ପାଣି ଫାଣି ଲାଗି ତିନ୍ତା-କାଞ୍ଚୁଲି ମେଖେଳାକୁ ଚଟ୍‌କିନା ପାଲଟିପକେଇ ପାଟର ସାଜେ ପିନ୍ଧିଲା । ନିଜର ଏଇ ଆଚରଣରେ ଟଗରକୁ କେମିତି କେମିତି ଲାଗିଲା; ଅନ୍ଧାରରେ ଏକାଟିଆ ଅବସ୍ଥାରେ ବି ଲାଜରେ ଟଗରର ଦୁଇଗାଲ ନାଲି ହୋଇଗଲା । ବିଞ୍ଚଣା ଖଣ୍ଡକରେ କମଳୀକୁ ଟିକିଏ ବିଞ୍ଚିଦେଇ, ଅନାସ୍ଵାଦିତ ଆନନ୍ଦର ଆଶାରେ ସ୍ଵାମୀଙ୍କ କୋଠରିରେ ଢୁକିଲା । ଧରଣୀକୁ ଚେତା ଥିବା ଅବସ୍ଥାରେ ପାଇବ ବୋଲି ଟଗର ଯେତେ ତରବରରେ ପାରେ ଖନ୍ଦାଶାଳ କାମ ଶେଷ କରି ଶୋଇବାକୁ ଆସିଥିଲା । କିନ୍ତୁ ଦିନର ଅବସାଦ ଏବଂ କ୍ଳାନ୍ତିରେ, ଖାଇସାରି ବିଛଣାରେ ପଡ଼ୁ ପଡ଼ୁ ଧରଣୀ ଶୋଇଯାଇଛି । ଧରଣୀ ଶୋଇଛି ଯଦିଓ, ଉଠନ୍ତୁ ବୋଲି ଦୁଆରର କିଳିଣି ଦେଲାବେଳେ ଜୋର୍‌ରେ ଶବ୍ଦ କଲା । ବଞ୍ଚିବାକୁ ଧରିଥିବା ବିଞ୍ଚଣାଖଣ୍ଡିକ, ଇଚ୍ଛାକରି, ଧରଣୀ ଦେହରେ ବଜେଇ, ପୁଣି ବିଛଣାରେ ଥରେ ଦୁଇଥର ବଜେଇ ଶବ୍ଦ କଲା । ପାଦଆଡ଼ର ଖସିଲା ଚାଦରଖଣ୍ଡିକ ଉଠେଇ ଦବାକୁ ଯାଇ ଜୋର୍‌ରେ ପାଦକୁ ଧଇଲା । ସେଥିରେ ବି ଉଠିବାର କୌଣସି ଲକ୍ଷଣ ନଦେଖି ଟେବୁଲ ଉପରେ ଥିବା ଅନୁପାନ ଚିହ୍ନିତ ବୋତଲଟାକୁ ଚାହିଁ, ଔଷଧ ଖାଇଥିବା କଥା ଜାଣିପାରି ବି ‘‘ଔଷଧ ଖାଇଲ ନା ?’’ ବୋଲି ପାଟିକରି ପଚାରିଲା ।

 

ସ୍ଵାମୀଙ୍କ ପ୍ରତି ଏକ ଉତ୍ସୃଙ୍ଖଳ ମାଦକତା ହିଁ ସନ୍ଧ୍ୟାବେଳୁ ଟଗରକୁ ପାଗଳୀ କରି ଦେଇଛି । ଏତେଦିନ ଧରି ଅନାଦାୟ ହୋଇଥିବା ବୁକୁଭରା ସ୍ନେହ, ଭଲପାଇବା ଇତ୍ୟାଦିକୁ କେମିତି ଆଦାୟ କରିବ ସନ୍ଧ୍ୟାବେଳୁ ସେଇ ଚିନ୍ତାରେ ଟଗର ବିଭୋଳ ହୋଇଥିଲା । ଧରଣୀ ଅନ୍ତରର ଅପରିସୀମ ଭଲପାଇବା କଥା ସାରା ରାତି ଉଜାଗର ରହି ଶୁଣିବାକୁ ଟଗର ଉପଯାଚିକା ହୋଇ ସ୍ଵାମୀ ନିକଟରେ ଶୋଇବାକୁ ଆସିଲା । କିନ୍ତୁ ଧରଣୀର ନିର୍ଦ୍ଦୟ-ନିଦ୍ରା ଟଗରର ହୃଦୟାବେଗକୁ ନିର୍ମମ ଭାବରେ ଉପହାସ କଲା । କାଠଗଡ଼ ପରି ନିଶ୍ଚଳଭାବେ ପଡ଼ିଥିବା ହୃଦୟହୀନ-ନିଷ୍ଠୁର ମଣିଷଟା ପ୍ରତି ବିଦ୍ଵେଷ, ବିତୃଷ୍ଣାରେ ମନ ବିଷମୟ ହେଲା । ଲାଜ-ଅପମାନରେ ହତାଶଭାରେ ସ୍ଵାମୀଙ୍କ ପାଦତଳେ କଇଁଛ ଭଳି ଗୋଡ଼ହାତ ଜାକିଜୁକି ଶୋଇଗଲା ଟଗର । ଧରିରଖିବାକୁ ଶତଚେଷ୍ଟା କରିବା ସତ୍ତ୍ୱେ ରୁଦ୍ଧ, ଉଷୁମ ଆଖି ଲୁହରେ ବିଛଣା ତିନ୍ତିଲା ।

 

ନିଦ ଲାଗି-ଆସୁ-ଆସୁ ପରିଚିତି, ଅପରିଚିତ ଅସଂଖ୍ୟ ଅର୍ଥହୀନ, ଅସଂଲଗ୍ନ ଦୃଶ୍ୟ ହିଁ ଟଗର ମନରେ ଦେଖାଦେଲା । ଜନ-ପ୍ରାଣୀ-ହୀନ ଏକ ବଣର ମଝିରେ ଛୋଟିଆ ଚଲାପଥଟିଏ । ସେଇ ପଥର ଏକାକିନୀ ପଥିକ ଟଗର ! ବିକଟାଳ ଦୈତ୍ୟରୂପୀ ଡେଙ୍ଗା ଡେଙ୍ଗା ବୃକ୍ଷରାଜି ଚତୁର୍ଦ୍ଦିଗକୁ ଆବୋରି ଧରିଛନ୍ତି; ଏ ବୃକ୍ଷର ଡାଳ ସେ ବୃକ୍ଷର ଡାଳକୁ ଜାବୁଡ଼ି ଧରି ଅନ୍ଧକାରର ଚନ୍ଦ୍ରାତପ ସୃଷ୍ଟି କରିଛନ୍ତି । ସନ୍ଧି ପରିବର୍ତ୍ତେ ବଂଶକୁଞ୍ଜର ବଂଶସମୂହ ଠେସାଠେସି ହୋଇ ବୁଲୁ-କମ୍ପା କେଁ-କଟର ଶବ୍ଦ କରି ବଣର ନିସ୍ତବ୍‌ଧତାକୁ ଭୟାବହ କରି ତୋଳିଛନ୍ତି । ଶୁଷ୍କ-ବଂଶ-ପତ୍ରରେ ପଦପାତନ ମାତ୍ରେ ଦେହ ଶୀତେଇ ଉଠିଲା ଭଳି ଖଡ଼ଖଡ଼ ଶବ୍ଦ—, ଭୟବିହ୍ଵଳତା ଟଗର ଫେରିଚାହିଁଲା—କି ଏକ ଶବ୍ଦ—ପତ୍ର ଭିତରୁ କ’ଣଟାଏ ଚିକ୍ ଚିକ୍ ହେଇ ଜଳୁଛି—ସାପ ! ଫଣାତୋଳି ସାପଟାଏ ଖେଦି-ଆସୁଚି କାମୁଡ଼ିବ ବୋଲି । ଭୟକାତରା ଟଗର ‘ଓ ମା ଗୋ’ ବୋଲି ଚିତ୍କାର କରିବାକୁ ଚେଷ୍ଟା କରି ମଧ୍ୟ ପାଟି ଖୋଲିପାରିନି । ପାଟି ତଣ୍ଟି ଶୁଖିଗଲାଣି—ପଡ଼ି ଉଠି ଯେତେ ବେଗରେ ପାରେ ଦୌଡ଼ିବାକୁ ଲାଗିଲା—ମେଖେଳାରେ ଲଟା-ଝଟା କଣ୍ଟା ଲାଗି ହାମୁଡି ପଡ଼ିଲା—ଉପାୟ ନପାଇ ମେଖେଳା ଖୋଲି ଉଲଗ୍ନ ହୋଇ ଦୌଡ଼ିଲା । ଦୌଡ଼ି ଦୌଡ଼ି କୁଆଡ଼ିକି ଗଲା ଜାଣେନା...ଅନେକ ପରେ ଶୁଖିଲା ଗଛଟିରେ ଖୁଣ୍ଟାମୂଳରେ ଶୋଇପଡ଼ିଲା । ଜଣେ ଯୁବକ ପାଖରେ ବସି ନିର୍ନିମେଷ ନୟନରେ ତା’ ମୁହଁକୁ ଅନେଇ ରହିଛି । ଯୁବକର ମୁହଁଟି ଚିହ୍ନା ଚିହ୍ନା ମନେ ହଉଚି ଟଗରକୁ—କିନ୍ତୁ ଚିହ୍ନି ପାରୁନି । କିଏ ? କମଳାକାନ୍ତ ??

 

ହଠାତ୍‌ ଧରଣୀର ପାଦ ଛାତିରେ ବାଜିବାରୁ ଥଣ୍ଟାରୁ ଖସିଯାଇଥିବା ମେଖେଳାକୁ ଆୟତ୍ତ କରି ସେଇ ନିଦ୍ରିତାବସ୍ଥାରେ ଉଚ୍ଚାରଣ କଲା—

 

‘‘ଶ୍ରୀଧରଂ ଫ୍ରିୟସଙ୍ଗମେ

କଙ୍କଟେ ମଧୁସୂଦନଂ,

ଦୁଃସ୍ଵପ୍ନେ ସ୍ମର ଗୋବିନ୍ଦଂ

ସର୍ବକାର୍ଯ୍ୟେଷୁ ମାଧବୋ ମାଧବଃ ।’’

 

ପାଦ ଆଡ଼େଇ ଦେବାରୁ ଧରଣୀର ମୁହଁରୁ ଅସ୍ଫୁଟଭାବେ ବାହାରିପଡ଼ିଲା–‘‘ଓ-ହୁଁ-ହୁଁ ।’’ ନିଦ୍ରାବସ୍ଥାରେ ହିଁ ସଭକ୍ତିରେ ଧରଣୀର ପାଦରେ ହାତ ବୁଲେଇଲା ଟଗର ।

 

ଅଠର

 

ଭାଦ୍ରମାସରେ ଗାଁର ସର୍ବସାଧାରଣ ନାମ-ଘରେ ତିନିପ୍ରହର ନାମ-ସଂକୀର୍ତ୍ତନର କୋଳାହଳ ଲାଗିଥାଏ । ସକାଳେ, ଦିପହରେ ଗୋପୀକାମାନଙ୍କର ଜାତି ଜାତି ନାମ, ସଞ୍ଜରେ ମୁନୀମାନଙ୍କର ନାମ ଅନ୍ତେ ଶାସ୍ତ୍ରବ୍ୟାଖ୍ୟା କରାଯାଏ । ସେଇ କେଇଦିନ ରାତିଦିନ ଯାତ୍ରା । ଆଗେ ମହାପୁରୁଷଙ୍କ ତିଥି ଉପଲକ୍ଷ୍ୟେ ତିନିଦିନ, ଦିନରାତି ଧରି ଲଗାଏତ ବାର-ଆଖଡ଼ା ଅଭିନୟ କରାଯାଉଥିଲା । ଆଜିକାଲି ଗାଁର ସାଇ ସାଇ ଭିତରେ ଅଥବା ଗାଁ ଗାଁ ଭିତରେ ସେମିତି ମେଳ ନାହିଁ, ଉତ୍ସାହ ନାହିଁ-ପରସ୍ପର ପ୍ରୀତି ବି ନାହିଁ । ଏଣୁ ବାର-ଆଖଡ଼ା-ଅଭିନୟ କ୍ଵଚିତ୍‌ ହୁଏ ।

 

ଦିନକୁ ଦିନ ବାଦ-ବିସମ୍ବାଦ ବଢ଼ିଯାଇ ଗୋଟିଏ ଗାଁରେ ଅନେକ ନାମ-ଘର ସୃଷ୍ଟି ହେଲାଣି । ଧରଣୀ ଘର ଗାଁରେ କୋଂଚ-କଳିତା’ଙ୍କ ଆଖଡ଼ାଖଣ୍ଡିକ ଅତି ପୁରାତନ । ବହୁ ପୂର୍ବରୁ କଳିତାମାନେ କୋଁଚମାନଙ୍କୁ କଥାକେ କଥାକେ ହେୟଜ୍ଞାନ କରି ସେମାନଙ୍କୁ ସମାଜର ନିମ୍ନସ୍ତରରେ ରଖିବାକୁ ଭାବି ଆସିଛନ୍ତି । ସଂଖ୍ୟାରେ କିନ୍ତୁ କୋଁଚମାନେ ବେଶୀ । ସେମାନେ ଅନେକଦିନ ହେଲା ଏହାର ପ୍ରତିବାଦ କରି ଆସିଛନ୍ତି । କିନ୍ତୁ କଳିତା-ସମାଜର ମାତବରଗଣ ତିଳପ୍ରମାଣେ ସେମାନଙ୍କୁ ଛାଡ଼ିବାକୁ ନାରାଜ । ଜନସଂଖ୍ୟା ବୃଦ୍ଧି ସଙ୍ଗେ ସଙ୍ଗେ ଆର୍ଥିକ ଉନ୍ନତି ହେବାରୁ କୋଁଚଗଣ କାଳକ୍ରମେ ଅଲଗା ହୋଇଯାଇ ସେମାନଙ୍କର ସ୍ଵତନ୍ତ୍ର ଆଖଡ଼ାଘର ଏବଂ ନାମଘର ପ୍ରତିଷ୍ଠା କରିଛନ୍ତି । ଜିଦି-ବାଦୀରେ କୋଁଚମାନଙ୍କର ଦୁର୍ଜୟ ନାମଘର ଉପରେ ଶୀଘ୍ର ଧଳା-ଟିଣ ଛାଆଣି ହୋଇଯାଇଛି । ଏପାଖରେ କିନ୍ତୁ କଳିତାମାନଙ୍କର ମାନ୍ଧାତା ଅମଳର ନାମଘରର ଚାଳ-ଛାଆଣି ପଚି, ଫାଟି ବର୍ଷାପାଣିରେ ଘରେ ପୋଖରୀ ସୃଷ୍ଟି ହେଉଛି ।

 

ପହରିଦିନ ମହାପୁରୁଷଙ୍କ ତିଥି ପଡ଼ୁଛି । ସେଇ ଉପଲକ୍ଷ୍ୟେ ମୁଗ ପ୍ରସାଦ ଉପକରଣ ଯୋଗାଡ଼, ଧୁଆଧୋଇ ବିଷୟରେ ଆଲୋଚନା ପୂର୍ବକ ‘ନାମ’ ଶେଷ କରି ଫେରୁ ଫେରୁ ଗୋପିନୀଗଣଙ୍କ ବିଳମ୍ବ ହେଲା । ଭାଗର ମୁଗ-ଚାଉଳ ପତ୍ର ଦି’ଖଣ୍ଡ ଗାମୁଛାରେ ବାନ୍ଧି, ଗଣ୍ଠୁଲିଟା କମଳୀ ହାତରେ ଧରେଇ ଟଗର ତରବର ହେଇ ଘରକୁ ଫେରିଲା । ଅଗାଣରେ ଆରାମଚଉକି ପକେଇ ବସି, ନାମଘରର ପ୍ରସାଦ ସକାଶେ ବାଟ ଚାହିଁଥିଲା ଧରଣୀ । କମଳୀହାତରେ ଗଣ୍ଠୁଲିଟାପ୍ରତି ଲକ୍ଷ୍ୟ କରି, ହସ ହସ ମୁଖରେ ଧରଣୀ ପଚାରିଲା—‘‘ଆଜି ନାମଘରେ ଏତେ ବିଳମ୍ବ ହେଲା ନା କାହା ଘରଆଡ଼େ ଯାଇଥିଲ ?’’

 

—‘‘ପହରିଦିନ ପରା ମହାପୁରୁଷଙ୍କ ତିଥି ! ସେଇ ବିଷୟରେ ଯତ୍ନ-ପରାମର୍ଶ କରିବାରେ ଡେରି ହେଲା ।’’ କଥା କହିବା ସଙ୍ଗେ ସଙ୍ଗେ ଝିଅ ହାତରୁ ଗଣ୍ଠୁଲିଟି ନେଇ, ଗଣ୍ଠି ଫିଟେଇ ପ୍ରସାଦ ପତ୍ରଟିଏ ଧରଣୀହାତକୁ ବଢ଼ାଇଦେଲା ଟଗର । ଧରଣୀ ପତ୍ରରୁ କଦଳୀଟି କାଢି କମଳୀ ହାତକୁ ଦେବାକୁ ବାହାରିବାରୁ ଟଗର ବାରଣ କରି କହିଲା–‘‘ତୁମେ ଖାଉନା, ତା’ ଭାଗ ସେ ଖାଇ ଆସିଚି । ମୁଗ-ଭୋଗ, କଦଳୀ-ଭୋଗ ସବୁ ତମର ।’’

 

ବାପା ହାତରୁ କଦଳୀଟି ନବ ବୋଲି କମଳୀ ଭୟ ତଥା ସତର୍କତା ସହିତ ଆଗେଇ ଆସୁଥିଲା । ମା’ ଆଡ଼କୁ ଚାହିଁବାରୁ ମା’ର ତୀବ୍ରଦୃଷ୍ଟିରେ ତାର ଦୃଷ୍ଟି ପଡ଼ିଲା । ଯୋଉଠି ଥିଲା ସେଇଠି ଥମକି ରହିଲା କମଳୀ । ମା’ର ଚାହାଣି ସତେକି କମଳୀ ପ୍ରତି ବଶୀକରଣ-ମନ୍ତ୍ର । ସ୍ତ୍ରୀର ନିର୍ଦ୍ଦେଶକୁ ଉପେକ୍ଷାକରି ଝିଅକୁ କଦଳୀଟି ଦେବାକୁ ଧରଣୀର ମଧ୍ୟ ସାହସ ହେଲା ନାହିଁ । ହାତର କଦଳୀ ପୁଣି ପତ୍ରକୁ ଗଲା । ମୁଣ୍ଡରେ ଟିକିଏ ପ୍ରସାଦ ଛୁଆଁଇ ଧରଣୀ ଗୋଟାଏ ଦି’ଟା କରି ମୁଗ ଚୋବେଇବାକୁ ଲାଗିଲା । ଅନ୍ୟଭାଗ ପତ୍ରଟି ଗାମୁଛାରେ ବାନ୍ଧି ଟଗର ରନ୍ଧାଘରକୁ ଗଲା । ଟଗର ଚାଲିଯିବା ସଙ୍ଗେ ସଙ୍ଗେ ଝିଅକୁ ପାଖକୁ ଡାକି, କଦଳୀରୁ ଖଣ୍ଡେ ଛିଣ୍ଡେଇ ତା’ ପାଟିରେ ଗୁଞ୍ଜି ଦେଲା । କିନ୍ତୁ ଅଭିମାନରେ କଦଳୀ-ଖଣ୍ଡିକୁ ପାଟିରୁ କାଢ଼ିପକାଇଲା କମଳୀ ।

 

—‘‘ଟାଉକିନା ଗିଳିପକା କହୁଛି, ନହେଲେ ମା’ ଦେଖିଲେ.....’’ ଧୀରେ କହିଲା ଧରଣୀ-

 

ଲୋଭ ସମ୍ବରଣ କରି ନପାରି, ଖାଇବ ନାହିଁ ବୋଲି ଭାବି ମଧ୍ୟ କମଳୀ କଦଳୀ-ଖଣ୍ଡକ ପୁଣି ପାଟିରେ ଭରି ଟାଉକିନା ଗିଳିଦେଲା । ପ୍ରସାଦ ସେବନ ଶେଷକରି, ଆଜି ନାମଘରେ କି କି ଘୋଷା ବୋଲାହେଲା ସେଇ କଥା ଝିଅକୁ ପଚାରିଲା ଧରଣୀ ।

 

ଚଉକି କାଠକୁ ନଖରେ ରାମ୍ପି କମଳୀ କହିଲା—‘‘ମୋର ସବୁ ମନେନାହିଁ ।’’

 

ଝିଅର କାନ୍ଧରେ ହାତପକେଇ ସ୍ନେହରେ ଧରଣୀ କହିଲା—‘‘ଯାହା ମନେପଡ଼ୁଚି ତାକୁଇ ଗାଆ ।’’

 

ଟିକିଏ ପରେ କମଳୀ କହିଲା—‘‘ଆହି ଜଗନ୍ନାଥ......’ ଟା ମନରେ ନାହିଁ ।’’

 

—‘‘କୋଉଟା ଅଛି ?’’ ଝିଅ ମୁଣ୍ଡରେ ହାତ ବୁଲେଇ ପଚାରିଲା ଧରଣୀ ।

 

—‘‘ରାମ୍‌ ପାର୍‌ କରା....’’ ଟା

 

—‘‘ସେକୁଇ ଗାଆ ।’’

 

କମଳୀ ଦୁଇତିନି ଥର ସୁର ଧରି ଘୋଷାଟି ଗାଇଲା—

 

‘‘ରାମ୍‌ ପା୍‌ର କରା, ରଘୁନାଥ—

ସଂସାର ସାଗର୍‌ ଏ ।”

 

ପୁଣି ଆଗ୍ରହରେ ବାପାକୁ ପଚାରିଲା—‘‘ଅଧମ୍‌ ବାନ୍‌ଧଅ....’ଟା ଗାଇବି ନା ?’’

 

—‘‘ଗାଆ ।’’

 

—‘‘ଅଧମ୍‌ ବାନ୍‌ଧଅ ଉଠାରା ବାପ

କତ୍‌ନୋ ସହିବୁ ସଂସାର ତାପ୍‌

ମାଧଅ ବାନଧଅ ଉଧାରାବାପ୍‌ ।

କତ୍‌ନୋ ସହିବୁ ସଂସାର ତାପ୍‌ ।’’

 

ସକାଳ ସନ୍ଧ୍ୟାରେ ନିତି ଶୁଣୁଥିବା ଘୋଷାପଦରେ କି ନୂତନତ୍ଵର ସନ୍ଧାନ ପାଇଲା ଧରଣୀ କେଜାଣି, ଚିନ୍ତାଗ୍ରସ୍ତ ହୋଇ ତନ୍ମୟଭାବେ ଆକାଶକୁ ଅନେଇ ରହିଲା । ପଶ୍ଚିମର ତାରାଟିଏ ଆଖିମିଟିକା ମାରି ସତେ ବା ଧରଣୀକୁ ସଂଧ୍ୟାର ଗଳ୍ପ ଶୁଣାଇବାକୁ ଡାକୁଛି । ଏକଲୟରେ ବାପା ଯେ ଆକାଶରେ କଣ ଲକ୍ଷ୍ୟ କରୁଛନ୍ତି ସେୟା ଦେଖିବାକୁ କମଳୀ ମଧ୍ୟ ଉପରକୁ ମୁଣ୍ଡ ଟେକି ହାତତାଳି ମାରି ଚିତ୍କାର କଲା ।

 

—‘‘ହେଇଟା, ହେଇଟା ।’’

 

ଧରଣୀ ଚମକି ପଡ଼ି ପଚାରିଲା—‘‘କୋଉଟା ?’’

 

କମଳୀ ଡାହାଣହାତକୁ ଉପରକୁ ଟେକି ଉତ୍ତର ଦିଗକୁ ଦେଖାଇଦେଲା ।

 

—‘‘ଗୋଟିଏ ତାରା ଦେଖି ପାଦ ବଢ଼େଇବା ଭଲ ନୁହଁ । ଆଉ ଗୋଟିଏ ଦେଖୁଁ ।’’ ଆକାଶର ଏ ପାଖରୁ ସେ ପାଖକୁ, ଚାହିଁ ଦୂରରେ ଆଉ ଗୋଟିଏ ତାରା ଦେଖି ସୁରଧରି ଗାଇଲା କମଳୀ—‘‘ଜୋନ୍‌ବାୟେ ! ଏଟି ତାରା ଦିୟା—

 

ଏଟି ତାରା ନେଲାଗେ ଦୁଟି ତାରା ଦିୟା.....’’

 

ହଠାତ୍‌ ରହିଯାଇ, ପଛର ପଦ କେଇଟା ମନେ ପକାଇବାକୁ ଚେଷ୍ଟା କରି, ନପାରି ବାପାକୁ ପଚାରିଲା— ‘‘ତାପରେ କଣ ବାପା ?’’

 

—‘‘ମୁଁ ଗାଉଚି, ତୁ ମୋ ସାଥୀରେ ଗାଅ ।’’ ଶିଶୁ ଭଳି ସରଳ ବିଶ୍ଵାସରେ ଧରଣୀ ଗାଇଲା—‘‘ଜନ୍‌ବାୟେ ବେଜି ଏଟା ଦିୟା ।

 

ବେଜି ନୋ କେଲୈ ?

ମୋନା ସିବଲୈ ।

ମୋନା ନୋ କେଲୈ ?

ଧନ୍‌ ଭରାବ ଲୈ ।

ଧନ୍‌ ନୋ କେଲୈ ?

ହାତୀ କିନିବ ଲୈ ।

 

—‘‘ଉଁ ହୁଁ, ଆମର ହାତୀ ଦରକାର ନାହିଁ—ଆମେ ଘୋଡ଼ା କିଣିବା ଯେ ବାପା ?’’

 

ଝିଅର କଥାକୁ କାନ ନଦେଇ ଧରଣୀ ଅନ୍ୟମନସ୍କ ଭାବରେ ଗାଇଚାଲିଲା—

 

‘‘ହାତୀନୋ କେଲୈ ?

 

ଉଠି ଫରିବ ଲୈ ।’’

 

—‘‘ତୁମେ ଆଉ ଗାଅନା ବାପା, ମୁଁ ଗାଇବି ।’’ କହି, ବାପାର ପାଟିରେ ହାତଦେଇ, ଓଠଦି’ଟା ବନ୍ଦ କରି ଧରି, କମଳୀ ଆଗ୍ରହରେ ସୁରଧରି ଗାଇବାକୁ ଲାଗିଲା—

 

‘‘ହାଲଧୀୟା ଚରାୟେ ବାଓଧାନ୍‌ ଖାଇ,

ସାଇଦର୍‌ ପୁତେକେ ନାଓ ମେଲି ଯାଇ,

ନାୱେ ବୋଲେ ତୁଲ ବୁଲ୍‌

ବଠାଇ ବୋଲେ ବା,

ଗଧୂଳିତେ ଡବା କୋବା ।’’

 

ଗାଇସାରି, ତାଳିମାରି, ଉହୁଙ୍କି ଉହୁଙ୍କି ଉପରକୁ ଚାହିଁ ଚିତ୍କାର କଲା—‘‘ହେଇଟା, ହେଇଟା, କେତେ ତାରା ବାହାରିଲେଣି—ଏକ୍‌, ଦୁଇ, ତିନ୍‌......ଓ ମା’ଗୋ.......ସେଟା କେମିତି ଜଳୁଚି ଦେଖ ତ ବାପା !’

 

—‘‘ସେଇଟା ଧ୍ରୁବତାରା ।’’

 

—‘‘ଧ୍ରୁବତାରା କ’ଣ ବାପା ?’’

 

ଧରଣୀ ଧୀରେ ଧୀରେ ଝିଅକୁ ଧ୍ରୁବତାରା ବର୍ଷାର ଆଖ୍ୟାନ ଶୁଣାଇଲା—

 

....ଉତ୍ତାନ ପାଦ ରାଜାଙ୍କ ଦୁଇରାଣୀ; ସୁରୁଚି, ସୁନୀତି । ସୁରୁଚିଙ୍କ ପୁଅ ଉତ୍ତମ, ସୁନୀତିଙ୍କ ପୁଅ ଧ୍ରୁବ । ଧ୍ରୁବକୁ ସିଂହାସନରେ ବସିବାକୁ ଦେଲେ ନାହିଁ । ...ଧ୍ରୁବ ତପସ୍ୟା କରିବାକୁ ବଣକୁ ଗଲା...ଈଶ୍ଵର ଦେଖାଦେଲେ...ଧ୍ରୁବ-ମା’ ର ଦୁଃଖ ଘୁଞ୍ଚିଲା ।

 

—‘‘ତପସ୍ୟା କେମିତି କରନ୍ତି ବାପା ?’’

 

—‘‘ଲୋକବାକ ନଥାଇ ନିର୍ଜନ ସ୍ଥାନରେ ଓପାସ-ଭୋକରେ ରହି ଈଶ୍ଵରଙ୍କୁ ପ୍ରାର୍ଥନା କରିବ ତପସ୍ୟା ।’’

 

—‘‘ତପସ୍ୟା କଲେ ଈଶ୍ଵର ସମସ୍ତଙ୍କୁ ଦେଖାଦେବେ ?’’

 

—‘‘ନଦେବେ କାହିଁକି ?’’

 

—‘‘ମୁଁ ଯଦି ଡାକିବି ମତେ ଦେଖାଦେବେ ?’’

 

—‘‘ଏକମନରେ, ଏକଧ୍ୟାନରେ ପ୍ରାର୍ଥନା କଲେ ଦେଖାଦେବେ ନିଶ୍ଚୟ । ଛୋଟ ଛୋଟ ପୁଅଝିଅଙ୍କୁ ସେ ଖୁବ୍‌ ବେଶୀ ସ୍ନେହ କରନ୍ତି ।’’

 

ବାପାର କଥା ଶୁଣି କମଳୀର ହସ ହସ ମୁଖ କ୍ଷଣିକ ପାଇଁ ଗମ୍ଭୀର ହୋଇପଡ଼ିଲା । ଏକ ଲୟରେ ଧ୍ରୁବ-ମଣ୍ଡଳକୁ ଚାହିଁ ମନେ ମନେ ଅଦୃଷ୍ଟ ଭଗବାନ୍‌ଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା ଜଣାଇଲା ।

 

ଉଣେଇଶ

 

—‘‘କମଳି ! କମଳି ! ଆସେ ମା, ଗରମ ଗରମ ମୁଠେ ଖାଇପକା ।’’ ସ୍ଵାମୀଙ୍କ କଂସା ପାଖରେ ଝିଅ ପାଇଁ ଭାତ ବାଢ଼ି ଟଗର ଡାକ ଛାଡ଼ିଲା ।

 

ପେଟ କାମୁଡ଼ୁଛି ବୋଲି କହି ସକାଳୁ କିଛି ଖାଇନାହିଁ କମଳୀ । ଦିହିପହରିଆ ଭାତ ଖାଇବ ନାହିଁ ବୋଲି ଆଗତୁରା ମା’କୁ କହିରଖିଛି ।

 

—‘‘ଉଁ ହୁଁ, ମୁଁ ଖାଇବିନି ।’’

 

—‘‘ଆଲୋ, ବାପାଙ୍କ ପାଖରେ ବସି ଗୁଣ୍ଡେ ଖାଇଦେ ଭଲା ।’’

 

କମଳୀର ଆସିବାର କୌଣସି ସୂଚନା ନପାଇ ଟଗର ପୁଣି ଡାକିଲା—‘‘ଆଲୋ ମାଟି-ମାଛର-ଖାର ରାନ୍ଧିଛି—ଭାତ ନଖାଇବୁ ଯଦି ମାଛଟିକେ, ମୁଗ ଦିଟା ଖାଇଦେଇ ଯାଅ ।’’

 

ଟାଉ ଟାଉ କିନା ଖାଇହବା ଭଳି ମାଟି-ମାଛର ଖାର-ତରକାରି, ମସ୍‌ ମସ୍‌ ଚୋବେଇ ହବା ଭଳି ମୁଗ—ଦୁଇଟିଯାକ ବସ୍ତୁ । କମଳୀର ବଡ଼ ପ୍ରିୟ । ଟଗର ଜାଣେ—ଖାଇବାକୁ ଯେତେ ଅନିଚ୍ଛା ପ୍ରକାଶ କରୁନା କାହିଁକି, ଏଇ ଦୁଇ ବସ୍ତୁର ନାମ ଶ୍ରବଣରେ କମଳୀ ଭାତ-ଠାଆରେ ନବସି ରହିପାରେନା ।

 

କିନ୍ତୁ ଆଜି,—‘‘ଆରେ କହିଲି ପରା ମୁଁ ଖାଇବିନି ।’’ ବୋଲି ପେଁ-ପେଁ ହୋଇ କହିଲା କମଳୀ ।

 

—‘‘ନଖାଇବ ଯଦି ଥାଉ, ଖାଇବାରେ ବାଧ୍ୟ କରୁଚ କାହିଁକି । ପେଟ କାମୁଡ଼ୁଚି ଯଦି ମୁଗ ତରକାରି ନ ଖାଇବା ଭଲ ।’’ କହି, ଧରଣୀ ଝିଅର ବାଟିରୁ ମୁଗତକ ନେଇନେଲା ।

 

ଧରଣୀର ଖାଲି ଗିନାରେ ଆଉ ଟିକିଏ ମାଛଝୋଳ ଦେଇ ଟଗର କହିଲା—‘‘କାଲି ବି ଦେହ ଭଲ ଲାଗୁନି ବୋଲି କିଛି ନଖାଇ ସଞ୍ଜରୁ ଶୋଇପଡ଼ିଲା । ଦିନକୁ ଦିନ ତା’ ଦେହର ଶିରି ଯାହା ହେଲାଣି ଦେଖୁଚ ତ । ସେଥିରେ ପୁଣି କୋଉଠୁ ଏ ଅଖାଇ ଢଙ୍ଗ ଧଇଲାଣି ।’’

 

—‘‘ତାକୁ ଖିର ଟିକେ ବେଶି କରି ଦବ ତ । ଏବେ ମୋର ଖିର ନ ହେଲେ ଚଳିବ ।’’

 

—‘‘ଖିର କଣ ନାହିଁ କି ? ତୁମେ ନଖାଇବ କାହିଁକି ?’’

 

ଖାଇସାରି ଧରଣୀ ବିଶ୍ରାମ ନଉଛି; ରନ୍ଧାଘର କାମସାରି ଟଗର ଭାଗବତ ଶୁଣିବାକୁ ନାମଘରକୁ ଚାଲିଗଲା । ଗଲାବେଳେ କମଳୀକୁ କହିଗଲା—‘‘କମଳୀ ଲୋ, ତୁ ଘରେ ଥିବୁ । ଖରାରେ ଢଙ୍ଗ୍‌ ଢଙ୍ଗ୍‌ ବୁଲିବୁନି । ମୁଁ ଏଇନେ ପଳେଇଆସିବି ଯେ ।’’

 

ସକାଳୁ କମଳୀ ଏଇ ସୁଯୋଗର ଅପେକ୍ଷାରେ ବ୍ୟାକୁଳ ଭାବେ ଚାହିଁରହିଥିଲା ।

 

ଧ୍ରୁବ ବଣରେ ଈଶ୍ୱରଙ୍କୁ ଆରାଧନା କରି ମା’ଙ୍କ ଦୁଃଖ ଘୁଞ୍ଚାଇଥିଲା । ବାପା କହିଛନ୍ତି, ନଖାଇ ନପିଇ ନିର୍ଜନ ସ୍ଥାନରେ ବସି ଏକାନ୍ତ ମନରେ ଈଶ୍ୱରଙ୍କୁ ଡାକିଲେ ସେ ଆସି ନିଶ୍ଚୟ ଦେଖାଦେବେ । ନିର୍ଜନ ସ୍ଥାନ କୋଉଠି ଅଛି ? କେତେଦିନ ଭାବୁ ଭାବୁ କଲଙ୍ଗ କୂଳରେ ଢ଼ିକଣ-ବୈରାଗୀର ପରିତ୍ୟକ୍ତ ଘର ବାଡ଼ିଟିର କଥା କମଳୀର ମନରେ ପଡ଼ିଲା । ସୁଁଆ-ଧାନ ସଂଗ୍ରହ କରିବା ପାଇଁ କପାହୀ ହେରିକାଙ୍କ ସହିତ କମଳୀ ସେଠିକି ଥରେ ଦୁଇଥର ଯାଇଛି । ଆଗେ ହାତଲଗା ଗଛରେ ବାଡ଼ିଟି ଭରପୂର ଥିଲା । ଥରେ କଲଙ୍ଗ ତାକୁ ଭସେଇ ନବାରୁ ବାଡ଼ିଟି ବର୍ତ୍ତମାନ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି । ତାରି ସାମନାରେ ପୀପ୍‌ପଳ-ଗଛ ମୂଳରେ ପଥର ମୂର୍ତ୍ତିଟିଏ ଆଉଜାଇ ଥୁଆ ହୋଇଛି । ଥରେ ପାଗଳା-ବାବାଜି ନାମରେ ହିନ୍ଦୁସ୍ଥାନୀ ସନ୍ନ୍ୟାସୀ ଜଣେ ଗାଁକୁ ଆସିଥିଲେ । ସେ ସେଇ ମୂର୍ତ୍ତିଟି ପ୍ରତିଷ୍ଠା କରି ଯାଇଥିଲେ । କାଳିସୀ-ଲଗା ଠାକୁରାଣୀ ବୋଲି ମହାମାରୀ, ମଡ଼କରେ ଗାଁ-ଲୋକେ ଏବେ ବି ସେଠି ବି ଦୀପ-ସଳିତା ଜାଳନ୍ତି । କଲଙ୍ଗର ବନ୍ଧେ ବନ୍ଧେ କମଳୀ ଆଗେଇ ଚାଲିଲା । ଭାଦ୍ରମାସ । କଲଙ୍ଗର ପାଣି ଫେଣ-ଫୋଟକାରେ ସ୍ପୀତହୋଇ କୂଳଯାଏ ବୋଲି କାଦୁଅ ପଚ୍‌ ପଚ୍‌ କରି ପକେଇଛି ।

 

ଗାଁର ନିକଟରେ ହେଲେ ବି ପରିତ୍ୟକ୍ତ-ବାଡ଼ଟି ଭୂତକୋଠି ବୋଲି ପରିଚିତ । ଡେଙ୍ଗା ଡେଙ୍ଗା ନାନାଦି ଗଛ ଆକାଶୀ-ଲତା-ଅଳଙ୍କାର ପିନ୍ଧା ଛିଡ଼ାହେଇଛନ୍ତି । କୌଣସି କୌଣସି ଗଛରେ ଅଜଗର-ସାପ ପରି ଲତା ମାଡ଼ିଛି । ତଳେ ଘାସ ବି ଗଜୁରିବାର ଲକ୍ଷଣ ନାହିଁ । କୋଉଠି କେମିତି ବଣୁଆ ବୁଦା ଗୋଟେ ଦିଟା । ମଣିଷ କାହିଁକି, ଗୋରୁ-ଛେଳି ବି କେବେ ତିକଣ-ବୈରାଗୀର ପରିତ୍ୟକ୍ତ ବାଡ଼ିରେ ପଶିବା ଦେଖାନାହିଁ । ପରିତ୍ୟକ୍ତ ବାଡ଼ିର ଭିତରେ ପଶିବାକୁ ବଣୁଆ ଲତାବୁଦାଭରା ବାଟଟାରେ ପାଦ ଥୋଇ କମଳୀର ଦେହ ଝିମ୍‌ ଝିମ୍‌ ମାରିନେଲା । କାଉଟାଏ କା...କା...କରି ତା’ ମୁଣ୍ଡ ଉପର ଦେଇ ଉଡ଼ିଗଲା ଗାଁ-ଆଡ଼କୁ । କମଳୀ ଚମକି ଚାହିଁଲା । ମଣିଷଙ୍କ କଥା ଛାଡ଼, ବିଲମାଳରେ ଗୋରୁ ଛେଳିଟାଏ ବି ଦିଶୁନାହାନ୍ତି । କ’ଣ କରିବ ? ଏକା ଦୌଡ଼ାକେ ଘରକୁ ଫେରିବ ? ଭାବିଚିନ୍ତି, ପାଦେ ଦୁଇପାଦ କରି ଆଗେଇ ଅବଶେଷରେ ପରିତ୍ୟକ୍ତ ବାଡ଼ଟି ଭିତରେ ପଶିଲା । ବାହାରୁ ଯେତେ ଡରମାଡ଼ୁ ଥିଲା, ଭିତରେ ପଶି ଭୟର ସେପରି କୌଣସି କାରଣ ଦେଖିବାକୁ ପାଇଲା ନାହିଁ । ବାଡ଼ି ଭିତରର ଶୀତଳ-ଛାୟା ଦେହଟାକୁ ତା’ର ଥଣ୍ଡା କରିଦେଲା କଲଙ୍ଗ କୂଳରେ ବାସ କରିଥିବା ପନ୍‌ଝାଏ ବାଲିଶୁଆ ନଈବଢ଼ିରେ ଗୃହଶୂନ୍ୟ ହୋଇ ଦଳବାନ୍ଧି ଉଡ଼ିଆସି ସେଠିକାର ଏକ ଗଛରେ ଆଶ୍ରୟ ନେଇଥିଲେ । ସେମାନଙ୍କର କେଚେର ମେଚେର ପରିତ୍ୟକ୍ତ ବାଡ଼ିଟିର ମୌନତାକୁ ଭାଙ୍ଗୁଥିଲା । ଏକ ସଙ୍ଗରେ ଅସଂଖ୍ୟ କଳା କିଟିକିଟି ବାଲିଶୁଆ ଦେଖି କୌତୁକ ବିସ୍ମୟରେ କମଳୀର ଅନ୍ତର ଫୁଲିଉଠିଲା । କମଳୀ ନିର୍ଭୟରେ ପିପ୍‌ପଳ ଗଛ ତଳେ ଯାଇ ପହଞ୍ଚିଲା । ମୂର୍ତ୍ତିଟି ସେଇ ପୂର୍ବସ୍ଥାନରେ ହିଁ ଅଛି । କେହି ବେଶୀ ସିନ୍ଦୂର ଲେସିଦେଇ ନାକ, ମୁଖ ଚିହ୍ନି ନ ହେଲା ଭଳି କରିଦେଇଛି । ମୂର୍ତ୍ତିଟିର ସମ୍ମୁଖରେ ଆଣ୍ଠୁ ମାଡ଼ି ବସି, କମଳୀ ମା’ର ମୁଖରୁ ଶୁଣା ‘ଘୋଷା’ ଗୁଣୁଗୁଣୁ ଗାଇ ଲାଗିଲା ।

 

ତା’ପରେ ଆବୁରୁ, ଜାବୁରୁ କେତେ ପ୍ରାର୍ଥନା—‘‘ହେ ପ୍ରଭୁ ! ବାପାଙ୍କୁ ଆଉ ଦୁଃଖ ଦିଅନା । ଚଞ୍ଚଳ ଭଲ କରିଦିଅ । ଆମେ ଗରିବ ଲୋକ, ଆମକୁ ଆଖି ଖୋଲି ଚାହିଁ ।’’

 

—‘‘ଲୋକଙ୍କ ଘରେ କେତେ କେତେ ପୁଅ ଝିଅ । ମୋର ଗୋଟିଏ ଭାଇ ନାହିଁକି, ଭଉଣୀ ନାହିଁ । କପାହୀ ହେରିକା ସାଙ୍ଗରେ ଖେଳିବାକୁ ଦିଅନ୍ତି ନି । ଆମ ଘରେ ସେଇ ତିନିଟା ମଣିଷ । ବାପାଙ୍କୁ ଆମର ଚଞ୍ଚଳ ଭଲକରି ଦଉନ କାହିଁକି ?’’

 

କମଳୀର ଦୁଇ ଆଖିରୁ ଅନର୍ଗଳ ବାରିଧାରା ବୋହିଲାଗିଲା । ଦୁଇବେଳା ଓପାସ ଭୋକରେ ଅଛି । କାନ୍ଦୁ କାନ୍ଦୁ ମାଟିରେ ତଳି ପଡ଼ି ନିଘୋଡ଼ ନିଦରେ ଶୋଇଗଲା ।

 

—‘‘ମା’ଲୋ, ଏଇଟା କିଏବା ? ଧରଣୀର ଝିଅ ।’’ ଭେବେଲିଲତା ଖୋଜି ଖୋଜି ଆସି ପାଭୈ ସେଇ ବାଡ଼ିରେ ପଶି ଦୃଶ୍ୟଟି ଦେଖିପାରିଲା ।

 

—‘‘ଇଲୋ ମାଲୋ, ଛତରଖାଈ ମା’ଟା ବୋଧେ ମାରିବାକୁ ଗୋଡ଼େଇଲା ନା କଣ—ସେଇ ଡରରେ ଆସି ଏଇ ଝାଡ଼ରେ ପଶିଚି ।’’

 

—‘‘ଆଲୋ ଉଠ୍‌-ଉଠ୍‌—ମରୁନୁ ଲୋ । ଏକା ଏକା ଆସି ଏଇ ଝାଡ଼ଟାରେ ପଶିଚୁ ? କମଳୀର ହାତଧରି ଟାଣି ଟାଣି ନେଇଗଲା ପାଭୈ ।

 

ଆଖି ମଳି ମଳି ଚାଲୁ ଚାଲୁ କମଳୀ ଭାବୁଥିଲା—ବାପାଙ୍କ ବେମାର ଏକେବାର ଭଲ ହେଇଗଲାଣି ବୋଲି ।

Image

 

 

 

 

 

 

 

 

 

 

 

ଚତୁର୍ଥ ଭାଗ

 

‘‘ମୋ ଦୁଃଖର କଥା କାହା’ଗେ କହିବି

ଆତ୍ମା-ଶରୀର ହିଁ ଜାଣେ ।’’

 

ଏକ

 

ଖୋଳ-କରତାଳ ଯୋଗେ ବୈକୁଣ୍ଠ ପ୍ରୟାଣର ନାମ-ସଂକୀର୍ତ୍ତନ ଗାଇ ଗାଇ ସବୁ ଲୋକେ ଶ୍ମଶାନ-ବାଟରେ ଆଗେଇଛନ୍ତି । ଅଧା-ନିଭା-ପୋଡ଼ା-ଖୁଣ୍ଟାଟାଏ ଧରି କୋକେଇର ଆଗେ ଆଗେ ଚାଲିଛି ଛୋଟ ଝିଅଟିଏ । ଆଖି-ଆଗରେ ଆର୍ତ୍ତନାଦ ଅପେକ୍ଷା ଦୂରରୁ ବତାସ ବୋହିଆଣୁଥିଲା ବାହୁନାର, କରୁଣ-ପଦାବଳୀ । ଶୁଣିବା ଲୋକର ଅନ୍ତରରେ ସୃଷ୍ଟି ହେଉଥିଲା ମର୍ମନ୍ତୁଦ ବେଦନା ।

 

କୋକେଇଟି ଚକ୍ଷୁର ଅନ୍ତରା଼ଳାକୁ ଚାଲିଯିବାରୁ, ଭୂଷଣ ବାଟମୁହଁକୁ ଓହ୍ଲେଇ ଆସି, ଦା-କୁରାଢ଼ୀ ନେଇ ଯାଉଥିବା ଲୋକ ଜଣକୁ ପଚାରିଲା—‘‘କାହାକୁ ନେଲେ ହୋ ?’’

 

—‘‘ଧରଣୀ ମାଷ୍ଟର ।’’

 

ଉତ୍ତର ଦେବା ସଙ୍ଗେ ସଙ୍ଗେ ଲୋକଟି ଆଗକୁ ଆଗେଇଗଲା । ଭୂଷଣ ସେ ଆଡ଼କୁ ଲକ୍ଷ୍ୟ ନକରି ନିଜେ ନିଜେ ହିଁ କହିହେଲା— ‘‘କି ଦାରୁଣ ଦୁଃସମ୍ବାଦଟା ସତେ ! ଡାକ୍ତରଙ୍କ ଔଷଧରେ ଭଲ ହେଇଯାଇଚି ବୋଲି ଶୁଣୁଥିଲି ଯେ !’’

 

ଭୂଷଣକୁ ଦେଖି ପାଖ ପଡ଼ୋଶୀ ଆଉ ଜଣେ ଦୁଇଜଣ ବାଟମୁହଁକୁ ବାହାରିଲେ ।

 

—‘‘ଆହା, ଭେଣ୍ଡା ବୟସରେ ପିଲାଟା ଚାଲିଗଲା !’’

 

—‘‘ଯିଏ ଗଲା ସିଏ ଭଲ । ରହିଯାଉଥିବା ଆମଗୁଡ଼ାଙ୍କ କଥା ଏବେ କହିଲେ ନସରେ-।’’

 

—‘‘ସତ ମ, ଝିଅଟାକୁ ନେଇ ମାଇକିନିଆ ମଣିଷ ଏବେ ଚଳେ କେମିତି !’’

 

—‘‘କ’ଣ କମ୍ ଅବିବେକୀ ଟୋକାଟା । ଜମିଖଣ୍ଡକ ବିକିଦବାକୁ ତାର ଏମିତି କି ଗରଜ ପଡ଼ିଥିଲା ଶୁଣେ ?’’

 

—‘‘ଦି ବରଷହେଲା ଅନ୍ନ ସଂସ୍ଥାନ ନାହିଁ; ଜେଲ୍ ରେ ପଡ଼ିଲା ବେମାର ଭୋଗିଲା, ଜମି ନବିକି ଖାଆନ୍ତ । କଣ ଯେ ?’’

 

—‘‘ଝିଁ ଟିକାଟିଏ ପାଇଁ ବି ଈଶ୍ଵର ସାରୁଖଣ୍ଡେ ରଖିଚନ୍ତି । ନଖାଇ କଣ ମରିଯିବ ? ଧରଣୀର ସ୍ତ୍ରୀଟା ବି ଘରକରଣା ଝିଅ ଜଣେ ।’’

 

ସମସ୍ତେ ବାଟମୁହଁ ଦାଣ୍ଡରେ ବହୁତ ବେଳଯାଏଁ ଠିଆହେଇ, ଧରଣୀ ମାଷ୍ଟରର ଯୁବତୀ-ସ୍ତ୍ରୀର ଭବିଷ୍ୟତ-ଜୀବନ ସମ୍ବନ୍ଧରେ ଆଲୋଚନା କରି ହା-ହୁତାଶ ହେଲେ ।

 

X X X

 

ମୃତ ସ୍ଵାମୀଙ୍କ ପାଇଁ ବସି ବସି ବାହୁନି କାନ୍ଦିବାକୁ ଟଗରର ସମସ୍ତ କାହିଁ ? ଆଖିରୁ ଲୁହ ଗଡ଼ିଲେ ମୃତ ଆତ୍ମାର ସଦ୍‌ଗତି ହୁଏନା ବୋଲି ପିଣ୍ଡଦାନ ସମୟରେ ବି ଟୋପାଏ ହେଲେ ଲୁହ ଗଡ଼େଇ ନାହିଁ ଟଗର । ଶ୍ରାଦ୍ଧ-ବିଧି, ଅଚାର-ଅନୁଷ୍ଠାନ ସମାପନାନ୍ତେ ବଞ୍ଚି ରହିବାର ଘନୀଭୂତ ସମସ୍ୟାରେ ଟଗରକୁ ମନୋନିବେଶ କରିବାକୁ ପଡ଼ିଲା ଅନିଚ୍ଛାସତ୍ତ୍ୱେ । ପେଟ-ପ୍ରବର୍ତ୍ତନର ନିର୍ଲଜ୍ଜ ଚିନ୍ତା ଯେଉଁଠି ପ୍ରଧାନ, କାନ୍ଦିକାଟି ଆଖିଲୁହ ଝରେଇବା ସେଠି ବିଳାସିତାର ନାମାନ୍ତର ମାତ୍ର ।

 

ଗୋଲାପ ଡାକ୍ତରଙ୍କ ଚେଷ୍ଟାରେ ରହା ଅଞ୍ଚଳରେ ପୁଣି ଏକ ‘ବୁଣାଳି-ସଂଘ’ ମୁଣ୍ଡ ଟେକିଛି । ଡାକ୍ତରଙ୍କ ଅନୁରୋଧରେ ଟଗର ଏଇ ଅନୁଷ୍ଠାନରେ ଯୋଗଦେଲା । ବୁଣା, କଟାରେ ଟଗର ଯେ ପୋଖତ, ଏହା କହିବା ନିଷ୍ପ୍ରୟୋଜନ । ଧରଣୀର ଦୁଇଜଣ ସହକର୍ମୀ ମଧ୍ୟ ସଙ୍ଘରେ ଯୋଗଦେଲେ । କେହି କପା ଖୋଜିଅଣେ, କେହି ଲୋକଙ୍କଠୁ ଚାନ୍ଦା ଆଦାୟ କରେ, କେହି ହାଟ-ବଜାରରେ ସଂଘର କପଡ଼ାଲତା ବିକ୍ରୀ କରେ । ଏଇ ସଂଘ ତିଆରି କପଡ଼ା-ଲତା କଲିକତାର ଅଭୟାଶ୍ରମ, ଖଦୀ-ଭଣ୍ଡାର ଯାଏଁ ବି ଚାଲାଣ୍‌ ହୁଏ । ମୃତ-ସ୍ଵାମୀଙ୍କ ପରିକଳ୍ପିତ କର୍ମରେ ଯୋଗଦେଇ ଟଗର କିଛିଟା ସାନ୍ତ୍ୱନା ଲାଭ କରିଛି ।

 

କମ୍‌ ଦିନ ହେଲା ଉଚ୍ଚାଣୀ ଆଡ଼ୁ ଜଣେ ସବ୍‌-ଡ଼େପୁଟୀ ବଦଳି ହୋଇ ଆସିଛନ୍ତି ରହା-ସର୍କଲକୁ । ଭଦ୍ରବ୍ୟକ୍ତି ବେଶ୍‌ ଉତ୍ସାହୀ ଏବଂ ସଂଘ ପ୍ରତି ସହାନୁଭୂତି-ସମ୍ପନ୍ନ । ଡାକ୍ତରଙ୍କଠାରୁ ସଂଘର କଥା ଶୁଣୁ ଶୁଣୁ ଦଶଟଙ୍କା ଚାନ୍ଦା ଦେଇଛନ୍ତି । ସବ୍‌-ଡେପୁଟୀଙ୍କ ସ୍ତ୍ରୀ ମଧ୍ୟ ବୁଣା, କଟା, ସୂତାକାମ ପ୍ରତି ଆଗ୍ରହୀ । ସବ୍‌ଡେପୁଟୀଙ୍କ ଇଚ୍ଛା ତାଙ୍କୁ ହିଁ ସଂଘର ପ୍ରଧାନ-ସମ୍ପାଦିକା କରାଯାଉ । ବସାରେ ତନ୍ତଖଣ୍ଡେ ବସାଇବାର ଯତ୍ନକରି, ହାକିମଙ୍କ ସ୍ତ୍ରୀ ସଂଘର ପ୍ରଧାନ-ମାଷ୍ଟ୍ରାଣୀଙ୍କୁ ଡକେଇ ପଠେଇଲେ । ସନ୍ଧ୍ୟାପୂର୍ବରୁ ହାକିମଙ୍କ ଘରକୁ ଟଗରର ଯିବା କଥା । କମଳୀ ପାଠଶାଳାରୁ ଆସିବା ବାଟକୁ ଚାହିଁଛି—ତାକୁ ବି ସାଙ୍ଗରେ ନେଇଯିବ ।

 

ସ୍କୁଲରୁ ଫେରି ବେଗାବେଗି ପଢ଼ା ଟେବୁଲ ଉପରେ ବହି ସିଲଟ ଫୋପାଡ଼ିଦେଇ କମଳୀ ମା’କୁ ପଇସା ଚାରିଟା ମାଗିଲା । କାଲିକି ସ୍କୁଲକୁ ଯିବା ଆଗରୁ ଦବାକୁ ପଡ଼ିବ । ଗୋଲପୀ ସ୍କୁଲରେ ଜଳଛପା ବିକ୍ରୀ କରୁଛି । ବାରଟା ଛପାକୁ ଚାରିପଇସା । ଆଜି ଅଧା ବିକ୍ରୀ କରିଦେଇଛି । କାଲିକି ସ୍କୁଲକୁ ଯାଉ ଯାଉ ନ କିଣିଲେ ପାଇବାର ଆଶା ନାହିଁ ।

 

—‘‘କାଲିକି ତୁ ପାଶୋରି ପକେଇବୁ । ଏଇନେ ଦେ, ମୁଁ ହଜେଇବିନି, ଭଲଭାବେ ରଖିଦେବି ।’’ ମା’ର ମେଖେଳାକୁ ଟାଣି କମଳୀ ‘ଦେ-ଦେ’ ବୋଲି ପେଁ ପେଁ ହେବାକୁ ଲାଗିଲା ।

 

ଗୋଟେ ନୁହେଁ, ଦିଟା ନୁହେଁ, ଏକାଥରକେ ଚାରିଟା ପଇସା ! ଅଣାଏ ? ମାସକର ସେରେ ଲୁଣର ଦାମ୍‌; ଅଧସେର କିରାସିନି ତେଲ; ଖଣ୍ଡେ ଗାମୁଛାର ରଙ୍ଗସୂତା ! ପଇସା ତ ଏତେ ହେଇଯାଇନି ତାଙ୍କର ! ଝିଅର ହାତକୁ ମେଖେଳାରୁ ଅଲଗା କରି ଟଗର କହିଲା—‘‘ଯା-ଯା, ଜଳଛାପା କିଣିବାକୁ ଆମର ପଇସା ନାହିଁ । ଜଲଦି ଭାତଗଣ୍ଡାକ ଖାଇ ବାହାର, ହାକିମଘରକୁ ଯାଇ ପଳେଇଆସିବା ।’’

 

ମା’ର କଥା ଶୁଣି ଦ୍ଵିତୀୟବାର ଅଳି କରିବାକୁ କମଳୀର ସାହସ ହେଲା ନାହିଁ । ସ୍କୁଲ ପୋଷାକ ପାଲଟି, ଗାମୁଛା ଖଣ୍ଡିକ ଅଣ୍ଟାରେ ଗୁଡ଼େଇ, ରନ୍ଧାଘରେ ଢଙ୍କା ହେଇ ଥୁଆ ଦିହିପହରିଆ ଭାତକଂସା ଖଣ୍ଡକ ଖେଳିମେଳି କରି କାଢିଲା । ସାରୁଶାଗର ତରକାରି, ଭାତରେ ସିଝା ବୋଇତାଳୁ ଖଣ୍ଡେ । ସକାଳେ କମଳୀ ଏଇୟା ଘେନି ବେଶ୍ ତୃପ୍ତିରେ କଂସାଗିନା ଚାଟି ଖାଇଥିଲା । ଏବେ ସେୟା ଦେଖି ଆଖିରୁ ଲୁହ ଗଡ଼ିଲା । ମା’କୁ କହି କହି ବେଳେ ହେଲେ ମସୁରି ଡାଲି ରନ୍ଧା କରେଇପାରିଲା ନାହିଁ । ହଳଦିଆ ମସୁରି ଡାଲିର ସୁଆଦିଆ ତରକାରି କମଳୀର ଆଖିଆଗରେ ଭାସିଉଠିଲା । ସଙ୍ଗେ ସଙ୍ଗେ ସତେକି ଆଖିରୁ ଝରିଲା ବର୍ଷାର ବାରିଧାରା । ଦିନକୁ ଦିନ ମା’ଟା କେମିତି କଟକଟିଆଣୀ ହେଲାଣୀ ? ପଇସାଟାଏ ଖରଚ କରିବାକୁ ସତେକି ଜୀବନ ବାହାରିଯାଏ-। ପାଟିକୁ ନଉଥିବା ଗୁଣ୍ଡାଟା କଂସାରେ ଲଥ୍‌କିନା ପକେଇ ପେଁ ପେଁ କରି ଚିତ୍କାର କଲା—‘‘ଯା ମ, ମୁଁ ଆଉ କାଲିଠୁ ସ୍କୁଲକୁ ଯିବିନି ତ—ମୋଟେ ଯିବିନି ।’’

 

—‘‘କଣ ହେଇଚି ଲୋ ତୋର ? ଦେଖୁଚି ଦିନକୁ ଦିନ ତୋର ଅବିଗୁଣ ବଢ଼ିଲାଣି । ମା’ର ମୁଣ୍ଡଟାକୁ ଖାଇବୁ ବୋଲି ବସିଚୁ ନା କଣ ?’’ ଅଗଣାରେ ଥାଇ ଟଗର ଏତିକି କହିଲା ।

 

ସ୍କୁଲରୁ ହିଁ କମଳୀ ଜଳଛପା କିଣିବାର ସ୍ଵପ୍ନ ଦେଖି ଆସିଥିଲା । କଣ କଣ ଛବି କିଣିବ, କେଉଁ ଛବିଟି ସାହିତ୍ୟ ବହିରେ, କେଉଁଟି ‘ଧାରାପାତ’ରେ ଲଗାଇବ—ତାହା ବି ମନେ ମନେ ଠିକ୍‌ କରି ରଖିଥିଲା । କିନ୍ତୁ ମା’ ର ଧମକରେ ବିଚାରୀର ଜଳଛାପା କଳ୍ପନା ଚୁରମାର ହୋଇଗଲା । ମା’ର ନିଷ୍ଠୁରତାର କଥା ଭାବି ଭାବି ରାଗ ତଥା କ୍ଷୋଭରେ କମଳୀର ଦୁଇ ଆଖିରୁ ଝରଝର ହୋଇ ପାଣି ନିଗିଡ଼ିବାକୁ ଲାଗିଲା । ଇଚ୍ଛା ହଉଥିଲା କଂସାକଯାକ ଭାତ ଚଟାଣସାରା ବିଞ୍ଚାଡ଼ିପକାନ୍ତା, ତରକାରି ବାଟିଟା ଫୋପାଡ଼ିଦିଅନ୍ତା ବାହାରକୁ । କିନ୍ତୁ, ସାହସ କୁଳେଇଲା ନାହିଁ । ତା’ର କିଛି ଗୋଟାଏ ଅଘଟଣ ଘଟେଇ ମା’କୁ ଶାସ୍ତି ଦେବାପାଇଁ କମଳୀର ମନଟା ଉତ୍ତେଜିତ ହେବାକୁ ଲାଗିଲା । ହଠାତ୍‌ ଗୋଟାଏ କଥା ତା’ର ମନେପଡ଼ିଲା । କଂସାର ଭାତକୁ ଫେଣି ଫେଣି କହିବ, ନକହିବ ହେଇ କହିଲା—‘‘ସ୍କୁଲରେ ସମସ୍ତେ ମତେ ‘ଡାକ୍ତରର ଝିଅ’, ‘ଡାକ୍ତରର ଝିଅ’ ବୋଲି ଚିଡ଼ଉଚନ୍ତି—ମୁଁ କଣ ଡାକ୍ତରର ଝିଅ କି ?’’

 

କଥାଟାର ପ୍ରକୃତ ଅର୍ଥ କମଳୀ ନବୁଝିଲେ ବି, ମା’ ର ଦୋଷରୁ ଯେ ତାକୁ ଏମିତି ଥଟ୍ଟା ଶୁଣିବାକୁ ପଡ଼ୁଛି—ସେଇ କଥା ଅନୁମାନ କରିପାରିଥିଲା ।

 

ଝିଅର ମୁହଁରୁ କଥାପଦକ ଶୁଣି ଟଗର ସ୍ଵର୍ଗରୁ ଖସିପଡ଼ିଲା ମଣିଷ ପରି ସ୍ତବ୍‌ଧ ହେଲା-। ସାରାଜୀବନ ଅପଯଶ, ଅପବାଦର ବୋଝ ବୋହି କଣ କଟେଇବାକୁ ପଡ଼ିବ ? ମିଥ୍ୟା-କଳଙ୍କ କ’ଣ ସବୁଦିନ ପାଇଁ ଅକ୍ଷୟ ସତ୍ୟରୂପେ ଜାଜ୍ଜ୍ୱଲ୍ୟମାନ ହୋଇ ରହିବ ?’’

 

—‘‘କାଲିଠାରୁ ମୁଁ ତତେ ସ୍କୁଲକୁ ପଠେଇବିନି । ଘରେ ପଢ଼ିବୁ ।’’

 

ସ୍କୁଲକୁ ନଯିବାଟା କମଳୀ ଟିକିଏ ବି ଇଚ୍ଛା କରୁନଥିଲା । ସେ କ’ଣ କହିଲା ସତେ ? କାଲିଠାରୁ ଯେ ସ୍କୁଲକୁ ଯିବାଟା ତାର ସତକୁ ସତ ବନ୍ଦ । ମା’ର ଅସ୍ଵାଭାବିକ ଗମ୍ଭୀର ସ୍ଵର ସ୍ପଷ୍ଟ କରିଦେଲା ସେଇ କଥାକୁ ।

 

X X X

 

ହାକିମଙ୍କ ବଙ୍ଗଳାର ପାଣିଅଣା ବାଟ ଦେଇ ଯାଇ ଟଗର ଅତି ସନ୍ତର୍ପଣରେ ଭିତର ଅଗଣାରେ ପାଦ ଦେଲା । ହାକିମାଣୀ ରନ୍ଧାଘରେ ପଶି ପୁଅଝିଅଙ୍କ ଅପରାହ୍‌ଣ ଜଳଖିଆ ତିଆରି କରୁଥିଲେ । ରନ୍ଧାଘରର ଦଫାଳଯାକ, ଦୁଆର ଠିଆମେଲା ହେଇଚି । ଲୁଚିଛଣା ଘିଅର ଫୁରୁପୁରିଆ ଗନ୍ଧ ଭାସିଆସୁଛି । କି ବାସନା ବୋଲି କମଳୀ ରନ୍ଧାଘର ଭିତରକୁ ଉହୁଙ୍କି ଚାହିଁଲା । ଅଗଣାରେ କେହି ଠିଆହେବାର ଅନୁମାନ କରି, ବାହାରକୁ ମୁହଁକାଢ଼ି ଦେଖିବାରୁ ହାକିମାଣୀଙ୍କ ଆଖିରେ କମଳୀର ଲୋଭିଲା ଆଖିଯୋଡ଼ିକ ପଡ଼ିଲା । ହଠାତ୍‌ ଦୁଆର ଆଉଜାଇ ଆଣି ପୂଜାରୀ ଟୋକାକୁ କରିବାକୁ ବଢ଼େଇ ଦେଇ ହାକିମାଣୀ ବାହାରକୁ ବାହାରି ଆସିଲେ ।

 

ଟଗରକୁ ଦେଖୁ ଦେଖୁ ହାକିମାଣୀ ଅନୁମାନ ଉପରେ ପରିଚୟ ବୁଝିପାରିଲେ । ହସି ହସି ପଦେ ଦୁଇପଦ କଥାବାର୍ତ୍ତା ହେବା ସଙ୍ଗେ ସଙ୍ଗେ ମାଷ୍ଟ୍ରାଣୀକୁ ଡାକିନେଇ ବଙ୍ଗଳାଘର ବାରଣ୍ଡାରେ ବସିବାକୁ ପିଢ଼ା ଖଣ୍ଡେ ବଢ଼େଇଦେଲେ । ବେତର ମୋଡ଼ାଟାଏ ଆଣି ନିଜେ ବି ପାଖରେ ବସିଲେ ।

 

ଚାକରପିଲାଟାଏ ଗୁଆ-ବଟା ଆଉ କଟୁରିଟାଏ ଥୋଇ ଦେଇଗଲା ।

 

ସ୍ତ୍ରୀଲୋକଙ୍କ ଭିତରେ ଘନିଷ୍ଠତା ମୂହୁର୍ତ୍ତକ, ଭିତରେ ଗଢ଼ିଉଠେ; ଦିନକ ସାକ୍ଷାତରେ ହିଁ ଜଣେ ଜଣକ ଚିରପରିଚିତ ଆପଣାର ଲୋକ କରିନେଇପାରନ୍ତି । ପଦେ ଦୁଇପଦ କଥାବାର୍ତ୍ତା ପରେ ପରେ ନୂତନ ପରିଚୟର ଲାଜ-ସଙ୍କୋଚ ନରହି ହାକିମାଣୀ ଏବଂ ଟଗର ଉଭୟେ ଚିରପରିଚିତ ପରି ସୁଖ-ଦୁଃଖର କଥା ପକେଇଲେ ।

 

—‘‘ସତରେ ଏଠିକି ଆସିଲା ଦିନରୁ ଖାଇବା ପିଇବାରେ କଷ୍ଟ ମିଳିନାହିଁ । ଦୁଧ,ମାଛ ତ ବେଶ୍‌ ଶସ୍ତା ! ହେଲେ ସାଙ୍ଗସାଥୀ ନମିଳିବାରୁ ବଡ଼ ଖରାପ ଲାଗୁଚି । ସେଥିପାଇଁ ତନ୍ତଖଣ୍ଡେ ବସେଇବାକୁ ଭାବିଚି ।’’

 

—‘‘ମେଖେଳା ଲଗେଇବେ ?’’

 

—‘‘ନିଜେ ବୁଣା ମେଖେଳା ଆଜିଯାଏଁ ପିନ୍ଧି ପାରିନାହିଁ । କାମିଜ କପଡ଼ା ଲଗେଇବି ବୋଲି ଭାବିଚି ।’’

 

—‘‘ବାବୁଙ୍କ ପାଇଁ ତ ?’’ ଆଖିକୋଣରେ ହସ ରଖି ଟଗର ହାକିମାଣୀଙ୍କ ଆଡ଼କୁ ଚାହିଁଲା ।

 

—‘‘ଉହୁଁ, ତାଙ୍କ ପାଇଁ ନୁହେଁ ମ । ଭାଇହେରିକାଙ୍କ ପାଇଁ । ତନ୍ତ ବୁଣି ଜାଣେନା ବୋଲି ସେମାନେ ମତେ କମ୍‌ ଥଟ୍ଟା କରନ୍ତି । ଏଥର ନିଜ ହାତରେ ବୁଣି ଦେଖେଇବି ବୋଲି ଭାବିଚି । ହେଲେ ମୋର ସାରଥି କିନ୍ତୁ ତମେ ।’’

 

—‘‘ଯେତେବେଳେ ଖବର ପଠାଇବେ ଆସିବି ।’’

 

—‘‘କିଏ ଅଛି ଯେ ଖବର ପଠେଇବି ? ମଝିରେ ମଝିରେ ଆସିବ ଭାରି ମ । ମୋର ବି ସାଙ୍ଗସାଥୀ କେହି ନାହିଁ ।’’

 

—‘‘ମା’ଙ୍କ ଏଠିକି ଆସିବାକୁ ପାଇଲେ ନିଶ୍ଚୟ ଖୁସି ହେବି... ।’’

 

ଆଉ କ’ଣ କହିବାକୁ ଇଚ୍ଛା କରି ବି କହିଲା ନାହିଁ । ଅସମ୍ପୂର୍ଣ୍ଣ କଥାକୁ ସଂମ୍ପୂର୍ଣ୍ଣ କରିବାକୁ ହାକିମାଣୀ ପଚାରିଲେ—‘‘ସଂଘର କାମରେ କ୍ଷତି ହେବ ବୋଲି ଆସିବାକୁ ମଙ୍ଗୁନ ବୋଧେ ?’’ ନିଜର ଅନୁମାନର ସମର୍ଥନ ପାଇଁ ଟଗର ଆଡ଼କୁ ଅନେଇଲେ ହାକିମାଣୀ ।

 

—‘‘ଭଲକଥା କହୁଚ ମା ! ସଂଘର ପୁଣି କାମ କଣ ମ ? ଖଣ୍ଡେ ତ ତନ୍ତ । ମୁଁ ଭାବୁଚି, ସବୁବେଳେ ଆସିଲେ ଆପଣମାନେ କାଳେ ଖରାପ ଭାବିବେ... ।’’

 

ପ୍ରତିବାଦର ସ୍ଵରରେ ହାକିମାଣି କହିଲେ—‘‘ଆମକୁ ଆଗର ଭୂୟଁ । ହାକିମ ପରି ଭାବିବ ନାହିଁ ମ । ଭୂୟାଁ, ଭୂୟାଁଣୀ ଦୁହେଁଯାକ ଲୋକଙ୍କ ସଙ୍ଗେ ମିଳିମିଶି ପାରୁନଥିଲେ । ସେମାନେ ଯେଉଁଠିକି ଯାଆନ୍ତି ସେଇଠି ଦ୍ଵନ୍ଦ, କଳିକଜିଆ । ଆମର କିନ୍ତୁ ସେସବୁ ନାହିଁ । ଦୁଇଦିନ ପାଇଁ ଆସିଛୁଁ—ମଣିଷଙ୍କ ସଙ୍ଗେ ମିଳିମିଶି, ସ୍ନେହ, ପ୍ରୀତିରେ ରହିବାକୁ ଆମେ ସଦାବେଳେ ଭାବୁଁ-।’’

 

—‘‘ଗାଁର ସମସ୍ତେ ଏ ହାକିମଙ୍କୁ ସତରେ ଭଲ ବୋଲି କହୁଚନ୍ତି । ମୁଁ ବି ଆପଣଙ୍କୁ ଆମ ସଂଘ କାମରେ ପାଇବାକୁ ଚାହୁଁଚି ।’’

 

—‘‘ଇହ୍‌—ସଂଘ ପାଇଁ ମୁଁ କଣ ପାରିବି ?’’ ବିନୟୀ ସ୍ଵରରେ ହାକିମାଣୀ କହିଲେ ।

 

—‘‘ଆପଣ ଯଦି ରାଜି ହୁଅନ୍ତି ତେବେ ଆପଣଙ୍କୁ ସଂଘର ସଭାପତି କରିବାକୁ ଆମର ବୁଣାଳିମାନଙ୍କ ଭିତରେ କୁହାକୁହି ହେଉଚନ୍ତି ।’’

 

—‘‘ଏବେ ସଭାପତି କିଏ ଅଛନ୍ତି କି ?’’

 

—‘‘ଗୋଲାପ ଡାକ୍ତର । ହେଲେ ପୁରୁଷ ଲୋକଜଣଙ୍କୁ ସଭାପତି କରି ରଖିବାକୁ ଆମର ଇଚ୍ଛା ନୁହେଁ ।’’ ଏଇ ସିଦ୍ଧାନ୍ତ କିନ୍ତୁ ଟଗର ଏଇ ମୂହୁର୍ତ୍ତରେ କଲା ।

 

ମଝି କୋଠରିରେ ଜୋତାର ଶବ୍ଦ ଶୁଣି ଟଗର କଥା ବନ୍ଦ କଲା । ବାରଣ୍ଡାପାଖର ଦୁଆରବନ୍ଧ ଦେଇ ମୁଣ୍ଡଟା ଉହୁଙ୍କାଇ ଚାହିଁବାରୁ ଦେଖିଲା କୋଟ-ପେଣ୍ଟପିନ୍ଧା ବାବୁ ଜଣେ । ହାକିମ ହେବେ ନିଶ୍ଚୟ । ନିଜର ଅଜ୍ଞାତସାରରେ ହିଁ ଓଢ଼ଣୀଟି ଏକଫାଳିଆ କରି ଚାହିଁଲା । କୋଉଠି ଯେମିତି ଦେଖିଛି । ଠିକ୍‌ ଏଇ ମୁହଁ, ଏଇ ଆଖି, ଏଡ଼ିକି ଉଚ୍ଚା । ମୁହୂର୍ତ୍ତକ ପାଇଁ ଟଗରର ଆଖି ଦୁଇଟି ବିସ୍ମୟ-ବିମୂଢ଼ ହୋଇ ଭାଷାମୟ ହେଲା । ଅପରିଚିତ ସ୍ତ୍ରୀଲୋକ ଜଣଙ୍କୁ ଦେଖି ହାକିମ ବାରଣ୍ଡାକୁ ନଆସି ଗଳା ଖଁକାର ମାରି ବାଁପାଖର ଶୋଇବା କୋଠରିରେ ପଶିଲେ । ହାକିମ ଆସିବାର ସାଡ଼ା ପାଇ ହାକିମାଣୀ ହଠାତ୍‌ ଉଠି ଭିତରକୁ ଗଲେ ।

 

ପର ମୁହୂର୍ତ୍ତରେ ହାକିମାଣୀ ବାହାରି ଆସି ‘‘ଟିକିଏ ବସ୍‌ କି ମୁଁ ଏଇନେ ଆସୁଚି ଭାରି-।’’ –କହି ମାଷ୍ଟ୍ରାଣୀ ମୁହଁକୁ ଅନେଇ ଆଶ୍ଚର୍ଯ୍ୟ ହେଲେ । ପଚାରିଲେ—‘‘କଣ ହେଲା ତମର ? ଗୁଆ ଖଣ୍ଡକ ମୁଣ୍ଡକୁ ଧଇଲା କି ?’’

 

ମୂର୍ଚ୍ଛାଗତ ପ୍ରାୟ ହୋଇ ଟଗର ଅସ୍ପଷ୍ଟ ସ୍ଵରରେ କହିଲା—‘‘ମୁଣ୍ଡଟା କେମିତି ଘୂରେଇନଉଚି ।’’

 

ହାକିମାଣୀ ତରବର ହୋଇ ପାଣି ଲୋଟାଏ ଆଣିଦେଲେ । ମୁଣ୍ଡରେ ପାଣିଛଟାଏ ମାରି ଝିଅର ହାତକୁ ଧରି, ହାକିମାଣୀଙ୍କ ନିର୍ଦ୍ଦେଶମତେ ବଙ୍ଗଳା ଭିତର ଦେଇ ଟଗର ବାହାରିଗଲା-। ଟଗରର ଜୀବନ-ପୋଥିରେ ବନ୍ଦଥିବା ପୃଷ୍ଠା କେଇଟା ଆକସ୍ମିକ ଝଡ଼ରେ ଓଲଟପାଲଟ ହୋଇଗଲା । ସଙ୍ଗେ ସଙ୍ଗେ ମନେପଡ଼ିଲା କାଳ-କାଳର କଥା... ।

 

ଦୁଇ

 

ଡାକ୍ତରଖାନାକୁ ବାହାରିବା ପାଇଁ ଗୋଲାପ ଡାକ୍ତର ପୋଷାକ ପିନ୍ଧୁଛନ୍ତି । ପୁରୁଣା ଖାକି ପେଣ୍ଟର ଗୋଟିଏ ଫାଳର ବଟନ୍ ଆଉ ଗୋଟିଏ କଣାରେ ପଶେଇ ଟାଣୁଛନ୍ତି ତ ଟାଣୁଛନ୍ତି । କଣା କେଇଟା ବି ଫୁଙ୍ଗୁଳା ହୋଇଗଲେଣି; ଥରେ ଗଳେଇ ଦେଲେ ପୁଣି ବାହାରୁଛି । କମଳୀକୁ ଏଡ଼େ ସକାଳୁ ସକାଳୁ ଘର-ଦୁଆର-ମୁହଁରେ ଦେଖି ଆଶ୍ଚର୍ଯ୍ୟ ହୋଇ ପଚାରିଲେ—“କମଳୀ କିଲୋ ? ସକାଳୁ ସକାଳୁ ଯେ ? କିଏ ବେଣୀ ବାନ୍ଧିଦେଇଚି ? ବାଳ ବଢ଼ିବ ବୋଲି ବୋଧେ ମା’ ବାନ୍ଧିଦେଇଚି ?’’ ସବାଶେଷ ବଟନ୍‌ଟିକୁ ଟାଣିଟୁଣି ଲଗେଇ ମୁଣ୍ଡଟେକି କମଳୀକୁ ଚାହିଁ ପୁଣି ପଚାରିଲେ—‘‘ଗଣ୍ଠୁଲିରେ କ’ଣ କି ଲୋ ?’’

 

ମୁହଁରେ ଲାଜକୁଳିଆ ହସ ଫୁଟେଇ କମଳୀ ଗଣ୍ଠୁଲିଟିକୁ ନିଜର ପଛପାଖରେ ଧରି ରଖିଲା ।

 

—‘‘ଦେଖି, ଦେଖି କ’ଣ ଆଣିଚୁ ?’’ ଡାକ୍ତର ଏତକ କହି କହି କମଳୀର ପାଖକୁ ଆସି, ତାକୁ ଜାବୁଡ଼ି ଧରି ଗଣ୍ଠୁଲିଟି ନେଇନେଲେ । ଗଣ୍ଠୁଲି ଖୋଲିବା ସଙ୍ଗେ ସଙ୍ଗେ ବଡ଼ ବଡ଼ ତିନିଟା ବେଲ ତଳକୁ ଗଡ଼ିଗଲା । ସେଥିରୁ ଗୋଟାଏ ଉଠେଇ ନେଇ ଡାକ୍ତର ନିଜ ନାକ ପାଖରେ ଧରି, ଶୁଂଙ୍ଘି, ପାଚିଲାବେଲର ମହମହ ଗନ୍ଧରେ ଉତ୍‌ଫୁଲ୍ଲିତ ହେଲେ ।

 

ଗାମୁଛାଖଣ୍ଡ ତଳୁ ଉଠେଇ ନେଇ, କମଳୀ ହସି ହସି ଡାକ୍ତରଙ୍କ ଆଡ଼କୁ ଚାହିଁଲା । ମୁହଁ, ଆଖି ତା’ର ତୃପ୍ତିର ହସରେ ଅଧୀର ହୋଇପଡ଼ିଛି ।

 

ବେଲଟିକୁ ପାଦରେ ଖେଳି ଡାକ୍ତର ପଚାରିଲେ—‘‘ତୋ ପାଇଁ ଗୋଟାଏ ଘରେ ରଖିଛୁ ନା ନାହିଁ ଲୋ ?

 

—‘‘ଇହି... ଆମେ କଣ ବେଲ ଖାଉଁ କି ?’’ କହି କମଳୀ ଫେରିବାକୁ ବାହାରିଲା ।

 

—‘‘ଆଲୋ ହେ ହେ ଶୁଣିଯା, ଶୁଣିଯା; ପଣ୍ଡିତେ କହୁଥିଲେ ତୁ କୁଆଡ଼େ ବହୁତଦିନ ହେଲା ସ୍କୁଲକୁ ଆସୁନୁ ?’’

 

କମଳୀ କାନ୍ଦୁଣୁ-ମାନ୍ଦୁଣୁ ହୋଇ ଦୁଆରବନ୍ଧ ପାଖରେ ଚୁପ୍‌କିନା ଠିଆହୋଇ ରହିଲା ।

 

—‘‘କଣ ହେଲା, ସ୍କୁଲକୁ କାହିଁକି ଆସୁନୁ ? ଏଥର ପରୀକ୍ଷାରେ ଫାଷ୍ଟ ହେଲେ ସହର ବୁଲେଇନେବି କହିଥିଲି ନା ?’’

 

—‘‘ମା’ତ ସ୍କୁଲକୁ ଯିବାକୁ ମନାକରୁଚି ।’’ କଥାଟା କହି କମଳୀ ସୁଁ-ସୁଁ ହେଲା ।

 

—‘‘ମା’ ମନାକଲେ ? କଣ ହେଲା କି ? ତତେ ବି ତନ୍ତଶାଳରେ ଖଟେଇବେ ନା କଣ-?’’

 

—‘‘ଉଁ...ହୁଁ.... ।’’ କହିବ ନକହିବ ହୋଇ ଏତକ କହିଲା ।

 

—‘‘ଆଚ୍ଛା ଯା, ମୁଁ ଆଜିଯାଇ ମା’ଙ୍କୁ ପଚାରୁଚି—କାହିଁକି ତତେ ସ୍କୁଲରୁ ବାହାର କରି ନେଇଚନ୍ତି .... ।’’

 

ଟିକିଏ ରହି ପୁଣି ଡାକିଲେ—‘‘କମଳୀ ! ରହ, ଶୁଣିଯା, ପେନ୍‌ସିଲ ରଖିବାକୁ ଡବା ମାଗୁଥିଲୁ ନା ସେଦିନ, ନେ ଏଇଟା ନେ ।’’ କହି ଟେବୁଲ ଉପରେ ଥିବା ପୁରୁଣା ସିରିଞ୍ଜ ଡବାଟା ଦେଲେ ।

 

X X X

 

ପଛପାଖର ଅଗଣା ଖରିକି, ଗୋରୁଗାଈ କେଇଟାକୁ ଗୁହାଳୁ ମେଲି, ବାହାରେ ଖୁଣ୍ଟିରେ ବାନ୍ଧିଦେଇ, ଟଗର ବାଢ଼ଣୀଟା ନେଇ ସାମନାପଟ ଅଗଣା ଖରକିବ ବୋଲି ଆସି ଶୁଣିଲା ସେ ମଣ୍ଡଳର ସ୍ତ୍ରୀ ଆଙ୍ଗୁଳି ଫୁଟେଇ କାହାକୁ ସଁପାକଟା କରୁଛି । ଅଫିମ ଖାଇ ବେଳ ଦି’ଘଡ଼ି ଯାଏଁ ଶୋଇବା ମଣ୍ଡଳ ସ୍ତ୍ରୀର ଅଭ୍ୟାସ । ନିଦରୁ ଉଠିଲା ମାତ୍ରେ କିଛିନା କିଛିଆଳରେ ନିଜ ପୁଅଝିଅଙ୍କୁ ସଁପାକଟା କରି ସାଇ କମ୍ପାଇଦିଏ । ପୁରୁଣା ଅଭ୍ୟାସବଶରୁ ରଡ଼ାରଡ଼ି କରୁଛି ଭାବି ସେଆଡ଼କୁ ନ କାନେଇ ଟଗର ଖର୍‌ ଖର୍‌ ଅଗଣା ଖରିକିବାକୁ ଲାଗିଲା । କିନ୍ତୁ ଟଗରକୁ ଯେମିତି ଦେଖିଛି ସେମିତି ମଣ୍ଡଳଣୀର ପାଟି ଜୋର୍‌ ଜୋର୍‌ ହେଲା । ଟଗରର କୌତୂହଳ ବଢ଼ିଲାରୁ ସେ ମୁଣ୍ଡ ଟେକି ସେଆଡ଼କୁ ଚାହିଁଲା ଘଡ଼ିଏ ଛିଡ଼ାହୋଇ;—ମଝି ସୀମାନାର ତାଟିବାଡ଼ ପାଖକୁ ଆସି, ଟଗର ଆଡ଼କୁ ଅନେଇ ଅନେଇ ଅନର୍ଗଳ ଚିତ୍କାର ଛାଡ଼ିଛି ମଣ୍ଡଳଣୀ ।

 

—‘‘ହତଶିରୀ ହବୁ ଲୋ ବାଡ଼ିଖାଈ, ମଡ଼କରେ ଯିବୁ...ଇହି...ହି......ଏମିତି ଚୋରଣୀ ଝିଅଟା ! ମଲାଟାର ବେଲ ଆଶାରେ ରାତିଯାକ ନିଦ ହୁଏନ କି କଣ—ରାତି ଅଧିକରୁ ବେଲତକ ଗୋଟେଇ ନେଇ ପଳେଇଚି, ଚୋରଣୀଟା ! ଆଁ, ଦେଖ ଲୋ, ଟିକିଏ ବି ଡରଭୟ ନାହିଁ ? ହଉ ନେ—ନେ ଲୋ ଚୋରଣୀ; ବେଲ ନୁହେଁ ଯେ ବିଷ୍ଠା ଖାଇବୁ ।’’

 

ଲାଜ, ଅପମାନରେ ଟଗରର ଆଖିଦୁଇଟା ସତେ କି ଫାଡ଼ି ପଡ଼ି ଝରଝର ହୋଇ ପାଣି ଝରିବାକୁ ଲାଗିଲା । ହାତର ବାଢ଼ଣୀଟାକୁ ଧୀରେ ଧୀରେ ହାତରୁ ଖସେଇ, ଭିତରପଟକୁ ଯାଇ ‘କମଳୀ’ ! ‘କମଳୀ’ ! ବୋଲି ରଡ଼ିଛାଡ଼ିଲା ଟଗର । ମାତ୍ର କମଳୀର ସୁର ଶବଦ ନାହିଁ । ମା’ ସାଥିରେ ଏକାବେଳେ ଉଠିଥିଲା—ଏଡ଼େ ସକାଳୁ ସକାଳୁ ଗଲା କୁଆଡ଼ିକି ? ...ଓହୋ, ରାତି ଶୋଇଲାବେଳେ ଡାକ୍ତରଙ୍କୁ ବେଲ ନେଇ ଦବ ବୋଲି କହୁଥିଲା ପରା; ନିଶ୍ଚୟ ଡାକ୍ତର ପାଖକୁ ଯାଇଛି । ଡାକ୍ତର ସାଥିରେ ପୁଣି ତାର ଏଡ଼େ ଘନିଷ୍ଠତା ନା !

 

ଟଗର ଯେତେବେଳେ କମଳୀର ଗତିବିଧି କଥା ଭାବୁଚି ସେତିକିବେଳେ ପାଟିରେ ଉ...ଉ...ଉ...ଚିତ୍କାର କରି କରି, ଗାମୁଛାଖଣ୍ଡକୁ ଉଡ଼େଇ ଉଡ଼େଇ ରାସ୍ତାରେ ଦୌଡ଼ି ଆସୁଛି କମଳୀ-। ଅର୍ଗଳି ପାଖରେ ମା’ର ଉଗ୍ରମୂର୍ତ୍ତି ଦେଖି କମଳୀ ଥତମତ ହୋଇଗଲା; ଉନ୍ମାଦ ଫାଲ୍‌ଗୁନ ବତାସରେ କଅଁଳପତ୍ରର କମ୍ପନ ସୃଷ୍ଟି ହେଲା ପରି ଆତଙ୍କରେ ଥରଥର ହୋଇ କମ୍ପିବାକୁ ଲାଗିଲା କମଳୀ । ମା’ର ବାଘୁଣୀ-ଆଖିଆଡ଼କୁ ଅନେଇ ହଉନି; ସତେକି ନିଆଁ ହୁଳା !

 

ଟଗର ମୂହୁର୍ତ୍ତେ ଅପେକ୍ଷା ନକରି, କମଳୀର ବେଣୀଟାକୁ ଧରି, ‘ଚୋରଣୀ’ ଚିତ୍କାର କରି, ମଝି ଅଗଣାକୁ ଘୋଷାଡ଼ି ନେଇ ଗାଲରେ, ପିଠିରେ ଚଡ଼ଚଡ଼, ଗୁମ୍‌ଗୁମ୍‌ ବସେଇ ଦେଇଗଲା-। କମଳୀ ହାତରୁ ସିରିଞ୍ଜି-ଡବାଟା ଖସି ତଳେ ପଡ଼ିଗଲା ।

 

—‘‘ଆଉ ସକାଳୁ ଲୋକଙ୍କ ବାଡ଼ିରେ ପଶି ଢଙ୍ଗ୍‌ ଢଙ୍ଗ୍‌ ବୁଲିବୁ, ନା ?’’ କଥା ସଙ୍ଗେ ସଙ୍ଗେ ପୁଣି ଗୁମ୍‌ ଗୁମ୍‌ ।

 

ମଣ୍ଡଳର ସ୍ତ୍ରୀ ସେ ଯାଏଁ ରଡ଼ୁଥିଲା । ଦୋଷର ଅନୁପାତରେ ଦଣ୍ଡ ଗୁରୁତର ହେବା ଦେଖି କହିଲା— ‘‘ଆଲୋ, ହେଲା ଲୋ ହେଲା, ଆଜି ଛାଡ଼ି ଦେ ।’’

 

—‘‘ଛାଡ଼ିବି କାହିଁକି ? ଏଇ ମଲେ ଯାଇ ମୁଁ ଶାନ୍ତି ପାଇବି । ଆଜି ତାକୁ ରକ୍ତଝୋଳ ନକରି ମୁଁ ଛାଡ଼ୁନି । ନିଆଁଲାଗିର ବେଲ-ସାଉଁଟାରେ ଆଜି ମୁଦା ମାରିବି......ମାରିବି, ମାରିବି ।’’

 

ମାଷ୍ଟ୍ରାଣୀର ରାଗର ତୋଡ଼ ଦେଖି ମଣ୍ଡଳଣୀ ଧୀରେ ଖସିଲା; ପାଖରେ ଛିଡ଼ା ହୋଇଥିବା କପାହୀ ଏବଂ ସେଣପାହୀ ବି ବିରିମାଡ଼ ଦେଖି କୋଳଥ ଚୋପା ହେଲା ପରି ଭୟରେ ଭିତରେ ପଶିଲେ ।

 

ପାଗଳୀ ପରି ଅକସ୍ମାତ ବାଳଗୋଛାକ ଧରି ମା’ କାହିଁକି ତାକୁ ଘୋଷାଡ଼ିନେଲା, ପ୍ରଥମ ଅବସ୍ଥାରେ କମଳୀ ଆଦୌ ବୁଝିପାରିଲା ନାହିଁ । ତା’ପରେ ତ ଗୁମ୍‌ ଗାମ୍‌ । ଭୟ ଆତଙ୍କରେ ବିଚାରୀର ତଣ୍ଟି ଶୁଖିଗଲା । ମୁଖରେ ତାର ନାହିଁ କାନ୍ଦ, ଆଖିରେ ବି ନାହିଁ ଲୁହ; ଅବା ଦୌଡ଼ି ପଳେଇ ମା’ଠୁ ରକ୍ଷା ପାଇବାର ପ୍ରୟାସ ନାହିଁ । କେବଳ ଅବୋଧ ପଶୁ ପରି ଅସହାୟ ଭାବରେ ମା’ର ମୁହଁକୁ ଅନେଇ ରହିଲା । ଝିଅର ଭୟ-ବିହ୍ଵଳ ଆଖି ଦିଟାରେ ହଠାତ୍‌ ଟଗରର ଦୃଷ୍ଟି ପଡ଼ିଲା-। ଠିକ୍‌ ଯେମିତି ମୃତ୍ୟୁ ସମୟରେ ଧରଣୀର ବିବର୍ଣ୍ଣ ମୁହଁଖଣ୍ଡିକ—ସେଇ ନିସ୍ତେଜ ଚକ୍ଷୁର ମଣି ଦି’ଟା । ...ଆପେ ଆପେ ଟଗରର ହାତମୁଠାରୁ ଝିଅର ବେଣୀ ଖସିପଡ଼ିଲା । ଟଗର ଆଉ ରହିପାରିଲାନି ସେଠି । ତରବରରେ ଘର ଭିତରେ ପଶି, ବିଛଣାରେ ପଡ଼ି, ଦୁଃଖ-ଅଭିମାନରେ ଫୁଲି ଫୁଲି କାନ୍ଦିବାକୁ ଲାଗିଲା । ମଝିରେ ମଝିରେ ଅସ୍ପଷ୍ଟ ବାହୁନାସ୍ଵର ଶୁଭୁଥିଲା—‘‘ହେ ପ୍ରଭୋ-! ଆମକୁ ଉଚ୍ଛନ୍ନ କରିଦିଅ—ମାରିଦିଅ ଆମ ଦି’ଟାକୁ—କେତେ କଷ୍ଟ ଆଉ ଦବ ବୋଲି ମତେ ବଞ୍ଚେଇ ରଖିଚ ପ୍ରଭୋ ! ମାରିଦିଅ ପ୍ରଭୋ ! ମାରିଦିଅ ।’’

 

ସେଦିନ ଦିନଟା ସାରା କମଳୀକୁ ବୁକୁରେ ଚାପି ଧରି, କାନ୍ଦିକାଟି ଅନାହାରରେ ବିଛଣାରେ ଏକଡ଼ ସେକଡ଼ ହୋଇ କଟେଇଲା ଟଗର ।

 

ତିନି

 

ଅପରାହ୍‌ଣ । ଅଫିସରୁ ଫେରି କମଳା-ହାକିମ ଚାହା ଖାଇ ବସିଛନ୍ତି । ପାଖରେ ସ୍ତ୍ରୀ ସୁପ୍ରଭା ଟେବୁଲକ୍ଳଥ୍‌ଟାଏରେ ଏମ୍ୱ୍ରୟୋଡ଼ରୀ କରୁଛି । ହାକିମ ଚିନ୍ତାଗ୍ରସ୍ତ । ଚାହାର ପ୍ରତିଟି ଢୋକ ସଙ୍ଗେ ସଙ୍ଗେ ଗୋଟାଏ ଗୋଟାଏ ଚିନ୍ତାର ସମାଧାନ କଥା ଭାବୁଛନ୍ତି । କାଛିମାରି-ମୌଜାର ଗ୍ରେଜିଂ-ରିଜର୍ଭଟି ଇମିଗ୍ରେଣ୍ଟସ୍‌ ପାଇଁ ମୁକ୍ତ କରିଦେବା ଉଚିତ ବୋଲି ଜିଲ୍ଲାର ଡେପୁଟି କମିସନର ବେଭିନ୍‌ ସାହେବଙ୍କ ନିକଟକୁ ନୋଟଟାଏ ଲେଖି ପଠାଇଥିଲେ । ଯୁକ୍ତି ହେଲା—ଲୋକେ ଆଜିକାଲି ସେଇ ରିଜର୍ଭରେ ଗୋରୁଗାଈ ଚରାନ୍ତି ନାହିଁ; ଜାଗାଟି ‘ଆବାଦ’ ନହେଇ ପଡ଼ିଆ ପଡ଼ିଥିବାରୁ ଗଭର୍ଣ୍ଣମେଣ୍ଟଙ୍କ ରେଭିନ୍ୟୁ ଲୋକସାନ ହେଉଛି । ଗଭର୍ଣ୍ଣମେଣ୍ଟର ରାଜସ୍ଵ ବଢ଼େଇବା ଉପାୟର ସଙ୍କେତ ଦେଲେ କଲେକ୍‌ଟରମାନେ କମିସନରଙ୍କଠାରୁ ପ୍ରଶଂସା ପାଆନ୍ତି; ପଦୋନ୍ନତି ବି ଘଟେ । ରିଜର୍ଭଟା ମୁକ୍ତ କଲେ କାହାକୁ କେତେ ଜମି ଦିଆହେବ ତାର ଏକ ଭିତିରିଆ ହିସାବର ଲିଷ୍ଟ୍‌ କରି ରଖିଥିଲେ । କମଳା-ହାକିମ । କିନ୍ତୁ ଅବିବେଚକ ରେଭିନ୍ୟୁ ସାହେବ ଫାଇଲ୍‌ଟି ଫେରେଇଦେଲେ । ଉପରନ୍ତୁ, ନିଜେ ଜଣେ ଅସମୀୟା-ଅଫିସର ହୋଇ ପୁରୁଣା ଲାଲୁଂ ଗାଁ ପାଖରେ ମଇମନସିଂହିଆ ଇମିଗ୍ରେଣ୍ଟସ୍‌ଙ୍କୁ ବସେଇ ଚିରଦିନ ପାଇଁ ହଣା-ମରା-କଟା ଇତ୍ୟାଦି ବାଦ-ବିସମ୍ବାଦ, ଦଙ୍ଗା-ହଙ୍ଗାମା ସୃଷ୍ଟିର ଯୋଜନା କରିଛନ୍ତି ବୋଲି କମଳା-ହାକିମଙ୍କୁ ବିବେକହୀନ କର୍ମଚାରୀ ବୋଲି କମିସନର ସାହେବ ମନ୍ତବ୍ୟ ଦେଇଛନ୍ତି ଏବଂ ଭବିଷ୍ୟତରେ ଯେପରି ଏକ ଅଯାଚିତ ସ୍କିମରେ ସେ ମୁଣ୍ଡ ନପୂରାନ୍ତୁ, ସେଥିପାଇଁ ୱାର୍ଣ୍ଣିଂ ମଧ୍ୟ ଦେଇଛନ୍ତି ।

 

କମଳା-ହାକିମ,ସାରା ଘଟଣାଟାର ଆଦ୍ୟ ପ୍ରାନ୍ତ ଜପ କରିବାରେ ମଗ୍ନ । ଇଂରେଜ ଡେପୁଟି କମିସନରଙ୍କ ଅସମୀୟା ଲୋକଙ୍କ ପାଇଁ ହଠାତ୍‌ ଏତେ ମମତା ହେଲା ନା ? କେହି ନା କେହି ୟା ଭିତରେ ଅଛି ନିଶ୍ଚୟ । ମଙ୍ଗଳବାର ଦିନ ଟାଉନକୁ ଯାଉଁ ଯାଉଁ ରବିନକାନୁନ୍‌ଗୋଙ୍କୁ ଟଙ୍କେଶ୍ୱର-ଓକିଲ କୁଆଡ଼େ କଥାଟା ପଚାରୁଥିଲେ...ସେ ଲୋକଟା କାହିଁକି ଉଡ଼ନ୍ତା ଗଛର ସନ୍ଧାନ କରିବୁଲେ ? ଅବ୍ୟାପାରେଷୁ...ନିଶ୍ଚୟ କୌଣସି ଓକିଲଙ୍କ ପରାମର୍ଶ ନେଇ ଡି. ସି. ଏପରି ଲେଖିଛନ୍ତି । ପର-ଧନରେ ଧନୀ, ଉଜାଣି-ପାଣିରେ ଗତାଗତ—ଓକିଲଙ୍କ ଦାଉରେ କୌଣସି ଭଲ ସ୍କିମ୍‌ ହାତକୁ ନେଇହୁଏନା...ପ୍ରାକ୍‌ଟିସ୍‌ ଆଡ଼ୁ ନଦାରଦ—କଚେରିରେ ବସି ପରର ମହକିଲଠୁ ସିଗାରେଟ୍‌ ମାଗି, କାହାକୁ ମାରିବେ କାହାକୁ ତରିବେ ସେୟା ସେମାନଙ୍କର ଚିନ୍ତା...ସେଇମାନେ ହିଁ ଦେଶର ନେତା—ଦେଶ ଉଦ୍ଧାରକ । ଗଭର୍ଣ୍ଣମେଣ୍ଟର ଯାବତୀୟ ପଲିସି ଏଇ ଓକିଲ-ପଞ୍ଝା ହିଁ ପଣ୍ଡ କରନ୍ତି । ସେଦିନ ସେମିତି ରଜତ ପ୍ରଧାନଙ୍କ ଜମିବାଡ଼ି ସଂକ୍ରାନ୍ତୀୟ ମକଦ୍ଦମାରେ ସାକ୍ଷୀ ଦେଲାବେଳେ ଜେରା କରି ଓପନ୍‌-କୋର୍ଟରେ ମତି-ଓକିଲ କମ୍‌ ଲଘୁ-ଲାଞ୍ଛନା କରିଥିଲା ? ଇସ୍‌...ସେଥିରେ ପୁଣି ଓକିଲ-ସଦସ୍ୟଙ୍କ ସଂଖ୍ୟା ଗରିଷ୍ଠ ।

 

ଡେପୁଟି କମିସନରଙ୍କ ଉପରେ ଉଠୁଥିବା ରାଗକୁ ଓକିଲଙ୍କ ଭଣ୍ଡାମି ଉପରେ ଥୋଇ କମଳାକାନ୍ତ ମନର ଗ୍ଳାନିର ମୋଡ଼ ବୁଲେଇ ମନକୁ ଶାନ୍ତ କରିବାକୁ ଚାହିଁଲା । ଚାହା କପ୍‌ରେ ଦୀର୍ଘ ସୁଡ଼ୁକା ମାରି ସୁପ୍ରଭା ଆଡ଼କୁ ଅନେଇ କହିଲା—‘‘ମୋର ତ ଆଉ କପେ ଚାହା ଲାଗିବ ହୋ-!’’

 

ଏମ୍ବ୍ରୟୋଡରୀର ଚନ୍ଦ୍ରାକୃତି କାଠଫ୍ରେମ୍‌ରୁ ମୁଣ୍ଡ ଉଠେଇ ଦୁଆର ଆଡ଼କୁ ମୁହଁ ବୁଲେଇ ସୁପ୍ରଭା ପାଟି କଲା—‘‘ପୂଜାରୀ ! ବାବୁଙ୍କ ପାଇଁ ଆଉ କପେ ଚା’ ନେଇଆସ ତ ।’’

 

ଛୁଞ୍ଚିର କଣାରେ ଭର୍ତ୍ତି କରିବାକୁ ଶୁଆ-ପକ୍ଷିଆ ରଙ୍ଗସୂତାର ଆଗକୁ ଦାନ୍ତରେ ଛିଣ୍ଡେଇ ତୀକ୍ଷ୍‌ଣ କରି ସ୍ୱାମୀଙ୍କ ଆଡ଼କୁ ଚାହିଁ ସୁପ୍ରଭା ପଚାରିଲା—‘‘ଆଜିତ କାହିଁକି ମୁହଁକୁ ହାଣ୍ଡିଟାଏ କରିଛ-? କୌଣସି ମଣ୍ଡଳର ମୁଣ୍ଡକାଟ କରେଇ ଆସିଛ କି ?’’ ସୂତାର ଅଗକୁ ଆଙ୍ଗୁଳିରେ ବଳି, ଛୁଞ୍ଚିରେ ଭର୍ତ୍ତି କରିବାକୁ ଚେଷ୍ଟାକରି ସୁପ୍ରଭା ମୁହଁ ତଳକୁ କଲା ।

 

କମଳାକାନ୍ତର ବିଶ୍ଵାସ—ସ୍ତ୍ରୀ ତା’ର ସବ୍‌ଡେପୁଟି ଚାକିରିଟାକୁ ଘୃଣା କରେ । ଫଳତଃ ଚାକିରି ସଂକ୍ରାନ୍ତୀୟ ସୁଖଦୁଃଖର ବିଷୟ ସୁପ୍ରଭା ଆଗରେ ବଖାଣିବାକୁ ତା’ର ସର୍ବଦା ସଙ୍କୋଚ । ହଠାତ୍‌ କେବେ କେମିତି କଥାଟା ପକେଇଲେ ବି ସହାନୁଭୂତି ସମବେଦନା ପରିର୍ବତ୍ତେ ଥଟ୍ଟା, ପରିହାସ ହିଁ ତା’ ଭାଗ୍ୟରେ ଯୁଟେ । ଅବଜ୍ଞାସ୍ଵରରେ ପଚାରିଥିବା ସ୍ତ୍ରୀଙ୍କ ପ୍ରଶ୍ନଟାର କୌଣସି ଉତ୍ତର ନ ଦେଇ ଓଲଟି କମଳାକାନ୍ତ ପ୍ରଶ୍ନ କଲା—‘‘ସେଇଟା କ’ଣ କରୁଚ ?’’

 

—‘‘ଟେବୁଲ କ୍ଳଥ୍ । ସାନଭାଇଙ୍କ ପାଇଁ ।’’

 

ଇତିମଧ୍ୟରେ ପୂଜାରୀ ଟୋକାଟା ଚାହା-କପ୍‌ଟାଏ ଟେବୁଲ ଉପରେ ଥୋଇ ଚାଲିଯିବାକୁ ବାହାରୁଛି, ସୁପ୍ରଭା ତା’କୁ ନିର୍ଦ୍ଦେଶ ସ୍ଵରରେ କହିଲା—“ପୂଜାରୀ, ପାଣି କେଟୁଲୀଟା ଚୁଲିରେ ବସେଇଦବ । ମୋ ଜଳଖିଆ ‘ମିଡ଼-ସେଫ’ରେ ରଖିଦବ । ମୁଁ ଗାଧୁଆ-ପାଧୁଆ ସାରିଲେ ଚା ଖାଇଵି । …ହଁ, ଆଉ ଶୁଣ, ତୁମେ ଟିକେ ବାଟକୁ ଯାଇ ପିଲାମାନଙ୍କୁ ଦେଖିଆସ । ପମିଳା ସାଙ୍ଗରେ ଯାଇଚି; ପିଲାଙ୍କୁ ଛାଡ଼ି ସେ ଯେ କୁଆଡ଼ିକି ଯାଇ ବୁଲୁଥିବ ଠିକ୍‌ ନାହିଁ ।’’

 

ପମିଳାର ମା’-ବାପାଦିଆ ନାଁଟା ‘ପେଚୀ’ । କିନ୍ତୁ ଏପରି ଶ୍ରୁତିକଟୁ—କୁରୁଚି ନାଁ । ହାକିମଙ୍କ ଘରେ ଅଚଳ । ହେଲେ ବି ପୈତୃକ ନାଁଟାରେ ମମତା ଅଛି; ପିଲାଟି ଦିନରୁ ଶୁଣି ଶୁଣି ସେଥିପ୍ରତି ଆସକ୍ତି ଜନ୍ମିଛି ‘ପେଚୀ’ର । ହାକିମାଣୀ ହଠାତ୍‌ ନାଁଟା ବଦଳେଇଦେବାରୁ ନିରୋଳାରେ ବହୁଦିନ ଆଖିରୁ ଲୁହ ଗଡ଼େଇଥିଲା ପେଚୀ । ପ୍ରଥମ ଦିନେ ଦୁଇଦିନ ‘ପମିଳା’ ବୋଲି ଡାକିଲେ କାହାକୁ ଡାକୁଛନ୍ତି ବୋଲି ଛଳନା କରି ଉତ୍ତର ଦଉନଥିଲା । ପ୍ରଥମ ଥର ବାପ ଦେଖାକରିବାକୁ ଆସିଲାରୁ ଏଇ କଥା କହି କାନ୍ଦିକାଟି ବାପ ସାଙ୍ଗରେ ଘରକୁ ପଳେଇବ ବୋଲି ବାହାରିଥିଲା । କିନ୍ତୁ, ଆଗତୁରା ଧନ ନେଇ ବାପ ଚୁକ୍ତିପତ୍ର ଲେଖେଇ ‘ସ୍ଥାୟୀ-ବନ୍ଦୋବସ୍ତ’ରେ ଝିଅକୁ ରଖେଇଛି–ହଠାତ୍‌ ନେ ବୋଲି କହିଲେ ନଉଛି କେତେକ ? ଯାହା ହଉ ସମୟ ଅତିବାହିତ ହେବା ସଙ୍ଗେ ସଙ୍ଗେ ନୂତନ ନାଁଟା ଶୁଣି ଶୁଣି ପେଚୀର ଦେହସୁହା ହେଲାଣି । କେତେବେଳେ କେମିତି ପ...ମି...ଳା ନାଁଟାକୁ ନିଜେ ନିଜେ ଲମ୍ବେଇ ଉଚ୍ଚାରଣ କରି କୌତୁକରେ କୁରୁକୁରୁ ହେଇ ହସେ-

 

—‘‘ବେଳ ଥାଉଁ ଥାଉଁ ପିଲାଗୁଡ଼ାଙ୍କୁ ବୁଲେଇ ପଠେଇଦେଲନା ?’’—ଅଫିସରୁ ଫେରି ପିଲାଙ୍କ ସହିତ ହସ କଉତୁକ କରିବାକୁ କମଳାକାନ୍ତର ଭାରି ଇଚ୍ଛା; ସୁପ୍ରଭା କିନ୍ତୁ ସେଇ ଦୃଶ୍ୟଟା ସହିପାରେନା । କାରଣ ସୁପ୍ରଭା ନିଜେ ପିଲାଛୁଆଙ୍କୁ କୋଳରେ ପୂରେଇବାକୁ ଭଲପାଏନା । ଚାକିରି, ପୁଝାରିଙ୍କ ହାତରେ ପିଲାଏ ବଢ଼ିଛନ୍ତି ।

 

ତଥାପି ସ୍ଵାମୀଙ୍କ କଥାର ଉତ୍ତର ଦେବାକୁ ଯାଇ ସୁପ୍ରଭା ଉତ୍ତର ଦେଲା—‘‘ସାରାଦିନ କୋଳରେ ପୂରେଇ ସେମାନଙ୍କୁ ନଚଉଥିଲେ ଭଲ ହୁଅନ୍ତା, ନା ? ...ଝିଅଟା ପାଇଁ ‘ପାରାମ୍ବୁଲେଟର’ଟାଏ ଆଣିବାକୁ କହିଲି ଯେ, କହିଲ କ’ଣ ନା ଆସନ୍ତା ମାସରେ କିଣିବା । କେବେ ସେଇ ଆସନ୍ତା ମାସ ତମପାଇଁ ଆସିବ କେଜାଣି !’’ କଥାଟା ବିରକ୍ତିମିଶା ସ୍ଵରରେ କହି, ଛୁଞ୍ଚିଟା ଫ୍ରେମ୍‌ଲଗା କନା ଉପରେ ରଖି ସ୍ଵାମୀଙ୍କ ମୁହଁକୁ ଅନେଇ ରହିଲା ।

 

ଚଉକିରେ ଦେହଟାକୁ ଆରାମରେ ଛାଡ଼ିଦେଇ ନିର୍ବିକାର ଭାବରେ କମଳାକାନ୍ତ କହିଲା–‘‘ଗୋଟାଏ ପଛରେ ଗୋଟାଏ ଅସୁବିଧା ତ ଲାଗିରହିଛ, ଦେଖୁଚ । ସେଦିନ ମୋର ମୁଦିଟା ସାଥୀରେ ଦୁଇକୋଡ଼ି ଟଙ୍କା ବି ଚୋର ନେଲା । ଇନ୍‌ସୁରେନ୍‌ସ ପ୍ରିମିୟମ ଦେଇ ଏ ମାସରେ ଚଳିବା, ଦେଖୁଚି କଷ୍ଟ ହେବ ।’’

 

—‘‘ତମ ଦରମା ଟଙ୍କା ଉପରେ ନିର୍ଭର କରି ବାପା ଯଦି ମତେ ବାହା ଦେଇଥାନ୍ତେ, କେବେଠୁ ଶଙ୍କରଙ୍କ ସାଥୀରେ ପାର୍ବତୀ ସାଜିସାରନ୍ତିଣି...ମତେ ଏବେ କିଛି ନଦେଲ ନାହଁ, ପୁଅଝିଅଙ୍କ ପାଇଁ କେତେବେଳେ ଭଲ ଜିନିଷଟାଏ ଆଣି ଦେଇଚ ବୋଲି କହିପାରିବନା ଆଗ ?’’

 

ସୁଖେଷୁ-ଦୁଃଖେଷୁ-ଅନୁଦ୍‌ବିଘ୍ନମନା କମଳାକାନ୍ତ ନିର୍ବୋଧ ପରି ହସି ହସି କହିଲା–‘‘ଦେ’ କହିଦେଲା ମାତ୍ରେ ମାଗିବା ଜିନିଷ ପିଲାଙ୍କୁ ଦେଇ ସେମାନଙ୍କୁ ଅଳସୁଆ କରିପକେଇବ । ବିପଜ୍ଜନକ ନୁହେଁ କି ?’’

 

—‘‘ଭବିଷ୍ୟତ ବିପଦର ଆଶଙ୍କାରେ, ବର୍ତ୍ତମାନ ହେଭି-ଇନସୁରେନ୍‌ସ କରି ପ୍ରଭିଡେଣ୍ଡ ଫଣ୍ଡରେ ଦରମାର ଅଧା ଜମାଦେଇ ଯିଏ ନଖାଇ, ନପିଇ ମରିବାକୁ ଚାହେଁ, ତା’ର ପୁଣି ବର୍ତ୍ତମାନ ଏବଂ ଭବିଷ୍ୟତ, ଉଭୟଟା ବିପଜ୍ଜନକ ନୁହେଁ କି ?’’

 

—‘‘ନଖାଇ, ନପିଇ ଶୁଖି ଶୁଖି ମରିବା କଥା ଅଲଗା ଏବଂ ଅପବ୍ୟବହାରର କଥା ଅଲଗା କିନ୍ତୁ ।’’

—‘‘ଅପବ୍ୟୟ ଗରିବ ପାଇଁ ଅପଯଶ ହୋଇପାରେ; ଧନୀର ଅପବ୍ୟୟରେ ଆନନ୍ଦ ଅଛି-। ଭୋଗରେ ଆନନ୍ଦ ଯାହାର ଅଛି, ଅପବ୍ୟୟର ଆନନ୍ଦ କେବଳ ସେ ହିଁ ଉପଲବ୍‌ଧି କରେ-। ଦରିଦ୍ରର ଭୋଗ ନାହିଁ କି ତ୍ୟାଗ ନାହିଁ ।’’ ଯୁକ୍ତିଟି ଅବଶ୍ୟ ରବୀନ୍ଦ୍ରନାଥଙ୍କର । ମୁଖସ୍ଥ କଲାଭଳି ସୁପ୍ରଭା କହିଗଲା ।

 

—‘‘ଦରିଦ୍ରକୁ ଯେତେ ଉପହାସ କରିନା କାହିଁକି, ଦାରିଦ୍ର୍ୟରେ ହିଁ ମଣିଷର ପ୍ରକୃତ ଶିକ୍ଷା, ଚରିତ୍ର ଗଢ଼ି ଉଠେ । ଭାବି ଦେଖୁନ, କାହିଁକି ବୁଦ୍ଧଦେବ, ଅଶୋକ, ମହାତ୍ମା ଗାନ୍ଧୀ ନିଜ ନିଜ ଇଚ୍ଛାରେ ଦାରିଦ୍ର୍ୟକୁ ବରଣ... ।’’

 

କମଳାକାନ୍ତକୁ କଥା ସମ୍ପୂର୍ଣ୍ଣ, କରିବାକୁ ନ ଦେଇ ସୁପ୍ରଭା କହିବାକୁ ଆରମ୍ଭ କଲା—‘‘ଏକା ମହାତ୍ମା ଗାନ୍ଧୀଙ୍କଠାରେ ଶେଷ କଲ କାହିଁକି ? ବାକିମାନଙ୍କର ନାଁ ଯଦି ମନେ ନ ପଡ଼ୁଚି ମୁଁ ମନେ ପକେଇଦଉଚି—ମୋତିଲାଲ୍‌ ନେହରୁ,ଜବାହାରଲାଲ, ସି. ଆର. ଦାସ, ତରୁଣ ଫୁକନ୍‌ ବଦ୍ଦଲୌ, କମଳାକାନ୍ତ—ମାଟିର ହାକିମ...’’

 

ସକରୁଣ ଦୃଷ୍ଟିରେ ଅନେଇ କମଳାକାନ୍ତ କହିଲା—‘‘ମତେ ଥଟ୍ଟା କରୁଚ ?’’

 

—‘‘ଥଟ୍ଟା ନକରି ରହିପାରୁଚି କିପରି ? ଯେଉଁମାନଙ୍କର ନାମ ଉଚ୍ଚାରଣ କରିଗଲ, ସେମାନଙ୍କ ଭିତରୁ ଜଣେ ବି ଦାରିଦ୍ର୍ୟ ଭିତରେ ବଢ଼ିଚନ୍ତି କି ? ପ୍ରତ୍ୟେକେ ସୁନା-ଚାମଚରେ ଦୁଧ ପିଇ ବଢ଼ିଚନ୍ତି । ଆଉ ଶିକ୍ଷାକଥା କହୁଚ ? ଅବଶ୍ୟ ସେମାନଙ୍କ ଭିତରୁ କେହି ବି କଟନ-କଲେଜରୁ ବି. ଏ. ପାଶ୍‌ କରିନଥିଲେ । ସମସ୍ତେ ବିଲାତରେ ପଢ଼ି ଡିଗ୍ରୀ ହାସଲ କରିଥିଲେ ।’’

 

ଟେବୁଲ ଉପରେ ଥିବା ଡାହାଣ ହାତ ଉପରେ ମୁଣ୍ଡ ରଖି କମଳାକାନ୍ତ, ନିର୍ଲଜ୍ଜ ଭାବରେ ସ୍ତ୍ରୀର ବକ୍ତୃତା ଶୁଣୁଥିଲା । ସୁପ୍ରଭା ସହିତ ଯୁକ୍ତି କରିବାକୁ ତା’ର ଆଗ୍ରହ ନାହିଁ—ନାହଁ ବି ସାହସ । କହୁ କହୁ କଣ ଯଦି କହିଦବ, କାନ୍ଦିକାଟି ଦୁଇଦିନ ଓପାସ; କାକୁତି ମିନତି କରି, ହାତଗୋଡ଼ ଧରି, ଚାକରବାକରଙ୍କ ଆଗରେ ଲଘୁ-ଲାଞ୍ଛନା ପାଇବା ସାର ହେବ ।

 

ସୁପ୍ରଭାର କ୍ରୋଧଜନିତ କାର୍ଯ୍ୟକଳାପ ସମ୍ବନ୍ଧରେ, ବାହାଘର ପରବର୍ଷର ଗୋଟିଏ ଘଟଣା କମଳାକାନ୍ତର ମନେପଡ଼ିଯାଏ । ...ସେତେବେଳେ କମଳାକାନ୍ତ ଜାଁଜିରେ ସର୍କଲ ଅଫିସର-। ସୁପ୍ରଭାର ସମ୍ପର୍କୀୟାଙ୍କ ଜଣେ ଝିଅର ବାହାଘର ହେବାର ଥାଏ ଜୋରହାଟରେ । ସେଇ ବାହାଘରେ ଯୋଗଦେବାକୁ ଯିବାପାଇଁ ମଟର ଖଣ୍ଡେ ବ୍ୟବସ୍ଥା କରିବାକୁ ସୁପ୍ରଭା ଆଗତୁରା କମଳାକାନ୍ତକୁ କହି ରଖିଥିଲା । କମଳାକାନ୍ତ ବି ଯଥା ସମୟରେ ଜୋରହାଟ୍‌ର ଜଣେ ଟାକ୍‌ସି-ମାଲିକଙ୍କୁ କଥାଟା କହିଥିଲା । ବାହାଘର-ଦିନ ସକାଳେ ଖାଇପିଇ, ବେଶଭୂଷା ହୋଇ ସୁପ୍ରଭା ମଟର ଆସିବା ବାଟକୁ ଚାହିଁରହିଲା । ଦଶ ବାଜିଲା, ବାର ବାଜିଲା, ଗୋଟାଏ ବାଜିଲା–ମଟରର ସୂଚନା ନାହିଁ । ପାଗକୁ ବିଶ୍ଵାସ କରାଯାଇପାରେ, କିନ୍ତୁ ମଟରକୁ ନୁହେଁ । ଅଗତ୍ୟା କମଳାକାନ୍ତ ନିଜର ସାଇକେଲ୍‌ଟି ଦେଇ ମଣ୍ଡଳ ଜଣଙ୍କୁ ଜୋରହାଟ ପଠାଇଲା । ଯେତେ ଭଡ଼ା ପଡ଼ିବ ପଡ଼ୁ–ଟାକ୍‌ସି ଖଣ୍ଡେ ବନ୍ଦୋବସ୍ତ କରି ରାତି ହଉ ବରଂ, ଆଣିବାକୁ ପଡ଼ିବ । ଜଣେ ମଟରଥିବା-ବନ୍ଧୁଙ୍କ ପାଖକୁ ମଧ୍ୟ ଚିଠିଟାଏ ଲେଖିଲା କମଳାକାନ୍ତ ।

 

—ଜୋରହାଟରେ ଟ୍ୟାକ୍‌ସି ମିଳିବା କଷ୍ଟ । ଆଗରୁ ବନ୍ଦୋବସ୍ତ କରାଯାଇଥିବା ଟ୍ୟାକ୍‌ସିର ବ୍ରେକ୍‌ଗିଅର୍‌, ଅଚଳ ହୋଇ ଗ୍ୟାରେଜରେ ପଡ଼ିଛି । ଟ୍ୟାକ୍‌ସି ମାଲିକର ବାକି ଟ୍ୟାକ୍‌ସିଗୁଡ଼ିକ ଟାଉନ୍‌ରେ ଭଡ଼ା ଲାଗିଛି ।—ବନ୍ଧୁଙ୍କ ମଟରର ଡ୍ରାଇଭର ନାହିଁ । ମଣ୍ଡଳ ହୁଏତ ଡ୍ରାଇଭର ଜଣଙ୍କୁ ଖୋଜି ଆଣିପାରନ୍ତେ; କିନ୍ତୁ ଗାଡ଼ିମାଲିକ କୁଆଡ଼େ ଯିଏ ସିଏ ଡ୍ରାଇଭର ହାତରେ ଗାଡ଼ି ଦିଅନ୍ତି ନାହିଁ । ଅଗତ୍ୟା କର୍ମକ୍ଳାନ୍ତ ମଣ୍ଡଳଜଣକ ରାତିରେ ଫେରିଲେ ନାସ୍ତିବାଣୀ ନେଇ—ମଟର ମିଳିଲା ନାହିଁ ।

 

—ସମ୍ବାଦଟା ଶୁଣୁଶୁଣ ସୁପ୍ରଭା ଅସ୍ଵାଭାବିକ ସ୍ଵରରେ ଚିତ୍କାର କରି କରି ବିଭତ୍ସ ଭଙ୍ଗୀରେ କମଳାକାନ୍ତର ଅକର୍ମଣ୍ୟତାକୁ ଧିକ୍‌କାରି ଲାଗିଲା । —ରାଗରେ କଣ ନାହିଁ କଣ ହୋଇ ଗଳାର ଚେନ୍‌କୁ ଟାଣି ଛିଣ୍ତେଇ ପକେଇଲା; ଦେହର ବନାରସୀ-ଚାଦରକୁ ଦାନ୍ତରେ କାମୁଡ଼ି କାମୁଡ଼ି ଟୁକୁରା ଟୁକୁରା କରିପକେଇଲା; ଜୋରରେ ଟେବୁଲରୁ ଚାଦରଖଣ୍ଡିକ ଟାଣିଆଣି ଗୁଡ଼ିଆ-ଗୁଡ଼ି କରି ଫୋପାଡ଼ିଦେଲା ଆଉ ସେଇ ଧାପରେ ଟେବୁଲ ଉପରର ଫୁଲଦାନି ଦୁଇଟି ତଳେ ପଡ଼ି ଠନ୍‌ ଠନ୍‌ ହେଇ ଗଡ଼ିବାକୁ ଲାଗିଲେ—ସାରା ଦେହଟାରେ ତାର ଉନ୍ମାଦର ଲକ୍ଷଣ; ମୁଣ୍ଡବାଳକୁ ଟାଣି, ଓଟାରି, ଛିଣ୍ଡେଇ ଫୁଲି ଫୁଲି କାନ୍ଦିବାକୁ ଲାଗିଲା—ସେଦିନ, ଉତ୍ତେଜନାରେ କ୍ଳାନ୍ତ ହୋଇ ଶୋଇ ନପଡ଼ିବା ଯାଏଁ କେହି ସୁପ୍ରଭାର ପାଖ ପଶିବାକୁ ସାହସ କରି ନଥିଲେ । ...ସୁପ୍ରଭାର କ୍ରୋଧ, ନାଗସାପର ବିଷଠୁ ବଳି ଉତ୍କଟତର ।

 

ସେଇ ଦୃଶ୍ୟର ସ୍ମରଣରେ କମଳାକାନ୍ତର ଦେହ ଆଜି ଶୀତେଇଉଠିଲା । କଥାର ସ୍ଵର ପରିବର୍ତ୍ତନ କରିବାକୁ କମଳାକାନ୍ତ ଅପ୍ରୟୋଜନୀୟ ଗାମ୍ଭୀର୍ଯ୍ୟ ପ୍ରଦର୍ଶନପୂର୍ବକ କହିଲା–‘‘ଦେବାନାଂ ପ୍ରିୟ-ପ୍ରିୟଦର୍ଶୀ-ଅଶୋକ ସମ୍ଭବତଃ ବିଲାତକୁ ଯାଇନଥିଲେ; ଅନ୍ତତ ତାଙ୍କର ଶିଳାଲିପି ସେଇ କଥା କୁହେନା ।’’

 

ଇତିହାସ, ସୁପ୍ରଭାର ପ୍ରିୟ-ପାଠ । ଦର୍ଶନ ବୋଲି ସୁପ୍ରଭା ଅନେକ ସମୟରେ କମଳାକାନ୍ତ ସହିତ ଯୁକ୍ତି କରେ । ବର୍ତ୍ତମାନ କମଳାକାନ୍ତର କଥାରୁ ତାହାର ଇଙ୍ଗିତ ପାଇ କହିଲା–‘‘ଯାଉନା, ଅସଲ କଥାକୁ ଛାଡ଼ି ପୁଣି ସେଇ ପୁରୁଣା କଥା କାହିଁକି !’’

 

ବଡ଼ ରିସ୍କଟାଏ ଏଡ଼େଇ ପାରିଲା ଭାବି କମଳାକାନ୍ତ ସ୍ଵସ୍ତିର ନିଃଶ୍ଵାସ ମାରିଲା । ହାତର ଟେବୁଲ-କ୍ଳଥଟିକୁ ପ୍ରେମ୍‌ ସହିତ ଭାଙ୍ଗି ଭାଙ୍ଗି ସାଇତ ରଖି ଉଠିବାର ଉପକ୍ରମ କରି ସୁପ୍ରଭା ପଚାରିଲା—‘‘ସୂତା ଆସିଲା ନା ନାହିଁ ? ହଜିଲା ଟଙ୍କା ମିଳିବ ନାହିଁ ମାନେ ସତା ବି ମିଳିବ ନାହିଁ ନା କଣ ?’’

 

—‘‘ଆରେ ହିଁ, ଚାନ୍ଦମଲବାବୁଙ୍କୁ ଆଜି ପରା କହିଆସିଛି—ଦୋକାନରେ ଯାହା ଅଛି ସେସବୁ ଭଲ ନୁହେଁ; କାଲି କିମ୍ବା ପହରିଦିନ ଭିତରେ ଟାଉନ୍‌ରୁ ମଗେଇଦେବେ ବୋଲି କହିଛନ୍ତି । ମାଷ୍ଟ୍ରାଣୀ ସୂତା ପାଇଁ ଆସିଥିଲେ ବୋଧେ ।’’

 

—‘‘କାହିଁକି, ପହରିଦିନ ସେ ଆସି ନଥିଲା କି ? ତମର ଚାକର ଟୋକା କୁଆଡ଼େ ଦେଖିଛି—ମାଷ୍ଟ୍ରାଣୀ ଅଫିସ ବାକ୍‌ସ ଖୋଲିବାକୁ ଯାଉଥିଲା ।’’ କଥାତକ କହି ସୁପ୍ରଭାର ଆଖିରେ, ମୁହଁରେ କୌତୁକର ହସ ଫୁଟିଦିଶିଲା ।

 

—‘‘ସେ ଚାକର ଟୋକାଟା କମ୍‌ ବଦ୍‌ମାସ ନୁହଁ ।’’

 

—‘‘ମାଷ୍ଟ୍ରାଣୀ ବୋଧେ କିଛି ଖରାପ ଭାବିଲେ ନା କଣ ! ବାକ୍‌ସରେ ହାତ ଦେଲେ ବୋଲି ଏ ଟୋକାଟା କଣ ପରା କହିଲା ତାଙ୍କୁ ।’’

 

—‘‘ସେଇଟା ଏକ ପାଜି—ଚୋର; ତା’ର କଣ ପଡ଼ିଥିଲା କିଛି କହିବାକୁ ? ପାଜି,ରାଜା-ଧନରେ ମାଲିକ ସାଜୁଚି, ନା ?’’

 

—‘‘ଉହୁଁ, ତମେ ଜାଣିନା; ସେଇ ମାଷ୍ଟ୍ରାଣୀ ଗାଉଁଲୀ-ମାଇକିନିଆ ନୁହେଁ ବୋଲି ଜଣାପଡ଼ୁଚି । ଆମର ଉଜାଣୀ-ପଟର ଝିଅ; ସ୍ଵାମୀ ସେପାଖରେ କେବେ ଚାକିରି କରୁଥିଲା ବେଳେ ତାକୁ କୁଆଡ଼େ ଧରି ପଳେଇ ଆସିଥିଲା । ବେଶ୍‌ ପଢ଼ାଶୁଣା ବି କରିଚି ବୋଲି ଜଣାପଡ଼େ ମ ।’’

 

—‘‘ଡାକିଲ ଡାକିଲ ସେ ଚାକର ଟୋକାକୁ, ତାକୁ ମୁଁ ଦିଏଁ ଭଲକରି କସି ।’’ ରାଗରେ ଚଉକିରୁ ଉଠିପଡ଼ି କମଳାକାନ୍ତ ହାତ, ମୁହଁ ଛିଞ୍ଚାଡ଼ିଲା ।

 

—‘‘ଥାଉ, ଥାଉ ଏଇ କାଳ-ସଞ୍ଜଟାରେ ବ୍ରାହ୍ମଣପିଲାଟାର ଦେହରେ ହାତ ଦେଇ ଅମଙ୍ଗଳକୁ ନିମନ୍ତ୍ରଣ କରନା ।’’ —ପୁଣି, ସ୍ଵାମୀଙ୍କ ଆଡ଼କୁ କୋଣେଇ ଚାହିଁ ଥଟ୍ଟାଳିଆ ସ୍ଵରରେ କହିଲା—‘‘ଯୁବତୀ-ମାଷ୍ଟ୍ରାଣୀର ନାଁ ଧରିଲେ ଦେଖୁଚି ତମେ ତ କଣ ଉନ୍ମାଦ ହେଇଯାଉଚ !’’

 

କଥାପଦିକ ସୁପ୍ରଭା ତୁଣ୍ଡରୁ ଶୁଣି, ଜୋକମୁଣ୍ଡରେ ଲୁଣ ଭଳି କମଳାକାନ୍ତ ଲାଜ-ଅପମାନରେ ତଳକୁ ମୁହଁ ପୋତି ଚଉକିକୁ ଫେରିଲା ।—ସ୍ତ୍ରୀର କଳିହା-ସ୍ଵଭାବ ଯୋଗୁଁ କମଳାକାନ୍ତର ସାରା ଜୀବନଟା ଅଶାନ୍ତିରେ ହିଁ କଟିଛି । ନିଜର ଚିର-ଅସନ୍ତୁଷ୍ଟ ମନକୁ ନେଇ ସୁପ୍ରଭା ଯେ କେବଳ ନିଜକୁ ଅସୁଖୀ କରିଛି ତା ନୁହେଁ, ସ୍ଵାମୀର ଜୀବନକୁ ମଧ୍ୟ ଦୁର୍ବହ କରି ତୋଳିଛି ।

 

ସ୍ତ୍ରୀ ସହିତ ଏକତାବସ୍ଥାନ ଦିନକୁ ଦିନ ଦୁର୍ବିସହ ଯନ୍ତ୍ରଣାଦାୟକ ହୋଇପଡ଼ୁଛି କମଳାକାନ୍ତ ପକ୍ଷରେ ।

 

ଯା ହଉ, ଦାମ୍ପତ୍ୟ-କଳହରେ ଉପସ୍ଥିତ-ପୂର୍ଣ୍ଣଚ୍ଛେଦ-ଟଣା-ସୂଚକ ଏକ ଡାକ ବାହାରୁ ଶୁଭିଲା—‘‘ସାର୍‌ ଘରେ ଅଛନ୍ତି ?’’

 

କମଳାକାନ୍ତ ଦୀର୍ଘ-ନିଶ୍ଵାସ ଛାଡ଼ି, ଧୀରେ ଧୀରେ ଅପସରିଗଲା ବାହାର ବାରଣ୍ଡାକୁ । ଏଣେ ‘କ୍ୟୁଟିକିରା’ ସାବୁନଖଣ୍ଡକ ନେଇ ହାକିମାଣୀ ଗାଧୋଇ ଘରେ ଢୁକିଲେ ।

 

ଚାରି

 

—‘‘ଆରେ, ଇନ୍‌ସପେକ୍ଟର ଯେ ! ଆସନ୍ତୁ, ଆସନ୍ତୁ, ବସନ୍ତୁ ।’’ ବ୍ୟତିବ୍ୟସ୍ତ ହୋଇ କମଳାକାନ୍ତ ଇନ୍‌ସପେକ୍ଟରଙ୍କ ଉଦ୍ଦେଶ୍ୟରେ ଚଉକି ଖଣ୍ଡେ ଦେଖେଇ ନିଜେ ଏକ ଚଉକିରେ ବସିଲା । ଆଗନ୍ତୁକ ପ୍ରକୃତପକ୍ଷେ ଇନସ୍‌ପେକ୍ଟର ନୁହଁନ୍ତି କିନ୍ତୁ । ରହା-ସର୍କଲ୍‌ର ପୋଲିସ ସବ୍‌-ଇନ୍‌ସପେକ୍ଟର୍‌ ମାଧବ ମହନ୍ତ । ଆଜିକାଲି ଗଭର୍ଣ୍ଣମେଣ୍ଟଙ୍କ ଅଧିକାଂଶ ପଦବୀରେ ‘ଡେପୁଟୀ’, ‘ସବ୍‌’, ‘ଏସିଷ୍ଟେଣ୍ଟ’ ଇତ୍ୟାଦି ବେଜାଏ ଉପାଧି ଉତ୍ପନ୍ନ ହୋଇଛି । ସାଧାରଣ ଲୋକ ନାମର ମାୟାରେ ପଡ଼ି କସ୍ମୈ ଦେବାୟ ବିବଷା ବିଧେମ ବୋଲି ଏକ ନାମରେ ମୁକ୍ତି ଚାହେଁ ।

 

ହସି ହସି କମଳାକାନ୍ତ ପଚାରିଲା—‘‘କିଛି ସନ୍ଧାନ ପାଇଲେ ନା କଣ ?’’

 

—‘‘ସନ୍ଧାନ ନପାଇ ଆପଣଙ୍କ ପାଖକୁ ଦୌଡ଼ିଥାନ୍ତି ନା ?’’

 

—‘‘ହଁ, ଆପଣମାନଙ୍କ ହାତରେ ପଡ଼ିଚି ଯେତେବେଳେ ଜିନିଷ ନ ବାହାରି ଯିବ କୁଆଡ଼େ ? କୋଉଠୁ ପାଇଲେ ?’’ ବ୍ୟଗ୍ରଭାବରେ ସବ୍‌-ଇନ୍‌ସପେକ୍ଟରଙ୍କ ମୁହଁକୁ ଅନେଇ ରହିଲା କମଳାକାନ୍ତ ।

 

—‘‘ବେଶୀ ଦୂରକୁ ଯିବାକୁ ପଡ଼ିଲା ନାହିଁ ଆଜ୍ଞା ! ଅତି ନିକଟରେ ମିଳିଗଲା ।’’

 

—‘‘ସତେନା କଣ ? ନିକଟରେ...ମାନେ ?’’ କମଳାକାନ୍ତ ବିସ୍ମୟ ଭାବେ ପଚାରିଲା ।

 

—‘‘ଏଇମାତ୍ର ବୁଣାଳ-ସଂଘର ମାଷ୍ଟ୍ରାଣୀର ଘର ଖାନ୍‌ତଲାସ୍‌ କରି ଆସିଲି । ଗୋଟାଏ ଜିନିଷ ସେଠୁ ବାହାରିଚି । ବ୍ୟସ୍ତ ହବାର ନାହିଁ—ବାକିଗୁଡ଼ିକ ବଳେ ମିଳିବ । ଆଚ୍ଛା ସାର୍‌, ମୁଦି ଏବଂ ଟଙ୍କା ବାହାରେ ଆପଣଙ୍କର ଶାଢ଼ି-ପଟା କିଛି ଚୋରି ହେଇଚି କି ? କେତେ ଯୋଡ଼ା ପାଟ-ମୁଗାର ରିହା, ମେଖଳା ବି ମାଷ୍ଟ୍ରାଣୀ ଘରେ ମିଳିଚି ଯେ.... ।’’

 

—“ନାଁ ତ, ଆମର ଲୁଗାପଟା କିଛି ଚୋରିଯାଇନି ତ’’

 

—‘‘ଆପଣଙ୍କର ଯଦି ନୁହେଁ, ନିଶ୍ଚୟ ଆଉ କାହାର ହେଇଥିବ ।’’

 

—‘‘କାହିଁକି ? ମାଷ୍ଟ୍ରାଣୀଙ୍କ ନିଜର... ?

 

—‘‘ଆପଣ ଦେଖଚି ଭଲ ଅନୁମାନ କରୁଛନ୍ତି—ଦୁଇବେଳା ଦୁଇମୁଠା ଖାଇବାକୁ ଯାହାର ନାହିଁ, ସେ ପୁଣି ପାଟ-ମୁଗାର ରିହା, ମେଖେଳା ପିନ୍ଧିବ !’’

 

—‘‘ମାଷ୍ଟ୍ରାଣୀ ଚୋରି କରିଚନ୍ତି ! ମୋର କାହିଁକି ବିଶ୍ୱାସ ହେଉନି । ହୁଏତ ଆପଣମାନଙ୍କ ସନ୍ଦେହ, ମିଥ୍ୟା ।’’

 

—‘‘କେବଳ ସନ୍ଦେହ କରିଥାନ୍ତି ଯଦି, ଆପଣଙ୍କ ନିକଟକୁ ଆସି ନଥାନ୍ତି ଆଜ୍ଞା । ହାତେ ହାତେ ମାଲ୍‌ ଧରାପଡ଼ିଚି । ଅଫିସ ରେଜିଷ୍ଟରେ ଏଣ୍ଟ୍ରି କରିବା ପାଇଁ ପଠେଇ ଦେଇଚି । ବର୍ତ୍ତମାନ ଚିହ୍ନଟ ପାଇଁ ଆପଣଙ୍କ ପାଖରେ ପହଞ୍ଚିବ । ଦେଖିସାରି କହିବେ ଆମର ଅନୁମାନ ମିଥ୍ୟା ନ ସତ୍ୟ-।’’ କହି ମାଧବ ମହନ୍ତ ଗୋଡ଼ ଉପରେ ଗୋଡ଼ ପକେଇ ହଲେଇ ହଲେଇ ରାସ୍ତାଆଡ଼କୁ ଅନେଇ ରହିଲେ ।

 

ଅଳ୍ପ ପରେ ପୁଣି ମହନ୍ତ କହିବାକୁ ଲାଗିଲେ—‘‘ମାଷ୍ଟ୍ରାଣୀ ଆପଣଙ୍କ ଘରକୁ ଦୁଇଦିନ ଆସିଥିଲା । ଆପଣମାନଙ୍କର ଲୁଗାପଟା ବାକ୍‌ସ ସେ ଦେଖିଛି । ତାଛଡ଼ା, ମାଲ୍‌ ଚୋରି ହେବା ଦିନ ସନ୍ଧ୍ୟାରେ ସେ ଆପଣଙ୍କ ଘରକୁ ଆସିଥିଲା । ଆପଣଙ୍କ ଅଫିସ ବାକ୍‌ସରେ ସେ ହାତ ଦେଇଥିବା କଥା ଆପଣଙ୍କ ପୂଜାରୀ ଟୋକା ନିଜେ ଦେଖିଛି ବୋଲି କହୁଚି ।’’

 

—‘‘ଆପଣ ଭୁଲ୍‌ କରୁଚନ୍ତି, ମହନ୍ତ ବାବୁ ! ଅଫିସ୍ ବାକ୍‌ସରୁ ଯେ ଟଙ୍କା ଚୋରି ଯାଇନି-

 

ମୁଣ୍ଡ ହଲେଇ ହଲେଇ ମାଧବ ମହନ୍ତ କହିଲେ—‘‘ସେ କଥା ମୁଁ ଜାଣେ ଆଜ୍ଞା ! ଏଇ ଘଟଣା ସହିତ ରାତି-ଘଟଣାର ସମ୍ବନ୍ଧ ନିଶ୍ଚୟ ଅଛି । ମାଷ୍ଟ୍ରାଣୀ ହୁଏତ ନିଜେ ଚୋରି କରିନି; କିନ୍ତୁ ଚୋରକୁ ଯେ ସାହାଯ୍ୟ କରିଚି, ଏ କଥା ନିଶ୍ଚିତ ।’’

 

—‘‘ଚୋରକୁ ସାହାଯ୍ୟ କରିଚି ? କେଉଁ ଚୋରକୁ ?’’

 

—‘‘ସବୁ ଚୋରଙ୍କ ନାମ ଏକା ନିଶ୍ଵାସରେ କହିବି କେମିତି ଆଜ୍ଞା ! ପ୍ରଥମତଃ ଅନୁମାନ; ଦ୍ଵିତୀୟତଃ ପ୍ରମାଣ—ତାପରେ ଯାଇ ସିନା ନାମ, ଆଜ୍ଞା !

 

ତଦନ୍ତର ସଫଳତାର ଭବିଷ୍ୟତ ଚିତ୍ର କଳ୍ପନା କରି, ହାକିମଙ୍କ ସଂଶୟ ଦୂର କରିବା ପାଇଁ ମହନ୍ତ କହିଲେ—‘‘ଦଳେ ଚୋର ଆଜ୍ଞା—ସେଇ ବୁଣାଳି ସଂଘର ଭଲେଣ୍ଟି ଅରଦଳ ।’’

 

ବଡ଼ ଜୋର୍‌ରେ ଜଳି, କଳା ପଡ଼ିଯାଇଥିବା ଲ୍ୟାମ୍ପର ଚିମନୀ ସଦୃଶ ବିସ୍ମୟ ଆଶ୍ଚର୍ଯ୍ୟରେ କମଳାକାନ୍ତର ମୁହଁଟା କଳା ପଡ଼ିଗଲା ।

 

—‘‘ଜାଣ ମହନ୍ତ, ଆମେ ନିଜେ ଦେଶର ଟିକିଏ ହେଲେ ଉପକାର କରିପାରୁନା । ଯେଉଁମାନେ କିଛି କରୁଛନ୍ତି ସେମାନଙ୍କୁ ଅଯଥାରେ ନିନ୍ଦା ନିର୍ଯାତନା କରିବା ଉଚିତ ନୁହେଁ ।’’

 

—‘‘କେଉଁ ଦେଶର କାମ କଥା କହୁଛନ୍ତି ଆଜ୍ଞା ? ଆମେ କଣ ଦେଶର ଉପକାର କରୁନା ? ଆପଣମାନେ ଭାବନ୍ତି ପୋଲିସ ଡିପାର୍ଟମେଣ୍ଟ କେବଳ ଲୋକଙ୍କ ଉପରେ ଅତ୍ୟାଚାର କରେ, ଆଉ ପୀଡ଼ା ଦିଏ । କିନ୍ତୁ ସାର୍‌, ଆମେମାନେ ଯଦି ନଥାନ୍ତୁ—ଛୁଆପିଲା, ସ୍ତ୍ରୀ, ଧନସମ୍ପତ୍ତି ନେଇ ଆପଣମାନେ ନିରାପଦରେ ରହିପାରନ୍ତେ ନା ? ଆଜି ମୋ ଅନୁମାନରେ ଆପଣ ଚମକି ପଡ଼ୁଛନ୍ତି । ଦେଖିବେ—ବୁଣାଳି ସଂଘର ଦଳଟି ଏଇମାତ୍ର ଅୟମାରମ୍ଭ କରିଚନ୍ତି । କିଛିଦିନ ପରେ ଏମାନେ ବେଶ୍‌ ଏକ୍‌ସପର୍ଟ ହେଇଯିବେନି କି ? ଆଜିଠୁ ମୁଁ ବୁଣାଳି ସଂଘର ଗତିବିଧିକୁ ଲକ୍ଷ୍ୟ ରଖୁଛି । ଦିନେ ଗୋଟାକଯାକ ଦଳକୁ ଧରି ବି. ଏଲ୍. କେସରେ ଯଦି ନ ପକେଇଚି, କହିବେ । ଚାରି ଚାରି ବର୍ଷ ‘ରିଗୋରସ୍‌’ ଦିଆଇଦେବି ।’’

 

—‘‘ଇସ୍‌, ଆପଣ କଣ କହୁଚନ୍ତି ? ବୁଣାଳ ସଂଘର ଉଦ୍‌ଯୋଗରେ ଗାଁରେ ବିଚାର ଗରିବ-ଗୁରୁବା ବୁଣାଳିଏ ଦି-ପଇସାର ମୁହଁ ଦେଖୁଛନ୍ତି—ସେଇଟାରେ ମୁଦା ମାରିବେ ନା କଣ ?’’ ବିରକ୍ତିର ମୁହଁକୁ କରକିଆ କରି ରହିଲା କମଳାକାନ୍ତ ।

 

—‘‘ବୁଣାଳିମାନେ କେମିତି ପଇସା ଅର୍ଜନ କରୁଚନ୍ତି, ସେକଥା ମୁଁ କହୁନି । କିନ୍ତୁ ଭଲେଣ୍ଟିଅରମାନେ ଗାଁରେ ଗାଁରେ ଯୁବତୀ ଝିଅଙ୍କ ସଙ୍ଗେ ଚାଟୁ ଆଳାପ କରିବାକୁ ବେଶ୍‌ ସୁଯୋଗଟାଏ ପାଇଚନ୍ତି ।’’

 

—‘‘ଦେଖୁଚି, ସବୁଟାର ମନ୍ଦ ଦିଗଟା ଆପଣମାନଙ୍କ ଆଖିକି ଆଗ ଦିଶେ ।’’

 

—‘‘ମଣିଷର ଭଲ ଦିଗଟା ତ ଶିଳ୍ପ-ପ୍ରଦର୍ଶନୀର ବସ୍ତୁ ପରି ପ୍ରକାଶିତ ହୋଇଥାଏ । ସେଇଟା ସହଜ ଭାବରେ ସମସ୍ତଙ୍କର ଦୃଷ୍ଟିକୁ ଆକର୍ଷଣ କରିଥାଏ; କିନ୍ତୁ ମନ୍ଦଦିଗଟା ଆଢ଼ୁଆଳରେ ଲୁଚି ରହିଥାଏ । ତାକୁ ଦେଖିବାକୁ ବିଶେଷ ଦୃଷ୍ଟିଶକ୍ତି ଆବଶ୍ୟକ, ବୁଦ୍ଧି ଦରକାର, ପରିଶ୍ରମ ବି କରିବାକୁ ପଡ଼େ, ଆଜ୍ଞା ! ଆମେ ପୋଲିସ୍‌ ଏବଂ ସି. ଆଇ.ଡ଼ି. ମାନେ ତାହାହିଁ କରିଥାଉଁ ।’’

 

ମାଧବ ମହନ୍ତର କଥାରେ ଅବଶ୍ୟ ଯଥେଷ୍ଟ ଯୁକ୍ତି ଅଛି । କମଳାକାନ୍ତ ହସି ହସି କହିଲା–‘‘ଆପଣ ତ ବେଶ୍‌ ସାହିତ୍ୟିକ ଭାଷାରେ କଥା କହୁଚନ୍ତି !’’

 

ପୋଲିସଙ୍କ ପ୍ରତି କମଳାକାନ୍ତର ଯେ ଅବଜ୍ଞା ଭାବ ଅଛି, ମାଧବ ମହନ୍ତ ବେଶ୍‌ ବୁଝିପାରିଥିଲେ । ସେ ଯେ ସାଧାରଣ ପୋଲିସ୍‌ କର୍ମଚାରୀ ପରି ଅସଂସ୍କୃତ ଏବଂ ଅବଜ୍ଞାର ପାତ୍ର ନୁହେଁ—ସମାଜର ଉଚ୍ଚ ଚିନ୍ତାଧାରା ସହିତ ଯେ ତାଙ୍କର ବି ପରିଚୟ ଅଛି—ସେୟା ପ୍ରକାଶ କରିବାକୁ ମହନ୍ତଙ୍କ ମନଟା ଏତେ ପରେ ସକ-ସକେଇଲା । ଏଣୁ ମହନ୍ତ କହିଲେ—‘‘ସାହିତ୍ୟର ଭାଷା ପ୍ରୟୋଗ କଥା କହୁଚନ୍ତି ନା ? କଲେଜରେ ଫାଷ୍ଟ-ଇୟରରେ ଏ. ଏସ୍‌. ଏଲ୍. କ୍ଳବ୍‍ର ଜଏଣ୍ଟ-ଅସିଷ୍ଟାଣ୍ଟ-ସେକ୍ରେଟାରୀ ଭାବେ ନିର୍ବାଚିତ ହୋଇଥିଲି । କଲେଜ ମେଗାଜିନ୍‌ରେ ପ୍ରକାଶିତ ମୋର ‘ଜନ୍ମଭୂମି’ ଶୀର୍ଷକ କବିତାଟି ସେ ସମୟରେ ଛାତ୍ର-ମହଲରେ ସିନେମା-ଗୀତ ପରି ମୁହେଁ ମୁହେଁ ଖେଳୁଥିଲା ଆଜ୍ଞା ! ହେଲେ, କଣ କରିବି ଆଜ୍ଞା—ଫାଷ୍ଟ ଇୟରରେ ଫାଦେରଙ୍କ ଦେହାନ୍ତ ହେଲା; ଅଗତ୍ୟା କଲେଜ ଛାଡ଼ି ଚାକିରିରେ ପଶିବାକୁ ହିଁ ପଡ଼ିଲା । ତା ସଙ୍ଗେ ସଙ୍ଗେ ସାହିତ୍ୟ-ସାଧନା ପୋଥିରେ ଡୋରି ବନ୍ଧାହେଲା । ସମସ୍ତେ ମିଳିଲେ ଏବେ ବି କବିତା ରଚନା କରିବାକୁ ଇଚ୍ଛା ହୁଏ; କିନ୍ତୁ ସମୟ ବା କାହିଁ ? ତଥାପି ସାନ୍ତ୍ୱନା—They also serve who only stand and wait ।’’

 

ରାସ୍ତା ଉପରେ କନେଷ୍ଟବଲ୍‌ ଜଣକୁ ଦେଖିପାରି ମହନ୍ତ ପୁଣି କହିଲେ—‘‘ହେଇ ଆଜ୍ଞା, ଆପଣଙ୍କର ଚୋରିମାଲ୍‌ ଆସିଗଲା—ଅବଶ୍ୟ ଚିହ୍ନୋଟର ନିଷ୍ପ୍ରୟୋଜନ । ତଥାପି ମାଲିକଙ୍କର ଚକ୍ଷୁ-କର୍ଣ୍ଣର ସନ୍ଦେହ ଭଞ୍ଜନ କରିନେବା ଭଲ । ଆପଣଙ୍କର ଏଇ ମୁଦି-ଚୋରି ଘଟଣାରୁ କେତେ ରହସ୍ୟ ଯେ ଉଦ୍‌ଘାଟିତ ହେବ...’’ ମହନ୍ତ ମୁଣ୍ଡଟେକି ସନ୍ତୋଷର ହସ ହସିଲେ ।

 

—‘‘ମୁଦିଟାଏ ଏବଂ ଟଙ୍କା କୋଡ଼ିଏଟାଏ ଭିତରେ ଆପଣ ଏମିତି କି ରହସ୍ୟର ଭେଦ ପାଇଲେ !’’

 

—“ଜାଣନ୍ତି ସାର୍‌, ପୋଲିସ୍‌ ଡିପୋର୍ଟମେଣ୍ଟରେ ପଶି ବହୁତ ଅଭିଜ୍ଞତା ହେଲାଣି । ଜାଣନ୍ତୁ ସାର୍‌, ଯୋଉଠି ସ୍ତ୍ରୀଲୋକ ସେଇଠି ସାମାନ୍ୟ-ସହଜ ଘଟଣା ବି ଜଟିଳ ଆକାର ଧାରଣ କରେ । ମାଷ୍ଟ୍ରାଣୀ ସହିତ ଭଦ୍ରଲୋକ ବି ମରିବେ ।’’

 

—‘‘ଏଁ !’’ ଚମକିପଡ଼ି, କପାଳରେ ଆଖି ଖୋସି ମହନ୍ତଙ୍କ ମୁହଁକୁ ଅନେଇ ରହିଲା କମଳାକାନ୍ତ ।

 

—‘‘ଯଦି ଗୋଲାପ ଡାକ୍ତରଙ୍କ ନାଁ ଏଇ କେସ୍‌ ସହିତ ସମ୍ପୃକ୍ତ ହୁଏ, ଆଶ୍ଚର୍ଯ୍ୟ ହେବନି ଆଜ୍ଞା !’’

 

—‘‘ଗୋଲାପ ଡାକ୍ତର ? କଣ ଆପଣ କହୁଚନ୍ତି ?’’

 

—‘‘ମୋର ନିଜର କହିବାକୁ କିଛି ନାହିଁ ଆଜ୍ଞା ! ହାତେ ହାତେ ପ୍ରମାଣ । ଗୋଲାପ ଡାକ୍ତର ବୁଣାଳି ସଙ୍ଘର ଟ୍ରେଜରର୍‌; ମାଷ୍ଟ୍ରାଣୀ ସେକ୍ରେଟାରୀ । ଜଣେ ବିପତ୍ନୀକ—ଆଉ ଜଣକର ସ୍ଵାମୀକୁ ଇଞ୍ଜେକ୍‌ସନ୍‌ ଦେଇ ଡାକ୍ତର ମାରି ଦେଇଚନ୍ତି ବୋଲି ଲେକାପବାଦ... ।’’

 

—‘‘ଛି, ଛି...ଦେଖୁଚି ଆପଣମାନେ ବି ଗାଉଁଲି-ଗଳ୍ପରେ ବିଶ୍ଵାସ କରନ୍ତି । ନା, ମିଛରେ ଗୋଲାପ ଡାକ୍ତରକୁ ଏଥିରେ ଯୋଡ଼ନ୍ତୁନି ।’’

 

—‘‘ହାକିମ ଲୋକ...ଆପଣମାନେ ବିଶ୍ଵବିଦ୍ୟାଳୟର ଡିଗ୍ରୀଧାରୀ । ବହିରେ ନଥିବା କଥାର ମଧ୍ୟ ଅର୍ଥ ବାହାର କରିପାରିବେ । କିନ୍ତୁ ବାହ୍ୟ-ଆଭରଣର ଅନ୍ତରାଳରେ ଥିବା ମଣିଷର ପଙ୍କିଳ ମନଟା ଆପଣମାନଙ୍କ ଆଖିରେ ପଡ଼େନା । ଆପଣମାନଙ୍କ ପରି ସରଳସ୍ଵଭାବ ବ୍ୟକ୍ତି, ଜଟିଳ-ମଣିଷର ଚରିତ୍ର କେମିତି ବୁଝନ୍ତେ । କହିରଖୁଚି ସାର୍‌, ନରମାୟ । ନାରାୟଣଙ୍କ ଅଗୋଚର-।’’

 

ସତେ ତ, ଈଶ୍ଵରଙ୍କ ସୃଷ୍ଟିରେ ମନୁଷ୍ୟ ଏକ ଅଦ୍ଭୁତ ପ୍ରାଣୀ । ମାଟି, ପାଣି, ପବନ—ତିନୋଟିଯାକ ତାର ବିଚରଣ ସ୍ଥଳ । ଅସାଧାରଣ ତାର ଆଚରଣ । ଅଗ-ମୂଳ ସମାନ ଥାଇ ବାଉଁଶ ଯେପରି ମିଳେନା, ସେପରି ଭିତର ବାହାର ସମାନ ଥିବା ମଣିଷ ଖୋଜି ବାହାର କରିବା କଷ୍ଟକର । ମିଥ୍ୟା, ଫାଙ୍କି, ପ୍ରବଞ୍ଚନାରେ ଏପରିଭାବରେ ପୁଟ ଦେଇଥାଏ, ତା’ ଭିତରର ଅସଲ ରୂପଟା କଳ୍ପନା କରିକା ଦୁଷ୍କର । ବିଜୁଳିର କ୍ଷଣିକ ଆଲୋକ ଅନ୍ଧକାରାଚ୍ଛନ୍ନ ସମଗ୍ର ପ୍ରକୃତିକୁ କ୍ଷଣିକ ପାଇଁ ପ୍ରକାଶ କଲା ଭଳି ମାଧବ ମହନ୍ତର ଅକାଟ୍ୟ ପ୍ରମାଣ ପ୍ରଚ୍ଛନ୍ନିଭୂତ ଗୋଲପ ଡାକ୍ତରଙ୍କ ଚରିତ୍ରର କଳୁଷିତ ପାର୍ଶ୍ଵଟି କମଳାକାନ୍ତର ଆଖିଆଗରେ ଜଳଜଳ ଦେଖାଗଲା । ରହା ସର୍କଲକୁ ଆସିଲାଦିନରୁ କମଳାକାନ୍ତ ଏଇ ଡାକ୍ତର ସମ୍ବନ୍ଧରେ ଭଲମନ୍ଦ ଅନେକ କଥା ଶୁଣିଛି । ଶତ୍ରୁର ରଟନା ବୋଲି ଏତେଦିନ ହେଲା ସେଥିପ୍ରତି କାନ ଦେଇନଥିଲା, ସେ । ଆଜି ସେଇ ଅନର୍ଥ ଅପବାଦର ଅର୍ଥ ଉପଲବ୍‌ଧି କରି ଘୃଣାରେ, କ୍ରୋଧରେ କମଳାକାନ୍ତର ଦେହ କଣ୍ଟକିତ ହୋଇପଡ଼ିଲା । କି ଭୟାନକ ଚରିତ୍ର ଲୋକଟାର ! ! ଭଣ୍ଡସାଧୁବେଶରେ ଚିରଦିନ ତେବେ ମଣିଷଙ୍କୁ ପ୍ରତାରଣା କରିଆସିଛି ? ଧରଣୀ ମାଷ୍ଟରକୁ ମାରି ତା’ ସ୍ତ୍ରୀ ସହିତ କାମ-ଚରିତାର୍ଥ କରିଛି-? କେଡ଼େ ଅପରାଧୀ—ବିଶ୍ଵାସଘାତକ ! ତା’ର ଚରିତ୍ରର ପ୍ରତି ନିଶ୍ଵାସରେ ଗାଁର ବାୟୁମଣ୍ଡଳ ବିଷାକ୍ତ ହୋଇପଡ଼ିଛି ! ଏପରି ଭାବି ଭାବି କମଳାକାନ୍ତର ଶ୍ୱାସରୁଦ୍ଧ ହେଲା ।

 

ହାତରେ ପୁଡ଼ିଆ-ଧରା କନେଷ୍ଟବଲ୍‌ ଜଣକ ଟିକିଏ ପଛେଇଯାଇଛି । ଆଗକୁ ଆସି, ପାହାଚରେ ଥାଇ, ଛୋଟ ଦାରୋଗାବାବୁଙ୍କୁ ସଲାମ୍‌ ଠୁଙ୍କି, ହାପ୍‌ପ୍ୟାଣ୍ଟ ପକେଟରୁ ଡବାଟାଏ ବାହାର କରି ବଢ଼େଇଦେଲା । ମାଧବ ମହନ୍ତ ହାତ ବଢ଼େଇ ସେକୁ ଆଣି, ଡବା ଉପରେ ଇଂରାଜୀରେ ଲେଖା Dr, G. C. Hazarika ନାମଟି ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶପୂର୍ବକ କମଳାକାନ୍ତ ହାତକୁ ଡବାଟି ଦେଲେ । କମଳାକାନ୍ତ ନବ-ନ ନବ ହୋଇ ଶେଷକୁ ନାକଟେକି ଡବାଟି ଧଇଲା—ସତେ ଯେମିତି ଗେଣ୍ଡାଟାଏ ଉପରେ ହାତ ପଡ଼ିଲା କି କ’ଣ !

 

ଡାକ୍ତରର ପଙ୍କିଳ ଚରିତ୍ର ବିଷୟରେ ଯେଉଁ ଧନିଷ୍ଠାମାନ ସଂଶୟର ଅବଶିଷ୍ଟାଂଶ ରହିଥିଲା, ମାଷ୍ଟ୍ରାଣୀ ଘରୁ ମିଳିଥିବା ଡାକ୍ତରର ନାମାଙ୍କିତ ସିରିଞ୍ଜ ଡବାଟା ସେଇ ଟିକକ ଦୂର କଲା-। ମାଷ୍ଟ୍ରାଣୀ ସହିତ ଗୋଲାପ ଡାକ୍ତରର କଦର୍ଯ୍ୟ-ପ୍ରେମ-ପରିଚୟ କଥା କଳ୍ପନା କରି ଡବାଟି ଖୋଲି ଦେଖିବାକୁ ବି କମଳାକାନ୍ତକୁ ଘୃଣା ଲାଗିଲା ।

 

ସମଗ୍ର ଚୋରି-ଘଟଣାଟି ସହିତ ଗୋଲାପ ଡାକ୍ତର, ମାଷ୍ଟ୍ରାଣୀ ଏବଂ ବୁଣାଳିସଙ୍ଘର ଭଲେଣ୍ଟିଅର୍‌ମାନଙ୍କୁ ଯୋଡ଼ି ମାଧବ-ଦାରୋ‌ଗା ମନେ ମନେ ପ୍ରକାଣ୍ଡ ସେନ୍‌ସେସନାଲ୍‌ ମକଦ୍ଦମାଟାଏ ପ୍ରସ୍ତୁତ କରିସାରିଛନ୍ତି । ପଲିଟିକାଲ୍‌ କେସ୍‌ ସହିତ କୁତ୍ସିତ ପ୍ରେମ-କାହାଣୀ ! ‘ଅସମୀୟା’ କଥା ଛାଡ଼—କଲିକତାରୁ ପ୍ରକାଶିତ ‘ଆସାମ-ନିଉଜ’ରୁ କଲମରେ ବଡ଼ ବଡ଼ ଅକ୍ଷରରେ ସମ୍ବାଦଟି ପରିବେଷିତ ହେବ । ପୋଲିସ୍‌ ସାହେବଙ୍କ ସହିତ ହ୍ୟାଣ୍ଡସେକ୍‌, ଉପରିସ୍ଥଙ୍କଠାରୁ ପ୍ରଶଂସା, ଓକିଲଙ୍କଠୁ ବୁଦ୍ଧିର ତାରିଫ୍‌...ଏଇ କେସ୍‍ଟା ପ୍ରମାଣିତ ହୋଇଗଲେ ସି. ଆଇ. ଡି. ବ୍ରାଞ୍ଚକୁ ନିଘାତ-ପ୍ରମୋଶନ୍‌—ଏଇ କଳ୍ପନାରେ ମାଧବ ଦାରୋଗା ମସଗୁଲ୍‌ ।

 

କମଳାକାନ୍ତ ଡବା ଖୋଲି ମୁଦିଟି ଦେଖିବାକୁ ଆଗ୍ରହ ପ୍ରକାଶ ନ କରନ୍ତେ, ମହନ୍ତଙ୍କ ଭୟ ହେଲା । ଗୋଲପ ଡାକ୍ତର ସାଙ୍ଗରେ ହାକିମଙ୍କର ବେଶ୍‌ ବନ୍ଧୁତା ଜନ୍ମିଛି ଏଇ କେଇଦିନ ହେଲା । ମାଷ୍ଟ୍ରାଣୀ ପ୍ରତି ସହାନୁଭୂତି ଅଛି । କେଜାଣି ବା କେସ୍‌ ପ୍ରୋସିଡ୍‌ କରିବାକୁ ହକିମ ନଚାହିଁ ପାରନ୍ତି । ସ୍ତ୍ରୀଙ୍କ ମୁଦି ଚିହ୍ନି ନପାରି କେଜାଣି ବା ଆଦୌ ନୁହେଁ ବୋଲି ଅସ୍ଵୀକାର କରିବେ !!

 

ଶେଷରେ ମହନ୍ତ ପାଟିଖୋଲି କହିଲେ—‘‘ଯାଆନ୍ତୁ, ଯାଆନ୍ତୁ ସାର—ଭିତରକୁ ନେଇଯାଅନ୍ତୁ । ଯାହାଙ୍କ ମୁଦି ତାଙ୍କୁ ଦେଖାନ୍ତୁ; ହଜିଲା ମୁଦିକୁ ଖୋଜିଦେଇଥିବାରୁ ଗୁଆ ଖଣ୍ଡେ, ଚାହା କପେ ଯଦି ଭାଗ୍ୟରେ ଯୁଟେ !’’ କହିସାରି ନିଜେ ମାଧବ-ଦାରୋଗା ହାକିମଙ୍କୁ ଧରି ଚଉକିରୁ ଉଠାଇଦେଲେ । ଅନିଚ୍ଛା ସତ୍ତ୍ୱେ କମଳାକାନ୍ତ ଡବାଟା ଧରି ଭିତରକୁ ଯିବାକୁ ବାଧ୍ୟ ହେଲେ ।

 

ସୁପ୍ରଭା ସେ ଯାଏଁ ବି ଗାଧୁଆଘରୁ ବାହାରିନି । କ୍ୟୁଟିକିରା-ସାବୁନ୍‌ର ଗନ୍ଧ ସହିତ ରବୀନ୍ଦ୍ର-ସଙ୍ଗୀତର ମଧୁର ଗୁଞ୍ଜନ ଗାଧୁଆଘରୁ ଭାସିଆସୁଛି—

 

‘‘ବଡ଼ୋ ବେଦନାର୍‌ ମତୋ ବେଜେଛ ତୁମି ହେ ଆମର୍‌ ପ୍ରାନେ;

ମନ୍‌ ଯେ କେମନ୍‌ କରେ ମନେ ମନେ ଢାଇ ମନ୍‌ଇ ଜାନେ

ତୋମାର ହ୍ରିଦୟ କରେ ଆଜି ନିଶି ଦିନ୍‌ ଧରେ,

ଚେୟେ ଥାକି ଆଁଖି ଭ’ରେ ମୁଖେର୍‌ ପାନେ ॥

ବଡ଼ୋ ଆଶା,ବଡ଼ୋ ତୃଷ୍ଣା, ବଡ଼ୋ ଆକିଞ୍ଚନ୍‌ ତୋମାରଇ ଲାଗି,

ବଡ଼ୋ ସୁଖେ, ବଡ଼ୋ ଦୁଃଖେ,ବଡ଼ୋ ଅନୁରାଗେ ରଏଛି ଜାଗି ।

ଏ ଜନ୍ମେର୍‌ ମତୋ ଆର୍‌ ହୟେଗେଛେ ଯା ହବାର୍‌

ଭେସେଗେଛେ ମନ୍‌ ପ୍ରାନ୍‌ ମରଣ୍‌ ଟାନେ ॥’’

 

ସଙ୍ଗୀତଟିର ବେଦନାଭରା ସୁର ସନ୍ଧ୍ୟାର ଆକାଶଟାକୁ କରୁଣ କରି ତୋଳୁଥିଲା; କମଳାକାନ୍ତ ସ୍ତବ୍‌ଧ ହୋଇ କ୍ଷଣେ ଶୁଣିଲା.....ତା’ପରେ ଡବାଟି ଖୋଲି ମୁଦିଟିକୁ କାଢ଼ିଲା । କମଳାକାନ୍ତର ନାମାଙ୍କିତ ମୁଦ୍ରିକା ! ! ଏଇଟା ପୁଣି ସୁପ୍ରଭା ଗଢ଼ାଇଲା କେବେ ? ଏକଦମ୍‌ ପୁରୁଣା ଡିଜାଇନ୍‌ର ଯେ...ଚତୁର୍ଦ୍ଦିଗ ଝାପ୍‌ସା ଦେଖାଗଲା କମଳାକାନ୍ତକୁ । ସୁନେଲୀ-ଯୌବନର ମଙ୍ଗଳ-ଆଶୀର୍ବାଦ-ବାହକ ମୁଦ୍ରିକାଟି ଜୀବନର ଶତ ଶତ ଦୁଃଖ, ନିର୍ଯାତନା, ଲାଜ-ଲାଞ୍ଛନା, ମାନ-ଅପମାନରେ ମଳିନ ହୋଇ ଅଭିଶାପ ରୂପରେ ସତେ କି ଫେରିଆସିଛି । ହାତରୁ ତାର ଡବା ଏବଂ ମୁଦିଟି ସୁଟ୍‌କିନା ଖସିପଡ଼ିଲା । ତଳେ ଗଡ଼ି ଗଡ଼ି ଯାଉଥିବା ମୁଦି ସହିତ କମଳାକାନ୍ତର ମୁଣ୍ଡଟା ବି ଚକ୍ରବତ୍‌ ଘୂରିବାକୁ ଲାଗିଲା । ମୃଗୀରୋଗୀ ପରି ଥରି ଥରି ନିକଟସ୍ଥ ଚଉକି ଖଣ୍ଡକର ହାତ ଧରି ବସିପଡ଼ିଲା କମଳାକାନ୍ତ । ଡିସେକସନ୍‌ ଟେବୁଲ ଉପରେ ରଖା ମୃତଶବ ପରି ହୋଇଗଲା କମଳାକାନ୍ତର ମୁହଁଟି...ପ୍ରାୟ ଶେଥା ପଡ଼ିଗଲା । କ୍ରିୟାହୀନ ମନର ଅସଂଖ୍ୟ ସ୍ମୃତି-ବିସ୍ମୃତି ତାଣ୍ଡବନୃତ୍ୟ ଆରମ୍ଭ କଲେ ।

Image